Unknown

 

 

 

 

 

 

 

 

 

 

 

ଭାରତ ନେପାଳ ଲଙ୍କା

ବିଶ୍ୱନାଥ କର

 

“ତସ୍ମୈ ଶ୍ରୀ ଗୁରବେ ନମଃ”

 

ମୋର ପିତାମହ ଓ ବାଲ୍ୟଗୁରୁ

ସ୍ୱର୍ଗତ ପଣ୍ଡିତ କୃପାସିନ୍ଧୁ କରଙ୍କ

ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଉତ୍ସୃଷ୍ଟ ।

 

ବିଶି

 

ଯାତ୍ରୀ ସେ ବେଗବାନ୍

 

ଜନନୀ-ଜଠରୁ ଜନ୍ମ ଲଭି ସେ ପରିଶିଲା ଯେବେ ଧରା,

ଦର୍ଶନେ ତା’ର ପରିବାରଜନ ହୋଇଲେ ଆତ୍ମହରା;

ଶୈଶବ ତା’ର ବିତିଲା ହାସ୍ୟରୋଳ,

ଜନକ, ଜନନୀ, ଜେଜେ, ଜେଜେମାଆ କୋଳେ;

ଛାତ୍ରଜୀବନ ହାହାକାରମୟ ଦୁଃଖ-ଦୈନ୍ୟ-ଖଞ୍ଜା;

ଯଉବନର ତ’ ମଧୁବସନ୍ତେ ବହେ ବୈଶାଖୀ-ଝଞ୍ଜା;

କର୍ମଜୀବନେ ବହିଗଲା କେତେ ଝଡ଼,

ବିଜୟ-ଦର୍ପ ବାହୁଡ଼ିଲା ଜିତି ଗଡ଼;

କର୍ମ-କ୍ଲାନ୍ତ ଜୀବନେ ଯଦି ସେ ଅବସର କେବେ ପାଏ,

ପ୍ରକୃତି-ରୂପ ସମ୍ଭୋଗ ଆସେ ଦେଶଦର୍ଶନେ ଯାଏ;

ଅଙ୍କ-ତାହାର କାବ୍ୟନାୟିକା ମଣ୍ଡେ,

ଛୁଟିଛି ଲେଖନୀ, ବିଶ୍ରାମ ନାହିଁ ଦଣ୍ଡେ;

ହର୍ଷ-ବିଷାଦ ଉଭୟ ମଧ୍ୟେ ଅଗ୍ରସର ସେ ଯାତ୍ରୀ,

ନ ମାନି ଗ୍ରୀଷ୍ମ ବର୍ଷା ବା ଶୀତ, ଦିବସ ଅଥବା ରାତ୍ରି,

ବକ୍ଷେ ସାହସ, ଉର୍ଦ୍ଧ୍ୱେ ତା’ ଭଗବାନ୍,

ନିର୍ଭୟେ ଚାଲେ ଯାତ୍ରୀ ସେ ବେଗବାନ୍ ।

☆☆☆

 

ନିଜକଥା

 

ଦେଶ-ବିଦେଶ ଭ୍ରମଣ ଶିକ୍ଷାର ଅଙ୍ଗ ବିଶେଷ । ପୂର୍ଣ୍ଣଜ୍ଞାନ ଲାଭ ନିମିତ୍ତ ଭ୍ରମଣ ଏକାନ୍ତ ଆବଶ୍ୟକ । ବିଦ୍ୟାଧ୍ୟୟନ, ମନନ, ଧୀଶକ୍ତିର ପ୍ରସାର ତଥା ଦେଶଭ୍ରମଣ ବିନା ସମ୍ୟକ୍ ଜ୍ଞାନଲାଭ ଏକାନ୍ତ ଅସମ୍ଭବ । ବାଲ୍ୟକାଳରୁ ହିଁ ଦେଶ-ବିଦେଶ ଦର୍ଶନ କରିବା ପାଇଁ ମୋର ଇଚ୍ଛା ଥିଲା ।

 

ଛାତ୍ରଜୀବନରେ ଇତିହାସ ପଢ଼ିବାବେଳେ ଚିତୋର ଦୁର୍ଗ, ଲାଲକିଲ୍ଲା, ତାଜ୍‍ମହଲ ଓ ଅନ୍ୟ ସ୍ଥାନଗୁଡ଼ିକୁ ସ୍ୱଚକ୍ଷୁରେ ଦେଖିବାର ବାସନା ମୋ ହୃଦୟରେ ଜାଗ୍ରତ ହୋଇଥିଲା, କିନ୍ତୁ ସୁବିଧା, ସୁଯୋଗ ଓ ଆର୍ଥିକ ପରିସ୍ଥିତିର ଚାପରେ ସେ ଆଶା ଆଶାରେ ହିଁ ରହିଥିଲା । କାରଣ “ଉତ୍‌ଥାୟ ହୃଦି ଲୀୟନ୍ତେ ଦରିଦ୍ରଣାଂ ମନୋରଥାଃ” । ଯାହାହେଉ ଭଗବାନଙ୍କ ଅସୀମ ଅନୁକମ୍ପାବଳରୁ ଅସମ୍ଭବ ମୋ ପକ୍ଷରେ ସମ୍ଭବ ହେଲା । ଆକୁମାରୀ ହିମାଚଳ, ଲଙ୍କା, ଭୂସ୍ୱର୍ଗ କାଶ୍ମୀର ଓ ନେପାଳ ଦର୍ଶନରେ ମୁଁ ଯେଉଁ ଅପାର ତୃପ୍ତିଲାଭ କଲି ତା ତୁଳନାରେ ଅର୍ଥବ୍ୟୟ ଓ ଶାରୀରିକ ଶ୍ରମ ନିତାନ୍ତ ତୁଚ୍ଛ ।

 

ଦେଶ ବିଦେଶର ନଦନଦୀ, ବନପର୍ବତ, ପ୍ରାନ୍ତର, ନଗରନଗରୀ, ଦୃଶ୍ୟ-ବହୁଳ-ଜନପଦ, ଚାରିଧାମ-ପୁରୀ, ଦ୍ୱାରକା ରାମେଶ୍ୱର, ବଦ୍ରିନାଥ, ପ୍ରାକୃତିକଦୃଶ୍ୟପୂର୍ଣ୍ଣ କାଶ୍ମୀର, ଆସାମ, ସିମିଳା ଓ ମାସୌରୀ, କଲିକତା, ବମ୍ବେ, ନୂଆଦିଲ୍ଲୀ, ମାନ୍ଦ୍ରାଜ ଓ ଲକ୍ଷ୍ନୌ ପ୍ରଭୃତି ଆଧୁନିକ ସହର, ଐତିହାସିକ ଦୃଶ୍ୟ ସମ୍ବଳିତ ପୁରୁଣାଦିଲ୍ଲୀ, ଫତେପୁରଶିକ୍ରୀ, ଆଗ୍ରା ଓ ଚିତୋର ତଥା ପୁରାଣପ୍ରସିଦ୍ଧ ଅଯୋଧ୍ୟା, କାଶୀ, ମଥୁରା, ବୃନ୍ଦାବନ ଓ ହରଦ୍ୱାର ପ୍ରଭୃତି ମୋ ମାନସ ପଟରେ ନିତ୍ୟନୂତନ ଅବସ୍ଥାରେ ଚିରଦିନ ରହିଥିବ ।

 

ଏ ପ୍ରସଙ୍ଗରେ ଇଂରେଜ କବି Wordsworthଙ୍କ ରଚିତ କବିତା ‘Daffodils’ ର ଶେଷ ପଂକ୍ତି ମୋର ମନେ ପଡ଼େ ।

 

“And oft, when on my couch I lie,

In vacant or in pensive mood,

They flash upon my in ward eye

Which is the bliss of solitude.”

 

ଏହି ପୁସ୍ତକଟିର ପ୍ରଥମ ସଂସ୍କରଣ ପ୍ରକାଶ ନିମନ୍ତେ ମୋତେ ଶ୍ରୀ ମାୟାଧର ନନ୍ଦ, ପଣ୍ଡିତ ଆନନ୍ଦଚନ୍ଦ୍ର ମିଶ୍ର, ଶ୍ରୀ ଲକ୍ଷ୍ମୀଧର ପଣ୍ଡା, ଶ୍ରୀ ଅକ୍ଷୟକୁମାର ବିଶ୍ୱାଳ, ଶ୍ରୀ ଚୈତନ୍ୟ ମହାନ୍ତି, ଶ୍ରୀ ଦୀନନାଥ ପାଠୀ ମୋତେ ଉତ୍ସାହିତ କରିଥିବାରୁ ମୁଁ ସେମାନଙ୍କ ନିକଟରେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି ।

 

ପୁସ୍ତକଟିର ଏହା ହେଉଛି ଦ୍ୱିତୀୟ ସଂସ୍କରଣ । ଏହି ସଂସ୍କରଣରେ ପ୍ରକାଶକ ପୂର୍ବାପେକ୍ଷା ବହୁ ଅଧିକ ଫଟୋଗ୍ରାଫ୍ ଛପାଇ ଥିବାରୁ ଏହା ପ୍ରଥମ ସଂସ୍କରଣ ଠାରୁ ଯଥେଷ୍ଟ ଆକର୍ଷଣୀୟ ହୋଇପାରିଛି ।

 

ପ୍ରଥମ ସଂସ୍କରଣରେ ପୁସ୍ତକଟିର ନାମ ଥିଲା ‘ଦେଶ-ଭ୍ରମଣ’, ମାତ୍ର ଦ୍ୱିତୀୟ ସଂସ୍କରଣରେ ତାର ନାମକୁ ବଦଳାଇ ଦିଆଯାଇଛି ।

 

ପାଠକ ପାଠିକାମାନେ ଏହି ‘ଭାରତ-ନେପାଳ-ଲଙ୍କା’ ପୁସ୍ତକଟି ପାଠକରି ଆନନ୍ଦ ଉପଭୋଗ କଲେ ମୁଁ ମୋର ଶ୍ରମ ସାର୍ଥକ ହେଲା ବୋଲି ମନେ କରିବି ।

 

ତା ୨୦ । ୭ । ୭୧

ବିନୟାବନତ

ଚଉଦ୍ୱାର

ଶ୍ରୀ ବିଶ୍ୱନାଥ କର

☆☆☆

 

ସୂଚୀପତ୍ର

 

ଭ୍ରମଣକାଳ

ସ୍ଥାନମାନଙ୍କର ନାମ

୧୯୫୫ ମେ-ଜୁନ୍‍:

ମାନ୍ଦ୍ରାଜ

ବମ୍ବେ

ଦିଲ୍ଲୀ

ମଥୁରା-ବୃନ୍ଦାବନ-ଗୋକୁଳ

ଆଗ୍ରା

ଫତେପୁରଶିକ୍ରୀ

ଲକ୍ଷ୍ନୌ

ଅଯୋଧ୍ୟା

ପ୍ରୟାଗ

କାଶୀ

ସାରନାଥ

କଲିକତା

୧୯୫୭ ମେ–ଜୁନ୍ :

ଲଙ୍କା

ଧନୁଷ୍କୋଟୀ

ରାମେଶ୍ୱର

ମଦୁରା

ତ୍ରିଚିନାପଲ୍ଲୀ

ବାଙ୍ଗାଲୋର

ମହୀଶୂର

କାଞ୍ଚିପୁର

୧୯୫୭ ଅକ୍ଟୋବର :

ପଣ୍ଡିଚେରୀ

୧୯୫୮ ମେ–ଜୁନ୍ :

ଭୂସ୍ୱର୍ଗ କାଶ୍ମୀର

ଅମୃତସର

ଭାକ୍ରାବନ୍ଧ

ସିମିଳା

ହରଦ୍ୱାର-ଋଷିକେଶ-ଲକ୍ଷ୍ମମଝୁଲା

ଜୟପୁର

ଅମ୍ବରଦୁର୍ଗ

ଆଜମିର

ପୁଷ୍କର

ଚିତୋରଗଡ଼

ଉଦୟପୁର

ଦ୍ୱାରକା

ଉଜ୍ଜୟିନୀ

ଗୟା

ପାଟନା

୧୯୫୯ ମେ–ଜୁନ୍ :

ନେପାଳ

ଜନକପୁର

ସୀତାମଢ଼ି

ଗୌହାଟି

କାମାକ୍ଷା

ଶିଲଙ୍ଗ

୧୯୬୦ ମେ–ଜୁନ୍ :

ଭୂବୈକୁଣ୍ଠ ବଦ୍ରିନାଥ

ଡେରାଡୁନ୍

ମସୌରୀ

ନବଦ୍ୱୀପଧାମ

 

ଭୁବନେଶ୍ୱର

କୋଣାର୍କ

ପୁରୀ

ଦୂରତ୍ୱ ଓ ଖର୍ଚ୍ଚ ବିବରଣୀ

☆☆☆

 

ମାନ୍ଦ୍ରାଜ (ତାମିଲନାଡ଼ୁ)

 

ତା ୧୬ । ୫ । ୧୯୫୫ ରେ ପ୍ରଥମ ଥର ପାଇଁ ମାନ୍ଦ୍ରାଜ ଯାତ୍ରା । ଭାରତ ଭ୍ରମଣର ପ୍ରଥମ ପର୍ଯ୍ୟାୟ ଏହିଠାରୁ ଆରମ୍ଭ । ମନରେ ନୂଆ ନୂଆ ସ୍ଥାନ ଦର୍ଶନ ଆକାଙ୍‌କ୍ଷା ସଙ୍ଗେ ସଙ୍ଗେ ବିପଦର ଆଶଙ୍କା ସମୁଦ୍ରର ଜୁଆରଭଟ୍ଟା ପରି ଆସୁଥାଏ ଯାଉଥାଏ । ସନ୍ଧ୍ୟା ୬ରେ କଟକ ରେଳଷ୍ଟେସନରେ ପହଞ୍ଚିଲି । ସାଙ୍ଗରେ ଛୋଟିଆ ଗଣ୍ଠିଲିଟିଏ । ସାମାନ୍ୟ କେତେଖଣ୍ଡ ଲୁଗାପଟା । ବେଡ଼ିଂ, ସୁଟକେଶ ପ୍ରଭୃତି କିଛି ନାହିଁ । ଖାଲି ପାନବଟୁଆ ଗୋଟିଏ ହୋଇଥିଲେ ଠିକ୍ ଓଡ଼ିଆର ପରମ୍ପରା ରକ୍ଷା କରା ଯାଇପାରିଥାନ୍ତା । ଯାହା ହେଉ, ସମୟ ଧୀରେ ଧୀରେ ଅତିବାହିତ ହୋଇ ରାତି ୧୦ଟା ହେଲା । ହଠାତ୍ ପ୍ଳାଟଫର୍ମରେ ଶ୍ରୀ ନରସିଂହ ମୂର୍ତ୍ତିଙ୍କ ସଙ୍ଗରେ ଦେଖାହେଲା । ସେ ହେଉଛନ୍ତି ଚଉଦ୍ୱାର କଳିଙ୍ଗ ଟିଉବ୍‌ସ କମ୍ପାନୀର କୋଷାଧ୍ୟକ୍ଷ । ସେ ମୋର ପୂର୍ବ ପରିଚିତ ବନ୍ଧୁ । ସେ ନୂଆ ହୋଇ ଓଡ଼ିଆ ଆସିଥାନ୍ତି ଚାକିରି କରିବାକୁ । ସେ ମୋର ଗନ୍ତବ୍ୟ ସ୍ଥାନ ପଚାରିବାରୁ ମୁଁ କିଛି ସମୟ ନୀରବ ରହିଲି । ଭାରତ-ଭ୍ରମଣରେ ବାହାରିଛି ବୋଲି ପରେ ତାଙ୍କୁ କହିବାରୁ ସେ ହସିଲେ—ବୋଧହୁଏ ବିଶ୍ୱାସ କଲେ ନାହିଁ । ମୋର ବେଡ଼ିଂ, ସୁଟ୍ କେଶ, ଦରକାରି ଲୁଗାପଟା କିଛି ନାହିଁ । ବେଶଭୂଷା, ସାଜସରଞ୍ଜାମ ଦେଖିଲେ ଯେ କେହି ଅନୁମାନ କରିବ ମୁଁ କୌଣସି ବନ୍ଧୁଙ୍କୁ ବଳାଇ ଦେବାପାଇଁ ଷ୍ଟେସନକୁ ଆସିଛି । ଶେଷକୁ ସେ ମୋ କଥା ବିଶ୍ୱାସ କଲେ ଓ ସ୍ୱତଃପ୍ରବୃତ୍ତ ହୋଇ ତାଙ୍କର ଜିନିଷପତ୍ର ବେଡ଼ିଂରେ ବାନ୍ଧି ରାଙ୍କର ହ୍ୟାଣ୍ଡ-ବ୍ୟାଗ୍‌ଟି ମୋତେ ଦେଲେ, ମୁଁ ନାହିଁ କଲି । ଶେଷକୁ ସେ ମୋତେ ବାଧ୍ୟ କଲେ ଓ ଏପରି ଗଣ୍ଠିଲିଟି ଅସୌଜନ୍ୟ ତଥା ଅସୁବିଧାଜନକ ବୋଲି କହି ମୋର ଜିନିଷପତ୍ର ସେଥିରେ ରଖିଲେ । ତାଙ୍କ ସ୍ତ୍ରୀଙ୍କୁ ଆଣିବା ଲାଗି ସେ ଓ୍ୟାଲଟିୟର ଯାଉଥାନ୍ତି । ଦୁହେଁ ମାନ୍ଦ୍ରାଜ ମେଲ୍‌ରେ ବସିଲୁ । ମୋର କେହି ପରିଚିତ ବ୍ୟକ୍ତି ମାନ୍ଦ୍ରାଜ ସହରରେ ଅଛନ୍ତି କି ନାହିଁ ପଚାରିବାର ମୁଁ ନାହିଁ କଲି । ମୁଁ କୌଣସି ହୋଟେଲ୍ ବା ଧର୍ମଶାଳାରେ ରହିବା ପାଇଁ ସ୍ଥିର କରିଛି ବୋଲି ତାଙ୍କୁ ଉତ୍ତର ଦେଲି । ସେ ସଙ୍ଗେ ସଙ୍ଗେ ତାଙ୍କର ସୁପରିଚିତ ବନ୍ଧୁ ଶ୍ରୀ ସୁନ୍ଦରଭାଷ୍ୟମ୍ ନାଇଡ଼ୁଙ୍କ ନିକଟକୁ ମୋ ହାତରେ ଖଣ୍ଡିଏ ପତ୍ର ଦେଲେ ଓ ତାଙ୍କର ଠିକଣା ଲେଖିଦେଲେ । ଯାହାହେଉ ନୂଆ ସ୍ଥାନରେ କୌଣସି ପରିଚିତ ବ୍ୟକ୍ତି ନଥିବା ସ୍ଥଳେ ଏପରି ଏକ ଅପ୍ରତ୍ୟାଶିତ ସାହାଯ୍ୟ ମିଳିବା କଣ କମ୍ ସୌଭାଗ୍ୟର କଥା ! ଭଗବାନଙ୍କୁ ସ୍ମରଣ କରି ପତ୍ରଟି ରଖିଲି । ଏକାକୀ କୌଣସି ନୂଆ ସ୍ଥାନକୁ ଯିବା ଅପେକ୍ଷା କୌଣସି ସ୍ଥାନୀୟ ଭଦ୍ରଲୋକଙ୍କ ସହିତ ସହର-ଭ୍ରମଣ କରିବା ନିରାପଦ ତଥା ଶ୍ରେୟସ୍କର ମନେକଲି ।

 

ପରଦିନ ସକାଳ ୭ଟାରେ ପଲାସା ଷ୍ଟେସନରେ ଜଳଯୋଗ । ଦିନ ୧୨ ଟାରେ ବିଜୟନଗରମ୍‌ଠାରେ ଖାଦ୍ୟପେୟର ବନ୍ଦୋବସ୍ତ ହେଲା । ଦିନ ୩ଟାରେ ଶ୍ରୀ ନରସିଂହ ମୂର୍ତ୍ତି ଓ୍ୱାଲଟିୟରରେ ଓହ୍ଲାଇଗଲେ । ତାଙ୍କୁ ତାଙ୍କର ସ୍ୱତଃପ୍ରବୃତ୍ତ ସାହାଯ୍ୟ ଓ ମୂଲ୍ୟବାନ୍ ଉପଦେଶ ଲାଗି ଧନ୍ୟବାଦ ଅର୍ପଣ କଲି, ମୋ ସହିତ କରମର୍ଦନ କରି ସେ ହସ ହସ ମୁହଁରେ ବିଦାୟ ନେଲେ । ତୃତୀୟ ଦିନ ସକାଳ ୭ଟାରେ ମାନ୍ଦ୍ରାଜ ମେଲ ମାନ୍ଦ୍ରାଜ ସେଣ୍ଟ୍ରାଲ ରେଳଷ୍ଟେସନରେ ଲାଗିଲା । ଶ୍ରୀ ମୂର୍ତ୍ତି ମୋତେ ତାଙ୍କ ବନ୍ଧୁଙ୍କ ଘରର ଠିକଣା ଓ ସେଠାକୁ ଯିବ ଲାଗି ବସ୍ ନମ୍ବର ପ୍ରଭୃତି ଲେଖି ଦେଇଥାନ୍ତି । ମୁଁ ଷ୍ଟେସନରୁ ଆସି ୫-ଏ ବସ୍ ଧରି ଟ୍ରିପ୍ଲିକେନ ବାହାରିଲି । ଟ୍ରିପ୍ଲିକେନ୍ ବସଷ୍ଟାଣ୍ଡରୁ ତାଙ୍କର ଘର ପ୍ରାୟ ୧୦୦ ଗଜ । ହାତଟଣା ରିକ୍‌ସାଟିଏ କରି ୨-କନ୍ଦାପାମୁଦାଲି ଷ୍ଟ୍ରୀଟ୍ ଖୋଜି ଖୋଜି ଶେଷକୁ ସେଠାରେ ପହଞ୍ଚିଲି । ଶ୍ରୀ ସୁନ୍ଦରଭାଷ୍ୟମ୍ ନାଇଡ଼ୁ ଶ୍ରୀ ନରସିଂହ ମୂର୍ତ୍ତିଙ୍କ ପତ୍ରଟି ପାଇ ଖୁବ୍ ଆନନ୍ଦିତ ହେଲେ ଓ ମୋର ରହିବା ଲାଗି ସୁନ୍ଦର କୋଠରୀଟିଏ ବନ୍ଦୋବସ୍ତ କରିଦେଲେ । ମୋର ସ୍ନାନାଦି ସମାପନ ପରେ ମୋତେ କଫି ଯାଚିଲେ । କଫି ଖାଇବା ମୋର ଏହା ପ୍ରଥମ । ତେଣୁ ଭଦ୍ରତା ରକ୍ଷା କରିବା ଲାଗି କପେ କଫି ଖାଇଲି । ଶ୍ରୀ ନାଇଡ଼ୁ ହେଉଛନ୍ତି ଜଣେ ବୈଷ୍ଣବ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ତାଙ୍କର ସାନଭାଇ ଶ୍ରୀ ଏ. ଶ୍ରୀହରି ଓ ତାଙ୍କର ଦୁଇ ପୁତୁରା ଶ୍ରୀ ଏଥିରାଜୁଲୁ ଓ ଶ୍ରୀ ରାଧାକୃଷ୍ଣନ୍‌ଙ୍କ ସହିତ ସେ ମୋର ପରିଚୟ କରାଇ ଦେଲେ । ବେଶ୍ ଆନନ୍ଦରେ ସମୟ କଟିଗଲା ।

 

ମାନ୍ଦ୍ରାଜ ଦକ୍ଷିଣଭାରତର ବୃହତ୍ତମ ନଗର, ଭାରତର ପ୍ରଧାନ ଚାରିଗୋଟି ନଗରନଗରୀ ମଧ୍ୟରୁ ଅନ୍ୟତମ । ବ୍ୟବସାୟ ଦୃଷ୍ଟିରୁ ଏହାର ପ୍ରାଧାନ୍ୟ ଖୁବ୍ ବେଶୀ । ଭାରତର ଏହା ଦ୍ୱିତୀୟ ବୃହତ୍ତମ ବନ୍ଦର (ପ୍ରଥମ-ବମ୍ବେ) । ବାଣିଜ୍ୟ ବ୍ୟବସାୟରେ ଏହା ଭାରତର ତୃତୀୟ ସ୍ଥାନ ଅଧିକାର କରିଅଛି (ପ୍ରଥମ ବମ୍ବେ, ଦ୍ୱିତୀୟ କଲିକତା) । ଏଠାରେ ପ୍ରଧାନ ଭାଷା ତାମିଲ । କଲିକତା ଓ ବମ୍ବେ ପରି ଏଠାରେ ସ୍ଥାନର ସଂକୀର୍ଣ୍ଣତା ନାହିଁ । ଏବେ ସୁଦ୍ଧା ନଗର ମଧ୍ୟରେ ଶହ ଶହ ଏକର ଖୋଲା ପଡ଼ିଆ ପଡ଼ି ରହିଛି । ଭାରତର ଅନ୍ୟାନ୍ୟ ନଗର ତୁଳନାରେ ମନ୍ଦିର ଓ ମଠ ସଂଖ୍ୟା ଏଠାରେ ବେଶୀ ।

 

ଶିକ୍ଷା, ବାଣିଜ୍ୟ ବ୍ୟବସାୟ, ଶିଳ୍ପ ସବୁ ବିଷୟରେ ମାନ୍ଦ୍ରାଜ ଆଗେଇଛି । ଇଂରେଜ ଶାସନକାଳରେ ଏହାର ପ୍ରାଧାନ୍ୟ ଖୁବ୍ ଥିଲା । ଏବେ ସୁଦ୍ଧା ଏହି ନଗରର କେତେକାଂଶରେ ଇଂରେଜମାନେ ବାସ କରି ଅଛନ୍ତି । କେତେକ ଅଞ୍ଚଳରେ ଖ୍ରୀଷ୍ଟିଆନ୍‍ମାନଙ୍କ ସଂଖ୍ୟା ବେଶୀ । ଇଂରେଜ, ଫରାସୀ ଓ ଓଲନ୍ଦାଜ ବଣିକମାନେ ଏଠାକୁ ନୌବାଣିଜ୍ୟ ପାଇଁ ଆସିଥିଲେ ।

 

ମାନ୍ଦ୍ରାଜର ପୂର୍ବ ଇତିହାସ—ଖ୍ରୀ :୧୬୩୯ରେ ଇଂରେଜ ବଣିକ ଫ୍ରା୍‌ନସିସ୍‌ ଡେ (Francis Day) ମାନ୍ଦ୍ରାଜର ଶାସକଙ୍କଠାରୁ ସମୁଦ୍ର ଉପକୂଳରୁ ଖଣ୍ଡିଏ ଅଂଶ ଦଖଲ କଲେ-। ସେଠାରେ ସେ ଦୁର୍ଗ ନିର୍ମାଣ କରି ତାର ନାମ ଦେଲେ “ଫୋର୍ଟ ଜର୍ଜ” ଏବଂ ତା’ ଉପରେ ଇଂରାଜ ଜାତୀୟ ପତାକା ଉଡ଼ାଇଲେ । ସେତେବେଳେ ମାନ୍ଦ୍ରାଜ ଲୋକମାନଙ୍କର ଶିକ୍ଷା, ଶିଳ୍ପ ଓ ଆର୍ଥିକ ଅବସ୍ଥା ବହୁ ନିମ୍ନ ସ୍ତରରେ ଥିଲା । ସେତେବେଳେର ମାନ୍ଦ୍ରାଜ ଆୟତନରେ କ୍ଷୁଦ୍ର ଥିଲା, କିନ୍ତୁ ବର୍ତ୍ତମାନ ସହରର ବିକାଶ ହେତୁ ତାର ଲମ୍ବ ୪୦ ମାଇଲ ଓ ପ୍ରସ୍ଥ ୨୦ ମାଇଲ ପର୍ଯ୍ୟନ୍ତ ହେଲାଣି-। ସମୁଦ୍ରକୂଳର ଶୋଭା ଅତୀବ ଚିତ୍ତାକର୍ଷକ । ମାନ୍ଦ୍ରାଜ ପୋତାଶୟ ନିକଟରେ ଥିବା ବତୀଘର (Light House) ଉପରକୁ ଉଠିଗଲେ ସମସ୍ତ ନଗରର ଶୋଭା ଉପଲବ୍‌ଧି କରିହୁଏ । ଶହ ଶହ ଜାହାଜ ବନ୍ଦରକୁ ଆସୁଥାନ୍ତି ଓ ବନ୍ଦର ଭିତରୁ ବାହାରକୁ ଯାଉଥାନ୍ତି । ଶ୍ରୀ ଏ. ଶ୍ରୀହରି ବନ୍ଦର ଅଫିସରୁ ଦୁଇ ଖଣ୍ଡ ପାସ୍ ଆଣିଲେ, ଆମେ ଦୁହେଁ ଭିତରକୁ ବୁଲିବାକୁ ଗଲୁ । ବଡ଼ ବଡ଼ ଯାତ୍ରୀବାହୀ ଓ ମାଲବାହୀ ଜାହାଜ କୂଳରେ ଲଙ୍ଗର ପକାଇଥାନ୍ତି । ଗୋଟିଏ ବଡ଼ ଜାହାଜ ଭିତରକୁ ଦୁହେଁ ବୁଲିବାକୁ ଗଲୁ । ଜାହାଜର ଇଂଜିନ୍, ବୈଠକ ଘର, ଉପର ମହଲା ପ୍ରଭୃତି ଦେଖି କିଛି ସମୟ ପରେ ଅନ୍ୟଆଡ଼େ ଗଲୁ । ଜାହାଜରୁ ବଡ଼ ବଡ଼ ଇଲେକ୍‌ଟ୍ରିକ୍ କ୍ରେନ୍ ସାହାଯ୍ୟରେ ମାଲ କଢ଼ା ହେଉଥାଏ ଓ ମାଲ୍ ଲଦା ହେଉଥାଏ । ସମୁଦ୍ର କୂଳର ଆକୃତି ବକ୍ରବନ୍ଦ୍ରପରି । ସମୁଦ୍ର କୂଳେ କୂଳେ ସାଧାରଣ ଲୋକମାନଙ୍କ ପାଇଁ ସିମେଣ୍ଟ ଓ କାଠର ଚୌକି ସ୍ଥାନକୁ ସ୍ଥାନ ପଡ଼ିଛି । ରବିବାର ଦିନ ବ୍ୟତୀତ ଚଳନ୍ତା ଡାକଘର (Mobile Post Office)ର ବ୍ୟବସ୍ଥା ଅଛି । ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଗୋଟିଏ ବାସ୍‌ରେ ଚଳନ୍ତା ପୋଷ୍ଟ ଅଫିସ୍ ସମୁଦ୍ର କୂଳେ କୂଳେ ଯାଏ-। ଏଥିରେ ଚିଠି ପକାଇବା, କାର୍ଡ଼ ଓ ଲଫାଫା କିଣିବା, ରେଜିଷ୍ଟ୍ରେସନ୍ କରିବା, ମନିଅର୍ଡ଼ର କରିବା ପ୍ରଭୃତି ସେହି ସମୟ ମଧ୍ୟରେ କରାଯାଏ । ନାବିକମାନଙ୍କର ମାଛଧରା ଓ ସନ୍ତରଣକାରୀଙ୍କର ସମୁଦ୍ର ସନ୍ତରଣ ସାଧାରଣ ଦର୍ଶକଙ୍କୁ ଆନନ୍ଦିତ କରେ । ଏହି ପୋତାଶ୍ରୟଟି କୃତ୍ରିମ । ପୂର୍ବେ ଜାହାଜଗୁଡ଼ିକ ବହୁ ଦୂରରେ ଆଶ୍ରୟ ନେଉଥିଲେ ଓ ଛୋଟ ଛୋଟ ଡଙ୍ଗା ସାହାଯ୍ୟରେ ମାଲପତ୍ର ନବା ଆଣିବା କରାଯାଉଥିଲା । ମାତ୍ର ସାର୍ ଫ୍ରାନ୍‌ସିସ୍ ସ୍ପ୍ରିଙ୍ଗ ଏସବୁ ଅସୁବିଧାକୁ ଦୂର କରିବା ଉଦ୍ଦେଶ୍ୟରେ ବ୍ରିଟିଶ୍ ବାଣିଜ୍ୟ ପରିଷଦ ପକ୍ଷର ଏହା ନିର୍ମାଣ କଲେ । ଏଠାରୁ ଜାହାଜ ଯାତ୍ରୀମାନଙ୍କ ନେଇ ରେଙ୍ଗୁନ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ପ୍ରଭୃତି ସ୍ଥାନମାନଙ୍କୁ ଯାଏ । ବର୍ତ୍ତମାନ ଏହି ବନ୍ଦରର କ୍ଷେତ୍ରଫଳ ଦୁଇ ଶହ ଏକର । ଏହାର ଗଭୀରତା ୩୭ ଫୁଟ । ନିକଟରେ ରେଡ଼ିଓ ଷ୍ଟେସନ ଓ ପୋଲିସ୍ ଅଫିସ । କୁଇନ୍ ମେରୀ କଲେଜ୍ ଓ ଲେଡ଼ି ଉଇଲିଂଡନ୍ ଟ୍ରେନିଂ କଲେଜ ପ୍ରଭୃତି ବିଭିନ୍ନ ଅନୁଷ୍ଠାନ ଏହାର ନିକଟରେ ଅବସ୍ଥିତ ।

 

ଟ୍ରିପ୍ଲିକେନ୍ : —ଏ ସ୍ଥାନଟି ଷ୍ଟେସନ୍ ଠାରୁ ୫ ମାଇଲ୍ । ଏହା ପାର୍ଥସାରଥି ମନ୍ଦିର ପାଇଁ ବିଖ୍ୟାତ । ଏହା ଏକ ବିଷ୍ଣୁମନ୍ଦିର, ଶହ ଶହ ବୈଷ୍ଣବ ଏଠାକୁ ଉପାସନା କରିବା ଲାଗି ଆଗି ଆସନ୍ତି । ମନ୍ଦିରଟି ଖୁବ୍‍ ଉଚ୍ଚ ଓ ଏହାର ମଣ୍ଡପଟି ଖୁବ୍ ବଡ଼ । ଏଠାରେ ମଧ୍ୟାହ୍ନ ସମୟରେ ସମସ୍ତ ଦର୍ଶକଙ୍କୁ ପ୍ରସାଦ ବିତରଣ କରାଯାଏ । ମନ୍ଦିରର ସୁନ୍ଦର ମୂର୍ତ୍ତି ଓ ସୁନାର ବିଭିନ୍ନ ବେଶଭୂଷା ଚିତ୍ତାକର୍ଷକ । ଏଠାରେ ଥିବା ସିନେଟ ହାଉସ୍ ନକ୍‌ସା କରିଥିଲେ ମି.କ୍ରିଶଶୋଲ୍‌ମ । ଖ୍ରୀ: ୧୮୭୯ରେ ଏହାର ନିର୍ମାଣ ଶେଷ ହେଲା । ଏହି ଦ୍ୱିତଳ ପ୍ରାସାଦର ନାନାବିଧ କାରୁକାର୍ଯ୍ୟ ଓ ଚିତ୍ରାବଳୀ ସଂରକ୍ଷିତ । ମାନ୍ଦ୍ରାଜର ବିଶିଷ୍ଟ ଲୋକମାନଙ୍କର ପ୍ରତିକୃତିମାନ ଏଠାରେ ରଖାଯାଇଛି ।

 

ବିଶ୍ୱ ବିଦ୍ୟାଳୟ :—ଏହାର ଆୟତନ ସାଧାରଣ ଧରଣର । ପ୍ରାସାଦଟି ସେପରି କିଛି ଚିତ୍ତାକର୍ଷକ ନୁହେଁ । ମାନ୍ଦ୍ରାଜର କୁଳପତି ଓ ଭାରତର ବିଖ୍ୟାତ ଶିକ୍ଷାବିତ୍ ଶ୍ରୀ ଏ. ଏଲ୍. ମୁଦାଲିଆରଙ୍କର ବିରାଟ ପ୍ରତିକୃତି ଏଠାରେ ଅଛି । ଏହାର ପାଠାଗାରରେ ଏକ ଲକ୍ଷ ପୁସ୍ତକ ସଂରକ୍ଷିତ । ଏସ୍‌ପ୍ଳାନେଡ଼ର୍ ପୂର୍ବ ଦିଗକୁ ହାଇକୋର୍ଟ ଅବସ୍ଥିତ । ସମୁଦ୍ରକୂଳରେ ଏହା ଅବସ୍ଥିର ଥିବାରୁ ଏହାର ଦୃଶ୍ୟ ରମଣୀୟ । ଏହି ଅଟ୍ଟାଳିକାର ଏକ ଅଂଶରେ ୧୬୦ ଫୁଟ ଉଚ୍ଚ ବତୀଘର ନିର୍ମିତ । ଏହାର କିଛି ଦୂରରେ ଆଇନ କଲେଜ । ଏହାର ପ୍ରବେଶ ପଥରେ ଦୁଇଟି ବଡ଼ ଗମ୍ଭୁଜ ଦେଖାଯାଏ ।

 

ଏସ୍‌ପ୍ଲାନେଡ୍:—ଏ ହେଉଛି ମାନ୍ଦ୍ରାଜ ନଗରର ଜନାକୀର୍ଣ୍ଣ ସ୍ଥଳ । ବ୍ୟବସାୟର ଏହା ପ୍ରଧାନ କେନ୍ଦ୍ର । ଦ୍ୱିତଳ ଓ ତ୍ରିତଳ ପ୍ରାସାଦରେ ସ୍ଥାନଟି ପରିପୂର୍ଣ୍ଣ । ବହୁ ଚଳଚିତ୍ର ଗୃହ, ବଡ଼ ବଡ଼ ଦୋକାନ, ବିଭିନ୍ନ କାର୍ଯ୍ୟାଳୟ, ବିଦେଶୀୟ କାରଖାନା, ବ୍ୟାଙ୍କ, ଇନ୍‌ସୁରାନ୍‌ସ କମ୍ପାନୀ ପ୍ରଭୃତି ଏଠାରେ ଦେଖାଯାଏ ।

 

ରାଜଭବନ :—ମାନ୍ଦ୍ରାଜର ତଦାନୀନ୍ତନ ଶାସକ ଲର୍ଡ଼ କ୍ଲାଇବ୍ ଏହାର ସଂଯୋଜକ । ଏହାର ନିର୍ମାଣ ଲାଗି ପାଞ୍ଚ ଲକ୍ଷ ପଚାଶ ହଜାର ମୁଦ୍ରା ବ୍ୟୟିତ ହୋଇଥିଲା । ଫରାସୀର ପ୍ରସିଦ୍ଧ ଯୋଦ୍ଧା କାଉଣ୍ଟ ଡି ଲାଲି ଯୁଦ୍ଧରେ ହାରିଯାଇ ଏଠାରେ ବନ୍ଦୀ ଥିଲେ । ଖ୍ରୀ ୧୯୪୭ ରେ ଏହା ସର୍ବସାଧାରଣଙ୍କର ପ୍ରବେଶଯୋଗ୍ୟ ହେଲା । ଏହାର ସର୍ବୋତ୍କୃଷ୍ଟ ଅଂଶର ନାମ ରାଜାଜୀ ହଲ୍ । ଏଠାରେ ସାଧାରଣ ସଭାମାନ ଅନୁଷ୍ଠିତ ହୁଏ । ଏହି ହଲ୍‌ର ଦୁଇ ପାଖରେ ପୂର୍ବତନ ଶାସକଗୋଷ୍ଠୀର ପ୍ରତିକୃତି ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଗୁଡ଼ିକ ଏଠାରେ ରଖାଯାଇଥିବା ଦୁଃଖର ବିଷୟ । ସ୍ୱାଧୀନ ଭାରତରେ ବିଦେଶୀ ଶାସକଗୋଷ୍ଠୀର ପ୍ରତିକୃତିକୁ ନଷ୍ଟ କରିଦିଆଯିବା ଉଚିତ୍ । ଏମାନଙ୍କ ସ୍ଥାନରେ ଭାରତର ପ୍ରଧାନ ନେତା, ଦେଶପ୍ରେମୀ, ସାହିତ୍ୟିକ, କବି, ଭକ୍ତ ଓ ଶହୀଦ ପ୍ରଭୃତିଙ୍କ ପ୍ରତିକୃତି ରଖାଯିବା ବିଧେୟ ।

 

କନବେରା ସାଧାରଣ ପାଠାଗାର :— ଏଇଟି ନଗରର ବୃହତ୍ତମ ପାଠାଗାର । ଏଠାରେ ଏକ ଲକ୍ଷରୁ ଅଧିକ ପୁସ୍ତକ ଅଛି । ପ୍ରତ୍ୟେକ ଶହ ଶହ ପାଠକ ଏଠାକୁ ପୁସ୍ତକ ଅଧ୍ୟୟନ କରିବା ଲାଗି ଆସନ୍ତି । ଇଂରାଜୀ, ତାମିଲ, ତେଲୁଗୁ, ହିନ୍ଦୀ, ଜର୍ମାନୀ ପ୍ରଭୃତି ବିଭିନ୍ନ ଭାଷାର ଓ ଦର୍ଶନ, ଇତିହାସ, ସାହିତ୍ୟ, ବିଜ୍ଞାନ, ପ୍ରକୃତି ବିଜ୍ଞାନ, କଳା, ଗଣିତ ପ୍ରଭୃତି ବିଭିନ୍ନ ବିଷୟର ଅମୂଲ୍ୟ ପୁସ୍ତକମାନ ଏଥିରେ ସୁରକ୍ଷିତ ।

 

ଯାଦୁଘର :—ଖ୍ରୀ: ୧୮୫୧ରେ ମାନ୍ଦ୍ରାଜର ଲିଟରାରୀ ସୋସାଇଟି ମାନ୍ଦ୍ରାଜ ସରକାରଙ୍କୁ ଏହାର ଦାୟିତ୍ୱ ଅର୍ପଣ କଲେ । ଏହାର ଚତୁର୍ଦ୍ଦିଗରେ ଘଞ୍ଚ ବଟବୃକ୍ଷଶ୍ରେଣୀ ଦର୍ଶକଙ୍କୁ ଏକ ପବିତ୍ର ଆଶ୍ରମର ଆଭାସ ଦିଏ । ସମ୍ମୁଖରେ ପ୍ରାଚୀନ ତୋପ, ମେସିନ୍‍ଗନ ପ୍ରଭୃତି ରଖାଯାଇଛି । ଏଠାରେ ପ୍ରାଚୀନ ମୁଦ୍ରା, ଲୁହାର ଯୁଦ୍ଧ ସାଜସରଞ୍ଜାମ, ପିତଳମୂର୍ତ୍ତି, ମାନ୍ଦ୍ରାଜର ପୂର୍ବତନ ଶିଳ୍ପ, ସ୍ଥାପତ୍ୟ ଓ ବିଭିନ୍ନ ଜିଲ୍ଲାର କେତେକ ଦୁର୍ଲଭ ପଦାର୍ଥ ଦେଖିବାକୁ ମିଳେ । ତଳମହଲାରେ ପ୍ରାଗୈତିହାସିକ ପଦାର୍ଥମାନ ସଂରକ୍ଷିତ । ଉପରେ ଧାତୁଯୁଗର ପଦାର୍ଥମାନ ଓ ମହେଞ୍ଜୋଦାରୋ ପ୍ରଭୃତି ସ୍ଥାନର ବିଭିନ୍ନ ପ୍ରାଚୀନ ପଦାର୍ଥ ଦେଖିବାକୁ ମିଳେ ।

 

ପ୍ରାକୃତିକ ଇତିହାସ (Natural History) ତଥା ପ୍ରାଣୀ ବିଜ୍ଞାନସଂରକ୍ଷଣ ଗ୍ୟାଲେରୀମାନ ପାଖାପାଖି ଅବସ୍ଥିତ । ଦକ୍ଷିଣ ଭାରତର କାରୁକାର୍ଯ୍ୟ, ପ୍ରସ୍ତରକାମ ପ୍ରଭୃତିର ଏହା ଏକ ରକ୍ଷଣାଗାର । ଏଥିରେ ସଂରକ୍ଷିତ ନଟରାଜଙ୍କ ପିତ୍ତଳମୂର୍ତ୍ତିର ସୁକ୍ଷ୍ମ କାରୁକାର୍ଯ୍ୟ ଚମତ୍କାର । ଏହି ଯାଦୁଘରର ଚାରିଆଡ଼େ ବହୁତ ଖୋଲାପଡ଼ିଆ । ଭାରତର କୌଣସି ସହରରେ ଏତେ ଖୋଲା ସ୍ଥାନ ଦେଖାଯାଏ ନାହିଁ । ଏଣୁ ମାନ୍ଦ୍ରାଜର ଅନ୍ୟ ନାମ City of Distances । କେତେକ ଅଂଶ ଛାଡ଼ିଦେଲେ ସହରଟି ପ୍ରାୟ ଜନାକୀର୍ଣ୍ଣ ନୁହେଁ । କୋଡ଼ମ୍ବକମରେ ଅଞ୍ଚଳରେ ବହୁତ ସିନେମା ଷ୍ଟୁଡ଼ିଓ ଅଛି । ଏହା ଏକ ମଫସଲ ଅଞ୍ଚଳ ପରି ଦେଖାଯାଏ । କୋଡ଼ମ୍ବକମ୍ ରେ ବାସ କରୁଥିବା ତାମିଲ ଅଭିନେତା ଶ୍ରୀ ନାଗେଶ୍ୱର ରାଓଙ୍କ ଘରକୁ ଶ୍ରୀ ସୁନ୍ଦରଭାଷ୍ୟଙ୍କ ପୁତୁରା ଶ୍ରୀ ଏଥିରାଜୁଲୁଙ୍କ ସହିତ ଯାଇଥିଲି । ବାଟରେ ବହୁ ସିନେମା ଅଭିନେତା ଓ ଅଭିନେତ୍ରୀ ଷ୍ଟୁଡ଼ିଓକୁ ଯାଉଥିବାର ଦେଖିଲି ।

 

ଚିଡ଼ିଆଖାନା:—ଏହା ପିପୁଲ୍‌ସ ପାର୍କ (People’s Park) ରେ ଅବସ୍ଥିତ । କଲିକତା କିମ୍ବା ଆହ୍ଲାବାଦର ତୁଳନାରେ ଏହାର ବିଶେଷତ୍ୱ କିଛି ନାହିଁ କହିଲେ ଚଳେ । ତେବେ ଏହାର ମଧ୍ୟଭାଗରେ ଏକ ସୁନ୍ଦର ପୁଷ୍କରିଣୀ ଅଛି । ମଝିରେ କାଠର ପୋଲ । ଚାରିଆଡ଼େ ପଦ୍ମକଇଁଫୁଲରେ ପୋଖରୀଟି ହସି ଉଠୁଛି । ହଂସ, ବତକ, ଓ ପାଣିକୁଆ ଦଳ ଦଳ ହୋଇ ପହଁରୁଥାନ୍ତି । କିଛି ଦୂରରେ ମୁର୍ ମାର୍କେଟ୍ । ଚାରିଆଡ଼େ ସୁନ୍ଦର ସୁନ୍ଦର ପୁଷ୍ପୋଦ୍ୟାନ । ଏହାର ଆକାର ଓ ଆୟତନ ତୁଳନାରେ ଦର୍ଶକ ବହୁ କମ୍ ପରିମାଣରେ ଆସନ୍ତି । ସନ୍ଧ୍ୟାବେଳେ ଅଫିସ୍‍ ଓ କଳକାରଖାନାର ଶ୍ରାନ୍ତକ୍ଲାନ୍ତ କର୍ମଚାରିଗଣ ଚିତ୍ତବିନୋଦନ ନିମିତ୍ତ ଏଠାକୁ ଆସନ୍ତି । ତେଣୁ ସନ୍ଧ୍ୟାକାଳୀନ ଦୃଶ୍ୟ ଅତି ମନୋହର । ସେତେବେଳର ଜନଗହଳି, ପୁଷ୍କରିଣୀରେ ହସଂ, ବତକ ପ୍ରଭୃତି ପକ୍ଷୀମାନଙ୍କର କଳକାକଳୀ, ଉଦ୍ୟାନସ୍ଥ ଘଞ୍ଚ ବୃକ୍ଷମାନଙ୍କରେ ବସିଥିବା ପକ୍ଷୀମାନଙ୍କର ମଧୁର କୂଜନ ଓ ପଶୁମାନଙ୍କର ଗର୍ଜ୍ଜନର ସମ୍ମିଶ୍ରଣରେ ଏଠାରେ ଏକ ଅପୂର୍ବ ଧ୍ୱନିର ସୃଷ୍ଟି ହୁଏ ।

 

ଷ୍ଟୁଡ଼ିଓ : —ଶ୍ରୀ ଏଥିରାଜୁଲୁଙ୍କ ସହିତ ଜେମିନୀ ଷ୍ଟୁଡ଼ିଓ ଦେଖିବାକୁ ଗଲି । ଏହା ନଗରର ମଧ୍ୟ ଭାଗରେ ଅବସ୍ଥିତ । ଶ୍ରୀ ଏଥିରାଜୁଲୁଙ୍କ ବହୁ ପରିଚିତ ବନ୍ଧୁ ଏଠାରେ କାର୍ଯ୍ୟ କରନ୍ତି । ସୁଂଟି ଦେଖିବା ପାଇଁ ସେ ମୋ ଲାଗି ଗୋଟିଏ ପାସ୍ ଆଣିଲେ; କିନ୍ତୁ ତାମିଲି ଚିତ୍ର ଥିବାରୁ ମୁଁ ଗଲି ନାହିଁ । ଷ୍ଟୁଡ଼ିଓର କେତେକାଂଶ ଦେଖି ଫେରିଲି । ମାନ୍ଦ୍ରାଜରେ ବହୁତ ଷ୍ଟୁଡ଼ିଓ ଅଛି । ଚଳଚିତ୍ର ଉତ୍ପାଦନରେ ଏହା ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । (ପ୍ରଥମ-ବମ୍ବେ) ।

 

ଜଳଜନ୍ତୁ ସଂରକ୍ଷଣାଗାର :–ଏହା ଟ୍ରିପ୍ଳିକେନ୍‍ର ନିକଟସ୍ଥ ସମୁଦ୍ରକୂଳରେ ଅବସ୍ଥିତ । ବମ୍ବେ ଜଳଜନ୍ତୁ ସଂରକ୍ଷଣାଗାର ତୁଳନାରେ ଏହା କିଛି ନୁହେଁ । ତଥାପି ଏଠାରେ ବିଭିନ୍ନ ପ୍ରକାରର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ସମୁଦ୍ରପୋକ ଦେଖିବାକୁ ମିଳେ ।

 

ଇଞ୍ଜିନିୟରିଂ ଇନ୍‌ଷ୍ଟିଚିଉଟ୍ :–ଏହା ମାନ୍ଦ୍ରାଜର ଅନ୍ୟ ରେଳଷ୍ଟେସନ ଇଗ୍‌ମୋର ପାଖରେ । ଷ୍ଟେସନରୁ ମାତ୍ର ୨ ଫର୍‌ଲଙ୍ଗ ବ୍ୟବଧ୍ୟାନ ହେବ । ଏଠାରେ A.M.I.E. କ୍ଲାସ ଅଛି । ବହୁତ ଓଡ଼ିଆ ଛାତ୍ର ଏଠାରେ ପାଠ ପଢ଼ନ୍ତି । ଏଠାକାର ଓଡ଼ିଆ ଛାତ୍ର ଶ୍ରୀ ବିଷ୍ଣୁ ପ୍ରସାଦ ଚୌଧୁରୀ ମୋତେ ଅନୁଷ୍ଠାନଟି ଦେଖିବାକୁ ଅନୁରୋଧ କରିଥିଲେ । ମାନ୍ଦ୍ରାଜର ଦକ୍ଷିଣ ଦିଗକୁ ଯିବାପାଇଁ ସମସ୍ତ ଟ୍ରେନ୍‌ ଏହି ଇଗ୍‌ମୋର ଷ୍ଟେସନରୁ ବାହାରେ ।

 

ମାନ୍ଦ୍ରାଜ ଯିବା ନିମନ୍ତେ ମୋର ତିନିଥର ସୁଯୋଗ ଏ ପର୍ଯ୍ୟନ୍ତ ଜୁଟିଛି । ପ୍ରଥମ ଥର “ଭାରତ-ଭ୍ରମଣ” କଲାବେଳେ, ଦ୍ୱିତୀୟ ଥର ଲଙ୍କା ଗଲା ସମୟରେ ଓ ତୃତୀୟ ଥର ପଣ୍ଡିଚେରୀ ଗଲାବେଳେ । ସିଂହଳ ଯିବାଲାଗି ପ୍ରବେଶପତ୍ର ବା Visa ଏଠାରେ ସିଂହଳୀୟ ବୈଦଶିକ କାର୍ଯ୍ୟାଳୟରୁ ମିଳେ । ମାନ୍ଦ୍ରାଜ ନାଗରିକମାନଙ୍କ ବ୍ୟବହାର ଖୁବ୍ ଉଚ୍ଚକୋଟୀରୁ । ସେମାନେ “Plain living high thinking”ର ଏକାନ୍ତ ଅନୁଗତ । ଏମାନେ ସୁଶିକ୍ଷିତ, ନମ୍ର, ସାଧୁ ଧର୍ମଭୀରୁ, ବିଳାସବ୍ୟସନହୀନ, ନିଷ୍କପଟ ଓ ଈଶ୍ୱର ବିଶ୍ୱାସୀ ।

☆☆☆

 

ବମ୍ବେ

 

ମାନ୍ଦ୍ରାଜ ବୁଲିସାରି ସନ୍ଧ୍ୟା ୮।୩୦ ରେ ମାନ୍ଦ୍ରାଜ ସେଣ୍ଟ୍ରାଲ ଷ୍ଟେସନକୁ ବାବାରିଲି । ମାନ୍ଦ୍ରାଜ ଅବସ୍ଥାନ ସମୟରେ ଶ୍ରୀ ସୁନ୍ଦର ଭାଷ୍ୟମ୍ ନାଇଡ଼ୁଙ୍କ ଘରେ ଥିଲି । ତାଙ୍କର ପରିବାରବର୍ଗ ଓ ସେ ମୋତେ ଆନନ୍ଦରେ ବିଦାୟ ଦେଲେ । ତୃତୀୟ ଦିନ ସକାଳ ୬ରେ ବମ୍ବେ ଭିକ୍ଟୋରିଆ ଟରମିନସ୍ ରେଳଷ୍ଟେସନରେ ପହଞ୍ଚିଲି । ମାନ୍ଦ୍ରାଜରୁ ଏହାର ଦୂରତା ୭୯୪ ମାଇଲ୍ । ବମ୍ବେରେ ବହୁତ ଓଡ଼ିଆ ବାସ କରନ୍ତି । ଷ୍ଟେସନର ଅନତି ଦୂରରେ ଶିପ୍ ହୋଟେଲ । ଏହି ହୋଟେଲର ମ୍ୟାନେଜର ଜଣେ ଓଡ଼ିଆ । ପଞ୍ଚତଳ ପ୍ରାସାଦର ୩ୟ ମହଲାରେ ଏହି ହୋଟେଲ । ଏହାର ଦ୍ୱାରଦେଶରେ ଓଡ଼ିଆରେ ‘ସ୍ୱାଗତମ୍’ ଲିଖିତ । ଏଠାରେ ରହିବା ଓ ଖାଇବା ପାଇଁ ଦିନକୁ ୭ଟଙ୍କା ପଡ଼େ । ବମ୍ବେର ଅନ୍ୟ ହୋଟେଲ ତୁଳନାରେ ଏଠାରେ ଦରଦାମ କମ୍‍ । ସ୍ନାନାଦି ନିତ୍ୟକର୍ମ ପରେ ସେଠାରେ ରହିଥିବା ଅନ୍ୟ ଏକ ଓଡ଼ିଆ ଭଦ୍ରଲୋକଙ୍କଠାରୁ ବମ୍ବେର ସମସ୍ତ ଦର୍ଶନୀୟ ସ୍ଥାନ ଓ ସେଠାକୁ ଯିବା ନିମିତ୍ତ ବସ୍ ଓ ଟ୍ରାମ୍ ନମ୍ବର ପ୍ରଭୃତି ସଂଗ୍ରହ କଲି । କିନ୍ତୁ ହଠାତ୍ ମନେପଡ଼ିଲା ମୋର ବନ୍ଧୁ ଶ୍ରୀ ସୁରେନ୍ଦ୍ର କୁମାର ଦେବତାଙ୍କ କଥା । ସେ ହେଉଛନ୍ତି କଟକ ଚୈଧୁରୀ ବଜାରର ବ୍ୟବସାୟୀ । ତାଙ୍କ ସାଙ୍ଗରେ ମୋର ବମ୍ବେ ଯିବାର କଥା ଥିଲା । ବମ୍ବେର ବିଖ୍ୟାତ ଶେଠ ଜବାହର ମଲ ବାଲମଚାନ୍ଦଙ୍କ ସହ ବ୍ୟବସାୟ ସୂତ୍ରରେ ତାଙ୍କର ବହୁ ଘନିଷ୍ଠତା ଅଛି ଓ ସେ ହେଉଛନ୍ତି ତାଙ୍କର ଏଜେଣ୍ଟ । ମୋର ବମ୍ବେରେ ୨।୪ ଦିନ ରହିବା ପାଇଁ ସେ ତାଙ୍କ ସହ ବନ୍ଦୋବସ୍ତ କରିଥିଲେ । ତେଣୁ ମୁଁ ଶିପ୍ ହୋଟେଲ ଛାଡ଼ି ଟାକ୍‌ସିଟିଏ କରି ଚାଲିଲି ତାଙ୍କ ପାଖକୁ ନଂ ୨୦. ଜାଭେରୀ ବିଲ୍ ଡ଼ିଂ, ପ୍ରିନ୍‌ସେସ୍ ଷ୍ଟ୍ରୀଟ୍–ବମ୍ବେ ୨ । ଏହି ଜାଭେରି ବିଲଡ଼ିଂଟି ସାତ ମହଲା-। ପଞ୍ଚମ ମହଲାରେ ଶେଠ ବାଲମଚାନ୍ଦଙ୍କ କାର୍ଯ୍ୟଳୟ ଓ ବାସଭବନ । ମୋର ପରିଚୟ ପାଇ ସେ ହସ ହସ ମୁଖରେ ମୋତେ ସମସ୍ତ ବିଷୟ ପଚାରିଲେ ଏବଂ ମୋର ରହିବାର ସୁବନ୍ଦୋବସ୍ତ କରିଦେଲେ । ଜଣେ କୋଟିପତି ଏପରି ସରଳ, ନିରାଡ଼ମ୍ବର, ଅତିଥିପରାୟଣ ତଥା ମିଷ୍ଟଭାଷୀହେବା ବିରଳ । ସେଠାରୁ ବମ୍ବେର ସମସ୍ତ ଦର୍ଶନୀୟ ସ୍ଥାନର ତାଲିକା ଓ ବସ୍, ଟ୍ରାମ୍‌ର ନମ୍ବର ନେଇ ବମ୍ବେ ବୁଲିବା ପାଇଁ ସଂକଳ୍ପ କଲି ।

 

ବମ୍ବେ ଭାରତର ସର୍ବୋତ୍କୃଷ୍ଟ ନଗରୀ । କଲିକତା ଭାରତର ପ୍ରଥମ ନଗରୀ ବୋଲି ଘୋଷିତ ହୋଇଛି କେବଳ ବିଶାଳ ଆୟତନ ଯୋଗୁଁ । ମାତ୍ର ବମ୍ବେର ଅନୁପମ ଶୋଭା, ନଭଶ୍ଚୁମ୍ବୀ ଅଟ୍ଟାଳିକାଚୟ, ପ୍ରଶସ୍ତ ରାଜପଥ, ନାତିଶୀତୋଷ୍ଣ ଜଳବାୟୁ ଦର୍ଶକକୁ ଏକ ନବୀନ ଭାବରାଜ୍ୟରେ ପହଞ୍ଚାଇ ଦିଏ । ଏହାର ତୁଳନାରେ କଲିକତା ନିତାନ୍ତ ହେୟ ମନେହୁଏ । ଆରବ ସାଗରକୂଳରେ ଏହି ନଗରୀଟି ଚତୁର୍ଥୀଚନ୍ଦ୍ରାକୃତି ଭୂଖଣ୍ଡରେ ଅବସ୍ଥିତ । ରୂପସୀ ନାୟିକାର କମନୀୟ ଅଙ୍ଗଭଙ୍ଗୀ ମୁକୁରରେ ପ୍ରତିବିମ୍ବତ ହେଲାଭଳି ଆଲୋକମାଳା ଆଭୂଷଣ ପରିହିତା ବମ୍ବେନଗରୀର ଅପରୂପ ସୌନ୍ଦର୍ଯ୍ୟ ଆରବସାଗରର ନୀଳଜଳରେ ପ୍ରତିବିମ୍ବିତ ହୁଏ । ଏହାର ମାଦକତା କେବଳ କବି, ଭାବୁକ ଓ ପ୍ରକୃତି ଉପାସକମାନେ ହିଁ ଉପଲବଧି କରିପାରିବେ । ଏହାର ସୁନ୍ଦର ଓ ସ୍ୱାସ୍ଥ୍ୟପ୍ରଦ ଜଳବାୟୁ ହେତୁ ଏବେ ସୁଦ୍ଧା ବହୁ ଶ୍ୱେତାଙ୍ଗ ଏଠାରେ ବାସ କରନ୍ତି । ଆଧୁନିକ ସଭ୍ୟତାର ଶୀର୍ଷ ଦେଶରେ ଉପନୀତ ହୋଇ ସୁଦ୍ଧା ଏଠାର ହିନ୍ଦୁ ନାଗରିକ ତଥା ମହିଳା ସମାଜ ବେଶ୍ ଭଦ୍ର ଓ ଧର୍ମପ୍ରାଣ । ଭାରତର ଏହା ସମୃଦ୍ଧି ଶାଳୀ ନଗରୀ । ଏହି ନଗରୀଟି ଲମ୍ବାୟତନ ବିଶିଷ୍ଟ । ଭାରତର ଏହା ସର୍ବଶ୍ରେଷ୍ଠ ବାଣିଜ୍ୟକେନ୍ଦ୍ର । ଏଠାରେ ଗୁରୁରାଟୀ, ମହାରାଷ୍ଟ୍ରୀ ଓ ପାରସୀ ବ୍ୟବସାୟୀମାନେ ବାସ କରନ୍ତି । ଏମାନେ ଖୁବ୍ ଧନୀ । ଏଠାରେ ଧନିକ ସଂଖ୍ୟା ଶତକଡ଼ା ୮୦ । ଏଠାରେ ଅଧିକାଂଶ ରେଶମ ପୋଷାକ ପିନ୍ଧନ୍ତି ଓ ଖୁବ୍ ବିଳାସବ୍ୟସନରେ ରହନ୍ତି । ଭାରତର ସମୃଦ୍ଧିଶାଳୀ ପ୍ରଦେଶ ବମ୍ବେ, କିନ୍ତୁ ଦରିଦ୍ରତମ ପ୍ରଦେଶ ଆମରି ଓଡ଼ିଶା ।

 

ଝୁଲାବଗିଚା— ଏହି ଉଦ୍ୟାନଟି ମେରାଇନ୍ ଡ୍ରାଇଭର୍ ନିକଟରେ ମାଲବାର ହିଲ୍ ଉପରେ ଅବସ୍ଥିତ । ସାର୍ ଫିରୋଜସାହା ମେହେଟାଙ୍କ ନାମାନୁସାରେ ଏହାର ଅନ୍ୟ ନାମ ‘ଫିରୋଜସାହା ବଗିଚା’ । ପାଦଦେଶରୁ ଏହାର ଉଚ୍ଚତା ପ୍ରାୟ ଦେଢ଼ମାଇଲ୍ । ଉପରକୁ ଯିବା ପାଇଁ ସର୍ପିଳଗତିଶୀଳ ରାସ୍ତାରେ ସୁନ୍ଦର ସୁନ୍ଦର ପାହାଚ ଅଛି । ଏହାର ଶିଖ୍‍ର ଦେଶରେ ପହଞ୍ଚିଲେ ସମସ୍ତ ବମ୍ବେ ନଗରୀରେ ସୌନ୍ଦର୍ଯ୍ୟ ଉପଲବ୍‌ଧି କରିହୁଏ । ନିମ୍ନରେ ସୁବିସ୍ତୃତ ରାଜପଥ ଶହ ଶହ ମୋଟର, ବାସ୍‌ର ଯିବା ଆସିବା ଶବ୍ଦ, ଜନତାର କୋଳାହଳ—ଉପରେ ସୁନୀଳ ଆକାଶ, ସମ୍ମୁଖରେ ଶହ ଶହ ମୋଟର ଲାଞ୍ଚ ଓ ଜାହାଜର ସମୁଦ୍ରଯାତ୍ରା ଏବଂ ସମୁଦ୍ରଗର୍ଭରୁ କୂଳକୁ ପ୍ରତ୍ୟାଗମନ —ପ୍ରତୀତ ହେଉଥାଏ ସତେ ଯେପରି ଏକ ସ୍ପପ୍ନରାଜ୍ୟ । ବମ୍ବେ ସହରର ଆକୃତି ଅର୍ଦ୍ଧଚନ୍ଦ୍ର ତୁଲ୍ୟ ହୋଇଥିବାରୁ ରାତ୍ରିରେ ଏହାର ଆଲୋକମାଳା ସୁନ୍ଦରୀ ନାୟିକାର ରତ୍ନହାର ପ୍ରତୀତ ହୁଏ । ଚାରିଆଡ଼େ ବିଭିନ୍ନ ପୁଷ୍ପୋଦ୍ୟାନ । କୋମଳ ତୃଣାଚ୍ଛାଦିତ ପ୍ରାନ୍ତରଟିରେ ନୀଳଗାଲିଚା ପଡ଼ିଲା ପରି ମନେହୁଏ । ଦର୍ଶକମାନଙ୍କ ପାଇଁ ସୁନ୍ଦର ସିମେଣ୍ଟ ଚୌକି ସଜ୍ଜିତ ହୋଇଛି । ଲତାମାନଙ୍କୁ କଙ୍ଗାରୁ, ହାତୀ ପ୍ରଭୃତି ବିଭିନ୍ନ ପଶୁମାନଙ୍କ ଆକୃତି ପରି କରାଯାଇଛି । ସୁବାସିତ ତଥା ସୁଦୃଶ୍ୟ ପୁଷ୍ପରାଶିରେ ଉଦ୍ୟାନଟି ହସି ଉଠୁଥାଏ । ସାନ୍ଧ୍ୟକାଳରେ ହଜାର ହଜାର ଦର୍ଶକ ଏଠାରେ ସମବେତ ହୋଇ ଉଦ୍ୟାନଟିର ଶୋଭାକୁ ଦ୍ୱିଗୁଣିତ କରିଦିଅନ୍ତି । ଏସବୁ ନବାଗତ ଦର୍ଶକକୁ ମନ୍ତ୍ରମୁଗ୍‌ଧ କରିଦିଅନ୍ତି । ଏପରି ସୁନ୍ଦର ଓ ସୁସଜ୍ଜିତ ପୁଷ୍ପୋଦ୍ୟାନ ମୁଁ ପ୍ରଥମ ଥର ପାଇଁ ଦେଖି ଆତ୍ମବିସ୍ମୃତ ହେଲି । ଅବଶ୍ୟ ପରେ ମହୀଶୂରର ବୃନ୍ଦାବନ ଗାର୍ଡ଼ନ ଦେଖିବାପରେ ବମ୍ବେର ଏହି ଝୁଲାବଗିଚା (Hanging, garden) ର ଧାରଣା ମୋ ମନରୁ ଦୂର ହୋଇଗଲା । ଭିକ୍‌ଟୋରିଆ ଉଦ୍ୟାନ ବମ୍ବେର ମଧ୍ୟସ୍ଥଳରେ ଅବସ୍ଥିତ । ଏହା ଖ୍ରୀ: ୧୮୬୧ ରେ ସ୍ଥାପିତ । ମନୋରମ ଫୁଲପଟାଳିମାନଙ୍କର ସମାବେଶରେ ଏହା ହସି ଉଠେ । ଏହାର ମଧ୍ୟରେ ବମ୍ବେର କ୍ଷୁଦ୍ର ଧରଣର ଚିଡ଼ିଆଖାନା । କଲିକତାର ଚିଡ଼ିଆଖାନା ତୁଳନାରେ ଏହା ନଗଣ୍ୟ । ଉଦ୍ୟାନର ଆୟତନ ତୁଳନାରେ ବିଭିନ୍ନ ବୃକ୍ଷଲତାମାନଙ୍କର ସଂରକ୍ଷଣ ପ୍ରଣାଳୀ, ପ୍ରଶଂସନୀୟ । ଯାଦୁଘର ଭିକ୍‌ଟୋରିଆ ଗାର୍ଡ଼ନର ଅନତି ଦୂରରେ ଅବସ୍ଥିତ । ଏହାର ନାମ ଆଲବର୍ଟ ମିଉଜିୟମ୍ । ସାମନାରେ ଏକ ବିରାଟ ହାତୀମୂର୍ତ୍ତି । ଏହା ଏଲିଫାଣ୍ଟ ଗୁମ୍ଫାରୁ ଆନୀତ । ଯାଦୁଘର ମଧ୍ୟରେ ନୂତନତ୍ୱ କିଛି ନାହିଁ । କେବଳ ପ୍ରାଚୀନ ମୁଦ୍ରା, କାଷ୍ଠପିତଳର ବିଭିନ୍ନ ପ୍ରତିମୂର୍ତ୍ତି ବ୍ୟତୀତ ଅନ୍ୟ ଦୁର୍ଲଭ ପଦାର୍ଥ କିଛି ଦେଖାଯାଏ ନାହିଁ ।

 

କ୍ରାଫୋର୍ଡ଼ ମାର୍କେଟ୍:–ବମ୍ବେର ଅନ୍ୟତମ ଜନାକୀର୍ଣ୍ଣ ସ୍ଥାନ । ହର୍ଣ୍ଣବାଇ ରୋଡ଼୍ ଓ କରନାକ୍ ରୋଡ଼ର ମିଳନ ସ୍ଥାନରେ ଏହା ଅବସ୍ଥିତ । ଫଳ, ପନିପରିବା, ମାଛ, ମାଂସ, ଫୁଲ ପ୍ରଭୃତି ବହୁ ପରିମାଣରେ ଏଠାରେ ବିକ୍ରୟ ହୁଏ । ଭିକ୍ଟୋରିଆ ଟରମିନ୍‌ସ ସେଣ୍ଟ୍ରାଲ ରେଲଓୟେର ପ୍ରଧାନ ସ୍ଥାନ । ଏଠାରୁ ରେଳଗାଡ଼ି ଭାରତର ପ୍ରତ୍ୟେକ ସ୍ଥାନକୁ ଯାତାୟାତ କରେ । ଷ୍ଟେସନର ଦୃଶ୍ୟ ମନୋହର । ହାଉଡ଼ା, ମାନ୍ଦ୍ରାଜ ପ୍ରଭୃତି ରେଳଷ୍ଟେସନଠାରୁ ଏହା ଉନ୍ନତ । ଏହାର ନିକଟରେ ବମ୍ବେ ମ୍ୟୁନିସିପାଲ କରପୋରେସନ୍ ଅଫିସର ଲାଲରଙ୍ଗର ବିରାଟ ଅଟ୍ଟାଳିକା । ମିଣ୍ଟ୍‌ର ଅପର ପାର୍ଶ୍ୱରେ ଟାଉନ୍ ହଲ୍ ଅବସ୍ଥିତ । ପ୍ରାସାଦଟି ଆଧୁନିକ ନକ୍‌ସାରେ ତିଆରି । ଏହାର ନିକଟରେ ରିଜର୍ଭବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସ । ବ୍ରିଟିଶ୍ ଶିଳ୍ପୀ କାଣ୍ଟେଙ୍କ ନିର୍ମିତ ବହୁ ରାଜକୀୟ ମୂର୍ତ୍ତି ଏଠାରେ ଦେଖିବାକୁ ମିଳେ । ମଧ୍ୟଭାଗରେ ଏକ କ୍ଷୁଦ୍ର ଉଦ୍ୟାନ—“ହର୍ଣ୍ଣମାନ ଗାର୍ଡ଼ନ” । ଚର୍ଚ୍ଚ ଗେଟ୍‌ର ଅଳ୍ପ ଦୂରରେ ଫ୍ଲୋରା ଫାଉଣ୍ଟେନ୍, ମାହାତ୍ମାଗାନ୍ଧୀ ରୋଡ଼୍, ବର୍ଣ୍ଣବାଇ ରୋଡ଼୍ ଓ ଚର୍ଚ୍ଚ ଗେଟ୍‌ ଛକ—ଏହି ୩ଟି ରାସ୍ତାର ମିଳନସ୍ଥଳରେ ଏହା ଅବସ୍ଥିତ । ଏଠାଇ ଅଭ୍ରଂକଶ ଅଟ୍ଟାଳିକା ଶ୍ରେଣୀ ଚିତ୍ତାକର୍ଷକ । ନଗରୀର ଏହା ବିଶିଷ୍ଟ ଅଂଶ । ଏଠାରେ ବିଶ୍ୱବିଦ୍ୟାଳୟ, ସେକ୍ରେଟେରୀଏଟ୍ ଓ ବିଖ୍ୟାତ ଭାରତ ପ୍ରବେଶ ପଥ (Gate way of India) ଅବସ୍ଥିତ । ହାଇକୋର୍ଟ ଏହାର ନିକଟରେ । ହାଇକୋର୍ଟଟି ଖ୍ରୀ: ୧୮୭୯ ରେ ନିର୍ମିତ । ନ୍ୟାୟ ଓ ଦୟାର ପ୍ରତୀକ ଦୁଇଟି ସୁନ୍ଦର ମୂର୍ତ୍ତି ହାଇକୋର୍ଟ ଉପରେ ଶୋଭାପାଉଛି । ଭାରତର ଭାଗ୍ୟବିଧାତା ପଞ୍ଚମଜର୍ଜ ଏଠାରେ ପ୍ରଥମଥର ପାଇଁ ଭାରତ ଭୂମି ସ୍ପର୍ଶ କରିଥିଲେ ।

 

ଗେଟ୍ ଉଏ ଅଫ ଇଣ୍ଡିଆ :— ସମ୍ରାଟ ପଞ୍ଚମଜର୍ଜ ଓ ସାମ୍ରାଜ୍ଞୀ ମେରୀ ଏହିଠାରେ ଜାହାଜରୁ ଅବତାରଣ କରି ଭାରତ ଭୂମିରେ ପାଦ ଦେଇଥିଲେ । ତାଙ୍କର ସ୍ମୃତିରକ୍ଷା ପାଇଁ ଏକ ସୁନ୍ଦର ଦ୍ୱାରଦେଶ ଏଠାରେ ତିଆରି । ଏହା ଅତି ଉଚ୍ଚ ଓ ବିରାଟ । ଇଂରାଜୀ ସ୍ଥାପତ୍ୟଶିଳ୍ପୀ ଡ୍ୱିଟେଟ୍ ଏହାର ନକ୍‌ସାକାର । ଷୋଡ଼ଶ ଶତାବ୍ଦୀର ଗୁଜୁରାଟୀ ଶିଳ୍ପର ଅନୁକରଣରେ ଏହା ନିର୍ମିତ ବୋଲି କେହି କେହି ମତ ଦିଅନ୍ତ ।

 

ସମ୍ମୁଖରେ ଆରବ ସାଗର । କୂଳେ କୂଳେ ବହୁତ ଲଞ୍ଚଘାଟ । ସୁନ୍ଦର ସୁନ୍ଦର ପାହାଚ ଘାଟର ଶୋଭାକୁ ଦ୍ୱିଗୁଣିତ କରୁଥାଏ । ଶହ ଶହ ମୋଟର ଲଞ୍ଚ, ଆହୁଲାମରା ଲଞ୍ଚ ଏଠାରେ ଥାଏ-। ସାୟଂକାଳୀନ ସମୁଦ୍ରର ଶୋଭା ଉପଭୋଗ କରିବା ନିମିତ୍ତ କୋଳାହଳମୟ ନଗରୀରୁ ଜହାର ଜହାର ନାଗରିକ ତଥା ପରିଦର୍ଶକ ଏଠାରେ ସମବେତ ହୁଅନ୍ତି । ଆହୁଲାମରା ଲଞ୍ଚରେ ସମୁଦ୍ର ଭିତରକୁ ବୁଲିଯିବା ପାଇଁ ଚାରିଅଣା ଓ ମୋଟର ଲଞ୍ଚରେ ବୁଲିଗଲେ ଆଠଅଣା ଟିକଟ ପଡ଼େ-। ଏ ସୁଯୋଗ ଛାଡ଼େ କିଏ ? ଆଠଅଣା ଟିକେଟ୍ କରି ମୋଟର ଲଞ୍ଚରେ ୫ ।୬ ମାଇଲ୍ ବୁଲି ଆସିଲି । ଆଉ ୨୦।୨୫ ଜଣ ମୋର ସହଯାତ୍ରୀ ହେଲେ । ଜୀବନରେ ପ୍ରଥମ ଥର ପାଇଁ ସମୁଦ୍ରରେ ଜଳଯାତ୍ରାର ସୁଯୋଗ ପାଇଥାଏ । ତରଙ୍ଗମାଳାରେ ଲଞ୍ଚ ଏପଟ ସେପଟ ଦୋଦୁଲ୍ୟମାନ ହେଲା ଭଳି ବିସ୍ମୟ ଓ ଭୟରେ ମୋର ହୃଦୟ ଉଦ୍‌ବେଳିତ ହେଉଥାଏ । ୨।୩ ମାଇଲ୍ ଗଲାପରେ ସମୁଦ୍ର ମଧ୍ୟରେ କ୍ଷୁଦ୍ର କ୍ଷୁଦ୍ର ଭୂଖଣ୍ଡ ଓ ବହୁତ ବଡ଼ ଜାହାଜ ଲଙ୍ଗଳ ପକାଇ ରହିଥିବାର ଦେଖିଲି-। ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତାଭ ରଶ୍ମିର ଦର୍ଶନ ମାତ୍ରେ ମୋର ହୃଦୟରେ ଭାବପ୍ରଣତାର ଉଦ୍ରେକ ସଙ୍ଗେ ସଙ୍ଗେ ସନ୍ଧ୍ୟାର କ୍ଷୀଣ କୃଷ୍ଣରେଖାର ସଂଦର୍ଶନରେ ମୃତ୍ୟୁର କରାଳ ବିଭୀଷିକାର ଆଶଙ୍କା ଏକାଧାରରେ ମୋତେ ବିଚଳିତ କରି ପକାଉଥାନ୍ତି । ପ୍ରାୟ ଘଣ୍ଟାଏ ପରେ ଲଞ୍ଚ କୂଳରେ ଲାଗିଲା-। ହଜାର ହଜାର ନାଗରିକଙ୍କର କୋଳାହଳରେ ସମୁଦ୍ରକୂଳ ଉଛୁଳି ଉଠୁଥାଏ । ସେମାନଙ୍କର ମୂଲ୍ୟବାନ୍ ପରିଚ୍ଛଦ, କମନୀୟ ଆକୃତି, ମିଷ୍ଟାଳାପ, ଭଦ୍ରୋଚିତ ବ୍ୟବହାର ମୋତେ ଖୁବ୍ ଭଲ ଲାଗିଲା । ଗୁଜୁରାଟୀ ଓ ପାର୍ସି ମହିଳାମନଙ୍କର ଅପରୂପ ସୌନ୍ଦର୍ଯ୍ୟ, ସୁଗଠିତ ସ୍ୱାସ୍ଥ୍ୟବାନ୍ ବାଳକବାଳିକାମାନଙ୍କର ଖେଳ କୌତୁକ, ସୁନ୍ଦରୀ ମହିଳାମାନଙ୍କର କବରୀ ଫୁଲର ମହକ ଓ ସୁଗନ୍ଧିତୈଳର ସୁବାସରେ ସ୍ଥାନଟି ମହକି ଉଠୁଥାଏ । ଏମାନଙ୍କ ତୁଳନାରେ ଓଡ଼ିଶାର ଅର୍ଦ୍ଧବୁଭୁଷୁ, ଦୀନ ଦରିଦ୍ର, ରୁଗ୍‌ଣ ନରନାରୀଙ୍କର ସ୍ଥାନ କାହିଁ । ଆମ ଓଡ଼ିଶାରେ ଅଭାବ, ଅନାଟନ, ମହାମାରୀ ଯୋଗୁଁ ବସନ୍ତ ପୂର୍ବରୁ ଗ୍ରୀଷ୍ମ ଆସେ-ଯୌବନ ପୂର୍ବରୁ ଅକାଳ ବାର୍ଦ୍ଧକ୍ୟ ଆସେ । ରମଣୀମାନେ କୋଡ଼ିଏ ବର୍ଷ ନ ପୁରୁଣୁ ବାର୍ଦ୍ଧକ୍ୟଗ୍ରସ୍ତା ହୁଅନ୍ତି, ହାୟରେ ହତଭାଗା ଓଡ଼ିଆ ଜାତି !

 

ତାଜମହଲ ହୋଟେଲ୍:—ଏହା ଗେଟ୍‌ଓଏ ଅଫ୍ ଇଣ୍ଡିଆରୁ ୨୦।୨୫ ଗଜ ଦୂରରେ ଅବସ୍ଥିତ ଏକ ଉଚ୍ଚ ପ୍ରାସାଦ । ଏଠାରେ ଅନ୍ୟୁନ ୩୦୦ଟି କୋଠରୀ ଅଛି । ଏହା ୫ ମହଲା । ପୃଥିବୀର ସମସ୍ତ ଦେଶର ଆହାର ଓ ଉପାହାର ଏଠାରେ ମିଳେ । ଏହା ଭାରତର ସର୍ବଶ୍ରେଷ୍ଠ ହୋଟେଲ୍ । ଅବଶ୍ୟ ଏବେ ନିଉ ଦିଲ୍ଲୀରେ ‘ଅଶୋକା ହୋଟେଲ୍’ ନିର୍ମିତ ହୋଇଛି । ତଥାପି ତାଜମହଲର ଖ୍ୟାତି ଭାରତର ଅନ୍ୟତ୍ର ଦେଖାଯାଏ ନାହିଁ । ଏଠାରେ ୩୦୦ ଟି କୋଠରୀ ମଧ୍ୟରୁ କେତେକ ଶୀତତାପନିୟତ୍ରିତ (Air-conditioned) । ବମ୍ବେ ଭାରତର ପ୍ରବେଶପଥ ହୋଇଥିବାରୁ ଏଠାକୁ ଶହଶହ ବିଦେଶୀ ଯାତ୍ରୀ ଆସି ଏଠାରେ ଅବସ୍ଥାନ କରନ୍ତି ।

 

କ୍ଷୁଦ୍ର ଜଳଜନ୍ତୁ ସଂରକ୍ଷଣାଗାର :–ଏହା ସମୁଦ୍ର କୂଳରେ ଅବସ୍ଥିତ । ଏଠାରେ ବହୁ ପ୍ରକାର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଜଳଉଦ୍ଭିଦ, ଗେଣ୍ଡା, ଶାମୁକା, ପ୍ରଭୃତି ସଂରକ୍ଷିତ । ଭାରତର ଏହା ସର୍ବବୃହତ୍ ଜଳଜନ୍ତୁ ସଂରକ୍ଷଣାଗାର । ଦୁଇଅଣା ଟିକେଟ୍ କରି ଏହା ଭିତରକୁ ଗଲି । ଏତେ ପ୍ରକାରର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ସାଙ୍କୁଶ, ମଗର ଓ ଗେଣ୍ଡା ପ୍ରଭୃତି ଏଥିପୂର୍ବରୁ ଦେଖି ନ ଥିଲି ।

 

ବମ୍ବେ ନଗରୀ ସିନେମା ଷ୍ଟୁଡ଼ିଓ ଓ ଚିତ୍ରତାରକାମାନଙ୍କ ଯୋଗୁଁ ପ୍ରାଧାନ୍ୟ ଲାଭ କରିଛି । ମେହେବୁବ୍ ଷ୍ଟୁଡ଼ିଓ ଏବଂ ସେଣ୍ଟ୍ରାଲ ଷ୍ଟୁଡ଼ିଓ ପ୍ରଭୃତି ବହୁତ ଷ୍ଟୁଡ଼ିଓ ଦେଖିଲା ପରେ ମୋର ପ୍ରିୟ କଳାକାର ଦିଲୀପ୍ କୁମାର ସହିତ ସାକ୍ଷାତ କରିବା ଲାଗି ବହୁ ପ୍ରୟାସ କଲି । ମାତ୍ର ଦିଲୀପକୁମାର ସୁଟିଂ ଉଦ୍ଦେଶ୍ୟରେ ବାହାରକୁ ଚାଲି ଯାଇଥିବାରୁ ଦେଖା ନପାଇ ହତାଶରେ ଫେରି ଆସିଲି । ହୁଏତ ଅନ୍ୟ କଳାକାରମାନଙ୍କ ସହିତ ସାକ୍ଷାତ ହେଲା । କିନ୍ତୁ ଦରଦୀ ଅଭିନେତା ଦିଲୀପକୁମାରକୁ ଦେଖିବାର ସୁଯୋଗ ନପାଇ ଦୁଃଖ ପ୍ରକାଶ କଲି । ସମୟର ଅଭାବ ଯୋଗୁଁ ମୁଁ ବମ୍ବେରେ ବେଶୀ ଦିନ ରହିପାରିଲି ନାହିଁ ।

☆☆☆

 

ଦିଲ୍ଲୀ

 

ବମ୍ବେରେ ୩ ଦିନ ରହିବା ପରେ ଦିଲ୍ଲୀ ଯାତ୍ରା କଲି । ବମ୍ବେଠାରୁ ଏହାର ଦୂରତା ୯୫୭ ମାଇଲ୍ । ତୃତୀୟ ଦିନ ସକାଳେ ନିଉ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଲି । ପ୍ରଥମେ ଷ୍ଟେସନରୁ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ବାସଭବନକୁ ଗଲି । ସେତେବେଳେ ସେ ୨୬ ପୃଥ୍ୱୀରାଜ ରୋଡ଼ରେ ରହୁଥାନ୍ତି । ସେଠାରେ ପହଞ୍ଚିଲା ପରେ ତାଙ୍କର ପୁତ୍ର ଶ୍ରୀମାନ ଶୋଭନ କାନୁନ୍‌ଗୋ ମୋତେ ଆଦରର ସହିତ ଘର ଭିତରକୁ ନେଇଗଲେ ଓ ମନ୍ତ୍ରି ମହୋଦୟଙ୍କ ସହିତ ପରିଚୟ କରାଇଦେଲେ । ମୁଁ ମନ୍ତ୍ରି ମହୋଦୟଙ୍କୁ ମୋର ପୁସ୍ତକମାନ ଉପହାର ଦେଲି । ତାଙ୍କର ଆଦର, ଅଭ୍ୟର୍ଥନା, ମିଷ୍ଟାଳାପ ପ୍ରଭୃତି ମୁଁ କେବେହେଲେ ଭୁଲିପାରିବି ନାହିଁ । ସ୍ନାନାଦି ନିତ୍ୟକର୍ମ ପରେ ଦିନ ୧୦ଟା ସମୟରେ ମନ୍ତ୍ରି ମହୋଦୟଙ୍କ ସଙ୍ଗରେ ସେକ୍ରେଟେରୀଏଟ୍ ବୁଲିବାକୁ ଗଲି । ସେକ୍ରେଟରୀଏଟ୍ ବୁଲି ଦେଖିବା ପରେ ଆଖପାଖ ଅନ୍ୟ ଅଫିସ୍ ପ୍ରଭୃତି ଦେଖିବାର ସୁଯୋଗ ମିଳିଲା । ରାଷ୍ଟ୍ରପତି ଭବନ ଏବଂ ପାର୍ଲାମେଣ୍ଟ ଭବନ ପ୍ରଭୃତି ବୁଲି ପୁଣି ଉପରଓଳି ତାଙ୍କ ବାସଭବନରେ ପହଞ୍ଚିଲି । ପରଦିନ ଶୋଭନ ବାବୁ ମୋତେ ନିଉ ଦିଲ୍ଲୀ ଓ ପୁରୁଣା ଦିଲ୍ଲୀର ସମସ୍ତ ଦର୍ଶନୀୟ ସ୍ଥାନ ବୁଲିବା ବନ୍ଦୋବସ୍ତ କରିଦେଲେ ।

 

ରାଷ୍ଟ୍ରପତି ଭବନ :–ଖ୍ରୀ.୧୯୩୦ ରେ ଏହି ଭବନ ସମ୍ପୂର୍ଣ୍ଣ ରୂପେ ନିର୍ମିତ ହେଲା । ଏହା ଏକ ବିରାଟ ସୌଧ ଓ ଏଥିରେ ଶତାଧିକ କୋଠରୀ ଅଛି । ଭାରତର ବଡ଼ଲାଟ୍ ପୂର୍ବେ ଏଠାରେ ରହୁଥିଲେ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ଏଠାରେ ଅବସ୍ଥାନ କରୁଅଛନ୍ତି । ଏହି ଅଫିସ୍‌ର ସାଜସଜା ଅପୂର୍ବ । ଦ୍ୱାରଦେଶରେ ଘୋଡ଼ସବାର ପୋଲିସ ସବୁବେଳେ ମୁତୟନ ରହିଥାନ୍ତି । ଏହା ମଧ୍ୟରେ ବିଭିନ୍ନ ବିଷୟର ଆଲୋଚନା ପାଇଁ ବିଭିନ୍ନ ଧରଣର ଆନୁଷ୍ଠାନିକ ଗୃହମାନ ସୁସଜ୍ଜିତ ହୋଇ ରହିଛି-

 

ସେକ୍ରେଟରୀଏଟ୍ :–ନୂଆଦିଲ୍ଲୀର ଏକ ବିଶାଳ ସୌଧ । ଏହା ଖ୍ରୀ. ୧୯୧୪ରେ ନିର୍ମିତ ହୋଇଥିଲା । ବିଖ୍ୟାତ ଆର୍ଚିଟେକ୍ଟ ସାର୍ ହର୍ବଟ୍ ବେକର ଏହାର ନକ୍‌ସା କରିଥିଲେ । ଖ୍ରୀ. ୧୯୩୦ ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଲା । ଏହାର ନିର୍ମାଣ ଲାଗି ପ୍ରାୟ ୨ କୋଟି ମୁଦ୍ରା ବ୍ୟୟିତ ହୋଇଥିଲା । ଏହା ଉତ୍ତର ଓ ଦକ୍ଷିଣ ଏହିପରି ଦୁଇଭାଗ (block)ରେ ବିଭକ୍ତ । ପ୍ରତ୍ୟେକ ଭାଗରେ ୨୧୫ ଫୁଟ୍ ଉଚ୍ଚର ଗୋଟିଏ ଲେଖା ଗମ୍ଭୁଜ ଶୋଭିତ । ଭାରତର ପ୍ରତ୍ୟେକ ପ୍ରଦେଶର ଲୋକମାନେ ଏଠାରେ ନିଯୁକ୍ତ । ଏହା ଏକ ଆନ୍ତର୍ଜାତୀୟ ଅନୁଷ୍ଠାନ । ଭାରତର ପ୍ରତ୍ୟେକ ପ୍ରଦେଶର ଆୟବ୍ୟୟ, ଅଭାବ ଅସୁବିଧା ଓ ଭଲମନ୍ଦ ବିଚାର ଏଠାରେ ହୁଏ । ଭାରତର ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ।

 

ପାର୍ଲାମେଣ୍ଟ୍ ଭବନ:–ସେକ୍ରେଟରୀଏଟରୁ ଏହା ଅଳ୍ପ ଦୂର । ଭିତରକୁ ଯିବାକୁ ହେଲେ ପ୍ରବେଶପତ୍ର ଦରକାର । ଓଡ଼ିଶା ଆସେମ୍ବ୍ଲିର ପୂର୍ବତନ ସେକ୍ରେଟାରୀ ଶ୍ରୀ ପ୍ରଫୁଲ୍ଲଚନ୍ଦ୍ର ପଟ୍ଟନାୟକ ପାର୍ଲାମେଣ୍ଟର ଆସିଷ୍ଟାଣ୍ଟ ସେକ୍ରେଟାରୀ । ତାଙ୍କପାଖକୁ ଟେଲିଫୋନ୍ କରି ଜଣାଇବାରୁ ସେ ମୋର ଅନୁମତି ପତ୍ର କରାଇଦେଲେ । ଉପରକୁ ଯିବାଲାଗି ଲିଫ୍‌ଟର ବନ୍ଦୋବସ୍ତ । ଏହି ପାର୍ଲାମେଣ୍ଟ ଭବନର ଅପରପାର୍ଶ୍ୱ ସୁପ୍ରିମକୋର୍ଟ । ଚାରିଆଡ଼େ ସୁନ୍ଦର ଫୁଲବଗିଚା ।

 

ଆକାଶବାଣୀ ଭବନ :–ପାର୍ଲାମେଣ୍ଟରୁ କିଛିଦୂର ଗଲେ ଆକାଶବାଣୀଭବନ । ଏଠାରୁ ଭାରତର ପ୍ରତ୍ୟେକ ରେଡ଼ିଓ ଷ୍ଟେସନକୁ ରିଲେ ଯୋଗେ ବାର୍ତ୍ତାମାନ ସରବରାହ କରାଯାଏ । ଏହା ଲାଲ ପଥରରେ ତିଆରି । ଏଠାରେ ଥିବା ଓଡ଼ିଆ ବିଭାଗର ଶ୍ରୀ ଉପେନ୍ଦ୍ର ମିଶ୍ରଙ୍କ ସହିତ ମୋର ବାର୍ତ୍ତାଳାପ ହେଲା । ଭାରତର ପ୍ରତ୍ୟେକ ଭାଷାର ଭିନ୍ନ ଭିନ୍ନ ବିଭାଗ (unit) ସୁଚାରୁରୂପେ ଏଠାରେ ପରିଚାଳିତ ହୁଏ । ଏହି କାର୍ଯ୍ୟାଳୟରେ ଭାତରର ବିଭିନ୍ନ ପ୍ରାନ୍ତରୁ ଆସି ବହୁ କର୍ମଚାରୀ କାର୍ଯ୍ୟ କରନ୍ତି । ଏହିଠାରୁ ସମଗ୍ର ପୃଥିବୀକୁ ଖବର ଓ ଉଚ୍ଚାଙ୍ଗ ସଙ୍ଗୀତମାନ ପରିବେଷଣ କରାଯାଏ ।

 

ଜନ୍ତରମନ୍ତର:–ଖ୍ରୀ. ୧୨୨୪ ରେ ଅମ୍ବରଦୁର୍ଗର ମହାରାଜା ଏହାକୁ ନିର୍ମାଣ କରାଇଥିଲେ । ଏହା ଭାରତର ପ୍ରାଚୀନତମ ବେଧଶାଳା (observatory) । ଗ୍ରହନକ୍ଷତ୍ରମାନଙ୍କର ଆକାଶ ମାର୍ଗରେ ଗତି ଓ ସୂର୍ଯ୍ୟଚନ୍ଦ୍ରଙ୍କର ଆହ୍ନିକ ଓ ବାର୍ଷିକ ଗତି ଜାଣିବା ପାଇଁ ଏଠାରେ ବିଭିନ୍ନରକମର ରେଖାଯୁକ୍ତ ପ୍ରସ୍ତର ଦେଖାଯାଏ । ଏହାର ଭୂମି ୧୪୦ ଫୁଟ, ସମାନ୍ତରାଳ ଉଚ୍ଚତା ୮୬ ଫୁଟ୍ ୯ ଇଞ୍ଚ ଓ ବକ୍ରଭାଗର ଉଚ୍ଚତା ୧୧୮ ଫୁଟ । ଏବେ ଏହାର ମରାମତି ଜୟପୁରର ମହାରାଜା କରାଇଛନ୍ତି । ଉପରକୁ ଯିବାକୁ ପାହାଚ ଅଛି । ପ୍ରତ୍ୟେକ ଭାଗର ଜ୍ୟାମିତିକ ଲେଖାମାନ ସ୍ପଷ୍ଟ ଜଣାପଡ଼େ । ଏବେ ସୁଦ୍ଧା ଭାରତର ତଥା ପୃଥିବୀର ଅନ୍ୟାନ୍ୟ ଦେଶର ଜ୍ୟୋତିର୍ବିଦ୍ ମାନେ ଏଠାକୁ ଗ୍ରହନକ୍ଷତ୍ରର ଗତିପଥ ଗଣନା କରିବାକୁ ଆସନ୍ତି ।

 

ବିରଳା ମନ୍ଦିର :–ଏହା ପୁରୁଣା ଦିଲ୍ଲୀରେ ଅବସ୍ଥିତ । ଶଙ୍ଖ ମଲମଲ ପଥରରେ ଏହା ତିଆରି । ଏହାର ସୌନ୍ଦର୍ଯ୍ୟ ଅନୁପମ ଓ ଭାରତର ଏହା ଏକ ଦର୍ଶନୀୟସ୍ଥାନ । ବିଭିନ୍ନ ରଙ୍ଗର ଶଙ୍ଖ ମଲମଲ ପଥରର କାନ୍ଥ, ଉଚ୍ଚତା, ନିଖୁଣ ପ୍ରତିମୂର୍ତ୍ତି ବେଶ୍ ମନୋହର । ତିନିଗୋଟି ମନ୍ଦିର ପରସ୍ପରକୁ ଲାଗି ନିର୍ମିତ । ଅଗଣାଗୁଡ଼ିକ ମଧ୍ୟ ସୁନ୍ଦର ଶଙ୍ଖ ମଲମଲ ପଥରର । ମଧ୍ୟ ମନ୍ଦିରର ଲକ୍ଷ୍ମୀନାରାୟଣଙ୍କର କମନୀୟ ମୂର୍ତ୍ତି ଏକାନ୍ତ ମର୍ମସ୍ପର୍ଶୀ ।

 

ଗାନ୍ଧୀ ସମାଧି :–ଯମୁନା କୂଳରେ ଅବସ୍ଥିତ । ଏହା ଭାରତର ଅନ୍ୟତମ ରାଷ୍ଟ୍ରୀୟ ତୀର୍ଥ-। ଜାତିର ଜନକ ବାପୁଜୀଙ୍କ ଏହି ସମାଧିକୁ ଦେଖିବା ପାଇଁ ବହୁଲୋକ ଦେଶ ବିଦେଶରୁ ଆସନ୍ତି-। ଭାରତ ବାହାରୁ ଆସୁଥିବା ବିଭିନ୍ନ ନେତା ଓ ଜନନାୟକମାନେ ଏଠାରେ ଭକ୍ତିସହକାରେ ପୁଷ୍ପମାଲ୍ୟ ଅର୍ପଣ କରନ୍ତି । ଚାରିଆଡ଼େ ସୁନ୍ଦର ଫୁଲବଗିଚାର ଶୋଭା ଅତୁଳନୀୟ-। ଟିକିଏ ଦୂରରେ ନୀଳାମ୍ବୁ ଯମୁନା ।

 

କୁତବ ମିନାର :–ନୂଆଦିଲ୍ଲୀଠାରୁ ଏହାର ଦୂରତା ୧୨ ମାଇଲ୍ । ଏକ ବିଶାଳାୟତନ ସବୁଜ ପ୍ରାନ୍ତର ମଧ୍ୟରେ ଏହା ଅବସ୍ଥିତ ଥିବାରୁ ଆହୁରି ସୁନ୍ଦର ଦେଖାଯାଏ । ଏହାର ଉଚ୍ଚତା ୧୯୮ ଫୁଟ ଓ ଶୀର୍ଷ ଦେଶକୁ ଯିବାଲାଗି ୩୭୯ଟି ପାହାଚ ଅଛି । ଭାରତର ଶେଷ ସ୍ୱାଧୀନ ସମ୍ରାଟ୍ ପୃଥ୍ୱୀରାଜ ତାଙ୍କର ପ୍ରିୟତମା ପତ୍ନୀ ସଂଯୁକ୍ତାଙ୍କୁ ପ୍ରତିଦିନ ଯମୁନାର ପ୍ରାତଃକାଳୀନ ଓ ସାୟଂକାଳୀନ ଶୋଭା ଦର୍ଶନ କରାଇବା ନିମିତ୍ତ ଏହାକୁ ନିର୍ମାଣ କରିଥିଲେ । ତାଙ୍କର ମୃତ୍ୟୁପରେ ଭାରତରେ ଦାସବଂଶ ପ୍ରତିଷ୍ଠିତ ହେଲା ଓ କୁତବୁଦ୍ଦିନ ଆଇବାକ୍ ଖ୍ରୀ.୧୨୦୦ରେ ଏହାକୁ ସାମାନ୍ୟ ଟିକିଏ ମରାମତି କରିଦେଇ ତାଙ୍କର ନାମାନୁସାରେ ଏହାର ନାମ ଦେଲେ ‘କୁତବ ମିନାର’ । ସଙ୍ଗରେ କେହି ନ ଥିଲେ ପ୍ରହରୀ ଏକୁଟିଆ ଉପରକୁ ଯିବାରେ ଶୀର୍ଷସ୍ଥାନ ପର୍ଯ୍ୟନ୍ତ ଗଲି-। ସେଠାରେ ରହି ସମସ୍ତ ଦିଲ୍ଲୀର ଶୋଭା ଉପଲବ୍‌ଧି କରିବା ପାଇଁ ବହୁଲୋକ ଚାରିପାଖରେ ଠିଆ ହୋଇଥାନ୍ତି । ଯମୁନାର ଶୋଭା ଏହା ଉପରୁ ସୁନ୍ଦରତର ଦେଖାଯାଏ । ଏଠାରୁ ପାଲାମ ବିମାନଘାଟୀ ଦେଖାଯାଏ । ଯମୁନାର ନୀଳଜଳଧାରା ଶ୍ୱେତାଙ୍ଗୀ ଦିଲ୍ଲୀନଗରୀକୁ ଆଲିଙ୍ଗନ କରି ସତେ ଯେପରି ହର୍ଷୋତ୍‌ଫୁଲ୍ଲ ନୟନରେ ଏଣେ ତେଣେ ଚାହୁଁଛି !

 

ଲୌହସ୍ତମ୍ଭ:—କୁତବ ମିନାର ନିକଟରେ ଏହି ଉଚ୍ଚ ଲୌହସ୍ତମ୍ଭ ସମ୍ରାଟ୍ ପୃଥ୍ୱୀରାଜଙ୍କର କୀର୍ତ୍ତି । ଆକ୍ରମଣକାରୀ ନାଦିରଶାହ ବହୁଚେଷ୍ଟା କରି ସୁଦ୍ଧା ଏହାକୁ ଏଠାରୁ ପାରସ୍ୟକୁ ନେଇ ପାରିଲା ନାହିଁ ।

 

ପୁରୁଣା କିଲା:— ପୂର୍ବେ ଏଠାରେ ପାଣ୍ଡବ ଓ କୌର୍‍ବମାନେ ରାଜୁତି କରୁଥିଲେ । ବର୍ତ୍ତମାନ ଏହା କେବଳ ତାର ମୂକସାକ୍ଷୀ ରୂପେ ବିଦ୍ୟମାନ । ଦକ୍ଷିଣ ପାର୍ଶ୍ୱରେ ସୂର୍ଯ୍ୟମଣ୍ଡଳ ନାମକ ଏକ ଅଷ୍ଟକୋଣୀ ମହଲ । ପାଣ୍ଡବମାନଙ୍କର ଦେଶଜୟ—ରାଜସୂୟ ଯଜ୍ଞ— ଯୁଧିଷ୍ଠିରଙ୍କର ପ୍ରଜାରଞ୍ଜନମୂଳକ କାର୍ଯ୍ୟାବଳି—ଭୀମ ଓ ଅର୍ଜ୍ଜୁନଙ୍କର ଦେଶଜୟ ସବୁ ଏଠାରେ ଘଟିଛି । ଏସବୁ ଆଜି କେବଳ କଳ୍ପନା । ଏହି ଭଗ୍ନାବଶେଷ ସତେ ଯେପରି ସେମାନଙ୍କର ଦମ୍ଭ, ଗର୍ବ, ଅହମିକାକୁ ଶତଧିକ୍‌କାର କରୁଛି ।

 

ଜୁମା ମସ୍‌ଜିଦ୍ :—ପୁରୁଣା ଦିଲ୍ଲୀର ଏକ ପ୍ରଧାନ ଦର୍ଶନୀୟ ସ୍ଥାନ । ଏହା ଭାରତର ସର୍ବୋତ୍ତମା ଓ ସର୍ବ ବୃହତ୍ ମସ୍‌ଜିଦ୍ । ଦୁଙ୍ଗଲ ପାହାଡ଼ ନାମକ ଏକ ପାହାଡ଼ିଆ ସ୍ଥାନରେ ଏହା ନିର୍ମିତ । ପୃଥିବୀର ବିଖ୍ୟାତ ମସ୍‌ଜିଦ୍ ମାନଙ୍କ ମଧ୍ୟରେ ଏହା ଅନ୍ୟତମ । ଏହାର ଉତ୍ତର ଦରଜରେ ୩୯ଟି, ପୂର୍ବ ଦରଜାରେ ୩୫ଟି ଓ ଦକ୍ଷିଣ ଦରଜାରେ ୩୩ଟି ପାହାଚ ଅଛି । ପ୍ରତି ଶୁକ୍ରବାର ଦିନ ଏଠାରେ ହଜାର ହଜାର ମୁସଲମାନ୍‍ ଉପାସନା ପାଇଁ ଏକତ୍ର ହୁଅନ୍ତି । ଏଠାରେ ନିୟମିତ ଭାରେ କୋରାନ୍ ପାଠ ହୁଏ । ଦିଲ୍ଲୀରେ ହିନ୍ଦୁ ମୁସଲମାନ ମାରକାଟ ସମୟରେ ମୁସଲମାନମାନଙ୍କର ଏହା ପ୍ରଧାନ ଦୁର୍ଗ ଥିଲା । ଶାହାଜାହାନ ଏହାକୁ ଖ୍ରୀ. ୧୬୪୪ ରେ ନିର୍ମାଣ କରିଥିଲେ । ଏହାର ନିର୍ମାଣରେ ୫ବର୍ଷ ସମୟ ଓ ଦଶ କୋଟି ମୁଦ୍ରା ବ୍ୟୟିତ ହୋଇଥିଲା । ପ୍ରତିଦିନ ପାଞ୍ଚହଜାର କାରିଗର ଏଥିରେ କାର୍ଯ୍ୟ କରି ଏହାକୁ ନିର୍ମାଣ କରିଥିଲେ ।

 

ଲାଲକିଲା :—ଜୁମା ମସ୍‌ଜିଦ୍ ଦେଖିଲା ପରେ ଲାଲକିଲା ଦେଖିବାକୁ ଗଲି । ଲାଲକିଲା ଉପରେ ତ୍ରିରଙ୍ଗ ଜାତୀୟ ପତାକା ଉଡ଼ୁଥିବାର ଦେଖିଲେ ମନରେ ଗର୍ବ ଆସେ । ଦୀର୍ଘ ଦେଢ଼ଶହ ବର୍ଷ ଧରି ଯେଉଁ ଲାଲକିଲା ଉପରେ ଇଉନିୟନ୍ ଜ୍ୟାକ୍ ଉଡ଼ୁଥିଲା, ସେଠାରେ ତାହା ବଦଳରେ ଉଡ଼ୁଛି ସ୍ୱାଧୀନ ଭାରତର ତ୍ରିରଙ୍ଗ ପତାକା । ଭାରତର ସମସ୍ତ ଦୁର୍ଗ ମଧ୍ୟରେ ଏହା ସର୍ବଶ୍ରେଷ୍ଠ । ସମଗ୍ର କିଲାଟି ଲାଲପଥରରେ ତିଆରି । ଏହାର ବିରାଟ ପ୍ରାଚୀର, ମନୋରମ ଗମ୍ଭୁଜମାଳା ଓ ବିଶାଳତା ଦର୍ଶକଙ୍କୁ ଅଭିଭୂତ କରେ । ଏକ ପାର୍ଶ୍ୱରେ କଳନାଦିନୀ ଯମୁନା, ଅପରପାର୍ଶ୍ୱରେ ପୃଥିବୀର ସର୍ବୋଚ୍ଚ ମସ୍‌ଜିଦ୍ “ଜୁମାମସ୍‌ଜିଦ୍” । ଏହାର ପୂର୍ବଦିଗରେ ଦିଲ୍ଲୀ ନଗରୀର ସମୃଦ୍ଧଶାଳୀ ଚାନ୍ଦନୀଚୌକ ବଜାର । ଏହା ଭାରତର ଶ୍ରେଷ୍ଠ ବିଳାସୀ ସମ୍ରାଟ ଶାହାଜାହାନଙ୍କର କୀର୍ତ୍ତି । ଏବେ ସୁଦ୍ଧା ଏହା ତାଙ୍କର ବ୍ୟସନ-ବୈଚିତ୍ର୍ୟକୁ ଦିଗଦିଗନ୍ତରେ ଘୋଷଣା କରୁଛି । ବିଳାସୀ ସମ୍ରାଟ ଶାହାଜାହାନ୍‍ ପ୍ରଥମେ ଆଗ୍ରାରେ ଦୁର୍ଗ ନିର୍ମାଣ କରିଥିଲେ । ସେଠାରେ ୧୧ ବର୍ଷ ବାସ କଲାପରେ ଜଳ ଓ ସ୍ଥାନର ଅଭାବ ତଥା ଅତ୍ୟଧିକ ଉତ୍ତାପ ହେତୁ ପୁଣି ଦିଲ୍ଲୀକୁ ରାଜଧାନୀ ଉଠାଇ ଆଣିଥିଲେ । ଖ୍ରୀ: ୧୬୩୫ ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୯ ବର୍ଷପରେ ଖ୍ରୀ: ୧୬୪୪ ରେ ଏହା ସମ୍ପୂର୍ଣ୍ଣ ହେଲା । ଏଥିରେ ୯ କୋଟି ଟଙ୍କା ବ୍ୟୟିତ ହୋଇଥିଲା । ସେ ସମୟରେ ପ୍ରଖ୍ୟାତ ଶିଳ୍ପୀ ମୁତ୍ରାମତ ଖାଁଙ୍କ ତତ୍ତ୍ୱାବଧାନରେ ଏହା ନିର୍ମିତ ହୋଇଥିଲା । ଏହି କିଲାଟି ଅଷ୍ଟକୋଣୀ ଆକାର ବିଶିଷ୍ଟ । ପୂର୍ବ ଓ ପଶ୍ଚିମ ଦିଗରେ ୨ ଟି ଖୁବ୍ ଲମ୍ବ ପ୍ରାଚୀର ତଥା ଦକ୍ଷିଣ ଓ ଉତ୍ତର ଦିଗରେ ୬ ଟି କ୍ଷୁଦ୍ର ପ୍ରାଚୀର । ଏହାର ପରିଧି ପ୍ରାୟ ଦେଢ଼ ମାଇଲ୍-। ଉତ୍ତରରୁ ଦକ୍ଷିଣ ଲମ୍ବ ୩୨୦୦ ଫୁଟ୍ ତଥା ପୂର୍ବରୁ ପଶ୍ଚିମକୁ ଲମ୍ବ ୧୮୦୦ ଫୁଟ । ସ୍ଥଳଭାଗରେ ପ୍ରାଚୀରର ଉଚ୍ଚତା ୭୫ ଫୁଟ ଯମୁନାକୂଳ ପ୍ରାଚୀରର ଉଚ୍ଚତା ୯୦ ଫୁଟ । ଚାରିପାଖରେ ଗଡ଼ଖାଇର ଗଭୀରତା ୩୦ ଫୁଟ୍ ଓ ତାର ପ୍ରସ୍ଥ ୭୫ ଫୁଟ୍ । ଗଡ଼ଖାଇର କେତେକ ଅଂଶ ବର୍ତ୍ତମାନ ପୋତି ହୋଇ ପଡ଼ିଲାଣି ଓ କେତେକ ସ୍ଥାନ ବର୍ତ୍ତମାନ ଅଗଭୀର । ଐତିହାସିକ ମାନେ କହନ୍ତି ଯେ, ଏହି ଦୁର୍ଗପ୍ରବେଶ ଉପଲକ୍ଷେ ଏକ ବିରାଟ ଆୟୋଜନ ହୋଇଥିଲା । ଶାହାଜାହାନ ପ୍ରଥମ ଥର ପାଇଁ କିଲାର ଭିତର ଦ୍ୱାରକୁ ପ୍ରବେଶ କଲାବେଳେ ତାଙ୍କ ପୁତ୍ର ଦାରା ତାଙ୍କ ଉପରକୁ ମଣି, ମୁକ୍ତା ଓ ସୁନା ଫୋପାଡ଼ିଥିଲେ । ସମଗ୍ର ପ୍ରକୋଷ୍ଠଟି ରାଜକୀୟ ସାଜସଜ୍ଜାରେ ଜାଜ୍ୱଲ୍ୟମାନ ହୋଇଥିଲା । କାନ୍ଥମାନଙ୍କରେ ଶିଲ୍‌କ ଓ ଭେଲଭେଟ୍ କନା ସଜା ହୋଇଥିଲା । ଚଟାଣରେ ସୁନ୍ଦର ଦରୀମାନ ବିଛା ହୋଇଥିଲା । ଏକଲକ୍ଷ ଟଙ୍କା ଅନ୍ଦାଜର ଏକତ ସୁନାର ଚାନ୍ଦୁଆ ଉପରେ ଟଣା ଯାଇଥିଲା । ବଡ଼ ରାଜକର୍ମଚାରୀମାନେ ଏହି ଅବସରରେ ପଦବୀମାନ ପାଇଥିଲେ-। ଲାଲକିଲାର ତତ୍ତ୍ୱାବଧାରକ ତଥା ନକ୍‌ସାକାର ମକ୍ରାମତ୍ ଖାଁଙ୍କୁ “ପଞ୍ଚହଜାରୀ” ଉପାଧି ପ୍ରଦତ୍ତ ହୋଇଥିଲା । ଶାହାଜାହାନ ଏହି କିଲାକୁ “କିଲା-ଏ-ମୁବାରକ” ଅର୍ଥାତ୍ “ଭାଗ୍ୟବାନ–ପ୍ରାସାଦ” ନାମ ଦେଇଥିଲେ-

 

ଲାହୋର ଗେଟ୍:—ଦର୍ଶକମାନେ ସାଧାରଣତଃ ଏହି ଫାଟକ ଦେଇ କିଲାମଧ୍ୟକୁ ପ୍ରବେଶ କରନ୍ତି । ଫାଟକ ଆଗରେ ଟିକେଟ୍ ବିକ୍ରି ହୁଏ । ଚାରିଅଣା ଦେଇ ପ୍ରବେଶପତ୍ରଟିଏ କିଣି ଭିତରକୁ ଗଲି । ମୋଗଲ ରାଜତ୍ୱକାଳରେ ଏହି ଫାଟକ ଆଗରେ ମୀନାବଜାର ବସୁଥିଲା । ଏହାର ବିରାଟ ଗମ୍ଭୁଜମାଳା ଦେଖି ଦର୍ଶକ ଆଶ୍ଚର୍ଯ୍ୟାନ୍ୱିତ ହୁଏ । ଏଠାର ମଲମଲପଥରର କାରୁକାର୍ଯ୍ୟ ଅତୀବ ପ୍ରଶଂସନୀୟ ।

 

ଦିଲ୍ଲୀଗେଟ୍ :–ଦିଲ୍ଲୀ ନଗରୀର ସମ୍ମୁଖୀନ ଅବସ୍ଥାରେ ଥିବାରୁ ଏହାର ନାମ ଦିଲ୍ଲୀଗେଟ୍-। ଲାହୋରଗେଟ୍ ପରି ଏହାର ମଧ୍ୟ କାରୁକାର୍ଯ୍ୟ ଓ ଗମ୍ଭୁଜମାଳା ଖୁବ୍ ସୁନ୍ଦର ଓ ଚିତ୍ତାକର୍ଷକ-। ଏହାର ସାମନାରେ ବୃକ୍ଷରାଜିର ନିଘଞ୍ଚକୁଞ୍ଜ ଏବଂ ଶଙ୍ଖମଲମଲ ପଥରର ଅଭ୍ରଂକଷ ଗମ୍ଭୁଜମାଳା ଦେଖିଲେ ନବାଗତ ବ୍ୟକ୍ତି ବିସ୍ମିତ ହୋଇଯାଏ । ଏଠାରେ କଳାମୁଗୁନି ପଥରର ଦୁଇଟି ସମ ଉଚ୍ଚତା ବିଶିଷ୍ଟ ହସ୍ତୀ ସୁରକ୍ଷିତ । ପ୍ରଥମେ ଦୁଇଟି ଗଜାରୂଢ଼ ରାଜପୁତ ବୀରଙ୍କର ପ୍ରତିକୃତି ଏଠାରେ ଥିଲା, କିନ୍ତୁ ପରଶ୍ରୀକାତର ଆଓରଙ୍ଗଜେବ ରାଜପୁତ ବୀରଙ୍କର ମୂର୍ତ୍ତିକୁ ଉଠାଇ ଦେଇ କେବଳ ଦୁଇଟି ହାତୀ ଏଠାରେ ରଖିଛି ।

 

ଛତାଚୈକ:–ଲାହୋର ଗେଟ୍ ଅତିକ୍ରମ କଲାପରେ ୨୬୮ ଫୁଟ୍ ଲମ୍ବ ଓ ୨୭ ଫୁଟ୍ ପ୍ରସ୍ଥବିଶିଷ୍ଟ ଏକ ବିରାଟ ହଲ୍ ଦୃଷ୍ଟିଗୋଚର ହୁଏ । ଦୁଇପାଖରେ ୩୨ ଟି ସୁନ୍ଦର ଦୋକାନ । ଏଗୁଡ଼ିକ ଦୁଇ ମହଲା କୋଠା । ଏଠାରେ ନାନାବିଧ ମନହୋରୀ ପଦାର୍ଥ, ହିନ୍ଦୀ. ଉର୍ଦ୍ଦୁ ଓ ଇଂରାଜୀରେ ପ୍ରକାଶିକ ଗାଇଡ଼୍ ବହି, ହାତୀଦାନ୍ତ ଓ ପଥର ତିଆରି ଅନେକପ୍ରକାର କାରୁକାର୍ଯ୍ୟ ବିକ୍ରୀତ ହୁଏ ।

 

ନୌବତ୍‌ ଖାନା:—ଛତାଚୌକି ଆଗରେ ଥିବା ଘାସ ପଡ଼ିଆଟି ଅତିକ୍ରମ କଲାପରେ ନୌବତ୍‌ଖାନା ପଡ଼େ । ଏହା ଏକ ଦ୍ୱିତଳ ପ୍ରାସାଦ । ଏହାର ଲମ୍ବ ୧୦୦ ଫୁଟ୍ ଓ ପ୍ରସ୍ଥ ୭୦ ଫୁଟ୍-। ଶାହାଜାହାନଙ୍କ ରାଜୁତିକାଳରେ ପ୍ରତିଦିନ ପାଞ୍ଚଥର ଏଠାରେ ରାଜବାଦ୍ୟ ଗଗନପବନ ମୁଖରିତ କରୁଥିଲା । ଶନିବାର (ଶାହାଜାହାନଙ୍କ ଜନ୍ମଦିନ) ଓ ରବିବାର ସାରାଦିନ ନୌବତ୍‌ଖାନାର ବାଦ୍ୟରୋଳ ଦିଲ୍ଲୀ ନଗରୀକୁ ପ୍ରକମ୍ପିତ କରୁଥାଏ । ରାଜବଂଶୀୟ ବ୍ୟତୀତ ଅନ୍ୟ କେହି ହାତୀ କିମ୍ବା ଘୋଡ଼ା ଚଢି ଏହା ଆଗରେ ଯାଇ ପାରିବେ ନାହିଁ ବୋଲି ନିୟମ ଥିଲା । ଏହା ରାଜମହଲକୁ ଯିବା ପାଇଁ ସିଧା ରାସ୍ତା । ଏହି ରାସ୍ତାଟି ଖୁବ୍ ସୁନ୍ଦର ଓ ଦୃଶ୍ୟ ବହୁଳ ।

 

ଦିବାନୀଅମ୍ : —ଏହି ପ୍ରାସାଦଟି ଲାଲପରଥରରେ ତିଆରି ଏହାଗ ଅଗଣାର ଲମ୍ବ ୫୦୦ ଫୁଟ ଓ ପ୍ରସ୍ଥ ୩୦୦ ଫୁଟ୍ । ୪ ଫୁଟ୍ ଉଟ୍ଟ ପଥରବେଦୀ ଉପରେ ଏହା ଅବସ୍ଥିତ । ଚାରିପାଖର କାନ୍ଥମାନଙ୍କରେ ବିଭିନ୍ନ ଧରଣର କାରୁକାର୍ଯ୍ୟ ଦେଖିବାକୁ ମିଳେ । ଶାହାଜାହାନଙ୍କ ସମୟରେ ସୁନାର ରେଲିଂ ଏହାର ଚାରିପାଥରେ ଖଞ୍ଜା ହୋଇଥିଲା । ସମ୍ରାଟଙ୍କ ଉପରେ ସୁନାର ରଜିଖଞ୍ଜା ଚାନ୍ଦୁଆ ଟଣା ହେଉଥିଲା । ଚାନ୍ଦୁଆର ଚାରିପାଖରେ ମଣିମୁକ୍ତାମାନ ଝୁଲୁଥିଲା ଚାନ୍ଦୁଆର ମଧ୍ୟଭାଗରେ ଥିବା ଫୁଲଟି ଅଷ୍ଟଧାତୁରେ ନିର୍ମିତ ହୋଇଥିଲା । ବର୍ତ୍ତମାନ କେବଳ ପ୍ରାସାଦଟି ଛଡ଼ା ଆଉ କିଛି ନାହିଁ ।

 

ସିଂହାସନ: —ଦିବାନୀଅମ୍‌ର ମଧ୍ୟଭାଗରେ ସମ୍ରାଟଙ୍କ ସିଂହାସନ । ଏହାର ଉଚ୍ଚତା ୧୦ ଫୁଟ୍ । ଏହା ଶଙ୍ଖମଲମଲ ପଥରରେ ତିଆରି । ଫରାସୀ ବିଖ୍ୟାତ ଶିଳ୍ପୀ ଅଷ୍ଟିନ୍-ଡ଼ି-ବୋର-ଡେକସ୍ ଏହାର ନିର୍ମାତା । ଏହାର ସାମନା ଅଂଶଟି ମୋଜାଇକ୍ ପଥରର । ଏହି ମୋଜାଇକ୍ ଭିତ୍ତି ଉପରେ ସୁନା ଓ ମୁକ୍ତା ପ୍ରଭୃତି ମୂଲ୍ୟବାନ୍ ଧାତୁର ପକ୍ଷୀ, ଫୁଲ, ଫଳ, ଲତା ଓ ଅନ୍ୟ ପ୍ରାକୃତିକ ଦୃଶ୍ୟର ଚିତ୍ରମାନ ଏହାର ଶୋଭାକୁ ଦ୍ୱିଗୁଣିତ କରନ୍ତି । ଏହାର କାରୁକାର୍ଯ୍ୟ ଓ ଶିଳ୍ପଚାତୁରୀ ଇଂରେଜମାନଙ୍କୁ ଅଭିଭୂତ କରଥିଲା । ସେମାନେ ସମ୍ରାଟ୍ ଶାହାଜାହାନଙ୍କ ବିଳାସିତାକୁ ପ୍ରଶଂସା କରୁଥିଲେ । ଖ୍ରୀ: ୧୮୫୭ରେ ସିପାହୀବିଦ୍ରୋହ ସମୟରେ ଏଥିରୁ ବହୁମୂଲ୍ୟ ମଣିମୁକ୍ତା ବିଦ୍ରୋହୀମାନେ କାଢ଼ି ନେଇଥିଲେ । ସିଂହାସନର ନିମ୍ନ ଭାଗରେ ୭ ଫୁଟ୍ ଲମ୍ବର ଓ ୩ ଫୁଟ୍ ଚୌଡ଼ାର ଏକ କ୍ଷୁଦ୍ର ମଣ୍ଡପ । ଏଠାରେ ଠିଆ ହୋଇ ପ୍ରଧାନ ମନ୍ତ୍ରୀ ସମ୍ରାଟଙ୍କୁ ଦେଶ ବିଦେଶର ବାର୍ତ୍ତା ଓ ପ୍ରଜାମାନଙ୍କର ଆପତ୍ତି ଅଭିଯୋଗ ଜଣାଉଥିଲେ ।

 

ରଙ୍ଗମହଲ:—ଏହା ଶାହାଜାହାନଙ୍କ କ୍ରୀଡ଼ାସ୍ଥଳ ଥିଲା । ଏହାର ଲମ୍ବ ୧୫୪ଫୁଟ ଓ ପ୍ରସ୍ଥ ୭୦ ଫୁଟ । ଛାତର କାରୁକାର୍ଯ୍ୟ ଅତୀବ ପ୍ରଶଂସନୀୟ । ଏଥିରେ ରୂପାର ଲତାରେ ସୁନାର ଫୁଲ ଫୁଟିଥିଲା । ଏବେ କେବଳ ଚିତ୍ରିତ ଲତା ଓ ପୁଷ୍ପ ଦେଖାଯାଏ । ଏହାର କାନ୍ଥମାନଙ୍କରେ ସୂକ୍ଷ୍ମ କଳା ଉଚ୍ଚକୋଟୀର । ସାମନାରେ ବାଲୁକାପୂର୍ଣ୍ଣ ଭୂମି । ଏଠାରେ ବସି ହାତୀଲଢ଼େଇ ଓ ଷଣ୍ଢଲଢ଼େଇ ସମ୍ରାଟ୍ ଦେଖୁଥିଲେ । ବେଗମ ଓ ତାଙ୍କର ସହଚରୀମାନେ ଏହି ରଙ୍ଗମହଲରେ ରହି ଝରକାବାଟେ ଏସବୁ ଦୃଶ୍ୟ ଦେଖୁଥିଲେ । ଏହାର ନିମ୍ନଭାଗ ଗଡ଼ାଣିଆ । ରଙ୍ଗମହଲଘର ଭିତରର ଆକାର ପଦ୍ମଫୁଲ ପରି । ଏହାର ସମସ୍ତ ଅଂଶ ମଲମଲ ପଥର । ପ୍ରତ୍ୟେକ ପାଖୁଡ଼ା ରଙ୍ଗୀନ ମଲମଲ ପଥରରେ ତିଆରି । ସେ ସମୟରେ ପାଣିଝରୀରୁ (Water sprinkle) ପାଣି ଝର ଝର ହୋଇ ପଡ଼ୁଥିଲା । ଇଂରେଜ ଦର୍ଶକ ଏହାକୁ ‘ନନ୍ଦନକାନନ’ ଆଖ୍ୟା ଦେଇଛନ୍ତି ।

 

ଦିବାନୀଖାସ୍:—ପ୍ରାତଃକାଳୀନ ଦରବାର ପରେ ସମ୍ରାଟ୍ ଏଠାରେ ବିଶ୍ରାମ କରୁଥିଲେ ଏବଂ ତାଙ୍କର ପ୍ରଧାନ ସଚିବ ଓ ବିଶ୍ୱସ୍ତ କର୍ମଚାରୀମାନଙ୍କ ସହ ଗୁପ୍ତ ଆଲୋଚନା କରୁଥିଲେ । ଏହାର ନିର୍ମାଣ କାଳ ୭ ବର୍ଷ ଓ ଏଥିରେ ୯ କୋଟି ମୁଦ୍ରା ବ୍ୟୟିତ ହୋଇଥିଲା । ସମସ୍ତ ଦରବାରଟି ମାର୍ବଲପଥରରେ ତିଆରି । ୪’ରୁ ୬’ ଉଚ୍ଚତା ବିଶିଷ୍ଟ ମେଜିଆ ଉପରେ ଏହା ପ୍ରତିଷ୍ଠିତ-। ଏହାର ଦୈର୍ଘ୍ୟ ୯୦ ଫୁଟ ଓ ପ୍ରସ୍ଥ ୭୦ ଫୁଟ । ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ବଳିତ ୩୨ ଟି ଖିଲିଣିର ଆଶ୍ରୟରେ ଏହା ଅବସ୍ଥିତ । ପ୍ରତ୍ୟେକ କଡ଼ି ଓ ବରଗାରେ ସୁନା ରୂପାରେ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ବେ ଥିଲା । ଏହାର ମଧ୍ୟ ପ୍ରକୋଷ୍ଠରେ ପାର୍ସିରେ ଖୋଦିତ ଯେ, “ଏହା ପୃଥିବୀର ନନ୍ଦନକାନନ” । ଶାହାଜାହାନଙ୍କର ଏହି ଦରବାରରେ ଦିନେ ଇଂରେଜ ବଣିକ ତାଙ୍କର ପଦଲେପନ କରିଥିଲେ–ଏହି ଦରବାରରେ ନୀଚ ଆଓରଙ୍ଗଜେବ ତା’ର ଭାଇ ଦାରା ଓ ସୁଜାକୁ ହତ୍ୟା କରିଥିଲା–ମହମ୍ମଦଶାହାଠାରୁ କୌଶଳକ୍ରମେ ପୃଥିବୀବିଖ୍ୟାତ କୋହିନୂର ମଣି ହରଣ କରିଥିଲା–ଏହି ଦରବାରରେ ରାଜଅମାତ୍ୟ ଗୋଲାମ କାଦିର ସମ୍ରାଟ୍ ଶାହାଆଲାମ ଚକ୍ଷୁ ବିତାଡ଼ନ କରି ତାର ପୁତ୍ରକୁ ଖଣ୍ଡ ବିଖଣ୍ଡିତ କରିଥିଲା–ଏହିଠାରେ ହିଁ ଗୁଲାମ କାଦିରକୁ ବନ୍ଦୀ ଅବସ୍ଥାରେ ଧରି ହାଜର କରାଇଥିବାରୁ ସିନ୍ଧିଆର ମହାଦେବଜୀ ସମ୍ରାଟଙ୍କଠାରୁ ରାଜପଦବୀ ପାଇଥିଲେ–ଏହିଠାରେ ହିଁ ବୃଦ୍ଧ ସମ୍ରାଟ ବାହାଦୂର ସାହାଙ୍କୁ ଫାଶୀ ଦିଆଯାଇଥିଲା ଏବଂ ପରିଶେଷରେ ଏହି ଦରବାରରେ ହିଁ ଭାରତର ବିଦେଶୀ ସମ୍ରାଟ୍ ପଞ୍ଚମଜର୍ଜ ପ୍ରଥମଥର ପାଇଁ ଭାରତଭୂମିରେ ଇଂରେଜ ଦରବାର ବସାଇଥିଲେ । ଆନନ୍ଦର ନହବତ୍‌ରେ ଏହି ମୂକଶାଳା ଉଛୁଳିଲାବେଳେ ଦୁଃଖର କରୁଣବିଳାପରେ ଏହାର ଭିତ୍ତି ଚିତ୍କାର କରି ଉଠିଛି । ମାତ୍ର ଦେଖି ନ ଦେଖିଲା ପରି–ଶୁଣି ନ ଶୁଣିଲା ପରି–ଜାଣି ନ ଜାଣିଲା ପରି ଏ ସବୁକାଳରେ ରହିଛି ନୀରବ, ନିଶ୍ଚଳ ଓ ନିସ୍ପନ୍ଦ । ପ୍ରକୃତି ଉପରେ, ବିଧାତା ଉପରେ ଓ ଭାଗ୍ୟ ଉପରେ ନିର୍ଭର କରିବାକୁ ମୂକ ଇଙ୍ଗିତ ଦେଇ ଏହା ଦୁଃଖୀକୁ ଆଶ୍ୱାସନା ଦେଇଛି–ବିଜୟୀକୁ ଭାଗ୍ୟଲିପି ବିଷୟରେ ସାଧୁ ଶିକ୍ଷା ଦେଇଛି ମାତ୍ର । ଏହି ଦିବାନିଖାସ୍‌ରେ ପୃଥିବୀ ବିଖ୍ୟାତ ମୟୂର ସିଂହାସନ ଥିଲା । ଏହାକୁ ଲୁଣ୍ଠନକାରୀ ନାଦିରଶାହା ଖ୍ରୀ: ୧୭୩୯ରେ ପାରସ୍ୟକୁ ନେଇଯାଇଥିଲେ । ଏହି ସିଂହାସନର ନିର୍ମାଣରେ ୭ ବର୍ଷ ଲାଗିଥିଲା ଓ ଏଥିରେ ୯ କୋଟି ମୁଦ୍ରା ବ୍ୟୟିତ ହୋଇଥିଲା । ଏହାର ଉଚ୍ଚତା ଥିଲା ୬ ଫୁଟ୍ ଓ ଫ୍ରସ୍ଥ ଥିଲା ୪ ଫୁଟ୍ । ଏକଲକ୍ଷ ତୋଳା ସୁନାରେ ଏହା ନିର୍ମିତ ହୋଇଥିଲା । ଏହାର ଉପରି ଭାଗରେ, ହୀରା, ଲୀଳା, ମୋତି, ମାଣିକ୍ୟ ଓ ପ୍ରବାଳ ପ୍ରଭୃତି ମୂଲ୍ୟବାନ୍ ଧାତୁ, ନିମ୍ନ ଭାଗରେ ସୁନା, ତୋପାଜ ପ୍ରଭୃତି ବିଭିନ୍ନ ଧାତୁ ଖଚିତ ହୋଇଥିଲା । ସିଂହାସନର ଉପର ଅଂଶ ମୂଲ୍ୟବାନ୍ ହୀରାର ଥିଲା । ସିଂହାସନ ଉପରେ ବସିବାପାଇଁ ଯିବାଲାଗି ୬ ଟି ରୂପାର ପାହାଚ ଥିଲା ।

 

ଖାସମାହାଲ:—ଦିବାନୀଖାସ୍‌ର ଉତ୍ତରଦିଗକୁ ଏହା ଅବସ୍ଥିତ । ଏଠାରେ ମଲମଲ ପଥରର ଉପାସନା ଗୃହ, ଶୟନାଗାର ଏବଂ ବୈଠକର ନାମକ କୋଠରୀ ଅଛି । ଉପାସନା ମନ୍ଦିର ଓ ଶୟନାଗାର ମଧ୍ୟରେ ସ୍ୱର୍ଣ୍ଣପତ୍ର ଖଚିତ ଅର୍ଦ୍ଧବୃତ୍ତାକୃତି ମଲମଲ ପଥରର ଦରଜା । ସେଥିରେ ସ୍ୱର୍ଣ୍ଣତାରକା ଖଚିତ ‘ରାଜତୁଳ’ ବିଦ୍ୟମାନ ।

 

ସ୍ନାନାଗାର:—ଦିବାନିଖାସ୍ ନିକଟକୁ ସ୍ନାନାଗାର । ଏଠାରେ ସମ୍ରାଟ୍ ତଥା ରାଜବଂଶୀୟମାନେ ସ୍ନାନ କରୁଥିଲେ । ୩ଟି ବିଭାଗରେ ଏହା ବିଭକ୍ତ । ପ୍ରଥମ ଭାଗଟି ସାଧାରଣ, ମଧ୍ୟ ଭାଗରେ ଉଷ୍ଣ ଓ ଶୀତଳ ଜଳପୂର୍ଣ୍ଣ ହେଉଥିଲା । ଜଳାଶୟର ମଧ୍ୟଭାଗରେ ରୂପାର କୁଣ୍ଡ ଓ ସେଥିରେ ଗୋଲାପଜଳ ସଂରକ୍ଷିତ ହେଉଥିଲା । ଏହାର ଝରକାମାନ ନେଳି କାଚର । ଏଠାରେ ନାନା ପ୍ରକାରର ମୂଲ୍ୟବାନ୍ ପଥର ଓ ଧାତୁ ଖଚିତ ହୋଇଥିଲା ।

 

ସମ୍ମାନବୁର୍ଜ:–ଶୟନାଗାରର ପୂର୍ବ ପାଖରେ ଅଷ୍ଟକୋଣାକୃତି ଏକ ନଭଶ୍ଚୁମ୍ବୀ ଗମ୍ବୁଜ । ଏହାର ଉପରିଭାଗ ସୁନା ଛାଉଣି ହୋଇଥିଲା ତମ୍ବାରେ ତିଆରି ହୋଇଥିଲା । ମୋଗଲ ସମ୍ରାଟ୍ ପ୍ରତିଦିନ ପ୍ରାତଃକାଳରେ ଏଠାରେ ଦଣ୍ଡାୟମାନ ହୋଇ ସୂର୍ଯ୍ୟଙ୍କୁ ପ୍ରଣାମ କରୁଥିଲେ ଏବଂ ପ୍ରଜାମାନଙ୍କୁ ଦର୍ଶନ ଦେଇ ସେମାନଙ୍କର ଅଭିବାଦନ ଗ୍ରହଣ କରୁଥିଲେ । ଏଠାରେ ସମ୍ରାଟ ପଞ୍ଚମ ଜର୍ଜ ଓ ସାମ୍ରାଜ୍ଞୀ ମେରୀ ଦିଲ୍ଲୀର ଜନତାକୁ ଦର୍ଶନ ଦେଇଥିଲେ । ସ୍ନାନାଗାରର ଉତ୍ତରକୁ ମୋତି ମସ୍‌ଜିଦ୍ । ଏହାକୁ ଆଓରଙ୍ଗଜେବ ଖ୍ରୀ: ୧୬୬୨ରେ ନିର୍ମାଣ କରାଇଥିଲେ । ଏଥିରେ ରାଜବଂଶୀୟମାନେ କେବଳ ଉପାସନା କରିବାକୁ ହକ୍‌ଦାର ଥିଲେ । ଏହାର ନିର୍ମାଣରେ ୧ ଲକ୍ଷ ୬୦ ହଜାର ଟଙ୍କା ଲାଗିଥିଲା । ସାଢ଼େ ତିନିଫୁଟର ମେଜିଆ ଉପରେ ଏହି ମଲମଲ ପଥରର ମସ୍‌ଜିଦ୍ ନିର୍ମିତ । ଏହାର ପ୍ରବେଶପଥରେ ପିତଳର ଫାଟକ । ଏହାର ଗମ୍ଭୁଜମାନଙ୍କ ଉପରେ ତମ୍ବାପାତ ଥିଲା । କିନ୍ତୁ ସିପାହୀ ବିଦ୍ରୋହ ସମୟରେ ସେ ସବୁ ଅପହୃତ ହୋଇଯିବା ପରେ ସେଗୁଡ଼ିକୁ ମଲମଲ ପଥରରେ କରାଯାଇଛି ।

ହୀରାମହଲ:—ମୋଗଲ ବଂଶର ଶେଷ ସମ୍ରାଟ୍‍ ବାହାଦୁର ଶାହ ଏହାର ନିର୍ମାତା । ଏହାର ଲମ୍ବ ୨୩ ଫୁଟ୍ ଓ ପ୍ରସ୍ଥ ୨୦ ଫୁଟ୍ । ତିନି ଦିଗରୁ ତିନି ଗୋଟି ସୁନ୍ଦର ଖିଲିଣି ଏଥିରେ ଅଛି-। ଯମୁନାଦୃଶ୍ୟ ଉପଭୋଗ କରିବା ନିମିତ୍ତ ଏହାକୁ ବାହାଦୁର ଶାହ ଖ୍ରୀ: ୧୮୮୧ ରେ ନିର୍ମାଣ କରାଇଥିଲେ ।

ମମତାଜମହଲ୍:—ସମ୍ରାଟ୍ ଶାହାଜାହାନଙ୍କ ପ୍ରିୟତମ ବେଗମ୍ ମମତାଜଙ୍କ ନାମନୁସାରେ ଏହି ମହଲ ନିର୍ମିତ । ଏହା ତାଙ୍କର ଅନ୍ତପୁର ଥିଲା । ଏହାର ଅନ୍ୟନାମ ଛୋଟ ରଙ୍ଗମହଲ । ବର୍ତ୍ତମାନ ଏହା ସ୍ଥାପତ୍ୟ ଓ ଶିଳ୍ପର ଯାଦୁଘର ରୂପେ ବ୍ୟବହୃତ ।

ସାହାବୁର୍ଜ:—ଲାଲକିଲାର ପୂର୍ବ ଦିଗରେ ଅବସ୍ଥିତ । ଏହାର ଦୈର୍ଘ୍ୟ ୬୪ ଫୁଟ୍ ଓ ପ୍ରସ୍ଥ ୩୨ ଫୁଟ୍ । ଏଠାରେ ସମ୍ରାଟ୍ ତାଙ୍କ ମନ୍ତ୍ରିମଣ୍ଡଳ ସହିତ ରାଜ୍ୟପରିଚାଳନା ସଂପର୍କରେ ଗୁପ୍ତ ବିଷୟମାନ ଆଲୋଚନା କରୁଥିଲେ । ଟିକିଏ ଆଗକୁ ମଲମଲ ପଥରର ଏକ ଜଳକୁଣ୍ଡ ।

ଲାଲକିଲା—ଏହା ଭାରତର ଶ୍ରେଷ୍ଠ ଐତିହାସିକ ଘଟଣାବଳୀର ଏକ ମୁକ ସାକ୍ଷୀ । ମୋଗଲ ସମ୍ରାଟଙ୍କ ରାଜତ୍ୱକାଳରୁ ଏପର୍ଯ୍ୟନ୍ତ ଏଥିରେ ଯେତେ ଯେତେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା ଘଟି ଯାଇଛି ଭାରତର ଅନ୍ୟ କୌଣସି ଦୁର୍ଗରେ ଏପରି ଘଟି ନାହିଁ । ସମ୍ରାଟ୍ ଶାହାଜାହାନଙ୍କ ବିଳାସବ୍ୟସନଠାରୁ ଆରମ୍ଭ କରି ନାଦିରଶାହାର ଅମାନୁଷିକ ଆକ୍ରମଣ—ଆଓରଙ୍ଗଜେବର ନିର୍ମମ ଶାସନଠାରୁ ଗୋରାବଣିକର ଅଧିକାର ଏବଂ ଶେଷରେ ୧୫-୮-୧୯୫୭ ରେ ପଣ୍ଡିତ ଜବାହରଲାଲ ନେହୁରଙ୍କୁ ଲର୍ଡ଼ ମାଉଣ୍ଟ ବ୍ୟାଟେନଙ୍କ ଭାରତ ସ୍ୱାଧୀନତା ପତ୍ର ପ୍ରଦାନ—ଏହି ଦୁର୍ଗପକ୍ଷରେ ଅବିସ୍ମରଣୀୟ ଘଟଣା ।

☆☆☆

 

ମଥୁରା

 

ନୂଆଦିଲ୍ଲୀରୁ ମଥୁରା ୯୦ ମାଇଲ । ମାତ୍ର ୩ ଘଣ୍ଟାର ଯାତ୍ରା । ରେଳରେ ଆସିଲାବେଳେ ଶ୍ରୀ ଅଟଳବିହାରୀ କରିଧଲ M.A.,L.L.B., D.S.S. ମୋର ସହଯାତ୍ରୀ ଥିଲେ । ସେ ସାହିତ୍ୟିକ । ମୋର ପରିଚୟ ପାଇ ସେ ମୋ ସଙ୍ଗରେ ସାହିତ୍ୟଚର୍ଚ୍ଚା କଲେ । ଯାହାହେଉ, ୩ ଘଣ୍ଟା ସମୟ କଟିଗଲା । ସେ ଦିଲ୍ଲୀରୁ ମଥୁରା ଯାଉଥାନ୍ତି । ମଥୁରାର ଅତିରିକ୍ତ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀ ସୁରଜଲାଲ ପ୍ରସାଦଙ୍କର ସେ ହେଉଛନ୍ତି ଜାମାତା । ମଥୁରା ରେଳଷ୍ଟେସନ୍‍ ପ୍ଲାଟଫର୍ମରୁ ବାହାରିଲାପରେ ସେ ରିକ୍‌ସାଟିଏ କରି ଯିବାକୁ ବସିଲେ । ମଥୁରାର ପଣ୍ଡାମାନଙ୍କଠାରୁ ସତର୍କ ରହିବା ପାଇଁ ସେ ମୋତେ ଉପଦେଶ ଦେଇ ବାହାରିଲେ । ମୁଁ ମଧ୍ୟ ରିକ୍‌ସାଟିଏ କରି ସହର ଓ ମନ୍ଦିର ବୁଲିବାକୁ ବାହାରିଲି । ମଥୁରା, ବୃନ୍ଦାବନ ଓ ଗୋକୁଳର ପ୍ରଧାନ ପ୍ରଧାନ ଦର୍ଶନୀୟ ସ୍ଥାନ ସେ ମୋତେ କହିଥାନ୍ତି । ପ୍ରଥମେ କେଉଁଆଡ଼େ ଯିବି ବୋଲି ମୁଁ ଭାବୁଥିଲା ସମୟରେ ସେ ହଠାତ୍ ତାଙ୍କ ରିକ୍‌ସାଟି ବୁଲାଇଆଣି ମୋତେ ସାଙ୍ଗରେ ବସାଇ ତାଙ୍କ ଶ୍ୱଶୁର ଘରକୁ ନେଇଗଲେ । ମୁଁ ମନ କରିବାରୁ ସେ ମୋତେ ବୁଝାଇଲେ ଯେ, ମଥୁରାର ପଣ୍ଡାମାନେ ବଡ଼ ଠକ । ଯାତ୍ରୀମାନଙ୍କୁ ବଡ଼ ଜୁଲୁମ କରନ୍ତି । ନିଶ୍ଚିନ୍ତରେ ଓ ନିର୍ବିଘ୍ନରେ ସେ ମୋର ଭ୍ରମଣର ସୁବନ୍ଦୋବସ୍ତ କରି ଦେବେ ବୋଲି କହି ସାଙ୍ଗରେ ଆଣିଲେ ।

 

ଷ୍ଟେସନରୁ ପ୍ରାୟ ୧ ମାଇଲ ଦୂରରେ ଡମ୍ପରନଗର । ଏଠାରେ ଶ୍ରୀ ସୁରଜଲାଲ ପ୍ରସାଦଙ୍କ ସରକାରୀ କୋଠି । ଏଠାରେ ପହଞ୍ଚିଲାବେଳକୁ ଦିନ ଦଶଟା ହେଲାଣି । ଶ୍ରୀ ସୁରଜଲାଲ ପ୍ରସାଦ କଲେକ୍ଟରିଏଟକୁ ବାହାରୁଥାନ୍ତି । ଶ୍ରୀ କରିଧଲ ତାଙ୍କ ଶ୍ୱଶୁରଙ୍କୁ ମୋର ପରିଚୟ ଦେଲେ । ଓଡ଼ିଶାର ପର୍ଯ୍ୟଟକ ବୋଲି ସେ ଶୁଣି ଆନନ୍ଦିତ ହୋଇ ଆଗେଇ ଆସି ମୋ ସହିତ କରମର୍ଦ୍ଧନ କରି ମୋତେ ସ୍ୱାଗତ ଜଣାଇଲେ । ତାଙ୍କର ସାଦର ସମ୍ଭାଷଣରେ ମୁଁ ଏକାବେଳକେ ଆତ୍ମବିସ୍ମୃତ ହୋଇପଡ଼ିଲି । ସେ ମହାଶୟ ମୋର ରହିବା ଓ ବିଭିନ୍ନ ସ୍ଥାନ ଦର୍ଶନ କରିବାର ସମସ୍ତ ବନ୍ଦୋବସ୍ତ କରିଦେଲେ । ଏ ସବୁ ଅପ୍ରତ୍ୟାଶିତ ସାହାଯ୍ୟ ଓ ସହାନୁଭୂତି ଭଗବାନଙ୍କର ଅସୀମ ଅନୁକମ୍ପା ନୁହେଁ ତ ଆଉ କଅଣ ?

ଶ୍ରୀ ଦ୍ୱାରକାଧୀଶମନ୍ଦିର:—ଏହା ମଥୁରାର ମଧ୍ୟସ୍ଥଳରେ ଅବସ୍ଥିତ । ଏ ସ୍ଥାନର ସନ୍ଧ୍ୟାକାଳୀନ ଆରତି ଓ ପୂଜା ଦେଖିବାକୁ ସହରର ଶହ ଶହ ନରନାରୀ ମନ୍ଦିରକୁ ଆସନ୍ତି । ମନନ୍ଦିରକୁ ଯିବା ପାଇଁ ରାସ୍ତା ଖୁବ୍ ଅଣଓସାରିଆ । ମଥୁରାର ସମସ୍ତ ରାସ୍ତାରେ ପ୍ରାୟ ଖଡ଼ିପଥର ବିଛା ହୋଇଥାଏ । ଦୁଇପାଖରେ ସୁନ୍ଦର ସୁନ୍ଦର ଦୋକାନ । ଘଣ୍ଟା, ମାଦଳ ଓ ଶଙ୍ଖଧ୍ୱନିରେ ମନ୍ଦିର କମ୍ପିତ ଉଠୁଥାଏ । ଶ୍ରୀ ସୁରଜଲାଲ ପ୍ରସାଦଙ୍କ ସାଙ୍ଗରେ ମୁଁ ସାନ୍ଧ୍ୟ ଆରତି ଦର୍ଶନ କରିବାର ସୁଯୋଗ ପାଇଲି ।

ଦ୍ୱାରକାଧୀଶମନ୍ଦିର ହେଉଛି ମଥୁରାର ସର୍ବପ୍ରଧାନ ମନ୍ଦିର । ଗ୍ୱାଲିୟରର ଶେଠ ଶ୍ରୀ ଗୋକୁଳାନନ୍ଦଜୀ ପରେଖ ଅଜସ୍ର ମୁଦ୍ରାବ୍ୟୟ କରି ଏହାକୁ ନିର୍ମାଣ କରାଇଥିଲେ । ପ୍ରତିଦିନ ଶ୍ରୀ ଦ୍ୱାରକାଧୀଶଜୀଙ୍କର ଆଠପ୍ରକାର ବେଶ ହୁଏ ଓ ଶ୍ରୀମଦ୍‍ଭାଗବତ ଏଠାରେ ନିୟମିତଭାବେ ପାଠ କରାଯାଏ । ପ୍ରତି ଏକାଦଶୀରାତିରେ ଏଠାରେ ରାସଲୀଳା ହୁଏ । ରାସଲୀଳା ଦେଖିବା ପାଇଁ ବହୁଲୋକ ଏଠାକୁ ଆସନ୍ତି । ଶ୍ରାବଣପୂର୍ଣ୍ଣିମା ଦିନ ମନ୍ଦିରରେ ସୁନା ହାନ୍ଦୋଳାରେ ଦ୍ୱାରକାଧୀଶ ଝୁଲନ୍ତି । ମନ୍ଦିରର ସାଜସଜ୍ଜା, ଦ୍ୱାରକାଧୀଶଙ୍କ କମନୀୟ ମୂର୍ତ୍ତି ଓ ସ୍ୱର୍ଣ୍ଣଅଳଙ୍କାର ପ୍ରଭୃତି ଦର୍ଶନୀୟ । ସନ୍ଧ୍ୟା ଆରତି ଦେଖିସାରିଲା ପରେ ମନ୍ଦିରର ଅନ୍ୟ ମୂର୍ତ୍ତି ସବୁ ଦେଖି କିଛି ସମୟ ପେରେ ଫେରିଲୁ । ମଥୁରାର ଅନ୍ୟତମ କବି ଡକ୍ଟର ବନୱାରୀ ମିଶ୍ରଙ୍କ ସହିତ ଶ୍ରୀ ସୁରଜଲାଲ ପ୍ରସାଦ ମୋର ପରିଚୟ କରାଇ ଦେଲେ । ତାଙ୍କର ଡାକ୍ତରୀ ଦୋକାନରେ ପ୍ରାୟ ୨ ଘଣ୍ଟା ହିନ୍ଦୀ ସାହିତ୍ୟ ବିଷୟରେ ସେ ମୋତେ ବହୁତ ରଚନା ଓ ତାଙ୍କର କାବ୍ୟ କବିତାମାନ ଶୁଣାଇ ଆପ୍ୟାୟିତ କଲେ । ଯାହା ହେଉ ସମୟଟି ଖୁବ୍ ଆନନ୍ଦରେ କାଟିଲି । ଓଡ଼ିଶାର ପ୍ରସିଦ୍ଧ କବିଙ୍କର କିଛି କବିତା ଶୁଣିବାକୁ ସେ ଅନୁରୋଧ କଲେ । ମୁଁ ତାଙ୍କୁ କବି ସମ୍ରାଟ୍ ଇପେନ୍ଦ୍ରଭଞ୍ଜଙ୍କ ବୈଦେହୀଶବିଳାସ, ଲାବଣ୍ୟବତୀ ଓ ସୁଭଦ୍ରାପରିଣୟର କେତେକାଂଶ ହିନ୍ଦୀରେ ବ୍ୟାଖ୍ୟା କରି ଶୁଣାଇଲି । ଓଡ଼ିଆ ସାହିତ୍ୟରେ ଏପରି ରସମୟ, ଭାବଗର୍ଭକ ଓ ଅଳଙ୍କାରପୂର୍ଣ୍ଣ କାବ୍ୟ ଅଛି ବୋଲି ଜାଣି ସେ ବିସ୍ମିତ ହେଲେ । ତାଙ୍କର କବିତା ଆବୃତ୍ତି ପରେ ସେ ତୁଳସୀ ରାମାୟଣରୁ କେତେକାଂଶ ସୁନ୍ଦର ଭାବେ ବୁଝାଇ ଆମକୁ ଶୁଣାଇଲେ । ରାତି ୯ ଟାରେ ଆମେ ଦୁହେଁ ବସାକୁ ଫେରିଲୁ ।

ମଦନମୋହନମନ୍ଦିର:—ଏହା ମଥୁରାର ଅନ୍ୟତମ ପ୍ରସିଦ୍ଧ ମନ୍ଦିର । କୃଷ୍ଣଙ୍କର କମନୀୟ ମୂର୍ତ୍ତି ଏବଂ ମନ୍ଦିରର ସାଜସଜ୍ଜା ପ୍ରଭୃତି ଖୁବ୍ ସୁନ୍ଦର । ଏତଦ୍ ବ୍ୟତୀତ ଶ୍ରୀ ଗୋବିନ୍ଦଦେବ ମନ୍ଦିର ଓ ଶ୍ରୀ ରଙ୍ଗେଶ୍ୱର ମନ୍ଦିର ପ୍ରଭୃତି ଅସଂଖ୍ୟ ମନ୍ଦିର ଏଠାରେ ବିଦ୍ୟମାନ ।

ବିଶ୍ରାମଘାଟ:—କଂସକୁ ମାରି ସାରିଲାପରେ ଶ୍ରୀକୃଷ୍ଣ ଏହି ଘାଟରେ ସ୍ନାନାଦି କାରି ବିଶ୍ରାମ କରିଥିଲେ । ଏଠାରେ ବଡ଼ ବଡ଼ କଇଁଛ ଯାତ୍ରୀଙ୍କଠାରୁ ଲିଆ ଉଖୁଡ଼ା ଖାଇବା ଲାଗି ଦଳ ଦଳ ହୋଇ କୂଳକୁ ଆସନ୍ତି । ପ୍ରଥମେ ଏମାନଙ୍କୁ ଦେଖି ମୁଁ ଭୟକରି ପାଣିରୁ ଉପରକୁ ଉଠି ଆସିଲି, ମାତ୍ର ଅନ୍ୟମାନଙ୍କୁ ଏମାନେ ବେଢ଼ି ତାଙ୍କ ହାତରୁ ଖଇଉଖୁଡ଼ା ପ୍ରଭୃତି ଛଡ଼ାଇ ଖାଉଥିବାର ଦେଖି ମୁଁ ଉପରୁ କିଛି ଖଇଉଖୁଡ଼ା କିଣି ପୁଣି ପାଣିରେ ପଶିଲି । କଇଁଛଗୁଡ଼ିକ ଆନନ୍ଦରେ ମୋତେ ବେଢ଼ିଯାଇ ମୋ ହାତରୁ ଲିଆ ଖାଇଲେ । ସକାଳେ ଓ ସନ୍ଧ୍ୟାରେ ଏଠାରେ ଖୁବ୍ ଭିଡ଼ ହୁଏ । ଶହ ଶହ ନରନାରୀ ଏଠାରେ କୀର୍ତ୍ତନ କରନ୍ତି । କାର୍ତ୍ତିକ ମାସ ଶୁକ୍ଳ ଦ୍ୱିତୀୟା ଦିନ ଏଠାରେ ସ୍ନାନ କରିବା ପାଇଁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହୁଅନ୍ତି ।

କୃଷ୍ଣଗଙ୍ଗାଘାଟ:—ଏହି ଘାଟଟି ସେପରି ଜନାକୀର୍ଣ୍ଣ ନୁହେଁ । ଯମୁନାର ପ୍ରାକୃତିକ ସୌନ୍ଦର୍ଯ୍ୟପିପାସୁ ଦର୍ଶକବୃନ୍ଦ ଏହି ଘାଟରେ ବସି ଆନନ୍ଦ ଉପଭୋଗ କରନ୍ତି । ଯମୁନାର ନୀଳଲହରୀ, ଆଖି ଅପହୁଞ୍ଚ ତରଭୁଜପଠା, ପକ୍ଷୀମାନଙ୍କର କାକଳୀ, ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତାଭ ବକ୍ରକିରଣର ପ୍ରତିଛବି, ଚକ୍ରବାକଚକ୍ରବାକୀର ସାୟଂକାଳୀନ ବିରହଜନିତ ବିଦାୟସୂଚକ ମର୍ମନ୍ତୁଦ ଚିତ୍କାର, କୂଳସ୍ଥିତ ତରୁଲତାମାନଙ୍କର ମର୍ମର ଧ୍ୱନି, ଆମ୍ରକୁଞ୍ଜରେ ଆତ୍ମଗୋପନ କରିଥିବା କୋକିଳର କୂଜନ ଓ ଦୂରରୁ ଭାସିଆସୁଥିବା ସାଧୁସନ୍ନ୍ୟାସୀମାନଙ୍କର ଶ୍ରୀକୃଷ୍ଣଭଜନାବଳୀର କ୍ଷୀଣ ସ୍ୱରଲହରୀ ଏସବୁ ଜଞ୍ଜାଳ କ୍ଲିଷ୍ଟସଂସାରୀର ଅର୍ଦ୍ଧମୃତ ଶରୀରରେ ନବଜୀବନ ସଂଚାର କରାଇ ଦିଅନ୍ତି ।

କଂସକିଲା:—ଏହା ଦ୍ୱାପର ଯୁଗର ମହାପ୍ରତାପୀ ରାଜା କଂସର ଦୁର୍ଗ ଥିଲା । ବର୍ତ୍ତମାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିଛି । କେତେକ ଐତିହାସିକଙ୍କ ମତରେ ମରହଟ୍ଟା ବଂଶର ବାଜିରାଓ ଓ ଦୁର୍ଗର ନିର୍ମାତା । ଏହି ଦୁର୍ଗ ଯମୁନାକୂଳରେ ଅବସ୍ଥିତ ଓ ବନ୍ୟା ସମୟରେ ଯମୁନାର ପ୍ରବଳ ସ୍ରୋତକୁ ନିୟନ୍ତ୍ରଣ କରେ । ଏହି ଦୁର୍ଗ ପ୍ରାଚୀରର ଗଠନ କେତେକାଂଶରେ କଟକ କାଠଯୋଡ଼ି ନଦୀତୀରସ୍ଥ ପଥରବନ୍ଧ ପରି ।

ଯାଦୁଘର:—ଏଠାରେ ପୁରାତନ ଯୁଗର ସୁନ୍ଦର ମୂର୍ତ୍ତିମାନ ଦେଖିବାକୁ ମିଳେ । ବୌଦ୍ଧଯୁଗୀୟ ବହୁ ଶିଳାଲେଖ ଏଠାରେ ରଖାଯାଇଛି । ପାଲିଭାଷାରେ ବୌଦ୍ଧଦୋହାବଳୀ ଓ ଉପଦେଶ ତଥା ବୁଦ୍ଧଙ୍କର ବିଭିନ୍ନ ଅବସ୍ଥାର ମୂର୍ତ୍ତି ଶିଳାବକ୍ଷରେ ଖୋଦିତ ହୋଇଥିବା ଦେଖାଯାଏ ।

☆☆☆

 

ବୃନ୍ଦାବନ

 

ମଥୁରାରୁ ସାଇକେଲ ରିକ୍‌ସାଟିଏ କରି ବାହାରିଲି ବୃନ୍ଦାବନ । ଏହା ମଥୁରାରୁ ୪ ମାଇଲ ଦୂର । ଯମୁନା ନଦୀ ଉପରେ ସୁନ୍ଦର ପୋଲଟି ତିଆରି ହୋଇଛି । ଏହା ଉପରେ ମଟର, ସାଇକେଲ ଓ ରିକ୍‌ସା ପ୍ରଭୃତି ଯା ଆସ କରେ । ପୋଲ ଉପରଦେଇ ରିକ୍‌ସା ଗଲାବେଳେ ଯମୁନାର ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ମିଳିଲା । ଦୁଇ କୂଳରେ ଏକର ଏକର ତରଭୁଜ, ଫୁଟି ଓ କାକୁଡ଼ି କ୍ଷେତ ।

 

ବୃନ୍ଦାବନ ଲୀଳାମୟ ଶ୍ରୀକୃଷ୍ଣଙ୍କର ଆଦରଣୀୟ ସ୍ଥାନ । ଜ୍ଞାନିଶ୍ରେଷ୍ଠ ଉଦ୍ଧବ ଏହାର ଧୂଳିକଣାକୁ ଭକ୍ତିସହକାରେ ଶିରରେ ବୋଳି କୃତାର୍ଥ ହୋଇଥିଲେ ।

 

ଜନୈକ ପ୍ରଖ୍ୟାତ ହିନ୍ଦୀକବି ରଚନା କରିଛନ୍ତି—

 

“ବୃନ୍ଦାବନ ସୋ ବନ ନହୀଂ, ନନ୍ଦ ଗାଁଓସେ ଗ୍ରାମ,

ବଂଶୀବଟସୋ ବଟ ନହୀଂ, କୃଷ୍ଣ ନାମ ସେ ନାମ ।”

 

ଏହି ଉକ୍ତି ଅକ୍ଷରେ ଅକ୍ଷରେ ସତ୍ୟ । ଏଠାକାର ପ୍ରତ୍ୟେକ ନରନାରୀ କୃଷ୍ଣପ୍ରେମଗାୟନରେ ରତ । ଭାବୁକ ଓ ଦର୍ଶକ ଏ ସ୍ଥାନର କୀଟ, ପତଙ୍ଗ, ବୃକ୍ଷ, ଲତା, ନଦୀ, ପର୍ବତ, ଫଳ, ପୁଷ୍ପ ବଣ ଓ ପାହାଡ଼ ସବୁଥିରେ ସତେ ଯେପରି ଶ୍ରୀକୃଷ୍ଣଙ୍କ ରୂପ ଦେଖନ୍ତି । ଏହାର ପବିତ୍ର ଧୂଳିକଣା ସ୍ପର୍ଶକଲେ ଭକ୍ତର ଅନ୍ତର କୃଷ୍ଣପ୍ରେମ ରସରେ ଆପ୍ଲୁତ ହୁଏ ।

 

ଶ୍ରୀ ମଦନମୋହନଜୀ ମନ୍ଦିର:—ଏହା କୌଣସି ଏକ ପଞ୍ଜାବୀ ଶେଠଙ୍କଦ୍ୱାରା ନିର୍ମିତ । ଯୁଗଳଘାଟ ଉପରେ ଏହି ମନ୍ଦିରଟି ଅବସ୍ଥିତ ଓ ଏହା ବୃନ୍ଦାବନର ଏକ ପ୍ରାଚୀର ମନ୍ଦିର । ମୂର୍ତ୍ତିର ଗଠନ ଖୁବ୍ ସୁନ୍ଦର । ମନ୍ଦିରର କେତେକାଂଶ ଭଗ୍ନ । ବିଭିନ୍ନ ମୂର୍ତ୍ତିର କାରୁକାର୍ଯ୍ୟ ଚମତ୍କାର । ରାସ୍ତାରେ ଗଲାବେଳେ ଯୁଗଳକିଶୋର ମନ୍ଦିର ଦୃଷ୍ଟିଗୋଚର ହୁଏ । ଏହା ଏକ ପ୍ରକାର ଭଗ୍ନ ଅବସ୍ଥାରେ ପଡ଼ିଛି । ଚାରିଆଡ଼େ ପ୍ରାଚୀରଗୁଡ଼ିକ ଭାଙ୍ଗିପଡ଼ିଲାଣି । ସରକାର ତଥା ସର୍ବସାଧାରଣଙ୍କର ଏଥି ପ୍ରତି ଦୃଷ୍ଟି ଦେବା ନିତାନ୍ତ ବାଞ୍ଛନୀୟ । ରାଧା ରମଣଜୀ ମନ୍ଦିରର ନିର୍ମାତା ମହାତ୍ମା ଶ୍ରୀ ଗୋପାଳ ଭଟ୍ଟା । ଚୈତନ୍ୟ ସମ୍ପ୍ରଦାୟ ବୈଷ୍ଣବମାନେ ଏଠାରେ ବାସକରନ୍ତି ଓ ଏହି ମନ୍ଦିରର ହାଲଚାଲ ବୁଝନ୍ତି । ପ୍ରଥମେ ଶାଳଗ୍ରାମ ଏଠାରେ ପୂଜିତ ହେଉଥିଲେ, କିନ୍ତୁ ବର୍ତ୍ତମାନ ମୂର୍ତ୍ତିପୂଜାର ପ୍ରଚଳନ ଏଠାରେ ହୋଇ ଅଛି । ରାଧାବଲ୍ଲଭଜୀ ମନ୍ଦିରକୁ ସ୍ୱାମୀ ଶ୍ରୀ ହରିଶ୍ଚନ୍ଦ୍ରଜୀଙ୍କ ଶିଷ୍ୟ ସୁନ୍ଦରଲାଲଜୀ ନିର୍ମାଣ କରାଇଥିଲେ । ମନ୍ଦିରଟି ମଧ୍ୟମ ଧରଣର । ମୂର୍ତ୍ତି ମନୋହର । ମନ୍ଦିର ଅଗଣାଟି ବେଶ ପରିଷ୍କୃତ ପରିଚ୍ଛନ୍ନ । ଏଠାରେ ବିଭିନ୍ନ ଯାତ ହୁଏ । ଶ୍ରୀ ବାଙ୍କବିହାରୀଜୀ ମନ୍ଦିରରେ ସ୍ୱାମୀ ଶ୍ରୀ ହରିଦାସଜୀ ନିଜ ଆରାଧ୍ୟ ଦେବତା ବାଙ୍କ ବିହାରୀଜୀଙ୍କୁ ସ୍ଥାପନ କରିଥିଲେ । ମନ୍ଦିରଟି ଖୁବ୍ ବଡ଼ ଓ ସୁନ୍ଦର । ପ୍ରତିବର୍ଷ ଅକ୍ଷୟତୃତୀୟା ଦିନ ଏଠାରେ ବହୁ ଯାତ୍ରୀଙ୍କର ସମାବେଶ ହୁଏ ଓ ବିରାଟ ମେଳା ବସେ । ଏହି ଦିନ ବର୍ଷକେ ଥରେ ମାତ୍ର ବାଙ୍କବିହାରୀଜୀ ମୁକୁଟ ଓ ବଂଶୀ ଧାରଣ କରନ୍ତି । ଶ୍ରାବଣ ପୂର୍ଣ୍ଣିମା ଦିନ ଏଠାରେ ଝୁଲଣ ଯାତ ଖୁବ୍ ଆଡ଼ମ୍ବରରେ ଅନୁଷ୍ଠିତ ହୁଏ । ଏହି ଝୁଲଣ ଯାତ୍ରା ଦର୍ଶନ କରିବା ପାଇଁ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ଆସନ୍ତି ।

 

ଶ୍ରୀରଙ୍ଗଜୀ ମନ୍ଦିର :—ପ୍ରସିଦ୍ଧ ମହାପୁରୁଷ ଶ୍ରୀ ରଙ୍ଗାଚାର୍ଯ୍ୟଙ୍କ ଉପଦେଶକ୍ରମେ ଶେଠ ଶ୍ରୀ ରାଧାକୃଷ୍ଣଜୀ ଏହି ମନ୍ଦିରକୁ ସମ୍ବତ୍ ୧୮୫୭ରେ ନିର୍ମାଣ କରାଇଥିଲେ । ବୃନ୍ଦାବନର ଏହା ସର୍ବପ୍ରଧାନ ଓ ବୃହତ୍ତମ ମନ୍ଦିର । ଏହାର ବିସ୍ତୃତ ପ୍ରାଙ୍ଗଣ, ଉଚ୍ଚ ପ୍ରାଚୀର ଓ ସାଜସଜ୍ଜା ଅତୁଳନୀୟ । ୬୫ ଲକ୍ଷ ଟଙ୍କା ବ୍ୟୟରେ ଏହି ମନ୍ଦିର ନିର୍ମିତ ହୋଇଥିଲା । ଏବେ ସୁଦ୍ଧା ମନ୍ଦିରର ପରିଚାଳନା ଲାଗି ଲକ୍ଷ ଲକ୍ଷ ଟଙ୍କାର ଜାୟଗିରୀ ଖଞ୍ଜା ଅଛି । ଏହାର ପ୍ରାଧାନ୍ୟର ଅନ୍ୟତମ କାରଣ ହେଉଛି ମନ୍ଦିରର ମୁଖଶାଳା ସମ୍ମୁଖରେ ଥିବା ସାଢ଼େବାର ମହଣ ଓଜନ ସୁନାର ସ୍ତମ୍ଭ । ଚୈତ୍ରମାସରେ ବ୍ରହ୍ମୋତ୍ସବ ଓ ପୌଷମାସରେ ବୈକୁଣ୍ଠୋତ୍ସବ ଏଠାରେ ମହା ସମାରୋହରେ ଅନୁଷ୍ଠିତ ହୁଏ । ମନ୍ଦିର ତରଫରୁ ସଂସ୍କୃତ ବିଦ୍ୟାର୍ଥୀମାନଙ୍କ ପାଇଁ ପାଠଶାଳା ଓ ଗ୍ରାସାଚ୍ଛାଦନର ବନ୍ଦୋବସ୍ଥ ଅଛି । ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାରା ନିମିତ୍ତ ସଂସ୍କୃତଜ୍ଞ ପଣ୍ଡିତମାନଙ୍କୁ ଏଠାରେ ଉପଯୁକ୍ତ ଜାୟଗିରୀ ଦିଆହୋଇ ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ କରାଯାଇଛି ।

 

ଗୋବିନ୍ଦଦେବଜୀ ମନ୍ଦିରଟି ଲାଲ ପଥରରେ ତିଆରି । ଏହା ଖୁବ୍ ଉଚ୍ଚ ଓ କାରୁକାର୍ଯ୍ୟପୂର୍ଣ୍ଣ । ଜୟପୁର (ରାଜସ୍ଥାନ)ର ରାଜ ମାନସିଂହ ଏହାର ନିର୍ମାତା । ବିଧର୍ମୀ ଆଓରଙ୍ଗଜେବ ଏହାର ଚୂଳକୁ ଭାଙ୍ଗିଦେଇ ମୂର୍ତ୍ତିକୁ ସ୍ଥାନାନ୍ତରିତ କରିଥିଲା । ପରେ ପୁଣି ତାର ପୁନରୁଦ୍ଧାର କରାଯାଇଛି ।

 

ଶାହବିହାରୀଲାଲ ମନ୍ଦିରଟି ଶଂଖ ମଲମଲ ପଥରରେ ତିଆରି । ବିଶିଷ୍ଠ ଶେଠ ଶାହବିହାରୀଲାଲ ହେଉଛନ୍ତି ଏହାର ନିର୍ମାତା । ବସନ୍ତପଞ୍ଚମୀ ଦିନ ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ । ଶ୍ରୀ ଗୋପୀନାଥଜୀ ମନ୍ଦିର ମଧୁ ନାମକ ଜନୈକ ବଙ୍ଗାଳି ଭକ୍ତ ନିର୍ମାଣ କରାଇଥିଲେ । ଶ୍ରୀକୃଷ୍ଣଙ୍କର କମନୀୟ ମୂର୍ତ୍ତିକୁ ସେ ବଂଶୀବଟରୁ ପାଇ ଆନନ୍ଦରେ ଏଠାରେ ପ୍ରତିଷ୍ଠା କରାଇଥିଲେ । ମୂର୍ତ୍ତିଟି କମନୀୟ, ମାତ୍ର ମନ୍ଦିରଟି ସାନ । ଉପର୍ଯ୍ୟୁକ୍ତ ମନ୍ଦିର ବ୍ୟତୀତ ଶ୍ରୀ ଶାଳଗ୍ରାମ ମନ୍ଦିର ଓ ଗୋପେଶ୍ୱର ମନ୍ଦିର ପ୍ରଭୃତି ଅସଂଖ୍ୟ ମନ୍ଦିର ବୃନ୍ଦାବନରେ ଦେଖିବାକୁ ମିଳେ-

 

କାଳୀଦଳନ ଘାଟ:— ପ୍ରବାଦ ଅଛି ଯେ, ଭଗବାନ୍ ଶ୍ରୀ କୃଷ୍ଣ କାଳୀୟକୁ ଏଠାରେ ଦଳନ କରିଥିଲେ । ଏହାର ଏପରି କୌଣସି ଯୁକ୍ତିଯୁକ୍ତ ପ୍ରମାଣ ମିଳେ ନାହିଁ । କାରଣ ଭାଗବତରେ ଉଲ୍ଲେଖ ଅଛି ଯେ, ଶ୍ରୀକୃଷ୍ଣ କାଳୀୟହ୍ରଦରେ କାଳୀକୁ ଦଳନ କରିଥିଲେ ।

 

ବଂଶୀବଟ:—ଶ୍ରୀକୃଷ୍ଣ ଏଠାର କଦମ୍ବ ବୃକ୍ଷରେ ବସି ମଧୁର ମୁରଲୀଧ୍ୱନି କରୁଥିଲେ ବୋଲି ବର୍ଣ୍ଣିତ ଅଛି । ଏହା ଯମୁନାକୂଳରେ ଅବସ୍ଥିତ । ଏହାର ଦୃଶ୍ୟ ଅତୀବ ମର୍ମସ୍ପର୍ଶୀ । ଏହାକୁ ‘ବସ୍ତ୍ରହରଣ’ ମଧ୍ୟ କହନ୍ତି ।

 

ଏଗୁଡ଼ିକ ବ୍ୟତୀତ ଭଜନାଶ୍ରମ, ରାମକୃଷ୍ଣ ମିଶନ୍ ସେବାଶ୍ରମ ଏବଂ ଗୁରୁକୁଳ ବିଶ୍ୱବିଦ୍ୟାଳୟ ପ୍ରଭୃତି ଏଠାରେ ଦର୍ଶନଯୋଗ୍ୟ ।

 

ବିରଳାମନ୍ଦିର:—ସହରରୁ ଏହା ୨ ମାଇଲ ଦୂର । ଶଙ୍ଖ ମଲମଲ ପଥରରେ ଏହା ନିର୍ମିତ ଓ ଏହି ମନ୍ଦିରରେ ସୁନ୍ଦର ମୂର୍ତ୍ତିଗୁଡ଼ିକ ସ୍ଥାପିତ ହୋଇଛି । ବିଶେଷତଃ ରାଧାକୃଷ୍ଣଙ୍କ ଜୀବନ୍ତ ମୂର୍ତ୍ତିର ଶୋଭା ଚିତ୍ତାକର୍ଷକ ।

☆☆☆

 

Unknown

ଗୋକୁଳ

 

ବୃନ୍ଦାବନ ବୁଲିସାରି ଗୋକୁଳ ଯିବାଲାଗି ମନ ବଳାଇଲି । ନନ୍ଦବାବା ଘର ଓ ପୁତନାମାରଣ ସ୍ଥାନ ପ୍ରଭୃତି ଦେଖିବାକୁ ଦୂରଦୂରାନ୍ତରୁ ଯାତ୍ରୀମାନେ ଏଠାକୁ ଆସନ୍ତି । ଏହା ମଥୁରା ଓ ବୃନ୍ଦାବନ ପରି ସହର ନୁହେଁ—ଛୋଟ ଗ୍ରାମଟିଏ । ପ୍ରାଚୀନ କୀର୍ତ୍ତିସକଳର ଭଗ୍ନାବଶେଷ ପଡ଼ିଛି-। ଏହିଠାରେ ଶ୍ରୀକୃଷ୍ଣଙ୍କର ବାଲ୍ୟକାଳ କଟିଥିଲା ଯଶୋଦାଙ୍କ କୋଳରେ ବଳରାମ, ସୁଦାମ ଏବଂ ମଧୁମଙ୍ଗଳ ପ୍ରଭୃତି ବାଲ୍ୟସଖାମାନଙ୍କ ସହିତ ସେ ଏହିଠାରେ ଖେଳିବୁଲି କଟାଇଥିଲେ ବାଲ୍ୟ ଓ କୈଶୋର । ଶ୍ରୀକୃଷ୍ଣ ଯେତେବେଳେ ଏଠାରୁ ଉଦ୍ଧବ ସଙ୍ଗରେ ମଥୁରା ଗଲେ, ସେତେବେଳେ ଯଶୋଦାଙ୍କର ମାତୃ ହୃଦୟ ହାହାକାର କରି ଉଠିଥିଲା—ତାଙ୍କ ନୟନର ତପ୍ତ ଅଶ୍ରୁରେ ଏହି ଦାଣ୍ଡ ସିକ୍ତ ହୋଇଥିଲା । ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା ବିଳାପ କରି ଉଠିଥିଲେ ଏହି ଦାଣ୍ଡରେ କୋଇଲିକୁ ସାକ୍ଷୀ କରି—

 

“କୋଇଲି ଲୋ କେଶବ ଯେ ମଥୁରାକୁ ଗଲା,

କାହାବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ କୋଇଲି ।

କୋଇଲି ଲୋ ଖଣ୍ଡକ୍ଷୀର ଦେବି ମୁଁ କାହାକୁ,

ଖାଇବାର ପୁତ୍ର ଗଲା ମଥୁରା ପୁରକୁ ଲୋ କୋଇଲି ।”

 

ଗୋପପୁରର ପଶୁ, ପକ୍ଷୀ, ବୃକ୍ଷ, ଲତା, ପାହାଡ଼ ଓ ପର୍ବତ ସତେ ଯେପରି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ଝୁରୁଛନ୍ତି । ଶ୍ରୀକୃଷ୍ଣ ଏଠାର ଗୋପୀଗଣ ଓ ବାଲ୍ୟସାଥୀମାନଙ୍କ ପ୍ରେମକୁ ମନେ ପକାଇ କହିଛନ୍ତି—

 

“ତୁମ କାରଣ ବୈକୁଣ୍ଠ ତଜତ ହୌଁ ଜନମ ଲେତ ବ୍ରଜ ଜାଇ”

 

ଏହି ଗୋପଦାଣ୍ଡରେ ଯଶୋଦା ଗୋଷ୍ଠବାହୁଡ଼ା ଶ୍ରୀକୃଷ୍ଣଙ୍କ ଦେହରୁ ଧୂଳି ଝାଡ଼ି ଦେଉଥିଲେ ନିଜର ପାଟକାନିରେ—ଏହି ଦାଣ୍ଡରେ ଭକ୍ତକବି ବିଲ୍ୱ ମଙ୍ଗଳ ଭଗବାନଙ୍କୁ ଦର୍ଶନ କରିବା ଲାଗି ଧୂଳିଧୂସରିତ ହୋଇ ଗଡ଼ିଥିଲେ । ଭକ୍ତକବି ସୁରଦାସ କଳ୍ପନା ବଳରେ ଏହି ସ୍ଥାନର ମହାତ୍ମ୍ୟ ଓ ଯଶୋଦାବିଳାପ ଏପରି ନିଖୁଣ ଭାବେ ଚିତ୍ରଣ କରିଛନ୍ତି ଯେ, ତାହା ଅନ୍ୟ କବିଙ୍କ ରଚନାରେ ବିରଳ । ଏହି ଦାଣ୍ଡରେ ଗୋପାଙ୍ଗନାମାନେ ଉଦ୍ଧବରଥକୁ ବେଢ଼ି ନିଜର ହୃଦୟଦେବତା ଶ୍ରୀକୃଷ୍ଣଙ୍କ ଶୁଭସମ୍ବାଦ ପଚାରିଥିବେ ଓ କୃଷ୍ଣଙ୍କୁ ମଥୁରାରୁ ଫେରାଇ ଆଣିବା ଲାଗି କେତେ କାକୁତି ମିନତି କରିଥିବେ । ଉଦ୍ଧବ ଗୋପାଙ୍ଗନାମାନଙ୍କୁ ଆଶ୍ୱାସନାବାଣୀ ଶୁଣାଇ ମଳିନମୁଖରେ ଏହି ଦାଣ୍ଡରେ ପୁଣି ଫେରିଥିବେ ମଥୁରା । ବର୍ତ୍ତମାନ ତାର ମୂକସାକ୍ଷୀ ରୂପେ ପଡ଼ି ରହିଛି କେବଳ କେତୋଟି ଅର୍ଦ୍ଧଭଗ୍ନ ଗୃହ ଓ ଜୀର୍ଣ୍ଣଶୀର୍ଣ୍ଣ ମନ୍ଦିର ।

 

ଗୋକୁଳନାଥଜୀ ମନ୍ଦିର:—ଏହା ଗୋକୁଳର ପ୍ରଧାନ ମନ୍ଦିର । ମହାତ୍ମା ଗୋକୁଳନାଥଜୀ ଏହାର ପ୍ରତିଷ୍ଠାତା । ମନ୍ଦିର ନିକଟରେ ମହାତ୍ମା ଗୋକୁଳନାଥଜୀଙ୍କ ସମାଧି ଅଛି । ଉଦ୍ଧବ ମନ୍ଦିର ଗୋକୁଳର ପ୍ରଧାନ ରାସ୍ତାଠାରୁ ପ୍ରାୟ ୧ ମାଇଲ୍ ଦୂର । ମନ୍ଦିରଟି ଭଗ୍ନାବସ୍ଥାରେ ଅଛି-। ଶ୍ରୀ ରାଜାଠାକୁର ମନ୍ଦିର ଆକାରରେ ଛୋଟ ହେଲେ ହେଁ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ । ମନ୍ଦିରର ଗଠନ ଖୁବ୍ ସୁନ୍ଦର ।

 

ଶ୍ରୀଠାକୁରାଣୀ ଘାଟ:—ଏଇଟି ଗୋକୁଳର ପ୍ରଧାନ ଘାଟ । ବଲ୍ଲଭ ସମ୍ପ୍ରଦାୟର ମୁଖ୍ୟବ୍ୟକ୍ତି ଶ୍ରୀ ବଲ୍ଲଭାଚାରୀଜୀ ଏଠାରେ ବାସ କରୁଥିଲେ । ଏଠାରେ ଅହୋରାତ୍ର ଭଜନ ଏବଂ କୀର୍ତ୍ତନ ଇତ୍ୟାଦି ଲାଗିଥାଏ । ଗୋକୁଳ ଗ୍ରାମର ଜନସଂଖ୍ୟା ପ୍ରାୟ ୩୦୦୦ । ଏଠାରେ ଯାତ୍ରୀମାନଙ୍କ ରହିବା ଲାଗି ଧର୍ମଶାଳା ତଥା ହୋଟେଲ୍ ପ୍ରଭୃତିର ସୁବନ୍ଦୋବସ୍ତ ଅଛି । ପଣ୍ତାମାନେ ଠକ, ଏଣୁ ନବାଗତ ଯାତ୍ରୀମାନଙ୍କୁ ବହୁତ ହଇରାଣ କରନ୍ତି । ଏଠାରେ ପୂତନାମାରଣ, ମାଖନଚୋରୀ ଓ ମିଟିଖାନା (ଶ୍ରୀକୃଷ୍ଣ ଯେଉଁଠାରେ ମାଟି ଖାଇଥିଲେ) ପ୍ରଭୃତି ଅଛି । ଏଠାରୁ ଗୋବର୍ଦ୍ଧନ ପର୍ବତ ୮ ମାଇଲ୍ । ଯିବାପାଇଁ ମୋଟର ଓ ବସ୍‌ର ବନ୍ଦୋବସ୍ତ ଅଛି । ସମୟ ଅଭାବରୁ ଏଠାକୁ ଗଲି ନାହିଁ ।

☆☆☆

 

ଆଗ୍ରା

 

ମଥୁରା ପରେ ଆଗ୍ରା ଯାତ୍ରା । ସକାଳ ୭ ଟା ରେ ମଥୁରାର ଅତିରିକ୍ତ ଜିଲ୍ଲାମାଜିଷ୍ଟ୍ରେଟ୍ ଶ୍ରୀ ସୁରଜ ପ୍ରସାଦ ଶ୍ରୀବାସ୍ତବ ମୋତେ ବିଦାୟ ଦେଲେ ଓ ତାଙ୍କ ପୁଅ ବେଣୀମାଧବଜୀ ମୋତେ ମୋଟର ଷ୍ଟାଣ୍ଡରେ ବଳେଇ ଦେବାକୁ ଆସିଲେ । ମଥୁରାରୁ ଏହାର ଦୂରତା ୩୬ ମାଇଲ୍ । ଦିନ ୧୦ଟାରେ ଆଗ୍ରାରେ ପହଞ୍ଚିଲି । ପ୍ରଥମେ ଆଗ୍ରାଦୁର୍ଗ ଦେଖିବାକୁ ଗଲି । ମୋଟର ଷ୍ଟାଣ୍ଡଠାରୁ ଏହା ମାତ୍ର ୧ ଫରଲଙ୍ଗ ଦୂର । ଆଗ୍ରାର ଗୌରବ କେବଳ ତାଜମହଲ ଓ ଦୁର୍ଗ ଯୋଗୁଁ । ବର୍ଷସାରା ପୃଥିବୀର ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଦର୍ଶକ କେବଳ ତାଜମହଲ ଦର୍ଶନ ଲାଗି ଭାରତକୁ ଆସନ୍ତି ।

 

ମୋଗଲ ସମ୍ରାଟ୍‍ ଆକବର ବିରାଟ ଆଗ୍ରାଦୁର୍ଗର ନିର୍ମାତା । ଜାହାଙ୍ଗିରୀ ଏହି ଦୁର୍ଗର ଅନେକ ଉନ୍ନତି ସାଧନ କରିଥିଲେ । ଶେଷରେ ବିଳାସୀ ଶାହାଜାହାନ ଏହାକୁ ଅପୂର୍ବ ସାଜସଜାରେ ପୂର୍ଣ୍ଣ କରିଦେଲେ । ତାଙ୍କ ତତ୍ତ୍ୱାବଧାନରେ ଏହା ଶଙ୍ଖମଲମଲ ପଥରରେ ତିଆରି ହେଲା । ସୂକ୍ଷ୍ମ କାରୁକାର୍ଯ୍ୟରେ ଏହା ଉଦ୍ଭାସିତ ହୋଇ ଲାଲକିଲାକୁ ସତେ ଯେପରି ଅଟ୍ଟହାସ୍ୟ କରୁଛି । ଯମୁନାର ଦକ୍ଷିଣକୂଳରେ ଏହି ଦୁର୍ଗ ଅବସ୍ଥିତ । ଏହାର ପ୍ରାସାଦ ମାଳା, ଗଗନଚୁମ୍ବୀ ଗମ୍ବୁଜଶ୍ରେଣୀ, ମଲମଲ ପଥରର ମସ୍‌ଜିଦ୍ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଦର୍ଶକକୁ ସମ୍ରାଟ୍ ଶାହାଜାହାନଙ୍କ ବିଳାସିତାର ପରିଚୟ ଦିଏ । ଶାହାଜାହାନରଙ୍କ ଦରବାରର ବିଖ୍ୟାତ ଶିଳ୍ପୀ ମହମ୍ମଦ କାଶିମ୍ ଖାଁ । ଏହାର ତତ୍ତ୍ୱାବଧାରକ ଥିଲେ ଓ ସୂକ୍ଷ୍ମ କାରୁକାର୍ଯ୍ୟର ଅଙ୍କନମାନ କରିଥିଲେ । ଏହି ନବଦୁର୍ଗ ନିର୍ମାଣରେ ହଜାର ହଜାର ମିସ୍ତ୍ରୀ ଲାଗିଥିଲେ ଏବଂ ୮ ବର୍ଷ ସମୟ ଲାଗିଥିଲା । ୩୫ ଲକ୍ଷ ଟଙ୍କା ଏଥିରେ ବ୍ୟୟିତ ହୋଇଥିଲା । ଏହାର ପରିଧି ୧୬ ମାଇଲ । ପ୍ରାଚୀର ଲାଲ ପଥରରେ ତିଆରି । ଏହି ପ୍ରାଚୀରର ଉଚ୍ଚତା ୭୦ ଫୁଟ । ଚାରି ଦିଗରେ ଚାରିଗୋଟି ପ୍ରବେଶପଥ । ଉତ୍ତର ଦିଗରେ ଦରଜା, ଦକ୍ଷିଣ ଅମରସିଂହ ଦରଜା, ପୂର୍ବରେ ସମ୍ମାନବୁର୍ଜ । ଚାରିଦିଗରେ ସୁଗଭୀର ଓ ପ୍ରଶସ୍ତ ୨ ଟି ଲେଖାଁଏ ଗଡ଼ଖାଇ । ବାହାର ଗଡ଼ଖାଇର ପ୍ରସ୍ଥ ୨୫ ଫୁଟ୍ ଏବଂ ଭିତର ଗଡ଼ଖାଇରପ୍ରସ୍ଥ ୩୦ ଫୁଟ୍ ।

 

ଦିଲ୍ଲୀଗେଟ୍ :—ଏହାର ଅନ୍ୟନାମ ହାତୀପୋଲ । ଏହାର ଦୁଇ ପାଖରେ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଦୁଇଟି ପଥରର ଗଜାରୋହି ମୂର୍ତ୍ତି । ତେଣୁ ଏହାର ନାମ ହାତୀ ପୋଲ । ଚିତୋର ଦୁର୍ଗକୁ ଜୟ କରିଥିବାର ପ୍ରତୀକ ସ୍ୱରୂପ ଚିତୋରର ରାଜା ଜୟମଲ୍ଲ ଓ ରାଜାଙ୍କ ଭାଇ ଫାଥାଙ୍କର ଅବିକଳ ପ୍ରତିମୂର୍ତ୍ତିକୁ ଆକବର ଅପମାନ ଦେବାଲାଗି ଏପରି ସ୍ଥାପନ କରିଥିଲେ । ଆଓରଙ୍ଗଜେବ ଏହି ଦୁଇ ମୂର୍ତ୍ତିକୁ ଦିଲ୍ଲୀକିଲାର ଦିବାନୀୟମ୍‌ରେ ପୋତି ପକାଇଥିଲେ । ଖ୍ରୀ: ୧୮୬୩ ରେ ଖୋଳା ଯାଇ ଏହି ଦୁଇଟି ମୂର୍ତ୍ତି ପୁଣି ଯଥାସ୍ଥାନରେ ରଖାଯାଇଛି । ଦରଜାର ଦୁଇପାଖରେ ଦୁଇଟି ଅଷ୍ଟକୋଣୀ ମଲମଲ ପଥରର ଗମ୍ଭୁଜ । ଏହି ଦୁଇଟି ଗମ୍ଭୁଜର କଳାନୈପୁଣ୍ୟ ପ୍ରଶଂସନୀୟ ।

 

ଅମରସିଂହଗେଟ୍ :– ଏହା ଶାହାଜାହାନଙ୍କର ଅନ୍ୟତମ କୀର୍ତ୍ତି । ଏହାର ଉପର ଚକ୍‍ଚକ୍ ଲାଲପଥରରେ ତିଆରି । ଯୋଧପୁର ରାଜା ଅମରସିଂହଙ୍କୁ ଏଠାରେ ହତ୍ୟା କରାଯାଇଥିଲା । ଅମରସିଂହ ଉତ୍ୟକ୍ତ ହୋଇ ଶାହାଜାହାନଙ୍କ ସାମନାରେ ତାଙ୍କ ଶଳା ଓ କୋଷାଧ୍ୟକ୍ଷ ଶଳାବତ୍ ଖାଁଙ୍କୁ ହତ୍ୟା କରି ପଳାଇଗଲା ବେଳେ ହଠାତ୍ ସମସ୍ତ ଦରଜା ବନ୍ଦ ହୋଇଗଲା । ଅମର ସିଂହ ବାଧ୍ୟ ହୋଇ ୭୦ ଫୁଟ୍ ଉଚ୍ଚ ପ୍ରୀଚୀରରୁ ଘୋଡ଼ା ସାହାଯ୍ୟରେ ଲମ୍ପ ପ୍ରଦାନ କଲେ । ଘୋଡ଼ାଟି ମାଟିରେ ପୋତି ହୋଇପଡ଼ିଲା । ଅମର ସିଂହ ବୀରଦର୍ପରେ ପଳାୟନ କଲେ, କିନ୍ତୁ ବାଟରେ ଧରାପଡ଼ି ମୃତ୍ୟୁଦଣ୍ଡ ପାଇଲେ । ଅମର ସିଂହଙ୍କର ଏତାଦୃଶ୍ ସାହସ ଓ ବୀରତାର ପ୍ରତୀକ ସ୍ୱରୂପ ଏଠାରେ ଏବେ ସୁଦ୍ଧା ପଥର ଗୋଡ଼ାଟିଏ ମାଟିଭିତରେ ଅଧାପୋତା ଅବସ୍ଥାରେ ଅଛି ।

 

ତାଜମହଲକୁ ଯିବାଲାଗି ଦୁର୍ଗଠାରୁ ଏକ ସୁନ୍ଦର ଜଳପଥ ନିର୍ମିତ ହୋଇଥିଲା । ବିଳାସୀ ଶାହାଜାହାନ ନୌକାବିହାର କରି ଦୁର୍ଗରୁ ଏଠାକୁ ପ୍ରତ୍ୟହ ସନ୍ଧ୍ୟା ସମୟରେ ଆସୁଥିଲେ । ଏହି ଜଳପଥ ଏବେ ବନ୍ଦ । ଅନେକ ସ୍ଥାନରେ ଏବେ ପୋତି ହୋଇଯାଇଛି ।

 

ନୌବତଖାନା :–ଏହା ଦିଲ୍ଲୀ ଗେଟର ଶିଖ୍‍ର ପ୍ରଦେଶରେ ନିର୍ମିତ । ସମ୍ରାଟ୍‍ ରାଜସଭାକୁ ଆସିଲାବେଳେ ଓ ରାଜସଭାରୁ ଅନ୍ତଃପୁରକୁ ଗଲା ବେଳେ ଏଠାରେ ରାଜବାଦ୍ୟ ବାଜୁଥିଲା । ସମ୍ରାଟ୍‍ଙ୍କ ଜନ୍ମ ବାରଦିନ ଏଠାରେ ଅହରହ ବାଦ୍ୟ ବାଜୁଥିଲା ।

 

ଜାହାଙ୍ଗିରୀ ମହଲଟି ସମ୍ରାଟ୍ ଜାହାଙ୍ଗିରଙ୍କ ନାମାନୁସାରେ ତିଆରି । ଏହା ଲାଲପଥରର ଏକ ଦ୍ୱିତଳ ପ୍ରାସାଦ । ଏହାର ବକ୍ରାକୃତି ଛାତ, ଗମ୍ଭୁଜ ଓ ସ୍ତମ୍ଭମାନ ଖୁବ୍ ସୁନ୍ଦର । ଏଥିରେ ବହୁବିଧ ପକ୍ଷୀ, ଲତା, ଫୁଲର ଚିତ୍ର ନିପୁଣଭାବେ ଖୋଦିତ । ଦୁର୍ଗମଧ୍ୟରେ ଏହା ସର୍ବୋତ୍କୃଷ୍ଟ ମହଲ । ଜାହାଙ୍ଗୀର ମହଲରେ ପ୍ରଥମେ ସୁନାପାତ ଦିଆଯାଇଥିଲା । ଏହାର ଲମ୍ବ ୨୯୦ ଫୁଟ ଓ ପ୍ରସ୍ଥ ୧୬୦ ଫୁଟ୍ । ଏହାର ଦୁଇକୋଣରେ ଦୁଇଟି ବିଶାଳ ଉଚ୍ଚ ଗମ୍ଭୁଜ । ମଧ୍ୟଭାଗରେ ପ୍ରବେଶପଥ ଜନାକୀର୍ଣ୍ଣ । ହଜାର ହଜାର ଦର୍ଶକ ଏଠାକୁ ଆସନ୍ତି । ଦରଜାଠାରୁ ହଲ ପର୍ଯ୍ୟନ୍ତ ଏକ ବିଶାଳ ଛାତ । ବିଶାଳତା ଓ କାରୁକାର୍ଯ୍ୟରେ ଏହା ଅନୁପମ । ମଧ୍ୟଭାଗର ଚତୁଷ୍କୋଣ ଭୂମିଟି ବର୍ଗାକାର ଏବଂ ଏହାର ବାହୁ ୭୬ ଫୁଟ୍ । ଚାରିପାଖରେ ଦୁଇତାଲା କୋଠା ଓ ପଶ୍ଚିମରେ “ଯୋଧବାଈ ମହଲ ।” ମହଲର ମଝିରେ ଜଳାଧାର । ଏହି ଜଳାଧାରର ଉଚ୍ଚତା ୫ ଫୁଟ୍, ବ୍ୟାସ ୮ ଫୁଟ୍ ଏବଂ ପରିଧି ୨୫ ଫୁଟ୍ । ତା ଭିତରେ ଓ ବାହାରେ ସୁନ୍ଦର ପାହାଚମାନ ତିଆରି । ଏହା ଖ୍ରୀ: ୧୬୧୧ ରେ ନିର୍ମିତ ବୋଲି ଐତିହାସିକମାନେ କହନ୍ତି । ଜୟପୁରର ହିନ୍ଦୁରାଜାଙ୍କ ରାଜପ୍ରାସାଦର ଅନୁକରଣରେ ଏହି ମହଲ ନିର୍ମିତ ।

 

ଶାହାଜାହାନ ମହଲ:—ଜାହାଙ୍ଗୀର ମହଲର ଏହା ଅଂଶ ବିଶେଷ । ଶାହାଜାହାନ ଏହି ଅଂଶକୁ ଅଧିକ ସୁନ୍ଦର କରି ସଜାଇଥିଲେ । ମଧ୍ୟ ପ୍ରକୋଷ୍ଠର ଲମ୍ବ ୨୦ ଫୁଟ୍ ଓ ପ୍ରସ୍ଥ ୧୬ ଫୁଟ୍ । ଚଟାଣରେ ଓ କାନ୍ଥମାନଙ୍କରେ ସୁନ୍ଦର ଚିତ୍ର । ଏହି ମହଲର ଗୋଟିଏ ପ୍ରକୋଷ୍ଠ ଯମୁନା ନଦୀଆଡ଼କୁ । ଏହାର ନାମ “ହାବାଇ ମହଲ” ବ୍ରିଟିଶ ସରକାରଙ୍କ ସମୟରେ ଏଠାରେ ଯାଦୁଘର ଖୋଲାଯାଇଥିଲା ।

 

ଖାସମହଲ:—ଏହା ଖ୍ରୀ: ୧୬୩୬ରେ ଶାହାଜାହାନ ନିର୍ମାଣ କରାଇଥିଲେ । ଏଠାରେ ତାଙ୍କର ବେଗମମାନେ ବାସ କରୁଥିଲେ । ମଲମଲ ଫଥରର ୩ ଟି ସୁନ୍ଦର ଓ ଉଚ୍ଚ ପ୍ରକୋଷ୍ଠ ଯମୁନାକୁ ଲାଗି ନିର୍ମିତ । ସବୁଠାରେ ଏହା ମଲମଲ ପଥର ଖଚିତ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟରେ ପୂର୍ଣ୍ଣ । ପୂର୍ବେ ଏହାର କାନ୍ଥ ଏବଂ ଛାତରେ ସୁନା ପାତ ଥିଲା ବୋଲି କେହି କେହି କହନ୍ତି । ମଧ୍ୟମ ପ୍ରକୋଷ୍ଠର ଲମ୍ବ ୭୦ ଫୁଟ୍, ପ୍ରସ୍ଥ ୪୦ ଫୁଟ ଓ ଏହାର ଅଗଣାର ଲମ୍ବ ଓ ପ୍ରସ୍ଥ ୯୬ ଫୁଟ୍ । ମଲମଲ ପଥରର ବୃକ୍ଷ, ଲତା, ପକ୍ଷୀ ପ୍ରଭୃତି କାରୁକାର୍ଯ୍ୟମାନଙ୍କରେ ଏହା ପୂର୍ଣ୍ଣ । ଏହାର ସ୍ତମ୍ଭ ଓ ଖିଲିଣିମାନଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ଅତୀବ ପ୍ରଶଂସନୀୟ । ଅଗଣାରେ ସୁନ୍ଦର ପୋଖରୀଟିଏ । ପୋଖରୀ ପାଖରେ ୫ ଟି ଝରଣା ଏବଂ ୩୨ଟି ନଳା ଅଛି । ଦୁଇପାଖ ପ୍ରକୋଷ୍ଠ ମଧ୍ୟ ମଲମଲ ପଥରର । ଶାହାଜାହାନଙ୍କର ପ୍ରିୟତମା କନ୍ୟା ଜାହାନ୍ ଆରା ଏଠାରେ ବାସ କରୁଥିଲେ । ଦକ୍ଷିଣ ପ୍ରକୋଷ୍ଠଟି ଲାଲପଥରରେ ତିଆରି । ଏଠାରେ ଶାହାଜାହାନଙ୍କ ଦ୍ୱିତୀୟା କନ୍ୟା ରୋଶନ-ଆରା ରହୁଥିଲେ ।

 

ଅଙ୍ଗୁରୀବାରା:—ଏହା ଖାସମହଲର ସାମନାରେ ଅବସ୍ଥିତ । ରାଣୀମାନଙ୍କ ପାଇଁ ଆକବର ଏହାକୁ ନିର୍ମାଣ କରାଇଥିଲେ । ଏହାର ୩ ପାଖ ବନ୍ଦ । ଉଦ୍ୟାନମଝିରେ ୪ଟି ମଲମଲ ପଥର ରାସ୍ତା ଏହାକୁ ସମାନ ୫ ଭାଗରେ ବିଭକ୍ତ କରୁଛି । ଏହାର କ୍ଷେତ୍ରଫଳ ୨୨୦ × ୧୧୦ ଫୁଟ । ପ୍ରତ୍ୟେକ ବିଭାଗ ଲାଲପଥରର ପ୍ରାଚୀର ଦ୍ୱାରା ଆବଦ୍ଧ । କଥିତ ଅଛି କାଶ୍ମୀରରୁ ଉର୍ବର ମୃତ୍ତିକା ଅଣାଯାଇ ଏହି ଉଦ୍ୟାନରେ ପକାଯାଇଥିଲା ।

 

ଗଡ଼ମାଣ୍ଟୁ (Underground Chamber):–ଖାସମହଲର ଦକ୍ଷିଣପୂର୍ବକୁ ଅନେକ ଗୁଡ଼ିଏ ପାହାଚ ତଳକୁ ପଡ଼ିଛି । ପ୍ରଥମେ ଏହାକୁ ଗୋଟିଏ କୂଅ ବୋଲି ଭାବିଲି, କିନ୍ତୁ କିଛିଦୂର ଗଲାପରେ ଦେଖିଲି ସୁନ୍ଦର ଘରଟିଏ । ଘରଟି ଏବେ ବନ୍ଦ । ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ଲାଗି ଆକବର ଓ ତାଙ୍କ ରାଣୀମାନେ ଏଠାରେ ଅବସ୍ଥାନ କରୁଥିଲେ । ଏହାର ନାମ “ଆମୋଦପ୍ରକୋଷ୍ଠ” ।

 

ଶୀଶମହଲ:—ଶାହାଜାହାନ ଏହାକୁ ଖ୍ରୀ: ୧୬୩୭ରେ ନିର୍ମାଣ କରାଇଥିଲେ । କାନ୍ଥର ଚାରିଆଡ଼େ ବିଭିନ୍ନ ରଙ୍ଗର କାଚ ଖଞ୍ଜା ହୋଇଥିବାରୁ ଏହାର ନାମ ‘ଶୀଶମହଲ’ । ଏହା ଅଙ୍ଗୁରୀ ବାଗର ଠିକ୍ ପୂର୍ବକୁ । ରାଣୀମାନେ ଏଠାରେ ସ୍ନାନ କରୁଥିଲେ । ଏଥିରେ ୩୮ ଫୁଟ ଲମ୍ବ ଓ ୨୭ ଫୁଟ୍ ପ୍ରସ୍ଥବିଶିଷ୍ଟ ଦୁଇଟି ପ୍ରକୋଷ୍ଠ । ମଝିରେ ମଲମଲ ପଥରର ଗୋଟିଏ ଲେଖାଁଏ ଜଳାଶୟ । ଉଷ୍ଣ ଓ ଶୀତଳ ଜଳଧାରା ଏଠାରେ ସ୍ନାନ ଲାଗିଥିଲା । ଶାହାଜାହାନ ଏହାର କାନ୍ଥରେ ସୁନାର ଲତାଗୁଡ଼ିକ ଖଞ୍ଜିଥିଲେ । ସୁବାସିତ ଜଳ ଓ ଗୋଲାପଜଳ ଲାଗି ସ୍ୱତନ୍ତ୍ର ପାଣିଝରୀର ବନ୍ଦୋବସ୍ତ ସେତେବେଳେ ଥିଲା ।

 

ସମାନବୁର୍ଜ:—ଜାହାଙ୍ଗୀରଙ୍କ ପ୍ରିୟତମା ପତ୍ନୀ ନୁରୁଜାହାନଙ୍କ ଅନୁରୋଧ କ୍ରମେ ଏହା ନିର୍ମିତ ହେଲା । ମୂଲ୍ୟବାନ ଧାତୁରେ କାରୁକାର୍ଯ୍ୟ ଏଥିରେ ଖଚିତ ହୋଇଥିଲା । ତାଙ୍କପରେ ଶାହାଜାହାନଙ୍କ ପତ୍ନୀ ମମତାଜମହଲ ଏଥିରେ ବାସ କଲେ । ଏହା ଏକ ଅଷ୍ଟକୋଣୀ ମହଲ । ଉପର ମହଲାର ଉଚ୍ଚ ଗମ୍ଭୁଜ ଅତୀବ ରମଣୀୟ । ମଧ୍ୟ ପ୍ରକୋଷ୍ଠ ୪୪ ଫୁଟ୍ ଲମ୍ବ ଓ ୩୩ ଫୁଟ୍ ଚୌଡ଼ା । ଦକ୍ଷିଣକୁ ୨୮ ଫୁଟ ଲମ୍ବ ଓ ୨୪ ଫୁଟ୍ ପ୍ରସ୍ଥର ଅନ୍ୟ ଦୁଇଟି ପ୍ରକୋଷ୍ଠ । ଶାହାଜାହାନ ଏଠାରେ ବନ୍ଦୀ ଅବସ୍ଥାରେ ରହି କାନ୍ଥରେ ଥିବା ୧ ଇଞ୍ଚ ଚୌଡ଼ା ଓ ୫ ଇଞ୍ଚ ଲମ୍ବ କାଚରେ ନିଜ ପ୍ରିୟତମା ପତ୍ନୀଙ୍କର ସମାଧିକୁ ଦେଖୁଥିଲେ । ଏହି କାଚଟି ଏପରି କୌଶଳରେ କାନ୍ଥରେ ଖଚିତ ଯେ, ଦୀର୍ଘ ୧୬ ମାଇଲ ଦୂରରେ ତାଜମହଲର ପୂର୍ଣ୍ଣ ଛବି ଏଠାକୁ ଦେଖାଯାଉଥିଲା । ଶାହାଜାହାନଙ୍କ ଅନୁରୋଧ କ୍ରମେ ଆଓରଙ୍ଗଜେବ ଏହି କାଟକୁ ଏଠାରେ ଖଞ୍ଜାଇ ଦେଇଥିଲେ । ବନ୍ଦୀ ଶାହାଜାହାନ ଏହି କାଚରେ ତାଜମହଲକୁ ଦେଖୁଁ ଦେଖୁଁ ୧୬୬୬ ଡିସେମ୍ବର ମାସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

 

ଦିବାନୀଖାସ୍:—ଶାହାଜାହାନ ଏହାକୁ ଖ୍ରୀ: ୧୬୩୭ରେ ନିର୍ମାଣ କରାଇଥିଲେ ବୋଲି ପାର୍ସିଭାଷାରେ ଲିଖିତ ଏକ ଶିଳାଲେଖରୁ ଅନୁମିତ ହୁଏ । ରାଜପୁତ ଓ ଅନ୍ୟ ସୁବାଦାରମାନଙ୍କ ସହିତ ସମ୍ରାଟ ଏଠାରେ ଗୁପ୍ତ ମନ୍ତ୍ରଣା କରୁଥିଲେ । ମନ୍ତ୍ରୀମାନେ ମଧ୍ୟ ଏଠାରେ ସମ୍ରାଟଙ୍କ ସହ ରାଜ୍ୟର ଶାସନସମ୍ବନ୍ଧୀୟ ଆଲୋଚନା କରୁଥିଲେ । ଦର୍ଶନ-ପ୍ରକୋଷ୍ଠଟି ଖୁବ୍‍ ବଡ଼ । ଏହାର ଲମ୍ବ ୭୩ ଫୁଟ୍ ଓ ପ୍ରସ୍ଥ ୩୩ ଫୁଟ୍ । ବାହାର ପଟର ଲମ୍ବ ୪୦ ଫୁଟ୍, ଭିତର ପାଖର ଲମ୍ବ ୨୬ ଫୁ୍ଟ୍ । ଶାହାଜାହାନଙ୍କ ଆଦେଶରେ ଏଥିରେ ମଣୁମୁକ୍ତା ପ୍ରଭୃତି ଖଚିତ ହୋଇଲା । ବାରଟି କାରୁକାର୍ଯ୍ୟପୂର୍ଣ୍ଣ ସ୍ତମ୍ଭ ଉପରେ ଏହି ପ୍ରକୋଷ୍ଠଟି ଅବସ୍ଥିତ । ସ୍ତମ୍ଭଗୁଡ଼ିକ ବିଭିନ୍ନ ରଙ୍ଗର କାଚରେ ଖଚିତ । ସମ୍ରାଟ୍ ଶାହାଜାହାନଙ୍କ ଅମଳରେ ସୁନା, ମଣି, ଓ ମୁକ୍ତା ପ୍ରଭୃତି ଏଥିରେ ଖଚିତ ହୋଇଥିଲା । ଏହା ପାରସୀୟ କଳାରେ ପୂର୍ଣ୍ଣ । ସାମାନାରେ ଏକ ଛୋଟ ଅଗଣା । ଏହି ଅଗଣାର ଲମ୍ବ ୧୧୬ଫୁଟ୍, ପ୍ରସ୍ଥ ୮୨ ଫୁଟ୍ । ଏଥିରେ କଳା ମୁଗୁନି ପଥର ଧଳା ମଲମଲ ପଥରର ଦୁଇଟି ସିଂହାସନ ସ୍ଥାପିତ । କଳା ମୁଗୁନି ପଥରର ସିଂହାସନଟି ଖଣ୍ଡିଏ ମାତ୍ର ପଥରର କଟାଯାଇଛି । ୧୫ ଫୁଟ୍ ଉଚ୍ଚ ମଲମଲ ବେଦୀ ଉପରେ ଏହା ଅବସ୍ଥିତ । ଧଳା ମଲମଲ ପଥରର ସିଂହାସନରେ ବସି ସମ୍ରାଟ ସାମନାରେ ଥିବା ପୁଷ୍କରିଣୀର ଶୋଭା ଦେଖିୁଥିଲେ । ମତ୍ସ୍ୟଭବନ ଦିବାନିଖାସର ସାମନାରେ ଅବସ୍ଥିତ ଏହାର ଲମ୍ବ ୧୬୪ ଫୁଟ୍ ଓ ପ୍ରସ୍ଥ ୧୩୬ ଫୁଟ୍ । ସମ୍ରାଟ୍ ଏଥିରେ ମତ୍ସାପାଳନ କରିଥିଲେ । ମଲମଲ ପଥରର ପାହାଚ ପରିବେଷ୍ଚିତ ଜଳାଶୟଟି ସୁନ୍ଦର ଦେଖାଯାଏ-। ସମ୍ରାଟ୍ ଓ ବେଗ୍‍ମମାନେ ଏଠାରେ ନୈଶ-କ୍ରୀଡ଼ା କରୁଥିଲେ । ନଗୀନା ମସ୍‌ଜିଦ୍ ମତ୍ସ୍ୟଭବନର ଉତ୍ତର ପୂର୍ବ କୋଣରେ ଅବସ୍ଥିତ । ଏହା ଧଳା ମଲମଲ ପଥରରେ ତିଆରି । ପୂର୍ବେ ଏଥିରେ ବହୁ ମଣିମୁକ୍ତା ଖଚିତ ହୋଇଥିଲା । ଏହାକୁ ଆଓରଙ୍ଗଜେବ ଖ୍ରୀ: ୧୬୫୮ରେ ନିର୍ମାଣ କରିଥିଲେ-। ଶାହାଜାହାନ ବନ୍ଦୀ ଅବସ୍ଥାରେ ଥିଲାବେଳେ ତାଙ୍କୁ ମୋତି ମସଜିଦ୍‌କୁ ଯିବାଲାଗି ଅନୁମତି ଦିଆଯାଇ ନ ଥିଲା । ତେଣୁ ସେ ଏହି ନାଗୀନା ମସଜିଦ୍‌କୁ ଉପାସନା କରିବା ପାଇଁ ଯାଉଥିଲେ-। ଏହାର ଉଭୟପାର୍ଶ୍ୱରେ ମଲମଲ ପଥରର ସୁନ୍ଦର ରାସ୍ତା । ଏହାର ଉତ୍ତର-ପଶ୍ଚିମ କୋଣର ଏକ ପ୍ରକୋଷ୍ଠରେ ଶାହାଜାହାନ ବନ୍ଦୀ ଥିଲେ ।

 

ମୋତି ମସ୍‌ଜିଦ୍‌:—ଭାରତର ମସ୍‌ଜିଦ୍‍ମାନଙ୍କରେ ଦିଲ୍ଲୀର ଜୁମାମସ୍‌ଜିଦ୍ ଆକାରରେ ବୃହତ୍ତମ ହେଲେ ହେଁ କାରୁକାର୍ଯ୍ୟ ଓ ସୂକ୍ଷ୍ମକଳାରେ ଆଗ୍ରାର ମୋତିମସ୍‌ଜିଦ୍ ଅଦ୍ୱିତୀୟ । ଧଳା ମଲମଲ ପଥର ଉପରେ ଲାଲ ପଥରର ରେଖା ଉଜ୍ଜ୍ୱଳତର ଦେଖାଯାଏ । ସାତଟି ବକ୍ରାକୃତି ଖିଲିଣିର କାରୁକାର୍ଯ୍ୟ ଅତୀବ ଚିତାକର୍ଷକ । ଦୁଇପାଖର କାରୁକାର୍ଯ୍ୟପୂର୍ଣ୍ଣ ମାର୍ବଲ ପରଦାର ଅନ୍ତରାଳରେ ରାଜପ୍ରସାଦ ମହିଳାମାନେ ପ୍ରାର୍ଥନା କରନ୍ତି । ପ୍ରତ୍ୟେକ ସ୍ଥାନରେ ଧଳା, ଲାଲ୍, ନୀଳ ଓ ହଳଦିଆ ପ୍ରଭୃତି ବିଭିନ୍ନ ରଙ୍ଗର ମାର୍ବଲ ପଥର ସୁନ୍ଦରଭାବେ ଖଚିତ । ୩ଟି ଉଚ୍ଚ ଗମ୍ବୁଜ ଏହାର ଶୋଭାକୁ ଦ୍ୱିଗୁଣିତ କରେ । ଶାହାଜାହାନ ଏହାକୁ ଖ୍ରୀ: ୧୬୬୫ ରେ ଆରମ୍ଭ କରିଥିଲେ । ଏହାର କାନ୍ଥ ପୂର୍ବରୁ ପଶ୍ଚିମକୁ ୨୩୪ ଫୁଟ୍ ଏବଂ ଉତ୍ତରରୁ ଦକ୍ଷିଣକୁ ୧୮୮ ଫୁଟ୍ । ପ୍ରାଙ୍ଗଣର କ୍ଷେତ୍ରଫଳ ୧୫୯ ଫୁଟ୍ × ୧୫୬ ଫୁଟ୍ । ଏହାର ମଧ୍ୟଭାଗରେ ଏକ ବର୍ଗାକୃତି ଜଳାଧାର । ପ୍ରତ୍ୟେକପାଖ ୩୭ ଫୁଟ୍ ୬ ଇଞ୍ଚ । ଏହା ମଲମଲ ପଥରର । ଏଥିରେ ପାଣିଝରି ଖଞ୍ଜା ଯାଇଛି । ଏଠାରେ ଅଷ୍ଟକୋଣବିଶିଷ୍ଟ ୪ ଫୁଟ୍ ଉଚ୍ଚର ମଲମଲ ପଥରସ୍ତମ୍ଭ ବିଦ୍ୟମାନ । ମସ୍‌ଜିଦ୍ ଆଭ୍ୟନ୍ତରୀଣ କ୍ଷେତ୍ର ଲମ୍ବ ୧୬୦ ଫୁଟ୍ ଓ ପ୍ରସ୍ଥ ୫୬ ଫୁଟ୍ । ଚତୁଷ୍କୋଣବିଷିଷ୍ଟ ସ୍ତମ୍ଭମାନଙ୍କ ଦ୍ୱାରା ଏହା ୩ ଟି ସମାନ ଭାଗରେ ବିଭକ୍ତ । ପ୍ରତ୍ୟେକ ଅଂଶରେ ୧୯୦ ଜଣ ଉପାସନା କରିବା ପାଇଁ ସ୍ଥାନ ଅଛି । ମସଜିଦ୍‌ର ୩ଟି ଅଂଶରେ ଏକ ସଙ୍ଗରେ ୫୭୦ ଜଣ ଉପାସନା କରିପାରିବେ । ଦୁଇପାଖର ପ୍ରକୋଷ୍ଠମାନଙ୍କରେ ମହିଳାମାନେ ଉପାସନା କରନ୍ତି । ଏହାର ନିର୍ମାଣରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଧଳା ମଲମଲ ପଥର ଉପରେ ହଳଦିଆ ପୁଟ ଖୁବ୍ ସୁନ୍ଦର ଦେଖାଯାଏ । ସବୁପାଖର ଦୃଶ୍ୟ ଅତୀବ ରମଣୀୟ । ମନୋରମ କାରୁକାର୍ଯ୍ୟରେ ଏହା ପୂର୍ଣ୍ଣ ।

 

ଦିବାନିଅମ:—ଆକବର ପ୍ରଜାମାନଙ୍କୁ ଦର୍ଶନ ଦେବାଲାଗି ପ୍ରଥମେ ଏହାକୁ ଲାଲ ପଥରରେ ନିର୍ମାଣ କରିଥିଲେ । ପରେ ଶାହାଜାହାନ ଏହାକୁ ମଲମଲ ପଥରରେ ତିଆରି କଲେ । ସେ ଏହାର ସ୍ତମ୍ଭ, ଖିଲିଣି, ବକ୍ରାକୃତି ଛାତ ଓ ଉପର ଛାତ ପ୍ରଭୃତିକୁ ନୂତନ ରୂପରେଖ ଦେଲେ । ଏହାର କ୍ଷେତ୍ରଫଳ ୫୦୦ ଫୁଟ × ୭୦ ଫୁଟ । ୬ଟି ଲାଲପଥର-ପାହାଚବିଶିଷ୍ଟ ମଣ୍ଡପ ଉପରେ ଏହା ପ୍ରତିଷ୍ଠିତ । ସମ୍ରାଟ ଏଠାରେ ପ୍ରଜାମାନଙ୍କର ଆପତ୍ତି ଅଭିଯୋଗ ଶୁଣି ରାୟ ଦେଉଥିଲେ । ଏହାର ମେଜିଆ ମୋଜାଇକ୍ ପଥରରେ ତିଆରି । ଉଚ୍ଚର ପାର୍ଶ୍ୱର ପ୍ରାଙ୍ଗଣ ଉତ୍ତରରୁ ଦକ୍ଷିଣକୁ ୨୦୦ ଫୁଟ ଓ ପୂର୍ବରୁ ପଶ୍ଚିମକୁ ୭୦ ଫୁଟ୍ । ଦର୍ଶନ ଦରବାଜା ମୋତି ମସ୍‌ଜିଦ୍‌ର ସମୀପରେ ଅବସ୍ଥିତ । ସମ୍ରାଟ ଏଥିରେ ଠିଆହୋଇ ପ୍ରତିଦିନ ସକାଳେ ପ୍ରଜାମାନଙ୍କୁ ଦର୍ଶନ ଦେଉଥିଲେ ଓ ସେମାନଙ୍କର ଅଭିବାଦନ ଗ୍ରହଣ କରୁଥିଲେ । ହସ୍ତୀ, ମହିଷ ଓ ଷଣ୍ଢ ଲଢ଼େଇ ମଧ୍ୟ ଏହାର ସମ୍ମୁଖସ୍ଥ ପ୍ରାଙ୍ଗଣରେ ହେଉଥିଲା । ସମ୍ରାଟ୍ ସାମୟିକ ଆନନ୍ଦ ଉପଭୋଗ କରିବା ନିମିତ୍ତ ଏହି ଦର୍ଶନ ଦରବାଜାରେ ରହି ଲଢ଼େଇ ଦେଖୁଥିଲେ ।

 

ତାଜମହଲ:—ଭାରତକୁ ପ୍ରତିବର୍ଷ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ପରିଦର୍ଶକମାନେ କେବଳ ତାଜମହଲ ଦେଖିବା ପାଇଁ ଆସନ୍ତି । ଶିଳ୍ପନୈପୁଣ୍ୟ ଏଥିକେ ପୂର୍ଣ୍ଣ ମାତ୍ରାରେ ପ୍ରତିଫଳିତ । ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଏହା ଅନ୍ୟତମ । ବିଳାସୀ ସମ୍ରାଟ୍ ଶାହାଜାହାନ କୀର୍ତ୍ତିରାଜି ମଧ୍ୟରେ ଏହା ସର୍ବଶେଷ । କେହି କେହି ପରିଦର୍ଶକ ଏହାକୁ ‘ସ୍ୱପ୍ନ ମହଲ’ ବୋଲି କହନ୍ତି । ପ୍ରିୟତମା ପତ୍ନୀ ମମତାଜମହଲଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ବିଳାସୀ ପତ୍ନୀପ୍ରେମୀ ଶାହାଜାହାନଙ୍କ ଏହାକୁ ନିର୍ମାଣ କରାଇଲେ । ପ୍ରିୟତମା ପତ୍ନୀଙ୍କର ଅନ୍ତିମ ଅନୁରୋଧ ରକ୍ଷାକରି ସେ ଆଉ ଦ୍ୱିତୀୟବାର ଦାରପରିଗ୍ରହ କଲେ ନାହିଁ ଓ ତାଙ୍କରି ସ୍ମୃତିକୁ ପୃଥିବୀ ବିଖ୍ୟାତ କଲେ । ଜନୈକ ବିଦେଶୀ ପରିଦର୍ଶକ ମତ ଦିଅନ୍ତି, “Go to India, the Taj alon is well worth of the journey” ଧଳା ମଲମଲ ପଥରରେ ଏହାର ସମସ୍ତ ଅଂଶ ନିର୍ମିତ । ପ୍ରଥମେ ହୀରା, ମୋତି, ମାଣିକ୍ୟ ଓ ସୁନା ପ୍ରଭୃତି ମୂଲ୍ୟବାନ ଧାତୁରେ ଏହା ନିର୍ମିତ ହୋଇଥିଲା । ପରଧନଲୋଲୁପ ଇଂରେଜ ସରକାର ଏଥିରୁ ମୂଲ୍ୟବାନ୍ ଧାତୁ କାଢ଼ିନେଇ ସେ ସ୍ଥାନମାନଙ୍କରେ ରଙ୍ଗୀନ କାଚ ଖଞ୍ଜିଥିଲେ । ତଥାପି ତାର ଶୋଭା ଅତୁଳନୀୟ । ୨୦ ହଜାର ଶିଳ୍ପୀ ୨୨ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ଏହାକୁ ନିର୍ମାଣ କରିଥିଲେ । ଏଥିରେ ୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

 

ତାଜମହଲର ପ୍ରଧାନ ଦରଜାଟି ୩ ତାଲା ବିଶିଷ୍ଟ । ଏହାର ଖିଲିଣି ଓ କାନ୍ଥମାନଙ୍କରେ ମଲମଲ ପଥରର ସୂଚୀକାର୍ଯ୍ୟ ଦେଖିଲେ କୋଣାର୍କକୁ କ୍ଷଣକ ପାଇଁ ଭୁଲି ହୋଇଯାଏ ଓ ମନେ ହୁଏ କୋଣାର୍କ ଏହାଠାରୁ ଅନେକାଂଶରେ ନ୍ୟୂନ, ମାତ୍ର କୋଣାର୍କପାଖକୁ ଗଲେ ତାଜମହଲ ବିସ୍ମୃତ ହୁଏ । ସୌନ୍ଦର୍ଯ୍ୟର କି ବୈଚିତ୍ର୍ୟ ! ଲାଲ ପଥରର ଏକ ବିଶାଳାୟନ ବିଶିଷ୍ଟ ବେଦୀ ଉପରେ ଏହା ନିର୍ମିତ । ଏଠାରେ କଳା ମୁଗୁନି ପଥରରେ କୋରାନ୍‌ର ପାଠମାନ ଖୋଦିତ ହୋଇଛି । ମଧ୍ୟଭାଗରେ ଦୁଇଟି ଦ୍ୱାର । ଏହିଠାରୁ ତାଜମହଲ ଯାଏ ରାସ୍ତା ପଡ଼ିଛି । ରାସ୍ତାଟି ମଧ୍ୟ ମଲମଲ ପଥରର । ଏଥିରେ ବିଭିନ୍ନ ରଙ୍ଗର ମଲମଲ ପଥର ଖଞ୍ଜା ହୋଇଛି । ଦୁଇପାଖରେ ଜଳାଧାର । ତହିଁରେ ତମ୍ବାର ପାଣିଝରୀରୁ ପାଣି ଝର ଝର ହୋଇ ବିଭିନ୍ନ ଦିଗକୁ ପଡ଼ିବାର ଦୃଶ୍ୟ ଅତୀବ ରମଣୀୟ । ରକ୍ତ ଓ ନୀଳ କଇଁ ଫୁଲରେ ଜଳାଧାର ଦୁଇଟି ପରିପୂର୍ଣ୍ଣ । ଅସ୍ତକାଳୀନ ସୂର୍ଯ୍ୟଙ୍କର କିରଣ ଏଥିରେ ପଡ଼ି ଏକ ଅନିର୍ବାଚନୀୟ ସୁଷମା ସୃଷ୍ଟି କରେ । ଏସବୁ ସ୍ୱଚକ୍ଷୁରେ ଦେଖିବାର କଥା–କଳ୍ପନା ବା ବର୍ଣ୍ଣନାର ବହୁ ଦୂରରେ । ଦୁଇପାଖରେ ମୃତ୍ୟୁ ଓ ଦୁଃଖ ସୂଚକ Cyprus ଗଛ ଗୁଡ଼ିଏ ଦୁଇଧାଡ଼ିରେ ଲଗାଯାଇଛି । ଉପର ଧାଡ଼ିଟି ମଲମଲ ପଥର ଓ ତଳ ଧାଡ଼ିଟି ଲାଲ ପଥରର । ଉପର ମାର୍ବଲ ପଥର ଚେସ୍‍ ବୋର୍ଡ଼ ଆକାରରେ ତିଆରି । ଏହାର କ୍ଷେତ୍ରଫଳ ୩୧୩ ବର୍ଗଫୁଟ । କଳା ଓ ଧଳା ମଲମଲ ପଥରର ବିଚିତ୍ର ସମ୍ମିଶ୍ରଣରେ ଏହାର ଶୋଭା ଅନେକ ଗୁଣିରେ ବଢ଼ିଯାଇଛି । ତାଜମହଲର ଭିତର ଦରଜା ବକ୍ରାକୃତି । କୋରାନ୍‍ପାଠମାନେ ଏଥିରେ ଖୋଦିତ । ଏହି ପ୍ରବେଶପଥ ନିକଟରେ ଅଷ୍ଟକୋଣବିଶିଷ୍ଟ ମଧ୍ୟଭାଗର ପ୍ରକୋଷ୍ଠ ଉପରେ ଏକ ସୁନ୍ଦର ଓ ଉଚ୍ଚ ଗମ୍ଭୁଜ । ମମତାଜମହଲଙ୍କ କବରକୁ ଲାଗି ଶାହାଜାହାନଙ୍କ କବର । ଯମୁନାର ଠିକ୍ କୂଳରେ ଏହା ଥିବାରୁ ଏହାର ସମସ୍ତ ପ୍ରତିଛାୟା ଯମୁନାର ନୀଳଜଳରେ ଉଦ୍ଭାସିତ ହୋଇଉଠେ-। ଦୁଇଟିଯାକ କବର ମଲମଲ ପଥରର ଏବଂ ଏଥିରେ ମୂଲ୍ୟବାନ୍ ଧାତୁ ଓ ପଥରର କାରୁକାର୍ଯ୍ୟ ଚମତ୍କାର । ଉପରେ ଅଷ୍ଟକୋଣାକୃତି ବାଡ଼ା । ବାଡ଼ାଟିର କାରୁକାର୍ଯ୍ୟ ଅବର୍ଣ୍ଣନୀୟ । ଏହି ବାଡ଼ାର ଚାରିପଟେ ବୁଲି ବୁଲି କବରର ସମସ୍ତ ଅଂଶ ଦେଖିଲି । ଚାରିଧାରରେ ରଙ୍ଗୀନ୍ ମୋଜାଇକ୍ ପଥରର ଧାରରେ ଫୁଲ ଓ ଲତାମାନ ଖୋଦିତ । ପ୍ରକୃତ କବର ଏହାର ଠିକ୍ ନିମ୍ନଭାଗରେ-। ଏଥିରେ ଶାହାଜାହାନ ଓ ମମତାଜମହଲଙ୍କ ନଶ୍ୱର ଶରୀରକୁ ଭୂମିଗର୍ଭରେ ପୋତା ଯାଇଛି-। ଏଠାକୁ ଯିବାଲାଗି ତଳକୁ ପାହାଚ ଅଛି । ତାଜମହଲ ଚାରିକୋଣରେ ଚାରିଗୋଟି ଉଚ୍ଚ ଗମ୍ଭୁଜ ଓ ତା ଉପରକୁ ଯିବାଲାଗି ଗମ୍ଭୁଜ ମଝିରେ ପାହାଚ ଅଛି । ଅତିଶୟ କ୍ଲାନ୍ତି ମୋତେ ଏହାର ଉପରକୁ ଯିବାରୁ ବଞ୍ଚିତ କଲା ।

 

ଦୁଇଟି ପ୍ରଣୟୀ ଓ ପ୍ରଣୟିନୀ ଆଜି ଇହ ଜଗତରେ ନାହାନ୍ତି ସତ, କିନ୍ତୁ ସେ ଦୁହିଁଙ୍କର ଅମର ପ୍ରେମର ପ୍ରତୀକରୂପେ ଆଜି ଦିଗ୍‍ବିଦିଗ୍‌ରେ ବିଜୟ ବୈଜୟନ୍ତୀ ଉଡ଼ାଇ ଦଣ୍ଡାୟମାନ ହୋଇଛି ଏହି ତାଜମହଲ ।

☆☆☆

 

ଫତେପୁର ଶିକ୍ରୀ

 

ଆଗ୍ରାରୁ ଫତେପୁର ଶିକ୍ରୀର ଦୂରତା ୨୪ ମାଇଲ । ଆଗରୁ ଫତେପୁରଶିକ୍ରୀ ବିଷୟରେ ଇତିହାସରୁ ପଢ଼ିଥିଲି । ତାଜମହଲ ଦେଖି ଫେରିବା ସମୟରେ ବହୁଦର୍ଶକଙ୍କଠାରୁ ଏହାର ଐତିହାସିକ ବିଶେଷତ୍ୱ ଶ୍ରବଣ କରି ଏଠାକୁ ଯିବାଲାଗି ମୋର ଇଚ୍ଛା ବଳବତୀ ହୋଇ ଉଠିଲା । ମୋଟର ଯୋଗେ ଦିନ ୧୦ଟାରେ ଯାଇ ପ୍ରାୟ ଦେଢ଼ ଘଣ୍ଟାରେ ଏଠାରେ ପହଞ୍ଚିଲି । ଭୀଷଣ ଖରା । ଏହା ଏକ ମରୁଭୂମି ପରି ମୋର ମନ ହେଲା । କ୍ଷୁଦ୍ର ଗ୍ରାମଟିଏ ଦୁର୍ଗ ପାଖରେ ଅବସ୍ଥିତ । ଅଳ୍ପକେତୋଟି ଖାଇବା ଦୋକାନ ଓ ବିଶ୍ରାମାଗାର । ବୃକ୍ଷଲତା ସେପରି କିଛି ନାହିଁ । ଝାଇଁ ଝାଇଁ ଖରାରେ ତାଳୁ ଫାଟିଗଲା ପରି ଜଣାଯାଉଥାଏ । କିଛି ସମୟ ବିଶ୍ରାମ ନେଇ ଦୁର୍ଗକୁ ଗଲି । ଏହି ବିଶାଳ ଦୁର୍ଗ ଏକ ପାହାଡ଼ର ଶୀର୍ଷଦେଶରେ ଅବସ୍ଥିତ ।

 

ଭାରତର ଚାରିଆଡ଼େ ମୋଗଲ ସାମ୍ରାଜ୍ୟ ବିସ୍ତାର ପରେ ଆକବର ଏହାକୁ ନିର୍ମାଣ କରିଥିଲେ । ଫତେପୁରଶିକ୍ରୀର ଅର୍ଥ “ବିଜୟ-ନଗର” । ସୁପ୍ରସିଦ୍ଧ ଇଂରେଜ ଲେଖକ ତଥା ଭାରତ ଭ୍ରମଣକାରୀ ଆଲଡ଼କ୍‌ସ ହକ୍‌ସଲି (Aldous Huxley) ତାଙ୍କର Passge of Indiaରେ ଏହା ବିଷୟରେ ଲେଖିଛନ୍ତି—

 

“ଆକବର୍ ଏହି ଲାଲା ନଗରୀକୁ ଯେଉଁ ଅବସ୍ଥାରେ ତ୍ୟାଗ କରିଥିଲେ ତାହା ଏବେ ସୁଦ୍ଧା ସେହି ଅବସ୍ଥାରେ ଦିବ୍ୟମାନ । ମୋଗଲ ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ସମ୍ରାଟ୍‍ ଆକବର ହିନ୍ଦୁ କାରୁକାର୍ଯ୍ୟ ଓ ସୂକ୍ଷ୍ମକଳାର ପୃଷ୍ଟପୋଷକ ଥିଲେ ଏବଂ ତାଙ୍କର ଏହି ରାଜଧାନୀର କାରୁକାର୍ଯ୍ୟ ତଥା ସ୍ଥାପତ୍ୟ ହିନ୍ଦୁକଳାକାରର କଳା ନୈପୁଣ୍ୟ ଓ ପ୍ରତିଭାର ପରିଚୟ ଦିଏ ଏବଂ ତାର ଚିନ୍ତାର ମହତ୍ତ୍ୱ ପ୍ରତିପାଦନ କରେ । ପୁଣି ଯୁଗୋପଯୋଗୀ କଳାର ଲୋକପ୍ରିୟତା ତଥା ଅଶେଷ ଭାବନାର ମହତ୍ତ୍ୱ ପ୍ରତିପାଦନ କରେ । ଏହି ଫତେପୁର ଶିକ୍ରୀ ବା ‘ବିଜୟନଗରୀ’ରେ ଆକବର ଜଳର ଏକାନ୍ତ ଅଭାବ ଉପଲବଧି କରି ଏହାକୁ ଚଉଦ ବର୍ଷ ପରେ ପରିତ୍ୟାଗ କଲେ । ଏହାର ସାତ ମାଇଲ୍ ପରିଧିବିଶିଷ୍ଟ ପ୍ରାଚୀର—ଚମତ୍କାର ସୌଧରାଜି-ବିରାଟ ମସ୍‌ଜିଦ୍—ଖୋଦିତ ତଥା ବିଚିତ୍ର ଚାରୁକଳା ସମଷ୍ଟି ଏବେ ସୁଦ୍ଧା ଆକବରଙ୍କର ବିଲୁପ୍ତ ସ୍ୱପ୍ନର ମୂକସାକ୍ଷି ରୂପେ ବିଦ୍ୟମାନ ।” ଏହା ସାମନାରେ ଫତେପୁରଶିକ୍ରୀ ଗ୍ରାମ । ଏହାର ପ୍ରବେଶପଥର ବହୁତ ଦରଜା ପୃଥିବୀ ବିଖ୍ୟାତ । ଏହି ଦୁର୍ଗକୁ ଯିବାକୁ ହେଲେ ବହୁତ ପାହାଚ ଉପରକୁ ଉଠିବାକୁ ପଡ଼େ । ଏହା ବହୁ ଶ୍ରମ ଓ ସମୟ ସାପେକ୍ଷ । ଏହି ଦୁର୍ଗ ନିର୍ମାଣ ସମ୍ବନ୍ଧରେ ଏକ କୌତୁହଳପୂର୍ଣ୍ଣ କିମ୍ବଦନ୍ତୀ ଶୁଣାଯାଏ । ୨୭ ବର୍ଷ ବୟସ ପର୍ଯ୍ୟନ୍ତ ଆକବରଙ୍କର ସମସ୍ତ ପୁତ୍ର ଶୈଶବାବସ୍ଥାରୁ ମରି ଯାଉଥିବାରୁ ସେ ମନୋଦୁଃଖରେ କାଳାତିପାତି କରୁଥିଲେ । ଶେଷକୁ ବଂଶରକ୍ଷା ନିମିତ୍ତ ସେ ଅଧୀର ହୋଇପଡ଼ିଲେ । ଏଠାରେ ଶେକ୍‌ସଲିମ୍ ଚିଷ୍ଟି ନାମକ ଏକ ଫକୀର ବାସ କରୁଥିଲେ । ଏହା ପୂର୍ବେ ପଥର କଟାଳୀମାନଙ୍କର ବାସସ୍ଥାନ ଥିଲା । ପାରସ୍ୟର ‘ଚିଷ୍ଟି’ ନାମକ ଏକ ପବିତ୍ର ଗୁରୁକୁଳର ସେକ୍‌ସଲିମ୍ ଥିଲେ ବଂଶଧର-। ଶିକ୍ରୀରେ ତାଙ୍କର ବହୁତ ସୁନାମ ଥିଲା । ସେ ଜଣେ ପୂତାତ୍ମା ଓ ଶାସ୍ତ୍ରବିତ୍ ହୋଇଥିବାରୁ ଆକବର ତାଙ୍କ ନିକଟକୁ ଯିବାକୁ ମନସ୍ଥ କଲେ । କୌଣସି ଏକ ବିଦ୍ରୋହଦମନ ପରେ ଯୋଗକୁ ଆକବର ସେହି ବାଟ ଦେଇ ଫେରୁଥିଲେ । ସେଠାରେ ସେ କିଛି ସମୟ ବିଶ୍ରାମ କରି ତାଙ୍କୁ ଅନୁସନ୍ଧାନ କରି ପାଇଲେ । ଫକୀର ବିଷ୍ଟି ସେତେବେଳେ କୋରାନ୍ ପାଠକରି ଉପାସନାରତ ଥିଲେ । ଆକବର ତାଙ୍କ ପଦତଳେ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତି ଫକୀରଙ୍କର ଦୃଷ୍ଟିପାତ ହେଲା-। କିଛି ସମୟପରେ ଫକୀର ହଠାତ୍ କହିଲେ, ଶିକ୍ରୀରେ ଆକବର ହିନ୍ଦୁରାଣୀଙ୍କୁ ରଖାଇଲେ ତାଙ୍କ ଗର୍ଭରୁ ପୁତ୍ର ସନ୍ତାନ ଲାଭ କରିବେ । ସେତେବେଳକୁ ଅମ୍ବରର ରାଜକନ୍ୟା ରାଣୀ ଯୋଧବାଈ ଗର୍ଭବତୀ ଥିଲେ । ତାଙ୍କ ବାସ ନିମିତ୍ତ ଏଠାରେ ରଙ୍ଗମହଲ ଓ ଦୁର୍ଗ ନିର୍ମିତ ହେଲା-। ଖ୍ରୀ: ୧୫୭୦ରେ ଏଠାରେ ରାଣୀଙ୍କ ଗର୍ଭରୁ ପୁତ୍ର ସନ୍ତାନ ଜାତ ହେଲା । ଆକବର ଏଥିରେ ଆନନ୍ଦିତ ହୋଇ ଫକୀର ଶେକ୍ ସଲିମ୍‌ଙ୍କ ନାମାନୁସାରେ ନବଜାତ ଶିଶୁପୁତ୍ରର ନାମ ସଲିମ୍ ଦେଲେ । ସଙ୍ଗେ ସଙ୍ଗେ ରାଜବାଦ୍ୟରେ ଫତେପୁର ଶିକ୍ରୀ ପ୍ରକମ୍ପିତ ହୋଇଉଠିଲା । ଏହି ଉତ୍ସବରେ ଶହ ଶହ ବନ୍ଦୀ ମୁକ୍ତ ହେଲେ ଓ ଆକବର ଏଠାରେ ତାଙ୍କର ରାଜଧାନୀ ସ୍ଥାପନ କଲେ । ଏହି ଦୁର୍ଗଟି ଆଗ୍ରା ଦୁର୍ଗଠାରୁ ବଡ଼ । ଇଂରେଜ ପରିବ୍ରାଜକ Ralph Finch ଏହା ବିଷୟରେ ଯାହା ଲେଖିଛନ୍ତି ତାର ସାରାଂଶ— ଏହି ସହରଟି ଆଗ୍ରାଠାରୁ ବଡ଼, କିନ୍ତୁ ଏଠାର ଗୃହ ଓ ରାସ୍ତାଗୁଡ଼ିକ ସେତେ ଭଲ ନୁହେଁ-। ଆଗ୍ରା ଓ ଫତେପୁର ଶିକ୍ରୀରେ ଆକବରଙ୍କ ୧୦୦୦ ହାତୀ, ୩୦,୦୦୦ ଘୋଡ଼ା ୧୪୦୦ ପୋଷା ହରିଣ ଏବଂ କେତେକ ବାଘ ଚିତାବାଘ, ମହିଷ ଓ କୁକୁଡ଼ା ପ୍ରଭୃତି ଥିଲେ-। ଖ୍ରୀ: ୧୫୭୪ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଲା । ଏଥିରେ ୧୧ ବର୍ଷ ରହିଲା ପରେ ଖ୍ରୀ: ୧୫୮୫ରେ ଆକବର ଏହାକୁ ପରିତ୍ୟାଗ କରି ଲାହୋରରେ ୫ ବର୍ଷ ବାସକଲା । ତାପରେ ଖ୍ରୀ:୧୫୯୦ ରେ ଆଗ୍ରାକୁ ଚାଲିଆସି ଦୁର୍ଗ ନିର୍ମାଣ କଲେ । ସେ ଏଠାରୁ ଗଲାପରେ ଏହା ବନ୍ୟଜନ୍ତୁମାନଙ୍କର ଆଶ୍ରୟ ତଥା କ୍ରୀଡ଼ାସ୍ଥଳୀରେ ପରିଣତ ହେଲା । ହେଟା, ବିଲୁଆ, ବିଷଧର ସର୍ପ ଏବେ ବହୁପରିମାଣରେ ଏହି ଦୁର୍ଗରେ ଓ ଆଖପାଖ ଜଙ୍ଗଲିଆ ଅଞ୍ଚଳରେ ବାସ କରନ୍ତି-। ଏସବୁ ଦୃଷ୍ଟିରୁ ଏକାକୀ ଏଠାକୁ ଯିବା ନିରାପଦ ନୁହେଁ । ବାଧ୍ୟ ହୋଇ ମୁଁ ଏକୁଟିଆ ବୁଲିବାକୁ ଗଲା-। ସମୟ ସମୟରେ ବନ୍ୟଜନ୍ତୁମାନେ ଦିନବେଳେ ମଧ୍ୟ ପରିଦର୍ଶକମାନଙ୍କ ଆକ୍ରମଣ କରି କ୍ଷତବିକ୍ଷତ କରିଥିବାରୁ ମୁଁ ଆଖପାଖ ଅଞ୍ଚଳରୁ ଶୁଣିବାକୁ ପାଇଲି । ଦୁର୍ଗର ଏକ ପାଖରେ ଫତେପୁର ଗ୍ରାମ ଓ ଅପର ପାଖରେ ଗଡ଼ଖାଇ । ଅନ୍ୟଆଡ଼େ ପାହାଡ଼ ଓ ଜଙ୍ଗଲ । ଦୁର୍ଗର ପ୍ରାଚୀର ୩୨ ଫୁଟ୍ ଉଚ୍ଚ ଓ ୧୧ ଫୁଟ୍ ମୋଟା । ଏଥିରେ ୧୧ଟି ଫାଟକ ଅଛି । ଏଗୁଡ଼ିକ ଦିଲ୍ଲୀ ଫାଟକ, ଆଗ୍ରା ଫାଟକ, ଅଜମିର ଫାଟକ, ଗ୍ୱାଲିୟର ଫାଟକ, ଚନ୍ଦ୍ର ଫାଟକ, ମଥୁରା ଫାଟକ, ଫୁଲ ଫାଟକ, ଲାଲ ଫାଟକ, ବୀରବଲ ଫାଟକ, ତେହେରା ଫାଟକ ଓ ଚିତୋର ଫାଟକ ନାମରେ ନାମିତ ।

 

ନୌବତଖାନା:–ଏହା ପ୍ରାସାଦର ସମ୍ମୁଖରେ ଅବସ୍ଥିତ । ଆକବର ଯିବା ଆସିବା ସମୟରେ ଓ ରାଜ୍ୟର ଉତ୍ସବମାନଙ୍କରେ ଏଠାରେ ରାଜବାଦ୍ୟ ଉଛୁଳି ଉଠି ଦୁର୍ଗକୁ ପ୍ରକମ୍ପିତ କରୁଥିଲା । ଏହାର ଉତ୍ତର ଓ ଦକ୍ଷିଣ ପାଖ ଇସଲାମୀ ଢଙ୍ଗରେ ଏବଂ ପୂର୍ବ ଓ ପଶ୍ଚିମ ପାଖ ହିନ୍ଦୁ ଧରଣରେ ତିଆରି । ଆକବରଙ୍କ ଦରବାରର ଭାରତବିଖ୍ୟାତ ଗାୟକ ତାନ୍‌ସେନଙ୍କର ବାସସ୍ଥାନ ତାନ୍‌ସେନ୍-ପ୍ରାସାଦ ନାମରେ ପ୍ରସିଦ୍ଧ । ତାଙ୍କର ସଙ୍ଗୀତମୂର୍ଚ୍ଛନାରେ ସେ ଆକବରଙ୍କୁ ମୁଗ୍‌ଧ କରୁଥିଲେ । ତାଙ୍କର ପ୍ରାତଃକାଳୀନ ସଙ୍ଗୀତ ଝଙ୍କାର ଶୁଣିବାକୁ ଏଠାରେ ବହୁ ସଙ୍ଗୀତରସିକ ପ୍ରତ୍ୟହ ସମବେତ ହେଉଥିଲେ । ଦିବାନୀଅମ୍‌ରେ ଆକବର୍ ପ୍ରଜାମାନଙ୍କୁ ଦର୍ଶନ ଦେଉଥିଲେ । ଏହି ବିରାଟ ପ୍ରକୋଷ୍ଠର ଲମ୍ବ ୩୩୬ ଫୁଟ ଓ ପ୍ରସ୍ଥ ୧୮୧ ଫୁଟ । ଏହାର ବାରଣ୍ଡାର ଚୌଡ଼ା ୧୦ ଫୁଟ । ଏକ ଲାଲ ପଥରର ମେଜିଆ ଉପରେ ଏହା ପ୍ରତିଷ୍ଠିତ । ମଧ୍ୟଭାଗରେ କାନ୍ଥକୁ ଲାଗି ସମ୍ରାଟଙ୍କ ସିଂହାସନ । ଦୁଇଟି ଲାଲପଥର କାନ୍ଥ ଏହାର ଦୁଇ ପାଖରେ ଅଛି । ପରଦା ଆଢ଼ୁଆଳରେ ସମ୍ରାଟଙ୍କ ବେଗମ୍‌ମାନେ ରହି ରାଜକାର୍ଯ୍ୟ ଦେଖୁଥିଲେ । ଆକବର ଏଠାରେ ପ୍ରଜାମାନଙ୍କ ସୁଖଦୁଃଖ ବୁଝୁଥିଲେ ଓ ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣି ରାୟ ଶୁଣାଉଥିଲେ ।

 

ଦିବାନିଖାସ୍:—ଏହା ଲାଲପଥରରେ ତିଆରି । ଏହାର ଆଭ୍ୟନ୍ତରୀଣ ସାଜସଜା ଏକାନ୍ତ ଚିତ୍ତାକର୍ଷକ । ଏଠାରେ ବିଦ୍ୱାନ୍ ମଣ୍ଡଳୀ ଓ ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ଶାସ୍ତ୍ରୋଚିତ ଯୁକ୍ତିତର୍କସଭା ଅନୁଷ୍ଠିତ ହେଉଥିଲା । ଆକବର ସେଥିରେ ଯୋଗ ଦେଉଥିଲେ । ଏହି ପ୍ରକୋଷ୍ଠର ଚାରିପଟେ ଦର୍ଶକମାନଙ୍କ ପାଇଁ ଗ୍ୟାଲେରୀ ବନ୍ଦୋବସ୍ତ ଥିଲା । ମଧ୍ୟଭାଗରେ ଅଷ୍ଟକୋଣାକୃତି ଏକ କମନୀୟ ସ୍ତମ୍ଭ । ସ୍ତମ୍ଭଟିର କାରୁକାର୍ଯ୍ୟ ଅତୀବ ରମଣୀୟ । ଏହି ସ୍ତମ୍ଭଟି ଧନୁ ପରି ବକ୍ର । ଚାରିଗୋଟି ରାସ୍ତା ଗ୍ୟାଲେରୀର ଚାରି କୋଣରେ ଅଛି । ପ୍ରତ୍ୟେକ ଛକରେ ପଥରର କାନ୍ଥ । ସମ୍ରାଟ ମଝିରେ ସିଂହାସନରେ ବସୁଥିଲେ ଓ ମନ୍ତ୍ରୀମାନେ ଚାରିପାଖରେ ବସି ରାଜକାର୍ଯ୍ୟ ବିଷୟରେ ଆଲୋଚନା କରୁଥିଲେ । ଲୁଚକାଳି ଘର (ଆଁ ଖମିଚୌନି)ଟି ଦିବାନିଖାସର ପଶ୍ଚିମପଟକୁ ୩ଟି ପ୍ରକୋଷ୍ଠବିଶିଷ୍ଟ ଗୋଟିଏ ବଡ଼ ଘର । ଏଠାରେ ଆକବର ତାଙ୍କ ବେଗମ୍‌ମାନଙ୍କ ସହିତ ଲୁଚକାଳି ଖେଳୁଥିଲେ ବୋଲି ଏହାର ନାମ ଲୁକାଳି ଘର । ଖାସ୍ ମାହାଲ ଦିବାନିଅମ୍‌ର ପଶ୍ଚିମରେ ଅବସ୍ଥିତ । ଏହା ୩ ଭାଗରେ ବିଭକ୍ତ । ପ୍ରଥମଟି ସ୍ୱପ୍ନପୁରୀ । ଏହା ଆକବରଙ୍କର ଖାସ୍ କମରା । ଦ୍ୱିତୀୟଟି ତୁର୍କୀସୁଲତାନୀ ମହଲ ଏବଂ ତୃତୀୟଟି ଶିକ୍ଷାଳୟ । ଶିକ୍ଷାଳୟରେ ଅନ୍ତଃପୁରର ମହିଳାମାନେ ବିଦ୍ୟା ଶିକ୍ଷା କରୁଥିଲେ । ମଝି ଭାଗରେ ହଉଜ-ଇ-ଖାସ୍ ନାମକ ବଡ଼ ପୋଖରୀ । ଏହି ପୋଖରୀଟି ବର୍ଗକ୍ଷେତ୍ରାକାର ଓ ଏହାର ବାହୁ ୯୫ ଫୁଟ ୬ ଇଞ୍ଚ । ଏହାର ଭିତରକୁ ଯିବାଲାଗି ଚାରିଦିଗରୁ ପାହାଚ ଅଛି ।

 

ସ୍ୱପ୍ନପୁରୀରେ ଆକବର ନିଜେ ରହୁଥିବାରୁ ଏହାର କାନ୍ଥମାନ ଚିତ୍ରବିଚିତ୍ରପୂର୍ଣ୍ଣ ମୂର୍ତ୍ତି ଦ୍ୱାରା ଚିତ୍ରିତ । ଏଗୁଡ଼ିକ ପାରସୀ କଳାର ପ୍ରତୀକ । ଗୋଲାପଫୁଲ, ଲତା, ଓ ପଶୁପକ୍ଷୀଙ୍କ ମୂର୍ତ୍ତି ଏଥିରେ ନିଖୁଣଭାବେ ଖୋଦିତ । ରାଣୀ ଯୋଧାବାଈ ତାଙ୍କ ଶିଶୁପୁତ୍ର ସଲିମଙ୍କୁ ଧରିଥିବାର ଏକ ନିଖୁଣ ଚିତ୍ର ଏଠାରେ ଶୋଭିତ । ଏହାର ପଛକୁ ଅନ୍ୟ ଏକ ପ୍ରକୋଷ୍ଠରେ ଜନୈକ ହିନ୍ଦୁ ପୁରୋହିତ ବାସ କରୁଥିଲେ । ତୁର୍କୀ ସୁଲତାନା ମହଲର କାରୁକାର୍ଯ୍ୟ ମଧ୍ୟ ଦର୍ଶନୀୟ । ଏହାର ବାରଣ୍ଡାରେ ପଥରର ବାଡ଼ା ଦେଇ କେତେକ କ୍ଷୁଦ୍ର କୋଠରୀ କରି ଦିଆଯାଇଛି । ଚାରିଆଡ଼େ ଜଙ୍ଗଲ । ସେଥିରେ ଫୁଲ ଓ ପକ୍ଷୀମାନଙ୍କର ଚିତ୍ର ଦେଖାଯାଏ । ଫତେପୁର ଶିକ୍ରୀର ଏହା ସର୍ବୋତ୍କୃଷ୍ଟ ମହଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆକବର ତୁରସ୍କଦେଶରୁ ଯେଉଁ ରାଣୀଙ୍କୁ ଆଣିଥିଲେ, ସେ ଏହି ମହଲରେ ବାସ କରୁଥିଲେ ବୋଲି ଏହାର ନାମକରଣ ଏପରି ହୋଇଛି । ଏହା ନିକଟରେ ଛୋଟ ଫୁଲବଗିଚା ଓ ସ୍ନାନାଗାର ।

 

ପଞ୍ଚମହଲ:—ଏହା ଦିଆନିଖାସ ଦକ୍ଷିଣକୁ ଅବସ୍ଥିତ ଏକ ପଞ୍ଚତଳ ପ୍ରାସାଦ । ଏହା ଉପରେ ଦଣ୍ଡାୟମାନ ହୋଇ ଦର୍ଶକ ଫତେପୁରଶିକ୍ରୀ ଓ ଆଖପାଖ ଗ୍ରାମର ଦୃଶ୍ୟ ଦେଖିପାରେ । ଏହି ପଞ୍ଚମହଲ ଏକ ବୌଦ୍ଧବିହାର ନକ୍‌ସାରେ ତିଆରି । ପ୍ରତ୍ୟେକ ମହଲାରେ ପଥରର ବାଡ଼ା ଓ ପ୍ରତ୍ୟେକ ସ୍ତମ୍ଭ ଆମୂଳଚୂଳ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ । ଏହା ଦୂରକୁ ଗୋଟିଏ ମନ୍ଦିର ପରି ଦିଶେ । ଏହାର ଏକ ମେଜିଆର ଲମ୍ବ ୭୨ ଫୁଟ୍ ଓ ପ୍ରସ୍ଥ ୫୪ ଫୁଟ । ଏଥିରେ ୮୫ଟି ସ୍ତମ୍ଭ ଅଛି । ମେଜିଆର କେତେକ ଅଂଶରେ ପାର୍ସୀ ଭାଷାରେ କୋରାନ ପାଠମାନ ଖୋଦିତ । ପ୍ରଥମ ମହଲା ୫୦ଫୁଟ, ଦ୍ୱିତୀୟ ମହଲା ୪୨ ଫୁଟ, ତୃତୀୟ ମହଲା ୨୦ଫୁଟ, ଚତୁର୍ଥ ମହଲା ୧୨ ଫୁଟ ଏବଂ ପଞ୍ଚମ ମହଲାଟିର କେବଳ ୪ଟି ସ୍ତମ୍ଭ ବିଶିଷ୍ଟ ଗୋଟିଏ ଖୁବ୍ ଉଚ୍ଚ ଗମ୍ଭୁଜ । ଏଠାରେ ସମ୍ରାଟ୍ ଓ ଅନ୍ତଃପୁରବାସୀମାନେ ଗ୍ରୀଷ୍ମସନ୍ଧ୍ୟାରେ ଶୀତଳବାୟୁ ସେବନ କରୁଥିଲେ ଏବଂ ଜ୍ୟୋସ୍ନାବିଧୌତ ରଜନୀରେ କେଳି କରୁଥିଲେ ।

 

ମେରିଅମମହଲ:—ଆକବର ମେରିଅମ ନାମ୍ନୀ ଖ୍ରୀଷ୍ଟୀୟାନ୍‌ ମହିଳାକୁ ବିବାହ କରିଥିଲେ । ଏହି ମହଲରେ ମେରିଅମ୍ ବାସ କରୁଥିଲେ । ଏହା ପଞ୍ଚମହଲର ଦକ୍ଷିଣକୁ ଅବସ୍ଥିତ । ଖ୍ରୀ: ୧୫୬୨ରେ ସେ ମେରିଅମଙ୍କୁ ବିବାହ କରି ତାଙ୍କର ନୂଆ ନାମ ଦେଲେ ମେରିଅମ-ଉଦ୍-ଜମାନ୍ । ପ୍ରକୋଷ୍ଠର କାନ୍ଥମାନଙ୍କରେ ଓ ଛାତରେ ସୁନାପତ୍ର ଛାଉଣି ହୋଇଥିଲା । ଏହାର ଅନ୍ୟନାମ ସ୍ୱର୍ଣ୍ଣଭବନ । ପୁରାଣ, ବାଇବଲ ଓ କୋରାନର ବିଭିନ୍ନ ବିଷୟ ବସ୍ତୁର ଚିତ୍ର ଏଠାରେ ସେ ଖୋଦିତ କରାଇଥିଲେ । ମହଲର କ୍ଷେତ୍ରଫଳ ୬୦ × ୪୮ ଫୁଟ । ଉପରକୁ ଯିବାକୁ ତରଙ୍ଗାୟିତ ପାହାଚ । ଏହା ଉପରେ ଆକବର ଓ ମେରିଅମ ଗ୍ରୀଷ୍ମକାଳୀନ ରାତ୍ରିରେ ଶୟନ କରିବା ଲାଗି ପ୍ରକୋଷ୍ଠ ଥିଲା । ଏହାର ସାମନାରେ ମେରିଅମ ଉଦ୍ୟାନ । ଏହାର ଭିତରକୁ ସର୍ବସାଧାରଣଙ୍କର ପ୍ରବେଶ ନିଷିଦ୍ଧ ଥିଲା । ଉଦ୍ୟାନର ଚାରିଆଡ଼େ ପଥରର ପାଚେରୀ ।

 

ଯୋଧବାଈମହଲରେ ରାଣୀ ଯୋଧବାଈ ବାସ କରୁଥିଲେ । ଏହାର ଶିଳ୍ପକଳା ହିନ୍ଦୁ ନକ୍‌ସାରେ ତିଆରି । ଫତେପୁରଶିକ୍ରୀରେ ଏହା ବୃହତ୍ତମ ମହଲ । ଏହାର ଉତ୍ତରଦକ୍ଷିଣର ଲମ୍ବ ୩୩୨ ଫୁଟ ଓ ପୂର୍ବପଶ୍ଚିମ ଲମ୍ବ ୨୧୫ ଫୁଟ । ଏହା ଉପରେ ଦୁଇପାଖକୁ ଦୁଇଟି ଗମ୍ବୁଜ । ଉପର ଛାତଟି ବକ୍ରାକୃତି । ବୀରବଲ ମହଲ ଯୋଧାବାଈମହଲର ପଶ୍ଚିମରେ ଅବସ୍ଥିତ । ଏହି ମହଲର ବାହାର ପଟ ଓ ଭିତରପଟର ଖିଲିଣି ଅତି ଚମତ୍କାର । ବୀରବଲ ଗରିବ ବ୍ରାହ୍ମଣ ଥିଲେ । ଥରେ ଆକବରଙ୍କ ଦରବାରରେ ପହଞ୍ଚି ତାଙ୍କର ବିଚକ୍ଷଣତା ଓ ତାତ୍‌କାଳିକ ବୁଦ୍ଧି ପ୍ରଦର୍ଶନ କରାଇ ସେ ସମ୍ରାଟ୍‌ଙ୍କୁ ମୁଗ୍‌ଧ କରିଦେଇଥିବାରୁ ଆକବର ତାଙ୍କୁ ‘ରାଜକବି’ ଉପାଧି ପ୍ରଦାନ କରିଥିଲେ । ତାଙ୍କର ସଂସ୍କୃତବ୍ୟାଖ୍ୟାନ ଓ କାବ୍ୟ ଆବୃତ୍ତିରେ ଆକବର ମୁଗ୍‌ଧ ହୋଇଯାଇଥିଲେ ।

 

ହାତୀପୋଲ:—ଏହା ୧୮ ଫୁଟ ଚୌଡ଼ା ଓ ୧୧ ଫୁଟ ଉଚ୍ଚ । ଏହାର ଦୁଇପାଖରେ ଦୁଇଟି ପଥରହାତୀ ରଖାଯାଇଥିଲା ବୋଲି ଏହି ପୋଲର ନାମ ହାତୀପୋଲ । ଦୁଇପାଖରେ ଦୁଇଟି ବନ୍ଧୁକଧାରୀ ଦରବାନ୍ ସେତେବେଳେ ଜଗି ରହୁଥିଲେ । ଏହାର ପାଖରେ ‘କବୁତରଖାନା’ ବା ପାରାଭାଡ଼ି । ପାରାଭାଡ଼ି ଏକ ବର୍ଗାକାର କୋଠରୀ । ହାତୀ-ପୋଲକୁ ଲାଗି ସଙ୍ଗୀନବୁର୍ଜ । ପଶୁଶାଳାର ଲମ୍ବ ୨୭୬ ଫୁଟ । ଏଠାରେ ୫୧ଟି ଓଟ ଓ ବହୁ ହାତୀ ରହୁଥିଲେ । ହାତୀଶାଳର ଲମ୍ବ ୨୧୬ ଫୁଟ ।

 

ହିରନମୀନାର—ଆକବରଙ୍କ ଅତିପ୍ରିୟ ହସ୍ତୀ ‘ହିରନ’ର ଆକସ୍ମିତ ମୃତ୍ୟୁପରେ ତାକୁ ଏଠାରେ ସମାଧି ଦିଆଯାଇଥିଲା ଓ ତାର ସ୍ମୃତିରକ୍ଷାର୍ଥେ ଏହି ମୀନାର ନିର୍ମିତ ହେଲା । ଏହାର ଉଚ୍ଚତା ୮୦ ଫୁଟ । ଏହାର ମେଜିଆ ଅଷ୍ଟକୋଣୀ, କିନ୍ତୁ ଏହା କ୍ରମଶଃ ମଧ୍ୟଭାଗକୁ ବୃତ୍ତାକାର ଏବଂ ଶେଷଭାଗଟି ଗମ୍ଭୁଜାକୃତି । ଏହା ଉପରକୁ ଯିବାଲାଗି ମୀନାରର ଭିରତ ପଟେ ପାହାଚ ଅଛି-। ମଧ୍ୟଭାଗର ବୃତ୍ତାକାର ସ୍ଥାନମାନଙ୍କରେ ହାତୀଦାନ୍ତ ଖଚିତ । ଉପରି ଭାଗର ଗମ୍ଭୁଜଟି ରମଣୀୟ ଦେଖାଯାଏ ।

 

ଜୁମାମସ୍‌ଜିଦ୍:— ଶେକ ସଲିମ୍ ଚିଷ୍ଟିଙ୍କୁ ସମ୍ମନ ପ୍ରଦର୍ଶନ କରାଇବା ଉଦ୍ଦେଶ୍ୟରେ ଏହାକୁ ଆକବର ନିର୍ମାଣ କରାଇଲେ । ଏହାର ଉତ୍ତର-ଦକ୍ଷିଣର ଲମ୍ବ ୪୩୮ ଫୁଟ ଓ ପୂର୍ବ-ପଶ୍ଚିମର ଲମ୍ବ ୫୪୨ ଫୁଟ । ମଝିରେ ସୁନ୍ଦର ପକ୍‌କା ଅଗଣା । ଦରଜାରେ ପାଞ୍ଚଗୋଟି ବିଶାଳ ଗମ୍ଭୁଜ । ଦୁଇପାଖରେ ଦୁଇଟି ବଡ଼ ଗମ୍ଭୁଜ ସମାନ ଭାବେ ତିଆରି । ମସ୍‌ଜିଦ୍‌ର ଦୁଇଟି ଦରଜା । ପୂର୍ବ ଦରଜାବାଟେ ସମ୍ରାଟ ଆକବର ପ୍ରତିଦିନ ମସ୍‌ଜିଦ୍‌କୁ ଆସୁଥିଲେ । ପଶ୍ଚିମ ଦରଜାବାଟେ ରାଜବାଟୀର ଅନ୍ୟ ଉପାସକମାନେ ଆସୁଥିଲେ । ପଶ୍ଚିମ ଦରଜାର ନାମ ବୁଲନ୍ଦ ଦରବାଜା ବା ବିଜୟଦ୍ୱାର । ଦକ୍ଷିଣଭାରତ ବିଜୟ ପରେ ଆକବର ଏହାକୁ ଖ୍ରୀ: ୧୬୦୦ରେ ନିର୍ମାଣ କରାଇଥିଲେ । ଫତେପୁରଶିକ୍ରୀର ଏହା ବୃହତ୍ତମ ପ୍ରବେଶ ପଥ । ଏଥିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିରେ ଏକାଧାରରେ ବିଶାଳତା ଓ ସୌନ୍ଦର୍ଯ୍ୟ ଦୃଷ୍ଟ ହୁଏ । ଖ୍ରୀ; ୧୫୭୯ ରେ ଆକବର ନିଜକୁ ଏଠାରେ ପ୍ରଧାନ ଧର୍ମଗୁରୁ ବୋଲି ପ୍ରଚାର କରିଥିଲେ । ବୁଲନ୍ଦ ଦରବାଜା ୧୭୬ ଫୁଟ ଉଚ୍ଚ ଓ ପ୍ରବେଶପଥଟି ଆରମ୍ଭରୁ ୧୩୪ ଫୁଟ ଲମ୍ବହେତୁ ସର୍ବବୃହତ ପ୍ରବେଶପଥରୂପେ ବିବେଚିତ ।

 

ଶେକସଲିମଚିଷ୍ଟି ସମାଧି:—ଆକବର ଖ୍ରୀ: ୧୫୮୧ରେ ଏହାକୁ କରାଇଥିଲେ । ଏକ ବର୍ଗାକାର ଭୂମି ଉପରେ ଏହା ପ୍ରତିଷ୍ଠିତ । ଦକ୍ଷିଣ ଭାରତୀୟ ମଣ୍ଡପନକ୍‌ସାରେ ଏହା ତିଆରି । ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଖିଲିଣି ଏହାର ଚାରିପଟେ ଅଛି । ସ୍ତମ୍ଭମାନଙ୍କରେ ଉନ୍ନତଧରଣର କାରୁକାର୍ଯ୍ୟ ଦେଖାଯାଏ । ଏହାର ମଲମଲ ପଥରର ଖିଲିଣି ସୁମନୋରମ । ମଝିରେ ବଡ଼ ଗମ୍ଭୁଜଟିଏ । ପ୍ରତ୍ୟେକ ପାଖ ୪୮ ଫୁଟ୍ ଲେଖାଏ । ମାର୍ବଲ ପଥର ଓ ମୋଜାଇକ ବେଦୀ ଉପରେ ଏହି ସମାଧି । ବାରଣ୍ଡାର ବାଡ଼ାରେ ରଙ୍ଗବିରଙ୍ଗ ଦରଜା ଓ ଝରକା । ମଝିରେ କାଠର ଛାତ ଓ ଏହାର ଚାରିକଡ଼ରେ ବିଭିନ୍ନ ଧାତୁର କାରୁକାର୍ଯ୍ୟ । ତଳକୁ କବର । ଫକୀର ଶେକ୍ ସଲିମ୍‌ ଚିଷ୍ଟିଙ୍କ ଶବକୁ ଏଠାରେ ପୋତା ଯାଇଛି । ରମଜାନପର୍ବରେ ଏଠାରେ ୨୮ ଦିନ ଧରି ବିରାଟ ମେଳା ବସେ । ସମାଧିର ଉପରିଭାଗ ଗମ୍ଭୁଜାକାର । ଏଥିରେ ପାରସୀ ଭାଷାରେ ଖୋଦିତ ଶିଳାଲେଖରୁ ଜଣାଯାଏ ଯେ, “ଇସଲାମ ଧର୍ମର ସାହାଯ୍ୟକାରୀ ତଥା ପଥପ୍ରଦର୍ଶକ ନେତା ଶେଖ ସଲିମ ଚିଷ୍ଟି ଆତ୍ମତତ୍ତ୍ୱଜ୍ଞାନରେ ଜୁନୈଦ ଓ ତାଫୁର ପ୍ରଭୃତି ବାଗଦାଦ୍‌ର ପ୍ରଧାନ ସାଧୁଙ୍କ ସହିତ ସମାନ ।”

 

ଆବୁଲଫାଜଲ୍ ନିବାସ:—ଏହା ବୁଲନ୍ଦ ଦରବାଜାର ଟିକିଏ ଦୂରକୁ ଅବସ୍ଥିତ । ଆବୁଲଫାଜଲ ଆକବରଙ୍କର ଦରବାରେ ଐତିହାସିକ ଥିଲେ । ତାଙ୍କ ରଚିତ ‘ଆକବରୀନାମା’ରେ ସେ ଆକବରଙ୍କ ରାଜତ୍ୱର ବିଶଦବିବରଣୀ ଦେଇଛନ୍ତି ।

☆☆☆

 

ଲକ୍ଷ୍ମୌ

 

ଆଗ୍ରାରୁ ସନ୍ଧ୍ୟାଗାଡ଼ିରେ ଲକ୍ଷ୍ମୌ ଯାତ୍ରା କଲି । ଆଗ୍ରାଫୋର୍ଟ ଷ୍ଟେସନରୁ ଏହାର ଦୂରତା ୨୦୫ ମାଇଲ । ପରଦିନ ସକାଳ ୬ଟାରେ ଏଠାରେ ପହଞ୍ଚିଥିଲୁ । ଲକ୍ଷ୍ମୌ ଉତ୍ତରପ୍ରଦେଶର ରାଜଧାନୀ । ଏହାର ଜନସଂଖ୍ୟା ପ୍ରାୟ ପାଞ୍ଚ ଲକ୍ଷ । ଗଙ୍ଗାର ଶାଖାନଦୀ ଗୋମତୀ କୂଳରେ ଏହା ଅବସ୍ଥିତ । ଗୋମତୀକୂଳରେ ଶହ ଶହ ଦୋକାନ । ନଦୀକୂଳର ଦୃଶ୍ୟ ମନୋହର । ବହୁ ଉଦ୍ୟାନ, ପାଠଶାଳା କଲେଜ, ହୋଟେଲ, ମନ୍ଦିର, ମସ୍‌ଜିଦ୍, ସରକାରୀ କାର୍ଯ୍ୟାଳୟ, ଆସେମ୍ଲିଭବନ, ମନ୍ତ୍ରୀମାନଙ୍କର ବାସଗୃହ, ପ୍ରାଚୀନ କୀର୍ତ୍ତି ଯାଦୁଘର ଓ ଚିଡ଼ିଆଖାନା ପ୍ରଭୃତି ଦର୍ଶନୀୟ । ଏଠାରେ ଅଧିକାଂଶ ଲୋକେ ହିନ୍ଦୀ ପରବର୍ତ୍ତେ ଉର୍ଦ୍ଦୁ ପଢ଼ନ୍ତି । କେତେକ ଐତିହାସିକଙ୍କ ମତରେ ଲକ୍ଷ୍ମଣଙ୍କ ନାମାନୁସାରେ ଏହି ସହର ନାମିତ । ଆଉ କେତେକଙ୍କ ମତରେ ମୁସଲମାନ ରାଜମିସ୍ତ୍ରୀ ଲଚ୍ଛମନଙ୍କ ନାମାନୁସାରେ ଏହାର ନାମ ଲକ୍ଷ୍ମୌ ହୋଇଛି । ମୋଗଲ ବାଦଶାହଙ୍କ ଅମଳରେ ଏହାର ଶୋଭା ଶତଗୁଣରେ ବର୍ଦ୍ଧିତ ହୋଇଥିଲା । ଅଯୋଧ୍ୟାର ନବାବମାନେ ଏହାର ହର୍ତ୍ତାକର୍ତ୍ତା ଦୈବବିଧାତା ହୋଇ କିଛି କାଳ ବସିଲେ । ତୃତୀୟ ନବାବ ଆସଫଉଦ୍ଦୁଲା ଏହି ସହରର ଯଥେଷ୍ଟ ଉନ୍ନତିସାଧନ କରିଥିଲେ । ଖ୍ରୀ: ୧୮୦୦ରେ ଏହି ସହର ଉର୍ଦ୍ଦୁ ଓ ପାର୍ଶିଆନ୍ ସାହିତ୍ୟ ଚର୍ଚ୍ଚାର ପରମପୀଠ ହୋଇଥିଲା । ଭାରତର ବିଶିଷ୍ଟ ଉର୍ଦ୍ଦୁ ଓ ପାର୍ଶିଆନ୍ ପଣ୍ଡିତ ତଥା ଭାରତ ବାହାରୁ ମଧ୍ୟ ଉର୍ଦ୍ଦୁ ପର୍ଶିଆନ୍ ପଣ୍ଡିତମାନେ ଏଠାକୁ ଆସି ଏଠାରେ ସାହିତ୍ୟଚର୍ଚ୍ଚା କରୁଥିଲେ । ଖ୍ରୀ: ୧୮୫୬ ରେ ଏହା ବ୍ରିଟିଶ ସରକାରର କରଗତ ହେଲା ।

 

ଖ୍ରୀ: ୧୮୫୭ରେ ସିପାହୀବିଦ୍ରୋହ ହେଲା । ଲକ୍ଷ୍ମୌ ସେତେବେଳେ ନିଜର ପୂର୍ବଗୌରବ, ବୀରତା, ଶୌର୍ଯ୍ୟ, ସାହସକୁ ସହସ୍ର ଗୁଣରେ ପ୍ରକଟିତ କରିଥିଲା । ବିଦ୍ରୋହର ବହ୍ନି ଏଠାରେ ହୁହୁ ହୋଇ ଜଳି ଉଠି ଆଖପାଖ ଶହ ଶହ ରାଜ୍ୟକୁ ଏହି ବିଦ୍ରୋହରେ ଭାଗନେବା ପାଇଁ ପ୍ରବର୍ତ୍ତାଇଥିଲା । ଖଣ୍ଡ ଯୁଦ୍ଧରେ ଏହାର ଆଖପାଖ ରାଜ୍ୟ ପ୍ରଳୟ ସୃଷ୍ଟି କରଥିଲେ । ପ୍ରମାଣସ୍ୱରୂପ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ପ୍ରାଚୀନ ଦୁର୍ଗ ଓ ପ୍ରାଚୀର ଇତସ୍ତତଃ ଦେଖାଯାଏ । ଏହି ନଗରଟି ଆଧୁନିକ ଧରଣର । ରାସ୍ତାଘାଟ ପରିଷ୍କୃତ, ପରିଚ୍ଛନ୍ନ ଓ ଜନାକୀର୍ଣ୍ଣ । ନାଗରିକମାନେ ଅତ୍ୟଧିକ ବିଳାସୀ । ଜନସଂଖ୍ୟା ତୁଳନାରେ ନଗର ସଂକୀର୍ଣ୍ଣ ପରି ମନେ ହୁଏ ନାହିଁ । ଗୋମତୀ ନଦୀର କୂଳେ କୂଳେ ସୁସଜ୍ଜିତ ଦୋକାନ ଓ ବଜାର । ଏଠାରେ ସଂଗୀତ କଳା ଓ ସଂଗୀତଚର୍ଚ୍ଚା । ଭାରତବିଖ୍ୟାତ । ନାଗରିକମାନେ ପରୋପକାରୀ ଓ ମିଷ୍ଟଭାଷୀ । ବିଦେଶପର୍ଯ୍ୟଟକମାନଙ୍କୁ ପ୍ରକୃତ ସ୍ଥାନର ପରିଚୟ ଦେବା, ରହିବାର ବନ୍ଦୋବସ୍ତ କରିଦେବା ଓ ସେମାନଙ୍କର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦେବା କର୍ତ୍ତବ୍ୟ ବୋଲି ସେମାନେ ମନେ କରନ୍ତି । ଆଧୁନିକ ସଭ୍ୟତା ତଥା ପ୍ରୀଚୀନ ପରମ୍ପରାର ଏହା ଏକ ସମନ୍ୱୟ ସ୍ଥଳ ।

 

ବୃହତ୍ ଇମାମ୍‌ବରା:—ଏହା ସହରର ପ୍ରାଚୀନଭାଗରେ ଅବସ୍ଥିତ । ଗୋମତୀନଦୀର ଅପରପାର୍ଶ୍ୱରେ ଏହାର ଅବସ୍ଥିତି । ଏଠାରେ ମୁସଲମାନମାନଙ୍କର ମହରମ୍ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୁଏ । ହୁସେନଙ୍କ ମୃତ୍ୟୁପରେ ତାଙ୍କର ବାର୍ଷିକ ଉତ୍ସବ ଏଠାରେ ପାଳିତ ହୋଇଥିଲା । ନବାବ ଆସବ୍ ଉଦ୍ଦୁଲା ଏହାକୁ ଖ୍ରୀ: ୧୭୮୪ରେ ନିର୍ମାଣ କରାଇଥିଲେ । ବିଖ୍ୟାତ ଶିଳ୍ପୀ କଫାୟତଉଲା ଥିଲେ ଏହାର ସଂଯୋଜକ । ଏହାର ମୁଖ୍ୟ ମନ୍ଦିର ୫୦ ଫୁଟ୍ ଉଚ୍ଚ ଏବଂ ଏହାର ପରିପାଟୀ ମନୋରମ । ଏଠାରେ ରାଜକୀୟ ମସ୍‌ଜିଦ୍ ଅଛି । ଲକ୍ଷ ଲକ୍ଷ ମୁସଲମାନ ଏଠାରେ ମହରମ ପ୍ରଭୃତି ଉତ୍ସବରେ ଏକତ୍ର ହୁଅନ୍ତି । ଦର୍ଶକମାନଙ୍କ ପାଇଁ ଏଠାରେ ଯେଉଁ ସୁନ୍ଦର ବୈଠକ ଖାନା ନିର୍ମିତ, ତାହା ବାଦଶାହା କଳ୍ପନାର ଏକ ନିଖୁଣ ନମୁନା । ଏହାର ଉପରକୁ ପାହାଚ ପଡ଼ିଛି । ଉପରକୁ ଉଠିଯାଇ ସମଗ୍ର ସହରର ଦୃଶ୍ୟ ଦେଖିଲି । ଶହ ଶହ ପର୍ଯ୍ୟଟକ ଏହାର ଉପରିଭାଗକୁ ଯାଇ ସମଗ୍ର ନଗରର ଶୋଭା ଉପଭୋଗ କରନ୍ତି । ନବାଗତ ଦର୍ଶକମାନଙ୍କୁ ଏଠାର ପ୍ରଦର୍ଶକମାନେ ସସମ୍ମାନେ ଅଭିବାଦନ କରି ଘେନି ଯାଆନ୍ତି । ପାରିଶ୍ରମିକକୁ ବଡ଼ ମନେ ନ କରି ଏମାନେ ପର୍ଯ୍ୟଟକମାନଙ୍କର ଦର୍ଶନେଚ୍ଛା ପୂର୍ଣ୍ଣ କରିବାରେ ଆଗଭର ହୋଇ ବାହାରନ୍ତି । କାଚର ଫାନୁସ୍, ଦୀପପୁଞ୍ଜ, ମୂଲ୍ୟବାନ୍ ଦରୀ, ଜରିବୁଟ୍ ଖଞ୍ଜାଗାଲିଚା ଓ ମୂଲ୍ୟବାନ୍ ଧାତୁଖଚିତ ଚୌକି ପ୍ରଭୃତି ଉପକରଣ ଦେଖି ଲକ୍ଷ୍ନୌର ପ୍ରାଚୀନ ନବାବମାନଙ୍କ ବିଳାସ ବ୍ୟସନ କଥା ମନେ ପଡ଼ିଲା । ସମ୍ମୁଖରେ ସୁନ୍ଦର ପୁଷ୍ପୋଦ୍ୟାନ ଓ ମୁକ୍ତ ପ୍ରାନ୍ତର ଦେଖି ମୁଗ୍‌ଧ ହେଲି ।

 

କ୍ଷୁଦ୍ରଇମାମ୍ ବଡ଼ା:—ନବାବ୍ ମହମଦଅଲି ଶାହା ଏହାର ନିର୍ମାତା । ଏଠାରେ ମନୋରମ ବୃହତ୍ ଦର୍ପଣ, ରଙ୍ଗିନ କାଚର ଫାନୁସ୍ ଏବଂ ରାଜସଜ୍ଜା ପ୍ରଭୃତି ଦର୍ଶକର ଆଖିକୁ ଝଲସାଇ ଦିଏ । ଆଉ ଟିକିଏ ଆଗରେ ବିରାଟ ଘଣ୍ଟାଘର (Clock house) । ଅନ୍ୟ ଗୋଟିଏ ସୁସଜ୍ଜିତ କୋଠରୀରେ ଲକ୍ଷ୍ନୌର ପ୍ରାଚୀନ ନବାବମାନଙ୍କର ପ୍ରତିକୃତି ସୁରକ୍ଷିତ ।

 

ଘଣ୍ଟା ଘରଟି ଖ୍ରୀ: ୧୮୮୧ରେ ନିର୍ମିତ । ମୌଲବୀମାନଙ୍କର କୋରାନପାଠ ନିମନ୍ତେ ଚନ୍ଦନକାଠର ତାଜିଆ ଓ ସିଂହାସନ ସ୍ଥାପିତ । ମହମ୍ମଦ ଅଲ୍ଲୀଙ୍କର ହାତୀଦାନ୍ତ କାରୁକାର୍ଯ୍ୟ ଅତୀବ ଚିତ୍ତାକର୍ଷକ । ତାଙ୍କର ମୂଲ୍ୟବାନ୍ ରାଜମୁକୁଟ ଏଠାରେ ସୁରକ୍ଷିତ । ମୁସଲମାନ ଗାଇଡ଼ମାନେ ପର୍ଯ୍ୟକଟମାନଙ୍କୁ ଦେଖି ଆନନ୍ଦରେ ଘେରିଯାଆନ୍ତି ।

 

କାଇଜର ଉଦ୍ୟାନ ସହରର ମଧ୍ୟଭାଗରେ ଅବସ୍ଥିତ । ଏଠାରେ ଲକ୍ଷ୍ନୌର ଶାସକ ସାର୍ ହାରକଟ୍ ବଟଲର୍‌ଙ୍କର ଏକ ସୁନ୍ଦର ପ୍ରତିକୃତି ଅଛି । ଏହି ଉଦ୍ୟାନଟି ଗୋଲାପ ପାଇଁ ବିଖ୍ୟାତ । ନବାବ ସାଦତଅଲି ଖାଁ ଓ ତାଙ୍କର ବେଗମ୍ ଖୁର୍ସିଦାଙ୍କର କବର ଏହାର ଅନତିଦୂରରେ ଅବସ୍ଥିତ ।

 

ଖୁର୍ସିଦ୍ ମଞ୍ଜଲ:—ପୂର୍ବେ ବେଗମ୍ ଖୁର୍ସିଦାଙ୍କର ଏହା ରାଣୀହଂସପୁର ଥିଲା । ବର୍ତ୍ତମାନ ବିଲାତୀ ଧରଣର ଏକ ଅର୍ବାଚୀନ ପ୍ରାସାଦ ବିଦ୍ୟମାନ । ଏଥିରେ ‘ଲା ମାର୍ଟିନାର’ ବାଳିକା ହାଇସ୍କୁଲ ଖ୍ରୀ: ୧୮୭୬ରେ ପ୍ରତିଷ୍ଠିତ ହେଲା । ଫରାସୀ ଶିଳ୍ପୀ ବ୍ଲଡ଼୍ ମାର୍ଟିନ୍ ଏହି ଅତ୍ୟାଧୁନିକ ପ୍ରାସାଦର ନିର୍ମାତା । ବାଳିକା ସ୍କୁଲର ସାଜସଜା ଯୁଗୋପଯୋଗୀ । ଲକ୍ଷ୍ନୌର ଏହା ବୃହତ୍ତମ ବାଳିକାବିଦ୍ୟାଳୟ ।

 

ଲକ୍ଷ୍ନୌର ଚିଡ଼ିଆଖାନା ଏକ ସୁବିସ୍ତୃତ ଭୂମିରେ ଅବସ୍ଥିତ । ଏହାକୁ ବନାରସୀବାଗ୍ କହନ୍ତି । ଭାରତର ଏହା ଅନ୍ୟତମ ଚିଡ଼ିଆଖାନା । ଏଠାରେ ବହୁପ୍ରକାର ପଶୁପକ୍ଷୀ ସୁରକ୍ଷିତ । କଲିକତା, ମାନ୍ଦ୍ରାଜ୍, ବମ୍ବେ, କାଠମାଣ୍ଡୁ,ଓ କଲମ୍ବୋ ଚିଡ଼ିଆଖାନାରେ ବାଘଙ୍କୁ ପଞ୍ଜୁରୀରେ ଆବଦ୍ଧ କରି ରଖାଯାଇଥାଏ, ମାତ୍ର ଲକ୍ଷ୍ମୌ ଚିଡ଼ିଆଖାନାରେ ବ୍ୟାଘ୍ର ଓ ସିଂହ ପ୍ରଭୃତିଙ୍କୁ ସ୍ୱତନ୍ତ୍ର ପ୍ରକାରରେ ରଖାଯାଇଅଛି । ପ୍ରାୟ ୫୦୦ ବର୍ଗଗଜ ଘଞ୍ଚତୋଟାର ଚତୁର୍ଦ୍ଦିଗରେ ଉଚ୍ଚ ତାରବାଡ଼ି ଦିଆଯାଇଛି । ମଧ୍ୟଭାଗରେ ରମଣୀୟ ଗୁମ୍ପାମାନ ନିର୍ମିତ । ବାଘବାଘୁଣୀ ଛୁଆଙ୍କ ସହ ଆନନ୍ଦରେ ଏହା ମଧ୍ୟରେ ବିହାର କରନ୍ତି । କେତେବେଳେ ଗଛତଳେ, କେତେବେଳେ ଗୁମ୍ପାରେ, କେତେବେଳେ ଖୋଲା ପଡ଼ିଆରେ ବାଘବାଘୁଣୀ ବିଚରଣ କରନ୍ତି । ଧଳା ମୟୁର, ଧଳା ହରିଣ ଏବଂ କୃଷ୍ଣ ମର୍କଟପ୍ରଭୃତି ବିରଳ ପ୍ରାଣୀ ଏଠାରେ ଦେଖାଯାନ୍ତି ।

 

ଲକ୍ଷ୍ନୌବିଶ୍ୱବିଦ୍ୟାଳୟ:— କଳା, ବିଜ୍ଞାନ, ବାଣିଜ୍ୟ ଓ ଆଇନ ପ୍ରଭୃତି ବିଭିନ୍ନ ବିଷୟରେ ଶିକ୍ଷା ପାଇବା ଲାଗି ବହୁଛାତ୍ର ଭାରତର ଦୂରଦୂରାନ୍ତରରୁ ଏଠାକୁ ଆସନ୍ତି । ଖ୍ରୀ: ୧୮୬୪ରେ ଏହାର ପ୍ରତିଷ୍ଠା । ପୂର୍ବେ ବିଶ୍ୱବିଦ୍ୟାଳୟ ଏଠାରେ ନ ଥିଲା—ଏ ଥିଲା ରାଜୋଦ୍ୟାନ । ତାର ସ୍ମୃତିରୂପେ ଏଠାରେ ନବାବ ଓ ବେଗମ୍‌ମାନଙ୍କର ସ୍ନାନଘାଟ ଏବଂ ଉଦ୍ୟାନସ୍ଥିତ ପୁଷ୍କରିଣୀ ଦେଖିବାକୁ ମିଳେ । ଏଠିକା ରବୀନ୍ଦ୍ର ନାଥ—ପାଠାଗାର ପୁସ୍ତକ ସଖ୍ୟା ୧୨୫,୦୦୦ । ପ୍ରତ୍ୟେକ ବର୍ଷ ଓଡ଼ିଶାର ବହୁ ସଂଖ୍ୟକ ଛାତ୍ର ଏଠାରେ ଅଧ୍ୟୟନ କରନ୍ତି । ମେ ମାସରେ ମୁଁ ଏଠାକୁ ଆସିଥିବାରୁ କଲେଜର ଅଧ୍ୟାପନା ବିଭାଗଗୁଡ଼ିକ ଦେଖିପାରିଲି ନାହିଁ—କାରଣ ସେତେବେଳେ ଗ୍ରୀଷ୍ମାବକାଶ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ମଧ୍ୟ ଖ୍ୟାତି ଅଛି ।

 

ଭାତଖଣ୍ଡେ ଭାରତୀୟ ସଙ୍ଗୀତବିଶ୍ୱ ବିଦ୍ୟାଳୟ:— ଭାରତପ୍ରସିଦ୍ଧ ସଙ୍ଗୀତଜ୍ଞ ପଣ୍ଡିତ ବିଷ୍ଣୁ ନାରାୟଣ ଭାତଖଣ୍ଡେଙ୍କ ନାମାନୁସାରେ ଏହା ନାମିତ । ଏଠାରେ ଯନ୍ତ୍ରସଙ୍ଗୀତ, ସ୍ୱର ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଦିଆଯାଏ । ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଏଠାରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା କରନ୍ତି-। ହିନ୍ଦୀର ଉଚ୍ଚାଙ୍ଗ ସଙ୍ଗୀତଶିକ୍ଷା ଲାଗି ଏହି ବିଶ୍ୱବିଦ୍ୟାଳୟ ଭାରତବିଖ୍ୟାତ ।

 

ଯାଦୁଘର:—ଖ୍ରୀ: ୧୮୬୩ ରେ ଏହା ଉଦ୍‌ଘାଟିତ । ଏହାର ସ୍ଥାପତ୍ୟ ବିଭାଗରେ ବ୍ରାହ୍ମଣ୍ୟ ଓ ଜୈନଧର୍ମର ବିଭିନ୍ନ ମୂର୍ତ୍ତି ସଂରକ୍ଷିତ । ମୁଦ୍ରାବିଭାଗରେ କୁଶାଣ, ଗୁପ୍ତ ଓ ମୋଗଲରାଜତ୍ୱ କାଳର ମୁଦ୍ରା ଦେଖିବାକୁ ପାଇଲି । କଳାବିଭାଗରେ କାଙ୍ଗ୍ରା, ରାଜସ୍ଥାନୀ, ଦକ୍ଷିଣାତ୍ୟ ଓ ମୋଗଲୀୟ ବିଭିନ୍ନ କାରୁକାର୍ଯ୍ୟ ଏବଂ ସୌଖୀନ ହସ୍ତଶିଳ୍ପର ବିଚିତ୍ର ସମାବେଶ ଦେଖିଲି । ଲକ୍ଷ୍ନୌ ବ୍ୟବସାୟବାଣିଜ୍ୟର ଏକ ପ୍ରଧାନ ପେଣ୍ଠ । ଏଠାର କାଉନ୍‌ସିଲ ଅଫ୍ ଚେମ୍ବର, ରେଡ଼ିଓଷ୍ଟେସନ, କୋ-ଅପରେଟିଭ୍ ସୋସାଇଟି, ହାଇକୋଟ ଓ ସେଣ୍ଟ୍ର ଲଡ୍ରଗ୍‌ରିସର୍ଚ୍ଚ ଇନ୍‌ଷ୍ଟିଟିଉଟ୍ ପ୍ରଭୃତି ଦେଖି ଅଯୋଧ୍ୟା ଯାତ୍ରା କଲି ।

☆☆☆

 

ଅଯୋଧ୍ୟା

 

ଲକ୍ଷ୍ନୋରୁ ଫେରି ଫୈଜାବାଦ ଦେଇ ଅଯୋଧ୍ୟା ଆସିଲି । ଲକ୍ଷ୍ନୌରୁ ଏହାର ଦୂରତା ମାତ୍ର ୫୨ ମାଇଲ୍ । ପ୍ରାୟ ଦୁଇ ଘଣ୍ଟାର ରେଳଯାତ୍ରା । ହନୁମାନ୍ ଗଡ଼ା, ରାମଦରବାର, କନକଭବନ, ରାମମନ୍ଦିର ଓ ପୁଣ୍ୟତୋୟା ସରଯୁନଦୀ ଏଠାର ଦର୍ଶନୀୟ । ଆଜିଠାରୁ ୮ ଲକ୍ଷ ବର୍ଷ ପୂର୍ବେ ଏଠାରେ ଥିଲା ଶ୍ରୀ ରାମଚନ୍ଦ୍ରଙ୍କର ରାଜସଭା—ଆଜି କିନ୍ତୁ ବିଜନ ପ୍ରାନ୍ତର । କୈକେୟୀଭବନର ଚାରିଆଡ଼େ ଗୁଳ୍ମ । ତେଣୁ ସଂସ୍କୃତକବି ଯଥାର୍ଥରେ କହନ୍ତି—

 

“ରଘୁପତେଃ କ୍ୱ ଗତୋତ୍ତରକୋଶଳଃ,

ଯଦୁପତେଃ କ୍ୱ ଗତା ମଥୁରାପୁରୀ ।”

 

ମୁସଲମାନରାଜତ୍ୱରେ ଏଠାକାର ପ୍ରତ୍ୟେକ ମନ୍ଦିରରେ ମସଜିଦ୍‌ମାନ ମୁଣ୍ଡଟେକିଛି—ଏପରି କି ତୁଳସୀଦାସମନ୍ଦିରରେ ଏବେ ସୁଦ୍ଧା କବର ରହିଛି । ଏଠାର ମନ୍ଦିରଗୁଡ଼ିକ ଭାଙ୍ଗି ସେଗୁଡ଼ିକ ଉପରେ ମସ୍‌ଜିଦ୍ ତିଆରି କରିବା ପାଇଁ ବାବର ମନ୍ତ୍ରୀ ମୀରକାଶିମ୍ ଖାଁଙ୍କୁ କଡ଼ା ହୁକୁମ ଦେଇଥିଲେ । ତାଙ୍କ ହୁକୁମ ଅନୁସାରେ ଏଠାରେ ସାଧୁମାନଙ୍କ ସମାଧି ଉପରେ ମୁସଲମାନଙ୍କ କବର ତିଆରି ହେଲା । ପଣ୍ଡା, ପୁରୋହିତ ଓ ପଣ୍ଡିତମାନଙ୍କୁ ହତ୍ୟା କରାଯାଇ ମନ୍ଦିରଗୁଡ଼ିକୁ ତୋପ ସାହାଯ୍ୟରେ ଧୂଳିସାତ୍ କରାଯାଇଥିଲା । ମନ୍ଦିରର ଭଙ୍ଗା ଇଟାରେ ମସ୍‌ଜିଦ୍ ତିଆରି ହେଲା । ସେତେବେଳେ ବୀର ହିନ୍ଦୁଜାତି ନିଜର ପ୍ରାଣବଳି ନ ଦେଇ ମୋଗଲମାନଙ୍କର ଏପରି ଅତ୍ୟାଚାରକୁ ଯେ କିପରି ସହିନେଲେ—ଏହା ଚିନ୍ତାର ବିଷୟ ।

 

ହନୁମାନ୍‍ଗଡ଼ା;–ଏହା ଅଯୋଧ୍ୟାର ବିଖ୍ୟାତ ମନ୍ଦିର । ଏଥିରେ ଶ୍ରୀ ହନୁମାନ୍‌ଜୀଙ୍କର ବିଶାଳମୂର୍ତ୍ତି ଅଛି । ଶହ ଶହ ଭକ୍ତ ଏଠାରେ ପାରଣା କରନ୍ତି । ଏକ ବିଶାଳ ବଟବୃକ୍ଷ ମୂଳରେ ସୁନ୍ଦର ବେଦୀଟିଏ । ମନ୍ଦିରରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ନୀଳ, ନଳ, ଜାମ୍ବବ, ଓ ସୁଗ୍ରୀବ ପ୍ରଭୃତିଙ୍କର ବିଗ୍ରହ ପୂଜିତ ମନ୍ଦିରର ଗଠନ ସାଧାରଣ ହେଲେ ହେଁ ତୀର୍ଥପ୍ରଧାନ୍ୟ ଦୃଷ୍ଟିରୁ ଏଠାକୁ ସହସ୍ର ସହସ୍ର ଯାତ୍ରୀ ଆସନ୍ତି । କୈକେୟୀଭବନରେ ରାଣୀ କୈକେୟୀ ବାସ କରୁଥିଲେ । ଏହାର ଟିକିଏ ଦୂରକୁ ସୁମିତ୍ରା ଭବନ ଅବସ୍ଥିତ । ଏଠାରେ କେବଳେ ଧ୍ୱଂସାବଶେଷ ବ୍ୟତୀତ ଆଉ କିଛି ଦେଖିବାକୁ ମିଳେ ନାହିଁ । ଋଣମୋଚନ ତୀର୍ଥରେ ସ୍ନାନ କଲେ ନରନାରୀ ଋଣରୁ ମୁକ୍ତ ହୁଅନ୍ତି । ଏତଦ୍ ବ୍ୟତୀତ ପାପମୋଚନତୀର୍ଥ, ଯଜ୍ଞବେଦୀ, ରବିକୁଣ୍ଡ ଓ ଭରତକୂପ ପ୍ରଭୃତି ତୀର୍ଥ ଏଠାରେ ଅଛି । ରାମଦରବାର ଓ କନକଭବନରେ ଲକ୍ଷ୍ମୀଦରଜା ଓ ପୁରନ୍ଦରଦରଜା ପ୍ରଭୃତି ଦେଖିବାର କଥା-। ସରଯୁନଦୀ ସୁଗଭୀରା ଓ ଧୀରସ୍ରୋତା । ଏଥିରେ ସ୍ନାନ କରିବା ନିମିତ୍ତ ଘାଟ ଓ ପାହାଚମାନ ଗଠିତ । ନଦୀର ଶୋଭା ଚିତ୍ତାକର୍ଷକ, ଏଠାରେ ସାଂୟକାଳୀନ ଦୃଶ୍ୟ ଅତୀବ ମନୋରମ । ୩।୪ ଫୁଟ ଉଚ୍ଚର ବଗଗୁଡ଼ିଏ ନଈପଠାରେ ବୁଲୁଥାଆନ୍ତି ।

☆☆☆

 

ପ୍ରୟାଗ

 

ଦିଲ୍ଲୀରୁ ମଥୁରା ଯାତ୍ରା ସମୟରେ ତୁଫାନ ଏକ୍‍ସପ୍ରେସରେ ମୋର ସହଯାତ୍ରୀ ଶ୍ରୀ ଅଟଳବିହାରୀ କରିଧଲ M.A., LLB., D.S.S. ଙ୍କ ସହ ବାର୍ତ୍ତାଳାପ ହୋଇଥିଲା । ସେ ମହାଶୟ ଦିଲ୍ଲୀରୁ ତାଙ୍କ ଶ୍ୱଶୁରାଳୟକୁ ଯାଉଥାନ୍ତି । ମଥୁରାର ଆଡ଼ିସନାଲ ଜିଲ୍ଲା-ମାଜିଷ୍ଟ୍ରେଟ୍ ଶ୍ରୀ ସୁରଜଲାଲ ପ୍ରସାଦ ହେଉଛନ୍ତି ତାଙ୍କ ଶ୍ୱଶୁର । ତିନିଘଣ୍ଟାର ସାହିତ୍ୟ ଆଲୋଚନାରେ ସେ ମୋର ପରିଚୟ ପଚାରିଲେ । ଓଡ଼ିଶାର ଏକ ସାମାନ୍ୟ କବି ବୋଲି ମୁଁ ତାଙ୍କୁ ପରିଚୟ ଦେଲି । ସେ ମଥୁରାରେ ରହିବାର ସମସ୍ତ ବନ୍ଦୋବସ୍ତ କରିଦେଲେ ଓ ଆଲାହାବାଦ ଭ୍ରମଣ କାଳରେ ତାଙ୍କ ବାସଭବନକୁ ଯିବା ପାଇଁ ଅନୁରୋଧ କରି ମୋତେ ତାଙ୍କର ଘର ଠିକଣା ଓ ଅଫିସ ଠିକଣା ଦେଲେ । ଆଲାହାବାଦର ସେ ହେଉଛନ୍ତି ଲେବର କନସିଲିଏସନ୍ ଅଫିସର ।

 

ଅଯୋଧ୍ୟାରୁ ସିଧା ଏଠାକୁ ଆସୁଥାନ୍ତି । ଅଯୋଧ୍ୟାରୁ ଫଏଜାବାଦ ଦେଇ ଏଠାକୁ ଆସିବାକୁ ହୁଏ । ଦୂରତା ୧୦୩ ମାଇଲ୍ । ଆଲାହାବାଦରେ ଗାଡ଼ି ପହଞ୍ଚୁ ପହଞ୍ଚୁ ରାତି ୧ଟା ହେଲା । ଦୋକାନ, ବଜାର, ହୋଟେଲ ଧର୍ମଶାଳା ସବୁ ବନ୍ଦ । କରେଁ କଣ ? ଏକମାତ୍ର ଆଶ୍ରୟର ପନ୍ଥା ହେଉଛି ରେଲଷ୍ଟେସନ୍ ପ୍ଲାଟଫର୍ମ । ହଠାତ୍ ଶ୍ରୀ ଅଟଲବାବୁଙ୍କ କଥା ମନେ ପଡ଼ିଗଲା । ରିକ୍‌ସାଟିଏ କରି ତାଙ୍କ ବସା ୧୬-କ୍ଲାଇବ ରୋଡ଼ ଆଡ଼େ ଚାଲିଲି । ରିକ୍‌ସାବାଲା ବହୁତ କଷ୍ଟରେ ଘର ଖୋଜି ପାଇଲା । ଫାଟକ ପାଖରେ ଡାକି ଡାକି କିଛି ଉତ୍ତର ମିଳିଲା ନାହିଁ । ଉପାୟ କଣ ? କିଛି ସମୟ “ନ ଯଯୌ ନ ତସ୍ଥୌ” ହୋଇ ଠିଆ ହେଲାପରେ ସାହସ କରି ଫାଟକ ଫିଟାଇ ଭିତରକୁ ଯାଇ ବଡ଼ ପାଟିରେ ଡାକିବାରୁ ଅଟଲବିହାରୀ ବାବୁ ଉଠିଲେ ଓ ମୋର ରହିବାର ସମସ୍ତ ବନ୍ଦୋବସ୍ତ କରିଦେଲେ ।

 

ଆଲାହାବାଦ ଉତ୍ତର ପ୍ରଦେଶର ଅନ୍ୟତମ ସମୃଦ୍ଧିଶାଳୀ ନଗରୀ । ରାସ୍ତାଘାଟଗୁଡ଼ିକ ବେଶ୍ ପରିଷ୍କୃତ ପରିଚ୍ଛନ୍ନ । ମୋଟର, ବାସ୍, ଟାଙ୍ଗା, ଟାକ୍‌ସି, ସାଇକେଲ ଓ ରିକ୍‌ସା ପ୍ରଭୃତି ଯାନର ବନ୍ଦୋବସ୍ତ ଏଠାରେ ଅଛି । ସୁସଜ୍ଜିତ ପ୍ରାସାଦମାଳାସ, ବିପଣୀଶ୍ରେଣୀର ଅପୂର୍ବ ସାଜସଜା, ମନ୍ଦିର, ବିଦ୍ୟାଳୟ, ସଂଗୀତପୀଠ, କୁସ୍ତି ଆଖଡ଼ା, ସରକାରୀ କାର୍ଯ୍ୟାଳୟ, ବିଶ୍ୱବିଦ୍ୟାଳୟ, ମହିଳା କଲେଜ, ହିନ୍ଦୀ ସାହିତ୍ୟର ସୁମହାନ୍ ଲେଖକ ଓ କବିଙ୍କର ନିବାସ ଏହାର ପ୍ରାଧାନ୍ୟର ଅନ୍ୟ ଏକ କାରଣ । ପୁଣ୍ୟତୋୟା ଗଙ୍ଗା ଓ ଯମୁନାର ସଙ୍ଗମ ସ୍ଥଳରେ ଏହା ଅବସ୍ଥିତ । ଏହାର ତୀଥବୈଶିଷ୍ଟ୍ୟ ଯୋଗୁଁ ମାଘମାସରେ ଏଠାକୁ ଲକ୍ଷ ଲକ୍ଷ ନରନାରୀ ଆସନ୍ତି । ପ୍ରୟାଗରେ ଗଙ୍ଗା, ଯମୁନା ଓ ସରସ୍ୱତୀ ମିଳନ ହୋଇଥିବାରୁ ଏହାର ଅନ୍ୟନାମ ତୀର୍ଥରାଜ । ଏଠାରେ ସ୍ନାନ କଲେ ଧର୍ମ, ଅର୍ଥ, କାମ, ଓ ମୋକ୍ଷ ମିଳେ ବୋଲି ପୁରାଣରେ ଉଲ୍ଲେଖ ଅଛି । ଏହା ବିଶ୍ୱବିଦ୍ୟାଳୟ ସୁବିସ୍ତୃତ ଭୂମି ଉପରେ ନିର୍ମିତ । ଏଠାରେ ଭାରତର ବିଭିନ୍ନ ସ୍ଥାନର ଛାତ୍ରମାନେ ଅଧ୍ୟୟନ କରନ୍ତି । ସଂଗୀତ, କଳା ଓ ବିଜ୍ଞାନ ପ୍ରଭୃତି ନାନାବିଧ ବିଷୟ ଏଠାରେ ଶିକ୍ଷା ଦିଆଯାଏ । ସାଧାରଣ ପାଠାଗାର, ଛାତ୍ରବାସ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଦେଖିବାର କଥା । ବିଷ୍ଣୁଙ୍କର ଏହା ମୁଖ୍ୟ କ୍ଷେତ୍ର । ବିଷ୍ଣୁଙ୍କର ଆଶ୍ରୟ ସ୍ଥାନ ହେଉଛି ଏକ ଅକ୍ଷୟ ବଟମୂଳ । ଏହି କ୍ଷେତ୍ରରେ ଶଙ୍ଖମାଧବ, ଚକ୍ରମାଧବ, ଗଦାମାଧବ, ପଦ୍ମମାଧବ, ଅନନ୍ତମାଧବ, ବିନ୍ଦୁମାଧବ, ମନୋହରମାଧବ ଓ ଅସିମାଧବ—ଏହିପରି ଅଷ୍ଟମାଧବ ବାସ କରନ୍ତି । ଏହି ବଟବୃକ୍ଷର ନିକଟକୁ ଶୂଳଟଙ୍କେଶ୍ୱର ଶିବ ମନ୍ଦିର । ବଟର ପଶ୍ଚିମଦିଗରେ ସୂର୍ଯ୍ୟକୁଣ୍ଡ । ପ୍ରବାଦ ଅଛି, ସୂର୍ଯ୍ୟଦେବ ଏଠାରେ ବହୁଦିନ ତପସ୍ୟାରତ ଥିଲେ । ଏହାର ଦକ୍ଷିଣକୁ “ଆଦିବେଣ” ତୀର୍ଥ । ପଶ୍ଚିମଦିଗରେ ଘୃତ କୁଲ୍ୟା ଓ ମଧୁକୁଲ୍ୟା ।

 

କପିଳମୁନିବଟ:—ଏଠାରେ ମହାମୁନି କପିଳଙ୍କର ଆଶ୍ରମ ଥିଲା । ଏଠାରେ ଇନ୍ଦିରେଶ୍ୱର ପୂଜା ପାଆନ୍ତି । ଏଠାରେ ପିଶାଚ ମୋଚନତୀର୍ଥ, କାମତୀର୍ଥ, ଆଦିତ୍ୟତୀର୍ଥ, ଭୋଗବତୀତୀର୍ଥ, ବାୟୁତୀର୍ଥ, ଧନଦତୀର୍ଥ, ଓ ଦଶାଶ୍ୱମେଧତୀର୍ଥ, ପ୍ରଭୃତି ବିରାଜମାନ । ପାତାଳପୁରୀ ପୁରୁଣା କିଲା ମଧ୍ୟରେ ଅବସ୍ଥିତ । ବିଶିଷ୍ଟ ଚୀନପରିବ୍ରାଜକ ହୁଏନ୍‌ସାଂଙ୍କ ଭାରତଭ୍ରମଣ ପୁସ୍ତକରେ ଉଲ୍ଲେଖ ଅଛି—

 

“କିଲା ମଧ୍ୟସ୍ଥ ପାତାଳପୁରୀମନ୍ଦିର ଏକ ବିଖ୍ୟାତ ମନ୍ଦିର ।

 

ଏହାର ସାଜସଜ୍ଜା ଅତୀବ ପ୍ରଶଂସନୀୟ । ଏଠାରେ ଭକ୍ତି ସହକାରେ ପ୍ରାଣତ୍ୟାଗ କଲେ ସ୍ୱର୍ଗବାସ ମିଳେ । ମନ୍ଦିରର ଅଗଣାରେ ଥିବା ଅକ୍ଷୟବଟର ଶାଖାପ୍ରଶାଖା ବହୁଦୂରବ୍ୟାପୀ-।” ଏବେ ସୁଦ୍ଧା ଏହି ମନ୍ଦିରର ଧ୍ୱଂସାବଶେଷ ଦେଖିବାକୁ ମିଳେ । ଏଠାରେ ପ୍ରାୟ ଶହେଟି ଜୀର୍ଣ୍ଣ ସ୍ତମ୍ଭ ଦେଖିବାକୁ ପାଇଲି । ଏହାର ଚାରିପାଖରେ ଧର୍ମ ରାଜଙ୍କର ବିରାଟ ଶିଳାମୂର୍ତ୍ତି-। ଗଣେଶ, ଗୋଖରନାଥ ଓ ଶେଷନାଥ ପ୍ରଭୃତିଙ୍କ ବିଶାଳ ଶିଳାମୂର୍ତ୍ତି ଏଠାରେ ସୁରକ୍ଷିତ-। ଏହି ଦୁର୍ଗ ସମ୍ରାଟ ଅଶୋକଙ୍କର କୀର୍ତ୍ତି ବୋଲି କଥିତ ।

 

ଆକବରଦୁର୍ଗ:—ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳରେ ବିଶାଳ ଦୁର୍ଗର ନିର୍ମାତା ହେଉଛନ୍ତି ମୋଗଲସମ୍ରାଟ୍ ଆକବର । ଏହାକୁ ସେ ଖ୍ରୀ: ୧୫୮୩ରେ ନିର୍ମାଣ କରିଥିଲେ । ଆକବରଙ୍କ ଦରବାରର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ “ଆକବରନାମା”ରେ ଲେଖିଛନ୍ତି, “ଏହି କିଲା ଚାରିଭାଗରେ ବିଭକ୍ତ ହୋଇଥିଲା ପ୍ରଥମ ଭାଗ ସମ୍ରାଟ୍ ଆକବରଙ୍କର ବାସଭବନ, ଦ୍ୱିତୀୟଭାଗ ବେଗମମାନଙ୍କ ବାସଭବନ ଓ ତୃତୀୟ ଭାଗ ପରିବାରବର୍ଗଙ୍କ ବାସଭବନ ଥିଲା ଏବଂ ଚତୁର୍ଥ ଭାଗରେ ସିପାହୀମାନେ ରହୁଥିଲେ । ଏଠାରେ ଆକବର ସାମୟିକଭାବେ ରହୁଥିଲେ ।” ଏଲାହାବାଦ କିଲଟରୀର ପ୍ରାଚୀନ ସନନ୍ଦରୁ ଜଣାଯାଏ, “ଏହାର ଲମ୍ବ ୨୨୮୦ ଗଜ ଏବଂ ପ୍ରସ୍ଥ ୧୫୬୦ ଗଜ । ଏହାର ନିର୍ମାଣ ପାଇଁ ଟ୧୭,୨୦,୨୧୪ଙ୍କା ଖର୍ଚ୍ଚ ହୋଇଥିଲା ଓ ଏହାର ନିର୍ମାଣକାଳ ୪୫ ବର୍ଷ, ୫ ମାସ ଓ ୧୦ ଦିନ । ଏଠାରେ ୨୩ଟି ମହଲ, ୩ଟି ସୁସଜ୍ଜିତ ଶୟନଗାର, ୨୫ଟି ଦ୍ୱାର ଓ ୨୭୭ ଟି ସାଧାରଣ କୋଠରୀ ଥିଲା ।”ଏହି ଦୁର୍ଗରେ ଅମରାବତୀ, ଆନନ୍ଦମହଲ, ମହାଶୃଙ୍ଗାରମହଲ, କଲ୍ଲୋଳ ମହଲ, ଦିଲଶାହମହଲ, ହଂସ ମହଲ, ଓ ସୁଖନାମମହଲ ପ୍ରଭୃତି ଥିଲା । ସମଗ୍ର ଦୁର୍ଗଟି ଲାଲ ପଥରରେ ନିର୍ମିତ । ଇଂରେଜମାନେ ଏହି କିଲାକୁ ଦଖଲ କରି ଏହାର ପ୍ରାଧାନ୍ୟ ଲୋପ କଲେ । ଅଷ୍ଟାଦଶ ଶତାବ୍ଦୀରେ ଇଷ୍ଟଇଣ୍ଡିଆ କମ୍ପାନୀ ଏହାକୁ ହସ୍ତଗତ କରି ଏହାକୁ ଅସ୍ତ୍ରଭଣ୍ଡାର କଲେ ।

 

ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ :— ଗଙ୍ଗା, ଯମୁନା ଓ ସରସ୍ୱତୀର ଅପୂର୍ବ ସଙ୍ଗମସ୍ଥାନର ଦୃଶ୍ୟ ଅତୀବ ମର୍ମସ୍ପର୍ଶୀ । ସରସ୍ୱତୀ ଅନ୍ତଃସ୍ରୋତା ହୋଇଥିବାରୁ ଦେଖାଯାଏ ନାହିଁ । ଗଙ୍ଗା ଓ ଯମୁନାର ଅପୂର୍ବ ମିଳନ ଦେଖିବା ଓ ଏଠାରେ ସ୍ନାନ କରିବା ଉଦ୍ଦେଶ୍ୟରେ ହଜାର ହଜାର ଯାତ୍ରୀ ଏଠାକୁ ଆସନ୍ତି । କୂଳରୁ ଡଙ୍ଗାରେ ପ୍ରାୟ ଏକ ମାଇଲ୍ ଗଲାପରେ ରମଣୀୟ ଛୋଟ ପଠାଟିଏ ପଡ଼େ । ନାଉରୀମାନେ ଯାତ୍ରୀଙ୍କୁ ଖଣ୍ଡେ ଦୂରରୁ ପାଛୋଟି ନେଇ ଯାଆନ୍ତି । ସଙ୍ଗମର ମଧ୍ୟଭାଗ ଅଗଭୀର । ପାଣି ୨।୩ ଫୁଟ ପର୍ଯ୍ୟନ୍ତ ଥାଏ । ଏଠାରେ ଯାତ୍ରୀମାନେ ସ୍ନାନ କରନ୍ତି । ଏକ ପାଶ୍ୱରେ ଯମୁନାର ନୀଳଜଳପ୍ରବାହ— ଅପରପାର୍ଶ୍ୱରେ ସଙ୍ଗାର ଶୁକ୍ଳ ଜଳଧାରା ପରସ୍ପରକୁ ଆଲିଙ୍ଗନ କରି ଦୂରକୁ ବହି ଯାଉଥିଲେ ମଧ୍ୟ ଜଳର ବର୍ଣ୍ଣବୈଷମ୍ୟ ସବୁବେଳେ ଜଣା ପଡ଼ିଯାଏ । ଅଦୃଶ୍ୟା ସରସ୍ୱତୀଜଳ ରକ୍ତବର୍ଣ୍ଣ ବୋଲି କଥିତ ଅଛି । ପ୍ରୟାଗ ଶବ୍ଦର ବ୍ୟୁତ୍ପତ୍ତି— ପ୍ର ଅର୍ଥାତ୍ ପ୍ରକୃଷ୍ଟ ଯାଗ ଅର୍ଥାତ୍ ଯଜ୍ଞ ଅନୁଷ୍ଠିତ ହୁଏ ଯେଉଁଠାରେ । କୁର୍ମପୁରାଣରେ ଉଲ୍ଲେଖ ଅଛି, ପ୍ରୟାଗ ବ୍ରହ୍ମଙ୍କର କ୍ଷେତ୍ର । ମତ୍ସ୍ୟପୁରାଣ ଓ ଅଗ୍ନିପୁରାଣ ବର୍ଣ୍ଣିତ ଅଛି, ପ୍ରୟାଗ ହେଉଛି ବ୍ରହ୍ମାଙ୍କର ବେଦୀ । ବାମନ ପୁରାଣରେ ଉଲ୍ଲେଖ ଅଛି, ବ୍ରହ୍ମାଙ୍କର ପଞ୍ଚବେଦୀ ମଧ୍ୟରୁ ପ୍ରୟାଗରେ ମଧ୍ୟବେଦୀ ଅବସ୍ଥିତ । ସ୍ଥାନର ପବିତ୍ରତା ଦୃଷ୍ଟିରୁ ଯାତ୍ରୀମାନେ ଏଠାରେ ସ୍ୱର୍ଗକାମନା କରି ସଂକଳ୍ପ କରନ୍ତି । ଆଦିକବି ବାଲ୍ମୀକି, ଭକ୍ତକବି ସୁରଦାସ ଓ କବୀର ପ୍ରଭୃତିଙ୍କର ଜନ୍ମସ୍ଥାନ ଏହି ପ୍ରୟାଗ ।

 

ଅଶୋକଙ୍କ କୀର୍ତ୍ତିସ୍ତମ୍ଭ ଏଠାରେ ବିଦ୍ୟମାନ । ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱକାଳରେ ଗ୍ରୀସ୍ ରାଜଦୂତ ମେଘାସ୍ଥିନିସ୍ ସ୍ୱରଚିତ ‘ଭାରତ ଭ୍ରମଣ’ରେ ପ୍ରୟାଗ ବିଷୟରେ ଏକ ବିଶଦ ବିବରଣୀ ଦେଇଅଛନ୍ତି ।

 

ପ୍ରୟାଗର କୁମ୍ଭମେଳା ଭାରତବିଖ୍ୟାତ । ପୂର୍ବେ ଭାରତର ସମ୍ରାଟ୍ ହର୍ଷବର୍ଦ୍ଧନ ଏହି ସଂଗମରେ ସ୍ନାନ କରି ନିଜର ସମସ୍ତ ଧନ ସମ୍ପତ୍ତି ଏପରିକି ନିଜର ବହୁମୂଲ୍ୟ ପୋଷାକପରିଚ୍ଛଦ ଏଠାରେ ବ୍ରାହ୍ମଣ ଓ ଦରିଦ୍ରମାନଙ୍କୁ ଅମ୍ଳାନବଦନରେ ପ୍ରଦାନ କରିଥିଲେ ।

 

ଯାଦୁଘର:—ପୁରାତନ ପ୍ରସ୍ତରର ବିଭିନ୍ନ ମୂର୍ତ୍ତି, ପ୍ରାଚୀନ ଯୁଦ୍ଧସାଜ ସରଞ୍ଜାମ, କାଠଖୋଳା ମୂର୍ତ୍ତି, ପ୍ରାଚୀନ ତୋପ ବନ୍ଧୁକ ପ୍ରଭୃତି ଏଠାରେ ସୁରକ୍ଷିତ ହୋଇଛି । ଏହାର ଆୟତନ ମଧ୍ୟମଧରଣର ହେଲେ ହେଁ ବହୁବିଧ ପଦାର୍ଥ ସଂଗୃହୀତ ହୋଇ ଏଠାରେ ରଖାଯାଇଛି । ଏହାର ସମସ୍ତ ବିଭାଗ ବୁଲି ଦେଖିବାକୁ ୨ ।୩ ଘଣ୍ଟା ଲାଗେ ।

 

ଆନନ୍ଦଭବନ:—ସ୍ୱର୍ଗତ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମପୀଠରୂପେ ଏହା ପ୍ରସିଦ୍ଧ । ଏଠାକାର ପ୍ରତ୍ୟେକ କୋଠରୀ ଦର୍ଶକମାନଙ୍କ ପାଇଁ ଉନ୍ମୁକ୍ତ । ପ୍ରତ୍ୟହ ହଜାର ହଜାର ଦର୍ଶକ ଦର୍ଶକ ଏଠାରେ ରୁଣ୍ଡ ହୁଅନ୍ତି । ଏହି ପ୍ରାସାଦଟି ସୁନ୍ଦରଭାବେ ଗଠିତ-। ଏହାର ପ୍ରବେଶଦ୍ୱାରରେ ସବୁବେଳ ସଶସ୍ତ୍ର ପ୍ରହରୀ ନିଯୁକ୍ତ ଥାଆନ୍ତି ।

 

ଭରଦ୍ୱାଜାଶ୍ରମ, ସରକାରୀ ଛାପାଖାନା, ହାଇକୋର୍ଟ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଉଦ୍ ଯୋଗଶାଳା ଏହି ସହରର ପ୍ରାଧାନ୍ୟ ବୃଦ୍ଧି କରେ ।

 

ପ୍ରୟାଗ (ଆଲାହାବାଦ) ଐତିହାସିକ ତଥା ପୌରାଣିକ ପ୍ରାଧାନ୍ୟ ଯୋଗୁଁ ବିଖ୍ୟାତ । ଦର୍ଶକମାନେ ସୁବିଧାରେ ଭ୍ରମଣ କରିବା ଓ ନଗରୀବିଷୟରେ ବିଭିନ୍ନ ଖବର ଜାଣିବା ଲାଗି Tourist Information Bureau (ପର୍ଯ୍ୟଟକ ସମ୍ବାଦ କେନ୍ଦ୍ର)ର କାର୍ଯ୍ୟକଳାପ ପ୍ରଶଂସନୀୟ । ସହରର ଚାରିଆଡ଼େ ପରିଷ୍କୃତ ପକ୍କାରାସ୍ତା, ଉଦ୍ୟାନ, ଉଚ୍ଚ ପ୍ରାସାଦମାଳା, ସ୍କୁଲ, କଲେଜ, ମଲ୍ଲଶାଳା, ବଡ଼ ବଡ଼ ଦୋକାନ ଓ ସରକାରୀ କାର୍ଯ୍ୟାଳୟ ଦେଖି ମନ ଆନନ୍ଦରେ ବିହ୍ୱଳ ହେଲା । ଆଧୁନିକ ହିନ୍ଦୀସାହିତ୍ୟର ପ୍ରବୀଣ ଲେଖକ ଓ ଲେଖିକାମାନେ ଏଠାରେ ବାସ କରନ୍ତି । କବି ନିରାଲାଜୀ ସହରରୁ ୩ ।୪ ମାଇଲ ଦୂରରେ ଏକ ପଲ୍ଲୀଗ୍ରାମରେ ରହୁଥିବାର ଶୁଣି ତାଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲି । ହିନ୍ଦୀସାହିତ୍ୟର ଅନ୍ୟତମ ପ୍ରବୀଣନାରୀ କବି ଶ୍ରୀମତୀ ମହାଦେବ ବର୍ମା ଏଠାକାର ମହିଳାକଲେଜର ଅଧ୍ୟକ୍ଷା । ତାଙ୍କ ସହିତ ବାର୍ତ୍ତାଳାପ କରିବାର ସୁଯୋଗ ଘଟିଥିଲା, କିନ୍ତୁ ତାଙ୍କ ବାସଭବନରେ ନୁହେଁ—ସରକାରୀ ହସ୍‌ପିଟାଲ୍‌ରେ । ସେତେବେଳେ ତାଙ୍କର ଗୋଡ଼ି ଭାଙ୍ଗି ଯାଇଥିବାରୁ ସେ ଶଯ୍ୟାଶାୟିନୀ ହୋଇ ହସ୍‌ପିଟାଲରେ ଥିଲେ । ଏତେ ଦୁଃଖ ଓ ଯନ୍ତ୍ରଣାରେ ପଡ଼ି ସୁଦ୍ଧା ତାଙ୍କର ମଧୁର ସମ୍ଭାଷଣ ଓ ବାର୍ତ୍ତାଳାପରେ ସେ ମୋତେ ଆପ୍ୟାୟିତ କଲେ । ଦ୍ୱିତୀୟଥର ପୁଣି ଏଠାକୁ ଆସିବାର ସୁଯୋଗ ମୋର ଘଟିଥିଲା କାଶ୍ମୀରଭ୍ରମଣରୁ ଫେରିଲାବେଳେ । ପୁଣି ଏଠାରେ କିଛିଦିନ ବିଶ୍ରାମ ନେଇ କେତେକ ସ୍ଥାନ ବୁଲିଲି-

☆☆☆

 

କାଶୀ

 

ପ୍ରୟାଗ ଦେଖିସାରିବା ପରେ କାଶୀଯାତ୍ରା । ଏହା ଭାରତର ଏକ ବିଶିଷ୍ଟ ଧର୍ମକ୍ଷେତ୍ର ଓ ସଂସ୍କୃତଚର୍ଚ୍ଚାର ଆଦିପୀଠ । ପୁଣ୍ୟତୋୟା, ଗଙ୍ଗାକୂଳରେ ଏହା ଅବସ୍ଥିତ । ଉତ୍ତର ପ୍ରଦେଶର ଏହା ଅନ୍ୟତମ ସମୃଦ୍ଧିଶାଳୀ ନଗରୀ । ଦୀର୍ଘ ୪ ମାଇଲ ପର୍ଯ୍ୟନ୍ତ ଏହି ସହରକୁ ଆଲିଙ୍ଗନ କରି ଲୀଳାମୟୀ ଭାଗୀରଥୀ ବକ୍ରଗତିରେ ଏଠାରେ ପ୍ରବହମାନ । ଜନାକୀର୍ଣ୍ଣ ଘାଟମାନଙ୍କରେ ସକାଳେ ଏ ସନ୍ଧ୍ୟାରେ ଶହ ଶହ ଲୋକ ସ୍ନାନ କରନ୍ତି । କଲିକତାରୁ ଏହାର ଦୂରତା ୪୨୨ ମାଇଲ୍ ।

 

ପ୍ରଥମଥର ଖ୍ରୀ: ୧୯୫୩ ଜୁନରେ ମୁଁ ଏଠାକୁ ଯାଇଥିଲି । ସେତେବେଳେ ମୋର ମାନସିକ ବିକୃତି (Mental Shock) ଘଟିଥିଲା । ହଠାତ୍ ଦିନେ ଏଠାକୁ ଚାଲିଆସିଲି । ଏକ ବସ୍ତ୍ରରେ ଇତସ୍ତତଃ ବୁଲୁଥିଲାବେଳେ ହିନ୍ଦୁ ବିଶ୍ୱବିଦ୍ୟାଳୟର Ph.D ଛାତ୍ର ଶ୍ରୀ ରାମଚନ୍ଦ୍ର ମହାନ୍ତି ମୋତେ ଯଥେଷ୍ଟ ସାହାଯ୍ୟ କରିଥିଲେ । ସେ ହଷ୍ଟେଲରେ ମୋର ରହିବାର ବନ୍ଦୋବସ୍ତ କରିଥିଲେ-। ଏବଂ କିଛିଦିନ ପରେ ମାରବାରୀ ସେବାସଂଘ ସଂସ୍କୃତ ମହାବିଦ୍ୟାଳୟର ପ୍ରଧାନ ଅଧ୍ୟାପକ ଶ୍ରୀ ତ୍ରୀନାଥ ଦାଶଶର୍ମାଙ୍କ ସହିତ ପରିଚୟ କରାଇଦେଲେ । ପଣ୍ଡିତ ତ୍ରିନାଥ ଦାଶଶର୍ମା ମୋତେ ଯଥେଷ୍ଟ ସାହାଯ୍ୟ କଲେ । ମୋର ମାନସିକ ବିକୃତିର ଉପଶମ ଲାଗି ବହୁତ ସେବାପୂଜା କରି ସେ ମୋତେ ଅନେକ ପରିମାଣରେ ସୁସ୍ଥ କରିଥିଲେ । ସେତେବେଳେ ମୁଁ ଏଠାରେ ବହୁଦିନ ଧରି ବାସ କରିଥିଲି । ସେ ସମୟର ଘଟଣାମାନ ଏବେ ସୁଦ୍ଧା ଏକ ଅସ୍ପଷ୍ଟ ଚଳଚିତ୍ର ପରି ମୋତେ ଜଣାପଡ଼େ-

 

ପୁରାଣରେ ଉଲ୍ଲେଖ ଅଛି, ସୁହୋତ୍ରଙ୍କ ପୁତ୍ର କଶ୍ୟ ଖ୍ରୀ:ପୂ ୧୨୦୦ ରେ ଏହାକୁ ସ୍ଥାପନ କରିଥିଲେ । ଇତିହାସରୁ ପ୍ରମାଣ ମିଳେ, ଖ୍ରୀ: ୧୧୯୪ ରେ ଘୋରୀବଂଶର ସାହାବୁଦ୍ଧିନ କାଶୀକୁ ଧ୍ୱଂସ ମୁଖରେ ପକାଇଥିଲେ । ମୋଗଲ ବଂଶର ଶେଷସମ୍ରାଟ୍ ମହମ୍ମଦ ଶାହାଙ୍କ ଚେଷ୍ଟାରେ ଏହାର ପୁନରୁଦ୍ଧାର ହେଲା ଓ ତାଙ୍କ ନାମାନୁସାରେ ଏହାର ନାମକରଣ ହେଲା ମହମ୍ମଦନଗର । ପରେ ସେ ମାନସରାମ ନାମକ ହିନ୍ଦୁରାଜାଙ୍କୁ ଏହାର ଶାସନ ଭାର ଦେଲେ । ତାଙ୍କର ପୁତ୍ର ବଳବନ୍ତି ସିଂହ ନିଜର ଶକ୍ତିବଳରେ ଏହି ନଗରୀକୁ ମହାରାଜା ପ୍ରଭୁନାରାୟଣ ସିଂହ ଖ୍ରୀ: ୧୮୧୧ରେ ଏହାର ପ୍ରକୃତ ଶାସକରୂପେ ପରିଚିତ ହେଲେ ଏବଂ ତାଙ୍କ ସମୟରେ ଏହା ଏକ ଦେଶୀୟ ରାଜ୍ୟରୂପେ ପରିଗଣିତ ହେଉଥିଲା, ମାତ୍ର ୧୯-୧୦-୧୯୫୦ରୁ ଏହା ଉତ୍ତରପ୍ରଦେଶ ସହିତ ସମାଲ ହେଲା ।

 

କାଶୀନଗରୀ ପ୍ରସିଦ୍ଧିର ମୁଖ୍ୟକାରଣ ହେଉଛି ବିଶ୍ୱନାଥ ଦେବଙ୍କ ସ୍ୱର୍ଣ୍ଣମନ୍ଦିର । ରାଣୀ ଅହଲ୍ୟା ବାଈ ଏହାକୁ ନିର୍ମାଣ କରାଇ ଥିଲେ । ପ୍ରଥମ ଏଠାରେ ଶିବମନ୍ଦିର ଥିଲା । କୁତବୁଦ୍ଦିନ ଆଇବାକ ଏହାକୁ ଭାଙ୍ଗିଦେଇ ଏହା ଉପରେ ‘ରେଜିଆ ମସ୍‌ଜିଦ୍’ ତିଆରି କରାଇଥିଲେ । ପରେ ଆକବରଙ୍କ ରାଜତ୍ୱକାଳରେ ତାଙ୍କର ରାଜସ୍ୱ ମନ୍ତ୍ରୀ ତୋଡ଼ର ମଲ୍ଲ ସମ୍ରାଟଙ୍କୁ ପ୍ରାର୍ଥନା କରି ଏହାକୁ ପୁଣି ହିନ୍ଦୁ ମନ୍ଦିରରେ ପରିଣତି କରାଇଥିଲେ, କିନ୍ତୁ କାଳକ୍ରମେ ପୁଣି ବିଧର୍ମୀ ଆଓରଙ୍ଗଜେବ ହିନ୍ଦୁମନ୍ଦିର ଭାଙ୍ଗି ଏଠାରେ ମସ୍‌ଜିଦ୍ ନିର୍ମାଣ କରାଇଥିଲେ । ତାଙ୍କ ପରେ ହିନ୍ଦୁ ରାଜତ୍ୱକାଳରେ ରାଣୀ ଅହଲ୍ୟାବାଈ ବର୍ତ୍ତମାନର ସ୍ୱର୍ଣ୍ଣ ମନ୍ଦିର ନିର୍ମାଣ କରାଇଛନ୍ତି । ଗୋଦୌଲିଆ ଚୌକ ଏହାର ଖୁବ୍ ନିକଟରେ । ଏହି ଛକଟି ନଗରୀର ଜନାଜୀର୍ଣ୍ଣ ସ୍ଥାନ ପ୍ରଧାନ ରାସ୍ତାଠାରୁ କିଛିଦୂର ପର୍ଯ୍ୟନ୍ତ ସଂକୀର୍ଣ୍ଣଗଳି ଦେଇ ମନ୍ଦିରକୁ ଯିବାକୁ ହୁଏ । ଦୁଇ ପାଖରେ ସୁସଜ୍ଜିତ ବିପଣୀ ଦେଖିଲେ ମନରେ ଆନନ୍ଦ ଆସେ । ଧୋତି, ଶାଢ଼ି, ପିତଳବାସନ, ପୂଜା ଉପକରଣ, ମନୋହରୀ ପଦାର୍ଥ ଓ ବିଭିନ୍ନ ପୁସ୍ତକ କିଣିବାକୁ ଏଠାରେ ମିଳେ । ଅନତିଦୂରରେ ଗଙ୍ଗାକୂଳ । ମନ୍ଦିରରେ ଅହରହ ଘଣ୍ଟାଧ୍ୱନି ଓ ମନ୍ତ୍ରପାଠ ଚାଲିଥାଏ ।

 

୪’ ×୪’ ଆକୃତିର ବେଢ଼ା ଭିତରେ ଶିବଲିଙ୍ଗ । ଉପରୁ ଜଳଝରିରୁ ଜଳ ଅହରହ ବାବା ବିଶ୍ୱନାଥଙ୍କ ଉପରେ ଝରୁଥାଏ । ଚଟାଣ ମଲମଲ ପଥରର ଓ ମନ୍ଦିରର ମଧ୍ୟଭାଗଟି ଗୋଲାକାର ସ୍ୱର୍ଣ୍ଣପତ୍ର ଖଚିତ । ଉପର ଗମ୍ବୁଜ ମଧ୍ୟ ସୁନାର । ପ୍ରବେଶଦ୍ୱାର ପିତଳରେ ତିଆରି । ଏଥିରେ ବହୁତ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖାଯାଏ । ମନ୍ଦିରର ବେଢ଼ାଭିତରେ ଅସଂଖ୍ୟ ଲିଙ୍ଗ । ଅନ୍ନପୂର୍ଣ୍ଣା, ଭୈରବୀ ଓ ହନୁମାନଙ୍କ ମୂର୍ତ୍ତି ଏବଂ ପାର୍ବତୀ, ମଲମଲ ପଥରର ଗଣେଷ ଓ ଅନ୍ୟ କେତେକ ମୂର୍ତ୍ତି ଏଠାରେ ପୂଜିତ । ଏହି ମନ୍ଦିରର ଜଗମୋହନ ରାଏ ବରେଲୀ ରାଜା ତିଆରି କରିଥିଲେ । ମନ୍ଦିରର ପଛକୁ ଏବେ ସୁଦ୍ଧା ପୂର୍ବ କଥିତ ସେହି ବିରାଟ ମସ୍‌ଜିଦ୍ ଅଛି । ମସ୍‌ଜିଦ୍ ହତାଦେଇ ଏଠାକୁ କେତେକ ଆସନ୍ତି । ମନ୍ଦିରର ଚୂଡ଼ା ଗମ୍ବୁଜାକାର ଓ ସ୍ୱର୍ଣ୍ଣପତ୍ର ଖଚିତ । ଅଣହିନ୍ଦୁମାନେ ଏହି ସ୍ୱର୍ଣ୍ଣ ଖଚିତ ଅଂଶ ସୁବିଧାରେ ଦେଖିବା ପାଇଁ ନିକଟରେ ଗୋଟିଏ ଦୋତାଲା କୋଠା ଅଛି । ସେଠାରେ ରହି ସେମାନେ ମନ୍ଦିରର ଉପରିଭାଗର ଦୃଶ୍ୟ ଦେଖିପାରନ୍ତି । ବୁଦ୍ଧ, ରାମାନୁଜ, ଶଙ୍କରାଚାର୍ଯ୍ୟ, କବୀର ଓ ନାନକ ପ୍ରଭୃତି ଧର୍ମଗୁରୁମାନେ ଏହି ପୀଠର ଭୂୟସୀ ପ୍ରଂଶସା କରିଅଛନ୍ତି ।

 

ଭାରତାମାତା ମନ୍ଦିରଟି ଶଙ୍ଖମଲମଲ ପଥରରେ ତିଆରି । ଭାରତର ପ୍ରତ୍ୟେକ ଅବସ୍ଥା ଓ ବିଭିନ୍ନ ରାଜବଂଶର ରାଜତ୍ୱ କାଳର ରୂପରେଖ ଏଠାରେ ଦେଖିବାକୁ ମିଳେ । ସୁନ୍ଦର ମୂର୍ତ୍ତିଗୁଡ଼ିକ ଏଠାରେ ସୁରକ୍ଷିତ । ଏ ଗୁଡ଼ିକ ଜୀବନ୍ତ ପରି ଜଣାପଡ଼େ । ଏହା ଭାରତର ଐତିହାସିକ ପରିବର୍ତ୍ତନ ଓ ବିକାଶର ଏକ ପ୍ରକୃଷ୍ଟ ସଂଗ୍ରହାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବିଶ୍ୱନାଥ ମନ୍ଦିରର ଅପର ପାର୍ଶ୍ୱରେ ଅନ୍ନପୂର୍ଣ୍ଣା ମନ୍ଦିର । ଅନ୍ନପୂର୍ଣ୍ଣାଙ୍କର ଶଙ୍ଖମଲମଲ ମୂର୍ତ୍ତି ଦେଖିବା ମାତ୍ରେ ଦର୍ଶକମନରେ ଆନନ୍ଦର ଜୁଆର ଖେଳିଯାଏ । ମୂର୍ତ୍ତିର ଗଠନ ଓ କାରୁକାର୍ଯ୍ୟ ଚିତ୍ତାକର୍ଷକ । ତାଙ୍କ ନିକଟରେ ହରଗୌରୀ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରଭୃତି ବିଭିନ୍ନ ମୂର୍ତ୍ତି ପୂଜିତ । ଶହ ଶହ ଯାତ୍ରୀ ଏଠାରେ ଅନ୍ନପୂର୍ଣ୍ଣାଙ୍କୁ ନୈବେଦ୍ୟ ଦିଅନ୍ତି । ଧୂପ ଓ ଦୀପଗନ୍ଧରେ ଏବଂ ମନ୍ତ୍ରପାଠ ଧ୍ୱନିରେ ମନ୍ଦିରଟି ସୁବାସିତ ତଥା ମୁଖରିତ ହେଉଥାଏ । କାଶୀ ନଗରୀ ଏକ ଶାକ୍ତପାଠ । ସେଥିପାଇଁ ବହୁ ଦେବୀମନ୍ଦିର ଏଠାରେ ଦେଖାଯାଏ । ସେଥିମଧ୍ୟରୁ ଏଠାକାର ଦୁର୍ଗାମନ୍ଦିର ସୁବିଖ୍ୟାତ । ଖ୍ରୀ: ୧୮୮୦ ରେ ବଙ୍ଗଳାର ‘ନାଡ଼ୋର’ ରାଜ୍ୟର ମହାରାଣୀ ଏହାକୁ ନିର୍ମାଣ କରାଇଥିଲେ । ମନ୍ଦିରର ପ୍ରାଙ୍ଗଣଟି କ୍ଷୁଦ୍ର । ଏକ ସଙ୍ଗରେ ବହୁ ଯାତ୍ରୀଙ୍କର ସମାଗମ ହୋଇପାରେ ନାହିଁ । ଭକ୍ତକବି ତୁଳସୀଦାସ ଶଙ୍କଟମୋଚନ ମନ୍ଦିରର ନିର୍ମାତା । ଗୋସ୍ୱାମୀଜୀ କାଶୀରେ ବାସ କରୁଥିଲାବେଳେ ପ୍ରାୟ ଅଧିକାଂଶ ସମୟ ଏଠାରେ ରହୁଥିଲେ । ହନୁମାନଙ୍କର ବିରାଟ ପଥରମୂର୍ତ୍ତିକୁ ଏଠାରେ ପୂଜା କରାଯାଏ । ସକାଳ ଓ ସନ୍ଧ୍ୟାରେ ଏଠାରେ ବହୁ ଲୋକସମାଗମ ହୁଏ ।

 

ହିନ୍ଦୁବିଶ୍ୱ ବିଦ୍ୟାଳୟ:—ପୃଥିବୀର ସର୍ବଶ୍ରେଷ୍ଠ ଭିକ୍ଷୁ ପଣ୍ଡିତ ମଦନମୋହନ ମାଲବୀୟଜୀଙ୍କ ଆପ୍ରାଣ ଚେଷ୍ଟାଫଳରେ କାଶ୍ମୀର ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ । ଏହା ଭାରତ କାହିଁକି ପୃଥିବୀର ଏକ ଆଦର୍ଶ ବିଦ୍ୟାପୀଠ । ପୃଥିବୀର ପ୍ରତ୍ୟେକ ପ୍ରାନ୍ତରୁ ଛାତ୍ରମାନେ ଏଠାରେ ଅଧ୍ୟୟନ କରନ୍ତି । ବିଭିନ୍ନ ବିଷୟ, ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷାର ଶିକ୍ଷା ଏବଂ ଚର୍ଚ୍ଚାର ଏଠାରେ ସୁବିଧା ଅଛି । ମୁଖ୍ୟ ପ୍ରବେଶପଥର ଡାହାଣକୁ ଅନୁସନ୍ଧାନ ଅଫିସ ଓ ଟିକିଏ ଆଗକୁ ବାମପଟେ ଛାତ୍ରୀନିବାସ, ଦୂରରେ ଧନରାଜଗିରି ଛାତ୍ରାବାସ, ବିରଳାଛାତ୍ରାବାସ ଓ ରୁୟାଛାତ୍ରାବାସ ପ୍ରଭୃତି ଅଛି-

 

ଏହି ବିଶ୍ୱବିଦ୍ୟାଳୟ ଏକ ବିଶାଳାୟତନ କ୍ଷେତ୍ର । ଏହାର ଲମ୍ବ ୨ ମାଇଲ ପ୍ରସ୍ଥ ୧୬ ମାଇଲ୍ । ସର୍ବସାଧାରଣ ପାଠାଗାରରେ ବହୁ ପ୍ରାଚୀନ ପୁସ୍ତକ ମିଳେ । ପାଠାଗାରର ଦ୍ୱାରଦେଶରେ ସଂସ୍କୃତରେ ଉଲ୍ଲେଖ ଅଛି— “ବିଦ୍ୟୟାମୃତମଶ୍ନୁତେ” । ଏଠାରେ ଦର୍ଶନ, କଳା, ଇତିହାସ, ବିଜ୍ଞାନ, ଗଣିତ, ଧର୍ମଶାସ୍ତ୍ର, ସଂଗୀତ,ସଂସ୍କୃତ, ଇଂଜିନିଅରିଂ, କୃଷିବିଜ୍ଞାନ ଓ ପ୍ରାଣିବିଜ୍ଞାନ ପ୍ରଭୃତି ନାନା ବିଷୟରେ ଶିକ୍ଷା ଦିଆଯାଏ । ଏଠିକାର ବିଜ୍ଞାନ ପର୍ଯ୍ୟବେକ୍ଷଣାଳୟ ଏକ ଦର୍ଶନୀୟ ସ୍ଥାନ । ଜ୍ଞାନ ଆହରଣ ଲାଗି ଏଠାରେ ପାଠ କରୁଥିବା ଛାତ୍ରମାନେ ବିଳାସବ୍ୟସନରତ ନୁହନ୍ତି । ଚାରିଆଡ଼େ ଆମ୍ରକୁଞ୍ଜ ଓ ନିମ୍ବ ବୃକ୍ଷରାଜି । ସହରର ଫମ୍ପା ସଭ୍ୟତାର ଦୂରରେ ରହି ଛାତ୍ରମାନେ ଏଠାରେ ଆଶ୍ରମବାସୀଙ୍କ ସଦୃଶ ନିରାଡ଼ମ୍ବର ଜୀବନ ଯାପନ କରି ସବୁବେଳେ ବିଦ୍ୟାଚର୍ଚ୍ଚାରେ ସମୟ ଅତିବାହିତ କରନ୍ତି ।

 

ବିଶ୍ୱବିଦ୍ୟାଳୟପ୍ରାଙ୍ଗଣରେ ଶେଠ ବିରଳାଙ୍କ ଉଦ୍ୟମ ଓ ସାହାଯ୍ୟରେ ଶଙ୍ଖମଲମଲ ପଥରର ବିରଳାବିଶ୍ୱନାଥ ମନ୍ଦିର ନିର୍ମିତ । ଏଥିରେ ତିରିଶି ଲକ୍ଷ ଟଙ୍କା ବ୍ୟୟିତ ହୋଇଛି । ଏହି ଦ୍ୱିତଳ ପ୍ରାସାଦର ଉପରିଭାଗ କମନୀୟ ଚିତ୍ରମାନଙ୍କରରେ ଚିତ୍ରିତ । ଏହାର ମେଜିଆ ଚିତ୍ରିତ ମୋଜାଇକ ପଥରର । ଧଳା ମୁଗୁନି ପଥରର ସୁବିସ୍ତୃତ ଶକ୍ତି ଉପରେ ମସୃଣ କଳାମୁଗୁନି ପଥରର ଶିବଲିଙ୍ଗ ଅତୀବ ଚମତ୍କାର ଦେଖାଯାଏ । କାନ୍ଥ ଚାରିପଟେ ଗୀତାର ସାରଶ୍ଲୋକାବଳୀ ଓ ପୌରାଣିକ ଚିତ୍ରସକଳ ଅଙ୍କିତ । ତନ୍ମମଧ୍ୟରୁ ଚିତୋରର ମହାରାଣୀ ପଦ୍ମିନୀ ୨୪୦୦ ରାଜପୁତ ନାରୀଙ୍କ ସହିତ ଅଗ୍ନିରେ ଝାସ ଦେଇ ପବିତ୍ର ଜହରବ୍ରତ ପାଳନ କରୁଥିବାର ଦୃଶ୍ୟ ଅତୀବ ମର୍ମସ୍ପର୍ଶୀ । ଏହା ଏପରି ନିଖୁଣ ଭାବରେ ଚିତ୍ରତ ଯେ, ଦର୍ଶକର ନିୟନ ଲୋତକରେ ପୂରିଯାଏ । ଚିତ୍ରର ତଳେ ଦେବନାଗରୀ ଭାଷାରେ ଖୋଦିତ ହୋଇଛି—

 

“ସତୀନାଂ ପାଦରଜସା ସଦ୍ୟଃ ପୁତା ବସୁନ୍ଧରା” ।

“ସତୀଙ୍କ ପାଦଧୂଳି ଦ୍ୱାରା ସଦ୍ୟ ପବିତ୍ରା ବସୁନ୍ଧରା” ।।

 

ଅନ୍ୟ କାନ୍ଥଗୁଡ଼ିକରେ ସନ୍ଧ୍ୟାସ୍ରୋତ୍ର ଖୋଦିତ ଓ ବୁଦ୍ଧ ସୁଜତା, ଜଗଦ୍‌ଗୁରୁ ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ, କାଶୀ ହିନ୍ଦୁବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ମଦନ ମୋହନ ମାଲବୀୟ, ଶ୍ରୀମଦ୍ଭାଗବତ ପାଠ କରୁଥିବା ଶୁକଦେବ, ସ୍ୱର୍ଗବୈଦ୍ୟ ଧନନ୍ତରୀ ବୁଦ୍ଧଦେବଙ୍କ ଶିବଦର୍ଶନ, ରାମକୃଷ୍ଣ ପରମହଂସ, ଲକ୍ଷ୍ନୀନାରାୟଣ ସନ୍ଥ ବୈଦାସ, କବୀର, ହରଗୌରୀ, ଗୁରୁଗୋବିନ୍ଦ ସିଂହ, କୃଷ୍ଣାର୍ଜ୍ଜୁନ, ଗୁରୁ ନାନକ, ବିକ୍ରମାଦିତ୍ୟଙ୍କ ରାଜସଭା ଓ ହନୁମାନର ଲଙ୍କାଦହନ ପ୍ରଭୃତି ବିଭିନ୍ନ ଚିତ୍ରାବଳୀ ସୁଶୋଭିତ ହୋଇ ଦର୍ଶକକୁ ଆଶ୍ଚର୍ଯ୍ୟାନ୍ୱିତ କରାଏ । ସହରର ଏହା ସର୍ବଶ୍ରେଷ୍ଠ ବିନୋଦନ ସ୍ଥାନ ବୋଲି ମୋର ମନେହେଲା ।

 

ତୁଳସୀଘାଟ:—ଏହାର ଅନ୍ୟନାମ ମଣିକର୍ଣ୍ଣିକା ଘାଟ । ପାର୍ବତୀ ଏଠାରେ କର୍ଣ୍ଣର କୁଣ୍ଡଳ ହଜାଇଥିଲେ ବୋଲି ଏହି ଘାଟର ନାମକରଣ ଏପରି ହୋଇଛି । ଗୋସ୍ୱାମୀ ତୁଳସୀଦାସ ଏହିଠାରେ ହିଁ ରଚନା କରିଥିଲେ ତାଙ୍କର ଅନବଦ୍ୟ ଭକ୍ତିର ସାପ୍ଲୁତ ମହାକାବ୍ୟ “ରାମଚରିତ ମାନସ”—ଶ୍ରୀରାମଙ୍କ ଲୀଳା ବର୍ଣ୍ଣନାରେ ତାଙ୍କର ଅମର ଲେଖନୀ ଏହିଠାରେ ଚାଲିଥିବ ଅଫୁରନ୍ତ ଗତିରେ । କଳ୍ପନାବଳରେ ସ୍ୱର୍ଗୀୟ ମହିମାକୁ ପାର୍ଥିବଲେଖନୀ ମୁନରେ ଉକୁଟାଇ କବି ହୋଇଥିବେ ପାଗଳ—ଆତ୍ମହରା—ହଜାଇ ଦେଇଥିବେ ନିଜର ମାନବିକ ସତ୍ତା—ସ୍ୱର୍ଗରାଜ୍ୟର ଦିବ୍ୟାମୃତ ପାନରେ ହୋଇଥିବେ ପାଗଳ—ରାମସୀତାଙ୍କ ପ୍ରଣୟ ରଚନା କରୁଥିବା ସମୟରେ ତାଙ୍କର ଶରୀର ହୋଇଥିବ ପୁଲକିତ—ରାମସୀତାଙ୍କ ବିରହରେ ଭାବୁକ ଭକ୍ତର ଚକ୍ଷୁକୋଣରୁ ଝରିପଡ଼ିଥିବ ତପ୍ତ ଅଶ୍ରୁ ପୁଣି ରାମରାବଣଯୁଦ୍ଧ ବର୍ଣ୍ଣନାବେଳେ ବଜ୍ରହୁଙ୍କାରରେ ପ୍ରକମ୍ପିତ ହୋଇଥିବ ଜାହ୍ନବୀର ପବିତ୍ର ତଟଭୂମି ।

 

ହରିଶ୍ଚନ୍ଦ୍ର ଘାଟରେ ରାଜା ହରିଶ୍ଚନ୍ଦ୍ର ଶ୍ମଶାନରକ୍ଷକ ହୋଇଥିଲେ । ପତିବ୍ରତା ଶୈବ୍ୟାଙ୍କୁ ଦୀନହୀନ ଅବସ୍ଥାରେ ତଥା ନିଜର ଏକମାତ୍ର ପୁତ୍ର ରୋହିତାଶ୍ୱକୁ ମୃତ ଅବସ୍ଥାରେ ଦେଖି ସୁଦ୍ଧା ତିଳେ ହେଁ ବିଚଳିତ ନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିଥିଲେ ସେ ଏହି ଘାଟରେ । କର୍ତ୍ତବ୍ୟବୋଧ ତଥା ସତ୍ୟର ପାଳନ ନିମିତ୍ତ ହିନ୍ଦୁଜାତି ଯେ ସର୍ବହରା ହୋଇପାରେ—ଏହାର ଜ୍ୱଳନ୍ତ ଉଦାହରଣ ଏହି ଘାଟ । କାଳର କରାଳଗତିରେ ସବୁ ନିଶ୍ଚିହ୍ନ ହୋଇଯାଇଛି । କର୍ପୂର ଉଡ଼ି ପଡ଼ି ରହିଛି କେବଳ କନା । ସେଦିନର ପ୍ରାବୃଟର ଅମା ଅନ୍ଧକାରରେ, ବର୍ଷୋନ୍ମୁଖୀ ମେଘର ଗୁରୁଗମ୍ଭୀର ଗର୍ଜନରେ ଶୈବ୍ୟା ହୁଏତ ଏଠାରେ ଭୀତତ୍ରସ୍ତା ହୋଇ ଚମକି ପଡ଼ିଥିବେ—ବିଜୁଳିର ଚକ୍ ଚକ୍ ଜ୍ୟୋତିରେ ମୃତ ପୁତ୍ର ଓ ଅସହାୟା ପ୍ରାଣପ୍ରିୟାକୁ ଦେଖି ହୁଏତ ହରିଶ୍ଚନ୍ଦ୍ର ଏଠାରେ କ୍ଷଣକ ପାଇଁ ନିର୍ବାକ୍ ହୋଇପଡ଼ିଥିବେ । ପୁତ୍ରଶୋକ ତଥା ଦୂରବସ୍ଥାଜନିତ ଉଷ୍ଣଅଶ୍ରୁ ଦୁହିଙ୍କର ନୟନରୁ ଗଣ୍ଡମଣ୍ଡଳ ଦେଇ ଗଡ଼ିଆସି ଏହି ଭୂମିକା ସିକ୍ତ କରିଥିବ । ସେତେବେଳେ ଦୀର୍ଘ ବିଚ୍ଛେଦ ପରେ ମିଳନ ମାଧୁରୀ ହୁଏତ ସେ ଅନୁଭବ କରିପାରି ନ ଥିବେ ।

 

ଘାଟ ଉପରେ ଏକ ମନ୍ଦିର । ସେଥିରେ ମୃତପୁତ୍ର ରୋହିତ, ଶୈବ୍ୟା ଓ ହରିଶ୍ଚନ୍ଦ୍ରଙ୍କ ମୂର୍ତ୍ତି ଦର୍ଶକକୁ ଅଭିଭୂତ କରେ ।

 

ଦଶାଶ୍ୱମେଧ ଘାଟରେ ଦଶଗୋଟି ଅଶ୍ୱମେଧଯଜ୍ଞ ଅନୁଷ୍ଠିତ ହୋଇଥିଲା । ତେଣୁ ଏହାର ନାମକରଣ ଏପରି ହୋଇଛି । କାଶୀର ଏହା ମଧ୍ୟ ଏକ ଜନାକୀର୍ଣ୍ଣ ଘାଟ । ସ୍ଥୂଳତଃ କାଶୀନଗରୀ ପୁରାତନ ହେଲେ ମଧ୍ୟ ଆଧୁନିକ ଛାଞ୍ଚରେ ଏହା ଗଠିତ । ଚାରିଆଡ଼େ ଉଚ୍ଚ ଅଟ୍ଟାଳିକା, ସଂସ୍କୃତପାଠଶାଳା, ସଙ୍ଗୀତ ଚଚ୍ଚାକେନ୍ଦ୍ର, ହାଇସ୍କୁଲ ଓ ମଲ୍ଲଶାଳା ଦେଖାଯାଏ । ଏଠାରେ ମୋର ଅବସ୍ଥାନ କାଳରେ ମୁଁ ଏକାବେଳକେ ଆତ୍ମବିସ୍ମୃତି ହୋଇପଡ଼ିଥିଲି । ନାଗରିକମାନେ ବେଶ୍ ମେଳାପୀ ଓ ଭଦ୍ର । ଏଠାରେ ବାସକରୁଥିବା ଦକ୍ଷିଣୀ ପଣ୍ଡାମାନେ ବଡ଼ ଉଦ୍ଧତ ଓ ଡକାୟତ । ଅପରିଚିତ ଯାତ୍ରୀମାନଙ୍କର ଧନଜୀବନ ବିପନ୍ନ କରିବାକୁ ଏମାନେ ତିଳେ ହେଲେ ପଛାନ୍ତି ନାହିଁ ।

 

କାଶୀର ଏକ ବୈଷ୍ଣବମଠ ମହନ୍ତଙ୍କ ଅଭିଷେକ ଉତ୍ସବରେ ମୁଁ ଯୋଗ ଦେଇଥିଲି । ରୂପାର ଛତ୍ର, ଚାମର ଓ ଚଉକୀ ପ୍ରଭୃତି ସୁନ୍ଦରଭାବେ ସଜା ହୋଇଥାଏ । ବେଦଧ୍ୱନିରେ ମଣ୍ଡପଟି ମୁଖରିତ ହେଉଥାଏ । ପଣ୍ଡିତ ଶ୍ରୀ ରାମକୁମାର ଚୌବେ ମଧ୍ୟ ଏଠାକୁ ନିମନ୍ତ୍ରିତ ହୋଇ ଆସିଥାନ୍ତି । ସେ ଚଉଦଟି ବିଷୟରେ ଏମ୍.ଏ. ପାଶ୍ କରିଥିଲେ । ବର୍ତ୍ତମାନ ସେ ବନବାସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ । ଏବେ ସେ ୨୨ ଟି ବିଷୟରେ ଏମ୍.ଏ. ପାଶ୍ କରି ବିଶ୍ୱରେକର୍ଡ଼ ଭଙ୍ଗ କରିଛନ୍ତି ।

 

ଗଙ୍ଗାକୂଳର ଘାଟମାନଙ୍କରେ ପଣ୍ଡାମାନେ ବଡ଼ବଡ଼ ଛତା ପୋତିଥାନ୍ତି । ସକାଳେ ଓ ସନ୍ଧ୍ୟାରେ ଗୀତା, ଭାଗବତ ଓ ପୁରାଣପାଠ ହୁଏ । ଶ୍ରୋତାମାନେ ଏଠାରେ ପୁରାଣ ଶୁଣି ପୁରାଣ ପଣ୍ଡାମାନଙ୍କୁ ଯଥା ଶକ୍ତି ଦକ୍ଷିଣା ଦିଅନ୍ତି । ପଣ୍ଡାମାନଙ୍କର ମନ୍ତ୍ର ପାଠ, ସଂସ୍କୃତ ଉଚ୍ଚାରଣ, ବ୍ୟାଖ୍ୟା ଓ ହିନ୍ଦୀ ସରଳାର୍ଥ ଯେ କୌଣସି ଲୋକକୁ ମନ୍ତ୍ରମୁଗ୍‌ଧ କରିବ, ଏଥିରେ ସନ୍ଦେହ ନାହିଁ । ପ୍ରଭୁ ବିଶ୍ୱନାଥଦେବଙ୍କ କୃପାରୁ ମୁଁ ଏହି ପୁଣ୍ୟନଗରୀକୁ ପାଞ୍ଚଥର ଆସିବାର ସୁଯୋଗ ପାଇଛି ।

☆☆☆

 

ସାରନାଥ

 

କିଛିଦିନ ପରେ କାଶୀରୁ ରିକ୍‌ସାଟିଏ କରି ସକାଳ ୭ଟାରେ ସାରନାଥ ଯାତ୍ରା କଲି । ଏହାର ଦୂରତା କାଶୀରୁ ୬ ମାଇଲ୍ । ରାସ୍ତାକଡ଼ରେ ମନୋରମ ଆମ୍ରକୁଞ୍ଜ, କ୍ଷୁଦ୍ର ପଲ୍ଲୀଗ୍ରାମ ଓ କୃଷିକ୍ଷେତ୍ର ଦେଖିଲେ ମନ ଆନନ୍ଦରେ ନାଚି ଉଠେ । ସାରନାଥର ଧାମେଖ ସ୍ତୂପ ଅତୀତ ଭାରତର ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାରର ସୂଚନା ଦିଏ । ଏଠାରେ ମହାପୁରୁଷ ବୁଦ୍ଧ ତାଙ୍କର ପଞ୍ଚଶିଷ୍ୟଙ୍କୁ “ପ୍ରଥମତତ୍ତ୍ୱ” ବୁଝାଇଥିଲେ ଓ ବାହାରେ ପ୍ରଚାର କରିଥିଲେ । ପୂର୍ବେ ଏହା “ମୃଗାରଣ୍ୟ” ଥିଲା । ପରେ ମୃଗରାଜ ସାରଙ୍ଗନାଥଙ୍କ ନାମନୁସାରେ ଏହା ସାରନାଥ ନାମରେ ବିଦିତ ହେଲା । ଭାରତର ଏହା ଅନ୍ୟତମ ବୌଦ୍ଧତୀର୍ଥ । ଏଠାରେ ମହାବୋଧି ସୋସାଇଟି ତରଫରୁ ପ୍ରକାଶିତ ବିଭିନ୍ନ ଭାଷାରେ ବୁଦ୍ଧଦେବଙ୍କ ଜୀବନୀ ଓ ସାରତତ୍ତ୍ୱ ମିଳେ ।

 

ଯାଦୁଘର:–ଏହା ମଧ୍ୟରେ ବହୁପରିମାଣରେ ପ୍ରାଚୀନ ଭଗ୍ନମୂର୍ତ୍ତି ରଖାଯାଇଛି । ବୁଦ୍ଧଦେବଙ୍କର ବିଭିନ୍ନ ଅବସ୍ଥାରେ ବିଭିନ୍ନ ଶିଷ୍ଟପରିବେଷ୍ଟିତ ମୂର୍ତ୍ତିମାନ ସୁରକ୍ଷିତ । ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରର ବିଭିନ୍ନ ଚିତ୍ର ମଧ୍ୟ ଏଠାରେ ଦେଖିବାକୁ ମିଳେ ।

 

ମୂଳଗନ୍ଧକୁଟୀ ବିହାର:—ଏହା ଧାମେଖ ସ୍ତୂପର କିୟଦ୍ଦୂରରେ ନିର୍ମିତ ଏକ ନୂତନ ବୁଦ୍ଧମନ୍ଦିର । ମହାବୋଧିସୋସାଇଟୀ ଏହାକୁ ଖ୍ରୀ:୧୯୩୧ ରେ ନିର୍ମାଣ କରାଇଥିଲେ । ପ୍ରଧାନ ବୁଦ୍ଧମୂର୍ତ୍ତିର ଚତୁଃପାର୍ଶ୍ୱରେ ନାଳନ୍ଦା ଓ ତକ୍ଷଶୀଳା ପ୍ରଭୃତିରୁ ପ୍ରାପ୍ତ ବିଭିନ୍ନ ଅବସ୍ଥାର ବୁଦ୍ଧମୂର୍ତ୍ତି ଏଠାରେ ସୁରକ୍ଷିତ । କାନ୍ଥମାନଙ୍କରେ ବୁଦ୍ଧଦେବଙ୍କ ଜୀବନୀର ନାନାପ୍ରକାର ଦୃଶ୍ୟାବଳୀ ଜାପାନ କାରିଗର ‘କୋଶେଟୁ ନୋସୁ’ ସୁନ୍ଦରଭାବେ ଚିତ୍ରଣ କରିଛନ୍ତି । ଏଗୁଡ଼ିକ ଜୀବନ୍ତ ଓ ନିଖୁଣ । ଜାପାନ କାରିଗରର କଳାପଟୁତା ଓ ବୌଦ୍ଧ ଧର୍ମ ପ୍ରତି ବିହାର ପାଥରେ ଏକ ଜୈନମନ୍ଦିର ବିଦ୍ୟମାନ । ଏଠାରେ ଶ୍ରିୟନାଥଙ୍କ ମୂର୍ତ୍ତି ସୁରକ୍ଷିତ ଓ ମହାବୀର ଜୈନଙ୍କ ଜୀବନର ବିଭିନ୍ନ ଘଟଣାବଳୀ ଚିତ୍ରିତ । ମନ୍ଦିରଟି କ୍ଷୁଦ୍ରହେଲେ ହେଁ ଦର୍ଶନଯୋଗ୍ୟ । ଏଠାରେ କିଛି ସମୟ ରହି ମୁଁ ପୁଣି କାଶିକୁ ଫେରିଆସିଲି ।

☆☆☆

 

Unknown

କଲିକତା

 

କଲିକତା ଭାରତର ପ୍ରଥମ ବୃହତ୍ତମ ଓ ପୃଥିବୀର ପଞ୍ଚମ ବୃହତ୍ତମ ନଗରୀ । କଟକରୁ ଟ୍ରେନ ଯୋଗେ ଏହାର ଦୂରତା ୨୫୩ ମାଇଲ । ଇଷ୍ଟଇଣ୍ଡିଆ କମ୍ପାନୀ ବ୍ୟବସାୟ ଓ ବାଣିଜ୍ୟର ସୁବିଧା ନିମିତ୍ତ ଏହି ସ୍ଥାନଟିକୁ ପସନ୍ଦ କରିଥିଲେ । ସୂତାନଟୀ, କଲିକତା ଓ ଗୋବିନ୍ଦପୁର—ଏହି ୩ଟି ସ୍ଥାନର ସମ୍ମିଶ୍ରଣରେ ଆଧୁନିକ କଲିକତା ନଗରୀ ଗଠିତ ହୋଇଛି । ଭାରତର ବାଣିଜ୍ୟ ବ୍ୟବସାୟରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି (ପ୍ରଥମ ବମ୍ବେ) । ସ୍ଥାନର ସଂକୀର୍ଣ୍ଣତା ହେତୁ ଏହାର ସମ୍ପ୍ରସାରଣ ଏକ ସମସ୍ୟା ହେଲେହେଁ ନଗରୀର ସୌଧମାଳା, ବିପଣୀମାନଙ୍କର ସାଜ-ସଜ୍ଜା, ଶହ ଶହ ବିଦେଶୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ, ହଜାର ହଜାର ସାଧାରଣ ଅନୁଷ୍ଠାନ ଏବଂ ଅସଂଖ୍ୟ ସ୍କୁଲ, କଲେଜ, ପ୍ରତ୍ୟହ ଲକ୍ଷ ଲକ୍ଷ ନବାଗତ ଦର୍ଶକଙ୍କର କୋଳାହଳ, ଲୁଗାକଳ, ଝୋଟକଳ, ହସ୍ତଶିଳ୍ପକାରଖାନା, କ୍ଷୁଦ୍ର କ୍ଷୁଦ୍ର କମ୍ପାନୀ, ଐତିହାସିକ ଗବେଷଣାଗାର, ଭାରତବିଖ୍ୟାତ ଚିଡ଼ିଆଖାନା ଏବଂ ଯାଦୁଘର ପ୍ରଭୃତି କଲିକତାର ଗୌରବକୁ ଆଶାତୀତଭାବରେ ବଢ଼ାଇ ଦେଇଛି-

 

ବହୁବାର ମୁଁ କଲିକତା ଆସିବାର ସୁଯୋଗ ପାଇଛି । ପ୍ରଥମ ଥର ଖ୍ରୀ: ୧୯୫୦ ରେ କଲିକତା ଯାଇଥିଲି । ସେତେବେଳେ ମୋର ପିଉସା ଶ୍ରୀ ବାଉରୀବନ୍ଧୁ ଷଡ଼ଙ୍ଗୀ ସେଠାରେ ଚାକିରୀ କରୁଥିଲେ । ତାଙ୍କ ସଙ୍ଗରେ ସମଗ୍ର ନଗରୀ ବୁଲିବାର ସୁଯୋଗ ପାଇଥିଲି । ସେତେବେଳେ କଲିକତା ଦଶହରା ଯୋଗୁଁ ଆହୁରି ସୁସଜ୍ଜିତ ହୋଇଥାଏ । ଚାରିଆଡ଼େ କୋଳାହଳ । ବାଦ୍ୟନାଦରେ ନଗରୀ ପ୍ରକମ୍ପିତ ହେଉଥାଏ । ଦୋକାନବଜାର ଆଲୋକମାଳାରେ ଝଲସି ଉଠୁଥାଏ ।

 

ହାବଡ଼ାପୋଲ:—ରେଳଷ୍ଟେସନ ନିକଟରେ ହୁଗୁଳି ନଦୀ ଉପରେ ଏହା ନିର୍ମିତ । ପ୍ରଥମେ ଏହି ନଦୀ ଉପରେ ଭସାପୋଲ ଥିଲା । ପରେ ଖ୍ରୀ: ୧୯୪୧ ରେ ଏହି ସ୍ଥାୟୀ ପୋଲ ନିର୍ମିତ ହେଲା । ଏହାର ଲମ୍ବ ୧୫୦୦ ଫୁଟ । ଏହାର ଦୁଇପାଖରେ ଗମ୍ବୁଜ ଅଛି । ବଡ଼ ଗମ୍ବୁଜର ଉଚ୍ଚତା ୨୯୦ ଫୁଟ । ଏହାର ଉଭୟ ପାଖରେ ୧୫ ଫୁଟର ଫୁଟ୍‌ପାଥ୍ । ମଧ୍ୟଭାଗରେ ବସ୍, ମୋଟର, ଟ୍ରାମ ଓ ରିକ୍‌ସା ପ୍ରଭୃତି ଯା ଆସ କରେ । ଚଉରଙ୍ଗୀ ହାଉଡ଼ା ଷ୍ଟେସନରୁ ଅଳ୍ପଦୂର । କଲିକତାର ପ୍ରାୟ ସମସ୍ତ ଅଞ୍ଚଳକୁ ଏଠାରୁ ରାସ୍ତା ପଡ଼ିଅଛି । ଏଠାରୁ କିଛିବାଟ ଗଲେ ଡେଲାହାଉସି ସ୍କୋୟାର । ଚଉରଙ୍ଗୀ ଏକ ଜନାକୀର୍ଣ୍ଣ ସ୍ଥାନ । ସନ୍ଧ୍ୟା ଓ ଦିନ ୧୦ଟାରେ ଏଠାରେ ବହୁତ ଭିଡ଼ ହୁଏ ।

 

ମଇଦାନ:—ଏଠାରେ ପୋଲିସ ଓ ମିଲିଟାରୀ ଫ୍ୟାରେଡ଼୍ ହୁଏ । ସନ୍ଧ୍ୟାବେଳେ ସହସ୍ର ସହସ୍ର ନାଗରିକ ସନ୍ଧ୍ୟାକାଳୀନ ମୁକ୍ତ ବାୟୁ ସେବନ ଲାଗି ଏଠାକୁ ଆସନ୍ତି । ଏହି ପଡ଼ିଆରେ ଟେନିସ୍, ଫୁଟବଲ ଓ ଭଲିବଲ୍ ପ୍ରଭୃତି ବିଭିନ୍ନ ଖେଳ ହୁଏ । ନଗର ମଧ୍ୟରେ ଏତେ ବଡ଼ ଖୋଲା ସ୍ଥାନ ଆଉ କୌଣସିଠାରେ ନାହିଁ ।

 

ରାଜଭବନ:— ଲର୍ଡ଼ ୱେଲସଲି ପ୍ରାୟ କୋଡ଼ିଏ ଲକ୍ଷ ମୁଦ୍ରା ବ୍ୟୟ କରି ଏହାକୁ ନିର୍ମାଣ କରାଇଥିଲେ । ଏହାର ବୈଠକ ଖାନାରେ ଟିପୁସୁଲତାନଙ୍କ ରାଜସିଂହାସନ ଏବେ ସୁଦ୍ଧା ଅଛି ବୋଲି ଶୁଣାଯାଏ । ଏହାର ଚାରିଦିଗରେ ଚାରିଗୋଟି ପ୍ରବେଶ ପଥ ଓ ପ୍ରତ୍ୟେକ ପ୍ରବେଶଦ୍ୱାରରେ ସଶସ୍ତ୍ର ପୋଲିସ ମୁତୟନ ଥାଆନ୍ତି । ଏହା ନିକଟରେ ରାଜ୍ୟବିଧାନସଭା ଓ ବେଙ୍ଗଲ ହାଇକୋର୍ଟ ।

 

ଫୋଟ୍ ଉଇଲିୟମ୍:—ଏହି ଦୁର୍ଗ ଖ୍ରୀ: ୧୭୭୩ ରେ ନିର୍ମିତ । ଏହାର ନିର୍ମାଣ ପାଇଁ ତିନି ଲକ୍ଷରୁ ଊର୍ଦ୍ଧ୍ୱ ମୁଦ୍ରା ବ୍ୟୟିତ ହୋଇଥିଲା । ଇଂଲଣ୍ଡର ରାଜା ତୃତୀୟ ଉଇଲିୟମଙ୍କ ନାମନୁସାରେ ଏହା ନାମିତ । ଏହା ମଧ୍ୟରେ ଦଶହଜାର ସୈନ୍ୟ ବାସ କରିପାରିବେ । ଏହାର ମଧ୍ୟଭାଗରେ ଗୀର୍ଜା, ସନ୍ତରଣ ପୁଷ୍କରିଣୀ ଓ ବକ୍‌ସିଂ ଷ୍ଟାଡ଼ିୟମ୍ ପ୍ରଭୃତି ଅଛି ।

 

ମଇଦାନର ଦକ୍ଷିଣକୁ ଭିକ୍ଟୋରିଆ ମେମୋରିଆଲ୍ ହଲ୍ । କଲିକତାର ଏହା ଶ୍ରେଷ୍ଠ ପ୍ରାସାଦ । ଭାଇସରାୟ ଲର୍ଡ଼ କର୍ଜନ ଏହାର ନିର୍ମାଣ ପାଇଁ ଆୟୋଜନ କରିଥିଲେ । ସର୍ବସାଧାରଣଙ୍କ ଚାନ୍ଦାରେ ପ୍ରାୟ ଟ ୭୬,୦୦୦୦୦ (ଛଅସ୍ତରୀ ଲକ୍ଷ) ମୁଦ୍ରା ଏଥିରେ ବ୍ୟୟିତ । ଭାରତୀୟ ପରମ୍ପରାର ଇତିହାସ, ଗବେଷଣା ଓ ପ୍ରାଚୀନ ଭାରତୀୟ ଯୁଦ୍ଧସରଞ୍ଜାମ ପ୍ରଭୃତିର ଏହା ହେଉଛି ଗନ୍ତାଘର । ରୟାଲ ଗ୍ୟାଲେରୀରେ ମହାରାଣୀ ଭିକ୍ଟୋରିଆଙ୍କ ସମସାମୟିକ ଚିତ୍ରକଳା ଦେଖିବାକୁ ମିଳେ । ମହାରୀଣୀଙ୍କ ମନ୍ଦିରରେ ସାର୍ ଥର୍ମାସ୍ ବ୍ରକ୍ ନିର୍ମିତ ଭିକ୍ଟୋରିଆଙ୍କ ପ୍ରତି କୃତି ସୁନ୍ଦର ସିଂହାସନରେ ବିରାଜିତ । ବାମପାର୍ଶ୍ୱସ୍ଥିତ ଦରବାରର ସାଜସଜା ଅତୀବ ପ୍ରଶଂସନୀୟ । ଚିତ୍ରଶାଳାରେ ଭାରତୀୟ ଚିତ୍ରକଳା ସମେତ ପଡ଼ୋଶୀ ଓ ବିଦେଶୀ ରାଜ୍ୟମାନଙ୍କର ଚିତ୍ରକଳାମାନ ସୁରକ୍ଷିତ । ରାଜଦୂତରୂପେ ଆସିଥିବା ହାଇଦର ବେକ୍‍ଙ୍କର ଚିତ୍ର, ଲର୍ଡ଼ କର୍ଣ୍ଣୱାଲିସ ଟିପୁସୁଲତାନଙ୍କ ପୁତ୍ରକୁ ଅଭିବାଦନ କରୁଥିବା ଚିତ୍ର ଓ ଚନ୍ଦ୍ର ନଗରର ମହାବଳବାଘ ଶିକାର ଚିତ୍ର ପ୍ରଭୃତି ଦେଖିବାକୁ ମିଳେ । ସମୁଦାୟ ହଲଟି ଶଙ୍ଖମଲମଲ ପଥରର ତିଆରି ଓ ଏହା ଏକ ସୁନ୍ଦର ସ୍ମୃତିମନ୍ଦିର ।

 

କଲେଜସ୍କୋୟାରର ଦକ୍ଷିଣଦିଗକୁ ମହାବୋଧି ସୋସାଇଟୀର କଲିକତା ଶାଖାକାର୍ଯ୍ୟାଳୟ । ସମଗ୍ରପୃଥିବୀର ବୌଦ୍ଧଧର୍ମାବଲମ୍ବୀମାନଙ୍କର ଏହା ଏକ ପରିଦର୍ଶନ କେନ୍ଦ୍ର । ଏହାର କିଛି ଦୂରରେ ଚିତ୍ତରଞ୍ଜନ ଆଭିନିଉ । ଏଠାରେ ଚିତ୍ରମାନଙ୍କ ମଧ୍ୟରେ ପୃଥିବୀର ପ୍ରସିଦ୍ଧ ଚିତ୍ରକାର ରୁବେନ୍ ଓ ସାର୍ ଯୋଶୁଆ ରୀନଲ୍‌ଡ଼୍ ପ୍ରଭୃତିଙ୍କ ଚିତ୍ର ବେଶ୍ ଚିତ୍ତାକର୍ଷକ ।

 

କଲିକତା ବିଶ୍ୱବିଦ୍ୟାଳୟ:–ଏଠାରେ ବିଖ୍ୟାତ ଆଇନଜ୍ଞ ପ୍ରସନ୍ନକୁମାର ଟାଗୋରଙ୍କ ମାର୍ବଲ ପ୍ରତିକୃତି ଅଛି । କଲେଜ ଛକରେ ଏହା ଅବସ୍ଥିତ । ବିଶ୍ୱବିଦ୍ୟାଳୟ ପାଠଆଗାର ଓ କଳା ମ୍ୟୁଜିୟମ ଏଠାର ପ୍ରଧାନ ଦର୍ଶନୀୟ ବସ୍ତୁ ।

 

ଯାଦୁଘର:–ଏହାର ଚଉରଙ୍ଗୀରୋଡ଼୍‌ରେ ଅବସ୍ଥିତ । ଐତିହାସିକ ବିଷୟବସ୍ତୁ ଓ ପ୍ରାଚୀନକାଳର ବହୁ ପଦାର୍ଥ ଏଠାରେ ସୁରକ୍ଷିତ । ଭାରତର ଏହା ସର୍ବବୃହତ୍ ଓ ସର୍ବଶ୍ରେଷ୍ଠ ଯାଦୁଘର । ଏହାର ପ୍ରତ୍ୟେକ ବିଭାଗ ତନ୍ନ ତନ୍ନ କରି ଦେଖଇବାକୁ ପ୍ରାୟ ସାତଦିନ ଲାଗେ । ପ୍ରାଚୀନ ସ୍ଥାପତ୍ୟ, ବିଭିନ୍ନ ଜୀବଜନ୍ତୁଙ୍କର ଅସ୍ଥି, ଭାରତର ପ୍ରତ୍ୟେକ ସ୍ଥାନର ପଥର ଏବଂ ମୃତ୍ତିକା, ମହେଞ୍ଜୋଦାରୋ ଓ ହରପ୍‌ପାର ପ୍ରାଚୀନ କୀର୍ତ୍ତି ଏବଂ ସହସ୍ର ସହସ୍ର ପ୍ରକାର ବିଭିନ୍ନ ଦୁଷ୍ପ୍ରାପ୍ୟ ପଦାର୍ଥ ଏଠାରେ ସୁରକ୍ଷିତ ।

 

ଯାଦୁଘରଠାରୁ ପ୍ରାୟ ୨।୩ ମାଇଲ ଗଲାପରେ କଲିକତାରେ ବିଖ୍ୟାତ କାଳୀମନ୍ଦିର ପଡ଼େ । ଗଙ୍ଗାର ଗୋଟିଏ ଶାଖାନଦୀକୂଳରେ ଏହା ଏକ କ୍ଷୁଦ୍ର ମନ୍ଦିର । ଖ୍ରୀ:୧୮୦୯ ରେ ଏହା ନିର୍ମିତ ହୋଇଥିଲା । ଏହାର ଉଚ୍ଚତା ୯୦ ଫୁଟ ମାତ୍ର । ପ୍ରତିଦିନ ଶହ ଶହ ବୋଦା ଏଠାରେ ବଳି ଦିଆଯାଏ । କାଳୀଙ୍କର ବିକଟାଳ ମୂର୍ତ୍ତି ଅତୀବ ଭୟଙ୍କର । ସନ୍ଧ୍ୟାକାଳୀନ ଆରତି ଦେଖିବା ଲାଗି ଏଠାରେ ବହୁତ ଭିଡ଼ ହୁଏ ।

 

କଲିକତାର ଆଲିପୁର ଚିଡ଼ିଆଖାନା ଭାରତରେ ବୃହତ୍ତମ । ପଥିବୀର ସବୁ ଅଞ୍ଚଳାଗତ ପଶୁପକ୍ଷୀ ଏଠାରେ ଦେଖିବାକୁ ମିଳେ । ଦୁଇଅଣା ଟିକେଟ କରି ଭିତରକୁ ଯିବାକୁ ହୁଏ । ଏହାର କ୍ଷେତ୍ରଫଳ ୪୫ଏକର । ବାଘ, ସିଂହ, ଭାଲୁ, ମହିଷ, ଜିରାଫ, ହାତୀ, ଓଟ, କଙ୍ଗାରୁ, ୱାଲବିବି, ପ୍ଲାଟିପସ୍, ଏମୁ, ଗଣ୍ଡାର, ଜଳହସ୍ତୀ, କଳାମାଙ୍କଡ଼, କୁମ୍ଭୀର, ବିବିଧ ପକ୍ଷୀ ଓ ସର୍ପ ଏଠାରେ ଦର୍ଶକକୁ ବିସ୍ମିତ କରନ୍ତି ।

 

ବୋଟାନିକାଲ ଗାର୍ଡ଼ନ୍‌ରେ ପୃଥିବୀର ବିଭିନ୍ନ ସ୍ଥାନରୁ ବହୁତ ପ୍ରକାର ବୃକ୍ଷଲତା ଆନୀତ ହୋଇ ସୁନ୍ଦରଭାବେ ରୋପିତ । ପ୍ରକୃତି-ବିଜ୍ଞନ (Nature study) ତଥା ଉଦ୍ଭିଦବିଜ୍ଞନ (Botany) ଛାତ୍ରମାନେ ଏଠାରେ ବିଭିନ୍ନ ବୃକ୍ଷଲତା ବିଭିନ୍ନ ବିଷୟରେ ଗବେଷଣା କରନ୍ତି ।

 

ଜାତୀୟପାଠାଗାର:—ଏହା ଆଲିପୁରରେ ଅବସ୍ଥିତ । ପୂର୍ବେ ଭାଇସରାୟଙ୍କର ଏହା ଥିଲା ସାମୟିକ ବାସଭବନ । ବର୍ତ୍ତମାନ ସରକାରଙ୍କ ଉଦ୍ୟମରେ ଏହା ଜାତୀୟ ପାଠାଗାରରେ ପରିଣତ । ଏହାର ପୁସ୍ତକ ସଂଖ୍ୟା ପ୍ରାୟ ଏକଲକ୍ଷ । ପ୍ରତ୍ୟହ ଶହ ଶହ ପାଠକ ପାଠିକା ପଠନାଳୟରେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରନ୍ତି । ବିଭିନ୍ନ ଭାଷା ଓ ବିଭିନ୍ନ ବିଷୟରେ ରଚିତ ବହୁ ଦୁର୍ମୂଲ୍ୟ ଓ ଦୁଷ୍ପ୍ରାପ୍ୟ ପୁସ୍ତକ ଏଠାରେ ମିଳେ ।

 

ପରେଶନାଥ ଜୈନ୍ୟମନ୍ଦିର:—ଖ୍ରୀ: ୧୮୬୭ରେ ଏହା ନିର୍ମିତ । ଶାମବଜାରରୁ ଏହାର ଦୂରତା ଅତି କମ୍ । ମୁଁ ସେତେବେଳେ ଶାମବଜାରରେ ରହୁଥାଏ । ଏଣୁ ଦେଖିବାକୁ ସହଜରେ ସୁଯୋଗ ମିଳିଲା । ଜୈନ୍ୟମନ୍ଦିର ଶଙ୍ଖମଲମଲ ପଥରରେ ତିଆରି । ମନ୍ଦିରର ପ୍ରବେଦ୍ୱାରରେ ଦୁଇଟି ସିଂହମୂର୍ତ୍ତି । ମନ୍ଦିରର କାରୁକାର୍ଯ୍ୟ ଉଚ୍ଚକୋଟୀର । ଏହା କଲିକତାର ଏକ ବିଶେଷ ଦର୍ଶନୀୟ ସ୍ଥାନ । ଏହାର ମୁଖ୍ୟଭାଗରେ ୨୪ଟି ତୀର୍ଥଙ୍କରଙ୍କ ମୂର୍ତ୍ତି । ମନ୍ଦିରର ଗୋଟିଏ ସୁନ୍ଦର ଉଦ୍ୟାନ ଅଛି । ଏଠାରେ ଗୋଟିଏ ଜଳଧାରା ସର୍ପିଳଗତିରେ ପ୍ରବହମାନ । ଜଳପୂର୍ଣ୍ଣ ଚୌବାଚା ମଧ୍ୟରେ ନୀଳ ଓ ରକ୍ତ କଇଁଫୁଲଗୁଡ଼ିକର ଶୋଭା ଅନିର୍ବାଚନୀୟ ।

 

ବେଲୁରମଠ:–ଶ୍ରୀ ଶ୍ରୀ ରାମକୃଷ୍ଣ ପରମସଂହ ଏହାର ସ୍ଥାପୟିତା । ଧର୍ମସମ୍ବନ୍ଧୀୟ ଚର୍ଚ୍ଚା ଏଠାରେ ହୁଏ । ଦୁଇଜଣ ହିନ୍ଦୁ ଧର୍ମପରାୟଣା ଆମେରିକା ମହିଳାଙ୍କର ବିପୁଳ ଅର୍ଥଦାନରେ ଏହାର ନିର୍ମାଣ ସମ୍ଭବପର ହୋଇପାରିଛି । ଏଠାରେ ଶ୍ରୀ ରାମକୃଷ୍ଣ ପରମସଂହଙ୍କ ଦିଗ୍‌ବିଜୟୀ ଶିଷ୍ୟ ସ୍ୱାମୀ ବିବେକାନନ୍ଦ ଓଜସ୍ୱୀ ଭାଷଣରେ ହଜାର ହଜାର ନରନାରୀଙ୍କୁ ମୁଗ୍‌ଧ କରଥିଲେ । ଏହି ପୁଣ୍ୟଧାମରୁ ପ୍ରେରଣା ପାଇ ଚିକାଗୋରେ ଅନୁଷ୍ଠିତ ନିଖିଳ ବିଶ୍ୱଧର୍ମସମ୍ପ୍ରଦାୟ ସମ୍ମିଳନୀରେ ଜ୍ୱାଳାମୟୀ ବକ୍ତୃତା ଦେଇ ସ୍ୱାମୀ ବିବେକାନନ୍ଦ ପୃଥିବୀର ସମସ୍ତ ଧର୍ମଗୁରୁଙ୍କୁ ଚମତ୍କୃତ କରିଥିଲେ । ତାଙ୍କ ଯୁକ୍ତିରେ ପରାସ୍ତହୋଇ ଓ ତାଙ୍କ ଧର୍ମଚର୍ଚ୍ଚାରେ ସନ୍ତୁଷ୍ଟ ହୋଇ ଅନେକ ଖ୍ରୀଷ୍ଟଧର୍ମାବଲମ୍ବୀ ହିନ୍ଦୁଧର୍ମ ଗ୍ରହଣ କରିଥିଲେ । ଏହି ମଠ ଏପରି ଭାବେ ନିର୍ମିତ ଯେ, ଏହା ବିଭିନ୍ନ ଦିଗରୁ ମନ୍ଦିର, ମସ୍‌ଜିଦ୍ ଓ ଗୀର୍ଜାପରି ଦେଖାଯାଏ ।

 

ଖିଦିରପୁର ଡକ୍:—ଏହା ସହରଠାରୁ ବହୁତ ଦୂରରେ । ଏଠାରେ ଅନେକ ବଡ଼ ଜାହାଜ ଦେଖିବାକୁ ମିଳେ । ନିକଟରେ ଦୋକାନ ବଜାର । ସ୍ଥାନଟି ସେପରି ପରିଷ୍କୃତ ନୁହେଁ । ବିଭିନ୍ନ ଦେଶରୁ ଆସୁଥିବା ଜାହାଜ ନିଜ ଦେଶର ଜାତୀୟ ପତାକା ଦ୍ୱାରା ଶୋଭିତ ଛୋଟ ଛୋଟ ଡଙ୍ଗା ସାହାଯ୍ୟରେ ମାଲ ବୋଝାଇ ଓ ଖଲାସ୍ ଚାଲିଥାଏ ।

 

ଦମ୍ ଦମ୍ ଉଡ଼ାଜାହାଜଘାଟୀ:—ହାଉଡ଼ା ଷ୍ଟେସନଠାରୁ ଏହା ବହୁଦୂରରେ । ଏଠାରୁ ପୃଥିବୀର ସମସ୍ତ ନଗରକୁ ଉଡ଼ାଜାହାଜ ଯାଏ । ବମ୍ବେର ସାନ୍ତାକ୍ରୁଜ ଓ ଦିଲ୍ଲୀର ପାଲାମ ପରି ଏ ମଧ୍ୟ ବିଖ୍ୟାତ ବିମାନଘାଟୀ । ମୁଁ ଦ୍ୱିତୀୟଥର କଲିକତାରୁ ଫେରିଲାବେଳେ ଭୁବନେଶ୍ୱର ଆସିଥିଲି ଉଡ଼ାଜାହାଜରେ ଏହି ବିମାନଘାଟୀରୁ । ଇଣ୍ଡିଆନ ଏୟାର ଲାଇନସ କରପୋରେସନ୍ ଜାହାଜ ଭଡ଼ା ଟ ୫୫ ଙ୍କା ।

☆☆☆

 

ଲଙ୍କା

 

ଭାରତ ସହିତ ଲଙ୍କାର ସମ୍ବନ୍ଧ ପୌରାଣିକ ଓ ଐତିହାସିକ ସୂତ୍ରରେ ଯୁଗଯୁଗ ଧରି ରହି ଆସିଛି । ବିଷେଶତଃ ରାମାୟଣପାଠକ ଆଗରେ ଲଙ୍କା ଏକ କପୋଳକଳ୍ପିତ ରାଜ୍ୟ ପରି ମନେ ହୁଏ, ମାତ୍ର ଐତିହାସିକପକ୍ଷରେ ସମ୍ରାଟ୍ ଅଶୋକଙ୍କ ବୌଦ୍ଧଧର୍ମପ୍ରଚାରରେ ଏହା ପ୍ରଥମ ବିଦେଶ-ବିଜୟପୀଠ । ରାମାୟଣ ପାଠକପକ୍ଷରେ ରାବଣ ଅଶୋକବନ, ସ୍ୱର୍ଣ୍ଣପ୍ରାଚୀର ଓ ସ୍ୱର୍ଣ୍ଣସିଂହାସନର ଗୁରୁତ୍ୱ ଯେତିକି, ଇତିହାସ ପାଠକ ପାଖରେ ଅନୁରାଧାପୁରରେ ବୁଦ୍ଧଗୟାର ପବିତ୍ର ବଟବୃକ୍ଷ ଶାଖାରୋପଣ, ସିଗିରିଆ ପାହାଡ଼ ଉପରେ ସମ୍ରାଟ ଅଶୋକଙ୍କ ପୁତ୍ର ମହେନ୍ଦ୍ରଙ୍କ ବୌଦ୍ଧଧର୍ମ ପ୍ରଚାର–ଭାଷଣ, କାଣ୍ଡୀର ଦନ୍ତମନ୍ଦିରରେ ସ୍ୱର୍ଣ୍ଣପେଟିକା ମଧ୍ୟରେ ବୁଦ୍ଧଙ୍କ ଦନ୍ତସଂରକ୍ଷଣର ଗୁରୁତ୍ୱ କିଛି କମ୍ ନୁହେଁ ।

 

୧୯୫୭ ମାର୍ଚ୍ଚରେ ଖ୍ରୀଷ୍ଟକଲେଜରୁ I.A. ପରୀକ୍ଷା ଦେଇଥାଏ । ମୋର ସହପାଠୀ ଥିଲେ କେତେକ ସିଂହଳୀ ଛାତ୍ର । ସେମାନେ ମୋତେ ଲଙ୍କା ବିଷୟରେ ଅନେକ ଖବର ଦେଇଥିଲେ । ତେଣୁ ଯିବାଲାଗି ପାସ୍‌ପୋର୍ଟ ଯୋଗାଡ଼ରେ ଲାଗିପଡ଼ିଲି । ପ୍ରଥମେ ଟ୧୦ ରିଜିଅନାଲ୍ ପାସ୍‌ପୋର୍ଟ୍ ଅଫିସର—କଲିକତାଙ୍କ ନିକଟକୁ ପଠାଇଲି । ୩ ଖଣ୍ଡ ବେଷ୍ଟଫୋଟୋ ଦରକାର ହେଲା । ସଞ୍ଚିତଧନର ବ୍ୟାଙ୍କ ବା ପୋଷ୍ଟଅଫିସର ସାର୍ଟିଫିକେଟ୍ ଦରକାର ହେତୁ ମୁଁ କଟକ ଜି.ପି.ଓରୁ ମୋର ସଞ୍ଚିତ ଅର୍ଥର ସାର୍ଟିଫିକେଟ୍ ଆଣିଲି । ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ମଧ୍ୟ ଦରକାର । ଏସବୁ ସାର୍ଟିଫିକେଟ୍, ଫଟୋ, ମନିଅର୍ଡ଼ର କୁପନ ସହ କଟକଜିଲ୍ଲା ମାଜିଷ୍ଟ୍ରେଟଙ୍କ ଇଂଲିସ ଦପ୍ତରକୁ ଗଲି ଓ ସେଠାରୁ ୨ ଖଣ୍ଡ ଫର୍ମ ଆଣି ପୂରଣ କଲି । ଶେଷକୁ ୨ଜଣ ଜଣାଶୁଣା ଲୋକ ମୋର ଜାମିନ୍‍ରୂପେ ଦରକାର ହେଲେ । କଳିଙ୍ଗଭାରତୀର ପ୍ରତିଷ୍ଠାତା ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ ପ୍ରଥମ ଜାମିନ୍ ହେଲେ । ଆଉ ଜଣେ ଜାମିନ୍ ଦରକାର । ୨ୟ ଜାମିନ୍ ଦାର ଖୋଜୁ ଖୋଜୁ ହଠାତ୍ ମୋର ବସାରେ ଲକ୍ଷ୍ମୀନାରାୟଣ ସାହୁ ପହଞ୍ଚିଲେ । “ହଜିଲ୍ଲା ବଳଦ ଖୋଜିଲାଠାରେ ।” ତାଙ୍କୁ ହଠାତ୍ ମୋର ପାସ୍‌ପୋର୍ଟ ଦରଖାସ୍ତ ଫର୍ମଟି ବଢ଼ାଇଦେଲି । ସେ ଜାମିନଦାର ସ୍ଥାନରେ ଦସ୍ତଖତ୍ କଲେ ସତ, କିନ୍ତୁ ମୋ ଉପରେ ଏକ ଦାୟିତ୍ୱ ଦେଲେ । ଏକା ଜିଦ୍ ମୋତେ ସଙ୍ଗରେ ନିଅ । କରେ କଅଣ ? ନିରୁପାୟ । ସହଜେ ସେ ତ ଶ୍ୱାସରୋଗୀ, ଉଠିଲେ ଦମା–ବସିଲେ ଦମା । ସେଥିରେ ପୁଣି ତାଙ୍କୁ ଏତେ ଦୂରକୁ ନେଇ ବୁଲାଇବି ? ରିକ୍‌ସାରେ ୩ ।୪ ମାଇଲ ଗଲା ପରେ ଧଇଁ ପେଲୁଛି । ସେ ପୁଣି କିପରି ଏତେ ବାଟ ଗାଡ଼ିରେ ଯିବେ ? ଏ ତ କମ୍ ଦାୟିତ୍ୱ ନୁହେଁ । ନାହିଁ ତ କରି ହେଉ ନାହିଁ । ଟିକିଏ ଚିନ୍ତା କରିବସିଲେ ହଠାତ୍ ଅଗ୍ନିଶର୍ମା ହୋଇ ଆଧୁନିକ ଯୁବସମାଜର କର୍ମକୁଣ୍ଠନୀତି ଓ ସ୍ୱାର୍ଥପରତା ସମ୍ବନ୍ଧରେ ନାତିଦୀର୍ଘ ଭାଷଣଟିଏ ଶୁଣାଇବେ । ବାଧ୍ୟ ହୋଇ ହଁ କଲି । ତାଙ୍କର ପାସ୍‌ପୋର୍ଟ ଦରଖାସ୍ତ ଫର୍ମ ପ୍ରଭୃତି ଯୋଗାଡ଼ କରିବାକୁ ହେଲା । ସେ ଫର୍ମଟି ଯଥାରୀତି ପୂରଣ କରି ମୋ ଫର୍ମ ସଙ୍ଗରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଫିସରେ ଦାଖଲ କଲେ । ଦୁଇଦିନ ପରେ ଆମ ବିରୁଦ୍ଧରେ କୌଣସି ପୋଲିସ ରିପୋର୍ଟ ନ ଥିବାର ସାର୍ଟିଫିକେଟ୍ ଲାଗି ଆମକୁ ଲାଲବାଗ୍ ଥାନାରେ ହାଜର ହେବାକୁ ପଡ଼ିଲା । ଥାନା ଅଫିସର ପୁରୁଣା ରେକଡ଼୍‌ପତ୍ର ଖୋଲି ଆମ ବିରୁଦ୍ଧରେ କୌଣସି କାଗଜପତ୍ର ନ ଥିବାର ଦେଖି ଆମ ଫଟୋକୁ ‘ଆଟେଷ୍ଟ’ କଲେ । ତାର କିଛିଦିନ ପରେ C.I.D. ଦପ୍ତରରୁ ଆମର ଫର୍ମ ଯାଞ୍ଚ ହେଲାପରେ କଟକ ଜିଲ୍ଲା ମାଜିଷ୍ଟ୍ରେଟ୍ ଆମର ନାମକୁ ସୁପାରିଶ କରି ରିଜିଅନାଲ ପାସ୍‌ପୋର୍ଟ ଅଫିସର—କଲିକତାଙ୍କ ନିକଟକୁ ପଠାଇଲେ । ପ୍ରାୟ ମାସକ ପରେ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କର ପାସ୍‌ପୋର୍ଟ ଆସିଗଲା, କିନ୍ତୁ ମୋର ନାହିଁ ? ମୁଁ ବଡ଼ ଚିନ୍ତିତ ହେଲି । କିଛିଦିନ ପରେ ରିଜିଅନାଲ ପାସ୍‌ପୋର୍ଟ୍ ଅଫିସରୁ ପତ୍ରଟିଏ ପାଇଲି । ଆଶା ଓ ନୈରାଶ୍ୟ ମଧ୍ୟରେ ପତ୍ରଟି ଖୋଲିଲି । ସେଥିରେ ମୋର ଆଉ ୨ଟି ପ୍ରମାଣପତ୍ର କର୍ତ୍ତୃପକ୍ଷ ଚାହିଁଥାନ୍ତି । ପ୍ରଥମଟି–ମୋର ମାସିକ ଦରମାର ପ୍ରମାଣପତ୍ର, ଦ୍ୱିତୀୟଟି—ମୁଁ ସରକାରୀ କର୍ମଚାରୀ ହେତୁ ମୋର ବିଦେଶ ଯିବାରେ ମୋ ଉପରିସ୍ଥ କର୍ମଚାରୀଙ୍କର ଆପତ୍ତି ନ ଥିବା ପତ୍ର । ଯାହାହେଉ ଏ ୨ଟି ସାର୍ଟିଫିକେଟ୍ ସଙ୍ଗେ ସଙ୍ଗେ ପଠାଇଦେଲି । ତାର ପନ୍ଦର ଦିନ ପରେ ମୋର ପାସ୍‌ପୋର୍ଟ ଆସି ପହଞ୍ଚିଲା । ପାସ୍‌ପୋର୍ଟ ପରେ ସିଂହଳସରକାରଙ୍କ ଅନୁମତି ପତ୍ର ବା Visa ଦରକାର । ପୂର୍ବରୁ ନୂଆଦିଲ୍ଲୀସ୍ଥ ସିଂହଳୀୟ ହାଇକମିଶନରଙ୍କ ଦପ୍ତରକୁ ଏ ବିଷୟରେ ଲେଖା ଲେଖି କରିଥିଲି । ମୋତେ ଫର୍ମ ମିଳିଗଲା । ଟ ୨.୦୦ ଫିସ୍ ଓ ଦୁଇଖଣ୍ଡ ବଷ୍ଟ ଫୋଟୋ ପୁଣି ଦରକାର ହେଲା । ସେ ସମସ୍ତ ପଠାଇଲା ପରେ ମାନ୍ଦ୍ରାଜରେ ଥିବା ତାଙ୍କ ଅଫିସରେ ପାସ୍‌ପୋର୍ଟ ବହି ଦେହରେ ଅନୁମତି ପତ୍ର ବା Visa ଲେଖେଇନେବା ପାଇଁ ମୋତେ ଅନୁମତି ମିଳିଲା । ତାଙ୍କ ପ୍ରେରିତ ନିୟମାବଳିରେ ଦରକାର ପଡ଼ିଲେ ମୋତେ ଟ ୫୦୦.୦୦ ଦାଖଲ କରିବାର ଲେଖାଥିଲା । ଏ ମଧ୍ୟ ଅନ୍ୟ ଏକ ଚିନ୍ତା ।

 

ମାନ୍ଦ୍ରାଜର ପୂର୍ବପରିଚିତ ବନ୍ଧୁ ଶ୍ରୀ ଏ. ସୁନ୍ଦରଭାଷ୍ୟମ୍ ନାଇଡ଼ୁଙ୍କୁ ଏ ବିଷୟରେ ସଠିକ୍ ବିବରଣୀ ଓ ଅନୁମତି ପତ୍ର ଶୀଘ୍ର ପାଇବାର ଯୋଗାଡ଼ ଲାଗି ପତ୍ର ଲେଖିଲି । ସେ ମହାଶୟ ତାଙ୍କ ସାନଭାଇ ଶ୍ରୀ ଏ. ଶ୍ରୀହରିଙ୍କୁ ଏ ବିଷୟରେ ବୁଝିବା ଲାଗି ପଠାଇଲେ ଓ ମୋତେ ମାନ୍ଦ୍ରାଜ ଯିବାକୁ ତାର କଲେ । ମୁଁ ଯାମିନ୍ ବାବଦ ଟ୫୦୦.୦୦ ଯୋଗାଡ଼ରେ ଲାଗିଲି । ଖର୍ଚ୍ଚ ପାଇଁ ମୋ ପାଖରେ ଟ୫୦୦.୦୦ ଥାଏ । ଶ୍ରୀ ଏ. ଶ୍ରୀହରିଙ୍କ ପରିଚିତ ଜନୈକ ଭଦ୍ରଲୋକ ମାନ୍ଦ୍ରାଜସ୍ଥିତ ସିଂହଳୀୟ ଅନୁମତିପତ୍ରକାର୍ଯ୍ୟାଳୟର କର୍ମଚାରୀ । ତାଙ୍କ ଅନୁରୋଧ କ୍ରମେ ମୋର ଯାମିନ୍ ଟ୫୦୦.୦୦ ଛାଡ଼ ହେବାର ଚେଷ୍ଟା ସେ କରୁଥାନ୍ତି, କିନ୍ତୁ ଯଦି ନ ହୁଏ ତେବେ କରେ କଅଣ ?

 

“ଏଣ୍ଡୁଅ ଦଉଡ଼ା ଶିଝୁବୁଦା ଯାଏ” । ଶେଷକୁ ଟ୫୦୦.୦୦ ଧାର ଆଣିବା ଲାଗି ମୋର ବନ୍ଧୁ ଶ୍ରୀ ଶଶାଙ୍କଶେଖର ଦାସଙ୍କ ନିକଟକୁ ଗଲି । ସେ ସେତେବେଳେ ନୂଆ ରାଜଧାନୀରେ ଇଲେକ୍ଟ୍ରିକାଲ ଏକ୍‌ଜିକିଉଟିଭ୍ ଇଞ୍ଜିନିୟର ଥାନ୍ତି । ମୋର ଏପରି ଅସୁବିଧା ଦେଖି ସେ ଟ୫୦୦.୦୦ ଦେବେ ଦେଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ହଠାତ୍ ମୋର ମନକୁ ଗୋଟିଏ ଉପାୟ ଆସିଲା । ଭାବିଲି—ମାନ୍ଦ୍ରାଜର ବନ୍ଧୁ ଯଦି ମୋ ଅମାନତ ବାବଦ କୁ୫୦୦.୦୦ ଛାଡ଼ କରି ଦେଇପାରନ୍ତି, ତା ହେଲେ ଏ ଟ୫୦୦.୦୦ କାହିଁକି ବୃଥାରେ ସାଙ୍ଗରେ ନେବି । ତେଣୁ ଦରକାର ପଡ଼ିଲେ ମୁଁ ମାନ୍ଦ୍ରାଜରୁ ଟେଲିଗ୍ରାମ କରି ମନିଅର୍ଡ଼ର ଯୋଗେ ଟଙ୍କା ନେବି ବୋଲି ଠିକ୍ କଲି । ମୋର ଏ ବିଚାରକୁ ଶଶାଙ୍କବାବୁ ବେଶ ପସନ୍ଦ କଲେ ଯାହାହେଉ ଏ ବିପଦରୁ ରକ୍ଷା ପାଇଲି । କଟକ ମ୍ୟୁନିସିପାଲ୍‌ଟିର ମେଡିକାଲ ଅଫିସରଙ୍କଠାରୁ ସାତ ଦିନରେ ଦୁଇ ଥର ବସନ୍ତ ଟୀକା ଓ ପ୍ରଥମ ଦିନ କଲେରା ଇଞ୍ଜେକ୍‌ସନ୍ ନେଇ ‘ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପ୍ରମାଣପତ୍ର’ (International Health Certificate) ହାସଲ କଲି । ଯିବାର ସବୁ ସୁବିଧା ହେଲା । କିନ୍ତୁ ପୁଣି ନୂଆ ବିପଦ-। ସେତେବେଳେ (ଜୁନ୍, ୧୯୫୭) ଭାରତର ଚାରିଆଡ଼େ ‘ଫ୍ଲୁ’ ର ପ୍ରକୋପ । କଲିକତା, ମାନ୍ଦ୍ରାଜ, ବାଙ୍ଗାଲୋର, ଓ ମହୀଶୂର ପ୍ରଭୃତି ସହରରେ ପ୍ରତିଦିନ ଶହ ଶହ ଲୋକ “ଫ୍ଲୁ” ରେ ମରୁଥାଆନ୍ତି-। କଟକରେ ମଧ୍ୟ ‘ଫ୍ଲୁ’ରେ ପ୍ରତିଦିନ ଲୋକ ମରିବାର ଖବର ମିଳୁଥାଏ । ଘରୁ ଓ ବନ୍ଧୁ ମହଲରୁ ପାଇଲି କଡ଼ା ନିର୍ଦ୍ଦେଶ—‘‘ଯାତ୍ରା ବନ୍ଦକର’’ । ମୁଁ ବାହାରିବାର ୨ ।୩ ଦିନ ପୂର୍ବରୁ ଲକ୍ଷ୍ମୀନାରାୟଣ ସାହୁ ଫ୍ଲୁରେ ଆକ୍ରାନ୍ତ ହେଲେ । ୧୦୩୦ ଜ୍ୱର । ବିଛଣାରୁ ଉଠିପାରୁ ନ ଥାନ୍ତି । ତଥାପି ମୋ ସଙ୍ଗରେ ଲଙ୍କା ବୁଲିଯିବେ ବୋଲି ମୋତେ କିଛି ଦିନ ଅପେକ୍ଷା କରିବାକୁ କହୁଥାନ୍ତି । କିନ୍ତୁ ମୁଁ ଦେଖିଲି ଶୀଘ୍ର ନ ବାହାରି ଗଲେ ଆଉ ଗତି ନାହିଁ । ସ୍କୁଲ, କଲେଜ ଖୋଲିଗଲେ ଆଉ ଯିବା ଅସମ୍ଭବ । “ଭଣ୍ଡାରୀ ମଠ ଟଙ୍କା ପାଞ୍ଚଟି”—ପାଣ୍ଠିତକ ସରିଗଲେ ଲଙ୍କା ଯାତ୍ରା ଏ ଜନ୍ମରେ ଅସମ୍ଭବ ହୋଇପଡ଼ିବ । ତେଣୁ କାହାରି କଥା ନ ମାନି ବାହାରିଲି । କଟକ କାଜିବଜାରର ପ୍ରସିଦ୍ଧ ହୋମିଓପାଥିକ୍ ଡାକ୍ତର ଶ୍ରୀ ଇନ୍ଦୁଭୂଷଣ ରାୟଙ୍କଠାରୁ ଫ୍ଲୁ ପ୍ରତିଶେଧକ ଓ ଫ୍ଲୁ ଉପଶମକାରୀ ଔଷଧ ନେଲି ।

 

୧୭ ।୬ ।୫୭ ରାତି ୧୧ଟାରେ କଟକ ବସାରୁ ଯାତ୍ରା ଆରମ୍ଭ କଲି । ପଣ୍ଡିତ ଶ୍ରୀ ଆନନ୍ଦଚନ୍ଦ୍ର ମିଶ୍ର ମୋର ମଙ୍ଗଳ କାମନା କରି ମୋତେ କଲ୍ୟାଣ କଲେ । ପରିବାରବର୍ଗଙ୍କଠାରୁ ବିଦାୟ ନେଇ ଚାଲିଲି । ବିପଦ ଆସିଲାବେଳେ ଗୋଟିଏ ପରେ ଆଉ ଗୋଟିଏ ଆସେ । ଏଠାରେ ପୁଣି ଏକ ବିପଦ । କଲିକତାରୁ ଆସୁଥିବା ମାନ୍ଦ୍ରାଜମେଲ “ଫ୍ଲୁ” ରୋଗୀ ଫେରୁଥିବା ହେତୁ ଖୁବ୍ ଭିଡ଼ । ଟିକେଟ ବନ୍ଦ । କରେ କଅଣ ? ମୋର ବହୁ ଅନୁରୋଧ ପରେ ମୋତେ ପରଦିନ ସକାଳେ ଜନତା ଏକ୍ସପ୍ରେସରେ ୱାଲଟିୟର ଯାଏ ଟିକେଟ୍‌ଟିଏ ଦେବାକୁ ଟିକଟବାବୁ ପ୍ରତିଶ୍ରୁତି ଦେଲେ । ଷ୍ଟେସନମାଷ୍ଟରଙ୍କୁ ଏ ବିଷୟରେ ଅନୁରୋଧ କଲି । ସେ ମଧ୍ୟ ପୁଣି ନ ଶୁଣିଲା ପରି ରହିଲେ । ରାତିଟି କଟକ ଷ୍ଟେସନରେ ରହିବା ଲାଗି ସ୍ଥିର କଲି । ବସାକୁ କେଉଁ ମୁହଁରେ ଫେରିଯିବି । ଆସିଲା ବେଳେ କାନ୍ଦି କାନ୍ଦି ମୋତେ ନ ଯିବାପାଇଁ ବହୁବାର ଅନୁରୋଧ କରିଥିଲେ ହେଁ ମୁଁ ତା କଥାକୁ ଏଡ଼ିଦେଇ ଚାଲିଆସିଛି । ବର୍ତ୍ତମାନ ଫେରିଗଲେ ଲାଜ । ଗାଡ଼ି ଆସିବାର ୧୫ ।୨୦ ମନିଟ୍ ପୂର୍ବରୁ ପୁଣି ଥରେ ବୁକିଂକ୍ଲର୍କଙ୍କ ପାଖକୁ ଗଲି । ସେ ଦୟାପରବଶ ହୋଇ ମୋତେ ଟିକେଟ୍‌ଟିଏ ମାନ୍ଦ୍ରାଜ ଯାଏ ଦେଲାରୁ ଆଶ୍ୱସ୍ତି ଲାଭ କଲି । ଭୀମଭୈରବ ଗର୍ଜ୍ଜନରେ ନୈଶନିସ୍ତବ୍‌ଧତା ଭଙ୍ଗକରି କଟକ ଷ୍ଟେସନକୁ ଧାଇଁ ଆସିଲା ମାନ୍ଦ୍ରାଜମେଲ । ଆରାମରେ ସ୍ଥାନଟିଏ ମିଳିଗଲା ।

 

ତା ୧୦ ।୭ ।୫୭ ସକାଳ ୯ଟାରେ ମାନ୍ଦ୍ରାଜମେଲ ମାନ୍ଦ୍ରାଜ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିଲା । ସଙ୍ଗେ ସଙ୍ଗେ ବାସ୍ ଯୋଗେ ମୋର ପର୍ବପରିଚିତ ବନ୍ଧୁ ଶ୍ରୀ ସୁନ୍ଦର ଭାଷ୍ୟମ୍ ନାଇଡ଼ୁଙ୍କ ଘରକୁ ଚାଲିଲି । ଟ୍ରିପ୍ଲିକେନ୍‌ରେ ତାଙ୍କ ଘରେ ପହଞ୍ଚି ସ୍ନାନାଦି ସାରି ସେ ଦିନଟି ପୂର୍ଣ୍ଣ ବିଶ୍ରାମ ନେଲି-। ପରଦିନ ଶ୍ରୀ ଏ.ଶ୍ରୀ ହରିଙ୍କ ସଙ୍ଗରେ ଅନୁମତି ପତ୍ର ଲାଗି ସିଂହଳୀୟ ହାଇକମିଶନରଙ୍କ ମାନ୍ଦ୍ରାଜ ଶାଖାକାର୍ଯ୍ୟାଳୟକୁ ଗଲି । ତାଙ୍କ ଚେଷ୍ଟା ଫଳରେ ମୋର ଅମାନତ ପଡ଼ିଲା ନାହିଁ । ସଙ୍ଗେ ସଙ୍ଗେ ଶ୍ରୀ ଶଶାଙ୍କଶେଖର ଦାସଙ୍କୁ ଟଙ୍କା ପଠାଇବା ଦରକାର ନାହିଁ ବୋଲି ପତ୍ରଟିଏ ଲେଖିଲି-। ସେହିଦିନ ସିଟିବୁକିଂ ଅଫିଲରୁ ଧନୁଷ୍କୋଟୀ ପର୍ଯ୍ୟନ୍ତ ରେଳଟିକଟ କିଣି ରାତି ୧୦ଟାରେ ବାହାରିଲି-। କଟକରୁ ମାନ୍ଦ୍ରାଜର ଦୂରତା ୭୭୭ ମାଇଲ୍ ଓ ମାନ୍ଦ୍ରାଜରୁ ଧନୁଷ୍କୋଟୀର ଦୂରତା ୩୮୨ ମାଇଲ-

 

ରାତି ୧୦।୩୦ ରେ ମାନ୍ଦ୍ରାଜ ଏଗମୋର ଷ୍ଟେସନରୁ ଗାଡ଼ି ଛାଡ଼ିଲା । ପରଦିନ ଦିନ ୨ ଟାରେ ଧନୁଷ୍କୋଟୀ ବନ୍ଦର ନିକଟରେ ଗାଡ଼ି ପହଞ୍ଚିଲା । ବାଟରେ ମଣ୍ଡପମ୍‍କ୍ୟାମ୍ପଠାରେ ସିଂହଳୀୟ ଡାକ୍ତର ଲଙ୍କା ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଲେ । ଛାତି ଥରୁଥାଏ । ପାସପୋର୍ଟ, ଭିସା, ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସାର୍ଟିଫିକେଟ୍ ସମସ୍ତ ଏଠାରେ ଚେକ୍ ହେଲା । କଲିକତା ଓ ମାନ୍ଦ୍ରାଜରେ ଫ୍ଲୁର ପ୍ରକୋପ ଥିବାରୁ ସେଠାରୁ ଆସିଥିବା ଯାତ୍ରୀମାନଙ୍କୁ ସିଂହଳ ସରକାରଙ୍କ ଡାକ୍ତର ପରୀକ୍ଷା କରୁଥାନ୍ତି । ଯଦି ଏଠାରେ ଡାକ୍ତର ଅନୁମତି ପତ୍ର ନ ଦିଅନ୍ତି ତା’ ହେଲେ ଏତେ ପରିଶ୍ରମ ଓ ଅର୍ଥବ୍ୟୟ ବୃଥାହେବ । ଯାହାହେଉ ଡାକ୍ତର ମହୋଦୟ ମୋର ସ୍ୱାସ୍ଥ୍ୟପରୀକ୍ଷା କରି ମୋତେ ଅନୁମତି ପତ୍ର ଦେଲେ । ମୁଁ ଏଣିକି ନିଶ୍ଚିନ୍ତ ହୋଇ ଗାଡ଼ିରେ ବସିଲି । ଏଠାରୁ ଧନୁଷ୍କୋଟୀ ଅଳ୍ପଦୂର-। ଧନୁଷ୍କୋଟୀରେ ଭାରତୀୟ ମୁଦ୍ରା ବିନିମୟରେ ସିଂହଳୀୟ ମୁଦ୍ରା ସଂଗ୍ରହ କଲି । ଟ୨୦୦.୦୦ ରୁ ବେଶୀ ଆଣିହେବ ନାହିଁ ବୋଲି ନିୟମ ଅଛି । ତେଣୁ ମୁଁ ଟ୧୫୦.୦୦ ମାନ୍ଦ୍ରାଜର ବନ୍ଧୁ ଶ୍ରୀ ସୁନ୍ଦରଭାଷ୍ୟମ ନାଇଡ଼ୁଙ୍କ ପାଖରେ ରଖି ଆସିଥିଲି । ଏଠାରେ କେବଳ ଟ୧୦୦.୦୦ ର ସିଂହଳୀୟ ମୁଦ୍ରା ଆଣିଲି । ଶତକରା ଟ୧.୦୦ବଟି ଦେବାକୁ ହେଲା । ଧନୁଷ୍କୋଟୀ ବନ୍ଦରରୁ ଜାହାଜ ଦିନ ୪ ଟାରେ ଛାଡ଼ିଲା । ଟାଲିମାନାର (ସିଂହଳଦ୍ୱୀପର ଉତ୍ତରପାର୍ଶ୍ୱ)ଏଠାରୁ ମାତ୍ର ୨୧ ମାଇଲ ଦୂର । ଜାହାଜରେ କଲମ୍ବୋ ପର୍ଯ୍ୟନ୍ତ ଟିକେଟ କାଟିଲି । ଟାଲିମାନାରରେ ସନ୍ଧ୍ୟା ୬ ଟାରେ ପହଞ୍ଚିଲି । ଏଠାରୁ କଲମ୍ବୋ ୧୮୧ ମାଇଲ । କଲମ୍ବୋ ଏକ୍ସପ୍ରେସ୍ ଯୋଗେ ପରଦିନ ସକାଳେ କଲମ୍ବୋରେ ପହଞ୍ଚିଲି । କଲମ୍ବୋ ରେଳଷ୍ଟେସନଟି ଖୁବ୍‍ ଉନ୍ନତ ଧରଣର । ସେଠାରେ କିଛିସମୟ ଅପେକ୍ଷାପରେ ରିକ୍‌ସାଟିଏ ଧରି ସହରବୁଲି ବାହାରିଲି । ଶ୍ରୀ ଲକ୍ଷ୍ମୀନାରାୟମ ସାହୁଙ୍କ ବନ୍ଧୁ ଡକ୍ଟର କେୱଲରାମ ମୋଟୱାନୀ M.A.Ph.D ଙ୍କ ଘରକୁ ଗଲି-। ଦୁର୍ଭାଗ୍ୟକୁ ସେ ଘରେ ନ ଥଆନ୍ତି-। ମୋର ଏକ ସହପାଠୀ ଶ୍ରୀ ଜୟରାଜସିଂହମ୍‌ଙ୍କ ଠିକଣା ପାଖରେ ଥାଏ । ତେଣୁ ତାଙ୍କ ପାଖକୁ ଟାକ୍‌ସିଟିଏ କରି ବାହାରିଲି । ଦୁର୍ଯ୍ୟୋଗକୁ ସେ ମଧ୍ୟ କଲମ୍ବୋରେ ଅନୁପସ୍ଥିତ ଥାନ୍ତି । ଡକ୍ଟର କେବଲରାମ ମୋଟବାନୀଙ୍କ ପତ୍ନୀ ଶ୍ରୀମତୀ ମୋଟବାନୀ କଲମ୍ବୋ ବୁଦ୍ଧିଷ୍ଟକଲେଜର ଅଧ୍ୟକ୍ଷା-। ତାଙ୍କଠାରୁ ମୁଁ କଲମ୍ବୋ ବିଷୟରେ ଅନେକ ଖବର ସଂଗ୍ରହ କରିଥିାଏ । ଏଠାରେ ହୋଟେଲମାନଙ୍କରେ ଦିନକୁ ୮ ।୧୦ ଟଙ୍କା ଦେବାକୁ ପଡ଼େ । ଶେଷକୁ କଲମ୍ବୋରେ ଥିବା ଭାରତର ହାଇକମିଶନରଙ୍କ ଦପ୍ତରରୁ ଏଠାରେ ସୁବିଧାରେ ରହିବାସ୍ଥାନ, ଦର୍ଶନୀୟସ୍ଥାନ ପ୍ରଭୃତି ବୁଝିବାପାଇଁ ବାହାରିଲି । ଭାରତୀୟ ହାଇକମିଶନରଙ୍କ ଦପ୍ତରକୁ ଯିବାଲାଗି ଟାକ୍‌ସିଚାଳକକୁ ନିର୍ଦ୍ଦେଷ ଦେଲି । ଟାକ୍‌ସିଚାଳକ ତାଙ୍କ ଅଫିସ ଠିକଣା ଜାଣି ନ ଥାଏ-। ସେତେବେଳକୁ ବୁଲି ବୁଲି ସକାଳୁ ୧୦ଟା ହେଲାଣି, ଦାନ୍ତଘସା ପର୍ଯନ୍ତ ହୋଇନାହିଁ । ଭାରି ଖରାପ ଲାଗୁଥାଏ । ଦୁଇଜଣ ଅପରିଚିତ ସିଂହଳୀ ଭଦ୍ରଲୋକଙ୍କୁ ବାଟରେ ଦେଖି ତାଙ୍କୁ ଭାରତୀୟ ହାଇକମିଶନରଙ୍କ ଠିକଣା ପଚାରିଲି । ସେମାନେ ମୋର ପରିଚୟ ମାଗିବାରୁ ମୁଁ ତାଙ୍କୁ ମୋର ପୂର୍ଣ୍ଣ ପରିଚୟ ଦେଲି-। ସେ ଦୁଇଜଣ ହେଉଛନ୍ତି ମାନ୍ଦ୍ରାଜୀ । ଏଠାରେ ବସତି ସ୍ଥାପନ କରି ବହୁବର୍ଷ ଧରି ରହି ଆସିଛନ୍ତି । ମୋତେ ଭାରତୀୟ ପର୍ଯ୍ୟଟକ ବୋଲି ଜାଣି ଆନନ୍ଦରେ ଟାକ୍‌ସିରେ ଦୁହେଁ ବସି ଟାକ୍‌ସିବାଲାକୁ ତାଙ୍କ ଘରକୁ ଯିବାଲାଗି କହିଲେ । ମୁଁ ତାଙ୍କର କାର୍ଯ୍ୟକଳାପ ଦେଖି ତାଟକା-। ଏ କି ରହସ୍ୟ-। ମୋତେ ଭାରତୀୟ ହାଇକମିଶନରଙ୍କ ଦପ୍ତରରେ ନ ପହଞ୍ଚାଇ ତାଙ୍କ ଘରେ ପହଞ୍ଚାଇଲେ । ତାଙ୍କ ଘର ୪୨୧ ।୩୦ ଡାଲିଁରୋଡ଼୍ । ସେଣ୍ଟ୍ ଯୋସେଫ୍ କଲେଜ ସାମନ ମର୍ଦ୍ଦାନା ।

 

ମୁଁ ଆଶ୍ଚର୍ଯ୍ୟାନିତ୍ୱ ଓ ଭୟଭୀତ ହେଲି । ଏମାନେ ଖଣ୍ଟ ଡକାୟତ ନୁହନ୍ତି ତ ? ଏତେ ଅଯାଚିତ ଦୟା ଓ ଉପକାରର ପଛରେ କିଛି ଗୁପ୍ତରହସ୍ୟ ନାହିଁ ତ ? ମୋତେ ସେ ଦୁହେଁ ଆଦର ସହକାରେ ଘରକୁ ନେଉଥାଆନ୍ତି, ମାତ୍ର ମୁଁ ଭୟରେ ଅଧୀର ଅସ୍ଥିର ହେଉଥାଏ । ଉପାୟ କଅଣ । ଅପରିଚିତ ସ୍ଥାନ ଇଂରେଜ ଛଡ଼ା ଅନ୍ୟ କେହି କିଛି ବୁଝୁନାହାନ୍ତି । ସେ ଦୁହିଙ୍କ ମଧ୍ୟରୁ ଜଣେ ହେଉଛନ୍ତ—ଶ୍ରୀ ସି. କନ୍ଦସ୍ୱାମୀ—ଟେଲିଫୋନ୍ ଇନ୍‌ସପେକ୍ଟର, ଅନ୍ୟଜଣେ ଶ୍ରୀ ନାଗଲିଙ୍ଗମ୍—କୌଣସି ସରକାରୀ ଅଫିସର କୋଷାଧ୍ୟକ୍ଷ । ମୁଁ ଥଙ୍ଗ ଥଙ୍ଗ ହୋଇ ଆଗେଇଲା ବେଳକୁ ଶ୍ରୀ କନ୍ଦସ୍ୱାମୀଙ୍କ ପିତା, ମାତା ଓ ସ୍ତ୍ରୀ ପ୍ରଭୃତି ପରିବାରବର୍ଗ ନମସ୍କାର କରି ଘର ଭିତରକୁ ନେଲେ । ସେମାନଙ୍କର ଆତିଥ୍ୟ ଓ ଆନ୍ତରିକତାରେ ମୁଁ ଏକାବେଳକେ ଆତ୍ମବିସ୍ମୃତ ହୋଇଗଲି । ସ୍ନାନ ଭୋଜନାଦି ପରେ ଖରାବେଳଟି ବିଶ୍ରାମ ନେଇ ୪ଟାବେଳକୁ ସହର ବୁଲିଯିବାର ସୁବିଧା ମିଳିଲା । ଶ୍ରୀ କନ୍ଦସ୍ୱାମୀଙ୍କ ପଡ଼ୋଶୀ ଶ୍ରୀ ଆରସରତ୍ନମ ମଧ୍ୟ ତାମିଲ ଭଦ୍ରଲୋକ । ସେ ମଧ୍ୟ ମୋତେ ବନ୍ଧୁତା ସୂତ୍ରରେ ଆବଦ୍ଧ କଲେ । ଏହିପରି ସେଠାରେ ମୋର ରହଣିକାଳ ଆନନ୍ଦରେ ଅତିବାହିତ ହେଲା ।

 

ସିଂହଳ ଏକ କ୍ଷୁଦ୍ର ଦ୍ୱୀପ । ଏହାର ଲମ୍ବ ୨୭୯ ମାଇଲ୍ ଓ ପ୍ରସ୍ଥ ୧୪୦ ମାଇଲ୍ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଦ୍ୱୀପଟି ଭରପୂର । ସବୁଆଡ଼େ ଚା, ନଡ଼ିଆ କଫି ଓ ରବରବନ ଉପବନ । ଏହାର ବୃହତ୍ତମ ନଦୀ ମହାବଳୀ ଗଙ୍ଗା—ଦୈର୍ଘ୍ୟ ମାତ୍ର ୨୦୮ ମାଇଲ୍ । ଏହି ଦ୍ୱିପର ଜନସଂଖ୍ୟା ୮୦,୯୯,୬୩୭ ଓ ଏହା ୯ଟି ପ୍ରଦେଶରେ ବିଭକ୍ତ । ତା ୪ ।୨ ।୧୯୪୮ ଦିନ ଏହି ଦ୍ୱୀପ ବ୍ରିଟିଶ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭକଲା । ଏଠାରେ ୧୫୦ଟି ପ୍ରଧାନ ଗିରି ଶୃଙ୍ଗ । ସର୍ବ ବୃହତହ୍ରଦ ବତୀକୋଲାର ଆୟତନ ୨୯୫୨୭ ଏକର । ଏଠାରେ କ୍ଷୁଦ୍ର ବୃହତ୍ ୧୬ଟି ନଦୀ ପ୍ରବାହିତା । ଅଧିବାସୀମାନେ ଅଧିକାଂଶ ବୌଦ୍ଧଧର୍ମାବଲମ୍ବୀ । ହିନ୍ଦୁ ଖ୍ରୀଷ୍ଟୀଆନ୍ ଓ ମୁସଲମାନଙ୍କର ସଂଖ୍ୟା କମ୍ । ଏହାର ପ୍ରଧାନ ଭାଷା ସିଂହଳୀ । ତାମିଲ ମଧ୍ୟ କେତେକାଂଶରେ ଚଳେ । ଏଠାରେ ଦଶମିକ ମୁଦ୍ରାର ପ୍ରଚଳନ ଅଛି ।

 

କଲମ୍ବୋ ଏକ ଆଧୁନିକ ନଗର । ଏହା ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ପୂର୍ଣ୍ଣ । ମୋଟର, ବାସ୍, ଓ ଟ୍ରାମ ପ୍ରଭୃତି ଯାନ ଯୋଗୁଁ ନଗର କୋଳାହଳମୟ । କଲିକତା ଓ ବମ୍ବେରୁ ଏହା କୌଣସି ଅଂଶ ରେ ନ୍ୟୂନ ନୁହେଁ । ଲୋକମାନେ ରଙ୍ଗୀନଲୁଙ୍ଗୀ ଓ ଜାମା ପିନ୍ଧିଥାନ୍ତି । ହୋଟେଲ, ଦୋକାନ, ସରକାରୀ କାର୍ଯ୍ୟାଳୟ, କଳ କାରଖାନା, ସ୍କୁଲ, କଲେଜ, ହସ୍‍ପିଟାଲ, ହିନ୍ଦୁ ଓ ବୌଦ୍ଧମନ୍ଦିର ମସ୍‌ଜିଦ୍ ପ୍ରଭୃତି ବହୁପରିମାଣରେ ଏଠାରେ ବିଦ୍ୟମାନ । ନଗରର ନୈଶଶୋଭା ଏକାନ୍ତ ଚିତ୍ତାକର୍ଷକ । ଏବେ ସୁଦ୍ଧା ଅନେକ ଇଉରୋପୀୟ ଅଧୀବାସୀ ଏଠାରେ ବାସ କରନ୍ତି । ଏଠାରେ ଶତକଡ଼ା ୭୦ ଭାଗ ବୌଦ୍ଧ ଧର୍ମାବଲମ୍ବୀ । ବିଶେଷତଃ ବୌଦ୍ଧମନ୍ଦିରର ସଂଖ୍ୟା ବେଶୀ । ବନ୍ଦର, ଚିଡ଼ିଆଖାନା, ଯାଦୁଘର ଓ ଭିକ୍ଟୋରିଆ ପାର୍କ ପ୍ରଭୃତି ଏଠାରେ ଦର୍ଶନୀୟ । ସନ୍ଧ୍ୟାବେଳକୁ ଶ୍ରୀ କନ୍ଦସ୍ୱାମୀ, ଶ୍ରୀ ନାଗଲିଙ୍ଗମ ଓ ଶ୍ରୀ ଥଙ୍ଗ୍‌ପାରାଜଙ୍କ ସହିତ ବନ୍ଦର ଦେଖିବାକୁ ଗଲି । ବନ୍ଦରର ଶୋଭା ଚମତ୍କାର । ଶହ ଶହ ଜାହାଜ ଏଠାରେ ଆଶ୍ରୟ ନେଇଥାଆନ୍ତି । କ୍ରେନ୍ ସାହାଯ୍ୟରେ ଜିନିଷପତ୍ର ଲଦା ଓ କଢ଼ା ହେଉଥାଏ । ପୃଥିବୀର ବିଭିନ୍ନ ଦେଶରୁ ପଣ୍ୟଜାହାଜ ଓ ଯାତ୍ରୀ ବାହୀ ଜାହାଜ ଏହି ପୋତାଶ୍ରୟରେ ଥାଏ । ପୋତାଶ୍ରୟର କାର୍ଯ୍ୟାଳୟ ଏକ ବିରାଟ ଅଟ୍ଟାଳିକା । ଜିନିଷପତ୍ର ସଂରକ୍ଷଣ ଲାଗି ଅସଂଖ୍ୟ ଷ୍ଟୋର ରୁମ୍ । ସନ୍ଧ୍ୟା ସମୟରେ ବହୁଲୋକ ଏଠାକୁ ବୁଲିବା ଲାଗି ଆସନ୍ତି । ଆଲୋକମାଳାର ପ୍ରତିବିମ୍ବରେ ଚାରିଆଡ଼ ଝଟକି ଉଠୁଥାଏ । ଏହାର ଆୟତନ ଖୁବ୍ ବଡ଼ । ପ୍ରାଚ୍ୟ ଖଣ୍ଡରେ ଏହା ସର୍ବଶ୍ରେଷ୍ଠ ବନ୍ଦରରୂପେ ପରିଗଣିତ । ବନ୍ଦରର ନିକଟକୁ ଗଲଫ୍‌ସ ହୋଟେଲ । ଏଠରେ ଦିନକୁ ରହିବା ଲାଗି ଟ୨୫ଙ୍କା ନିମ୍ନତମ ଦର । ସାମନାରେ ଖୋଲା ପଡ଼ିଆ । ଶହ ଶହ ବାଳକ ବାଳିକା ଏଠାରେ ଗୁଡ଼ି ଉଡ଼ାଉଥାନ୍ତି । ଗଲଫ୍‌ସ ହୋଟେଲରେ ୫୦୦ ଟି କୋଠରୀ । ବହୁ ଦେଶରୁ ଆସି ଦର୍ଶକମାନେ ଏଠାରେ ଅବସ୍ଥାନ କରନ୍ତି ।

 

ବନ୍ଦରରୁ ଫେରିଲା ପରେ କଚେରୀ, ସେକ୍ରେଟେରୀଏଟ ଓ ରାଜଭବନ ପ୍ରଭୃତି ଦେଖି ଘରକୁ ଫେରିଲୁ । ପରଦିନ ଶ୍ରୀ କନ୍ଦସ୍ୱାମୀଙ୍କ ପ୍ରତିବେଶୀ ଭାରତୀୟ ତାମିଲ ଭଦ୍ରଲୋକ ଶ୍ରୀ ଆରସରତ୍ନମ ମୋତେ ଚିଡ଼ିଆଖାନା ଦେଖାଇବା ପାଇଁ ନେଲେ । ସେ ଶିକ୍ଷା ବିଭାଗରେ କାର୍ଯ୍ୟକରନ୍ତି । ପାସ୍‌ପୋର୍ଟର ନିୟମ ଅନୁଯାୟୀ ମୋର ସିଂହଳରେ ରହଣି ସମୟରେ ଦିନେ ଦୁଇଦିନରେ ଥରେ ପାସ୍‌ପୋର୍ଟ ଚେକିଂ ଅଫିସରେ ହାଜର ହୋଇ ପାସ୍‌ପୋର୍ଟ ଓ ଭିସା ଦାଖଲ କରିବାର କଥା । ଉକ୍ତ ଅଫିସଟି ଶ୍ରୀ ଆରସରତ୍ନମଙ୍କ ଅଫିସ ପାଖରେ । ମୋର ପାସ୍‌ପୋର୍ଟ ଆଦି ଏହି ଅଫିସରେ ଯାଞ୍ଚ ହେଲା ପରେ ସେ ତାଙ୍କ ଅଫିସକୁ ବାହାରିଗଲେ ଓ ମୋତେ ଚିଡ଼ିଆଖାନା ଯିବାଲାଗି ରାସ୍ତା ଦେଖାଇଦେଲେ । ଚିଡ଼ିଆଖାନା ସେଠାରୁ ୪ ଫରଲଙ୍ଗ ଦୂର । ଭାରତର କଲିକତା ଚିଡ଼ିଆଖାନାକୁ ବାଦଦେଲେ, ବମ୍ବେ, ମାନ୍ଦ୍ରାଜ, ଗୌହାଟୀ ଓ ଲକ୍ଷ୍ନୌ ପ୍ରଭୃତି ବିଶିଷ୍ଟ ଚିଡ଼ିଆଖାନାଠାରୁ ଏହା ଖୁବ୍ ବଡ଼ । ପୃଥିବୀର ବିଭିନ୍ନ ଦେଶର ପଶୁପକ୍ଷୀ ଏଠାରେ ଦେଖାଯାନ୍ତି । ଏହା ପିପୁଲସ୍ ପାର୍କରେ ଅବସ୍ଥିତ । ଭାରତୀୟ ହରିଣ, ଝିଙ୍କ, ଲଙ୍କାର ଉଡ଼ନ୍ତା କୋକିଶିଆଳୀ (ବଡ଼ ବାଦୁଡ଼ି ପରି), ଲାମ, ଲାଲ କଙ୍ଗାରୁ, ୱାଲବିବି, ଧୂସର କଙ୍ଗାରୁ, ଏମୁ, ତିବ୍ଦତୀୟ ଭାଲୁ, ୩୦ ଫୁଟ ଲମ୍ବ ଅଜଗର, ଚିତ୍ରିତ କଇଁଛ, ଘାନାର ୩ ଫୁଟ୍ ଲମ୍ବ ଓ ୧ ଫୁଟ ଓସାରର ବିରାଟ ଏଣ୍ଡୁଅ, ଧଳା ମୟୁର, ଓଟ, ବନ୍ୟମେଷ, ଉତ୍କୃଷ୍ଟ ଘୋଟକ, ସିଂହ, ବାଘ, ଚିତାବାଘ, ହାଜୀ, ବଡ଼ ବୋଡ଼ ସାପ, ମାଙ୍କଡ଼, ସିଂହଳର ବଡ଼ କୋଚିଲାଖାଇ ପକ୍ଷୀ, ପୁମା ସିରିଆଦେଶର ଭାଲୁ, ଧଳା ମାଙ୍କଡ଼, ବଡ଼ ବଡ଼ ଓଧ, ଗୋଟିଏ ଗାତରେ ୨୦ ।୨୫ଟି ଗୋଧିସାପ, ଚିତ୍ରିତ ଗୁଣ୍ଡୁଚିମୂଷା, ଶିପାଞ୍ଜୀ, ଚମରୀଗାଈ ଓ ସମ୍ବର ପ୍ରଭୃତି ଏଠାରେ ଦେଖିବାକୁ ମିଳେ । ବିଶେଷତଃ ଶ୍ୟାମଦେଶର ୧୦ ଫୁଟ ଲମ୍ବ ଗୋଖର ସାପ କଥା ଭୁଲି ହୁଏ ନା । ସେ ପ୍ରାୟ ଚାଖଣ୍ଡେ ଚଉଡ଼ାର ଫଣା କାଢ଼ି ୬ ।୭ ଫୁଟ ଉପରକୁ ଲାଞ୍ଜରେ ଠିଆହୋଇ ଫତ୍କାର କରୁଥାଏ । ତାର ରୁଦ୍ର ରୂପ ଦେଖିଲେ ଯେ କୌଣସି ଲୋକ ଭୀତତ୍ରସ୍ତ ହେବ । ତା’ ଛଡ଼ା ଅନ୍ୟ ପାଖରେ ନୀଳଗାଈ, ଗଣ୍ଡାର ଜେବ୍ରା, ଜଳହସ୍ତୀ ଏବଂ ଓଟପକ୍ଷୀ ପ୍ରଭୃତି ରଖାଯାଇଛନ୍ତି ।

 

ଶ୍ରୀ କନ୍ଦସ୍ୱାମୀଙ୍କ ସାନଭାଇ ଶ୍ରୀ ଥଙ୍ଗପାରାଜାଙ୍କ ସଙ୍ଗରେ ଯାଦୁଘର ଦେଖିଯିବାର ସୁଯୋଗ ମିଳିଲା । ଏହି ବିରାଟ ହଲ୍ ମଧ୍ୟରେ ସିଂହଳର ଅତି ପ୍ରାଚୀନକାଳର ପଦାର୍ଥ ସଂରକ୍ଷିତ । ଏଠାର ପ୍ରାଚୀନ, ସିଂହଳୀୟ ରାଜାମାନଙ୍କର ମୋହର ଥିବା ସୁନା, ଟଙ୍କା, ସୁନାର ଖଣ୍ଡା, ମଣିମୁକ୍ତା, ଖୋଦିତ ତାମ୍ରଫଳକର ସନନ୍ଦ, ପୁରୁଣା ନୋଟ୍, ପାତ୍ର, ବନ୍ଧୁକ, ତୋପ, ଗୋଳାବରୁଦ, ପ୍ରଥମ ମହାସମରରେ ବ୍ୟବହୃତ ହୋଇଥିବା ଜର୍ମାନୀମାନଙ୍କର କେତେକ ଅସ୍ତ୍ରଶସ୍ତ୍ର ପଥରର କାରୁକାର୍ଯ୍ୟ, ସୁନ୍ଦର ମୂର୍ତ୍ତି, ବିଭିନ୍ନ ପ୍ରକାର ଛୁରୀ, ବର୍ଚ୍ଛା, କାଚବାସନ, ଫାନୁସ୍, ଶିଙ୍ଘର ଡବା ଓ ଅନ୍ୟ କେତେପ୍ରକାର ଛୋଟ ପଦାର୍ଥ, ହରିଣଶିଙ୍ଘର ପାନିଆ, କାଠର ଅସୁରମୁଖା, ୧୦ ଫୁଟ ଲମ୍ବ ହରିଣ ଶିଙ୍ଘ, କାଗଜରେ ଅଙ୍କିତ ବୁଦ୍ଧଦେବଙ୍କର ଚିତ୍ର, ବିଭିନ୍ନ ରଂଗର ମୂଲ୍ୟବାନ ପଥର, ପ୍ରାଚୀନ ମଣିମୁକ୍ତାମାଳା, ପ୍ରାଚୀନ ସିଂହଳରାଣୀଙ୍କର ସୁନାଚୁଡ଼ି, ସୁନା ପଦକ, ସୁନାର ପାନବଟା, ୧୧୦ ତୋଳା ଓ ୧୫୦ ତୋଳା ଓଜନର ସିଂହଳୀ ଆଦିବାସି ମହିଳାମାନଙ୍କର ୨ଟି ରୁପାହାର, ଜାଫନା (ଉତ୍ତର ସିଂହଳ)ର ସୁନାକଙ୍କଣ, କାଣ୍ଡୀ ଅଧିବାସୀ ମାନଙ୍କର ଅଳଙ୍କାର, ପିତଳର ବିଷ୍ଣୁମୂର୍ତ୍ତି, ନୃତ୍ୟରତ କୃଷ୍ଣ ଓ ପାର୍ବତୀ ପ୍ରଭୃତି ଏଠାରେ ଦେଖିବାକୁ ମିଳେ । ଅନ୍ୟ ବ୍ଲକରେ ମଲା ମାଛ, ପ୍ରଜାପତି, କୀଟପତଙ୍ଗ, ୫୦ ଫୁଟ ଲମ୍ବ ଚିମିହାଡ଼, ମୃତପକ୍ଷୀ ଓ କଇଁଛ ଆଦି ରଖାଯାଇଛି । ସବୁଠାରୁ ବିସ୍ମୟକର ପଦାର୍ଥ ହେଉଛି ଯାଦୁଘରର ସ୍ୱର୍ଣ୍ଣ ସିଂହାସନ । ଖ୍ରୀ: ୧୬୩୭-୧୬୮୭ ପର୍ଯ୍ୟନ୍ତ ସିଂହଳରେ ରାଜୁତି କରିଥିବା ରାଜା ରାଜସିଂହଙ୍କର ଏହି ସ୍ୱର୍ଣ୍ଣ ସିଂହାସନକୁ ବ୍ରିଟିଶ୍ ସରକାର ଏଠାରେ ରଖାଇଛନ୍ତି । ଏହାର ଓଜନ ୧ ମହଣ ହେବ । ଏଥିରେ ମଣିମୁକ୍ତା ସୁନ୍ଦରଭାବେ ଖଚିତ ।

 

ଏହା ପାଖରେ ସ୍ୱର୍ଣ୍ଣ ରାଜମୁକୁଟ ଓ ସ୍ୱର୍ଣ୍ଣ ରାଜଦଣ୍ଡ । ଏସବୁ ଏକ ମୋଟା କାଚଘରେ ସଂରକ୍ଷିତ । ଏଠାରେ ଜଗୁଆଳୀ ସର୍ବଦା ଥାଏ ।

 

ଯାଦୁଘରର ଦକ୍ଷିଣଦିଗକୁ ସିଂହଳର ପୂର୍ବତନ ଶାସକ ମାନ୍ୟବର ଡବଲିଉ ଗ୍ରେଗରୀଙ୍କର ପ୍ରତିକୃତି ।

 

ସନ୍ଧ୍ୟାସମୟରେ ଶ୍ରୀ ଥଙ୍ଗପାରାଜାଙ୍କ ସହ ଆକାଶବାଣୀ ଭବନରେ ପହଞ୍ଚିଲି । ଭିତରକୁ ଯିବାର ଅନୁମତି ପତ୍ର ମିଳିଲା । ଗୋଟିଏ କକ୍ଷରେ ତାମିଲ ସଙ୍ଗୀତ ପରିବେଷିତ ହେଉଥାଏ । ଏହା ଏକ ବିରାଟ ଅନୁଷ୍ଠାନ । ପୃଥିବୀର ସମସ୍ତ ବେତାରକେନ୍ଦ୍ରକୁ ଏଠାରୁ ସଙ୍ଗୀତ ଆଦି ରିଲେ କରାଯାଏ ।

 

ଭିକ୍‌ଟୋରିଆପାର୍କ:— କଲମ୍ବୋ ନଗରର ସର୍ବଶ୍ରେଷ୍ଠ ଉଦ୍ୟାନ । ଉଦ୍ୟାନ ମଧ୍ୟରେ ଶଙ୍ଖ ମଲମଲ ପଥରର ପୀଠ ଉପରେ ମହାରୀଣୀ ଭିକ୍ଟୋରିଆଙ୍କର ପ୍ରତିକୃତି । ବିଭିନ୍ନ ପ୍ରକାର ଦେଶୀ ଓ ବିଦେଶୀ ପୁଷ୍ପରେ ଉଦ୍ୟାନଟି ଭରପୂର । ଅନ୍ୟପାଖରେ ଘଞ୍ଚତୋଟା । ଏହି ଉଦ୍ୟାନରେ ବିହାରମଲାଦେବୀଙ୍କର ମଲମଲ ମୂର୍ତ୍ତି ମଧ୍ୟ ଅଛି । ସହରର ଏହା ବକ୍ଷସ୍ଥଳରେ ଅବସ୍ଥିତ ଥିବାରୁ ବହୁ ନାଗରିକ ଏଠାକୁ ଆସନ୍ତି ।

 

ଟାଉନ୍‌ହଲ୍‌:—କଲିକତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ନକ୍‌ସାରେ ଏହା ନିର୍ମିତ-। ଏହାର ସାମନାକୁ ଏକ ସୁନ୍ଦର ପୁଷ୍କରିଣୀ । ଏଠାରେ ବଡ଼ ବଡ଼ ସମ୍ମିଳନୀ ଓ ସଭାସମିତି ଅନୁଷ୍ଠିତ ହୁଏ । ଏଥିରେ ବହୁତ କୋଠରୀ । ଏ ସବୁ ବ୍ୟତୀତ, କାଉନସିଲ୍ ଅଫ୍ ଚେମ୍ବର, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଜେନେରାଲ ପୋଷ୍ଟ ଅଫିସ, ବତୀଘର ଓ ମେଡ଼ିକାଲ ପ୍ରଭୃତି ଦେଖି ସାରି ୨।୩ ଦିନ ପରେ କାଣ୍ଡୀ ବାହାରିଲି ।

☆☆☆

 

କାଣ୍ଡୀ

 

ଶ୍ରୀ କନ୍ଦସ୍ୱାମୀଙ୍କ ପ୍ରତିବେଶୀ ଶ୍ରୀ ଆରସରତ୍ନ ମୋର କାଣ୍ଡୀଯିବାର ସୁବ୍ୟବସ୍ଥା କରିଦେଲେ । ମୁଁ କଲମ୍ବୋରେ ରହିଥିବା ସମୟରେ କାଣ୍ଡୀରେ କାମ କରୁଥିବା ତାଙ୍କ ବନ୍ଧୁ ଡକ୍ଟର ଏ.ଭି.ଡ଼ି କ୍ରୁସ୍ ତାଙ୍କ ଘରକୁ ଆସିଥିଲେ । ରତ୍ନ ମହାଶୟ ତାଙ୍କୁ ମୋ ବିଷୟରେ କହିଥାନ୍ତି । ସେତେବେଳେ ଦୁର୍ଯ୍ୟୋଗକୁ ମୁଁ ବାହାରକୁ ବୁଲିଯାଇଥିଲି, ନୋହିଲେ ଡକ୍ଟର କ୍ରୁସଙ୍କ ମୋଟରେର କାଣ୍ଡୀ ଯିବାର ସୁଯୋଗ ମିଳିଥାଆନ୍ତା । ସେଦିନ ସନ୍ଧ୍ୟାରେ ମୁଁ ଶ୍ରୀ କନ୍ଦସ୍ୱାମୀଙ୍କ ଘରକୁ ଫେରିଲ । ଶ୍ରୀ ଆରସରତ୍ନମ୍ ମୋତେ ସେଦିନ ରାତ୍ରିଭୋଜନ ଲାଗି ନିମନ୍ତ୍ରଣ କଲେ । ଭୋଜନାଦି ପରେ ସେ ମୋ ହାତରେ ତାଙ୍କ ବନ୍ଧୁ କାଣ୍ଡୀର ଡକ୍ଟର କ୍ରୁସଙ୍କ ନିକଟକୁ ପତ୍ରଟିଏ ଲେଖିଦେଲେ । ତାଙ୍କର ପୂର୍ଣ୍ଣ ଠିକଣା ସେଥିରେ ଲେଖିଥାନ୍ତି । ପରଦିନ ସକାଳୁ ଶ୍ରୀ କନ୍ଦସ୍ୱାମୀଙ୍କ ସହିତ ତାଙ୍କ ଘର ଡାର୍ଲିରୋଡ଼ରୁ ୨ ।୩ ମାଇଲ ଗଲାପରେ ବସ୍ ଷ୍ଟାଣ୍ଡରେ ପହଞ୍ଚିଲି । ମୋତେ ମୋଟରରେ ବସାଇଦେଇ ଶ୍ରୀ କନ୍ଦସ୍ୱାମୀ ଫେରିଲେ । ମୁଁ ଏକାକୀ କାଣ୍ଡୀ ଚାଲିଲି । ବସ୍‍ଷ୍ଟାଣ୍ଡରୁ ସକାଳ ୮।୩୦ ରେ କାଣ୍ଡୀ ବସ୍ ଛାଡ଼ିଲା । ଏଠାରୁ କାଣ୍ଡୀର ଦୂରତା ୭୨ ମାଇଲ୍ । ବାଟରେ ମହାବଳୀଗଙ୍ଗାନଦୀର ପୋଲ । ୧୧୦୦ ଫୁଟ କାଡ଼ୁଆନା ଗିରିପଥ ଅତିକ୍ରମ କରି ଦିନ ୧୧ଟାରେ କାଣ୍ଡୀରେ ପହଞ୍ଚିଲି । ଡକ୍ଟର କ୍ରୁସଙ୍କ ଠିକଣା ‘୫୨୨ ପେରେଦେନିଆ ରୋଡ଼୍’ ଥାଏ । ଏହିଠାରେ ଓହ୍ଲାଇଦେବା ଲାଗି ପୂର୍ବରୁ ମୁଁ ବସ୍ କଣ୍ଡକ୍ଟରକୁ କହିଥାଏ । ସେ । ସେ କଲିକତାରୁ ଡାକ୍ତରୀ ପାଶ୍ କରି ଥାଆନ୍ତି । ତାଙ୍କର ଭାରତୀୟ ବନ୍ଧୁମାନଙ୍କ ପ୍ରତି ଗଭୀର ସହାନୁଭୂତି ଥାଏ । ବର୍ତ୍ତମାନ ସେ ଚାକିରିରୁ ଅବସର ଗ୍ରହଣ କରିଅଛନ୍ତି । ତାଙ୍କ ସ୍ତ୍ରୀ, ପୁତ୍ର ଓ କନ୍ତା ସମସ୍ତେ ମୋତେ କୁଶଳ ପ୍ରଶ୍ନ କଲେ । ତାଙ୍କ ଗହଣରେ ମୋର କେତୋଟି ଦିନ ନିଜ ପରିବାର ମଧ୍ୟରେ କାଟିଲା ପରି ଲାଗିଲା ।

 

କାଣ୍ଡୀ ସିଂହଳର ଦ୍ୱିତୀୟ ବୃହତ୍ତମନଗରୀ । ଏହାର ଆଧୁନିକ ଅଟ୍ଟାଳିକା ବେଶ୍ ସୁସଜ୍ଜିତ । ନଗରୀର ଏକପାର୍ଶ୍ୱରେ ପାହାଡ଼ ଓ ପ୍ରାକୃତିକ ହ୍ରଦ । ହ୍ରଦଟି ନଗରୀରାଣୀର ନୀଳ ମେଖଳାର ଧାରପରି ଶୋଭା ପାଉଅଛି ।

 

କାଣ୍ଡୀର ଦନ୍ତମନ୍ଦିର ଗମ୍ବୁଜାକୃତି ତ୍ରିତଳ ପ୍ରାସାଦ । ଉପରେ ଅଂଶଗୁଡ଼ିକ କାଠ ତିଆରି । ଏହି ମନ୍ଦିରରେ ସୁନାପେଡ଼ି ମଧ୍ୟରେ ବୁଦ୍ଧଦେବଙ୍କ ଦନ୍ତ ସୁରକ୍ଷିତ । ବୁଦ୍ଧପୂର୍ଣ୍ଣିମା ଦିନ ଏହି ଦନ୍ତପେଟିକା ମନ୍ଦିରର ହାତୀ ଉପରେ ସହରସାରା ବୁଲେ । କାଣ୍ଡୀର ଏହା ପ୍ରଧାନ ଯାତ୍ରା । ମନ୍ଦିରମଧ୍ୟରେ ୨ଟି ଶିଷ୍ଟସହ ବୁଦ୍ଧଦେବଙ୍କର ପିତଳ ମୂର୍ତ୍ତି । ମନ୍ଦିରର ପ୍ରଧାନ ଦରଜା ହସ୍ତୀଦନ୍ତଖଚିତ । ସାମନାକୁ ହ୍ରଦ । ଏହି ହ୍ରଦର ଅପରପାର୍ଶ୍ୱରେ ପାହାଡ଼ । ଏହି ପାହାଡ଼ ଉପରେ ଅସଂଖ୍ୟ ବୌଦ୍ଧମଠ ଓ ଶହ ଶହ ବୌଦ୍ଧଭିକ୍ଷୁ ଓ ଶ୍ରମଣ (ବୌଦ୍ଧ ସନ୍ନ୍ୟାସୀ) ବାସ କରନ୍ତି । ଶ୍ରମଣମାନଙ୍କ ଦୋହାବଳିରେ ସ୍ଥାନଟି ପ୍ରକମ୍ପିତ ହେଉଥାଏ । ମନ୍ଦିରଟି ସିଂହଳର ବୌଦ୍ଧଧର୍ମାବଲମ୍ବୀମାନଙ୍କର ପ୍ରଧାନ ପୁଣ୍ୟପୀଠ ।

 

ଦନ୍ତମନ୍ଦିର ନିକଟକୁ ବିଷ୍ଣୁ ମନ୍ଦିର । ମନ୍ଦିରର ଆକାର କ୍ଷୁଦ୍ର । ପ୍ରାଙ୍ଗଣରେ ସୁନ୍ଦର ପୁଷ୍କରିଣୀ ଓ ଉଦ୍ୟାନ । ବିଷ୍ଣୁଙ୍କର କମନୀୟ ମୂର୍ତ୍ତି ମନ୍ଦିରରେ ସ୍ଥାପିତ । ବିଷ୍ଣୁ ମନ୍ଦିର ପାଖକୁ ନାଥମନ୍ଦିର ।

 

ଦନ୍ତମନ୍ଦିରର ଓ ବିଷ୍ଣୁ ମନ୍ଦିରର ଦର୍ଶନ ପରେ ଯାଦୁଘର ଗଲି । ଏହା ଦନ୍ତମନ୍ଦିରରୁ ମାତ୍ର ୨ ଫରଲଙ୍ଗ । ଏଠାରେ ପଥରର ସିଂହ ଓ ହାତୀମୂର୍ତ୍ତି ହିନ୍ଦୁ ସ୍ଥାପତ୍ୟକଳାର ପରିଚୟ । ଯାଦୁଘରର କୋଠରୀମାନଙ୍କରେ ପ୍ରାଚୀନ ବନ୍ଧୁକ, ଗୋଳାବାରୁଦ, ହାତୀ ଦାନ୍ତତୁରୀ, ପ୍ରାଚୀନକାଳର ପଖଜ ଓ ଝାଞ୍ଜ, ପିତଳନିର୍ମିତ ୫ ଫୁଟ୍ ଉଚ୍ଚର କୁକୁଡ଼ା, ଚିତ୍ରିତ କାଠଫାଟକ, ବିଷ୍ଣୁଙ୍କର କାଷ୍ଠଖୋଦିତ କମନୀୟ ମୂର୍ତ୍ତି,କୋଭିଲାରୁ ପ୍ରାପ୍ତ ରାଜସିଂହଙ୍କ ସୁନା ମୁକୁଟ, ବର୍ଚ୍ଛା . ଛୁରୀ ଓ ଖଡ୍‍ଗ, ପିତଳ ତିଆରି ଚିତ୍ରିତ ସୁନ୍ଦର କଣ୍ଡ, କାଠପାଲିଙ୍କି, କାଠର ଖିଲିଣି, କାଣ୍ଡୀର ପ୍ରାଚୀନ ଅଧିବାସୀ ମାନଙ୍କର ପୋଷାକ ପରିଚ୍ଛଦ ଓ ପିତଳ ଅଳଙ୍କର, ବିଭିନ୍ନ ପ୍ରକାରର ହାର, ମଣିମୁକ୍ତା, ସିଂହଳର ବଟୁଆ, ପ୍ରାଚୀନ ମହିଳାମାନଙ୍କର ପୋଷାକ ଓ ଜରିର ଜାମା ପ୍ରଭୃତି ଦେଖିବାକୁ ପାଇଲି ।

 

ଅନ୍ୟପାଖରେ ଚିତ୍ରିତ ମୃଣ୍ମୟ ପାତ୍ର, ଚିତ୍ର ବହି, ରଙ୍ଗୀନ ଡବା, ପିତଳ ମୂର୍ତ୍ତି, ଢାଲ, ସାଞ୍ଜୁ, ଶିରସ୍ତ୍ରାଣ, ବର୍ଚ୍ଛା, ମଇଁଷି ଚମଡ଼ାର ଢାଲ, କାଠର କମନୀୟ ବୁଦ୍ଧମୂର୍ତ୍ତି, ତାଳପତ୍ର ପୋଥି, ଆଲଟ ଚାମର, ଚୀନାବାସନ, ପୋଥିପଟା, କନାଚିତ୍ରାବଳି ଏବଂ କବାଟ ଓ ଝରକାର ସୁନ୍ଦର ନକ୍‌ସା ପ୍ରଭୃତି ସୁରକ୍ଷିତ । ଯାଦୁଘର ପାଖରେ କଚେରୀ କୋର୍ଟ ପ୍ରଭୃତି ବହୁ ସରକାରୀ କାର୍ଯ୍ୟାଳୟ ଅବସ୍ଥିତ ।

 

ଅପରାହ୍‌ଣରେ ଉଦ୍ଭିଦ ଉଦ୍ୟାନ ଦେଖିବାଲାଗି ବାହାରିଲ । ଡକ୍ଟର କ୍ରୁସଙ୍କ ଘରଠାରୁ ଏହା ୨।୩ ଫରଲଙ୍ଗ ଦୂର । ଏହି ଉଦ୍ୟାନର ଆୟତନ ୨ ବର୍ଗମାଇଲ ଓ ଏଥିମଧ୍ୟରେ ୫୦.୦୦୦ଟି ବିବିଧ ବୃକ୍ଷଲତା ସୁରକ୍ଷିତ । ଜାଭାର ତାଳଗଛ, ଅଷ୍ଟ୍ରେଲିଆ ଏବଂ ସୁମାତ୍ରା । ପ୍ରଭୃତିରୁ ଆନୀତ ନାନାବିଧ ବୃକ୍ଷଲତା, ଇଉକାଲିପ୍‌ଟାସ୍ ମେକ୍ସିକୋ ଦ୍ୱୀପର ଓଡ଼ଶମାରୀ, ଦକ୍ଷିଣ ଆଫ୍ରିକାର କିଆ (୧୦ଫୁଟ ଉଚ୍ଚ), ନିଉଗିନିର ୫୦ଟି ପୁଆ ଥିବା କଦଳୀ ଗଛ, ଜାକୋବାର ୧୦୦ ଫୁଟ ଉଚ୍ଚ କିଆଗଛ, ଜାପାନର ବାଉଁଶ ଗଛ, ଦୁଇଧାଡ଼ିରେ ଲାଗିଥିବା ୧୦୦ ଫୁଟ ଉଚ୍ଚର ତାଳଗଛ, ନଡ଼ିଆ ତୋଟା ଓ ପେରୁରୁ ଆନୀତ ସିନ୍‍କୋନା ଗଛ, (ଏଥିରୁ କୁଇନାଇନ୍ ହୁଏ—ଏହାର ପତ୍ର ଚଉଡ଼ା, ଗଛ ଡେଙ୍ଗ ପ୍ରାୟ ୨୦ ଫୁଟ ଉଚ୍ଚ) ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏହା ଛଡ଼ା ଶହ ଶହ ବିଭିନ୍ନ ବୃକ୍ଷଲତା ଏଠାରେ ଦେଖିବାକୁ ମିଳେ । ଔଷଧଜାତୀୟ ନାନାପ୍ରକାର ଗଛ ମଧ୍ୟ ଏଠାରେ ଦେଖାଯାଏ ।

 

ବିଶ୍ୱବିଦ୍ୟାଳୟ:—ଏହା ସହରର ଏକପାର୍ଶ୍ୱରେ ଅବସ୍ଥିତ । ବୋଟାନିକାଲ ଗାର୍ଡ଼ନ ଦେଖିସାରି ଏଠାକୁ ଆସିଲି । ଲାଲ ଟାଇଲରେ ତିଆରି ସୁନ୍ଦର ଅଟ୍ଟାଳିକା ପାହାଡ଼ର ପାଦଦେଶରେ ଅବସ୍ଥିତ । ଏଥିରେ ୧୦ଟି ଛାତ୍ରବାସ ଗୋଟିଏ ଡିଗ୍ରୀ କଲେଜ । ଏହାର ଛାତ୍ର ସଂଖ୍ୟା୧୫୦୦ । ବିଶ୍ୱବିଦ୍ୟାଳୟରୁ ଫେରି ରାତିଟି ଡକ୍ଟର କ୍ରୁସଙ୍କ ଘରେ ଆରାମରେ କଟାଇ ପରଦିନ ସକାଳେ ନୂଆରାଏଲିଆ ଓ ଅଶୋକବନ ଅଭିମୁଖେ ଯାତ୍ରା କଲି ।

☆☆☆

 

ନୂଆରାଏଲିଆ

 

କାଣ୍ଡୀରୁ ପରଦିନ ସକାଳ ୭ଟାରେ ବାସ୍‍ଯୋଗେ ନୂଆରାଏଲିଆ ଯାତ୍ରା କଲି । କାଣ୍ଡୀରୁ ଏହାର ଦୂରତା ୮୦ ମାଇଲ୍ । ରାସ୍ତାରେ ସରକାରୀ ପଶୁବିଜ୍ଞାନ ଗବେଷଣାଗାର, ଗଙ୍ଗାରାମ ବୌଦ୍ଧ ମନ୍ଦିର, ନିଉୟାଲି ପିଟିଆଠାରେ ସେଣ୍ଟ ଆଣ୍ଡୃଜ୍‌କଲେଜ୍‌, ଶହ ଶହ ଏକର ପରିମିତ ଚା ବଗିଚା, ଅସଂଖ୍ୟ ଗିରିପଥ (Tunuel), ଅଙ୍କାବଙ୍କା ପାର୍ବତ୍ୟରାସ୍ତା ଓ ପ୍ରାୟ ୨୦୦ଟି ସାନବଡ଼ ପାହାଡ଼ ଅତିକ୍ରମ କରିବାକୁ ହେଲା । ତନ୍ମଧ୍ୟରୁ ଗୋଟିଏ ପାହାଡ଼ ଅର୍ଦ୍ଧଚନ୍ଦ୍ର ପରି ବକ୍ର ଓ ବିପଦସଂକୁଳ । ଏହା ୧୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଥିବାରୁ ଜୁନ୍‍ମାସରେ ସୁଦ୍ଧା ଏଠାରେ ଭୀଷଣ ଶୀତ ଅନୁଭବ କଲି । ଏହି ପାହାଡ଼ର ନାମ “ଥାମ୍ବିଲିଗଲା”—ଏହାର ଆଗକୁ ‘ଗିନିଗାଥେନେ’ ଗିରିସଂକଟା । ବାଟରେ ଶହ ଶହ ପାର୍ବତ୍ୟ ଝରଣା । ରବର, ବାଉଁଶ ଓ ଚା’ର ଦିଗନ୍ତପ୍ରସାରୀ ବନ ଉପବନ । କୋଟଗଲାଠାରେ “ପାରାଭାଡ଼ି” । ଏଠାରେ ୫୦ ଫୁଟ ଉଚ୍ଚରୁ ପତିତ “ପାଟନ” ଜଳପ୍ରପାତ । ପାହାଡ଼ ଉପରେ ଡାକବଙ୍ଗଳା । ଦିନ ୧୦ଟାରେ ମୋଟର ଏଠାରେ ପହଞ୍ଚିଲା । ନୂଆରାଏଲିଆ ସହରଟି ବେଶ୍ ପରିଷ୍କୃତ ପରିଚ୍ଛନ୍ନ । ଗୋଟିଏ ପାଖରେ ସୁନ୍ଦର ହ୍ରଦଟିଏ । ଏଠାରେ ପୁଷ୍ପୋଦ୍ୟାନ ସିଂହଳ ବିଖ୍ୟାତ । ବିଶେଷତଃ ଉଦ୍ୟାନସ୍ଥ ପଦ୍ମପୋଖରୀର ଶୋଭା ବର୍ଣ୍ଣନାତୀତ । ଉଦ୍ୟାନର ଅପରପାର୍ଶ୍ୱରେ ପାହାଡ଼ । ସକାଳବେଳା ସହରଟି ଦେଖିସାରି ଏଠାରୁ ୬ ମାଇଲ ଦୂରରେ ଅବସ୍ଥିତ ଅଶୋକବନ ଗଲି ।

 

ନୂଆରାଏଲିଆରୁ ଅଶୋକବନ ବସ୍ ଯୋଗେ ପ୍ରାୟ ଅଧ ଘଣ୍ଟାର ବାଟ । ଏହି ଉଦ୍ୟାନର ଶୋଭା ଚମତ୍କାର । ଉଦ୍ୟାନ ନିକଟରେ ରାମ ସୀତାଙ୍କର ମନ୍ଦିର । ଏକ ପାହାଡ଼ର ପାଦଦେଶରେ ଉଦ୍ୟାନଟି ଅବସ୍ଥିତ । ଏହି ପାହାଡ଼ରେ ସୀତାଦେବୀ ବନ୍ଦିନୀ ଥିଲେ ବୋଲି ଏହାର ନାମ “ସୀତାତଲବା” । ଏହାର କ୍ଷେତ୍ରଫଳ ୫୫ ଏକର । ଏହାର ଅନ୍ୟତମ ରାବଣ-ଉଦ୍ୟାନ । ପାହାଡ଼ର ଉଚ୍ଚତା ୫୫୮୧ ଫୁଟ । ପାହାଡ଼ରୁ ଝରଣାଟିଏ କଳନାଦରେ ପ୍ରବାହମାନ । ଏହି ଝରଣାର ନାମ “ସୀତା ଏଲିଆ” । ବହୁବିଧ ବୃକ୍ଷଲତାପୂର୍ଣ୍ଣ ଓ ପୁଷ୍ପବାଟିକାମଣ୍ଡିତ ଏହି ଉଦ୍ୟାନ ଦର୍ଶକକୁ ରାମାୟଣର ସେହି ବନ୍ଦିନୀ ସୀତାଙ୍କର କରୁଣ ବିଳାପମନେ ପକାଇଦିଏ । ଏଠାରେ କର୍ପୂରଗଛ, ପାଇନ୍ ଗଛ ଓ ଅନ୍ୟାନ ଦୁର୍ଲଭବୃକ୍ଷ ରୋପିତ । ‘ସୀତାତଲୱା’ ବା ସୀତାପ୍ରାନ୍ତର (ପାହାଡ଼ର ଶୀର୍ଷତମ ସ୍ଥାନର ସମତଳ କ୍ଷେତ୍ର) ର ଉଚ୍ଚତା ୭୦୬୦ ଫୁଟ । ଏଠାରେ ବାର୍ଷିକ ବୃଷ୍ଟିପାତର ପରିମାଣ ୯୪.୮୦ ଇଞ୍ଚ । ପାହାଡ଼ରୁ ପାଣି ଝରି ଯେଉଁ ପଥରକୁଣ୍ଡରେ ପଡ଼େ, ତାର ନାମ ସୀତାକୁଣ୍ଡ । ଅଶୋକବନରୁ ଫେରୁ ଫେରୁ ସନ୍ଧ୍ୟା ହେଲା । ନୂଆରାଏଲିଆରୁ ଏହି ବାଟ ଦେଇ ଅନ୍ୟ ସ୍ଥାନକୁ ବସ୍ ଯାତାୟତ କରେ । ମୁଁ ଏହିଠାରେ ବସ୍‍ରୁ ଓହ୍ଲାଇ କିଛିଦୂର ଆସି ଉଦ୍ୟାନକୁ ଯାଇଥିଲି । ନୂଆରାଏଲିଆକୁ ମୋତେ ଫେରିବାକୁ ହେବ । ସେତେବେଳକୁ ଏହି ବାଟ ଦେଇ ନୂଆରାଏଲିଆକୁ ଯାଉଥିବା ସମସ୍ତ ବସ୍ ଚାଲି ଗଲାଣି । ପାର୍ବତୀୟ ସ୍ଥାନ । ଆଖପାଖରେ ଗାଁ ଗଣ୍ଡା କିଛି ନାହିଁ । କେବଳ ପାହାଡ଼ । ଭୟରେ ଛାତି ଥରିଲାଣି । ଶେଷ ବସ୍ (ଦିନ ୫ଟା) ଯାଇ ସାରିଲାଣି । ରାତିଟି କିପରି ଏଠାରେ କଟାଇବି, ଭାବି ଭାବି ମୁଣ୍ଡ ଖରାପ । ଅଶୋକବନର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ସମୟଜ୍ଞାନ ହରାଇ ବସିଥିଲି । ମନରେ ବହୁତ ଚିନ୍ତା ଖେଳିଗଲା ଏଠାରେ ଚୋରଖଣ୍ଟଙ୍କ ହାବୁଡ଼ରେ ପଡ଼ିଲେ ପ୍ରାଣ ନାଶ । ଏତିକିବେଳେ ହଠାତ୍ ନୂଆରାଏଲିଆକୁ ଯାଉଥିବା ଘରୋଇ ମୋଟରଟି ଗଲାବେଳେ ମୁଁ ହାତଦେଖାଇ ଅଟକାଇଲି । ମୋଟରରେ କେବଳ ଚାଳକ ଥାଏ । ସେ ମୋର କଥା କିଛି ବୁଝୁନଥାଏ । ମୁଁ ତାକୁ ନୂଆରାଏଲିଆ ଯିବି ବୋଲି ଇଂରେଜୀରେ କହିଲି । ସେ ସାମାନ୍ୟ କଣ ବୁଝି ମୋତେ କାରରେ ବସାଇ ନୂଆରାଏଲିଆ ଛାଡ଼ିଦେଲା । ନୂଆରାଏଲିଆରେ ପହଞ୍ଚି ମୁଁ ତାକୁ ଖୁସିରେ ବକ୍‌ସିସ୍ ଯାଚିଲି କିନ୍ତୁ ସେ ମୋତେ ବିଦେଶାଗତ ଭ୍ରମଣକାରୀ ବୋଲି ଇଂରେଜୀରେ କହି ମୋଠାରୁ ଟଙ୍କା ନ ନେଇ ନମସ୍କାର କରି ଚାଲିଗଲା । ତାର ନାମ ପଚାରିବାରୁ ସେ ‘କିଛି ଦରକାର ନାହିଁ’ ବୋଲି କହି ନମସ୍କାର କଲା । ମୁଁ ତା ପାଖରେ ପ୍ରକୃତରେ ଋଣୀ ।

 

ନୂଆରାଏଲିଆ ସହରରୁ ଟାଉନ୍ ବସ୍ ଯୋଗେ ୫ ମାଇଲ୍ ଗଲାପରେ ନୂଆରାଏଲିଆ ରେଳଷ୍ଟେସନ୍ । ସେଠାରୁ କଲମ୍ବୋ ୧୩୬ ମାଇଲ । ଟିକେଟ୍‌ଟିଏ ଆଣି ସନ୍ଧ୍ୟାରେ ଗାଡ଼ି ଚଢ଼ି ପରଦିନ ସକାଳେ କଲମ୍ବୋରେ ପହଞ୍ଚିଲି । କଲମ୍ବୋ ଷ୍ଟେସନରୁ ସିଟି ବସ୍ ଯୋଗେ ମର୍ଦ୍ଦାନା ଆସି ଡାର୍ଲିରୋଡ଼୍ ସ୍ଥିତ ଶ୍ରୀ କନ୍ଦସ୍ୱାମୀଙ୍କ ବାସଭବନରେ ପହଞ୍ଚିଲି ।

☆☆☆

 

ରତ୍ନପୁର

 

କଲମ୍ବୋରୁ ବସ୍ ଯୋଗେ ରତ୍ନପୁର ଯାତ୍ର କଲି । ଏହା କଲମ୍ବୋରୁ ୫୬ ମାଇଲ ଦୂର । ସେପରି କିଛି ବିଶେଷ ଦର୍ଶନୀୟ ପଦାର୍ଥ ଏଠାରେ ନାହିଁ । ଏଠାରେ ବୁଦ୍ଧମନ୍ଦିର, ଶିବମନ୍ଦିର ଓ ଫର୍ଗୁସମ ହାଇସ୍କୁଲ ପ୍ରଭୃତି ଦେଖି ଉପରବେଳା କଲମ୍ବୋ ଫେରିଆସିଲି । ସହରଟି କ୍ଷୁଦ୍ର ହେଲେ ହେଁ ଜନାକୀର୍ଣ୍ଣ ଓ ପରିଷ୍କୃତ ପରିଚ୍ଛନ୍ନ । ଏଠାରୁ ଦୂର ଗଲେ ବିଭୀଷଣ ପାହାଡ଼ ।

☆☆☆

 

ଅନୁରାଧାପୁର

 

କଲମ୍ବୋ, କାଣ୍ଡୀ, ନୂଆରାଏଲିଆ, ଅଶୋକବନ ଓ ରତ୍ନପୁର ପ୍ରଭୃତି ବୁଲି ଅନୁରାଧାପୁର ବାଟ ଦେଇ ଫେରିଲି । କଲମ୍ବୋରୁ ଏହା ୧୨୭ ମାଇଲ । ରାତି ୯ଟାରେ ଗାଡ଼ିରେ ବସି ପରଦିନ ସକାଳେ ଅନୁରାଧାପୁର ଷ୍ଟେସନରେ ପହଅଞ୍ଚିଲି । କଲମ୍ବୋର ବନ୍ଧୁ ଶ୍ରୀ କନ୍ଦସ୍ୱାମୀ ଅନୁରାଧାପୁରର ଜିଲ୍ଲା ଟେଲିଫୋନ ଅଫିସ୍‌ର କର୍ମଚାରୀ ଶ୍ରୀ ଆର୍. ପୁପ୍‍ପଲ୍ ସିଂହଙ୍କ ପାଖକୁ ମୋ ବିଷୟରେ ପତ୍ର ଦେଇଥିଲେ । ଦିନ ୧୦ଟାରେ ଅଫିସ୍ ଖୋଲିଲା । ଶ୍ରୀ ଆର୍. ପୁପ୍‌ପଲ୍ ସିଂହଙ୍କୁ ପତ୍ରଟି ଦେଲି । ସେ ପତ୍ରଟି ପାଠକରି ମୋ ପାଇଁ ଟାକ୍‌ସିଟିଏ ଯୋଗାଡ଼ କରିଦେଲେ । ଟାକ୍‌ସି ଭଡ଼ା ଟ୮.୦୦ ଛିଡ଼ିଲା । ଜିନିଷପତ୍ର ତାଙ୍କ ଅଫିସରେ ରଖି ସହର ବୁଲି ବାହାରିଲି । ଅନୁରାଧାପୁରଟି ଏକ କ୍ଷୁଦ୍ର ସହର । ସହରଟି ଏବେ କେତେକାଂଶରେ ଉନ୍ନତ ହୋଇଛି । ଏବେ ସୁଦ୍ଧା ସହରର ଉପକଣ୍ଠରେ ବଣବୁଦା ଦେଖାଯାଏ । ସିଂହଳର ଏହା ପ୍ରାଚୀନତମ ଐତିହାସିକ ନଗର ।

 

ପ୍ରାଚୀନ ଇତିହାସ :—ଷଷ୍ଠ ଶତୀବ୍ଦୀରେ ଅନୁରାଧା ନାମକ ପ୍ରଖ୍ୟାତ ମନ୍ତ୍ରୀଙ୍କ ନାମାନୁସାରେ ଏହାର ନାମ ଅନୁରାଧାପୁର ହେଲା । ଅଶୋକ ସିଂହଳରେ ବୌଦ୍ଧଧର୍ମ ପ୍ରଚାର ଲାଗି ତାଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଘଂମିତ୍ରାଙ୍କୁ ପଠାଇଥିଲେ । ଏଠାର ମିହିନ୍ତାଳ ପାହାଡ଼ ଉପରେ ଯୁବରାଜ ମହେନ୍ଦ୍ରଙ୍କ କଣ୍ଠରୁ ସାଧାରଣ ସଭାରେ ‘ବୁଦ୍ଧଂ ଶରଣଂ ଗଚ୍ଛାମି-ସଙ୍ଘ ଶରଣଂ ଗଚ୍ଛାମି-ସତ୍ୟଂ ଶରଣଂ ଗଚ୍ଛାମି’ର ଧ୍ୱନି ପ୍ରଥମ ଥର ପାଇଁ ସିଂହଳର ଗଗନ ପବନକୁ ମୁଖରିତ କରିଥିଲା । ତାଙ୍କ ଓଜସ୍ୱିନୀ ବକ୍ତୃତା ଓ ପ୍ରକାଶଭଙ୍ଗୀରେ ଆତ୍ମବିସ୍ମୃତ ହୋଇ ଏଠାରେ ଶହ ଶହ ଲୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । (ଖ୍ରୀ.ପୂ.୩୦୭-୨୬୭) ସେତେବେଳକୁ ଏଠାର ରାଜା ଥିଲେ ଦେବାନାଂ ପ୍ରିୟ ତିସ୍‌ସା । ସେ ଏଠାରେ ବହୁ ମଠ, ମନ୍ଦିର, ସ୍ନାନାଗାର, ଉଦ୍ୟାନ, ପଶୁଶାଳା, ହସ୍‌ପିଟାଲ୍, କୂପ ଓ ପୁଷ୍କରିଣୀ ଆଦି କରାଇଥିଲେ ।

 

ଚୀନର ପ୍ରସିଦ୍ଧ ପରିବ୍ରାଜକ ହୁଏନ୍‌ସାଂ ରାଜା ମହାନାମ (ଖ୍ରୀ:୪୬୮-୪୯୦)ଙ୍କ ରାଜୁତିକାଳରେ ଏଠାକୁ ଆସିଥିଲେ । ଭାରତର ପ୍ରସିଦ୍ଧ ବୌଦ୍ଧ ପଣ୍ଡିତ ବୁଦ୍ଧଘୋଷ ମଧ୍ୟ ଏହି ସମୟରେ ଅନୁରାଧାପୁରକୁ ଆସିଥିଲେ । ସିଂହଳର ଶେଷସ୍ୱାଧୀନ ସମ୍ରାଟ୍ ଶ୍ରୀ ବିକ୍ରମ ରାଜା ସିଂହ-। ଖ୍ରୀ: ୧୭୯୮ ରୁ ଖ୍ରୀ: ୧୮୧୫ ପର୍ଯ୍ୟନ୍ତ ସେ ଏଠାରେ ରାଜୁତି କରିଥିଲେ । ବୁଦ୍ଧଗୟାରୁ ଆନୀତ ପବିତ୍ର ବଟବୃକ୍ଷଶାଖା ଏଠାରେ ଯୁବରାଜ ମହେନ୍ଦ୍ରଙ୍କଦ୍ୱାରା ରୋପିତ ହୋଇଥିଲା-। ରାଜାସିଂହ ଏହି ବଟବୃକ୍ଷ ଚାରିପାଖରେ ପ୍ରାଚୀର ତିଆରି କରାଇ ଥିଲେ । ଏହି ସ୍ଥାନର ନାମ ଥିଲା ‘ମହାମେଘ ବନ ।’ ପ୍ରତ୍ୟହ ସିଂହଳର ବିଭିନ୍ନ ପ୍ରାନ୍ତରୁ ଶହ ଶହ ବୌଦ୍ଧଧର୍ମାବଲମ୍ବୀ ଏଠାକୁ ଆସନ୍ତି-। ଏଠାରେ ବୁଦ୍ଧଙ୍କର ଦୁଇଟି ବିରାଟ ମୂର୍ତ୍ତି । ଦର୍ଶକମାନେ ବୁଦ୍ଧଦେବଙ୍କ ଚରଣରେ ପଦ୍ମଫୁଲ ଅର୍ପଣ କରନ୍ତି । ଚାରିପାଖରେ ଟଗର ଏବଂ ଅଶ୍ୱତ୍‌ଥବନ ଘେରି ରହିଛି । ସ୍ଥାନଟି ସ୍ୱାସ୍ଥ୍ୟକର ।

 

ଅଭୟଗିରି ଚୈତ୍ୟ:—ରାଜା ବାଳଗମ୍ନା ଏହାର ନିର୍ମାତା । ଏହା ଏକ ରମଣୀୟ ସ୍ଥାନ-। ଏଠାରେ ଦୁଇଟି ପ୍ରାଚୀନ ପୁଷ୍କରିଣୀ । ୧୬ ଫୁଟ ଉଚ୍ଚ ବୁଦ୍ଧଦେବଙ୍କର ବିରାଟ ପ୍ରସ୍ତର ମୂର୍ତ୍ତି ସୁପ୍ତ ଅବସ୍ଥାରେ ଏଠାରେ ସୁରକ୍ଷିତ । ଚାରିଆଡ଼େ ପଦ୍ମ ଫୁଲ । ବୁଦ୍ଧଙ୍କର ଅନ୍ୟ ଏକ ଧ୍ୟାନମଗ୍ନ ମୂର୍ତ୍ତି ଦୃଷ୍ଟ ହୁଏ । ମନ୍ଦିରର ଉଚ୍ଚକୋଟୀର ସାଜସଜା ଦର୍ଶନୀୟ । ଏହି ଚୈତ୍ୟର ଆୟତନ ୩୫୦ ଏକର-। ଏହା ପାହାଡ଼ିଆ ସ୍ଥାନରେ ଅବସ୍ଥିତ । ଏହାର ଉପରକୁ ଯିବା କଷ୍ଟସାଧ୍ୟ । ଟାକ୍‌ସିଚାଳକ ମୋତେ ସାଙ୍ଗରେ ନେଇ ମନ୍ଦିର ବୁଲାଇ ଆଣିଲା । ଏହାର ଅନ୍ୟ ପାଖରେ ୧୦୦ଟି ସ୍ତମ୍ଭ ।

 

ବୁଦ୍ଧ ଫଟୋ ଓ ବୁଦ୍ଧସମ୍ବନ୍ଧୀୟ ବହୁ ଉପାଦେୟ ମୂଲ୍ୟବାନ୍‍ ପୁସ୍ତକ ଏଠାରେ ବିକ୍ରୟ ପାଇଁ ଗଚ୍ଛିତ ଥାଏ, କିନ୍ତୁ ବିକ୍ରି କଲାବାଲା କେହି ନ ଥାନ୍ତି । ଦର୍ଶକମାନେ ପ୍ରତ୍ୟେକ ବହି ବା ଫଟୋର ମୂଲ୍ୟ ରଖି ନେଇଯାଆନ୍ତି । ଆଉ ଟିକିଏ ଆଗକୁ ଗଲେ ପ୍ରାଚୀନ ପ୍ରାସାଦର ଭଗ୍ନାବଶେଷ, ଚାରିଆଡ଼େ ଘଞ୍ଚବନ ଓ ପ୍ରାଚୀନକାଳର ବହୁ ଭଗ୍ନମୂର୍ତ୍ତି ଦେଖାଯାଏ । ପ୍ରାଚୀନ ରଜାଙ୍କର ସ୍ନାନାଗାର ଏବଂ ମଣ୍ଡପ ଆଦି ଏବେ ସୁଦ୍ଧା ଅକ୍ଷୁର୍ଣ୍ଣ ଅଛି । ଏଠାର ପଦ୍ମ ପୁଷ୍କରିଣୀ ଦୃଶ୍ୟ ବେଶ ଲୋଭନୀୟ ।

 

ରୂୟାନଭାଲିସାୟା ସ୍ତୂପ:—ଅନୁରାଧାପୁରର ଏହା ଅନ୍ୟ ଏକ ବିରାଟ ସ୍ତୁପ । ଦୂତଗାମିନୀ ଏହାର ନିର୍ମାତା । ଭୂମି ଉପରୁ ଏହାର ଶୀର୍ଷଦେଶର ଉଚ୍ଚତା ୩୦୦ ଫୁଟ । ଏକ ଘଞ୍ଚଜଙ୍ଗଲକୁ କଟାଯାଇ ଏହି ସ୍ତୂପଟି ନିର୍ମାଣ କରାଯାଇଛି । ଦ୍ୱାର ଦେଶରୋ ଯୋଡ଼ହସ୍ତରେ ପ୍ରଣତି କରୁଥିବା ଦୂତଗାମିନୀ ମୂର୍ତ୍ତି । ଏହି ମନ୍ଦିରର ବୁଦ୍ଧମୂର୍ତ୍ତି ଭଗ୍ନ ଅବସ୍ଥାରେ ରହିଛି । ଆଲୋକ ମାଳାରେ ଏହାର ନୈଶଶୋଭା ଚିତ୍ତାକର୍ଷକ ହୋଇଉଠେ । ଏହାର କ୍ଷେତ୍ରଫଳ ୫୦ ଏକର । ଫାଟକ ପାଖରୁ ଆରମ୍ଭ କରି ଚାରିପାଖ ଯାକ ୩୩୨ଟି ପଥର ହାତୀର ମୂର୍ତ୍ତି ଦଣ୍ଡାୟମାନ । ପୂର୍ବଦିଗରେ ଏହାର ମୁଖ୍ୟ ଦ୍ୱାର ।

 

ଫେରିଲାବେଳେ ବାଟରେ ବହୁ ବୁଦ୍ଧ ମନ୍ଦିର ଦର୍ଶନ କଲି । ଏସବୁ ଛଡ଼ା ଅନୁରାଧାପୁରର ପ୍ରାଚୀନ କୂପ, ପ୍ରାସାଦ, ଭଗ୍ନସ୍ତମ୍ଭ ଓ ସ୍ତୂପ, ରୋମାନ୍ କାଥଲିକ ଚର୍ଚ୍ଚ ଏବଂ ପ୍ରାଚୀନ ରାଣୀହଂସପୁର ପ୍ରଭୃତି ଦେଖିବାର ସୁଯୋଗ ମିଳିଲା । ଫେରୁ ଫେରୁ ସନ୍ଧ୍ୟା । ଶ୍ରୀ ଗୁପ୍‌ପଲ ସିଂହମ୍ ଅଫିସରୁ ଚାଲି ଯାଇଥାନ୍ତି । ତାଙ୍କ ଅଫିସ୍ ଦରବାନ୍‌ଠାରୁ ମୋର ଜିନିଷପତ୍ର ଆଣିଲି । ତାଙ୍କ ବସା ଅଫିସଠାରୁ ବହୁ ଦୂର । ଉକ୍ତ ଅଫିସର ଇନ୍‌ସପେକ୍ଟର ଶ୍ରୀ କେ. ଚିଦାମ୍ବରମ୍ ମୋତେ ତାଙ୍କ ବସାକୁ ନେଇଗଲେ । ସେଠାରେ ରାତ୍ରିଭୋଜନ ସାରି ରାତି ୧୨ଟାରେ ଷ୍ଟେସନକୁ ଚାଲି ଆସିଲି । ରାତି ୨ଟାରେ ଅନୁରାଧାପୁରରୁ ଗାଡ଼ି ଚଢ଼ି ପରଦିନ ସକାଳେ ଟାଲିମାନାରରେ ପହଞ୍ଚିଲି । ଅନୁରାଧାପୁରରୁ ଟାଲିମାନାରର ଦୂରତା ୯୬ ମାଇଲ୍ । ସିଂହଳରେ ବୌଦ୍ଧସନ୍ନ୍ୟାସୀମାନଙ୍କୁ ଏତେ ଭକ୍ତି କରନ୍ତି ଯେ, ରେଳଷ୍ଟେସନରେ ବୌଦ୍ଧ “ପୁରୋହିତଙ୍କ ପାଇଁ” ସ୍ୱତନ୍ତ୍ର ବିଶ୍ରାମାଗାର ଥାଏ । ଟାଲିମାନାରରୁ ଜାହାଜ ଯୋଗେ ଧନୁଷ୍କୋଟୀ ଫେରିଲି । ୨୧ ମାଇଲ ଜାହାଜ ଯାତ୍ରାପରେ ପୁଣି ଧନୁଷ୍କୋଟୀରେ ଭାରତଭୂମି ସ୍ପର୍ଶ କଲି ।

☆☆☆

 

ଧନୁଷ୍କୋଟୀ

 

ଏହା ଦକ୍ଷିଣଭାରତ ଶେଷସୀମା । ଏଠାରୁ ପ୍ରତ୍ୟହ ଜାହାଜ ଲଙ୍କାକୁ ଯାଏ ଓ ଲଙ୍କାରୁ ଏଠାକୁ ଆସେ । ଲଙ୍କାର ମୁଦ୍ରା ବିନିମୟ ନିମିତ୍ତ ଏଠାରେ ବ୍ୟାଙ୍କ ଅଛି । ଏଠାରେ ଥାଇ ସମୁଦ୍ରବକ୍ଷକୁ ଚାହିଁଲେ ଜଣାଯାଏ, ଉତ୍ତାଳତରଙ୍ଗାୟିତ ଦିଗନ୍ତବିସ୍ତାରୀ ଭାରତ ମହାସାଗର କରାଳ ଗର୍ଜ୍ଜନ-ଛଳରେ ସତେ ଯେପରି କ୍ଷୁଦ୍ର ମାନବର ଅହମିକା, ବ୍ୟକ୍ତିତ୍ୱ ଓ ଗର୍ବକୁ ଅଟ୍ଟହାସ କରୁଛି । ସେତୁବନ୍ଧ ରହିଲେ ରାକ୍ଷସମାନେ ଭାରତଭୂମିକୁ ମାଡ଼ି ଆସିବେ ବୋଲି ରାମଚନ୍ଦ୍ର ଲଙ୍କାରୁ ଫେରିଲାବେଳେ ଧନୁହୁଳରେ ସେତୁବନ୍ଧକୁ ନଷ୍ଟ କରିଥିଲେ । ଏଠାରେ ସ୍ନାନକରି ହିନ୍ଦୁମାନେ ନିଜକୁ ପବିତ୍ର ମନେ କରନ୍ତି ।

 

ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ଏଠାରେ ଲକ୍ଷ ଲକ୍ଷ ହିନ୍ଦୁ ସ୍ନାନ କରନ୍ତି । ଉକ୍ତଦିନ ଏଠାରେ ସ୍ନାନ ତର୍ପଣ କଲେ ପିତୃ ଋଣ ଓ ଦେବଋଣରୁ ମୁକ୍ତ ହୁଅନ୍ତି ବୋଲି ହିନ୍ଦୁମାନଙ୍କର ବିଶ୍ୱାସ । କଥିତ ଅଛି ରାଜା ଧର୍ମ ଗୁପ୍ତ ବିଶ୍ୱାସଘାତକତା କରି ପାଗଳ ହୋଇ ଏଣେ ତେଣେ ବୁଲୁଥିବାବେଳେ ଦୈବାତ୍ ଏହି ତୀର୍ଥଜଳ ତାଙ୍କ ଦେହରେ ପଡ଼ିଲାମାତ୍ରେ ପ୍ରକୃତିସ୍ଥ ହୋଇଥିଲେ । ଏଠାରୁ ମୁଁ ଲଙ୍କା ଯାଇଥିଲି ଜାହାଜରେ । ଜାହାଜ ଓ ପାଲଟଣା ବଡ଼ ବଡ଼ ଡଙ୍ଗାରେ ସ୍ଥାନଟି ପୂର୍ଣ୍ଣ । ମାଛମାରିବାକୁ ଶହ ଶହ ପଟୁଆ ଏଠାରେ ଥାଏ । ରାମନାଦଠାରୁ ଏଠାକୁ ଆସିଲାବେଳେ ବାଟରେ ଟ୍ରେନ୍‌ ପାମ୍ବନ ବ୍ରିଜ୍ ଦେଇ ଆସେ । ଏହି ପୋଲ ସମୁଦ୍ରର ଅଗଭୀର ସ୍ଥାନରେ ପ୍ରାୟ ୧୬ ମାଇଲ ଲମ୍ବ ।

 

ସେତୁର ମହତ୍ତ୍ୱ:-ଆଦିକବି ମହର୍ଷି ବାଲ୍ମିକି ରାମାୟଣରେ ସେତୁର ବର୍ଣ୍ଣନା କରିଛନ୍ତି–

 

“ଏତତ୍ତୁ ଦୃଶ୍ୟତେ ତୀର୍ଥଂ ସାଗରସ୍ୟ ମହାତ୍ମନଃ ।

ସେତୁବନ୍ଧମିତି ଖ୍ୟାତଂ ତ୍ରୈଲୋକ୍ୟେନାପି ପୂଜିତମ୍ ।।”

 

ଭାରତ ମହାସାଗର ଓ ବଙ୍ଗୋପସାଗର ସଙ୍ଗମ ସ୍ଥାନଟି ଅତୀବ ରମଣୀଚା । ଏହାର ଜଳ ଅତୀବ ପବିତ୍ର । ଏହି ଜଳର ପବିତ୍ରତା ସମ୍ବନ୍ଧରେ ବେଦରେ ଲେଖାଅଛି—

 

“ଉଷତୀରିବ ମାତରଃ । ଯାସାଂ ଦେବାଃ ଦିବି କୃଣ୍ୱନ୍ତି ଭକ୍ଷ୍ୟମ୍ ।

ଯା ଅନ୍ତରୀକ୍ଷେ ବହୁଧା ଭବନ୍ତି । ଆପୋ ବା ଇଦଂ ସର୍ବମ୍ ।।”

 

“ଅର୍ଥାତ୍—ନଦୀମାନ ପବିତ୍ର ଜଳକଣା ପରିପୁଷ୍ଟ, ଯେଉଁ ନଦୀମାନଙ୍କର ଜଳକଣାକୁ ସ୍ୱର୍ଗରେ ଦେବତାମାନେ ପାନୀୟ ରୂପେ ଗ୍ରହଣ କରନ୍ତି, ଯେଉଁଗୁଡ଼ିକ ଆକାଶରେ ବହୁରୂପରେ ପ୍ରକାଶିତ—ଏହି ସମସ୍ତ ଜଗତ ସେହି ଜଳମୟ ବୋଲି ପ୍ରମାଣିତ ।” ହିନ୍ଦୁଧର୍ମଶାସ୍ତ୍ରରେ ଲିଖିତ ଯେ, ଗଙ୍ଗାକୂଳରେ ତପସ୍ୟା, ନର୍ମଦା ନଦୀରେ ସ୍ନାନ ଓ ସରସ୍ୱତୀନଦୀରେ ଶରୀର ତ୍ୟାଗ କଲେ ଯେଉଁଫଳ ମିଳେ, କେବଳ ଧନୁଷ୍କୋଟୀରେ ସ୍ନାନକଲେ ଏହି ତିନିଗୋଟି ତୀର୍ଥର ପୁଣ୍ୟଫଳ ମିଳେ-

☆☆☆

 

ରାମେଶ୍ୱର

 

ମୋର ଲଙ୍କାଯାତ୍ରା ସମୟରେ ମଦୁରା ଷ୍ଟେସନ୍‌ରେ ଜନୈକ ଭଦ୍ରବ୍ୟକ୍ତି ଗାଡ଼ିରେ ଉଠିଲେ । ଗାଡ଼ିରେ ଲୋକ ଭିଡ଼ ଖୁବ୍ ବେଶୀ । ଭଦ୍ରଲୋକ ଗାଡ଼ିରେ ଅଗତ୍ୟା ଠିଆ ହେଲେ । ମୁଁ ତାଙ୍କୁ ଡାକି ମୋର ସ୍ଥାନରୁ ଟିକିଏ ଦେଇ ବସାଇଲି । ଦୁହେଁ ଖୁସିଗପ କରି ବେଶ୍ ଆନନ୍ଦରେ ସମୟ କଟାଇଲୁ । ରାମେଶ୍ୱର ଯିବି ବୋଲି ସେ ରାମନାଦ ଷ୍ଟେସନ୍‍ରେ ଓହ୍ଲାଇଗଲେ । ସେ ହେଉଛନ୍ତି ମଦୁରାର ଫିସରୀ ଇନ୍‌ସପେକ୍ଟର ଶ୍ରୀ ଏମ୍. ଜି. ନାୟଗମ୍ । ତାଙ୍କ ଭାଇ ଶ୍ରୀ ଡି. ସୁବ୍ରହ୍ମଣ୍ୟମ୍ ରାମେଶ୍ୱର ପଶ୍ଚିମ ଦରଜାପାଖରେ ନଡ଼ିଆ ବ୍ୟବସାୟ କରନ୍ତି । ମୋର ଠିକଣା ସେ ଲେଖିରଖି ମୋତେ ତାଙ୍କ ମଦୁରାର ଠିକଣା ଓ ତାଙ୍କ ଭାଇଙ୍କର ରାମେଶ୍ୱର ଠିକଣା ଦେଲେ ଏବଂ ଲଙ୍କାରୁ ପ୍ରତ୍ୟାବର୍ତ୍ତନ ସମୟରେ ରାମେଶ୍ୱର ଓ ମଦୁରାକୁ ଫେରିବାରେ ବିଳମ୍ବ ହେବାରୁ ସେ ତାଙ୍କ ଶ୍ରୀ.ଡି. ସୁବ୍ରହ୍ମଣ୍ୟଙ୍କୁ ମୋ ବିଷୟ କହି ମଦୁରା ଯାଇସାରିଥିଲେ । ତାଙ୍କର ଭାଇ ଶ୍ରୀ ସୁବ୍ରହ୍ମଣ୍ୟମ୍ ପ୍ରତିଦିନ ସବୁ ଗାଡ଼ିକୁ ଲୋକ ପଠାଇ ମୋର ଆସିବା କଥା ବୁଝୁଥାନ୍ତି । ରାମେଶ୍ୱର ରେଳଷ୍ଟେସନରୁ ବାହାରିବା ମାତ୍ରେ ଜଣେ ବାଳକ ମୋତେ ପଚାରିଲା–ଆପଣଙ୍କ ନାମ ବିଶ୍ୱନାଥ କର ? ମୁଁ ନୀରବ ରହି ତାହାର ଏପରି ପ୍ରଶ୍ନ ଶୁଣି ବିସ୍ମିତ ହେଲି । ତା’ପରେ ତାର ଦ୍ୱିତୀୟ ପ୍ରଶ୍ନ–“ଆପଣ ଲଙ୍କାରୁ ଆସିଲେ କି ? ମୁଁ ତାକୁ ଅବାକ୍ ହୋଇଚାହିଁଲି । ପୁଣି ସେ ପଚାରିଲା,”ଆପଣଙ୍କ ଘର ଓଡ଼ିଶାରେ ତ” ? ମୁଁ ତାକୁ କେବଳ “ହୁଁ” ଟିଏ ମାରିଲି । ଭାବିଲି ଏ କ’ଣ ଧୂର୍ତ୍ତ ନା କର୍ଣ୍ଣପିଶାଚ । କିନ୍ତୁ ଶେଷରେ ସେ କହିଲା ଯେ ତାକୁ ଶ୍ରୀ ସୁବ୍ରହ୍ମଣ୍ୟମ୍ ପଠାଇଛନ୍ତି । ତା କଥାରେ ବିଶ୍ୱାସକରି ତା’ ସାଙ୍ଗରେ ଗଲି ।

 

ଶ୍ରୀ ସୁବ୍ରହ୍ମଣ୍ୟମ୍ ମୋର ରହିବା ଓ ସ୍ନାନ କରିବାର ବନ୍ଦୋବସ୍ତ କରିଦେଇ ମନ୍ଦିରର ସବୁ ସ୍ଥାନ ବୁଲାଇଆଣିବା ପାଇଁ ବନ୍ଦୋବସ୍ତ କରିଦେଲେ ।

 

ରମେଶ୍ୱରମନ୍ଦିର ଦ୍ରାବିଡ଼କଳାର ପ୍ରକୃଷ୍ଟ ନିଦର୍ଶନ । ଭାରତର ଚାରିଧାମ ମଧ୍ୟରୁ ଏହା ଅନ୍ୟତମ (ଉତ୍ତର-ବଦ୍ରିନାଥ, ପୂର୍ବ-ପୁରୀ, ପଶ୍ଚିମ-ଦ୍ୱରକା ଓ ଦକ୍ଷିଣ–ରାମେଶ୍ୱର) । ରାମେଶ୍ୱର ବିଷୟରେ ସଂସ୍କୃତରେ ଏକ ସମାସାତ୍ମକ କିମ୍ବଦନ୍ତୀ ଅଛି । ରାମଚନ୍ଦ୍ର ରାବଣକୁ ହତ୍ୟା କରିବାପରେ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତ ହେବାଲାଗି ଏଠାରେ ଶିବଲିଙ୍ଗ ସ୍ଥାପନ କଲେ । ଏହି ଲିଙ୍ଗର ନାମ ଦେଲେ ରାମେଶ୍ୱର ବା ରାମନାଥ । ଏହାର ଅନ୍ୟନାମ ରାମଲିଙ୍ଗ । ରାମଚନ୍ଦ୍ର ହସି ହସି ଶିବଙ୍କ ଆନୁଗତ୍ୟ ସ୍ୱୀକାର କରି କହିଲେ, “ପ୍ରଭୁ ! ରାମେଶ୍ୱର ଶବ୍ଦଟି ଷଷ୍ଠୀତତ୍‍-ପୁରୁଷ ସମାସନିଷ୍ପନ୍ନ—ଅର୍ଥାତ୍ ରାମସ୍ୟ ଈଶ୍ୱରଃ= ରାମେଶ୍ୱରଃ, ତେଣୁ ଆପଣ ମୋର ପ୍ରଭୁ । କିନ୍ତୁ ବ୍ୟାକରଣ ବାରିଧି ଶିବ ହସି ହସି କହିଲେ, “ନା ନା, ରାମେଶ୍ୱର ଶବ୍ଦଟି ଷଷ୍ଠୀତତ୍‍ପୁରୁଷରୁ ନିଷ୍ପନ୍ନ ନୁହେଁ—ଏହା ବହୁବ୍ରୀହିସମାସନିଷ୍ପନ୍ନ—ରାମଃ ଈଶ୍ୱରୋ ଯସ୍ୟ ସଃ= ରାମେଶ୍ୱରଃ, ଅର୍ଥାତ୍ ରାମ ଈଶ୍ୱର ଯାହାଙ୍କର ସେ ହେଉଛନ୍ତି ରାମେଶ୍ୱର ଯ ତେଣୁ ଆପଣ ମୋର ପ୍ରଭୁ ।

 

ରାମେଶ୍ୱର ଶବ୍ଦାର୍ଥର ବିଶ୍ଳେଷଣ କରି ଉଭୟେ ଉଭୟଙ୍କୁ ଉଚ୍ଚାସନ ଦେଇ ନିଜ ନିଜର ମହତ୍ତ୍ୱ ବଢ଼ାଇଥିଲେ । ରାମେଶ୍ୱର ସହରଟି ଛୋଟ । ଏହାର ଲମ୍ବ ଦେଢ଼ମାଇଲ୍ ଓ ପ୍ରସ୍ଥ ଅଧ ମାଇଲ । ସହରର ଉତ୍ତରଭାଗରେ ମନ୍ଦିର । ମନ୍ଦିରର ପୂର୍ବ ମୁଖଶାଳାର କାରୁକାର୍ଯ୍ୟ ଅତୀବ ପ୍ରଶଂସନୀୟ । ଏଠାରେ ରାମଚନ୍ଦ୍ରଙ୍କ ସନ୍ଦେହମୋଚନ ଲାଗି ସୀତାଦେବୀ ଅଗ୍ନିପରୀକ୍ଷା ଦେଇଥିଲେ । ମନ୍ଦିରର ପ୍ରାଚୀର ୧୨ ଫୁଟ ଉଚ୍ଚ । ପଶ୍ଚିମଦରଜା ବହୁ ଚିତ୍ର ବିଚିତ୍ର ପୂର୍ଣ୍ଣ । ଲିଙ୍ଗସମ୍ମୁଖରେ ୧୫ ଫୁଟ ଉଚ୍ଚର ସ୍ୱର୍ଣ୍ଣସ୍ତମ୍ଭ । କୋଡ଼ିଏ ଫୁଟ ଲମ୍ବ, ପନ୍ଦର ଫୁଟ ପ୍ରସ୍ଥ ଓ ଦଶ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ବିରାଟ ଷଣ୍ଢମୂର୍ତ୍ତି । ଶିବଙ୍କର ସ୍ୱର୍ଣ୍ଣମଣ୍ଡପ ଦୂରକୁ ଚକ୍ ଚକ୍ ଦେଖାଯାଏ । ଶିବଲିଙ୍ଗ ଉପରେ ଉପରୁ ସୁନାକଳସୀ ଦେହରୁ ଜଳ ନିର୍ଗତ ହେଉଥାଏ । ମନ୍ଦିରଟି ଖୁବ୍ ବଡ଼ । ଦେଖିବା ପାଇଁ ବହୁଯାତ୍ରୀ ଏଠାକୁ ଆସନ୍ତି । ରାମେଶ୍ୱରମନ୍ଦିରର ବାରଣ୍ଡା ପୃଥିବୀରେ ବୃହତ୍ତମ । ମନ୍ଦିର ମଧ୍ୟରେ ମାଳୀ, ଶଙ୍ଖ ଓ କଉଡ଼ି ପ୍ରଭୃତିର ବହୁତ ଦୋକାନ । ଚାରିପଟେ ଫୁଲବଗିଚା । ଏହାକୁ ରାମେଶ୍ୱରଙ୍କ ‘ନନ୍ଦନବନ’ ବୋଲି କହନ୍ତି । ସାମୁଦ୍ରିକ ବସ୍ତୁଲାଗି ରାମେଶ୍ୱର ପ୍ରସିଦ୍ଧ । ଏଠାରେ ବ୍ୟବାୟୀମାନେ ସଙ୍ଗେ ସଙ୍ଗେ କଉଡ଼ିରେ ନାମ ଓ ସୁନ୍ଦର ଛବି ଆଙ୍କି ଦିଅନ୍ତି । ମନ୍ଦିରର ବିଭିନ୍ନ ଉତ୍ସାବ ପାଇ ସୁନାମୂର୍ତ୍ତି ଅଛି । ଏମାନଙ୍କୁ ମଣ୍ଡପକୁ ନେବା ପାଇଁ ଓ ପୁଣି ମଣ୍ଡପରୁ ମନ୍ଦିରକୁ ଆଣିବା ପାଇଁ ରୂପାବିମାନ ଅଛି । ରୋଷଶାଳା ଓ ଫୁଲଚନ୍ଦନଘର ପ୍ରଭୃତି ଦେଖି ଅନ୍ୟଆଡ଼େ ବୁଲିଗଲି । ସୁନାର ରାମସୀତା ଓ ହନୁମାନଙ୍କର ମୂର୍ତ୍ତି ଅନ୍ୟ ଏକ ସ୍ଥାନରେ ପୂଜା ପାଉଛନ୍ତି । ବିଭିନ୍ନ ସ୍ଥାନରେ ନଟରାଜ, ବିଶାଳାକ୍ଷୀ, ବିଘ୍ନେଶ୍ୱର, ଜ୍ୟୋତିର୍ଲିଙ୍ଗ ଓ ହନୁମାନ୍ ମୂର୍ତ୍ତି ଦେଖିଲି ।

 

ଲଙ୍କାର ଏକ ଶିଳାଲେଖରୁ ପ୍ରମାଣ ମିଳେ ଯେ, ସିଂହଳର ରାଜା ପରାକ୍ରମବାହୁ ଏହି ମନ୍ଦିର ନିର୍ମାଣ କରାଇଥିଲେ । ସେ ପାଣ୍ଡ୍ୟରାଜାଙ୍କୁ ପରାସ୍ତ କରି ତାହାର ପ୍ରତୀକ ସ୍ୱରୂପ ଏହି ମନ୍ଦିରକୁ ତୋଳାଇଥିବା ପ୍ରକାଶ । ଏଥି ପୂର୍ବରୁ ଜଣେ ସନ୍ନ୍ୟାସୀ ଏକ କ୍ଷୁଦ୍ର ମନ୍ଦିରରେ ରାମେଶ୍ୱରଲିଙ୍ଗଙ୍କ ପୂଜା କରୁଥିଲେ । ମନ୍ଦିରର ଭିନ୍ନଭିନ୍ନ ସ୍ଥାନରେ ରାମତୀର୍ଥ, ଲକ୍ଷ୍ମଣତୀର୍ଥ, ସୀତାତୀର୍ଥ ଓ ହନୁମାନ୍ କୁଣ୍ଡ ପ୍ରଭୃତି ଦେଖାଯାଏ । ଅନ୍ୟ ଏକ ସ୍ଥାନରେ ୩ ଫୁଟ ଉଚ୍ଚ ଓ ଦୁଇ ଫୁଟ ପ୍ରସ୍ଥର କମନୀୟ ଶିବମୂର୍ତ୍ତି । ହନୁମାନ୍ ମନ୍ଦିର ସାମନାରେ ଗାୟତ୍ରୀ, ସାବିତ୍ରୀ ଓ ସରସ୍ୱତୀ—ଉତ୍ତରପରିକ୍ରମାରେ ଗଙ୍ଗା, ଯମୁନା ଓ ଗୟା—ବିଶାଳାକ୍ଷୀମନ୍ଦିରର ପଛପଟେ ସୂର୍ଯ୍ୟ, ଚନ୍ଦ୍ର ଓ ବ୍ରହ୍ମହତ୍ୟାବିମୋଚନ—ଟିକିଏ ଦୂରକୁ ଶଙ୍ଖତୀର୍ଥ ଓ ଚକ୍ରତୀର୍ଥ—ନବଶକ୍ତିମଣ୍ଡପନିକଟରେ ସାଧ୍ୟାମୃତ ତୀର୍ଥ—ବେଢ଼ାର ଭିତର ଅଂଶରେ ସର୍ବତୀର୍—ମାଧବ ମନ୍ଦିର ପାଖରେ ଗନ୍ଧମାର୍ଦନ, ଗବାକ୍ଷ ନଳ, ନୀଳ ଓ ଗବୟ ପ୍ରଭୃତି କୂପମାନ ଦେଖାଯାଏ ।

 

ଏଠାରେ ଯାତ୍ରୀମାନଙ୍କ ପାଇଁ ବହୁତ ଧର୍ମଶାଳା ଓ ହୋଟେଲ ଅଛି । ପଣ୍ଡାମାନେ ଯାତ୍ରୀମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରନ୍ତି । ଏଠା ସମୁଦ୍ରକୂଳର ଦୃଶ୍ୟ ଅତୀବ ରମଣୀୟ । ଶହ ଶହ ନୌକା ସମୁଦ୍ରରେ ଯା ଆସ କରୁଥାଏ । ସହରଟି କ୍ଷୁଦ୍ର ହେଲେ ହେଁ ଦର୍ଶନୀୟ ।

☆☆☆

 

ମଦୁରା

 

ରାମେଶ୍ୱର ଦେଖିବା ପରଦିନ ମଦୁରା ଯାତ୍ରା କଲି । ବାଟରେ ଟ୍ରେନ୍‍ ବଦଳାଇବାକୁ ହେଲା । ପୂର୍ବପରିଚିତ ବନ୍ଧୁ ଶ୍ରୀ ଏମ୍.ଜି. ନାୟଗମ୍‌ଙ୍କ ଅଫିସ ଠିକଣା ଓ ଘର ଠିକଣା ମୋ ପାଖରେ ଥିଲା । ସେ ଦିନ ରବିବାର—ଅଫିସ୍‍ ବନ୍ଦ । ରାତି ସାଢ଼େ ଏଗାରଟାରେ ଗାଡ଼ି ମଦୁରା ଷ୍ଟେସନରେ ପହଞ୍ଚିଲା । ରିକ୍‌ସାଟିଏ କରି ‘ଷଣ୍ମୁଖମ୍ ଷ୍ଟ୍ରୀଟ୍’ ଆଡ଼େ ଚାଲିଲି । ଘର ଖୋଜି ପାଇବାକୁ ବିଶେଷ କିଛି କଷ୍ଟ ହେଲା ନାହିଁ । ରିକ୍‌ସାବାଲା ନାୟଗମ୍ ମହାଶୟଙ୍କୁ ଡାକିବାରୁ ସେ ଉଠିଆସି କରମର୍ଦ୍ଦନ କରି ମୋତେ ଘର ଭିତରକୁ ନେଇଗଲେ । ଷ୍ଟେସନରେ ଖିଆପିଆ କାମ ସାରି ଦେଇଥିଲି । ତେଣୁ ରାତିଟା ବିଶ୍ରାମ କରି ପରଦିନ ସକାଳେ ତାଙ୍କ ସଙ୍ଗରେ ସହର ବୁଲି ବାହାରିଲି ।

 

ମଦୁରା ଏକ ବିରାଟ ସହର । ଏଠିକାର ବୟନଶିଳ୍ପ ଭାରତ ବିଖ୍ୟାତ । ରାସ୍ତାଘାଟ ପରିଷ୍କୃତ ପରିଚ୍ଛନ୍ନ । ଶିବମନ୍ଦିର, ବିଷ୍ଣୁ ମନ୍ଦିର, ଗୀର୍ଜା, ଉପବନ, ସିନେମାହଲ, ଓ ସାଧାରଣ କାର୍ଯ୍ୟାଳୟ ପ୍ରଭୃତିରେ ସହରଟି କୋଳାହଳମୟ । ଏହି ସହରର କ୍ଷେତ୍ରଫଳ ୮ ବର୍ଗମାଇଲ ଓ ଲୋକସଂଖ୍ୟା ଚାରିଲକ୍ଷ । ପ୍ରାଚୀନ ଦ୍ରାବିଡ଼ୀୟ ସଭ୍ୟତା, ଶିକ୍ଷା, ସ୍ଥାପତ୍ୟ ଓ ଶିଳ୍ପର ଏ ହେଉଛି ମୁଖ୍ୟ ପୀଠ । ହଜାର ହଜାର ବର୍ଷ ଧରି ଏହି ନଗରୀ ତାହାର ସମସ୍ତ ଗୌରବକୁ ଅକ୍ଷୁଣ୍ଣ ରଖିଆସିଛି । ମଦୁରାର ମୀନାକ୍ଷୀମନ୍ଦିର ଓ ତିରୁମଲ୍ଲ ନାୟକ ପ୍ରାସାଦ ଦକ୍ଷିଣ ଭାରତୀୟ ଦ୍ରାବିଡ଼କଳାର ଚରମ ନିଦର୍ଶନ । ଇଉରୋପୀୟ ଶିକ୍ଷାବିତ୍‌ମାନେ ଏହାକୁ ଦକ୍ଷିଣଭାରତର “ଏଥେନସ୍” ବୋଲି କହନ୍ତି । ପାଣ୍ଡ୍ୟରାଜତ୍ୱକାଳରେ ଏହା ଏକ ଗୌରବୋଜ୍ଜ୍ୱଳନଗରୀ ଥିଲା । ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱକାଳରେ ଭାରତଭ୍ରମଣକାରୀ ଗ୍ରୀକ୍‍ ରାଜଦୂତ ମେଘାସ୍ଥିନିସ୍‌ଙ୍କ ବିବରଣୀରୁ ଜଣାଯାଏ, ସେତେବେଳେ ମଦୁରା ପାଣ୍ଡ୍ୟବଂଶର ଏକ ରାଜକୁମାରୀଙ୍କ ଦ୍ୱାରା ଶାସିତ ହେଉଥିଲା । ତାଙ୍କର ପାଞ୍ଚଶହ ଗଜାରୋହୀ, ଚାରିହଜାର ଅଶ୍ୱାରୋହୀ ଓ ତେରହଜାର ପଦାତିକ ସୈନ୍ୟ ଥିଲେ-। ଏହାର ନାମକରଣ ବିଷୟରେ ଏକ ପ୍ରବାଦ ଅଛି । ମଦୁରା ସହରର ନିର୍ମାଣ କୌଶଳ, ମୀନାକ୍ଷୀମନ୍ଦିର ଓ ଶିବମନ୍ଦିରର କାରୁକାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଶିବ ଏହି ସହର ଉପରେ ମଧୁବର୍ଷଣ କରିଥିଲେ । ତେଣୁ ଏହାର ନାମକରଣ ହେଲା “ମଧୁରା” ମଧୁରା କାଳକ୍ରମେ ଅପଭ୍ରଷ୍ଟ ହୋଇ ମଦୁରା ହୋଇଛି ।

 

ଷୋଡ଼ଶତାବ୍ଦୀରେ ମଦୁରା ‘ନାୟକ’ ବଂଶଧରମାନଙ୍କ ଶାସନାଧୀନ ଥିଲା । ଏହି ରାଜାମାନଙ୍କ ଅମଳରେ ଏହାର ଯେଥଷ୍ଟ ଶ୍ରୀବୃଦ୍ଧି ସାଧିତ ହେଲା । ଏହି ବଂଶର ଅଧିଷ୍ଠାତା ହେଉଛନ୍ତି ବିଶ୍ୱନାଥ ନାୟକ । ତାଙ୍କ ବଂଶର ତିରୁମଲ୍ଲ ନାୟକଙ୍କ ପ୍ରାସାଦ ଦର୍ଶକର ନୟନ ମନମୁଗ୍‌ଧ କରେ । ଇତିହାସ ଅନୁଧ୍ୟାନ କଲେ ଜଣାଯାଏ, ସେ ୩୬ ବର୍ଷ ପର୍ଯ୍ୟନ୍ତ ମଦୁରାର ଶାସକ ଥିଲେ ଓ ତାଙ୍କର ବାର୍ଷିକ ରାଜତ୍ୱ ପରିମାଣ ଥିଲା ଏକ କୋଟି ଅଶୀଲକ୍ଷ । ମୀନାକ୍ଷୀମନ୍ଦିର ପରିଚାଳନା ନିମିତ୍ତ ସେ ବାର୍ଷିକ ବାରଲକ୍ଷ ପନ୍ଦର ହଜାର ଟଙ୍କା ଭୂସମ୍ପତ୍ତି ଖଞ୍ଜି ଦେଇଥିଲେ । ତାଙ୍କର ଦୁଇଶହ ରାଣୀ ଥିଲେ । ସେ ମଦୁରା, ରାମନାଦ୍, କୋଇମ୍ବାଟୁର, ସାଲେମ୍ ଏବଂ ତ୍ରିଚିନାପଲ୍ଲୀର ଶାସକ ଥିଲେ ।

 

ତିରୁମଲ୍ଲନାୟକ ପ୍ରାସାଦ ଏକ ବିରାଟ ଅଟ୍ଟାଳିକା । ବର୍ତ୍ତମାନ ଏଠାରେ ମଦୁରା ଜିଲ୍ଲାର କଚେରୀ ବସୁଛି । ଏହାର ଉପରି ଭାଗରେ ଦଣ୍ଡାୟମାନ ହୋଇ ଦର୍ଶକ ସମଗ୍ର ମଦୁରାସହର ତଥା ଆଖପାଖ ଅଞ୍ଚଳର ଦୃଶ୍ୟ ଉପଭୋଗ କରେ । ଏହି ରାଜପ୍ରାସାଦ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ-। ଗୋଟିଏ ଭାଗରେ କଚେରୀ ଓ ଅନ୍ୟଭାଗରେ ଦର୍ଶକମାନଙ୍କ ପାଇଁ ସଂରକ୍ଷଣାଗାର-। ଏହାର ସ୍ତମ୍ଭମାନ କାରୁକାର୍ଯ୍ୟପୂର୍ଣ୍ଣ । ନିମ୍ନ ଭାଗରେ ରାଜାଙ୍କର ସିଂହାସନକୋଠରୀ । ତାହାର ଅନ୍ୟ ନାମ ‘ସ୍ୱର୍ଗ ବିଳାସମ୍’ । ପଶ୍ଚିମପାଖକୁ ଗୋଟିଏ ଗମ୍ଭୁଜାକୃତି ଘର । ଏଥିରେ ହାତୀଦାନ୍ତ ତିଆରି ବହୁ ପଦାର୍ଥ ସଂରକ୍ଷିତ । ଅନ୍ୟ କୋଠରୀଗୁଡ଼ିକ କଳା ମୁଗୁନି ପଥରରେ ତିଆରି । ପ୍ରାସାଦର ଦର୍ଶକକୋଠରୀ ଗ୍ରାନାଇଟ୍ ପଥରର । ଇତିହାସରୁ ଜଣାଯାଏ, ଏହାର ମରାମତି ନିମିତ୍ତ ମାନ୍ଦ୍ରାଜର ଗଭର୍ଣ୍ଣର ଲର୍ଡ଼ ନେଫାୟେର ଖ୍ରୀ:୧୮୮୮ରେ ପାଞ୍ଚଲକ୍ଷ ଟଙ୍କାର ମଞ୍ଜୁର କରିଥିଲେ । ତା’ ନ ହୋଇଥିଲେ ଏହା ଧୂଳିସାତ୍ ହୋଇଥାନ୍ତା ।

 

ରାଜପୁଷ୍କରିଣୀ:—ଏହି ପୁଷ୍କରିଣୀ ତିରୁମଲ୍ଲ ନାୟକଙ୍କର କୀର୍ତ୍ତି । ମୀନାକ୍ଷୀଦେବୀଙ୍କ ମନ୍ଦିର ନିମିତ୍ତ ଏହା ତିଆରି ହୋଇଥିଲା । ଏହା ଦକ୍ଷିଣଭାରତର ଏକ ଶ୍ରେଷ୍ଠ ପୁଷ୍କରିଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପୁଷ୍କରିଣୀ ଖୋଳାହେଲା ବେଳେ ବାହାରିଥିବା ଗଣପତିଙ୍କ କମନୀୟ ମୂର୍ତ୍ତି ବର୍ତ୍ତମାନ ମନ୍ଦିରରେ ପୂଜିତ । ପୁଷ୍କରିଣୀର ମଝିରେ ଏକ କ୍ଷୁଦ୍ର ଭୂଭାଗ । ତହିଁରେ ବହୁ ବୃକ୍ଷଲତାପୂର୍ଣ୍ଣ କ୍ଷୁଦ୍ର ଉଦ୍ୟାନମଧ୍ୟରେ ମନ୍ଦିର ବିରାଜିତ ।

 

ଶ୍ରୀ ଏମ୍. ଜି. ନାୟଗମ ଙ୍କ ସହିତ ମୀନକ୍ଷୀମନ୍ଦିରକୁ ଗଲି । ତାଙ୍କ ବସାଠାରୁ ଏହା ଏକ ମାଇଲ୍ । ରାସ୍ତାରେ ବହୁତ ମନ୍ଦିର ଦୃଷ୍ଟିଗୋଚର ହେଲା । ସହରର ଠିକ୍ ମଧ୍ୟଭାଗରେ ମୀନାକ୍ଷୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଯେ କୌଣସି ଦର୍ଶକକୁ ଅଭିଭୂତ କରିବ । ଏହାର ପ୍ରକାର, ଆୟତନ, ବିଶାଳତା, କାରୁକାର୍ଯ୍ୟ, ଚତୁଃପାର୍ଶ୍ୱସ୍ଥ ପ୍ରବେଶଦ୍ୱାର ଓ ମନ୍ଦିରମଧ୍ୟରେ ଥିବା ଶତ ଶତ ଦେବଦେବୀଙ୍କର କମନୀୟ ମୂର୍ତ୍ତି ଦେଖିଲେ ମନେ ହୁଏ ଏହା ହିନ୍ଦୁ କଳାର ଚୂଡ଼ାନ୍ତ ପ୍ରକୃଷ୍ଟି । ଦକ୍ଷିଣଭାରତର ଏହା ଶ୍ରେଷ୍ଠ ମନ୍ଦିର । ସାଧାରଣତଃ ମଦୁରାର ଲୋକମାନେ ବିବାହକାର୍ଯ୍ୟ ମୀନାକ୍ଷୀଙ୍କୁ ସାକ୍ଷୀରଖି ସମ୍ପନ୍ନ କରନ୍ତି । ସେତେବେଳେ ଦକ୍ଷିଣଭାରତୀୟ ବାଦ୍ୟରୋଳ, ହୁଳହୁଳି ଓ ପୁରୋହିତଙ୍କ ମନ୍ତ୍ରପାଠରେ ମନ୍ଦିର ଉଛୁଳି ଉଠେ । ମନ୍ଦିର ବେଢ଼ାର ଲମ୍ବ ୭୯୨ ଫୁଟ ଓ ପ୍ରସ୍ଥ ୮୪୭ ଫୁଟ୍ । ଏହା ଷୋଡ଼ଶ ଶତାବ୍ଦୀରେ ନିର୍ମିତ । ନାୟକବଂଶର ପ୍ରତିଷ୍ଠାତା ବିଶ୍ୱନାଥ ନାୟକଙ୍କର ଏହା ପ୍ରଥମ ଯୋଜନା ହେଲେ ମଧ୍ୟ ତାଙ୍କ ପରବର୍ତ୍ତୀ ବଂଶଧରଙ୍କ ଦ୍ୱାରା ଏହା ପୂର୍ଣ୍ଣତା ଲାଭ କରିଛି । (୧୨୭) ଏହାକୁ ଶେଷ କରିବାକୁ ୧୨୦ ବର୍ଷ ସମୟ ଓ ୧୬ ଲକ୍ଷ ମୁଦ୍ରା ଲାଗିଥିଲା ।

 

ମୀନାକ୍ଷୀମୂର୍ତ୍ତି:—ଏହା ଏକ ସୁସଜ୍ଜିତ ମନ୍ଦିରରେ ପ୍ରତିଷ୍ଠିତ । ମନ୍ଦିରର ଉପରିଭାଗର ସୂକ୍ଷ୍ମ କାରୁକାର୍ଯ୍ୟ, ଭିତରର ସାଜସଜ୍ଜା, ବଡ଼ପଣ୍ଡାଙ୍କର ମନ୍ତ୍ରୋଚ୍ଚାରଣ, ସମବେତଜନତାର ଜୟଜୟ ଧ୍ୱନି, ନାରୀମାନଙ୍କର ହୁଳହୁଳି, ବିବିଧବାଦ୍ୟର ଅବିରତ ଧ୍ୱନି ଓ ଘଣ୍ଟା ମର୍ଦ୍ଦଳର ଗହଗହ ନାଦର ସ୍ୱର୍ଗମର୍ତ୍ତ୍ୟ ପ୍ରକମ୍ପିତ ହେଲା ପରି ମନେ ହୁଏ । ଏ ସବୁର ଦର୍ଶନ ଓ ଶ୍ରବଣରେ ଯେ କୌଣସି ନାସ୍ତିକର ମାନସପଟରେ ଯେ ଭଗବତ୍ ପ୍ରେମର ଉଦ୍ରେକ ହେବ, ଏଥିରେ ସନ୍ଦେହ ନାହିଁ । ପାର୍ବତୀଙ୍କ ମୂର୍ତ୍ତିର ନାମ ମୀନାକ୍ଷୀ । ପ୍ରବାଦ ଅଛି, ନାୟକରାଜବଂଶର ମୀନାକ୍ଷୀ ନାମଧେୟା ରାଜବାଳାର ସ୍ମୃତିରକ୍ଷା ନିମିତ୍ତ ଏହାର ନାମକରଣ ଏପରି ହୋଇଛି । ଅପର ପାର୍ଶ୍ୱରେ ସୁନ୍ଦରରେଶ୍ୱର ଶିବମନ୍ଦିର । ସୁନ୍ଦରେଶ୍ୱରମନ୍ଦିରରୁ ପ୍ରତିଦିନ ରାତିରେ ଶିବଙ୍କର ପ୍ରତିମୂର୍ତ୍ତିକୁ ମୀନାକ୍ଷୀ ମନ୍ଦିରକୁ ଅଣାଯାଏ । ବିବିଧ ବାଦ୍ୟଗହଣରେ ସ୍ୱର୍ଣ୍ଣ ବିଜଡ଼ିତ ପାଲିଙ୍କିରେ ମୂର୍ତ୍ତିଟିକି ଅଣାଯାଇ ପରଦିନ ସକାଳେ ପୁଣି ଶିବମନ୍ଦିରକୁ ନିଆଯାଏ ।

 

ମନ୍ଦିରର ଚାରିଦିଗରେ ଚାରିଗୋଟି ବଡ଼ ଦରଜା । ଏଗୁଡ଼ିକର ଉଚ୍ଚତା ୧୦୦ ଫୁଟରୁ ବେଶୀ । ପଶୁପକ୍ଷୀ, ମନୁଷ୍ୟ, ଲତା ଓ ଦେବଦେବୀ ପ୍ରଭୃତି ସୁନ୍ଦର ଚିତ୍ରାବଳୀରେ ଏଗୁଡ଼ିକ ପରିପୂର୍ଣ୍ଣ । ମନ୍ଦିରରେ ନଅଟି ଉଚ୍ଚ ଗମ୍ଭୁଜ ଅଛି । ଦକ୍ଷିଣଦ୍ୱାର ଗଦମ୍ବୁଜର ଉଚ୍ଚତା ୧୫୨ ଫୁଟ । ଦ୍ୱାରବନ୍ଧରେ ଥିବା ପଥରର ଉଚ୍ଚତା ୬୦ଫୁଟ । ଏହି ପଥରଟି ସୂକ୍ଷ୍ମ କଳାପୂର୍ଣ୍ଣ । ମନ୍ଦିରର ଅନ୍ୟ ପାଖରେ ୫ଟି ଗ୍ରାନାଇଟ୍ ପଥରର ଗମ୍ବୁଜ ଅଛି । ଏଠାରେ ସଙ୍ଗୀତଶାସ୍ତ୍ର ଚର୍ଚ୍ଚ ହେଉଥିବାରୁ ଏହାର ଅନ୍ୟନାମ “ସଙ୍ଗୀତଗମ୍ବୁଜ” । ଅଷ୍ଟଶକ୍ତିମଣ୍ଡପର ନିକଟକୁ ମୀନାକ୍ଷୀମଣ୍ଡପ । ଏହାର ଲମ୍ବ ୧୬୦ ଫୁଟ ଓ ପ୍ରସ୍ଥ ୧୦୦ ଫୁଟ । ଦରଜାର ଦକ୍ଷିଣପଟେ ଗଣେଶମୂର୍ତ୍ତି ଓ ବାମପଟେ କାର୍ତ୍ତିକେୟ ମୂର୍ତ୍ତି । ଏହି ମଣ୍ଡପରେ ବହୁତ ମୂର୍ତ୍ତି ଦେଖିବାକୁ ମିଳେ । ଦୁଇପାଖରେ ସୁସଜ୍ଜିତ ବିପଣୀମାଳା । ଏଠାରେ ଶଙ୍ଖ, କାଚ, ମାଳୀ, ଶାଢ଼ି ଓ ପିତଳବାସନ ପ୍ରଭୃତି ବିକ୍ରୀତ ହୁଏ । ଅନ୍ଧାର-ମଣ୍ଡପରେ ବହୁ ଦେବଦେବୀଙ୍କ ମୂର୍ତ୍ତି ଦେଖାଯାଏ । ଏମାନଙ୍କ ମଧ୍ୟରେ ମୋହିନୀ ରୂପୀ ବିଷ୍ଣୁ ଓ ସତୀ ଅନସୂୟା ପ୍ରଧାନ । ମୋହିନୀମୂର୍ତ୍ତିର କଳାଦକ୍ଷତା ଏକାନ୍ତ କମନୀୟ । ଏଥିରେ ନାୟିକାର ପ୍ରତ୍ୟେକ ଅଙ୍ଗଭଙ୍ଗୀ ପ୍ରକଟିତ । ଏହାର ନିକଟରେ ଗୋଟିଏ ସ୍ୱଚ୍ଛ ସରୋବର । ଏହାର ନାମ ‘ସ୍ୱର୍ଣ୍ଣକମଳ ସରୋବର’ ।

 

ସ୍ୱର୍ଣ୍ଣକମଳ ସରୋବରର ଅନତିଦୂରରେ କିଲିକାଟୁ ମଣ୍ଡପର ସ୍ତମ୍ଭମାନ ଦର୍ଶନୀୟ । ନାନାବିଧ କାରୁକାର୍ଯ୍ୟ ଏଗୁଡ଼ିକୁ ରମଣୀୟ କରିଛି । ଏସବୁ ଗ୍ରାନାଇଟ୍ ପଥରରେ ତିଆରି । ପ୍ରତ୍ୟେକ ସ୍ତମ୍ଭରେ ମୂର୍ତ୍ତିଗୁଡ଼ିକ ନିଖୁଣଭାବେ ଖୋଦିତ । ପଞ୍ଚପାଣ୍ଡବ ଓ ଦୌପଦୀଙ୍କର ମୂର୍ତ୍ତି ଚାରୁକଳାପୂର୍ଣ୍ଣ । ମୀନାକ୍ଷୀମନ୍ଦିରର ମୂର୍ତ୍ତିମାନଙ୍କ ମଧ୍ୟରେ ନର୍ତ୍ତକୀମୂର୍ତ୍ତି ଅତି କମନୀୟ । ପ୍ରାଚୀନ ନାଟ୍ୟଶାସ୍ତ୍ରର ରୀତିଅନୁସାରେ ଏଗୁଡ଼ିକ ଖୋଦିତ । ମନ୍ଦିରର ଅନ୍ୟ ଏକ ସ୍ଥାନରେ ତିରୁମଲ୍ଲ ନାୟକ ଓ ତାଙ୍କର ତିନିରାଣୀଙ୍କ ପ୍ରସ୍ତରମୂର୍ତ୍ତି ବିଦ୍ୟମାନ । ତିରୁମଲ୍ଲ ନାୟକଙ୍କର ବିଶାଳବପୁ, ଆଜାନୁଲମ୍ବିତ ବାହୁ, ବୃଷସ୍କନ୍ଧ ଓ ଦୀର୍ଘକେଶକଳାପ, ଅଥଚ ରାଣୀମାନେ କ୍ଷୀଣାଙ୍ଗୀ ।

 

ସହସ୍ରସ୍ତମ୍ଭଗୃହ:—ଷୋଡ଼ଶ ଶତାବ୍ଦୀରେ ମଦୁରାର ଲୋକ ପ୍ରିୟ ମନ୍ତ୍ରୀ ଆର୍ଯ୍ୟନାଥ ମୁଦୁଲିଅର ଏହାକୁ ନିର୍ମାଣ କରାଇ ଥିଲେ । ରାଜାହରିଶ୍ଚନ୍ଦ୍ର, ରାଣୀ ଚନ୍ଦ୍ରାବତୀ, ସୁବ୍ରହ୍ମଣ୍ୟମ୍, କାର୍ତ୍ତିକେୟ, ସରସ୍ୱତୀ, କୌରବ ଓ ଭାନୁମତୀ ପ୍ରଭୃତିଙ୍କର ମୂର୍ତ୍ତି ଏଠାରେ ଦେଖିବାକୁ ମିଳେ । ଅନ୍ୟପାଖରେ କନ୍ଦର୍ପ ଓ ରତିଙ୍କର ମୋନରମ ମୂର୍ତ୍ତି । ସୁନ୍ଦର ହଂସ ଉପରେ ରତିଦେବୀ ଆସୀନା । ଆଉଟିକିଏ ଦୂରରେ ସ୍ତ୍ରୈଣ କଳିକାଳଭେଣ୍ଡା । ଏହା ଏକ ହାସ୍ୟାସ୍ପଦ ମୂର୍ତ୍ତି । ନିଜର ସ୍ତ୍ରୀକୁ କାନ୍ଧରେ ବସାଇ କଳିକାଳଭେଣ୍ଡା ହସ ହସ ବଦନରେ ଚାଲିଛି । ତାର ଗୁରୁଜନ, ଦେଶ, ଜାତି, ଓ ସାଧାରଣ ସମାଲୋଚନା ପ୍ରଭୃତି ପ୍ରତି ଯେପରି ତିଳେ ହେଲେ ଭ୍ରୂକ୍ଷେପ ନାହିଁ । ଲାଜ, ସଙ୍କୋଚ କି ଭୟ କିଛି ଯେପରି ତାର ନାହିଁ । ସତେ ଯେପରି ନାରୀ ବିନା ସଂସାରରେ ତାର ସ୍ଥିତି ଏକାନ୍ତ ଅସମ୍ଭବ । ଏ ଯୁଗର ଯୁବକ ନାରୀର ବଚସ୍କର ଓ ପୂଜାରୀ ଏହା ସୂଚାଇ ଦେଉଛି ଏହି ମୂର୍ତ୍ତି ।

 

ସୁନ୍ଦରେଶ୍ୱରମହାଦେବମନ୍ଦିର:—ମୀନାକ୍ଷୀମନ୍ଦିରର ଅପରପାର୍ଶ୍ୱରେ ଏହି ମନ୍ଦିର ଅବସ୍ଥିତ । ଏଠାରେ ନବଗ୍ରହ ଓ ୧୦ ଫୁଟ ଉଚ୍ଚର ଅଘୋରୀ ବୀରଭଦ୍ରମୂର୍ତ୍ତି ଦର୍ଶନୀୟ । ମନ୍ଦିରର ପିତଳଦରଜା ପ୍ରାୟ ୨୦ ଫୁଟ ଉଚ୍ଚ । ଶୀର୍ଷଦେଶ ସ୍ୱର୍ଣ୍ଣପତ୍ରରେ ଖଚିତ ୬୦ଫୁଟ ଉଚ୍ଚସ୍ତମ୍ଭ ମନ୍ଦିରରେ ବିଦ୍ୟମାନ । ମନ୍ଦିର ପାଖରେ କୃଷ୍ଣାର୍ଜ୍ଜୁନ, ଊର୍ଦ୍ଧ୍ୱତାଣ୍ଡବରତ ଶିବ (୧୦ ଫୁଟ ଉଚ୍ଚ), କଲ୍ୟାଣସୁନ୍ଦର, ନଟରାଜ ଓ ଚନ୍ଦ୍ରଶେଖର ପ୍ରଭୃତିଙ୍କର ମୂର୍ତ୍ତି ଦେଖାଯାଏ । ସହସ୍ରଲିଙ୍ଗ, ଷୋଡ଼ଶଲିଙ୍ଗ, ପଞ୍ଚମୁଖୀ ଲିଙ୍ଗ ଓ ମହାଲିଙ୍ଗ ପ୍ରଭୃତି ବିଭିନ୍ନ ମୂର୍ତ୍ତି ଏଠାରେ ପୂଜିତ ।

 

ମଦୁରା ନଗରୀ ପ୍ରାଚୀନ ଦ୍ରାବିଡ଼ୀୟ ଶିଳ୍ପ ଓ ସ୍ଥାପତ୍ୟ ସଙ୍ଗେ ସଙ୍ଗେ ଆଧୁନିକ କାରୁକାର୍ଯ୍ୟକୁ ସମାନ ଗୌରବ ଦେଇପାରିଛି ତଥା ଐତିହାସିକ ଓ ପୌରାଣିକ ପରମ୍ପରାକୁ ଏ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରଖି ଆଧୁନିକତା ଗତି ସଙ୍ଗେ ତାଳ ମିଳାଇ ଚାଲିଛି । ଆଧୁନିକ ଶିକ୍ଷାନୁଷ୍ଠାନ, ବୟନଶିଳ୍ପ ଓ ବାଣିଜ୍ୟ ବ୍ୟବସାୟରେ ମଦୁରା ଦକ୍ଷିଣଭାରତରେ ପ୍ରଖ୍ୟାତ । (୧୩୦)

☆☆☆

 

ତ୍ରିଚିନାପଲ୍ଲୀ

 

ମଦୁରାରୁ ପରଦିନ ରାତି ୧୨ଟାରେ ତ୍ରିଚିନାପଲ୍ଲ ଯାତ୍ରା କଲି । ମଦୁରାର ବନ୍ଧୁ ଶ୍ରୀ ମାୟଗମ୍ ମୋତେ ଷ୍ଟେସନକୁ ବଳାଇଦେବାକୁ ଆସିଥିଲେ । ରାତି ଘ୧୨।୩୦ରେ ଗାଡ଼ି ମଦୁରାରୁ ଛାଡ଼ିଲା । ବନ୍ଧୁ ଶ୍ରୀ ନାୟଗମ୍ ବିଦାୟ ନେଲେ । ଏଠାରୁ ତ୍ରିଚିନାପଲ୍ଲୀର ଦୂରତା ୯୬ ମାଇଲ । ପରଦିନ ସକାଳ ସାଢ଼େ ପାଞ୍ଚଟାରେ ଗାଡ଼ି ତ୍ରିଚିନାପଲ୍ଲୀରେ ପହଞ୍ଚିଲା । ଏଠାରୁ ବସ୍‌ରେ ୬ ମାଇଲ ଗଲାପରେ ସହରରେ ପହଞ୍ଚିଲି । ମନ୍ଦିରପାଖରେ ଥିବା ଗୋଟିଏ ହୋଟେଲରେ ରହିବା ବନ୍ଦୋବସ୍ତ ହେଲା । ମଝିରେ କାବେରୀନଦୀର ସୁନ୍ଦର ପୋଲ ପଡ଼ିଲା । କାବେରୀର ଘାଟଗୁଡ଼ିକ ଜନାକୀର୍ଣ୍ଣ । ବିଶେଷତଃ ସକାଳବେଳା ବହୁ ଲୋକସ୍ନାନ ପାଇଁ ନଦୀକୁ ଆସନ୍ତି । ତ୍ରିଚିନାପଲ୍ଲୀ ଏକ ଆଧୁନିକ ନଗର । ଶ୍ରୀ ରଙ୍ଗନାଥଜୀ ମନ୍ଦିର ହେଉଛି ଏହାର ପ୍ରାଧାନ୍ୟର କାରଣ । ହଜାର ହଜାର ଯାତ୍ରୀ ଏହି ମନ୍ଦିରକୁ ଦର୍ଶନ କରିବାକୁ ଆସନ୍ତି । ଭାରତର ସପ୍ତ ପୁଣ୍ୟତୋୟା ନଦୀଙ୍କ ମଧ୍ୟରେ କାବେରୀ ଓ ଉତ୍ତରରେ କୋଲିଦମ୍‌ନଦୀ ପ୍ରବାହିତ । ଶ୍ରୀରଙ୍ଗମ୍‌ମନ୍ଦିର ଦ୍ରାବିଡ଼ କଳା ଓ ସୂକ୍ଷ୍ମ କାରୁକାର୍ଯ୍ୟର ଆଦର୍ଶ । ଦକ୍ଷିଣଭାରତରେ ଏହାର ପ୍ରସିଦ୍ଧି ଖୁବ୍ ବେଶୀ । ମନ୍ଦିରର ପାଟହାତୀ ପ୍ରତିଦିନ ସକାଳେ କାବେରୀରୁ ଜଳ ଆଣେ ଓ ସେଥିରେ ଶ୍ରୀରଙ୍ଗନାଥଜୀଙ୍କର ସ୍ନାନବିଧି ସମ୍ପନ୍ନ କରାଯାଏ । ଏହାର ପ୍ରାଚୀର ଖୁବ୍ ଉଚ୍ଚ । ଏଠାରେ ମଧ୍ୟ ମଦୁରାର ମୀନାକ୍ଷୀମନ୍ଦିର ପରି ବହୁ ସ୍ତମ୍ଭ ଓ ମଣ୍ଡପ ବିରାଜିତ । ଏଥିରେ ପୌରାଣିକ ବିଷୟବସ୍ତୁ ଖୋଦିତ । ପୁରାଣରେ ବର୍ଣ୍ଣିତ, ବିଭୀଷଣ ଶ୍ରୀରଙ୍ଗମୂର୍ତ୍ତିଙ୍କୁ ଲଙ୍କା ନେବା ପାଇଁ ଶ୍ରୀ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ କିନ୍ତୁ ତାଙ୍କର ପ୍ରାର୍ଥନା ବିଫଳ ହେଲା । ମୁଖ୍ୟ ମନ୍ଦିରର ଦ୍ୱାରଦେଶରେ ଏକ ବିରାଟ ମଣ୍ଡପ । ଏଠାରେ ଶହ ଶହ ହିନ୍ଦୁ ପୂଜା ସମୟରେ ସମବେତ ହୁଅନ୍ତି । ଘଣ୍ଟାମାଦଳରେ ମନ୍ଦିର କକ୍ଷ ମୁଖରିତ ହୁଏ । ଏଠାରୁ ଯିବାକୁ ହେଲେ ସାତଗୋଟି ଦ୍ୱାରବନ୍ଧ ଏବଂ ଚଉଦଟି ମୁଖଶାଳା ପାର ହେବାକୁ ପଡ଼ିବ । ପ୍ରାଚୀରର ଉଚ୍ଚତା ୨୦ ଫୁଟ ଏବଂ ପ୍ରସ୍ଥ ୬ ଫୁଟ । ଏହାର ଦ୍ୱାର ଗ୍ରାନାଇଟ୍ ପଥରରେ ତିଆରି । ଦକ୍ଷିଣଭାରତର ଏହା ଶ୍ରେଷ୍ଠ ବୈଷ୍ଣବତୀର୍ଥ । ଦକ୍ଷିଣଭାରତରେ ବୈଷ୍ଣବ ଧର୍ମର ପ୍ରଚାର ଏହିଠାରେ ହିଁ ପ୍ରଥମେ ହୋଇଥିଲା ବୋଲି ଶୁଣାଯାଏ । ରାମାନୁଜ ଭଟ୍ଟ ଓ ବେଦାନ୍ତ ଦେଶିକ ପ୍ରଭୃତି ବିଖ୍ୟାତ ବୈଷ୍ଣବ ଓ ହିନ୍ଦୁ ଧର୍ମର ପ୍ରଚାରକମାନଙ୍କର ପ୍ରତିମୂର୍ତ୍ତି ଏଠାରେ ଏବେ ସୁଦ୍ଧା ଅଛି । ଭାରତୀୟ ଦର୍ଶନ ଓ ଧର୍ମଶାଳା ପ୍ରଭୃତିକୁ ଏହି ମନ୍ଦିରର ଦାନ ଅତୁଳନୀୟ । ଶ୍ରୀ ରାମାନୁଜ କିଛିଦିନ ପାଇଁ ଏହି ମନ୍ଦିରର ପରିଚାଳକ ଓ ସମୀକ୍ଷକ ଥିଲେ । ତାଙ୍କର ନୀତିନିୟମାନୁଯାୟୀ ଏବେ ସୁଦ୍ଧା ମନ୍ଦିର ପରିଚାଳିତ ହେଉଅଛି । ବର୍ଷାସାରା ମନ୍ଦିରରେ ବିଭିନ୍ନ ଉତ୍ସବ ପାଳିତ ହୁଏ । ଏଠାରେ ବୃହତ୍ତମ ଉତ୍ସବ ହେଉଛି ବୈକୁଣ୍ଠଏକାଦଶୀ । ଏହା ବୈଷ୍ଣବ ଧର୍ମାବଲମ୍ବୀମାନଙ୍କର ବିଶିଷ୍ଟ ବ୍ରତଦିବସ । ବୈକୁଣ୍ଠଦ୍ୱାର ବୋଲି ଏହି ମନ୍ଦିରର ଏକ ଦ୍ୱାର ଅଛି । ଏହି ବାଟେ ପ୍ରବେଶ କରି ମନ୍ଦିରକୁ ଗଲେ ମୃତ୍ୟୁଅନ୍ତେ ବୈକୁଣ୍ଠପ୍ରାପ୍ତି ସୁଗମ ହୁଏ ବୋଲି ଧର୍ମପ୍ରାଣମାନଙ୍କର ମତ । ଏହି ଏକାଦଶୀ ଦିନ ଶ୍ରୀରଙ୍ଗନାଥଜୀଙ୍କ ବିମାନ ବାହାରେ । ଶହଶହ ଲୋକ ଶୋଭାଯାତ୍ରାରେ ଯୋଗ ଦିଅନ୍ତି । ମନ୍ଦିରସ୍ଥିତ ମୂର୍ତ୍ତିଗୁଡ଼ିକ ସୁନ୍ଦର । ଶ୍ରୀରଙ୍ଗନାଥଜୀ ମୂର୍ତ୍ତି ୮ ଫୁଟ ଉଚ୍ଚ । ମନ୍ଦିର ସାମନାରେ ୨୫ ଫୁଟ୍ ଉଚ୍ଚ ସୁନା ପାତରସ୍ତମ୍ଭ ଓ ମଣ୍ଡପ । ଦରଜା ତମ୍ବାରେ ତିଆରି । ଶ୍ରୀ ଦେବୀ ଓ ଭୂମିଦେବୀ ଏଠାରେ ପ୍ରତିଷ୍ଠିତା । ଶ୍ରୀରାମଙ୍କର ୬ ଫୁଟ ଉଚ୍ଚ ମନୋହର ମୂର୍ତ୍ତି ଏବଂ ଲକ୍ଷ୍ମଣଙ୍କର ୪ ଫୁଟ ଉଚ୍ଚ ମୂର୍ତ୍ତିର କାରୁକାର୍ଯ୍ୟ ନୟନଲୋଭନୀୟ । ହନୁମାନ, ବୈକୁଣ୍ଠନାଥ ଓ ଦଶାବତାର ପ୍ରଭୃତି ବିଗ୍ରହ ମନ୍ଦିରରେ ପୂଜିର । ଶେଷଭାଗରେ ୧୫ ଫୁଟ ପଥରରେ ବିଷ୍ଣୁଙ୍କର ‘ଅନନ୍ତଶୟନ” ମୂର୍ତ୍ତି ଅତୀବ ଚମତ୍କାର । ଶ୍ରୀରଙ୍ଗନାଥଜୀଙ୍କର ସ୍ୱର୍ଣ୍ଣବିମାନ ଦର୍ଶନୀୟ । ଏହାର କାରୁକାର୍ଯ୍ୟ ଉଚ୍ଚକୋଟୀର । ମନ୍ଦିରବେଢ଼ା ମଧ୍ୟରେ ଗୋଟିଏ ଛୋଟ ପୋଖରୀ ।

 

ସହରଟି ମଧ୍ୟମ ଧରଣର । ଏଠାରେ ବହୁତ ବୟନଶିଳ୍ପ କେନ୍ଦ୍ର ଅଛି । ସୁନ୍ଦର କୋଠାବାଡ଼ି, ଅଫିସ, ସ୍କୁଲ ଓ କଲେଜ ପ୍ରଭୃତି ଏଠାରେ ଦେଖାଯାଏ । ଲୋକମାନେ ବେଶ ଶାନ୍ତ ଓ ମିଷ୍ଟଭାଷୀ । ରାସ୍ତାଗୁଡ଼ିକ ପରିଷ୍କୃତ ପରିଚ୍ଛନ୍ନ । ବଡ଼ବଜାରରେ ଟାଉନହଲ ଅଛି । ପ୍ରଥମେ ଏହା ଗୋଟିଏ ପ୍ରାସାଦ ଥିଲା । ଏବେ ଏହା ଟାଉନହଲ ହୋଇଛି । ଏଠାରେ ଏକ ସାଧାରଣପାଠାଗାର ପ୍ରତିଷ୍ଠିତ । ଏଠାର କ୍ୟାଣ୍ଟନ୍‌ମେଣ୍ଟ ଅଞ୍ଚଳରେ କଚେରୀ ଓ ସରକାରୀ ଅଫିସ୍‌ ସବୁ ଅଛି । ନଗରୀର କିଛି ଦୂରରେ ରାମକୃଷ୍ଣ ତପୋବନ ଓ ବିବେକାନନ୍ଦ ବିଦ୍ୟାଭବନ । ଖ୍ରୀ. ୧୯୫୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ଥିଲା ୨ ଲକ୍ଷ ୧୮ ହଜାର । ହିନ୍ଦୁମାନଙ୍କର ସଂଖ୍ୟା ବେଶୀ-। ଏଠାରେ ପାଞ୍ଚଟି କଲେଜ, ଚଉଦଟି ଉଚ୍ଚ ବିଦ୍ୟାଳୟ ଏବଂ ଅସଂଖ୍ୟ ପ୍ରାଥମିକ ବିଦ୍ୟାଳୟ ଅଛି-। ତନ୍ତଶିଳ୍ପ, ମାଟିବାସନ ଓ ସିଗାରେଟ୍ ପ୍ରଭୃତିର କାରଖାନା ଏଠାରେ ରହିଛି । ଅଳ୍ପଦିନ ହେଲା ଆକାଶ ବାଣୀଭବନ ଏଠାରେ ପ୍ରତିଷ୍ଠିତ ହୋଇଛି ।

 

ରେଲଷ୍ଟେସନରୁ ଶ୍ରୀରଙ୍ଗନାଥଜୀମନ୍ଦିରକୁ ସିଟି ବସ୍‌ରେ ଗଲାବେଳେ ଆଗରେ ପଡ଼ିଲା ଏକ ପର୍ବତ । ପର୍ବତ ଉପରେ ଦୁର୍ଗଟିଏ ଓ ତା’ ପାଖରେ ମନ୍ଦିରଟିଏ । ଏହି ମନ୍ଦିରର ନିର୍ମାଣ ଏକ ରହସ୍ୟ ପରି ମନେ ହେଲା । ଫେରିଲାବେଳେ ଉପରକୁ ଉଠି ଦେଖିବାକୁ ଯିବି ବୋଲି କଳ୍ପନା କରିଥିଲି । ଲଙ୍କାରୁ ଫେରିଲା ପରେ ଖିଆପିଆର ଅସୁବିଧା ଓ ଉପଯୁକ୍ତ ବିଶ୍ରାମର ଅଭାବ ହେତୁ ଦୁର୍ବଳ ହୋଇପଡ଼ିଥିଲି । ଉପରକୁ ଉଠିବାକୁ ମନ ଅବୟବମାନଙ୍କ ଉପରେ ଯେତେ ପ୍ରଭାବ ପକାଇଲେ ସୁଦ୍ଧା ମାସ ମାସ ଧରି ତାର କଡ଼ା ନିର୍ଦ୍ଦେଶକୁ ମାନି ମାନି କ୍ଲାନ୍ତ ହୋଇଥିବାରୁ ଏତେବେଳେ ସେମାନେ ତା କଥା ମାନିଲେ ନାହିଁ । ଶେଷକୁ ମନକୁ ଚୁପ୍ ମାରି ରହିବାକୁ ହେଲା । ଗଣତନ୍ତ୍ର ଶାସନରେ ଏକଛତ୍ରବାଦର କ୍ଷମତା ସର୍ବଦା ଓ ସର୍ବତ୍ର ହାରମାନେ । ଏଣୁ ପର୍ବତ ଉପରକୁ ଉଠିଲି ନାହିଁ । ପର୍ବତର ନିମ୍ନ ଦେଶରୁ ଯାହା ଦେଖିଲି ଓ ଯେଉଁ ତଥ୍ୟ ସଂଗ୍ରହ କଲି ସେଥିରେ ସନ୍ତୁଷ୍ଟ ହୋଇଫେରିଲି ।

 

ମନ୍ଦିର ଓ ଦୁର୍ଗବିଷୟରେ କିମ୍ବଦନ୍ତୀ:—ଏକଦା ଶିବ ମେରୁ ପର୍ବତରେ ତପସ୍ୟା କରୁଥିଲେ । ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର ଏବଂ ଆଦିଶେଷ ପ୍ରଭୃତି ଦେବତାମାନେ ସେଠାକୁ ଶିବଙ୍କର ଦର୍ଶନାର୍ଥେ ଯାଇଥିଲେ । ସେମାନେ ବାସୁକିକୁ ତାର କର୍ତ୍ତବ୍ୟ ପରାୟଣତା, ଶକ୍ତି ଓ ସହନଶୀଳତା ଯୋଗୁ ପ୍ରଶଂସା କଲେ, ମାତ୍ର ଏହି ପ୍ରଶଂସା ପବନର କର୍ଣ୍ଣଟ ଓ ଅପ୍ରୀତିକର ହେଲା । ସେ ବାସୁକିର ଓ ପ୍ରଶଂସାକୁ ସହି ନ ପାରି ତା ସହିତ ବଳପରୀକ୍ଷାକରିବା ପାଇଁ ଯୁଦ୍ଧ ମାଗିଲା । ବାୟୁ କହିଲା, ଏକ ଫୁତ୍କାରରେ ବାସୁକିକୁ ଉଡ଼ାଇଦେବ ଏବଂ ବାସୁକି କହିଲା, ଏକ ମୁହୂର୍ତ୍ତରେ ବାୟୁକୁ ଗିଳି ଦେବ । ଶେଷରେ ସର୍ତ୍ତ ରହିଲା ମେରୁପର୍ବତକୁ ବାସୁକି ଘେରି ରହିବ ଓ ବାୟୁ ବଳପ୍ରୟୋଗ କରି ଯଦି ବାସୁକିକୁ ମେରୁରୁ ଖସାଇଦିଏ, ତେବେ ସେ ବିଜୟୀ ହେବ । ବାସୁକି ମେରୁକୁ ଗୁଡ଼ାଇ ଧରିଲା ଏବଂ ବାୟୁ ଅଣଚାଶ ମୂର୍ତ୍ତି ଧାରଣ କରି ପ୍ରବଳବେଗରେ ବହିବାକୁ ଲାଗିଲା, କିନ୍ତୁ ବାସୁକିକୁ ଇଞ୍ଚେ ସୁଦ୍ଧା ତଳକୁ ଖସାଇପାରିଲା ନାହିଁ ।

 

ଧୀରେ ଧୀରେ ବାୟୁର ଗତି ତୀବ୍ରରୁ ତୀବ୍ରତର ଓ ତୀବ୍ରତମ ହେଲା । ଏପରିକି ପୃଥିବୀ ଦୋହଲିବାକୁ ଲାଗିଲା । ମେରୁରେ ଯୋଗରତ ଶିବଙ୍କର ତପସ୍ୟା ଭଙ୍ଗ ହେଲା, ଏଣୁ ସେ କୋପବିଷ୍ଟ ହୋଇ ଘଟଣାସ୍ଥଳରେ ଆସି ପହଞ୍ଚିଲେ । ଟିକିଏ କୋହଳ କରି ମେରୁକୁ ଭିଡ଼ିଧରିବା ପାଇଁ ଶିବ ବାସୁକିକୁ ଆଦେଶ ଦେଲେ । ବାୟୁର ସାହସ ବଢ଼ିଗଲା ଓ ସେ ଘୋର ଗର୍ଜ୍ଜନରେ ବହି ମେରୁରୁ ୩ ଖଣ୍ଡ ଉଡ଼ାଇଦେଲା । ପ୍ରଥମ ଖଣ୍ଡ ତ୍ରିଚିନାପଲ୍ଲୀରେ, ଦ୍ୱିତୀୟ ଖଣ୍ଡ କଳାହସ୍ତୀରେ ଓ ତୃତୀୟ ଖଣ୍ଡ ଲଙ୍କାରେ ପଡ଼ିଲା । ପ୍ରଥମ ଖଣ୍ଡ ହେଉଛି ତ୍ରିଚିନାପଲ୍ଲୀର ଏହି ଦୁର୍ଗ-ମନ୍ଦିର ।

 

ଷୋଡ଼ଶଶତାବ୍ଦୀରେ ଦକ୍ଷିଣ ଭାରତ ମୁସଲମାନଙ୍କ ଆକ୍ରମଣରେ ଆତଙ୍କତ ହେବାକୁ ଲାଗିଲା । ଏଠାର ପ୍ରାଚୀନ ମନ୍ଦିର ଓ ମୂର୍ତ୍ତି ପ୍ରଭୃତିକୁ ଧ୍ୱଂସ କରାଗଲା । ସେତିକିବେଳେ ବିଜୟନଗରର ପ୍ରଧାନ ଶାସକ ଏହି ପର୍ବତ-ଦୁର୍ଗର ଚାରିପାଖରେ ସୁଦୃଢ଼ ପ୍ରାଚୀର ତିଆରି କରାଇଲେ ।

☆☆☆

 

ବାଙ୍ଗାଲୋର

 

ତ୍ରିଚିନାପଲ୍ଲୀରୁ ବାଙ୍ଗାଲୋର ଯାତ୍ରା କଲି । ତ୍ରିଚିନାପଲ୍ଲୀରୁ ଏହାର ଦୂରତା ୨୮୮ ମାଇଲ । ପଥପ୍ରାନ୍ତରେ ଫଳ ଓ ପୁଷ୍ପେଦ୍ୟାନର ଦୃଶ୍ୟ ଅତୀବ ଚିତ୍ତାକର୍ଷକ । ବାଙ୍ଗାଲୋର ପୂର୍ଣ୍ଣତଃ ଆଧୁନିକ ନଗର । ଏହା ମହୀଶୂର ରାଜ୍ୟର ରାଜଧାନୀ । ଏହାର କ୍ଷେତ୍ରଫଳ ୨୬ ବର୍ଗମାଇଲ ଓ ୧୯୫୧ ଜଣଗଣନା ଅନୁଯାୟୀ ଲୋକସଂଖ୍ୟା ୭,୭୮,୯୭୭, । ଏବେ ଦେଢ଼କୋଟି ଟଙ୍କାରେ ଏକ ବିରାଟ ସୌଧ ନିର୍ମିତ ହୋଇଛି । ଏଥିରେ ରାଜ୍ୟର ବିଧାନସଭା ବସେ । ଏହାକୁ ଦେଖିଲେ ଦିଲ୍ଲୀ ପାର୍ଲାମେଣ୍ଟ୍‌ ଭବନ ମନେପଡ଼େ । ଏହି ସୌଧର ଆକୃତି, ବିଶାଳତା ଓ ଶିଳ୍ପଚାତୁରୀ ଅନୁପମ-

 

ସହରଟି ସୁନିର୍ମଳ । ବଡ଼ବଡ଼ କୋଠାବାଡ଼ି, ଦୋକାନ ବଜାର, ସାଧାରଣ ଅନୁଷ୍ଠାନ, ସ୍କୁଲ, କଲେଜ, ଓ ବଡ଼ ହୋଟେଲ ପ୍ରଭୃତିରେ ନଗର ସୁସଜ୍ଜିତ । ଏଠାରେ ହୋଟେଲ ମାଲିକମାନଙ୍କ ବ୍ୟବହାର ଉଚ୍ଚଧରଣର । ବାଙ୍ଗାଲୋରର ଜଳବାୟୁ ସ୍ୱାସ୍ଥକର । ଏଠାରେ ବାଙ୍ଗାଲୋର କଟନମିଲ୍‍ ଓ ବାଙ୍କିହାମ୍ କଟନମିଲ୍‌ସ ପ୍ରଭୃତି ଦେଖିବାର କଥା । କିନ୍ତୁ ସେତେବେଳେ ଏଠାରେ ଇନ୍‌ଫ୍ଲୁଏଞ୍ଜାର ପ୍ରକୋପ ଏତେ ପ୍ରବଳ ଥିଲା ଯେ, ମୁଁ ଏଠାରୁ ଶୀଘ୍ର ବାହାରିଯିବା ପାଇଁ ବ୍ୟଗ୍ର ହେଲି । ରେଳଷ୍ଟେସନ, ବସ୍‍ଷ୍ଟାଣ୍ଡ ଓ ରାସ୍ତାଘାଟ ସବୁଆଡ଼େ ଫ୍ଲୁରୋଗୀ ବୁଲୁଥାନ୍ତି । ମୁଁ ଏକୁଟିଆ ଥିବା ହେତୁ ଭୟଥାଏ, କାରଣ ଫ୍ଲୁରେ ଆକ୍ରାନ୍ତ ହେଲେ ମୋର ସେବା କରିବାକୁ ବା ଯତ୍ନନେବାକୁ କିଏ ଅଛି ? କେତେକ ଦର୍ଶନୀୟ ସ୍ଥାନ ଦେଖି ମହୀଶୂର ଯାତ୍ରା କଲି ।

 

ରାଜପ୍ରାସାଦ:—ଏହା ଦ୍ୱିତଳ ପ୍ରାସାଦ, ଏଥିରେ ବର୍ତ୍ତମାନ ହାଇକୋର୍ଟ ବସୁଛି । ଏହାର ସମାନରେ ରମଣୀୟ ଫୁଲଫଳ ବଗିଚା । ସନ୍ଧ୍ୟାବାୟୁସେବନ ଲାଗି ନଗରର ଶହ ଶହ ବିଳାସୀ ନରନାରୀ ଏଠାରେ ମିଳିତ ହୋଇ ଏହାର ଶୋଭାକୁ ଅଧିକ ବଢ଼ାଇ ଦିଅନ୍ତି ।

 

ବାଙ୍ଗାଲୋର ଯାଦୁଘରର ବୈଶିଷ୍ଟ୍ୟ ସେପରି କିଛି ନାହିଁ । ଏକ ସୁନ୍ଦର ଉପବନମଧ୍ୟରେ ଏହା ଅବସ୍ଥିତ । ଚାରିଆଡ଼େ ଶହ ଶହ ବୃକ୍ଷଲତାଭରା କୁଞ୍ଜ । ତା’ ମଧ୍ୟରେ ଏକ ଦ୍ୱିତଳ ପ୍ରାସାଦରେ ଯାଦୁଘର ପ୍ରତିଷ୍ଠିତ । ବିବିଧ ଜୀବଜନ୍ତୁଙ୍କ ଅସ୍ଥି, ଶୃଙ୍ଗ, କାଠ ଓ ପଥରର ବହୁବିଧ ପଦାର୍ଥ ଏବଂ ପ୍ରାଚୀନ ଯୁଗର ବିବିଧ ଉପକରଣ ପ୍ରଭୃତି ଏଠାରେ ସୁରକ୍ଷିତ । ସାମନାରେ ମହୀଶୂରର ପୂର୍ବତନ ରାଜା ଚମରାଜା ୱାଡ଼ିଆରଙ୍କର ପ୍ରସ୍ତରମୂର୍ତ୍ତି । ଉପର ମହଲାରେ ମୃତ ମଶପପକ୍ଷୀ ଓ ସାମୁଦ୍ରିକଜୀବଙ୍କର ଅସ୍ଥି ଓ ଶବ ନାନାବିଧ ପ୍ରସ୍ତର, ଖଣ୍ଡା, ଗୁଳି, ବାରୁଦ ଓ ବର୍ଚ୍ଛା । ପ୍ରଭୃତି ଦେଖିବାକୁ ମିଳେ ।

 

ଲାଲବାଗ:—ବାଙ୍ଗାଲୋର ଖ୍ୟାତିର ଅନ୍ୟତମ କାରଣ ଯାଦୁଘରରୁ କିଛି ଦୂରରେ ଅବସ୍ଥିତ ମହାରାଷ୍ଟ୍ର ଅଧିନାୟକ ଶିବାଜୀଙ୍କର ବିରାଟ ବ୍ରଞ୍ଚ ପ୍ରତିକୃତି । ଜଣାଯାଏ, ଗମନୋଦ୍ୟତ ଅଶ୍ୱପୃଷ୍ଟରେ ଛତ୍ରପତି ଶିବାଜୀ ସତେ ଯେପରି ଦିଲ୍ଲୀ ଅଭିମୁଖେ ଧାବମାନ । ସେଠାରୁ ପ୍ରାୟ ୨ ଫରଲଙ୍ଗ ଗଲେ ଲାଲାବାଗ । ଏହାର ସୌନ୍ଦର୍ଯ୍ୟ ଅତୁଳନୀୟ । ବହୁ ମନୋରମ ତଥା ଦୁର୍ଲଭ ବୃକ୍ଷଲତାରେ ଉଦ୍ୟାନଟି ଭରପୂର । ପାଶ୍ଚାତ୍ୟ ବୃକ୍ଷଲତା ମଧ୍ୟ ଏଥିରେ ବହୁ ପରିମାଣରେ ଦେଖାଯାଏ । ଏହାକୁ ନବାବ ହାଇଦରଅଲୀ ପ୍ରତିଷ୍ଠା କରାଇଥିଲେ । ଟିପୁସୁଲତାନ ମଧ୍ୟ ଏହି ଉଦ୍ୟାନର ବହୁବିଧ ଉନ୍ନତି ସାଧନ କରିଥିଲେ । ମୋଗଲ ନବାବମାନଙ୍କ ଅମଳରେ ଏହି ଉଦ୍ୟାନ ସେମାନଙ୍କର ପ୍ରଧାନ କ୍ରୀଡ଼ାସ୍ଥଳୀ ଥିଲା ।

 

ଏଠାରେ ଚନ୍ଦନତେଲ ଓ ସାବୁନ୍‍ କାରଖାନା, ଗରମକପଡ଼ା, ଉଲ୍ ଓ ଶିଲ୍‌କର କାରଖାନା, ଉଡ଼ାଜାହାଜ କାରଖାନା ଓ ବଙ୍କିହାମ୍ କର୍ଣ୍ଣାଟିକମିଲ୍‌ସ ପ୍ରଭୃତି ଅଛି । ବାଙ୍ଗାଲୋରର ଷ୍ଟେଟହୋଟେଲର ସାଜସଜ୍ଜା ଅତୀବ ପ୍ରଶଂସନୀୟ । ଏହାର କାନ୍ଥରେ ରାଧାକୃଷ୍ଣ, ବିରହାବସ୍ଥାରେ ସଖିମଣ୍ଡଳପରିବେଷ୍ଟିତ ଦମୟନ୍ତୀ ଓ ଶକୁନ୍ତଳାଭରତଙ୍କ ଚିତ୍ର ଅତୀବ ରମଣୀୟ ।

 

ବାଙ୍ଗାଲୋର ସହରର ସାଜସଜ୍ଜା ବେଶ୍ ରମଣୀୟ । ଜଳବାୟୁ ସ୍ୱାସ୍ଥ୍ୟକର । ନାଗରିକମାନେ ସୁରକ୍ଷିତ, ମିଷ୍ଟଭାଷୀ ଓ ଭଦ୍ର । ଏଠାରେ ଏବେ ଜାପାନ ସରକାରଙ୍କର ସହଯୋଗଫଳରେ ଘଡ଼ି କମ୍ପାନୀଟିଏ ପ୍ରତିଷ୍ଠିତ । ଫଳ ପୁଷ୍ପର ଉଦ୍ୟାନରେ ଏ ସ୍ଥାନ ଭରପୂର । ଦକ୍ଷିଣଭାରତର ଏହା ସର୍ବୋତ୍କୃଷ୍ଟ ସହରରୂପେ ପରିଚିତ । ଏଠା ବିଧାନସଭା ଅଟ୍ଟାଳିକା ଭୁବନେଶ୍ୱରର ସେକ୍ରେଟାରୀଏଟ୍ ଭଳି ସୁବୃହତ୍ ଓ ଦର୍ଶନୀୟ ।

☆☆☆

 

ମହୀଶୂର

 

ବାଙ୍ଗାଲୋରରୁ ମହୀଶୂରର ଦୂରତା ମାତ୍ର ୮୬ ମାଇଲ୍ । ଟ୍ରେନରେ ଗଲେ ପ୍ରାୟ ୬ ଘଣ୍ଟା ଲାଗେ । ମହୀଶୂର ଦକ୍ଷିଣ ଭାରତର ଅନ୍ୟତମ ସମୃଦ୍ଧିଶାଳୀ ନଗର । ଏହାର କ୍ଷେତ୍ରଫଳ ୧୫ ବର୍ଗ ମାଇଲ୍ ଓ ଲୋକସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । କେହି କେହି ଏହାକୁ ଦକ୍ଷିଣଭାରତର ଶ୍ରେଷ୍ଠ ନଗରରୂପେ ବିବେଚନା କରିଥାନ୍ତି । ବାଙ୍ଗାଲୋରର ଆୟତନ ବଡ଼ ହେଲେ ସୁଦ୍ଧା ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ ଉପବନ, ଚନ୍ଦନତେଲ ଓ ସୁବାସିତ ସାବୁନ କାରଖାନା, ପରିଷ୍କୃତ ରାଜପଥ ଓ ନଭଶ୍ଚୁମ୍ଭୀ ସୁସଜ୍ଜିତ ଅଟ୍ଟାଳିକା ପ୍ରଭୃତି ଯୋଗୁଁ ଏହାକୁ ଦକ୍ଷିଣଭାରତର ‘ନନ୍ଦନକାନନ’ ଆଖ୍ୟା ଦିଆଯାଇଛି । ମହୀଶୂର ରାଜପ୍ରାସାଦ ଏକାନ୍ତ ଚିତ୍ତାକର୍ଷକ । ଦୀପାବଳୀ ଉତ୍ସବ ଏଠାରେ ମହାସମାରୋହରେ ପାଳିତ ହୁଏ । ଏଠାକାର ଦୁର୍ଗାପୂଜା ଉତ୍ସବ ଦକ୍ଷିଣଭାରତର ପ୍ରସିଦ୍ଧ । ମହୀଶୂରର ଭାଷା ହେଉଛି କେନେରିଜ୍ ।

 

ଷ୍ଟେସନଠାରୁ ଖଣ୍ଡିଏ ଟାକ୍‌ସି କରି ସହର ବୁଲି ବାହାରିଲି । ବାଟରେ ରାଜପ୍ରସାଦ ପଡ଼ିଲା । ଏହି ରାଜାପ୍ରାସାଦରେ ସୁଷମାର ଚରମ ଆଦର୍ଶ ପ୍ରତିଫଳିତ । ଦ୍ୱାରଦେଶରେ ପୂର୍ବତନ ମହାରାଜା କୃଷ୍ଣରାଜ ୱାଡ଼ିୟାରଙ୍କର ସୁନ୍ଦର ପ୍ରତିମୂର୍ତ୍ତି । ମୂର୍ତ୍ତିଟିର ଉଚତା ୧୫ ଫୁଟ । ଏହାର ନିର୍ମାଣ କାଳ ୧୪ ବର୍ଷ । ରାଜପ୍ରାସାଦଟି ବର୍ତ୍ତମାନ ରାଜଭବନରେ ପରିଣତ ହୋଇଛି । ମହୀଶୂରର ମହାରାଜା ହେଉଛନ୍ତି ମହୀଶୂର ପ୍ରଦେଶର ରାଜ୍ୟପାଳ । ଏଥିରୁ ରାଜାଙ୍କର ଲୋକପ୍ରିୟତା ଜଣାପଡ଼େ । ଏହି ପ୍ରଦେଶରେ ଶତକଡ଼ା ୭୦ ଭାଗ ମୁସଲମାନ ହେଲେହେଁ ରାଜା ହେଉଛନ୍ତି ହିନ୍ଦୁ । ରାଜ ପ୍ରାସାଦଟି ପ୍ରତି ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ । ମୋର ଦୁର୍ଭାଗ୍ୟକୁ ସେତେବେଳେ ଗନରରେ ଫ୍ଲୁର ପ୍ରକୋପଥିବାରୁ ସାଧାରଣ ପ୍ରବେଶ ଲାଗି ଏହା ବନ୍ଦ ଥିଲା । ତେଣୁ ରାଜ ପ୍ରାସାଦର ଆଭ୍ୟନ୍ତରୀଣ ଦୃଶ୍ୟ ଓ ସାଜସଜ୍ଜା ଦେଖିବାରୁ ବଞ୍ଚିତ ହେଲି । ପ୍ରାୟ ୪ଟାବେଳେ କାବେରୀବନ୍ଧ ଓ ‘ବୃନ୍ଦାବନ ଉଦ୍ୟାନ’ ଦେଖିବାକୁ ବାହାରିଲି । ଏହାର ସାନ୍ଧ୍ୟଦୃଶ୍ୟ ଅତୀବ ରମଣୀୟ । ତେଣୁ ସକାଳବେଳା ନ ଯାଇ ସନ୍ଧ୍ୟା ସମୟରେ ଏଠାକୁ ଗଲି । ଉପରଓଳି ଟ୍ରେନ ବା ବସ୍‌ର ସୁବିଧା ନ ଥିବାରୁ ବାଧ୍ୟ ହୋଇ ଟାକ୍‌ସିଟିଏ କଲି । ସହରରୁ ଏହାର ଦୂରତା ୧୨ ମାଇଲ୍ । ସୁନ୍ଦର ପାହାଡ଼ିଆ ରାସ୍ତା ଦେଇ ମୋଟର ସର୍ପିଳଗତିରେ ଚାଲିଥାଏ । ପ୍ରାୟ ସନ୍ଧ୍ୟା ୬ଟାରେ ଏଠାରେ ପହଞ୍ଚିଲି । କାବେରୀନଦୀ ଉପରେ ହୀରାକୁଦ ବନ୍ଧପରି ଏକ ବଡ଼ବନ୍ଧ । ଏହାର ଦୈର୍ଘ୍ୟ ୨ ମାଇଲ ୨ ଫରଲଙ୍ଗ ଓ ଏଥିରେ ୧୬ଟି ଅଟୋ ବ୍ରିଜ୍ ଅଛି । ଆଧୁନିକ ଧରଣର ସୁଇସ୍ ଯୋଗେ ଏହା ତିଆରି । ନଦୀର ଦୃଶ୍ୟ ଏକାନ୍ତ ଚିତ୍ତାକର୍ଷକ । ନଦୀମଧ୍ୟଭାଗରେ ଏକ କ୍ଷୁଦ୍ର ଭୂଭାଗ (ପଠା) । ଏହିଠାରେ ‘ବୃନ୍ଦାବନ ଉଦ୍ୟାନ’ ପ୍ରତିଷ୍ଠିତ । ଚାରିଆଡ଼େ ବିଭିନ୍ନ ଫୁଲପଟାଳିରେ ଉଦ୍ୟାନଟି ଶୋଭିତ । ବିଭିନ୍ନ ରଙ୍ଗର ବହୁବିଧ ଫୁଲ ଓ ଘାସରେ ଉଦ୍ୟାନଟି ଅଳଂକୃତ ହୋଇ ନବାଗତ ଦର୍ଶକକୁ ସ୍ୱାଗତ ଜଣାଇଲାପରି ମନେ ହେଲା । କେତେକ ସ୍ଥାନରେ ଅନେକ ବିଦେଶୀପତ୍ରପଟାଳି । କୃତ୍ରିମ ଉତ୍ସଗୁଡ଼ିକରୁ ସହସ୍ର କ୍ଷୀଣଧାରାରେ ଊର୍ଦ୍ଧ୍ୱକୁ ଉଠି ଅଧୋଗାମୀ ହେଉଥିବା ଜଳର ଦୃଶ୍ୟ ଦର୍ଶକକୁ ସ୍ୱପ୍ନ ରାଜ୍ୟକୁ ନେଇଯାଏ । ପ୍ରକୃତି ଉପାସନା ପାଇଁ ଭାରତରେ ଯଦି ପ୍ରଥମ ୩ଟି ସ୍ଥାନର ତାଲିକା କରାଯାଏ, ତା’ହେଲେ କାଶ୍ମୀର, ମହୀଶୂରର ବୃନ୍ଦାବନ ଉଦ୍ୟାନ ଓ ହରଦ୍ୱାକ ବିବେଚିତ ହେବ । ଏହି ଉଦ୍ୟାନକୁ “ଦକ୍ଷିଣଭାରତର ନନ୍ଦନକାନନ” ଆଖ୍ୟା ଦିଆଯାଇଛି । କାବେରୀ ବନ୍ଧର ଅପରପାର୍ଶ୍ୱରେ ଏକ ସୂଦୂରପ୍ରାସାରୀ ଜଳଭଣ୍ଡାର । ଏଥିରେ ୪୪,୦୦୦ କ୍ୟୁବିକ୍ ଜଳ ସଂରକ୍ଷିତ ଓ ଏହାର ଆୟତନ ୫୦ ବର୍ଗମାଇଲ୍ । ବନ୍ଧର ନିର୍ମାଣରେ ୨୦ ବର୍ଷ ସମୟ ଓ ୨ ଲକ୍ଷ ମୁଦ୍ରା ଲାଗିଥିଲା । ଏହାର ଶୋଭାସମ୍ଭାର ଉପଭୋଗ କରିବାଲାଗି ଭାରତରୁ ତଥା ଭାରତବାହାରୁ ହଜାର ହଜାର ଦର୍ଶକ ଏଠାକୁ ଆସନ୍ତି । ଏହା ଭାରତର ଶ୍ରେଷ୍ଠ ପୁଷ୍ପୋଦ୍ୟାନ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତି ରବିବାର ବିଭିନ୍ନ ରଙ୍ଗର ଆଲୋକରେ ଉଦ୍ୟାନଟି ସୁସଜ୍ଜିତ ହୁଏ । ଊର୍ଦ୍ଧ୍ୱଗାମୀ ଜଳଧାରାଦେହରେ ରଙ୍ଗୀନ ଆଲୋକର ପ୍ରତିଫଳନଦ୍ୱାରା ଶତ ଶତ ଇନ୍ଦ୍ରଧନୁର ସୃଷ୍ଟି ହୋଇ ଦର୍ଶକକୁ ଅତିନ୍ଦ୍ରିୟରାଜ୍ୟର ପଥିକ କରେ । ଏଠାରେ ପାଇନ୍ ଓ ଝାଉଁବଣର ଦୃଶ୍ୟ ଅତୀବ ରମଣୀୟ । ଏହି ଉଦ୍ୟାନର ଆୟତନ ୫୦୦×୨୦୦ ଗଜ । କାବେରୀ ବନ୍ଧପାଖରେ କାବେରୀମାତାଙ୍କର ୪ ଫୁଟ୍ ଉଚ୍ଚ ଏକ ପଥର ମୂର୍ତ୍ତି ପୂଜିତ । ଉଦ୍ୟାନରେ କୃଷ୍ଣରାଜ ସାଗର ହୋଟେଲ । ଏହା ଏକ ଦ୍ୱିତଳ ପ୍ରାସାଦ । ଏଠାରେ ଖାଇବା ଓ ରହିବା ପାଇଁ ଦିନକୁ ଟ ୧୮ଙ୍କା ପଡ଼େ । ସେତେବେଳେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଅଞ୍ଜଳି ଦେବୀ ଫ୍ଲୁରେ ଆକ୍ରାନ୍ତ ହୋଇ ଜଳବାୟୁ ବଦଳାଇବା ପାଇଁ ଏଠାକୁ ଆସିଥାନ୍ତି । ତାଙ୍କର ପୁଅ ସଙ୍ଗରେ ଏଠାରେ ମୋର ଦେଖାହେଲା । ମାତ୍ର ଚେଷ୍ଟା କରି ମଧ୍ୟ ଅଞ୍ଜଳି ଦେବୀଙ୍କୁ ଦେଖିବାର ସୁଯୋଗ ପାଇଲି ନାହିଁ । ବୃନ୍ଦାବନ ଉଦ୍ୟାନକୁ ଯିବା ରାସ୍ତାରେ ଚାମୁଣ୍ଡା ପର୍ବତ । ଏହି ପର୍ବତରେ ଚାମୁଣ୍ଡେଶ୍ୱରୀଦେବୀ ପୂଜାପାଆନ୍ତି । ରାଜକୋଷରୁ ପ୍ରଚୁର ଅର୍ଥବ୍ୟୟରେ ଏହା ନିର୍ମିତ ଓ ଏବେ ସୁଦ୍ଧା ଏହି ମନ୍ଦିର ପରିଚାନଳ ନିମିତ୍ତ ଅଜସ୍ର ଅର୍ଥ ବ୍ୟୟିତ ହେଉଛି ।ଏହାର ଉପରକୁ ଯିବାଲାଗି ୧୦୦୦ଟି ପାହାଚ ଅଛି । ଦୁର୍ଗାପୂଜା ସମୟରେ ଏହି ମନ୍ଦିର ଓ ପାହାଡ଼ର ଶୋଭା ଅନୁପମ । ସମଗ୍ର ନଗରର ପ୍ରଜା ଏପରିକି ମୁସଲମାନମାନେ ମଧ୍ୟ ଏଥିରେ ଯୋଗ ଦିଅନ୍ତି । ବିରାଟ ଶୋଭାଯାତ୍ରା ବାହାରେ । ତାହାର ସମ୍ମୁଖ ଭାଗରେ ମହାରାଜା ହାତୀରେ ବସି ଯାଆନ୍ତି । ଲକ୍ଷ ଲକ୍ଷ ନରନାରୀଙ୍କର ଆନନ୍ଦଧ୍ୱନିରେ ନଗରଟି ପ୍ରକମ୍ପିତ ହେଉଥାଏ । ଏ ଉତ୍ସବପାଳନ ପାଇଁ ମହାରାଜା ରାଜକୋଷରୁ ଅଜସ୍ର ଅର୍ଥ ଦାନ କରନ୍ତି । ଏହି ମନ୍ଦିରର ବିରାଟକାୟ ଷଣ୍ଢମୂର୍ତ୍ତି ଓ ବିକଟାଳ ରାକ୍ଷସମୂର୍ତ୍ତି ଦର୍ଶକର ଅନ୍ତରରେ ଯୁଗପତ୍ ଭୟ ଓ ବିସ୍ମୟ ସଞ୍ଚାର କରେ ।

 

ନଗରର ସୌଧମାଳା ଓ ବିପଣୀମାନଙ୍କର ସାଜସଜ୍ଜା ଚମତ୍କାର । ଏଠାରେ ଅତର ଓ ସୁବାସିତ ତୈଳକରାଖାନା ଅଛି ମହାରାଜା କଲେଜ, ମହାରାଣୀ କଲେଜ, ଅସଂଖ୍ୟ ବୈଷୟିକ ଶିକ୍ଷା କେନ୍ଦ୍ର, ବହୁ ସ୍କୁଲ ଓ ସରକାରୀ ଅଫିସ୍ ଏଠାରେ ଅଛି । ନାଗରିକମାନେ ବେଶ୍ ମିଷ୍ଟାଳାପୀ । ଆଗନ୍ତୁକମାନଙ୍କୁ କୁଶଳପ୍ରଶ୍ନ ପଚାରି ଏମାନେ ଆପ୍ୟାୟିତ କରନ୍ତି । ଏଠାରେ ରିକ୍‌ସା ଓ ଟାକ୍‌ସି ବହୁ ପରିମାଣରେ ଥାଏ । ରାସ୍ତାଗୁଡ଼ିକ ପ୍ରଶସ୍ତ, ପରିଷ୍କୃତ ଓ ପରିଚ୍ଛନ୍ନ । ଏଠାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ସୌଖୀନ ପଦାର୍ଥ, ଚନ୍ଦନକାଠ, ଚନ୍ଦନତେଲ, ଅତର, ସୁବାସିତ ସାବୁନ, କୁଙ୍କୁମ, ପଶମ ଓ ରେଶମକପଡ଼ା ଏବଂ ସୂକ୍ଷ୍ମକାର୍ଯ୍ୟ ପ୍ରଭୃତି ଭାରତର ବିଭିନ୍ନପ୍ରାନ୍ତକୁ ଓ ଭାରତବାହାରକୁ ରପ୍ତାନି କରାଯାଏ ।

☆☆☆

 

କାଞ୍ଚିପୁର

 

ମାନ୍ଦ୍ରାଜରୁ କାଞ୍ଚିର ଦୂରତା ୫୦ ମାଇଲ । ଲଙ୍କାରୁ ଫେରି ମାନ୍ଦ୍ରାଜରେ କିଛିଦିନ ଅବସ୍ଥାନ କରୁଥିବା ସମୟରେ ମୋର କାଞ୍ଚିପୁରକୁ ଯିବାର ସୁଯୋଗ ଘଟିଥିଲା । ମାନ୍ଦ୍ରାଜର ବନ୍ଧୁ ଶ୍ରୀ ସୁନ୍ଦରଭାଷ୍ୟମ୍ ନାଇଡ଼ୁଙ୍କୁ ପୁତୁରା ଶ୍ରୀ ରାଧାକୃଷ୍ଣନ୍ ମୋର ସହଯାତ୍ରୀ ହେଲେ । ମାନ୍ଦ୍ରାଜ ଷ୍ଟେସନରୁ ବସ୍‍ ଯୋଗେ ଯାତ୍ରା କଲୁ । ପ୍ରାୟ ୩ ଘଣ୍ଟାରେ କାଞ୍ଚିରେ ପହଞ୍ଚିଲୁ । ଏହି ନଗରୀ ମାନ୍ଦ୍ରାଜର ଦକ୍ଷିଣପଶ୍ଚିମରେ ଅବସ୍ଥିତ । ଏହା ଏକ ପ୍ରାଚୀନ ନଗରୀ । ଏହାର ପୌରାଣିକ ତଥା ଐତିହାସିକ ପ୍ରସିଦ୍ଧି ଯେକୌଣସି ଲୋକକୁ ବିହ୍ୱଳ କରିବ । ପୁରୀରୁ ଏହାର ଦୂରତା ପ୍ରାୟ ୮୦୦ ମାଇଲ ହେଲେ ମଧ୍ୟ ଉତ୍କଳ ଗଜପତି ବୀରପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିଥିଲେ । ସେତେବେଳେ ଓଡ଼ିଆର ଜାତୀୟପତାକା ଫର ଫର ହୋଇ ଉଡ଼ିଥିଲା ଏହି କାଞ୍ଚିପ୍ରାସାଦ ଉପରେ-। ଯେଉଁ ବୀର ଓଡ଼ିଆ ଦର୍ପରେ ଧାଇଁ ଯାଇଥିଲେ କାଞ୍ଚିଜୟ କରି ଓଡ଼ିଆର ଜୈତ୍ରପତାକା ଦେଶ ବିଦେଶକରେ ଉଡ଼ାଇବା ପାଇଁ, ଆଜି ତାଙ୍କ ବଂଶଧର ଭୀରୁ, ଦୁର୍ବଳ ଓ ବୁଭୁକ୍ଷୁ ହୋଇ ପେଟବିକଳରେ ଧାଇଁଛନ୍ତି କୁଲିଗିରି କରିବାକୁ ଆସାମ ଓ କଲିକତା ଅଭିମୁଖେ ।

 

ଭାରତର ସପ୍ତତୀର୍ଥ ମଧ୍ୟରେ କାଞ୍ଚି ଅନ୍ୟତମ । କାଞ୍ଚିଦୁଇ ଭାଗରେ ବିଭକ୍ତ— ଶିବକାଞ୍ଚି ଓ ବିଷ୍ଣୁ କାଞ୍ଚି । ବହୁଳ ଶିବ ମନ୍ଦିର ଓ ବିଷ୍ଣୁମନ୍ଦିର ଏଠାରେ ଦୃଷ୍ଟିଗୋଚର ହୁଏ । ପ୍ରାଧାନ ବିଷ୍ଣୁ ମନ୍ଦିରର ନାମ ଶ୍ରୀ ବରଦରାଜସ୍ୱାମୀମନ୍ଦିର ।

 

ବ୍ରହ୍ମାଣ୍ଡପୁରାଣର ଶ୍ରୀ ହସ୍ତିଗିରି ମହାତ୍ମ୍ୟରେ ଲିଖିତ ଅଛି, ବ୍ରହ୍ମାଙ୍କର ମାନସିକ ବିକୃତି ହେତୁ ସେ ସୃଷ୍ଟି କରିବାରୁ ବିରତ ହୋଇ ଗଙ୍ଗାକୂଳରେ ତପସ୍ୟା କଲେ । ସେତେବେଳେ ସେ ଏକ ଅଶରୀରୀ ବାଣୀ ଶୁଣିବାକୁ ପାଇଲେ ଯେ, ଏକହଜାର ଯାଗକଲେ ସେ ଏଥିରୁ ମୁକ୍ତି ପାଇବେ । ତାଙ୍କ ଜୀବଦ୍ଦଶାରେ ସେ ଏକହଜାର ଯଜ୍ଞ କରିପାରିଲେ ନାହିଁ । ତେଣୁ ବିଷର୍ଣ୍ଣ ହୋଇ ବସିଥିବାବେଳେ ପୁଣି ଶୂନ୍ୟରୁ ଶୁଣିଲେ, “ସତ୍ୟବ୍ରତକ୍ଷେତ୍ରରେ ଗୋଟିଏ ଯଜ୍ଞ କଲେ ତାହା ଏକହଜାର ଯଜ୍ଞ ସଙ୍ଗେ ସମାନ ହେବ” । ତେଣୁ ସେ ଏଠାରେ ଗୋଟିଏ ଅଶ୍ୱମେଧ ଯଜ୍ଞ କଲେ । ବର୍ତ୍ତମାନ କାଞ୍ଚିର ବରଦରାଜସ୍ୱାମୀଙ୍କର ମନ୍ଦିର ହିଁ ତତ୍‌କାଳୀନ ଯଜ୍ଞର ଉତ୍ତର ବେଦୀ ଥିଲା । ତା’ପରେ ସରସ୍ୱତୀଦେବୀ ବେଗବତୀ ନଦୀରୂପରେ ଆସି ଯଜ୍ଞ ଭାଙ୍ଗିବାକୁ ବସିଲେ । ଏଣୁ ବ୍ରହ୍ମା ବିଷ୍ଣୁଙ୍କର ସାହାଯ୍ୟ ଲୋଡ଼ିଲେ । ବିଷ୍ଣୁ ଯଜ୍ଞ ସ୍ଥାନକୁ ଆସି ବେଙ୍ଗବତୀ ନଦୀକୁ ଅଟକାଇଲେ । ଯଜ୍ଞ ନିର୍ବିଘ୍ନରେ ସମ୍ପନ୍ନ ହେଲା । ବ୍ରହ୍ମା ଖୁସି ହୋଇ ବିଷ୍ଣୁଙ୍କ ଅନେକ ସ୍ତୁତିକଲେ । ବିଷ୍ଣୁ ତାଙ୍କର ସ୍ତୁତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ବିଷ୍ଣୁଙ୍କର ଅନୁକୂଳ ଅବସ୍ଥା ଦେଖି ବ୍ରହ୍ମା ତାଙ୍କୁ ସବୁଦିନ ପାଇଁ ସେଠାରେ ରହିବାକୁ ବର ମାଗିଲେ । ବିଷ୍ଣୁ ସ୍ୱୀକୃତି ଦେଲେ ।

 

ହସ୍ତିଗିରି ପର୍ବତଉପରେ ଦେବରାଜସ୍ୱାମୀଙ୍କ ମନ୍ଦିର । ମନ୍ଦିରର ମୁଖ ପୂର୍ବଦିଗକୁ । ବ୍ରହ୍ମାଙ୍କ ଅନୁରୋଧକ୍ରମେ ବିଷ୍ଣୁ ଏଠାରେ ରହିବାରୁ ବ୍ରହ୍ମା ଆନନ୍ଦରେ ଏକ ଭୋଜିର ବନ୍ଦୋବସ୍ତ କରିଥିଲେ । ତାହାର ସ୍ମୃତିରକ୍ଷା ନିମନ୍ତେ ଏବେ ସୁଦ୍ଧା ଏଠାରେ ବ୍ରହ୍ମୋତ୍ସବ ଦିନ ବିପୁଳ ଭୋଜିର ଆୟୋଜଜନ ହୁଏ । ପ୍ରବେଶଦ୍ୱାରର ଗୋପୁର ବା ମୁଖଶାଳା ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ । ଦ୍ୱିତୀୟ ଭେଙ୍କଟପତି ରାଜା ଏହାର ନିର୍ମାତା । ଏହାଙ୍କର ଗୁରୁ କୋଟିକନ୍ୟକାଦାନ ଲକ୍ଷ୍ମୀକୁମାର ଥାଟଦେଶିକଙ୍କ ନିର୍ଦ୍ଦେଶରେ ରାଜା ଏହାକୁ ନିର୍ମାଣ କରିଥଲେ । ଏହି ପୁଣ୍ୟକୋଟିବିମାନ ଓ ଶତସ୍ତମ୍ଭ ମଣ୍ଡପ ନିର୍ମାଣରେ ବହୁ ଅର୍ଥ ବ୍ୟୟିତ ହୋଇଥିଲା । ମନ୍ଦିରର ଶିଳା ଲେଖାରୁ ଜଣାଯାଏ, ସେ ସେତେବେଳେ ମନ୍ଦିରର ସାଧାରଣ ସଂପାଦକ ଥିଲେ । ମନ୍ଦିରର ଚାରିପାଖରେ ଚାରିଗୋଟି ଗରୁଡ଼ମୂର୍ତ୍ତି । ମନ୍ଦିରର ସାମନାରେ ୨୫’ ଉଚ୍ଚ କଳାମୁଗୁନି ପଥରର ଗରୁଡ଼ ସ୍ତମ୍ଭ । ଅନ୍ୟଠାରେ ଦୁଇଟି ବିଜୟସ୍ତମ୍ଭ—ଗୋଟିଏ ପଥରର ଓ ଅନ୍ୟଟି ପିତଳର । ପୁରୀଜଗନ୍ନାଥଙ୍କ ଗୁଣ୍ଡିଚାଯାତ ପରି ଏଠାରେ ମଧ୍ୟ ଗୁଣ୍ଡିଚାଯାତ ହୁଏ । ମନ୍ଦିରର ପ୍ରଧାନ ପୁଷ୍କରିଣୀନାମ ଅନନ୍ତ ସାରସ । ଏହାର ଆୟତନ ୧୬୦’× ୧୦୦’ । ଏହାର ପଶ୍ଚିମ ଘାଟରେ ଥିବା ମନ୍ଦିରର ଉପଅଂଶ, ସୁଦର୍ଶନଚକ୍ର, ରାମାନୁଜଙ୍କ ସ୍ମୃତି, ବସନ୍ତଉତ୍ସବ ମଣ୍ଡପ ଓ ସ୍ୱର୍ଣ୍ଣ ସ୍ତମ୍ଭମାନ ଦେଖିସାରିଲା ପରେ ଅଭିଷେକମଣ୍ଡପ ଆଡ଼େ ଗଲୁଁ । କିଛି ଦୂରରେ ଅଭିଷେକମଣ୍ଡପ । ଏହାର ପାଖରେ କିଲିମଣ୍ଡପ । ମନ୍ଦିରର ପବିତ୍ର ଉତ୍ସବମାନ ଏଠାରେ ଅନୁଷ୍ଠିତ ହୁଏ । ଏଠାରେ ମହାନବମୀ ଉତ୍ସବ ପାଳିତ ହୁଏ । ବର୍ଷକେ ଥରେ କେବଳ ଏହି ଦିନ ବରଦରାଜସ୍ୱାମୀ ଫେରୁଦେବୀଙ୍କ ଗହଣରେ ଏଠାରେ ବସନ୍ତି ।

 

ଶିବକାଞ୍ଚି:—ଏକାମ୍ରଶ୍ୱରମନ୍ଦିର ଏଠାରେ ବିଦ୍ୟମାନ । ଏହାର ପୂର୍ବପାଖର ଦରଜା ଖୁବ୍ ବଡ଼ । ଉଚ୍ଚତା ୧୨୮ ଫୁଟ୍ ଓ ସୁନ୍ଦର କାରୁକାର୍ଯ୍ୟ ସମ୍ବଳିତ । ଦକ୍ଷିଣପାଖରେ ଗଣେଶ ଓ ବାମ ପଟରେ କାର୍ତ୍ତିକେୟଙ୍କ ମୂର୍ତ୍ତି । ମଝିରେ ଦୁଇଟି ସୁନ୍ଦର ମଣ୍ଡପ । ଦୁଇପାଖରେ ଦୁଇଟି ପୋଖରୀ । ମନ୍ଦିରର ଚାରିକୋଣରେ ଚାରିଗୋଟି ଷଣ୍ଢମୂର୍ତ୍ତି । ଗୋଟିଏ କୋଣରେ ଶୟନ କରିଥିବା ଗୋଟିଏ ହାତୀର ମୂର୍ତ୍ତି । ଏଠାରେ ୧୦୮ଟି ଲିଙ୍ଗ । ବହୁତ ଶୈବ ଓ ଗାଣପତ୍ୟ ପ୍ରତ୍ୟହ ଏଠାକୁ ଆରାଧାନା କରିବାକୁ ଆସନ୍ତି । ତିନିଫୁଟ ଉଚ୍ଚ ସ୍ୱର୍ଣ୍ଣପତ୍ରଖଚିତ ପାର୍ବତୀଙ୍କତ୍ୱ ମୂର୍ତ୍ତି ଆମ୍ରତରୁତଳେ ପୂଜିତା । ପ୍ରବାଦ ଅଛି, ଗୌରା ଏଠାରେ ତପସ୍ୟାରତା ଥିଲା ।

 

ଇତିହାସରୁ ଜଣାଯାଏ, ଏହା ପୂର୍ବେ ଏକ ବିଖ୍ୟାତ ନଗରୀ ଥିଲା । ବୁଦ୍ଧଦେବ ଏଠାକୁ ଆସିଥିଲେ । ଏଠାରେ ସମ୍ରାଟ ଅଶୋକ ବହୁ ବୁଦ୍ଧମନ୍ଦିର ତଥା ସ୍ତୁପ ନିର୍ମାଣ କରାଇଥିଲେ ବୋଲି ଲୋକ ମୁଖରୁ ଶୁଣାଯାଏ । ଚୀନପରିବ୍ରଜକ ହୁଏନ୍‌ସାଂ ଏହାକୁ ପରିଦର୍ଶନ କରିବା ପାଇଁ ଆସିଥିଲେ । ଭାରତର ବିଖ୍ୟାତ ଅର୍ଥଶାସ୍ତ୍ରକାର ଚାଣକ୍ୟଙ୍କର ଏ ହେଉଛି ଜନ୍ମସ୍ଥାନ । ଭାରତସମ୍ରାଟ ଦାନଶୀଳ ହର୍ଷବର୍ଦ୍ଧନଙ୍କ ସ୍ଥାପିତ ନାଳନ୍ଦା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଧନପାଳ ଏହି କାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ଶଙ୍କର ଓ ରାମାନୁଜ ପ୍ରଭୃତି ଧର୍ମପ୍ରଚାରକମାନେ ଏଠାରେ ଧର୍ମଶାସ୍ତ୍ର ଉପରେ ବହୁ ଆଲୋଚନା କରି ଓ ମଠମାନ ନିମ୍ରାଣ କରି ଏହାର ପ୍ରାଧାନ୍ୟକୁ ବଢ଼ାଇ ଦେଇଥିଲେ ।

☆☆☆

 

ପଣ୍ଡିଚେରୀ

 

ଅକ୍ଟୋବର ୧୯୫୭ । ଦୁର୍ଗାଷ୍ଟମୀପୂଜା ଉତ୍ସବ ଦେଖିବା । ନିମିତ୍ତ ପଣ୍ଡିଚେରୀ ଯାତ୍ରା କଲି । କଟକଠାରୁ ଏହାର ଦୂରତା ୮୯୯ ମାଇଲ । ମାନ୍ଦ୍ରାଜସେଣ୍ଟ୍ରାଲ ରେଳଷ୍ଟେସନରେ ଓହ୍ଲାଇ ପ୍ରଥମେ ଟ୍ରିପ୍ଲିକେନରେ ମୋର ବନ୍ଧୁ ଶ୍ରୀ ସୁନ୍ଦରଭାଷ୍ୟମ୍ ନାଇଡ଼ୁଙ୍କ ଘରକୁ ଗଲି । ସେଠାରେ ଦିନଟିଏ ବିଶ୍ରାମ ନେଇ ପରଦିନ ପଣ୍ଡିଚେରୀ ଯିବାର ଆୟୋଜନ କଲି । ମାଡ଼୍ରାସ ସେଣ୍ଟ୍ରାଲରୁ ଏଗ୍‌ମୋର ରେଳଷ୍ଟେସନକୁ (ମାନ୍ଦ୍ରାଜର ଅନ୍ୟ ରେଳଷ୍ଟେସନ) ଯିବାକୁ ପଡ଼ିଲା । ଏଗ୍‌ମୋର ମାନ୍ଦ୍ରାଜସେଣ୍ଟ୍ରାଲରୁ ୭ ମାଇଲ ଓ ଏଗ୍‌ମୋରରୁ ପଣ୍ଡିଚେରୀ ୧୨୦ ମାଇଲ । ରାତି ୧୦ଟାରେ ଏଗ୍‌ମୋରରୁ ଗାଡ଼ି ଧରି ପରଦିନ ସକାଳେ ପଣ୍ଡିଚେରୀ ଷ୍ଟେସନରେ ପହଞ୍ଚିଲି । ଷ୍ଟେସନରୁ ଅରବିନ୍ଦାଶ୍ରମ ପ୍ରାୟ ୨ ମାଇଲ । ରିକ୍‌ସାଟିଏ କରି ଏଠାରେ ପହଞ୍ଚିଲି । ଆଶ୍ରମଟି ସବୁବେଳେ ଜନାକାର୍ଣ୍ଣ । ଏଠାରେ ପହଞ୍ଚି ମୁଁ ଅଧ୍ୟାପକ କାଙ୍ଗାଳିଚରଣ ପତିଙ୍କ ନିକଟକୁ ପତ୍ର ପଠାଇଲି । ସେ ମହାଶୟ ଆଶ୍ରମକଲେଜର ଦର୍ଶନ ଅଧ୍ୟାପକ । କିଛି ସମୟରେ ସେ ଆସି ପହଞ୍ଚିଲେ ଓ ତାଙ୍କ ବସାରେ ମୋ ରହିବାର ସୁବନ୍ଦୋବସ୍ତ କରିଦେଲେ । ତାଙ୍କର ସାହାଯ୍ୟ ଓ ସହାନୁଭୂତି ମୁଁ କେବେହେଲେ ଭୁଲିପାରିବି ନାହିଁ । ଆଶ୍ରମର ଉତ୍କଳୀୟ ସାଧକ ଶ୍ରୀ ରାମକୃଷ୍ଣ ପତି ଓ ଶ୍ରୀ ରଘୁନାଥ ପାଣିଙ୍କ ସହିତ ମୋର ପରିଚୟ ହେଲା । ଏଠାରେ ୩ ।୪ ଦିନ ବେଶ୍ ଆରାମରେ ରହିଲି ଓ ସହରର ବିଭିନ୍ନ ସ୍ଥାନ, ଆଶ୍ରମ ଏବଂ ଆଶ୍ରମର ବିଶ୍ୱବିଦ୍ୟାଳୟ ତଥା ଅନ୍ୟ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ପାଇଲି । ଏହି ସହରଟି ପୂର୍ବେ ଫରାସୀମାନଙ୍କ ଶାସନାଧୀନ ଥିଲା । ଏବେ ଏହା ଭାରତର ଅନ୍ତର୍ଭୁକ୍ତ । ଏହାର ରାସ୍ତାଗୁଡ଼ିକ ପକ୍କା, ପ୍ରଶସ୍ତ ଓ ପରିଷ୍କୃତ । ସମୁଦ୍ରର ଧାରେ ଧାରେ ସୁନ୍ଦର ପିଚୁସଡ଼କ । ଏହା ଏକ ଆଧୁନିକ ବନ୍ଦର । ଏଠାକୁ ଏବେ ମଧ୍ୟ ଜାହାଜ ବେଳେବେଳେ ଆସେ । ସମୁଦ୍ରକୂଳର ଘଣ୍ଟାଘର ଓ ବତୀଘରର ଦୃଶ୍ୟ ମନୋରମ ।

 

ଯୋଗୀ ଶ୍ରୀ ଅରବିନ୍ଦ ଏହି ଆଶ୍ରମର ପ୍ରତିଷ୍ଠାତା । ପୃଥିବୀର ସମସ୍ତ ଦେଶରୁ ଛାତ୍ରଛାତ୍ରୀ ଆସି ଏଠାରେ ଅଧ୍ୟୟନ କରନ୍ତି । ବର୍ତ୍ତମାନ ଆଶ୍ରମର ମୁଖ୍ୟ ପରିଚାଳିକା ‘ଶ୍ରୀମା’ । ସେ ହେଉଛନ୍ତି ଜଣେ ଫରାସୀମହିଳା । ବିଭିନ୍ନ ଭାଷାରେ ଓ ବିଭିନ୍ନ ବିଷୟରେ ଏଠାରେ ବିଦ୍ୟାଶିକ୍ଷା ଦିଆଯାଏ । ଛାତ୍ରଛାତ୍ରୀମାନେ ଏକାଠି ମିଳିମିଶି ଅଧ୍ୟୟନ, ପାନାହାର ତଥା ଭ୍ରମଣ ଆଦି କରିଥାନ୍ତି । ଫଳପ୍ରଦ ସହଶିକ୍ଷାର ଏହା ଏକ ବିମଳ ଆଦର୍ଶ । ଛାତ୍ରଛାତ୍ରୀମାନଙ୍କର ଦୈନନ୍ଦିନ କାର୍ଯ୍ୟ ଶୃଙ୍ଖଳାବଦ୍ଧ । ସମସ୍ତେ ପ୍ରାତଃକାଳରୁ ଶଯ୍ୟାତ୍ୟାଗ କରି ବ୍ୟାୟାମ କରନ୍ତି । ନିତ୍ୟକର୍ମ ସମାପନ ପରେ ଜଳଯୋଗ କରି ବିଭିନ୍ନ ଶିକ୍ଷାକେନ୍ଦ୍ରକୁ ଚାଲିଯାଆନ୍ତି । ଦିନ ୧୨ଟାବେଳେ ପୁଣି ସମସ୍ତେ ଏକତ୍ର ଭୋଜନ କରନ୍ତି । ସନ୍ଧ୍ୟାବେଳେ ପ୍ରାର୍ଥନା ଓ ବ୍ୟାୟାମରେ ସମସ୍ତେ ଯୋଗ ଦିଅନ୍ତି । ଏମାନଙ୍କର ସମୟ ଓ କାର୍ଯ୍ୟକୁ ଏପରି ଭାବେ ନିୟନ୍ତ୍ରଣ କରାଯାଇଛି ଯେ, ବାହାର ଦୁନିଆ ବିଷୟରେ ଆଲୋଚନା କରିବାକୁ ଏମାନଙ୍କର ଇଚ୍ଛା ବା ଅବକାଶ ନାହିଁ । ଅଧ୍ୟାପକ କାଙ୍ଗାଳିଚରଣ ବାବୁ ଆଶ୍ରମରେ ମୋ ଭୋଜନାଦିର ବ୍ୟବସ୍ଥା କରିଦେଲେ । ଦିନକୁ ୩ ଟଙ୍କା ଦେବାକୁ ହୁଏ । ଖେଚେଡ଼ି, ଦୁଧ, ଫଳ ଓ କଦଳୀ ପ୍ରଭୃତି ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ । ଖାଇଲାବେଳେ ସମସ୍ତେ ଶୃଙ୍ଖଳାର ସହିତ ବସନ୍ତି । ସମସ୍ତେ ଥାଳି ଧରି ଧାଡ଼ିହୋଇ ଠିଆ ହୋଇଥାନ୍ତି । ଠିକ୍ ସମୟରେ ପରିବେଷଣକାରୀ ପ୍ରତ୍ୟେକଙ୍କୁ ଯଥାରୀତି ପରିବେଷଣ କରେ । ଆଗରୁ ଆସନ ଓ ପାଣିର ବନ୍ଦୋବସ୍ତ ହୋଇଥାଏ । ସମସ୍ତେ ପରିବେଷଣକାରୀଙ୍କଠାରୁ ଖାଦ୍ୟସାମଗ୍ରୀ ଆଣି ଆସନରେ ବସନ୍ତି । ଛାତ୍ରଛାତ୍ରୀଙ୍କର ସମାନ ପରିଚ୍ଛଦ । ସହରର ବିଭିନ୍ନ ସ୍ଥାନରେ ଆଶ୍ରମର ଶିକ୍ଷା ଓ ତାଲିମ କେନ୍ଦ୍ର । ଆଶ୍ରମର ମୋଟର ଭ୍ରମଣକାରୀଙ୍କୁ ବିଭିନ୍ନ ସ୍ଥାନ ବୁଲାଇଆଣେ । ଅଧ୍ୟାପକ ପତି ମୋର ଭ୍ରମଣନିମିତ୍ତ ଆଶ୍ରମ ବସ୍‌ର ବନ୍ଦୋବସ୍ତ କରିଦେଲେ ।

 

ଅରବିନ୍ଦପାଠାଗାର ଏକ ଦ୍ୱିତଳପ୍ରାସାଦ । ସମୁଦ୍ର କୂଳରେ ଏହା ଅବସ୍ଥିତ । ଏଥିରେ ବିଭିନ୍ନ ବିଷୟରେ ବିଭିନ୍ନ ଭାଷାର ଅମୂଲ୍ୟ ପୁସ୍ତକମାନ ସୁରକ୍ଷିତ । ଏଥିରେ ସମୁଦାୟ ୬୦୦୦ ପୁସ୍ତକ ଅଛି । ପାଠକପାଠିକାମାନେ ନିର୍ଦ୍ଧାରିତ ସମୟରେ ଏଠାରେ ଅଧ୍ୟୟନ କରନ୍ତି । ଆଶ୍ରମ ତରଫରୁ ଏଠାରେ ବୈଷୟିକ ଶିକ୍ଷା ଦିଆଯାଏ । ମୋଜା, ବେତଚୌକୀ, ଟୋପି, ଟେବୁଲ ତଥା କାଗଜ, କାଠ, ମାଟି ଏବଂ ପଥରର ମୂର୍ତ୍ତି, ବହି ଓ ଖାତା ବନ୍ଧେଇ, ଅଗରବତୀ ଏବଂ ପାଉଁରୋଟୀ ପ୍ରଭୃତି କରିବାର ପ୍ରାଣାଳୀ ଏଠାରେ ଶିକ୍ଷା ଦିଆଯାଏ । ଛାତ୍ରଛାତ୍ରୀଙ୍କର ହସ୍ତଶିଳ୍ପ ସୁରୁଚିସମ୍ପନ୍ନ । ଦେଖିଲି, ଅନୁଷ୍ଠାନମାନଙ୍କରେ ବାଳକବାଳିକା ଓ ଯୁବକଯୁବତୀ ସମସ୍ତେ ଏକ ମନରେ ଏକ ପ୍ରାଣରେ ଆଶ୍ରମର ଉନ୍ନତିବିଧାନ ଲାଗି କାମ କରୁଛନ୍ତି । ସେମାନେ ଆଶ୍ରମଟିକୁ ନିଜର ଘର ପରି ମନେ କରନ୍ତି । କୁଟୀରଶିଳ୍ପ ସଙ୍ଗେ ସଙ୍ଗେ ଏଠାରେ କାରଖାନା(Workshop) ରେ କାମ କରି ପିଲାମାନେ ଇଟା, ଟାଇଲ, ସିମେଣ୍ଟବାଲଟି, କୁଣ୍ଡ, ଚୌକୀ ଓ ମେଜ ପ୍ରଭୃତି ତଆରି କରିବା ଦ୍ୱାରା ନାନାବିଧ ବୈଷୟିକଶିକ୍ଷା ଲାଭ କରନ୍ତି ।

 

ଇଂରାଜୀ, ଫ୍ରେଞ୍ଚ ଓ ଜର୍ମାନୀଭାଷା ଏବଂ ଗଣିତ, ବିଜ୍ଞାନ ଦର୍ଶନ ଓ ଇତିହାସ ପ୍ରଭୃତିର ଅଧ୍ୟାପନା ହେଉଥିବାରୁ ଅରବିନ୍ଦ ବିଶ୍ୱବିଦ୍ୟାଳୟ (Centre Universitaire de Auro bindo)ରେ କଳା ଓ ବିଜ୍ଞାନ ଉଭୟ ଶିକ୍ଷାର ବ୍ୟବସ୍ଥା ଅଛି । ବିଭିନ୍ନ ଭାଷାବିତ୍ ଅଧ୍ୟାପକମାନେ ଏଠାରେ ଅଧ୍ୟାପନା କରନ୍ତି । ପଦାର୍ଥବିଜ୍ଞାନ, ଭୂତତ୍ତ୍ୱବିଜ୍ଞାନ, ରସାୟନବିଜ୍ଞାନ ଓ ପ୍ରାଣୀବିଜ୍ଞାନ ପ୍ରଭୃତିର ଗବେଷଣାଗାର (Laboratory) ଆଧୁନିକ ଯନ୍ତ୍ରପାତି ଏବଂ ସରଞ୍ଜାମରେ ପୂର୍ଣ୍ଣ ।

 

ବିଶ୍ୱବିଦ୍ୟାଳୟ ଓ କାରଖାନା ପ୍ରଭୃତି ବୁଲିସାରି ରଙ୍ଗମଞ୍ଚକୁ ଆସିଲି । ଆଶ୍ରମ ତରଫରୁ ଏହି ରଙ୍ଗମଞ୍ଚଟି ନିର୍ମିତ । ନିର୍ଦ୍ଦିଷ୍ଟ ଉତ୍ସବରେ ଛାତ୍ରଛାତ୍ରୀ ଏଠାରେ ନାଟକାଭିନୟ କରନ୍ତି ।

 

ଆଶ୍ରମଟି ପରିଷ୍କୃତ ପରିଚ୍ଛନ୍ନ । ଅରବିନ୍ଦଙ୍କ ସମାଧି ଏକ ମନୋରମ କୁଞ୍ଜ ଭିତରେ । ଚାରିଆଡ଼େ ଫୁଲଗଛ । ଦର୍ଶକମାନେ ଏଠାରେ ପୁଷ୍ପ ଅର୍ପଣ କରି ଭକ୍ତି ନମ୍ରଚିତ୍ତରେ ପ୍ରଣାମ କରନ୍ତି-। ଆଶ୍ରମରେ ଅରବିନ୍ଦଙ୍କ ଲିଖିତ ପୁସ୍ତକମାନ ବିଭିନ୍ନ ଭାଷାରେ ଅନୁଦିତ ହୋଇ ବିକ୍ରୀତ ହୁଏ-। ଆଶ୍ରମ ଭିତରେ ପରିଚାଳନାକାର୍ଯ୍ୟଳୟ । ଅଧିକାଂଶ ବଙ୍ଗୀୟ ଭଦ୍ରଲୋକ ଆଶ୍ରମର ପରିଚାଳକ-

 

ମହାଷ୍ଟମୀ ଦିନ ସକାଳବେଳା ଉତ୍ସବ ଦେଖିବା ପାଇଁ ଏଠାରେ ଲୋକଗହଳି ହୁଏ । ଏହା ବର୍ଷମଧ୍ୟରେ ସବୁଠାରୁ ବଡ଼ ଉତ୍ସବ । ‘ଶ୍ରୀମା’ ଏହି ଦିନ ପ୍ରତ୍ୟେକ ଆଗନ୍ତୁକଙ୍କୁ “ଆଶୀର୍ବାଦ ପତ୍ର” ସ୍ୱହସ୍ତରେ ବଣ୍ଟନ କରନ୍ତି । ‘ଶ୍ରୀମା’ ଙ୍କଠାରୁ ମୁଁ ‘ଆଶୀର୍ବାଦପତ୍ର’ ପାଇଁ କିଛି କ୍ଷଣରେ ଆଶ୍ରମରୁ ବାହାରକୁ ଆସିଲି ଓ ଅନ୍ୟ ସ୍ଥାନମାନ ବୁଲିବା ପାଇଁ କାଙ୍ଗାଳିବାବୁଙ୍କୁ କହିଲି । ସେ ମୋର ଭ୍ରମଣର ସମସ୍ତ ବନ୍ଦୋବସ୍ତ କରିଦେଲେ ।

 

ସହରର ଅନ୍ୟ ଏକ ପାଖରେ ପ୍ରାଚୀନ ଶିବମନ୍ଦିର । ଦ୍ରାବିଡ଼କଳା ଓ କାରୁକାର୍ଯ୍ୟର ଏହା ଏକ ନିଦର୍ଶନ । ମନ୍ଦିରଟି ଛୋଟ ହେଲେ ହେଁ ବେଢ଼ାଟି ଖୁବ୍ ବଡ଼ । ଶେଷରେ ଫରାସୀରାଜ ଦୂତାବାସ, ବତୀଘର, ପୋତାଶ୍ରୟ ଏବଂ ସହରର ଦୃଶ୍ୟ ପ୍ରଭୃତି ଦେଖି ପୁଣି ମାନ୍ଦ୍ରାଜକୁ ଫେରି ଆସିଲି ।

☆☆☆

 

ଭୂସ୍ୱର୍ଗ କାଶ୍ମୀର

 

୧୯୫୮ ମେ ମାସରେ ଭୂସ୍ୱର୍ଗକାଶ୍ମୀର ଭ୍ରମଣ ଲାଗି ଆୟୋଜନ କଲି । କାଶ୍ମୀର ଯିବାକୁ ହେଲେ ଜିଲ୍ଲାମାଜିଷ୍ଟ୍ରେଟ୍‌ଙ୍କଠାରୁ ଅନୁମତି ପତ୍ର ଦରକାର । କଟକଜିଲ୍ଲାମାଜଷ୍ଟ୍ରେଟ୍‌ଙ୍କଠାରୁ ଉକ୍ତ ଅନୁମତିପତ୍ର ୨।୩ ଦିନ ମଧ୍ୟରେ ମିଳିଗଲା । ମେ ମାସର ୩ୟ ସପ୍ତାହରେ କଟକରୁ ପଠାଣକୋଟ ପର୍ଯ୍ୟନ୍ତ ଟିକେଟ୍ କଲି । ପରଦିନ ହାବଡ଼ାରୁ ଦିନ ୪ଟାରେ ଅମୃତସର ମେଲଯୋଗେ ଅମ୍ବାଲା କାଣ୍ଟନ୍‌ମେଣ୍ଟ ପର୍ଯ୍ୟନ୍ତ ଯାଇ ସେଠାରୁ ପଠାଣକୋଟ ପାସେଞ୍ଜର ଧରି ପଠାଣକୋଟରେ ଦିନ ୨ଟାରେ ପହଞ୍ଚିଲି ।

 

କଟକରୁ ପଠାଣକୋଟର ଦୂରତା ୧୪୯୭ ମାଇଲ୍ । ଏଠାରେ ଭୋଜନାଦି ସାରି ଦିନ ୨ଟାବେଳକୁ “କାଶ୍ମୀରଟୁରିଷ୍ଟ ବସ୍’ରେ ଶ୍ରୀନଗର ଯାତ୍ରା କଲି । ପଠାଣକୋଟ୍‌ର ଚାରିଆଡ଼େ ବଣଗଞ୍ଜାଇଗଛ ଦେଖାଯାଏ । କେକାରତ ଶତଶତ ମୟୁର ଏଣେ ତେଣେ ବୁଲୁଥାନ୍ତି । କିଛିଦୂର ଗଲାପରେ ଲଖନପୁରଠାରେ ପ୍ରବେଶପତ୍ର ତଦାରଖି ହେଲା । ରାବି, ସତଲେଜ ଓ ଚେନାବ ପ୍ରଭୃତି ପାର୍ବତ୍ୟ ନଦୀ ଅତିକ୍ରମ କରି ବସ୍ ଦ୍ରୁତଗତିରେ ଚାଲିଥାଏ ।

 

ଜାମୁଟୁରିଷ୍ଟ ସେଣ୍ଟରରେ ରାତି କଟାଇବାକୁ ହେଲା । ଏଠାରେ ରାତିକ ରହିବା ପାଇଁ କୋଠରୀ ପ୍ରତି ସାଢ଼େ ୩ ଟଙ୍କା ଦେବାକୁ ପଡ଼େ । ଜାମୁପଠାଣକୋଟଠାରୁ ୬୦ ମାଇଲ୍ ଦୂର । ଏହା ଏକ କ୍ଷୁଦ୍ର ସହର । ପୂର୍ବତନ ମହାରାଜା ଶ୍ରୀ ରଣବୀର ସିଂହ ଏଠାରେ ରଘୁନାଥ ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିରର ଆୟତନ ସୁବିସ୍ତୃତ ଏଥିରେ ରଘୁନାଥଙ୍କର ସ୍ୱର୍ଣ୍ଣବିଗ୍ରହ ଓ ସ୍ୱର୍ଣ୍ଣପରିଚ୍ଛଦ ପ୍ରଭୃତି ଦେଖିବାକୁ ମିଳେ । ସନ୍ଧ୍ୟା ସମୟରେ ମନ୍ଦିର ପ୍ରାଙ୍ଗଣରେ ସଂଗୀତ ଓ ଭଜନ ହୁଏ । ବହୁଲୋକ ଏଥିରେ ଯୋଗ ଦିଅନ୍ତି । ପ୍ରାଙ୍ଗଣର ଅନ୍ୟଏକ କୋଣରେ ନର୍ମଦେଶ୍ୱର ମହାଦେବମନ୍ଦିର ।

 

ଜାମୁ ସହରଟି ମଧ୍ୟମ ଧରଣର । ଟୁରିଷ୍ଟସେଣ୍ଟରରେ ୫୦୦ ଦର୍ଶକଙ୍କ ରହିବା ଲାଗି ସୁବିଧା ଅଛି । ଭାରତର ବିଭିନ୍ନ ପ୍ରାନ୍ତରୁ ଓ ବାହାରୁ ଶହ ଶହ ପରିଦର୍ଶକ ଏଠାରେ ବିଶ୍ରାମ ନିଅନ୍ତି-। ସ୍ଥାନଟି କୋଳାହଳମୟ । ରାତିଟି ଏଠାରେ ଆରାମରେ କଟାଇ ପରଦିନ ସକାଳ ୭ଟାରେ ଶ୍ରୀ ନଗର ଯାତ୍ରା କଲି । କିଛି ସମୟ ପରେ ବାଟରେ ୮୯୮୫ ଫୁଟ ଉଚ୍ଚ ପର୍ବତ ଉପରେ ୬୫୦ ଫୁଟ୍ ଲମ୍ବ ‘ବିନିହାଲ’ ଗିରିବର୍ତ୍ମ (Tunnel)ମଧ୍ୟ ଦେଇ ବସ୍ ଚାଲିଲା । ଭୀଷଣଶୀତ । ମେ ମାସ ଶେଷସପ୍ତାହରେ ସୁଦ୍ଧା ଓଠକୁ ଓଠ ବାଜୁଥାଏ । ତା’ପରେ ଆରମ୍ଭହେଲା କାଶ୍ମୀରର ଦିଗନ୍ତ ବିସ୍ତାରୀ ପାଇନ ଓ ଚୀନାରବନ । ତୁଷାରମଣ୍ଡିତ ହିମାଳୟ ପର୍ବତମାଳା, କଳନାଦିନୀ ପାର୍ବତୀୟ ଝରଣାମାନଙ୍କର ଲୀଳାୟିତ ଗତି ଓ ସୂର୍ଯ୍ୟତାପରେ ପର୍ବତ ଶିଖ୍‍ରଦେଶରୁ ଝର ଝର ହୋଇ ବରଫ ତରଳିବାର ଦୃଶ୍ୟ ମୋତେ ଆତ୍ମହରା କରି ଦେଉଥାଏ । ବାଟରେ ଉଦ୍ଧାମପୁରଠାରୁ ଭୋଜନାଦି ସମାପ୍ତ ହେଲା । ଆଉ ଟିକିଏ ଆଗରେ ‘କୁଦ’ । ଏଠାରେ କାଶ୍ମୀରର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖଅବଦୁଲ୍ଲା ବନ୍ଦୀ ଥାଆନ୍ତି । ଏହା ୫୭୦୦ ଫୁଟ ଉଚ୍ଚରେ ଅବସ୍ଥିତ । କୁଦରେ ଡାକବଙ୍ଗଳା, ଡାକଘର ଓ ବହୁତ ସୁନ୍ଦର ଝରଣା ଦେଖିବାକୁ ପାଇଲି ।

 

ପଠାଣକୋଟରୁ ପ୍ରଥମ ୬୪ ମାଇଲ ସିଧାସଳଖ ରାସ୍ତା । ତା’ପରେ ବରଫାବୃତ କଟିଦେଶରେ ବଙ୍କାରାସ୍ତା ପଡ଼େ । ଏହି ରାସ୍ତା ବିପଦସଂକୁଳ । କେତେକ ଛକଯାଗା ଛଡ଼ା ବାଟରେ କେଉଁଠଆରେ ଦୁଇଟି ମୋଟର ବିପରୀତ ଦିଗକୁ ଯିବାର ସୁବିଧା ନାହିଁ । ଚାରିଆଡ଼େ ପାଇନ, ଦେବଦାରୁ ଓ ଚୀନାରଜଙ୍ଗଲ । ରାସ୍ତାରେ ବରଫଖଣ୍ତ ପଡ଼ିଥାଏ । ପଠାଣକୋଟରୁ ଲଖନପୁର, ସାମ୍ନା, ଝଁଝର, ଉଦ୍ଧାମପୁର, କୁଦ, ବଟୋଟା, ରାମବନ, ବନିହାଲଗିରିବର୍ତ୍ମ, ଅପରମୁଣ୍ଡା, ଖନ୍ନାବଲ, ଅବନ୍ତୀପୁର ଓ ପମ୍ପାର ପ୍ରଭୃତି ସ୍ଥାନ ଦେଇ ମୋଟର ଶ୍ରୀନଗର ଆସିଲା ।

 

ସେହିଦିନ ସନ୍ଧ୍ୟା ୭ଟାରେ ଶ୍ରୀନଗରଟୁରିଷ୍ଟସେଣ୍ଟରରେ ବସ୍ ପହଞ୍ଚିଲା । ଏହାର ଭିତରେ ଡାକତାର ଅଫିସ୍ ଓ କାଶ୍ମୀରର ବିଭିନ୍ନ ସ୍ଥାନମାନଙ୍କୁ ଯିବାଲାଗି ବସ୍ ରିଜର୍ଭେସନ ଆଦି ବହୁତ କାର୍ଯ୍ୟାଳୟ । ଏହି ବିରାଟ ସୌଧ ନିର୍ମାଣରେ ଦଶଲକ୍ଷ ମୁଦ୍ରା ବ୍ୟୟିତ । ଏଠାରୁ ଘୋଡ଼ାଗାଡ଼ିଟିଏ ଭଡ଼ା କରି ମୋତିମହଲ ହୋଟେଲକୁ ଗଲି । ଏହି ହୋଟେଲର ନାମ ଏବେ ‘କୁମାରହୋଟେଲ’ ହୋଇଛି । ରାତିଟି ଏଠାରେ ରହିଲି । ମୋ ପାଖରେ ଶତଲୁଗା ଖଣ୍ଡିଏ ମାତ୍ର ଥାଏ । ରାତିରେ ଭୀଷଣ ଥଣ୍ଡା ହେଲା । ବହୁକଷ୍ଟରେ ରାତିଟି କଟାଇବାକୁ ପଡ଼ିଲା । ଏହାର ମାଲିକ ହେଉଛନ୍ତି ଜଣେ ପଞ୍ଜାବୀ । ତାଙ୍କ ବ୍ୟବହାର ଖୁବ୍‍ ଭଲ । ଦିନକୁ ରହିବା ଓ ଖାଇବା ପାଇଁ ୧୦ ଟଙ୍କା ପଡ଼େ । ଏଠାକାର ଅଧିକାଂଶ ହୋଟେଲରେ ମଦ୍ୟପାନର ବନ୍ଦୋବସ୍ତ ଅଛି । ପରଦିନ ସକାଳୁ ସ୍ନାନାଦି ସାରି ବୁଲିବାହାରିଲି । ଗରମପାଣି ନ ହେଲେ ଗାଧୋଇବା କଷ୍ଟକର । ଗରମପାଣି ବାଲଟିକୁ ଚାରିଅଣା ପଡ଼େ । ପାଖ କୋଠରୀରେ ଆଲ୍‌ହାବାଦର କେତେକ ପର୍ଯ୍ୟଟକ ରହିଥାନ୍ତି । ତାଙ୍କଠାରୁ ଶ୍ରୀନଗରର ତଥା ଅନ୍ୟାନ୍ୟ ଆଖପାଖ ଅଞ୍ଚଳର ଦର୍ଶନୀୟ ସ୍ଥାନମାନଙ୍କର ବିବରଣୀ ଲେଖିନେଲି । ଜାମୁ ଓ କାଶ୍ମୀର ଦୈର୍ଘ୍ୟ ୮୦ ମାଇଲ୍ ଓ ପ୍ରସ୍ଥ ୨୦-୨୫ ମାଇଲ । ଏହାର କ୍ଷେତ୍ରଫଳ ୮୪, ୪୭୧ ବର୍ଗମାଇଲ ଓ ଜନସଂଖ୍ୟା ଚାରିଲକ୍ଷ । ପରଦିନ ସକାଳୁ ନିତ୍ୟକର୍ମ ସାରି ଶ୍ରୀନଗର ବୁଲି ବାହାରିଲି । ଏହା ପୂର୍ଣ୍ଣତଃ ଆଧୁନିକ ନଗର । ପୃଥିବୀର ସମସ୍ତ ପ୍ରାନ୍ତର ଲୋକମାନଙ୍କୁ ଏଠାରେ ଦେଖିବାକୁ ମିଳେ । ହୋଟେଲ, ଦୋକାନ, ପାଠାଗାର ଓ ଅନ୍ୟାନ୍ୟ ସରକାରୀ କାରଖାନା, ଫଳଦୋକାନ, ରେଶମଦୋକାନ, ପଶମ ଦୋକାନ, ହସ୍ତଶିଳ୍ପକେନ୍ଦ୍ର, ଗାଲିଚା ଏବଂ ଶାଲ ପ୍ରଭୃତି ତିଆରି କାରଖାନାରେ ନଗରଟି ପୂର୍ଣ୍ଣ ପରିଦର୍ଶକମାନଙ୍କର କୋଳାହଳରେ ନଗରଟି ମୁଖରିତ ହେଉଥାଏ । ଏହାର ଶୋଭା ଅନୁପମ । ହିମାଳୟର କେତେକ ତୁଷାରାବୃତ ଶୃଙ୍ଗ ଏଠାକୁ ଦେଖାଯାଏ । ରାସ୍ତାଗୁଡ଼ିକ ଖୁବ ପ୍ରଶସ୍ତ ଏବଂ ପରିଷ୍କୃତ । ବଡ଼ ବଡ଼ ସୌଧମାଳାରେ ନଗର ପରିପୂର୍ଣ୍ଣ । ପାର୍କ, ଉଦ୍ୟାନ, ଫଳ ଓ ଫୁଲ ବଗାଚା ଚାରିଆଡ଼େ ଦେଖାଯାଏ । ଶ୍ରୀନଗରର ସେକ୍ରେଟାରୀଏଟ୍, ନେହେରୁପାର୍କ, ଷ୍ଟଡ଼ିୟମ୍, ରାଜବଟୀ ଓ ଆର୍ଟ ଏମ୍ପୋରିୟମ୍ ପ୍ରଭୃତି ଦର୍ଶନୀୟ ସ୍ଥାନ ।

 

ଶ୍ରୀନଗରର ଏକ ପାର୍ଶ୍ୱରେ ଡାଲହ୍ରଦ । ଏଥିରେ ଶହ ଶହ ନୌକା-ଗୃହ । ବିଳାସବ୍ୟସନର ଏହା ପ୍ରଧାନ ସ୍ଥଳ । ଏଠାରେ ରହିବା ପାଇଁ ବହୁ ଖର୍ଚ୍ଚ । ଡଙ୍ଗାଟିଏ କରି ଡାଲହ୍ରଦରେ କେତେ ଘଣ୍ଟା ବୁଲି ଆସିଲି । ଶ୍ରୀନଗରର ମଧ୍ୟ ଦେଇ ଝେଲମ ନଦୀର ସର୍ପିଳ ଗତିରେ ସମଗ୍ର ନଗରକୁ ଘେରି ରହିଛି । ଝେଲମନଦୀରେ କେବଳ ଏହି ନଗର ମଧ୍ୟରେ ୯ ଗୋଟି ପୋଲ । ପ୍ରଥମପୋଲ ବା “ଅମୀରାକଦଲା” ପାଖରେ କୁମାର ହୋଟେଲ । ଅମୀରାକଦଲା ସବୁପୋଲଠାରୁ ଅଧିକ ପ୍ରଶସ୍ତ ଓ ସୁନ୍ଦର । ଏହି ୯ ଟି ପୋଲର ନାମ ହେଉଛି

 

୧ । ଅମୀରା କଦଲ, ଏହାକୁ ଖ୍ରୀ: ୧୭୩୩ ରେ ଅମୀର ଖାଁ ତିଆରି କରାଇଥିଲେ ।

 

୨ । କ୍ଲବନାମା ପୋଲ ।

 

୩ । ବର୍ଡ଼ିଶା ପୋଲ ।

 

୪ । ହାବା କଦଲ—ଏହାକୁ ଖ୍ରୀ:୧୫୫୦ ରେ ହବୀବଶାହ ତିଆରି କରାଇଥିଲେ ।

 

୫ । ଫତେହ କଦଲ—ଖ୍ରୀ: ୧୪୨୬ ରେ ଫତେଶାହ ଏହାକୁ ନିର୍ମାଣ କରାଇଥିଲେ ।

 

୬ । ଜୈନା କଦଲ—ଖ୍ରୀ: ୧୪୨୬ ରେ ଜୈନୁଲ ଆବଦୀନ ଏହା ତିଆରି କରାଇଥିଲେ ।

 

୭ । ଅଲୀ କଦଲ—ଖ୍ରୀ:୧୪୧୭ରେ ଅଲୀଶାହ ଏହାକୁ ତିଆରି କରାଇଥିଲେ ।

 

୮ । ନବା କଦଲ—ଖ୍ରୀ:୧୬୬୭ ରେ ନୂରଦୀନ ଖାଁ । ଏହି ପୋଲକୁ ନିର୍ମାଣ କରାଇଥିଲେ ।

 

୯ । ସଫା କଦଲ—ଖ୍ରୀ:୧୬୭୦ ରେ ସୈଫୁ ଉଦ୍ଦୀନ ଖାଁ । ଏହାକୁ ନିର୍ମାଣ କରାଇଥିଲେ ।

 

କୁମାରହୋଟେଲ ପାଖରେ ବସ୍‍ଷ୍ଟାଣ୍ଡ । ଏଠାରେ ପ୍ରଥମେ ହରବନଜଳଭଣ୍ଡାର ଦେଖିବାକୁ ଗଲି । ବସ୍ ଷ୍ଟାଣ୍ଡରୁ ଏହା ୧୧ ମାଇଲ ଦୂର । ଏଠାରେ ସଂରକ୍ଷିତ ଜଳ ଶ୍ରୀନଗରକୁ ନଳଯୋଗେ ଯୋଗାଇ ଦିଆଯାଏ । ଏହା ଏକ ତୁଷାରାଚ୍ଛନ୍ନ ପର୍ବତର ପାଦଦେଶରେ ଅବସ୍ଥିତ । ଏହି ଜଳଭଣ୍ଡାରରେ ବହୁତ ପ୍ରକାର ମାଛ ଦେଖାଯାଆନ୍ତି । ଏଠାରୁ ଶାଲୀମାର ଉଦ୍ୟାନକୁ ବସ୍ ଯୋଗେ ଆସିଲି ।

 

ଶାଲୀମାରବାଗ୍ (ପ୍ରେମୋଦ୍ୟାନ):— ଖ୍ରୀ: ୧୬୧୯ରେ ମୋଗଲସମ୍ରାଟ୍ ଜାହାଙ୍ଗୀର ଏହାକୁ ନିର୍ମାଣ କରିଥିଲେ । ତାଙ୍କର ବେଗମ୍ ନୁରଜାହାନଙ୍କ ସହ ଏଠାରେ ଗ୍ରୀଷ୍ମକାଳୀନ ଆନନ୍ଦ ଉପଭୋଗ କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ଏହା ୩ ଭାଗରେ ବିଭକ୍ତ । ପ୍ରତ୍ୟେକ ବିଭାଗରେ ବିଭିନ୍ନ ଫୁଲପଟାଳି ଓ ବିଭିନ୍ନ ରଙ୍ଗର ଜଳଧାରା । ମଝିରେ ଦର୍ଶକମାନଙ୍କ ଲାଗି ମଲମଲ ପଥରର ଆସନ । ଚାରି ପାଖରେ ଊର୍ଦ୍ଧ୍ୱମୁଖିଜଳଧାରା । ଏହି ଉଦ୍ୟାନର ଆୟତନ ୫୯୦ ଗଜ × ୨୭୦ ଗଜ । ଛତା ପରି ଅନେକ ଗଛ ଏଠାରେ ଦେଖାଯାଏ । ଏଗୁଡ଼ିକୁ ‘ସ୍ପୋରା’ ଗଛ ବୋଲି କହନ୍ତି । କାଶ୍ମୀର ବ୍ୟତୀତ ଅନ୍ୟ କୌଣସିଠାରେ ଏହି ସ୍ପୋରାଗଛ ଦେଖାଯାଏ ନାହିଁ-। ଶହ ଶହ ପ୍ରକାରର ରଙ୍ଗୀନ ସୁବାସିତ ପୁଷ୍ପରେ ଉଦ୍ୟାନଟି ମହକି ଉଠୁଥାଏ-। ଏଠାରେ ଗୋଲାପଫୁଲ ଖୁବ୍ ଲାଲ ଓ ଆକାରରେ ଖୁବ୍ ବଡ଼ । ଚାରିପାଖରେ କେତେକ ଫଳବୃକ୍ଷ ମଧ୍ୟ ରୋପିତ । ଏହାର ଦ୍ୱାରବନ୍ଧ ଉପରିସ୍ଥ ଦ୍ୱିତଳ ପ୍ରାସାଦର ଉପରମହଲାରେ ଦର୍ଶକମାନଙ୍କ ଲାଗି ଦୁଇଟି ପ୍ରକୋଷ୍ଠ । ଏହା ରଙ୍ଗୀନ କାଠଘର । କଳାମୁଗୁନି ପଥରର ବକ୍ରାକୃତି ବନ୍ଧ । ଉଦ୍ୟାନରେ ବହୁ ଦର୍ଶକଦର୍ଶିକା ଆନନ୍ଦରେ ବିଚରଣ କରି ଏହାର ନୈସର୍ଗିକଶୋଭା ଉପଲବଧି କରନ୍ତି-। ଏହା ଯୁବକ ଯୁବତୀମାନଙ୍କର ପ୍ରଧାନ କ୍ରୀଡ଼ସ୍ଥଳୀ । ଏହାର ଅପରୂପ ଶୋଭାରେ ଯେ କୌଣସି ଲୋକ ବିମୁଗ୍‌ଧ ହେବ ।

 

ଶାଲୀମାରବାଗ୍‌ରୁ ଫେରି ନିଶାତବାଗ୍ ଗଲି । ଏହି ଉଦ୍ୟାନର ଆୟତନ ୫୯୫ ଗଜ × ୩୬୯ ଗଜ । ବାରଗୋଟି କ୍ଷୁଦ୍ର ଉପବନରେ ଏହା ବିଭକ୍ତ । ଚତୁର୍ଦ୍ଦିଗରେ ୧୨ ଫୁଟ୍ ଉଚ୍ଚର ପ୍ରାଚୀର । ବିଭିନ୍ନ ଦିଗରୁ ଜଳଧାରା ନିର୍ଗତ ହୋଇ ଏହାର ଶୋଭାକୁ ଦ୍ୱିଗୁଣିତ କରୁଥାଏ । ସମ୍ରାଟ୍ ଶାହାଜାହାନଙ୍କ ଶ୍ୱଶୁର ଆସଫ ଖାଁ ଏହାର ନିର୍ମାତା । ଏହାର ସାମନାକୁ ଡାଲହ୍ରଦ ଅବସ୍ଥିତ । ଉପରକୁ ଏକ ପର୍ବତ । ସୋପାନ ଆକୃତିର ୧୨ଟି ପୁଷ୍ପବାଟିକା ଯୋଗୁଁ ଏହା ରମଣୀୟ ଦେଖାଯାଏ । ଉଚ୍ଚରୁ ନିମ୍ନକୁ ଜଳଧାରାମାନ ନିର୍ଗତ ହେଉଥାଏ । ଗୋଲାପଫୁଲ ଏହାର ସୁଷମାବୃଦ୍ଧି କରେ । ଛତା ପରି ସ୍ପୋରା ଗଛ ଏଠାରେ ମଧ୍ୟ ଦେଖାଯାଏ । ଫୁଲପଟାଳିଗୁଡ଼ିକ ବିଭିନ୍ନ ଆକାରର ଓ ପ୍ରତ୍ୟେକ ପଟାଳିରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଗଛ ।

 

ଏହି ଉଦ୍ୟାନରେ ଭ୍ରମଣ କରୁଥିଲାବେଳେ ଜନୈକ ଗଜୁରାଟୀ ଭଦ୍ରଲୋକଙ୍କ ସହିତ ସାକ୍ଷାତ ହେଲା । ସେ ମଧ୍ୟ ମୋ ପରି ଏକାକୀ କାଶ୍ମୀର ଆସିଥାନ୍ତି । ସାଧଆରଣତଃ କାଶ୍ମୀରଶୋଭା ଉପଭୋଗ କରିବା ନିମିତ୍ତ ସମସ୍ତେ ସସ୍ତ୍ରୀକ ବା ବନ୍ଧୁମାନଙ୍କ ସହ ଆସିଥାନ୍ତି । ବନ୍ଧୁହୀନ ପରିଦର୍ଶକ ପ୍ରାୟ ବିରଳ । ଆମ ଦୁହିଁଙ୍କର ବହୁସମୟ କଥାବାର୍ତ୍ତା ହେଲା । ତାଙ୍କ ଘର ଗୁଜୁରାଟର ଉଁଜୀରେ । ସେ ମଧ୍ୟ ଭାରତର ବହୁ ସ୍ଥାନ, ଲଙ୍କା ଓ ନେପାଳ ଭ୍ରମଣ କରି ସାରିଥାନ୍ତି । ସେ ଶ୍ରୀନଗରର ୨ୟ ପୋଲ ନିକଟସ୍ଥ ‘ସତନାମ ଆଖଡ଼ା’ ଧର୍ମଶାଳାରେ ରହୁଥାନ୍ତି । ହୋଟେଲରେ ମଦ୍ୟ ଓ ବେଶ୍ୟାମାନଙ୍କର କାରବାର କଥା ତାଙ୍କୁ କହି ଦୁଃଖପ୍ରକାଶ କରନ୍ତେ ସେ ମୋତେ ଉକ୍ତ ଧର୍ମଶାଳାରେ ରହିବା ପାଇଁ ସୁବିଧା କରିଦେବେ ବୋଲି କହିଲେ । ସନ୍ଧ୍ୟାବେଳକୁ ତାଙ୍କ ସଙ୍ଗରେ ସତନାମଆଖଡ଼ାକୁ ଯାଇ ସେଠାରେ ରହିବାଲାଗି ମହନ୍ତ ମହାରାଜାଙ୍କୁ ସବିନୟ ଅନୁରୋଧ କଲି । ମୋର ଅନୁରୋଧ ରକ୍ଷା କରି ଉକ୍ତ ଗୁଜୁରାଟୀ ଭଦ୍ରଲୋକଙ୍କ ପ୍ରକୋଷ୍ଠରେ ରହିବା ଲାଗି ସେ ମୋତେ ଅନୁମତି ଦେବା ସଙ୍ଗେ ସଙ୍ଗେ ମୁଁ ମୋ ଜିନିଷପତ୍ର କୁମାର ହୋଟେଲରୁ ଘେନିଆସି ସତନାମଆଖଡ଼ା ଧର୍ମଶାଳକୁ ସଂଧ୍ୟାବେଳେ ଚାଲିଆସିଲି । ଏହି ଧର୍ମଶାଳାରେ ଖଟିଆ ପ୍ରଭୃତିର ବନ୍ଦୋବସ୍ତ ନାହିଁ । ତଳେ ଶୋଇବାକୁ ହେଲା । ରାତିଟି ବଡ଼ କଷ୍ଟରେ କଟିଲା । ପରଦିନ ଦରୀ ଓ କମଳ ପ୍ରଭୃତି କିଣିବାରୁ ଆରାମରେ ରହିଲି ।

 

ପରଦିନ ସକାଳୁ ସତନାମଆଖଡ଼ାରୁ ବସ୍ ଯୋଗେ ଚଷମା-ସାହୀ ବୁଲି ବାହାରିଲି । ଏହାର ଦୂରତା ଶ୍ରୀନଗରରୁ ୫ ମାଇଲ୍ । ଏହାକୁ ସମ୍ରାଟ୍ ଜାହାଙ୍ଗୀର ଆରମ୍ଭ କରିଥିଲେ କିନ୍ତୁ ଶାହାଜାହାନ ଖ୍ରୀ: ୧୬୩୨ରେ ଏହାର ନିର୍ମାଣକାର୍ଯ୍ୟ ଶେଷ କଲେ । ଏଠାରେ ୪୦ଟି ପାହାଚ ଓ ବିଭିନ୍ନ ରଙ୍ଗର ଫୁଲପଟାଳି । ବିଭିନ୍ନ ରଙ୍ଗର ଊର୍ଦ୍ଧ୍ୱମୁଖି-ଜଳଧାରାରେ ଉଦ୍ୟାନଟି ପରିପୂର୍ଣ୍ଣ । ଦୁଇ ପାଖରେ ଦୁଇଟି ଜଳଧାରା ପର୍ବତର ଶିଖ୍‍ରଦେଶରୁ ନିର୍ଗତ ହୋଇ ନିମ୍ନ ଦେଶକୁ ବହି ଆସିଛି । ଏହାର ଆୟତନ ୬୦୦ ଗଜ × ୪୦୦ ଗଜ । ପୁଷ୍ପୋଦ୍ୟାନର ଶୀର୍ଷଦେଶରେ ସୁନ୍ଦର ପ୍ରକୋଷ୍ଠଟିଏ । ଏହାର କାଠଖିଲଣୀଦରଜା ଓ ଚିତ୍ରିତ କାନ୍ଥଗୁଡ଼ିକ ଖୁବ୍ ସୁନ୍ଦର । ସମ୍ରାଟ୍ ଶାହାଜାହାନ ଏଠାରେ ବସି ଉଦ୍ୟାନର ଶୋଭା ଉପଭୋଗ କରୁଥିଲେ । ଏହାର ଉପରକୁ ଯିବାଲାଗି ୪୦ଟି ପାହାଚ । ପ୍ରତ୍ୟେକ ୧୦ଟି ପାହାଚରେ ଗୋଟାଏ ଲେଖାଁଏ ଚୌଡ଼ା ପାହାଚ । ଦୁଇପାଖରେ ବିବିଧ ଫୁଲର ଛୋଟ ଛୋଟ ପଟାଳି । ଏଠାରୁ ଉପରକୁ ଆହୁରି ୨୪ଟି ପାହାଚ ।

 

ଶ୍ରୀନଗରର ଯାଦୁଘର ଅପୂର୍ବ ସାମଗ୍ରୀମାନଙ୍କର ଦର୍ଶନ ଯୋଗ୍ୟ ସଂରକ୍ଷଣାଗାର । ଚଷମାସାହୀରୁ ଫେରି ଅପରାହ୍‌ଣରେ ଯାଦୁଘର ଦେଖିବା ଲାଗି ଗୁଜୁରାଟୀ ଭଦ୍ରଲୋକ ବାହାରିଲି-। ମୁଁ ମଧ୍ୟ ତାଙ୍କ ସହଯାତ୍ରୀ ହେଲି । ଏଠାରେ ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା, ପୂର୍ବତନ ମହାରାଜାମାନଙ୍କର ପ୍ରତିକୃତି, ପୃଥିବୀବିଖ୍ୟତ ତାରକସି କାମଯୁକ୍ତ ଦରୀ, ଗାଲିଚା, ଶାଲ ଓ ଚଦର କାଠର ସୁନ୍ଦର ହାତବାଡ଼ି, ମନୋହର କାଠମୂର୍ତ୍ତି, କାଠର ରଙ୍ଗୀନ ଡବା, ପିତଳ ବାସନ, ଗୋଳାବାରୁଦ ତଥା ରେଶମ ଓ ପଶମର ଚିତ୍ରିର ସୁନ୍ଦର ପୋଷାକ ପ୍ରଭୃତି ସଂରକ୍ଷିତ । ୪୬ ମହଣ ଓଜନ ଖଣ୍ଡିଏ ଅର୍ଦ୍ଧବୃତ୍ତାକାର ପଥରରେ ବିଭିନ୍ନ ଦେବଦେବୀଙ୍କର ମୂର୍ତ୍ତି ।

 

ଶଙ୍କରାଚାର୍ଯ୍ୟ–ଶିବମନ୍ଦିର:—ଶ୍ରୀନଗରରୁ ଏହାର ଦୂରତା ୩ ମାଇଲ୍ । ପାହାଡ଼ିଆ ରାସ୍ତାରେ ଏଠାକୁ ଯିବାକୁ ହୁଏ । ଏହା ଏକ ପର୍ବତର ଶୀର୍ଷଦେଶରେ ଅବସ୍ଥିତ । ଏହାର ଉଚ୍ଚତା ୧୦,୦୦୦ ଫୁଟ । ଜଗଦ୍‌ଗୁରୁ ପରିବ୍ରାଜକାଚାର୍ଯ୍ୟ ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ ଏହି ଶିବଲିଙ୍ଗର ପ୍ରତିଷ୍ଠାତା । ମନ୍ଦିରଟି ଛୋଟ । ମନ୍ଦିର ପାଖରେ ସାଧୁ ରହୁଥାନ୍ତି । ଭୀଷଣ ଶୀତ । ମନ୍ଦିରର ଅପର ପାର୍ଶ୍ୱରେ ହରିପର୍ବତ । ମନ୍ଦିର ପ୍ରାଙ୍ଗଣରେ ଦଣ୍ଡାୟମାନ ହୋଇ ଦର୍ଶକ ଶ୍ରୀନଗର, ଡାଲହ୍ରଦ, ଝେଲମନଦୀ ଓ ଶ୍ରୀନଗରର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ ଉପଭୋଗ କରିପାରେ । ମନ୍ଦିରର ସାମାନରେ ଚାନ୍ଦାବାକ୍‌ସ । ମନ୍ଦିର ମଧ୍ୟରେ ୩ ଫୁଟ୍ ଉଚ୍ଚ ତମ୍ବା ରଙ୍ଗର ଶିବଲିଙ୍ଗ । ତଳେ ଧଳାପଥରର ଶକ୍ତି । ଦ୍ୱାରଦେଶରେ ଛୋଟ ବୃଷଭମୂର୍ତ୍ତି । ମନ୍ଦିରଟିରେ ବିଜୁଳବତୀ ଖଚିତ । ଏହାକୁ କାଶ୍ମୀରର ରାଜା ସନ୍ଧିମାନ ନିର୍ମାଣ କରିଥିଲେ । ଦର୍ଶକ ସାରି ଦିନି ୧୧ ଟାରେ ଫେରିଲି । ୨ ମାଇଲ ପର୍ବତ ଉପରକୁ ଉଠିବା ଯେମିତି କଷ୍ଟସାଧ୍ୟ, ୨ମାଇଲ ତଳକୁ ଓହ୍ଲାଇବା ସେତିକି ବିପଜ୍ଜନକ । ବହୁକଷ୍ଟରେ ତଳକୁ ଆସି ପଦବ୍ରଜରେ ଧର୍ମଶାଳାକୁ ଫେରିଲି । କ୍ଲାନ୍ତଶ୍ରାନ୍ତ ହୋଇଥିବାରୁ ସେ ଦିନଟି ଅନ୍ୟ କେଉଁଆଡ଼େ ନ ଯାଇ ପୂର୍ଣ୍ଣ ବିଶ୍ରାମ ନେଲି ।

 

ଶ୍ରୀନଗରର ବ୍ୟାଙ୍କ, ସିନେମାଘର, କ୍ଳବ, ହସପିଟାଲ ଚର୍ଚ୍ଚ, ହିନ୍ଦୁମନ୍ଦିର, ମସ୍‌ଜିଦ୍, ଆକାଶବାଣୀଭବନ, ବିଶ୍ୱବିଦ୍ୟାଳୟ, ସେକ୍ରେଟରୀଏଟ୍, ରାଜପ୍ରାସାଦ, କଳାକେନ୍ଦ୍ର, ରେଶମ ବୟନକେନ୍ଦ୍ର, ପଥର ଓ କାଚଦୋକାନ ପ୍ରଭୃତି ଏହାର ମର୍ଯ୍ୟାଦାକୁ ବହୁ ଗୁଣିରେ ବଢ଼ାଇଦେଇଛି ।

 

ଗୁଲମାର୍ଗ ଓ ପହେଲଗାଁବ ପ୍ରଭୃତି ଦେଖି ଫେରିଲା ପରେ ଶ୍ରୀନଗରର ନେହେରୁପାର୍କ ବୁଲିଗଲି । ସେଦିନ ଏଠାରେ ଜାମୁ ଓ କାଶ୍ମୀରର ପ୍ରଧାନମନ୍ତ୍ରୀ ବକ୍‍ସିଗୁଲାମ ମହମ୍ମଦଙ୍କ ପୌରୋହିତ୍ୟରେ ଡାଲହ୍ରଦରେ “ନୌକାଚାଳନା ପ୍ରତିଯୋଗିତା” ହେଉଥାଏ । ହଜାର ହଜାର ଦର୍ଶକ ଏଥିରେ ଯୋଗ ଦେଇଥାନ୍ତି । ହ୍ରଦକୂଳ ପର୍ଯ୍ୟନ୍ତ ଘୋଡ଼ାଗାଡ଼ିରେ ଯାଇ ସେଠାରୁ ନୌକାସାହାଯ୍ୟରେ ହ୍ରଦ ଭିତରକୁ ଗଲି । ଦୁଇପାଖରେ ଧାଡ଼ି ଧାଡ଼ି ହୋଇ ହଜାର ହଜାର ଡଙ୍ଗା ୧ମାଇଲ ଦୂରକୁ ଲମ୍ବିଥାଏ । ନୌକାସଙ୍ଗରେ ଅନ୍ୟ ନୌକା ଧକ୍‌କା ଖାଉଥାନ୍ତି । ସ୍ଥାନଟି ବିପଦସଙ୍କୁଳ । ଅବଶ୍ୟ ଠାଏ ଠାଏ ହ୍ରଦଟି ଅଗଭୀର, ମାତ୍ର ୪।୫ ଫୁଟ ଗଭୀର । ପାଣି ଏତେ ନିର୍ମଳ ଯେ, ତଳ ଭାଗ ସ୍ପଷ୍ଟ ଦେଖାଯାଉଥାଏ । ବୋଟ୍ ରେସ୍ ଆରମ୍ଭ ହେଲା । ଜୟ ଜୟ ଧ୍ୱନିରେ ପ୍ରତି ଯୋଗୀମାନେ ଆହୁଲା ମାରି ନେହେରୁ ପାର୍କ ମଣ୍ଡପ ନିକଟକୁ ଆସିଲେ । ବିଜେତୃଦଳକୁ ପ୍ରଧାନମନ୍ତ୍ରୀ ବକ୍‌ସିଗୁଲାମ ମହମ୍ମଦ ପୁରସ୍କାର ଦେଲେ । ଭାରତର ଜାତୀୟ ସଙ୍ଗୀତ “ଜନଗଣମନ” ସ୍ୱରରେ କାଶ୍ମୀରର ରାଜବାଦ୍ୟ ବାଜି ଉଠିଲା । ଭାରତର ଜାତୀୟ ପତାକା ମୁକ୍ତାକାଶତଳେ ଫର ଫର ହୋଇ ଉଡ଼ୁଥାଏ । ପ୍ରଧାନମନ୍ତ୍ରୀ ହସ ହସ ହୋଇ କ୍ଷୁଦ୍ର ବକ୍ତୃତାଟିଏ ଦେଇ ପୁରସ୍କାର ଦେଲେ । ନେହେରୁପାର୍କରେ ଏକ ସୁନ୍ଦର ପ୍ରକୋଷ୍ଠ ଓ ତା ସମ୍ମୁଖରେ ମଣ୍ଡପ ଅଛି-

 

ଶ୍ରୀନଗରଶୋଭାକୁ ଡାଲହ୍ରଦ ଶତଗୁଣରେ ବଢ଼ାଉଅଛି । ଏଥିରେ ଶହ ଶହ ଭାସମାନ ଗୃହ । ଧନୀଲୋକମାନେ କେବଳ ଏଥିରେ ବାସ କରିପାରିବା । କାରଣ ଏଥିରେ ରହିବାପାଇଁ ମାସକୁ ଟ୩୦୦-୮୦୦ ପର୍ଯ୍ୟନ୍ତ ଦେବାକୁ ପଡ଼େ । ସଂସାରରେ ଗରିବର ସୁଖ ବା ମଜଲିସ୍ କରିବା ପାଇଁ କେଉଁଠି ସ୍ଥାନ ନାହିଁ । ଭାରତବାହାରୁ ଆସିଥିବା ପରିଦର୍ଶକମାନେ ନଗରର କୋଳାହଳମୟ ହୋଟେଲରେ ବାସ ନ କରି ହ୍ରଦବକ୍ଷମଣ୍ଡିତ ଏହି ନୌକାଗୃହମାନଙ୍କରେ ମାସ ମାସ ଧରି ରହନ୍ତି । ଏଥିରେ ଖାଦ୍ୟପେୟ ଓ ସ୍ନାନାଦି ସମସ୍ତ ବନ୍ଦୋବସ୍ତ ଥାଏ । କୋଠରୀଗୁଡ଼ିକ ଆଧୁନିକ ସାଜସଜ୍ଜାପୂର୍ଣ୍ଣ । ଏହା ମଧ୍ୟରେ ବୈଠକଖାନା ଓ ଭୋଜନାଳୟ । ଏଥିରେ ବସି ମାଛଶିକାରୀମାନେ ଡାଲହ୍ରଦରୁ ମାଛ ଧରନ୍ତି । ହ୍ରଦର ଗୋଟିଏ ପାଖରେ ହରିପର୍ବତ ଏବଂ ଅନ୍ୟ ପାଖରେ ଦେବ ପର୍ବତ । ହ୍ରଦର ଗଭୀରତା ୮ ଫୁଟରୁ ୨୦ ଫୁଟ ପର୍ଯ୍ୟନ୍ତ । କୂଳେ କୂଳେ ରଙ୍ଗୀନ ଗଛ ଓ ତୃଷାରମଣ୍ଡିତ ପର୍ବତମାଳା । ଛୋଟ ଛୋଟ ଡଙ୍ଗାରେ କାଶ୍ମୀର ଲୋକେ ମାଛ ଧରନ୍ତି । ହ୍ରଦମଝିରେ ଛୋଟ ଛୋଟ ପଠା । ସ୍ତ୍ରୀଲୋକମାନେ ଛୋଟ ଡଙ୍ଗାରେ ନୌକାଗୃହକୁ ଯାଇ ଫୁଲଫଳ ଓ ପନିପରିବା ବିକନ୍ତି । ଏଠାରେ ସୂର୍ଯ୍ୟଙ୍କର ଉଦୟାସ୍ତକାଳୀନ ଶୋଭା ଏକାନ୍ତ ରମଣୀୟ ।

☆☆☆

 

Unknown

ଗୁଲମାର୍ଗ

 

ଶ୍ରୀନଗରରୁ ବସ୍ ଯୋଗେ ୨୬ ମାଇଲ୍ ଗଲାପରେ ପ୍ରଥମେ ଟାନ୍‍ମାର୍ଗରେ ପହଞ୍ଚିଲି । ଟାନ୍‌ମାର୍ଗଠାରୁ ତୁଷାରାବୃତ ହିମାଳୟ ପର୍ବତମାଳାର ଆରମ୍ଭ । ଏଠାରୁ ଦର୍ଶକମାନେ ଘୋଡ଼ା ବା ଡାଣ୍ଡୀ (ପାଲିଙ୍କିପରି)ରେ ଗୁଲମାର୍ଗ ଯାଆନ୍ତି । ପଦଯାତ୍ରା ଭୀଷଣ କଷ୍ଟକର । ଆନବରତ ବୃଷ୍ଟି ଯୋଗୁଁ ପାହାଡ଼ିଆ ରାସ୍ତାଟି କର୍ଦ୍ଦମାକ୍ତ ମାର୍ଗର ପିଚ୍ଛିଳତା ହେତୁ ଯାତ୍ରୀମାନେ ଘୋଡ଼ା ସାହାଯ୍ୟରେ ଯାଆନ୍ତି । ଶ୍ରେଣୀ ଅନୁସାରେ ଘୋଡ଼ାମାନଙ୍କର ମାଇଲ୍ ପ୍ରତି ଭିନ୍ନ ଭିନ୍ନ ଦର ଏଠାକାର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସ୍ଥିର କରିଥାନ୍ତି । ଖୁବ୍ ଉଚ୍ଚ ଓ ଦ୍ରୁତଗାମୀ ପ୍ରଥମଶ୍ରେଣୀର ଘୋଡ଼ାଟିଏ ବାଛିଲି । ଘୋଡ଼ାକୁ ଆୟତ୍ତକରିବା, ବାମ ଓ ଡାହାଣକୁ ବୁଲାଇବା, ଦଉଡ଼ାଇବା ପାଇଁ ଲଗାମ କୋହଳ କରିବା ଓ ଅଟକାଇବା ପାଇଁ ଜୋରରେ ଲଗାମ ଭିଡ଼ ଧରିବାର କାଇଦା ପାଖ ପଡ଼ିଆରେ ସଇସ ମୋତେ ଶିଖାଇଦେଲା । ସେତେବେଳକୁ ଦିନ୧୨ଟା । ଭୀଷଣଶୀତ । ପ୍ୟାଣ୍ଟ, ସ୍ୱେଟର, କୋଟ୍, ମଫଲର ଓ ଫେଲ୍‌ଟକ୍ୟାପ୍ ପ୍ରଭୃତି ବ୍ୟବହାର କରିଥାଏ । ଘୋଡ଼ାଟି ବେଶ୍ ଶାନ୍ତ-। ଶହ ଶହ ଯାତ୍ରୀ ଘୋଡ଼ାରେ ବସି ଯାଉଥାନ୍ତି । ଘୋଡ଼ା ଏପରି ପୋଷା ଓ ବିଶ୍ୱସ୍ତ ଯେ, ସ୍ତ୍ରୀଲୋକମାନେ କୋଳରେ ଶିଶୁକୁ ଧରି ସୁଦ୍ଧା ତା’ ଉପରେ ବସି ଯାଉଥାନ୍ତି । ଏକ ପାଖରେ ତୁଷାରାବୃତ ହିମାଳୟଶୃଙ୍ଗାବଳୀ—ଅନ୍ୟପାଖରେ ଶହ ଶହ ଫୁଟ ତଳେ ସବୁଜ ପ୍ରାନ୍ତର-। ଚାରିଆଡ଼େ ପାଇନ୍ ବଣ । ବରଫ ଖଣ୍ଡ ଖଣ୍ଡ ହୋଇ ପଥରର ପରି ବାଟଯାକ ପଡ଼ିଥାଏ-। ଅସଂଖ୍ୟ ପାର୍ବତ୍ୟ ଝରଣା ବହି ଯାଉଥାଏ । ଘୋଡ଼ାଗୁଡ଼ିକ ବେଶ୍ ଚାଲାକ । ବରଫଖଣ୍ଡ ଓ ଜଳଧାରକୁ ଡେଇଁ ଡେଇଁ ଚାଲିଥାନ୍ତି । ଏହି ରାସ୍ତା ସହିତ ସେମାନେ ଆଜନ୍ମ ପରିଚିତ-। ନିର୍ଭୀକଭାବରେ ଓ ବିନା ଆଦେଶରେ ଯୁଦ୍ଧକୁ ଗଲାପରି ବୀରଦର୍ପରେ ସେମାନେ ଆଗେଇ ଯାଉଥାନ୍ତି । ମନରେ କୌତୁହଳ ଓ ଆନନ୍ଦ ଯେତିକି ପରିମାଣରେ ଆସୁଥାଏ, ଭାବୀ ବିପଦ ଓ ପ୍ରାଣହାନିର ଆଶଙ୍କା ସେତିକି କାତର କରୁଥାଏ । ଚାରିପାଖରେ କେବଳ ହିମାଳୟର ତୁଷାରମଣ୍ଡିତ ଶୃଙ୍ଗାବଳି ପରିଶୋଭିତ । ଅଶ୍ୱାରୋହୀର ମନଫୁଲାଣିଆ ସଙ୍ଗୀତ ଲହରୀ ବନର ବିଜନତାଭଙ୍ଗ କରି ଦୂରକୁ ଦୂରକୁ ଭାସିଯାଉଥାଏ । ଏ ସବୁ ଦୃଶ୍ୟାବଳି କେବଳ ସ୍ୱଚକ୍ଷୁରେ ଦେଖିବାର କଥା—ଏହା କଳ୍ପନାର ବହୁ ଦୂରରେ । ୪ ମାଇଲ୍ ଗଲାପରେ ଗୁଲମାର୍ଗ ପଡ଼ିଲା-। ଏଠାରେ ଦୋକାନ, ହୋଟେଲ ଓ ଡାକବଙ୍ଗଳା ଅଛି । କେତେକ ଯାତ୍ରୀ ଏଠାରେ ଦିନେ ଦୁଇ ଦିନ ରହି ହିମାଳୟର ଶୋଭା ଉପଭୋଗ କରନ୍ତି । ଏଠାରେ ସୁନ୍ଦର ସମତଳ ଘାସ ପଡ଼ିଆଟିଏ-। ନୂଆ ଘୋଡ଼ାଚଢ଼ାଳିମାନେ ଏହି ପଡ଼ିଆରେ ଘୋଡ଼ାମାନଙ୍କୁ ଦଉଡ଼ାଇବା ଲାଗି ଟିକିଏ ଅବସର ପାଆନ୍ତି-। ମୁଁ ମଧ୍ୟ ଆନନ୍ଦରେ ୧୦।୧୨ ଥର ପଡ଼ିଆର ଚାରିପାଖରେ ଘୋଡ଼ାକୁ ଦଉଡ଼ାଇଲି-। ଗୁଲମାର୍ଗର ଉଚ୍ଚତା ୮୫୦୦ ଫୁଟ । ଏଠାରୁ ଆଉ ୩ ମାଇଲ ଉତ୍ତରକୁ ଖିଲନମାର୍ଗ । ଅତ୍ୟଧିକ ଶୀତ ଓ ଅଶ୍ୱାରୋହଣଜନିତ କ୍ଲାନ୍ତି ଯୋଗୁଁ ଅଧିକାଂଶ ଯାତ୍ରୀ ଏଠାରୁ ଫେରିଯାଆନ୍ତି । ଏଠାରେ ପହଞ୍ଚିଲାବେଳକୁ ଭୀଷଣବର୍ଷା । ଏଠାରୁ ଉପରକୁ ଯାଇଥିବା ରାସ୍ତାଟି ଏତେ ସଂକୀର୍ଣ୍ଣ ଯେ, ଏକ ସଙ୍ଗରେ ୨।୩ଟା ଘୋଡ଼ା ଯାଇପାରନ୍ତି ନାହିଁ । ତେଣୁ ଆଗ ପଛ ହୋଇ ଗୋଟିଏ ଧାଡ଼ିରେ ତଳକୁ ଆସୁଥାନ୍ତି । ବାଟରେ ଠାଏ ଠାଏ ବରଫ ପଡ଼ିଥାଏ । ଘୋଡ଼ା ଡେଇଁ ଡେଇଁ ଯିବା ସମୟରେ ତା ପିଠିରୁ ପଡ଼ିଗଲେ ମହାବିପଦ । ତେଣୁ ସମସ୍ତେ ସାବଧାନରେ ଯାଆନ୍ତି, ତଥାପି ଏ ବିପଦ ମଧ୍ୟରେ ଅସୀମ ଆନନ୍ଦ ଓ ଉତ୍ସାହ ଥାଏ । ଆନନ୍ଦାତିଶଯ୍ୟାରେ କେହି କେହି ଆତ୍ମହରା ହୋଇପଡ଼ନ୍ତି-। ହିମାଳୟ ପ୍ରାକୃତିକ ଦୃଶ୍ୟର ଚମତ୍କାରିତା ଏହି ସବୁ ସ୍ଥାନମାନଙ୍କରେ ପୂର୍ଣ୍ଣମାତ୍ରାରେ ଉପଲବ୍‌ଧ ହୁଏ ।

 

ଗୁଲମାର୍ଗରୁ ପୁଣି ୩ ମାଇଲ୍ ଗଲାପରେ ଖିଲନ୍‌ମାର୍ଗରେ ପହଞ୍ଚିଲି । ଏହାର ଉଚ୍ଚତା ୧୧,୫୦୦ ଫୁଟ୍ । ପ୍ରବଳ ଶୀତ ଓ ବରଫଝଡ଼ । ଏଠାରୁ ଆଉ ଆଗକୁ ଘୋଡ଼ା ଯାଇ ପାରେନାହିଁ-। ଅନ୍ୟ ଯାତ୍ରୀମାନଙ୍କ ସହିତ ମୁଁ ବରଫପଡ଼ିଆରେ ଚାଲି ଚାଲି କିଛି ବାଟ ଗଲି । ସାମନାରେ କେବଳ ବରଫର ପର୍ବତ । ଭୂମି ବରଫାବୃତ । ଚାରିଆଡ଼େ କେବଳ ବରଫପଡ଼ିଆ । ବରଫଛଡ଼ା ପାଦଟିଏ ପକାଇବାକୁ ଭୂମି ନାହିଁ । ବରଫପର୍ବତଶୃଙ୍ଗ ଉପରକୁ ଉଠିଲାବେଳେ ବଳାଗଣ୍ଠି ପର୍ଯ୍ୟନ୍ତ ଗୋଡ଼ ବରଫରେ ବୁଡ଼ି ଯାଉଥାଏ । ଭୀଷଣ କଷ୍ଟ । ଓଠକୁ ଓଠ ବାଜୁଥାଏ । ଏତେ ଗରମ ପୋଷାକ ଓ କମ୍ବଳ ସତ୍ତ୍ୱେ ବରଡ଼ାପତ୍ର ପରି ଥରିଲି । ସଇସ ଘୋଡ଼ାଟିକୁ ଧରି ଦୂରରେ ଠିଆ ହୋଇଥାଏ । ଖୁବ୍‍ କଷ୍ଟରେ ପ୍ରାୟ ଅଧାମାଇଲ୍ ଉପରକୁ ଗଲି । ଶେଷକୁ ହାଲିଆ ହୋଇଗଲି-। ତଳକୁ ଫେରିଆସିବା ଲାଗି ବଳ ପାଇଲା ନାହିଁ । ସ୍ଲେଜଗାଡ଼ିଟିଏ ଭଡ଼ା କରି ତଳକୁ ଆସିଲି-। ଉପରକୁ ଉଠିଲା ବେଳେ ୪।୫ ଜଣ ସ୍ଲେଜଗାଡ଼ିକୁ ଭିଡ଼ି ଭିଡ଼ି ନିଅନ୍ତି, ମାତ୍ର ତଳକୁ ଓହ୍ଲାଇଲାବେଳେ ସେମାନେ ଗାଡ଼ିଟିକୁ ତଳମୁହାଁ ଛାଡ଼ି ଦେଇ ପଛରୁ ଭିଡ଼ି ଧରି ଗାଡ଼ିଟିକୁ ଧୀରେ ଧୀରେ ଖସାନ୍ତି । ତଳକୁ ଓହ୍ଲାଇଲା କ୍ଷଣି ସଇସ ମୋତେ ଘୋଡ଼ାଟି ଦେଲା । ନିକଟରେ ୨।୩ ଟି ଚାଦୋକାନ ଥାଏ । କପେ ଚା ଖାଇ ପୁଣି ଘୋଡ଼ା ଚଢ଼ି ଟାନ୍‌ମାର୍ଗ ବସ୍‍ଷ୍ଟାଣ୍ଡ (୭ମାଇଲ୍)କୁ ଫେରି ଆସିଲି । ୬ଟା ବେଳେ ଟାନ୍‌ମାର୍ଗରୁ ବସ୍ ଯୋଗେ ଆସି ସେ ଦିନ ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିଲି ।

 

ପହେଲଗାଁବ କାଶ୍ମୀରର ଅନ୍ୟତମ ଦର୍ଶନୀୟ ସ୍ଥାନ । ଅଗଷ୍ଟ ମାସରେ ଏଠାର ଶହଶହ ଯାତ୍ରୀ ଅମରନାଥଙ୍କ “ତୁଷାରଲିଙ୍ଗ” ଦର୍ଶନ ଲାଗି ଯାଆନ୍ତି । ମେ ଓ ଜୁନ୍ ମାସରେ ରାସ୍ତା ବରଫପୂର୍ଣ୍ଣ ଥାଏ । ଗୁଲମାର୍ଗରୁ ଫେରିଲା ଦିନ ରାତିରେ କାଶ୍ମୀର ଟୁରିଷ୍ଟବସ୍ ଅଫିସରୁ ଟିକେଟ୍‌ଟିଏ କରି ଆଣିଲି । ପରଦିନ ସକାଳ ୭ଟାରେ ପହେଲଗାଁବ ଅଭିମୁଖେ ଶ୍ରୀନଗରରୁ ବସ୍ ଛାଡ଼ିଲା । ଅବନ୍ତୀପୁର, ଅନନ୍ତନାଗ, ଅକ୍ଷୟବଳ, କୋକ୍ରନାଗ, ଓ ବାବନ ପ୍ରଭୃତି ବିଭିନ୍ନ ଦର୍ଶନୀୟସ୍ଥାନ ଆମ୍ଭଙ୍କୁ ଦେଖାଇ ଟୁରିଷ୍ଟବସ୍ ପହେଲଗାଁବରେ ଦିନ ୧୨ଟାରେ ପହଞ୍ଚିଲା ।

 

ଅବନ୍ତୀପୁର ଶ୍ରୀନଗରରୁ ୧୭ ମାଇଲ୍ । ଏଠାରେ ପ୍ରାଚୀନ ଧ୍ୱଂସାବଶେଷ ଏବେ ସୁଦ୍ଧା ବିଦ୍ୟମାନ । କାଶ୍ମୀରର ପୂର୍ବତନ ରାଜା ଅବନ୍ତୀବର୍ମନ୍ (ଖ୍ରୀ;୮୫୫-୮୮୩) ଏଠାରେ ରାଜୁତି କରୁଥିଲେ । ଧ୍ୱଂସପ୍ରାପ୍ତ ରାଜବାଟୀ ପ୍ରାଙ୍ଗଣରେ ବିଷ୍ଣୁ, ଲକ୍ଷ୍ମୀ ଓ ସରସ୍ୱତୀଙ୍କର କମନୀୟ ପ୍ରସ୍ତରମୂର୍ତ୍ତି । ମୂର୍ତ୍ତିମାନଙ୍କର ଗଠନ ବେଶ୍ ସୁନ୍ଦର । ଏହି ପ୍ରାଙ୍ଗଣର ଆୟତନ ୧୭୪ ଫୁଟ ×୧୪୮ ଫୁଟ । ଉପରକୁ ଗଲାବେଳେ ପ୍ରଥମେ ୧୦ଟି କାଠପାହାଚ ଓ ତା’ପରେ ୧୦ଟି ପଥର ପାହାଚ ପଡ଼ିଲା । ପାହାଚଗୁଡ଼ିକ କାରୁକାର୍ଯ୍ୟପୂର୍ଣ୍ଣ । ପୁଣି ଉପରକୁ ୧୬ ଟି ପାହାଚ ଗଲେ ହାତୀମୂର୍ତ୍ତି । ଶୀର୍ଷଦେଶରେ ଏକ ଦରବାରୀମହଲ । ଏହା କାଶ୍ମୀରରର ଆନ୍ୟତମ ପ୍ରଧାନ ଐତିହାସିକ ସ୍ଥାନ ।

 

କୋକ୍ରନାଗ ଅବନ୍ତୀପୁରରୁ ୧୮ ମାଇଲ୍ । ଏଠାରେ ପାର୍ବତ୍ୟ ଝରଣାମାନଙ୍କର ଦୃଶ୍ୟ ଅତୀବ ଚମତ୍କାର । କୋକ୍ରନାଗରୁ ପୁଣି ୫ ମାଇଲ ଗଲେ ଅକ୍ଷୟବଳ । ସମ୍ରାଟ ଜାହାଙ୍ଗୀର ଏଠାରେ ବହୁତ ଜଳଧାରାର ଯୋଜନା କରିଥିଲେ । ପାର୍ବତ୍ୟ ଝରଣାକୁ ନିୟନ୍ତ୍ରିତ କରି ଜଳଧାରାଗୁଡ଼ିକୁ ଏକ ଅପୂର୍ବ ଭଙ୍ଗୀରେ ଛାଡ଼ି ଦିଆଯାଇଛି । ଶହ ଶହ ଦର୍ଶକ ଏଠାରେ ରହି ଏହି ଅନୁପମ ଦୃଶ୍ୟ ଦେଖୁଥାନ୍ତି । ପର୍ବତରୁ ଏକ ସଙ୍ଗରେ ୨୫ଟି ଜଳଧାରା ନିର୍ଗତ ହୋଇ ବିଭିନ୍ନ ଦିଗରେ ପ୍ରବାହିତ । ତାପାଖକୁ ଆଉ ୨୫ ଟି ଊର୍ଦ୍ଧ୍ୱମୁଖିଜଳଧାରା । ଉପରେ ଦୁଇଟି ସୁନ୍ଦର ପ୍ରକୋଷ୍ଠ । ତା ଉପରକୁ ଆଉ ଦୁଇଟି ପ୍ରକୋଷ୍ଠ । ସର୍ବୋପରି ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠ ଓ ପୁଣି ଗୋଟିଏ ସୁନ୍ଦର ପାହାଡ଼ିଆ ଝରଣା । ବିଭିନ୍ନଧାରାରେ ୫ଟି ଲେଖାଏଁ ସ୍ରୋତ ଏକତ୍ର କରି ଛାଡ଼ି ଦିଆଯାଇଛି । ତଳେ ଆଉ ୪ଟି ଝରଣା । ଗୋଟିଏ ପୁଷ୍କରିଣୀ ମଧ୍ୟରେ ୩ଟି ରାସ୍ତା । ଏହାର ଗଭୀରତା ମାତ୍ର ୯ ଇଞ୍ଚ । ଏଥିରେ ବହୁତ ମାଛ । ପୋଖରୀର ଚାରିଆଡ଼େ ଫୁଲବଗିଚା । ଉପରକୁ ପର୍ବତ ଓ ପାଇନ୍ ବଣ । ଏଠାରୁ ଅନନ୍ତନାଗ ଗଲାବେଳେ ରାସ୍ତାରେ ଉଭୟ ପାର୍ଶ୍ୱରେ ଶହ ଶହ ଏକର ଜାଫ୍ରାନକେଶର ଚାଷଜମି ଦେଖିବାକୁ ସୁଯୋଗ ମିଳେ ।

 

ଅନନ୍ତନାଗ ଅକ୍ଷୟବଳୟରୁ ୭ ମାଇଲ୍ ଦୂର । ଏଠାରେ ଶିବମନ୍ଦିର ସ୍ଥାପିତ । କଳାମୁଗୁନି ପଥରର ଛୋଟ ଶିବଲିଙ୍ଗ । ଏହା ଏକ ଛୋଟଗ୍ରାମ । ଏଠାକାର ଗନ୍ଧକ-ପୁଷ୍କରଣୀ ଦର୍ଶନୀୟ । ଏହି ପୁଷ୍କରିଣୀର ଜଳ ଗନ୍ଧପୂର୍ଣ୍ଣ । ଏହାର ଜଳରୁ ରାସାୟନିକ ପ୍ରକ୍ରିୟାରେ ଗନ୍ଧକ ବାହାର କରାଯାଏ ।

 

ଅନନ୍ତନାଗରୁ ପହେଲଗାଁବର ଦୂରତା ୨୪ ମାଇଲ । ଚାରିପାଖରେ ବରଫପାହାଡ଼ । ଅମରନାଥରୁ ନିର୍ଗତ ନଦୀଟିଏ କୁଳୁକୁଳୁ ନାଦରେ ଏହି ସ୍ଥାନରେ ବହିଯାଉଛି । ପହଞ୍ଚିଲାବେଳକୁ ବର୍ଷା । ବାହାରକୁ ଆସିଲା ବେଳକୁ ହାଡ଼ଭଙ୍ଗା ଶୀତ । ଏହାର ଉଚ୍ଚତା ୭୨୦୦ ଫୁଟ । ଝୁଲଣପୂର୍ଣ୍ଣିମାବେଳେ ୫।୬ ଦିନ ପଦଯାତ୍ରା କରି ଏଠାରୁ ଯାତ୍ରୀମାନେ ଅମରନାଥ ଯାଆନ୍ତି । ଏଠାରେ ଡାକବଙ୍ଗଳା ଓ ହୋଟେଲ ପ୍ରଭୃତିରେ ରହିବା ବେଶ୍ ଆରାମପ୍ରଦ । ସେତେବେଳେ ଭାରତର ଚଳଚିତ୍ର ଅଭିନେତା ରାଜକପୁର ଓ ଅଭିନେତ୍ରୀ ନୂତନ “ଛଲିଆ” ଚଳଚିତ୍ର ନିର୍ମାଣଲାଗି ଆସି ଏଠା ଡାକବଙ୍ଗଳାରେ ଥାଆନ୍ତି । ଅତ୍ୟଧିକବୃଷ୍ଟି ହେତୁ ଚାରିଆଡ଼େ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ଅସମ୍ଭବ ହେଲା । କିଛି ସମୟ ରହି ପୁଣି ଶ୍ରୀନଗରକୁ ଫେରିଆସିଲି ।

 

କାଶ୍ମୀର ଭାରତର କ୍ରୀଡ଼ାସ୍ଥଳ । ଏହାର ପ୍ରାକୃତିକ ସୁଷମା ହେତୁ ଏହାକୁ ‘ଭୂସ୍ୱର୍ଗ’ ଆଖ୍ୟା ଦିଆଯାଇଛି । ପୃଥିବୀର ରମଣୀୟ ସ୍ଥାନ ମଧ୍ୟରେ ଏହା ପ୍ରଥମ (ଦ୍ୱିତୀୟଟି ଇଉରୋପର ସୁଇଜରଲାଣ୍ଡ ଓ ତୃତୀୟଟି ଜାପାନର ଫୁଜିୟାମା) । ଗଲାବେଳେ ବାଟରେ ଅସଂଖ୍ୟ ବେଦାନା ଗଛରୁ ତଳେ ପଡ଼ିଥାଏ । ଶ୍ରୀନଗର ଆଖପାଖ ଅଞ୍ଚଳରେ ଶହ ଶହ ସେଓ, ନାସପାତୀ ଓ ଅଙ୍ଗୁର ବଗିଚା । ଏଠାକାର ଅଧିବାସୀମାନେ ତୋଫା ଗୋରା, ପରିଶ୍ରମୀ ଓ ସୁନ୍ଦର । ସ୍ତ୍ରୀମାନେ ପରମା ସୁନ୍ଦରୀ । ପ୍ରତିବର୍ଷ ଭାରତରୁ ଓ ଭାରତବାହାରୁ ଲକ୍ଷ ଲକ୍ଷ ଦର୍ଶକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ଏଠାକୁ ଆସନ୍ତି । ଭାରତର ଏହା ଏକ ଅମୂଲ୍ୟ ସମ୍ପଦ ।

☆☆☆

 

ଅମୃତସର

 

କାଶ୍ମୀରରୁ ଫେରିବା ସମୟରେ ପଠାଣକୋଟରେ ଦିନଟିଏ ବିଶ୍ରାମ ନେଇ ପରଦିନ ସକାଳେ ମଟରଯୋଗେ ଅମୃତସର ଗଲି । ପଠାଣକୋଟରୁ ଏହାର ଦୂରତା ୬୭ ମାଇଲ୍ । ଅମୃତସରର ପୃଥିବୀ ବିଖ୍ୟାତ ସ୍ୱର୍ଣ୍ଣମନ୍ଦିର ତଥା ଲୋମହର୍ଷଣକାରୀ ଐତିହାସିକ ପୀଠ ଓ ଜାଲିଆନାବାଲାବାଗ୍ କେଉଁ ପରିଦର୍ଶକକୁ ଆକୃଷ୍ଟ ନ କରିବ ? ପଠାଣକୋଟ ରେଳଷ୍ଟେସନରେ ରାତିସାରା ବିଶ୍ରାମ କରିବାରୁ କ୍ଲାନ୍ତି ଟିକିଏ ବଳବତୀ ହୋଇଉଠିଲା । ସକାଳ ୬ଟାରେ ଯାତ୍ରା ଆରମ୍ଭ କରି ପ୍ରାୟ ୯ ଟା ସମୟରେ ଅମୃତସରରେ ପହଞ୍ଚିଲି । ରିକ୍‌ସାଟିଏ କରି ସହର ବୁଲି ବାହାରିଲି । ପୂର୍ବରୁ ମୋର ଧାରଣାଥିଲା ଯେ, ପଞ୍ଜାବୀମାନେ ରୁକ୍ଷ, ଏଣୁ ଭଦ୍ରବ୍ୟବହାର ସେମାନଙ୍କଠାରୁ ମିଳିବା ଅସମ୍ଭବ, କିନ୍ତୁ ଏଠାରେ ରିକ୍‌ସାବାଲାଠାରୁ ଆରମ୍ଭ କରି ସାଧାରଣ ନାଗରିକମାନଙ୍କ ଆଳାପ ଓ ବ୍ୟବହାରରେ ମୁଁ ଏକାବେଳେକେ ଆତ୍ମବିସ୍ମୃତ ହେଲି । ତେଣୁ ପୂର୍ବଧାରଣା ଲାଗି ଅନୁତାପ କଲି । ଦୋକାନ ବଜାରରେ ବିକ୍ରୟ କରୁଥିବା ଲୋକଙ୍କ ଭଦ୍ରବ୍ୟବହାର କ୍ରେତାଙ୍କୁ ମୁଗ୍‌ଧ କରେ । ଅମୃତସର ପ୍ରଥମେ ପଞ୍ଜାବର ରାଜଧାନୀ ଥିଲା, କିନ୍ତୁ ଭାରତ ଓ ପାକିସ୍ଥାନ ବିଭାଗ ପରେ ଏହାର ଦୂରତା ପାକିସ୍ଥାନକୁ ମାତ୍ର ୧୬ ମାଇଲ । ଏଣୁ ଏଠାରୁ ରାଜଧାନୀ ଉଠିଗଲା । ଏବେ ଚଣ୍ଡୀଗଡ଼ ପଞ୍ଜାବର ରାଜଧାନୀ ହୋଇଛି । ଅମୃତସରର ଜନସଂଖ୍ୟା ୪ ଲକ୍ଷ । ଏହା ଏକ ଆଧୁନିକ ନଗର । ନଗରରେ ଶିଖ୍‍ ଓ ହିନ୍ଦୁମାନଙ୍କର ଅସଂଖ୍ୟ ମନ୍ଦିର, କଲେଜ, ସ୍କୁଲ ଓ ସାଧାରଣ କାର୍ଯ୍ୟାଳୟ ପ୍ରଭୃତି ଦେଖାଯାଏ । ଦିନ ୧୧ ଟାରେ ସ୍ୱର୍ଣ୍ଣମନ୍ଦିରରେ ପହଞ୍ଚିଲି । ଓଏହି ମନ୍ଦିରର ଶୋଭା ଅନୁପମ । ଏହାର ସୁନାପାତ ଦୂରକୁ ଚକ୍ ଚକ୍ ଦେଖାଯାଏ । ମନ୍ଦିରର ଚାରିପାଖରେ ସୁବିସ୍ତୃତ ପୁଷ୍କରିଣୀ । ଏହି ପୁଷ୍କରିଣୀର ନାମ ସ୍ୱର୍ଣ୍ଣକମଳ ସରୋବର । ମଲମଲ ପଥରର ରାସ୍ତା ପୁଷ୍କରିଣୀର ମଧ୍ୟ ଦେଇ ମୁଖ୍ୟ ମନ୍ଦିରକୁ ଯାଇଛି । ମଲମଲ ପଥରର ନିମ୍ନଭାଗ, ତମ୍ବାପତ୍ରାଚ୍ଛାଦିତ ଉପରି ଅଂଶ ଓ ସର୍ବୋପରି ସୁନାଛାଉଣି ଗମ୍ଭୁଜ ଏହାର ଶୋଭାସମ୍ଭାରକୁ ଫୁଟାଇ ଦେଇଛି । ମନ୍ଦିରର କାନ୍ଥମାନଙ୍କରେ ଶିଖ୍‌ଗୁରୁମାନଙ୍କର ଧର୍ମଶିକ୍ଷା ଚିତ୍ର ଓ ବୀରମାନଙ୍କର ଚିତ୍ର ଖୋଦିତ । ସୁନ୍ଦର କାରୁକାର୍ଯ୍ୟ ସମ୍ବଳିତ ଭିତ୍ତିର ଶୋଭା ଅନୁପମ । ପୁଷ୍କରିଣୀର କ୍ଷେତ୍ରଫଳ ୧୦,୦୦୦ ବର୍ଗ ଗଜ । ପଞ୍ଜାବ ଓ ଅନ୍ୟ ପ୍ରାନ୍ତର ଶିଖ୍‍ମାନଙ୍କ ବଦାନ୍ୟତାଫଳରେ ଏପରି ସୁନ୍ଦର ମନ୍ଦିରର ନିର୍ମାଣ ସମ୍ଭବ ହୋଇପାରିଛି । ପ୍ରବେଶଦ୍ୱାରର ଘଣ୍ଟାଘର ଏକ ଉଚ୍ଚ ଗମ୍ବୁଜ ଉପରେ ପ୍ରତିଷ୍ଠିତ । ଶିଖ୍‍ମାନଙ୍କର ଧର୍ମଧ୍ୱଜା ଏଠାରେ ଗଗନ ବକ୍ଷରେ ଉଡ଼ଡୀୟମାନ । ଏହାର ଚାନ୍ଦିକବାଟର ଶୋଭା ଅତୀବ ପ୍ରଶଂସନୀୟ । ପ୍ରାତଃ ଓ ସାୟଂକାଳୀନ ପ୍ରାର୍ଥନାସମୟରେ ପ୍ରଧାନ ଦରଜାରେ ଥିବା ବୃହତ୍ ନାଗରା ନିନାଦିତ ହୁଏ । ମୁଖ୍ୟମନ୍ଦିରଟି ତ୍ରିତଳ-। ଏହାର ଉଚ୍ଚତମ ମହଲାରେ କେବଳ ସୁନାର ପାତ ଏବଂ ସୁନାର ଖିଲିଣି । ଦ୍ୱିତଳର କାନ୍ଥମାନଙ୍କରେ ନାନାବିଧ ଚିତ୍ର ଅଙ୍କିତ । ତଳମହଲାରେ “ଗ୍ରନ୍ଥସାହେବ” ସୁରକ୍ଷିତ ଓ ପୂଜିତ-। ଶତ ଶତ ନାରନାରୀ ଧର୍ମପୁସ୍ତକ ‘ଗ୍ରନ୍ଥସାହେବ’ର ଦୋହାବଳି ପାଠ କରନ୍ତି । ହାରମୋନିୟମ, ଡୁବିତାବଲା ଓ ଗିନି ପ୍ରଭୃତି ବାଦ୍ୟଯନ୍ତ୍ରର ସମ୍ମିଶ୍ରଣରେ ଏହି ଦୋହାବଳିର ଗାନ ମନୋମୁଗ୍‍ଧକର ହୁଏ । ଧର୍ମଗୁରୁ ପଦଟି ପଢ଼ିଲା ପରେ ଅନ୍ୟମାନେ ‘ଡୁହା’ ଧରନ୍ତି । ଏହା ଏକ କୋଳାହଳମୟ ସ୍ଥାନ । ମନ୍ଦିରର ମଝିରେ ସୁନାପତ୍ରରେ ବିବିଧ ଲତା ଓ ତାରକସିକାମ ଏହାର ଶୋଭାକୁ ବଢ଼ାଇ ଦେଇଛି । ଏଠାରେ ୧୧ଟି ସୁନାର ଚାମର । ପୂଜାପରେ ଦର୍ଶକମାନଙ୍କୁ ପ୍ରାସଦ ବଣ୍ଟାଯାଏ-। ମନ୍ଦିର ଭିତରକୁ ଯିବାକୁ ହେଲେ ପ୍ରଥମେ ପୁଷ୍କରିଣୀରେ ହାତଗୋଡ଼ ଧୋଇବାକୁ ପଡ଼େ । ସମସ୍ତେ ପଗଡ଼ି ପିନ୍ଧି ମନ୍ଦିର ଭିତରକୁ ଦର୍ଶନ କରିବାକୁ ଯାଆନ୍ତି । ମୋର ମୁଣ୍ଡରେ ପଗଡ଼ି ପ୍ରଭୃତି କିଛି ନ ଥିଲା । ଭିତରକୁ ଗଲାବେଳେ ଜଣେ ଶିଖ୍‍ ମୋତେ ମୁଣ୍ଡରେ ରୁମାଲଟିଏ ପକାଇ ଯିବାକୁ ଅନୁରୋଧ କଲେ । ତାଙ୍କ କଥା ଅନୁସାରେ ସେହିପରି କରି ଦର୍ଶନ କରିବାକୁ ଗଲି । ମନ୍ଦିରର ଦୁଇପାଖରେ ୧୦ ।୧୧ଟି ଗମ୍ଭୁଜ ଓ ଶେଷକୁ ଦୁଇଟି ବଡ଼ ଗମ୍ଭୁଜ । ମଝିରେ ୬ଟି ଖୁବ୍‍ ବଡ଼ ଇଲେକ୍ଟ୍ରିକ୍ ବଲ୍‌ବ । କାନ୍ଥମାନଙ୍କରେ ଚିତ୍ରିତ କାଚ ଖଚିତ । ଗୁରୁନାନାକ ଶିଖ୍‍ଧର୍ମର ପ୍ରତିଷ୍ଠାତା ଓ ଗୁରୁ ରାମଦାସ ଅମୃତସରର ନିର୍ମାତା । ଏଣୁ ସେମାନଙ୍କ ଜନ୍ମଦିନ ଉତ୍ସାବରେ ସମସ୍ତ ମନ୍ଦିର ଆଲୋକମାଳାରେ ସଜ୍ଜିତ ହୁଏ । ସ୍ୱର୍ଣ୍ଣ ମନ୍ଦିରର ଅନ୍ୟ ନାମ “ହରିମନ୍ଦିର” ଓ “ଦରବାର ସାହେବ”-। ନିଶାକାଳର ଆଲୋକସଜ୍ଜାରେ ମନ୍ଦିରର ପ୍ରତିଚ୍ଛବି ପୁଷ୍କରିଣୀ ବକ୍ଷରେ ଉଦ୍ଭାସିତ ହୋଇ ଏକ ଅନିର୍ବାଚନୀୟ ସୁଷମା ସୃଷ୍ଟିକରେ । ଦୀପାବଳୀ ଉତ୍ସବର ଆଲୋକସଜ୍ଜା ଅନୁପମ । ପଞ୍ଜାବର ମହାରାଜା ବୀର ରଣଜିତ୍ ସିଂହ ଏହାର ଗମ୍ଭୁଜ ଓ ଉପରର ଗୋଲାକାର ଅଂଶକୁ ଖ୍ରୀ:୧୮୫୯ରେ ସ୍ୱର୍ଣ୍ଣପତ୍ର ଛାଦିତ କଲେ ଏବଂ ନିମ୍ନଭାଗରେ ମଲମଲ ପଥର ଖଞ୍ଜାଇଲେ । ମନ୍ଦିରର କାନ୍ଥରେ ନାନାରକମର ଚିତ୍ର ଓ ଶିଖ୍‍ ଗୁରୁମାନଙ୍କର ମୂର୍ତ୍ତି ଅଙ୍କିତ । ରଣଜିତ୍ ସିଂହ କଳାର ପୂଜାରୀ । ତେଣୁ ସେ କଳାକାରମାନଙ୍କୁ ଖୁବ୍ ଆଦର ଓ ସ୍ନେହ କରୁଥିଲେ । ସେ ଗୁରୁ ରାମଦାସଙ୍କ ନାମାନୁସାରେ ଏହା ନିକଟରେ ‘ରାମବାଗ’ ପ୍ରତିଷ୍ଠା କଲେ ଓ ଦଶମଗୁରୁ ଗୋବିନ୍ଦ ସିଂହଙ୍କ ନାମାନୁସାରେ ତାଙ୍କ ଦୁର୍ଗର ନାମ ଦେଲେ “ଗୋବିନ୍ଦଗଡ଼” ।

 

ଗୁରୁନାନକ ଶିଖ୍‍ଧର୍ମର ପ୍ରତିଷ୍ଠାତା । ତାଙ୍କର ଉଦ୍‌ବୋଧନରେ ମୋଗଲସାମ୍ରାଜ୍ୟ ଭାରତରୁ ଲୋପ କରିବା ଲାଗି ଲକ୍ଷ ଲକ୍ଷ ଶିଖ୍‍ ଦୃଢ଼ସଂକଳ୍ପ ହେଲେ । ଚତୁର୍ଥଗୁରୁ ରାମଦାସ ଏଠାରେ ଶିଖ୍‍ଧର୍ମର ମହତ୍ତ୍ୱ ପ୍ରତିଷ୍ଠା କରିବା ଆଶାରେ ବିପୁଳ ଅର୍ଥବ୍ୟୟ କରି ମନ୍ଦିରଟିଏ ନିର୍ମାଣ କରାଇଲେ । ଏହାର ଚାରିପାଖରେ ଚୌଡ଼ା ଓ ଗଭୀର ଜଳାଧାର ନିର୍ମିତ ହେଲା । ଏହି ଅମୃତସର ସହରଟି ପୂର୍ବେ ଏପରି ବଡ଼ ବା ପ୍ରଧାନ ନ ଥିଲା । ଶିଖ୍‍ମାନଙ୍କର ପ୍ରଧାନ ତୀର୍ଥସ୍ଥଳିରେ ପରିଣତ ହେବାରୁ କ୍ରମେ ଏହାର ଉତ୍ତରୋତ୍ତର ଉନ୍ନତି ସାଧିତ ହେଲା ।

 

ଗୁରୁ ରାମଦାସଙ୍କ ପୁତ୍ର ଅର୍ଜ୍ଜୁନ ପଞ୍ଚମ ଗୁରୁ ହେଲେ । ସେ ତାଙ୍କର ଜୀବନ କେବଳ ଏହି ମନ୍ଦିରର ଉତ୍ତରୋତ୍ତର ଉନ୍ନତି କଳ୍ପେ ବିନିଯୋଗ କଲେ । ପ୍ରକୃତ ମନ୍ଦିରର ରୂପରେଖ ଦେଇ ତାକୁ ଏପରି ବିଶାଳ କରିବାକୁ ସେ ବହୁ ଶ୍ରମସ୍ୱୀକାର କଲେ । ତାଙ୍କରି ଚେଷ୍ଟାରେ ଏହି ମନ୍ଦିରରେ ଶିଖ୍‍ମାନଙ୍କର ଧର୍ମପୁସ୍ତକ “ଗ୍ରନ୍ଥସାହେବ’ ପ୍ରତିଷ୍ଠିତ ହୋଇ ପୂଜିତ ହେଲା । ଏବେ ମନ୍ଦିରର ବହୁସ୍ଥାନରେ ଶିଖ୍‍ପୁରୋହିତମାନେ ଗ୍ରନ୍ଥସାହେବ ପାଠ କରନ୍ତି । ଗୁରୁମାନଙ୍କର ଖଡ଼୍‌ଗ ଓ ସ୍ୱର୍ଣ୍ଣବିଗ୍ରହ ମଧ୍ୟ ଯତ୍ନ ସହକାରେ ରଖାଯାଇଛି । ମନ୍ଦିରର ପ୍ରାଙ୍ଗଣରେ ବହୁତ ପ୍ରକୋଷ୍ଠ ଓ ସେଥିରେ ବିଭିନ୍ନ ଶିଖ୍‍ଗୁରୁଙ୍କର ପ୍ରତିକୃତି ଚିତ୍ରିତ । ସମବେତକଣ୍ଠରେ ଗ୍ରନ୍ଥସାହେବପାଠ ଅତ୍ୟନ୍ତ ଶ୍ରୁତିମଧୁର । ପ୍ରବାଦ ଅଛି, ଏହି ସ୍ୱର୍ଣ୍ଣମନ୍ଦିରର ପାର୍ଶ୍ୱସ୍ଥ ଏକ ବୃକ୍ଷ ମୂଳରେ ଗୁରୁନାନକ ତପସ୍ୟା କରିଥିଲେ ବୋଲି ତାଙ୍କ ପ୍ରଧାନ୍ୟକୁ ବଢ଼ାଇବା ନିମିତ୍ତ ଏଠାରେ ଏହି ବିରାଟ ମନ୍ଦିର ପ୍ରତିଷ୍ଠିତ ହେଲା । ନଗରର ଠିକ୍ ବକ୍ଷସ୍ଥଳରେ ଏହା ଅବସ୍ଥିତ । ପୁଷ୍କରିଣୀଟି କ୍ଷୁଦ୍ର ଥିଲା, ମାତ୍ର ଗୁରୁ ରାମଦାସ ଏହାର ସଂସ୍କାର କରି ଏହାକୁ ଏପରି ବିଶାଳ ଓ ସୁନ୍ଦର କରିଅଛନ୍ତି । ପଞ୍ଚମ ଗୁରୁ ଅର୍ଜ୍ଜୁନଦେବ ଏଥିରେ ପକ୍କାପାହାଚ ଖଞ୍ଜିଲେ ଓ ଏହାର ନାମକୁ ‘ଅମୃତସର’ ରଖିଲେ । ସେହିଦିନୁ ଏହି ନଗରର ନାମକରଣ ମଧ୍ୟ ହେଲା ଅମୃତସର । ଏହି ପୁଷ୍କରିଣୀର ଲମ୍ବ ୫୦୦ ଫୁଟ, ପ୍ରସ୍ଥ ୪୯୦ ଫୁଟ ଓ ଗଭୀରତା ୧୭ ଫୁଟ୍ । ସ୍ୱର୍ଣ୍ଣ ମନ୍ଦିରର ପ୍ରତିଚ୍ଛବି ଏହାର ବକ୍ଷ ଉପରେ ପ୍ରତିଭାତ ହୋଇ ଏହାର ଶୋଭାକୁ ସହସ୍ରଗୁଣରେ ବଢ଼ାଇ ଦେଇଛି । ସମ୍ବତ୍ ୧୬୪୫ ରେ ଏହାର ମୁଖ୍ୟ ମନ୍ଦିରର ଉପରିଭାଗ ସ୍ୱର୍ଣ୍ଣପତ୍ରରେ ଆଚ୍ଛାଦିତ ହେଲା ଓ ଗୁରୁ ଅର୍ଜ୍ଜୁନସିଂହ ଏହି ମନ୍ଦିରକୁ ପ୍ରତିଷ୍ଠା କଲେ ।

 

ଶିଖ୍‍ମାନଙ୍କର ରାଜସିଂହାସନ (ଅକାଳ ତଖତ୍) ଦ୍ୱାରଦେଶରୁ ୫୦ ଗଜ ଦୂରରେ ଅବସ୍ଥିତ । ଏଠାରେ ବସି ଶିଖ୍‍ଗୁରୁ ତାଙ୍କର ଶିଷ୍ୟ ତଥା ଧର୍ମାବଲମ୍ବୀମାନଙ୍କୁ ଧର୍ମଶିକ୍ଷା ଦେଉଥିଲେ-। ଏଠାରେ ଶିଖ୍ ଗୁରୁମାନେ ଦେଶର ବିଭିନ୍ନ ବାଦବିବାଦର ମୀମାଂସା ନିମିତ୍ତ ନ୍ୟାୟସଭା ବସାଉଥିଲେ । ସେମାନଙ୍କର ଦଣ୍ଡାଦେଶକୁ ଉଭୟ ପକ୍ଷ ଶିରୋଧାର୍ଯ୍ୟ କରୁଥିଲେ-। ଶିଖ୍‍ଗୁରୁମାନଙ୍କୁ ଉପହାର ଦିଆଯାଇଥିବା ବହୁ ମୂଲ୍ୟବାନ୍ ଧାତୁର ହାର, ଖଡ଼୍‌ଗ ଓ ଅସ୍ତ୍ରଶସ୍ତ୍ର ପ୍ରଭୃତି ଏବେ ସୁଦ୍ଧା ଏଠାରେ ସୁରକ୍ଷିତ ।

 

ଗୁରୁରାମଦାସଧର୍ମଶାଳାରେ ୧୬୪ଟି ପ୍ରକଷ୍ଠ ଏବଂ କେତେକ ଗଡ଼ମାଣ୍ଟୁଘର (Under ground cabin) ଗଡ଼ମାଣ୍ଟୁ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ । ଦୂରରୁ ଆସିଥିବା ଯାତ୍ରୀମାନେ ଏଠାରେ ବେଶ ଆରାମରେ ରହନ୍ତି । ଦାତବ୍ୟ ରୋଷଶାଳାରୁ ଖାଦ୍ୟପେୟ ଇତ୍ୟାଦି କେତେକ ଯାତ୍ରୀଙ୍କୁ ଦିଆଯାଏ । ଏହାର ସାମନାରେ ‘ଗୁରୁକା ବାଗ୍’ ନାମକ ଏକ ସୁନ୍ଦର ଫଳୋଦ୍ୟାନ । ‘ଗୁରୁରାମଦାସପାଠାଗାର’ ଏଠାରେ ଅଛି ଓ ଏହି ପାଠାଗାରରେ ଅନେକ ପ୍ରାଚୀନ ଧର୍ମପୁସ୍ତକ ପଢିବାକୁ ମିଳେ । ଏଠାରେ ଶିରୋମଣି ଗୁରୁଦ୍ୱାର–ପ୍ରବନ୍ଧକ-କମିଟିର କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟ ଭାରତର ଶିଖ୍‍ ମନ୍ଦିର ଓ ମଠମାନଙ୍କୁ ଅର୍ଥ ମଞ୍ଜୁର କରେ । ସରଦାର ତେଜସିଂହଙ୍କ ସ୍ମୃତିରକ୍ଷାର୍ଥେ ଏହି କାର୍ଯ୍ୟାଳୟର ନାମ ତେଜସିଂହ–ହଲ୍ ହୋଇଛି । ଏହା ନିକଟକୁ ବାବା ଅଟଳ ସାହେବମନ୍ଦିର । ଅକାଳ ତଖତରୁ ପ୍ରାୟ ୩୦୦ ଗଜ ଦୂରରେ ତେଜସିଂହହଲ୍‌ର ନିକଟରେ ଅଟଳସାହେବ ଅବସ୍ଥିତ ।

 

ଶିଖ୍‍ଧର୍ମର ଅନ୍ୟତମ ଗୁରୁ ବାବା ଅଟଳସାହେବଙ୍କ ନାମାନୁସାରେ ଏହା ନିର୍ମିତ । ଷଷ୍ଠଗୁରୁ ବାବା ହରିଗୋବିନ୍ଦସିଂହଙ୍କର ସେ ହେଉଛନ୍ତି ପୁତ୍ର । ଏହି ସ୍ମୃତିମନ୍ଦିରଟି ‘କଉଲସର’ ପୋଖରୀ କୂଳରେ । ପ୍ରବାଦ ଅଛି, ବାବା ଅଟଳସାହେବ ତାଙ୍କର କୌଣସି ମୃତବନ୍ଧୁଙ୍କୁ ମନ୍ତ୍ରବଳରେ ବଞ୍ଚାଇଥିଲେ । ଅଟଳ ସାହେବଙ୍କ କୌଣସି ତ୍ରୁଟି ଦେଖି ତାଙ୍କର ପିତା ହରଗୋବିନ୍ଦସିଂହ ତାଙ୍କୁ ପୂଜା ଓ ଉପାସନାରୁ ବିରତ କଲେ, କିନ୍ତୁ ପୁତ୍ରର ଆତ୍ମବଳ ଦେଖି ସେ ଅନୁତାପ କରି ପୁଣି ତାଙ୍କୁ ପୂଜା ଓ ଉପାସନାର ଭାର ଦେଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୯ ବର୍ଷ । ତାଙ୍କର ଏହି ଅସାମାନ୍ୟ ଧର୍ମ-ପ୍ରତିଭାକୁ ପ୍ରଚାର କରିବା ନିମିତ୍ତ ତାଙ୍କରି ଉଦ୍ଦେଶ୍ୟରେ ଏହି ନବତଳପ୍ରାସାଦ ନିର୍ମିତ ହେଲା । ଏକ ଅଷ୍ଟକୋଣୀ ମେଜିଆ ଉପରେ ଏହା ତିଆରି । ସାମନାରେ ଜଳାଶୟ ଓ ଘଞ୍ଚ ବୃକ୍ଷଲତା । ପ୍ରାସାଦ ମେଜିଆର ପରିଧି ୧୧୨ ଫୁଟ ଏବଂ ଉଚ୍ଚତା ୧୫୦ ଫୁଟ୍ । ମଝି ଅଶଂର କାରୁକାର୍ଯ୍ୟ ରମଣୀୟ । ଉପରି ବାଗରେ ସୁନାର ତାରକସି କାମ । ଏଠାରେ ମଧ୍ୟ ‘ଗ୍ରନ୍ଥସାହେବ’ ପୂଜିତ । ଏହି ବିରାଟ କୀର୍ତ୍ତିର ଶୁଭ ଦିଆଯାଇଥିଲା ଖ୍ରୀ: ୧୮୩୫ରେ । ପରେ ସରଦାର ଯୋଧସିଂହ ରାମଗଡ଼ିଆ ଏହାକୁ ଖ୍ରୀ:୧୮୪୧ ରେ ସମାପ୍ତ କଲେ । ଗରିବମାନଙ୍କୁ ଏଠାରେ ପ୍ରାସଦ ଦିଆଯାଏ ।

 

ଅମୃତସରରେ ବହୁ ହିନ୍ଦୁ ବାସ କରନ୍ତି । ହିନ୍ଦୁମାନେ ଶୁଦ୍ଧପୂତଭାବେ ଚଳନ୍ତି । ମାଛ, ମାଂସ, ପିଆଜ ଓ ରସୁଣ ପ୍ରଭୃତି ସେମାନେ ଖାଆନ୍ତି ନାହିଁ । ଅମୃତସରର ଲକ୍ଷ୍ମୀନାରାୟଣମନ୍ଦିର ପ୍ରଧାନ ହିନ୍ଦୁମନ୍ଦିର । ଏହା ଏକ ବିସ୍ତୃତପୁଷ୍କରିଣୀର ମଧ୍ୟଭାଗରେ ଅବସ୍ଥିତ । ସ୍ୱର୍ଣ୍ଣମନ୍ଦିର ପରି ଏହି ମନ୍ଦିରର ଉପରି ଭାଗ ସୁନା ପାତରେ ଛାଉଣୀ ହୋଇଛି । ଗୋବିନ୍ଦଗଡ଼ର ଠିକ୍ ସାମନାକୁ ଏହା ଅବସ୍ଥିତ । ମନ୍ଦିରରେ ଲକ୍ଷ୍ମୀନାରାୟଣଙ୍କର ମନୋହର ମୂର୍ତ୍ତି । ଶିଖ୍‍ଧର୍ମାବଲମ୍ବୀମାନେ ମଧ୍ୟ ଏଠାକୁ ଦର୍ଶନକରିବା ପାଇଁ ଆସନ୍ତି । ଦୋଳଯାତ୍ରା ସମୟରେ ପଞ୍ଜାବର ବିଭିନ୍ନସ୍ଥାନରୁ ବଛା ବଛା ସଙ୍ଗୀତଜ୍ଞମାନେ ଏଠାକୁ ଆସନ୍ତି । ଏଠାରେ ‘ରାଗସଭା’ ଅନୁଷ୍ଠିତ ହୁଏ । ‘ସଙ୍ଗୀତଦରବାର’ ଓ ‘ରାଗସଭା’ ରେ ପ୍ରତ୍ୟେକ ସଙ୍ଗୀସଜ୍ଞ ନିଜନିଜର କଳା ପ୍ରଦର୍ଶନ କରି ଉପାଧି ପାଆନ୍ତି । ସମଗ୍ର ମନ୍ଦିରଟି ୩ ଭାଗରେ ବିଭକ୍ତ । ଯଥା–ଲକ୍ଷ୍ମୀନାରାୟଣମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ରାମଦରବାର । ଏହାର ମୁଖ୍ୟ ପ୍ରବେଶପଥରେ ଥିବା ରୂପାପାତ ଦେହରେ ସୁନ୍ଦର କାରୁକାର୍ଯ୍ୟ ପରିଦୃଷ୍ଟ ହୁଏ ।

 

ସ୍ୱର୍ଣ୍ଣମନ୍ଦିରର ଅନତିଦୂରରେ ଜାଲିଆନବାଗ୍ ଅବସ୍ଥିତ । ଏହା ବିଶ୍ୱବିଖ୍ୟାତ ଅତ୍ୟାଚାରିତ ରାଷ୍ଟ୍ରୀୟତୀର୍ଥ । ଖ୍ରୀ: ୧୯୧୯ ଏପ୍ରିଲ୍ ୧୩ ତାରିଖ ଦିନ (ମହାବିଷୁବ ସଂକ୍ରାନ୍ତ) ଏଠାରେ ଏକ ରାଜନୈତିକ ସଭାରେ ଭାଷଣ ଶୁଣୁଥିଲା ବେଳେ ହଜାର ହଜାର ନିରୀହ ଜନତା ଉପରେ ପଞ୍ଜାବର ତତ୍‌କାଳୀନ ଜେନେରାଲ ଡାୟାର ଗଭର୍ଣ୍ଣରଙ୍କ ଆଦେଶାନୁସାରେ ଚାରିପଟୁ କମାଣ ଖଞ୍ଜି ଗୁଳିବର୍ଷଣ କଲା । ସମବେତଜନତା ଏପରି ଅପ୍ରତ୍ୟାଶିତ ଆକ୍ରମଣରେ ଲଣ୍ଡଭଣ୍ଡ ହୋଇ ଏଣେ ତେଣେ ପଳାଇଯିବାକୁ ବସନ୍ତେ ଦେଖିଲେ ଯେ ସମସ୍ତ ଦ୍ୱାର ରୁଦ୍ଧ । ସେହି ଅଳ୍ପସମୟ ଭିତରେ ହଜାର ହଜାର ଲୋକ ଆଶୁମୃତ୍ୟୁ ବରଣ କଲେ । ଆକ୍ରମଣଟି ଅତର୍କିତଭାବେ ହେବାରୁ ସେମାନେ କୌଣସି ଉପାୟ ନ ପାଇ, ଗୁଳିମାଡ଼ରେ ପଥଭ୍ରଷ୍ଟ ହୋଇ ପ୍ରାଣରକ୍ଷ ଲାଗି ଏହି ଉଦ୍ୟାନ ମଝିରେ ଥିବ ଏକ ଗଭୀର କୂପ ଭିତରକୁ ଡେଇଁ ପଡ଼ିଲେ । ଜନତାର ଶବରେ କୂଅଟି ପୂରିଗଲା । ଅମୂଲ୍ୟ ମନୁଷ୍ୟପ୍ରାଣ ମଶାମାଛି ଜୀବନ ପରି ମୁହୂର୍ତ୍ତକେ ଛାଡ଼ିଗଲା । ଏହି ଉଦ୍ୟାନର ସବୁଜତୃଣ ରକ୍ତ ଧାରାରେ ରଞ୍ଜିତ ହେଲା । ବର୍ତ୍ତମାନ ଏହି କୂପ ଭାରତର ଅନ୍ୟତମ ରାଷ୍ଟ୍ରୀୟତୀର୍ଥ । ବଗିଚାର କାନ୍ଥମାନଙ୍କରେ ଏବେ ସୁଦ୍ଧା ଗୁଳିଦାଗ ଓ ରକ୍ତଦାଗ ଦେଖାଯାଏ । ସେଗୁଡ଼ିକୁ ତାରଜାଲ ଦିଆଯାଇ ସ୍ମୃତି ରକ୍ଷାଲାଗି ସୁରକ୍ଷିତ କରାଯାଇଛି । ଏହାର ଦର୍ଶନରେ ଯେ କୌଣସି ଭାରତୀୟର ଲୋମ ଟାଙ୍କୁରି ଉଠିବ । କୂଅ ଉପରେ ଗୋଟିଏ ଖିଲିଣି । ସେଥିରେ ଦେବନାଗରୀ ଲପିରେ ଲିଖିତ ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’କୁ ପାଠ କଲେ ଯେ କୌଣସି ଲୋକର ଅନ୍ତରରେ ଦେଶପ୍ରୀତି ଜାଗିଉଠିବ । ଏହି ଅମାନୁଷିକ ଅତ୍ୟାଚାର ଶୁଣିଲା ମାତ୍ରେ ବାପୁଜୀ ବିଚଳିତ ହୋଇପଡ଼ିଥିଲେ ଓ ଏହାର ପ୍ରତିକ୍ରିୟାସ୍ୱରୂପ ଭାରତର ଚାରିଆଡ଼େ ଗଣଆନ୍ଦୋଳନ ବହ୍ନି ଜଳି ଉଠିଥିଲା । ଏହି ଅମାନୁଷିକ ଅତ୍ୟାଚାରର ପ୍ରବଳ ପ୍ରତିଶୋଧକୁ ଇଂରେଜସରକାର ଦମନ କରିଥିଲା ‘ମିଲିଟାରୀ ଆଇନ’ ଓ ‘ସାନ୍ଧ୍ୟଆଇନ’ ବଳରେ ।

 

ଅମୃତସର ଏକ ଆଧୁନିକ ସହର । ସୁଉଚ୍ଚ ତଥା ବିଶାଳ ସୌଧମାଳାରେ ଏହା ପରିପୂର୍ଣ୍ଣ । ସହରରେ ଶିଳ୍ପପ୍ରତିଷ୍ଠାନ ଖୁବ୍ ବେଶୀ । ଏଠାକାର ସୁନାରୂପାର ସୂକ୍ଷ୍ମକାମ, ଦରୀ, ଶିଲିକ୍ ଓ ଶାଲ ପ୍ରଭୃତି ଭାରତର ବିଭିନ୍ନ ପ୍ରାନ୍ତକୁ ରପ୍ତାନି ହୁଏ । ଏଠାରେ ବହୁତ ସ୍କୁଲ ଏବଂ କଲେଜ ଅଛି । ଖାଲସା କେଲେଜଟି ଖୁବ୍ ବଡ଼ ଯାତାୟାତ ପାଇଁ ଟାକସି, ବାସ୍ ଓ ସାଇକେଲ ରିକ୍‌ସା ମିଳେ । ରିକ୍‌ସାବାଲାମାନେ ଖୁବ୍ ଭଦ୍ର । ମୋ ରିକ୍‌ସାବାଲାଟି ମୋର ଜିନିଷପତ୍ର ସବୁ ଯତ୍ନ ରଖି ମୋତେ ଚାରିଆଡ଼େ ଧୈର୍ଯ୍ୟର ସହିତ ବୁଲାଇ ଦେଖିଇଲା । ତାର ବ୍ୟବହାରରେ ମୁଁ ସନ୍ତୁଷ୍ଟ ହୋଇ ତାକୁ ନିଧାର୍ଯ୍ୟ ପାରିଶ୍ରମିକ ଅପେକ୍ଷା ଅଧିକ ପଇସା ଦେବାକୁ ଇଚ୍ଛା କଲି । ପଞ୍ଜାବୀମାନେ ହିଁ ପ୍ରକୃତ ସୁପୁରୁଷ । ସେମାନେ ଦୀର୍ଘାକୃତି, ଶ୍ମଶ୍ରୁଳ, ସ୍ୱାସ୍ଥ୍ୟବାନ୍, ସାହସୀ, ଓ ଅକ୍ଲାନ୍ତପରିଶ୍ରମୀ । ଏମାନଙ୍କର ପଗଡ଼ି ଏବଂ ଖଡ଼୍‌ଗ ପ୍ରଭୃତିରୁ ଏମାନେ ରୁକ୍ଷ ଜଣାଯାନ୍ତି, ମାତ୍ର ଏମାନଙ୍କର ବ୍ୟବହାର ଭଦ୍ର । ଏମାନଙ୍କୁ ହିଁ ଜନ୍ମ ଦେଇ ଭାରତଜନନୀ ‘ବୀରପ୍ରସବିନୀ’ ନାମକୁ ସାର୍ଥକ କରିଛି ।

☆☆☆

 

ଭାକ୍ରାବନ୍ଧ

 

ଅମୃତସର ବୁକିଂଅଫିସରେ ସିମଳାଯାଏ ଟିକଟ କାଟିବାକୁ ଲାଇନ୍ ଦେଇଥାଏ । ଆଉ ଜଣେ ପଞ୍ଜାବୀ ଭଦ୍ରଲୋକ ମୋର ଆଗରେ ଠିଆ ହୋଇଥାନ୍ତି । ମୋର ସାଙ୍ଗରେ ବିଛଣାପତ୍ର ଆଦି ଦେଖି ସେ ମୋତେ ଭ୍ରମଣକାରୀ ବୋଲି କୁଶଳ ପଚାରିଲେ । କାଶ୍ମୀରରୁ ଫେରି ଅମୃତସର ଦେଖି ମୁଁ ସିମଳା ଯାଉଛି ବୋଲି ତାଙ୍କୁ କହିଲି । ସେ ମୋତେ ଉପଦେଶ ଦେଲେ, ‘ଜଣେ ପରିଦର୍ଶକ ଭାରତର ସର୍ବବୃହତ୍ ବନ୍ଧଯୋଜନା ଭ୍ରାକ୍ରାନଙ୍ଗଲ ନିହାତି ଦେଖିବା ଉଚିତ୍’ । ତାଙ୍କଠାରୁ ଭ୍ରାକ୍ରାନଙ୍ଗଳର ବର୍ଣ୍ଣନା ଶୁଣି ମୁଁ ସିମିଳା ଯିବା ବନ୍ଦ କରି ଭ୍ରାକ୍ରାନଙ୍ଗଲକୁ ଟିକଟଟିଏ ଆଣିଲି । ଅମୃତସରରୁ ଏହାର ଦୂରତା ୧୮୭ ମାଇଲ । ଏଠାକୁ ଯିବାକୁ ହେଲେ ବାଟରେ ଅନ୍ୟଗାଡ଼ି ବଦଳାଇବାକୁ ପଡ଼େ । ସତଲେଜ (ଶତଦ୍ରୁ) ନଦୀ ଦୁଇଟି ବିରାଟ ପର୍ବତ ମଧ୍ୟ ଦେଇ ବହିଆସୁଥିବା ସ୍ଥଳରେ ଏହି ବନ୍ଧଟି ନିର୍ମାଣ କରାଯାଇଛି । ଭାରତର ନଦୀବନ୍ଧ ଯୋଜନାମାନଙ୍କ ମଧ୍ୟରେ ଏଥିରେ ସବୁଠାରୁ ବେଶୀ ଅର୍ଥବ୍ୟୟ ହୋଇଛି ।

 

ବନ୍ଧର ଉପର ପାଖରେ ବୃହତ୍ ଜଳଭଣ୍ଡାର । ଏହାର ନାମ ପଞ୍ଜାବର ଶିଖ୍‍ଗୁରୁ ଗୋବିନ୍ଦସିଂହଙ୍କ ନାମନୁସାରେ ଗୋବିନ୍ଦ ସାଗର ହୋଇଛି । ଏହାର ଲମ୍ବ ୬ ମାଇଲ୍ । ଗଭୀରତା ୫୦୦ ଫୁଟ । ନଙ୍ଗଲଷ୍ଟେସନରୁ ଏହା ୬ ମାଇଲ । ଯିବାଲାଗି ବସ୍ ଓ ରିକ୍‌ସାର ବନ୍ଦୋବସ୍ତ ଅଛି-। ବନ୍ଧ ଦେଖିବାକୁ ହେଲେ ନଙ୍ଗଲରୁ ପ୍ରବେଶପତ୍ର ଆଣିବାକୁ ପଡ଼େ । ନଙ୍ଗଲ ଲୋକସଂପର୍କ ଅଫିସରୁ ପ୍ରବେଶପତ୍ର ଆଣିଲି । ବମ୍ବେର ଗୋଟିଏ ଭ୍ରମଣକାରୀଦଳ ମୋ ସହିତ ଅମୃତସରରୁ ଯାଇଥାନ୍ତି । ସେମାନେ ବସଟିଏ ରିଜର୍ଭ କଲେ ଓ ମୋତେ ସେଥିରେ ଯିବାଲାଗି ପଚାରିଲେ-। ବସଭଡ଼ା ଜଣପିଛା ଯିବା ଆସିବା ହାରାହାରି ଟ୨.୦୦ ପଡ଼ିଲା । ମୁଁ ସେମାନଙ୍କ ସହଯାତ୍ରୀ ହେଲି-। ପ୍ରାୟ ୧ ଘଣ୍ଟାରେ ଏଠାରେ ପହଞ୍ଚିଲି । ସ୍ଥାନଟି କଙ୍କରିତ । ହଜାର ହଜାର ଶ୍ରମିକ କର୍ମରତ-। ବନ୍ଧଟି ସଂପୂର୍ଣ୍ଣ ହୋଇ ନ ଥାଏ । ଆମ୍ଭମାନଙ୍କର ଅନୁରୋଧକ୍ରମେ ଏହି ଯୋଜନାର ଜଣେ ଇଂଜିନିୟର ଆମ୍ଭମାନଙ୍କୁ ସଙ୍ଗରେ ବୁଲାଇ ସମସ୍ତ ଦର୍ଶନୀୟ ସ୍ଥାନ ଦେଖେଇଦେଲେ ଓ ସବୁ ସ୍ଥାନର ବିବରଣୀ ବୁଝାଇଦେଲେ । ଏହାର ଉଚ୍ଚତା, ଗଭୀରଜଳଧାରା ଓ ଦିଗନ୍ତବିସ୍ତାରୀ ଗୋବିନ୍ଦସାଗର ବାସ୍ତବିକ ଦର୍ଶନଯୋଗ୍ୟ । ଚାରିଆଡ଼େ ଥିବା ପର୍ବତର ଦୃଶ୍ୟ ଅତୀବ ମନୋମୁଗ୍‌ଧକର । ଭାକ୍ରାର ଏହି ଭୀମକାନ୍ତ ଦୃଶ୍ୟ ଦେଖି ମୋର ଯାତ୍ରା ସାର୍ଥକ ହେଲା ବୋଲି ମୁଁ ମନେ ମନେ ପୂର୍ବୋକ୍ତ ପଞ୍ଜାବୀ ଭଦ୍ରଲୋକଙ୍କୁ ଧନ୍ୟବାଦ ଜଣାଇଲି । ବଡ଼ ବଡ଼ ‘ସ୍ଲୁଇସ୍’ ଖଞ୍ଜାଯାଇଥିବା ସ୍ଥାନଟି ବିପଦ ପୂର୍ଣ୍ଣ । ଏଠାରେ ବର୍ଷାକାଳୀନ ଜଳଧାରାକୁ ଆୟତ୍ତ କରାଯାଏ-। ଭାରତୀୟ ତଥା ବିଦେଶୀ ଇଂଜିନିୟରମାନେ ଏଠାରେ କାର୍ଯ୍ୟ କରୁଥାନ୍ତି ।

 

ଯୋଜନାଟି ସଫଳ ହେଲାପରେ ଏହାର ଅଟକଳ ଅନୁସାରେ ଏକକୋଟି ବର୍ଗମାଇଲ ଜମିରେ ଜଳ ମାଡ଼ିପାରିବ । ଏହାର ନିକଟରେ ଭାକ୍ରାଗ୍ରାମ ଥିବାରୁ ଏହି ବନ୍ଧର ନାମ ଭାକ୍ରା ରଖାଯାଇଛି ।

 

ନଙ୍ଗଲବନ୍ଧ ନଙ୍ଗଲ ଷ୍ଟେସନଠାରୁ ୭ ମାଇଲ । ବମ୍ବେ ଟୁରିଷ୍ଟଦଳ ଏଠାକୁ ଯିବାକୁ ରାଜି ହେଲେ ନାହିଁ । ଏଣୁ ମୁଁ ସେମାନଙ୍କ ଜିମା ମୋର ବିଛଣାପତ୍ର ଆଦି ଦେଇ ଏକୁଟିଆ ରିକ୍‌ସାଟିଏ କରି ବାହାରିଲି । ତାଙ୍କ ଦଳରୁ ଜଣେ ଗୁଜୁରାଟୀ ଭଦ୍ରଲୋକ ମୋ ସଙ୍ଗରେ ବାହାରିଲେ । ସାଙ୍ଗ ହୋଇ ଆନନ୍ଦରେ ବନ୍ଧ ଦେଖିବାକୁ ଗଲୁ । ନଦୀତଳେ ରାସ୍ତା ଥିବା ବନ୍ଧମଧ୍ୟରେ ଲଙ୍ଗଲବନ୍ଧ ପୃଥିବୀରେ ୨ୟ ସ୍ଥାନ ଅଧିକାର କରିଛି । (ପ୍ରଥମ-ଲଣ୍ଡନର ଟେମ୍‌ସନଦୀ) । ନଦୀତଳକୁ ସୁନ୍ଦର ପାହାଚଗୁଡ଼ିକ ପଡ଼ିଛି । ଚାରିପାଖରେ ଫୁଲ ବଗିଚା । ନଦୀତଳକୁ ଗଲେ ସୁନ୍ଦର ପକ୍କା ରାସ୍ତା । ଏଥିରେ ଆଲୋକ ଖଚିତ ହୋଇଛି ଓ ରାସ୍ତା ଦୁଇଧାରରୁ ଝରୁଥିବା ପାଣି ବହିଯିବାଲାଗି ନାଳ ହୋଇଛି । ନଦୀ ଉପରେ ବିରାଟ ପୋଲ । ଗୋଟିଏ ପଟରେ ନଦୀତଳକୁ ଯାଇ ସମସ୍ତ ନଦୀ ଅତିକ୍ରମ କରି ଅନ୍ୟପଟରେ ବାହାରିଲୁ । ମନରେ ଅପୂର୍ବ ଉନ୍ମଦନା । ଶତଦ୍ରୁ ନଦୀର ଭୀମ ଭାରବ ଗର୍ଜ୍ଜନରେ କାନଫାଟି ପଡ଼ୁଥାଏ । ଏହା ଏକ ପ୍ରଖର ସ୍ରୋତା ଶିଳାବନ୍ଧୁରା ନଦୀ । ବର୍ଷା ଋତୁରେ ଏହାର ବିଶ୍ୱଗ୍ରାସୀ ରୂପ ଦେଖିଲେ ମାନବମନରେ ପ୍ରଳୟଆଶଙ୍କା ଜାଗ୍ରତ ହୁଏ । ଏହି ନଦୀଗର୍ଭର ରାସ୍ତାଟି ୯୫୦ ଫୁଟ ଓ ନଦୀଶଯ୍ୟାରୁ ଭୂତଳକୁ ଏହାର ଗଭୀରତା ୩୦୦ ଫୁଟ । ନଦୀଶଯ୍ୟାରୁ ତଳ ଆଡ଼କୁ ୧୨୮ଟି ପାହାଚ । ଉପରିଭାଗରେ ୨୬ଟି ସୁନ୍ଦର ସ୍ତମ୍ଭ ବାରିଜିତ । ଏହା ଉପରେ ଥିବା ଉପବନଶୋଭା ଅନୁପମ । ଦେଶୀ ଓ ବିଦେଶୀ ଫୁଲମାନଙ୍କରେ ବଗିଚାଟି ସୁସଜ୍ଜିତ । ଏଠାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ଓ ଭାରତବାହାରୁ ବହୁ ପରିଦର୍ଶକ ଆସନ୍ତି ।

☆☆☆

 

ସିମିଳା

 

ଭାରତର ସ୍ୱାସ୍ଥ୍ୟନିବାସ ମଧ୍ୟରେ ସିମିଳା ଅନ୍ୟତମ । ପୂର୍ବେ ଏହା ପଞ୍ଜାବର ରାଜଧାନୀ ଥିଲା । ଇଂରେଜ ଶାସନକାଳରେ ଭାରତ ଭାଇସରାୟଙ୍କର ଏ ଥିଲା ଗ୍ରୀଷ୍ମନିବାସ । ଏବେ ଏହା ହିମାଚଳ ପ୍ରଦେଶର ରାଜଧାନୀ । ଏହି ପାର୍ବତ୍ୟନଗରୀ ଶୋଭା ଅନୁପମ । ଭାକ୍ରାନଙ୍ଗଲରୁ ସିମିଳା ଯାତ୍ରା କଲି । ଟ୍ରେନରେ କାଲ୍‌କା ପର୍ଯ୍ୟନ୍ତ ୩୨୫ ମାଇଲ ଗଲାପରେ ସେଠାରୁ ଗାଡ଼ି ବଦଳାଇ ରାତି ଟ୍ରେନ୍‌ରେ ୯୮ ମାଇଲ ପୁଣି ଯିବାକୁ ହେଲା । କାଲ୍‌କାଠାରୁ ମୋଟର ରାସ୍ତା ମଧ୍ୟ ସିମିଳାକୁ ଅଛି । ମୁଁ ଗଲାବେଳେ ଟ୍ରେନ୍‌ରେ ଗଲି ଓ ଫେରିଲାବେଳେ ମୋଟରରେ ଆସିଲି । ଗଲା ବେଳକୁ ଗାଡ଼ିରେ ଖୁବ ଭିଡ଼ । ବହୁ କଷ୍ଟରେ ଠେଲାପେଲା କରି ସ୍ଥାନ ପାଇଲି । ରାସ୍ତାରେ ୧୦୩ଟି ଟନେଲ୍ (ଗିରିପଥ) ଓ ୮୨୯ ଟି ଛୋଟ ପୋଲ ଅତିକ୍ରମ କରିବାକୁ ପଡ଼ିଲା । ‘ବୋଡ଼ସ୍ ଟନେଲ୍’ ବୃହତ୍ତମ । ଏହାର ଲମ୍ବ ୩୭୫୨ ଫୁଟ୍ । ‘କୋଟି’ ଟନେଲ ତାହାଠାରୁ ସାନ । ଏହାର ଲମ୍ବ ୨୨୬୭ ଫୁଟ । ଉପରକୁ ଉଠିଲା ବେଳେ କ୍ଲାନ୍ତ ମନୁଷ୍ୟ ଧକେଇ ଧକେଇ ଗଲାପରି ଗାଡ଼ି ଚାଲୁଥାଏ । ଦୁଇପାଖରେ ଦିଗନ୍ତବିହାରୀ ନିବିଡ଼ ବନ ଓ ଉଚ୍ଚ ପର୍ବତମାଳା ଅନେକ ସ୍ଥାନରେ ରେଳରାସ୍ତାର ଧାରେ ଧାରେ ସଡ଼କ । ଏହାର ଦୃଶ୍ୟ ଅତୀବ ମନୋରମ । ମଝିରେ ମଝିରେ କେତୋଟି ଛୋଟ ରେଳଷ୍ଟେସନ୍ । ଗାଡ଼ିରେ କାଲ୍‌କାଠାରୁ ସିମିଳାଯାଏ ଯିବାକୁ ୬ ଘଣ୍ଟା ଲାଗେ । ସିମିଳା ୭୦୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଟ୍ରେନ୍‌ରେ ଗଲାବେଳେ ଅନ୍ୟ ଏକ ସହର ପଡ଼ିଲା । ସେହି ସହର ନାମ ସୋଲନ । ଏହା ୫୦୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଫଳ ଦୋକାନ, ଡାକବଙ୍ଗଳା ଓ ବଜାର ପ୍ରଭୃତି ଏଠାରେ ଅଛି । ଏହା ଏକ ବ୍ୟବସାୟ ପେଣ୍ଠ । ସିମିଳାରେ ଗାଡ଼ି ଦିନ ୨ ଟାରେ ପହଞ୍ଚିଲା । ଓଡ଼ିଶାର ବିଶିଷ୍ଟ ଗାୟକ ସିଂହାରୀ ଶ୍ରୀ ଶ୍ୟାମସୁନ୍ଦର କର ତାଙ୍କ ପରିଚିତ ବ୍ୟକ୍ତିଙ୍କ ଠିକଣା ମୋତେ ଦେଇଥିଲେ । ମୁଁ ଖୋଜି ଖୋଜି ସେ ଭଦ୍ରଲୋକଙ୍କୁ ପାଇଲି । ଷ୍ଟେସନରୁ ସହରକୁ ଯିବାକୁ ରିକ୍‌ସା ପ୍ରଭୃତି ମିଳେ ନାହିଁ । ସହରଟି ପାହାଡ଼ିଆ । ଅବଶ୍ୟ ଟାକ୍‌ସି ଅଛି । ମୁଁ ଗୋଟିଏ ମଜଦୁରକୁ ମୋର ଜିନିଷପତ୍ର ନେବା ଓ ଠିକଣାରେ ପହଞ୍ଚାଇବା ଲାଗି ନିଯୁକ୍ତ କରି ଚାଲିଲି । ପାହାଡ଼ ଉପରକୁ ୨ ମାଇଲ ଉଠିଲା ପରେ ପ୍ରାୟ ଦିନ ୪ ଟା ବେଳେ ସିଂହାରୀଙ୍କ ବନ୍ଧୁଙ୍କ ଘରେ ପହିଞ୍ଚିଲି । ଭୀଷଣ ଶୀତ । ସେ ମୋର ରହିବାର ନ ବନ୍ଦୋବସ୍ତ କରିଦେଲେ । ଗରମପାଣିରେ ଗାଧୋଇ ଟିକିଏ ବିଶ୍ରାମ ନେଇ ସନ୍ଧ୍ୟା ସମୟରେ ବୁଲି ବାହାରିଲି । ଏଠା ଖୁବ୍ ବଡ଼ ଓ ଉଚ୍ଚ ସୌଧମାଳା ଦେଖାଯାଏ । ଘରଗୁଡ଼ିକ କାଠତିଆରି । ଚାରିଆଡ଼େ ପ୍ରଶସ୍ତ ପକ୍କା ରାସ୍ତା । ଅଧିକାଂଶ ଅଧିବାସୀ ଇଂରେଜ । ଘରଗୁଡ଼ିକ ବିଲାତର ଘର ନକ୍‌ସାରେ ତିଆରି । ସେଗୁଡ଼ିକ ଉପରେ ଲାଲକାଠର ଗମ୍ଭୁଜ । ହୋଟେଲ, ସିନେମା ଏବଂ ଥିଏଟରଘର ଓ କ୍ଲବ ପ୍ରଭୃତି ଚାରିଆଡ଼େ ଦେଖାଯାଏ । ହାତଟଣା ରିକ୍‌ସା ଖୁବ୍ କମ ଦେଖାଯାଏ । ଭଡ଼ା ଖୁବ୍ ବେଶୀ । ଏହାକୁ ଦୁଇଜଣା ଲୋକ ଚଳାନ୍ତି । ଜଣେ ଆଗରେ ଟାଣୁଥାଏ । ଅନ୍ୟ ଜଣେ ପଛରୁ ପେଲୁଥାଏ । ବର୍ଷସାରା ଏଠାରେ ଶୀତ । ମୁଁ ଏଠାକୁ ଜୁନ୍ ମାସରେ ଆସିଥିଲି । ତଥାପି ଗରମକୋଟ୍ ପ୍ରଭୃତି ବ୍ୟବହାର କରିବାକୁ ହେଲା । ଗରମପାଣି ନ ହେଲେ ଗାଧୋଇବା ଅସମ୍ଭବ ହେଉଥିଲା । ଶୀତଋତୁରେ ଏଠାରେ ବରଫ ପଡ଼େ । ହିମାଳୟଶୃଙ୍ଗମାନଙ୍କର ମନୋରମ ଦୃଶ୍ୟ ଏଠାରୁ ସହଜରେ ଉପଭୋଗ କରିହୁଏ । ବିଲାତ ପରି ପ୍ରାୟ ପ୍ରତିଦିନ ଏଠାରେ ଝିପ୍ ଝିପ୍ ବର୍ଷା । ଚାରିଆଡ଼େ ପାଇନ୍ ବଣ । ଶୀତ ହେତୁ ଏଠାରେ ବର୍ଷାସାରା କୋବି, ମଟରଛୁଇଁ, ବିଲାତିବାଇଗଣ, ଗାଜର, ମୂଳା ଓ ଶିମ୍ୱ ପ୍ରଭୃତି ପନିପରିବା ଶସ୍ତାରେ ମିଳେ । ଏହାର ଜଳବାୟୁ ସ୍ୱାସ୍ଥ୍ୟକର । ତେଣୁ ଏଠାକୁ ଶହ ଶହ ରୋଗୀ ଜଳବାୟୁ ବଦଳାଇବା ପାଇଁ ଆସନ୍ତି । ଅସଂଖ୍ୟ ଇଂରେଜ ଏବେ ସୁଦ୍ଧା ଏଠାରେ ବାସ କରନ୍ତି । ସହରର ଆକାର ଓ ଜନସଂଖ୍ୟା ତୁଳନାରେ ସିନେମା, ଥିଏଟର, ହୋଟେଲ ଓ ଆମୋଦପ୍ରମୋଦ ସ୍ଥାନର ପରିମାଣ ଅଧିକ । ପୂର୍ବେ ଏହା କେବଳ ଇଂରେଜମାନଙ୍କର ସ୍ୱାସ୍ଥ୍ୟନିବାସ ଥିଲା । ଏବେ କେତେ ବର୍ଷ ହେଲା ଏହା ଏକ ସାଧାରଣନଗରୀରେ ପରିଣତ ହୋଇଛି । ହିମାଚଳ ପ୍ରଦେଶର ଏହା ରାଜଧାନୀ ହୋଇଥିବାରୁ ପ୍ରାଦେଶିକ କାର୍ଯ୍ୟାଳୟ ଓ କୋର୍ଟ କଚେରୀ ପ୍ରଭୃତି ଏଠାରେ ପ୍ରତିଷ୍ଠିତ ହୋଇଛି । ସ୍କୁଲ, କଲେଜ ମେଡ଼ିକାଲ, ଦୋକାନ, ବାଜାର, ଏବଂ ସାଧାରଣ ଅନୁଷ୍ଠାନର ସଂଖ୍ୟା ଅଧିକ । ନଗରୀର ଜନାକୀର୍ଣ୍ଣ ସ୍ଥାନ ହେଉଛି ‘ମାଲ୍’ । ଏଠାରେ ବଡ଼ ବଡ଼ ଅଫିସ୍, ଦୋକାନ ଓ ସ୍କୁଲ ପ୍ରଭୃତି ପ୍ରତିଷ୍ଠିତ । ଏଠାରେ ଘୋଡ଼ାଦୌଡ଼ ହୁଏ । ଶୀତଦିନେ ଏଠାରେ ଯାତ୍ରୀମାନେ ସ୍ଲେଜଗାଡ଼ିରେ ବସି ଓ ଗୋଡ଼ରେ କାଠରଖି (Skiing) ଖେଳନ୍ତି । ଶୀତକାଳୀନ ଆମୋଦ ପ୍ରମୋଦ ଓ ଖେଳ କସରତ୍ ଲାଗି ବହୁ ଇଉରୋପୀୟ ଏଠାକୁ ଆସନ୍ତି । ଏହାର ରିଜ୍ ଅଞ୍ଚଳରେ ପଞ୍ଜାବକେଶରୀ ଲାଲା ଲଜପତ୍ ରାୟ ଓ ମହାତ୍ମା ଗାନ୍ଧୀ ପ୍ରଭୃତି ନେତାମାନଙ୍କର ପ୍ରତିକୃତି ଦେଖାଯାଏ ।

☆☆☆

 

ହରଦ୍ୱାର

 

ଭାରତର ପୁଣ୍ୟପୀଠ ମଧ୍ୟରେ ହରଦ୍ୱାର ଅନ୍ୟତମ । ଉତ୍ତରରେ ଏହା ପ୍ରଧାନ ତୀର୍ଥରୂପେ ଗଣ୍ୟ । ସିମିଳାରୁ ହରଦ୍ୱାର ୧୪୩ ମାଇଲ । ବାୟରେ ୩ ଯାଗା ଗାଡ଼ି ବଦଳାଇବାକୁ ହେଲା । ହିମାଳୟର ପାଦଦେଶରେ ଏହା ଅବସ୍ଥିତ । ଏହି ସ୍ଥାନ ସମୁଦ୍ର ପତ୍ତନରୁ ୧୦୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ପ୍ରାକୃତିକ ଦୃଶ୍ୟ ଖୁବ୍ ମନୋରମ । କଳାନାଦିନୀ ପୁଣ୍ୟତୋୟା ଗଙ୍ଗା ହିମାଳୟର ଗଙ୍ଗୋତ୍ରୀ ତୁଷାରସ୍ରୋତରୁ ନିର୍ଗତ ହୋଇ ଭୀମଭୈରବ ଗର୍ଜ୍ଜନରେ ଅସଂଖ୍ୟ ପାହାଡ଼ ପର୍ବତ ଦେଇ ଗତି କରି ଶେଷକୁ ଏହି ହରଦ୍ୱାରଠାରେ ପ୍ରଥମ ଥର ପାଇଁ ନଇଁପଡ଼ି ସମତଳ ଭୂମି ସ୍ପର୍ଶ କରିଛି । ଏଠାରେ ଗଙ୍ଗା ଅଣଓସାରିଆ, ମାତ୍ର ତାର ଗତି ଅତି ପ୍ରଖର । ସୁଗଭୀରତା ହେତୁ ଏହାବକ୍ଷରେ କେତେକ ସ୍ଥାନରେ କେବଳ ଆହୁଲା ସାହାଯ୍ୟରେ ନୌକା ଗତି କରେ । ହରଦ୍ୱାରସହର ପାଖରେ ଏବେ ଗଙ୍ଗାନଦୀ ଉପରେ ପୋଲଟିଏ ନିର୍ମିତ ହୋଇଛି । ବହୁ ମଠ, ଗୁରୁକୁଳ ଆଶ୍ରମ, ମନ୍ଦିର ଓ ସ୍ନାନଘାଟରେ ସ୍ଥାନଟି ପୂର୍ଣ୍ଣ । ଏହା ହିମାଳୟର ଶୈବାଳିକ ପର୍ବତଶ୍ରେଣୀର ତରାଇ ଅଞ୍ଚଳରେ ଅବସ୍ଥିତ । ପ୍ରକୃତିଦେବୀଙ୍କର ଏ ହେଉଛି ସୁଷମାମଞ୍ଜୁଷା ।

 

ମର୍ତ୍ତ୍ୟଗଙ୍ଗାର ଇତିହାସ:–ଈକ୍ଷ୍ୱାକୁବଂଶର ଚକ୍ରବର୍ତ୍ତୀ ରାଜା ସଗର ଅଶ୍ୱମେଧଯଜ୍ଞର ଆୟୋଜନ କଲେ । ଯଶ୍ୱଅଶ୍ୱ ଚତୁର୍ଦ୍ଦିଗକୁ ପଠାଗଲା । ଇନ୍ଦ୍ର ଜାଣିପାରିଲେ, ସଗର ଅଶ୍ୱମେଧଯଜ୍ଞ ସମାପ୍ତି ପରେ ଇନ୍ଦ୍ରପଦ ଲାଭ କରିବେ ଓ ସେ ଉକ୍ତ ପଦରୁ ବିତାଡ଼ିତ ହେବେ । ତେଣୁ ପରଶ୍ରୀକାତର ଇନ୍ଦ୍ର କପଟ କରି ଯଜ୍ଞ ଅଶ୍ୱକୁ ଲୁଚାଇ କପିଳମୁନିଙ୍କ ଆଶ୍ରମରେ ବାନ୍ଧି ଦେଲେ । କପିଳମୁନି ସେତେବେଳେ ଗଭୀର ଯୋଗମଗ୍ନ ଥିବାରୁ ଏ ଘଟଣା ଜାଣି ନ ଥିଲେ । ସଗରରାଜାଙ୍କର ୬୦ ସହସ୍ର ପୁତ୍ର ଯଜ୍ଞଅଶ୍ୱକୁ ଖୋଜି ଖୋଜି ଶେଷରେ କପିଳଙ୍କ ଆଶ୍ରମରେ ପାଇଲେ ଏବଂ କପିଳକୁ ଦୋଷୀମନେ କରି କଟୁଭାଷାରେ ଭର୍ତ୍ସାନା କଲେ । ନିର୍ଦ୍ଦୋଷ କପିଳ ରାଜପୁତ୍ରମାନଙ୍କୁ ଏତାଦୃଶ ଦୁର୍ବବ୍ୟବହାର ସହି ନ ପାରି ସ୍ୱୀୟବ୍ରହ୍ମତେଜୋବଳରେ ସେମାନଙ୍କୁ ଦଗ୍‌ଧୀଭୂତ କଲେ, ମାତ୍ର ଭସ୍ମସାତ୍ ହେବା ପୂର୍ବରୁ ମୁନିଙ୍କର କ୍ରୋଧ ଶାନ୍ତ ହେଲା । ଏଣୁ ମୁନି ସେମାନଙ୍କୁ ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ରଖିଲେ । ସଗରବଂଶ ଲୋପ ହେଲା । ତାଙ୍କର ରାଣୀମାନେ ବିଷାଦରେ କାଳାତିପାତକଲେ । ଦୀର୍ଘ ବିରହ ପରେ ଦୁଇରାଣୀଙ୍କ ରତିକ୍ରିୟା ଫଳରେ ଅସ୍ଥିହୀନ ମାଂସପିଣ୍ଡୁଳାଟିଏ ଜାତି ହେଲା । ତାର ନାମ ଦେଲେ ଭଗୀରଥ ।

 

ଭଗୀରଥ କ୍ରମେ ବଡ଼ ହେଲେ, କିନ୍ତୁ ଶରୀରରେ ଅସ୍ଥି ନ ଥିବାରୁ କେବଳ ଗୁରୁଣ୍ଡି ଗୁରୁଣ୍ଡି ବକ୍ରଗତିରେ ଚାଲିଲେ । ଏକଦା ସଗରରାଜପ୍ରାସାଦକୁ ଅଷ୍ଟାବକ୍ର ଋଷି ଆସିଥିଲେ । ରାଣୀମାନେ ବଂଶରକ୍ଷା କରିବା ଲାଗି ଶିଶୁ ଭଗୀରଥକୁ କଲ୍ୟାଣ କରିବା ପାଇଁ ଅଷ୍ଟାବକ୍ରଋଷିଙ୍କ ନିକଟକୁ ଆଣିଲେ । ଅଷ୍ଟାବକ୍ର ଭଗୀରଥର ଏପରି ବକ୍ରଗତି ଦେଖି ତାଙ୍କୁ ପରିହାସ କରୁଛି ବୋଲି ମନେ କରି କୋପାବିଷ୍ଟ ହୋଇ ଅଭିଶାପ ଦେଇ କହିଲେ, ‘ଭଗୀରଥ ଯଦି ତାଙ୍କୁ ପରିହାସ କରୁଥାଏ, ତେବେ ସେ ଆଶୁ ଭସ୍ମ ହେବ, ନଚେତ୍ ଯଦି ପ୍ରକୃତରେ ସେ ଏପରି ହୋଇଥାଏ, ତାହା ହେଲେ ସେ ଏକ ଦିବ୍ୟ ସୁନ୍ଦର କୁମାର ହେବ’ । ଋଷି ଅଷ୍ଟାବକ୍ରଙ୍କ ବଚନ ଯଥାର୍ଥ ହେଲା । ଚାହୁଁ ଚାହୁଁ ନିମିଷକ ମଧ୍ୟରେ ଭଗୀରଥଙ୍କ ଶରୀରରେ ଅସ୍ଥିସଂଚାର ହେଲା ଓ ସେ ମଦନସୁନ୍ଦର ରୂପ ଧାରଣ କଲେ । ରାଣୀମାନେ କୃତଜ୍ଞତା ଜଣାଇ ଋଷିଙ୍କ ପାଦଧୂଳି ଆଣି ଭଗୀରଥଙ୍କ ଦେହରେ ବୋଳି ଦେଲେ । ଭଗୀରଥଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଋଷି ତାଙ୍କୁ ନିଜର ପିତୃପୁରୁଷଙ୍କୁ ଉଦ୍ଧାର କରିବା ଲାଗି ଗଭୀର ତପସ୍ୟାରେ ଗଙ୍ଗାଙ୍କୁ ସନ୍ତୁଷ୍ଟ କରି ସ୍ୱର୍ଗରୁ ମର୍ତ୍ତକୁ ଆଣିବା ପାଇଁ ଉପଦେଶ ଦେଲେ । ଗଙ୍ଗାଙ୍କର ଆଗମନ ଫଳରେ ତାଙ୍କ ୬୦ ହଜାର ପିତୃପୁରୁଷ ଅର୍ଦ୍ଧଦଗ୍‌ଧ ଅବସ୍ଥାରୁ ମୁକ୍ତି ଲଭିବେ ଜାଣି ଭଗୀରଥ ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିବା ନିମିତ୍ତ ଦୃଢ଼ସଂକଳ୍ପ ହୋଇ ଯୋଗମଗ୍ନ ହେଲେ-। କ୍ରମେ କ୍ରମେ ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ ବିତିଗଲା । ପତିତପାବନୀ ଗଙ୍ଗା ରାଜା ଭଗୀରଥଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମର୍ତ୍ତ୍ୟକୁ ଆସିବା ପାଇଁ ସ୍ୱୀକୃତି ଦେଲେ-। ଆଗେ ଆଗେ ଚାଲିଥାନ୍ତି ଦୃଢ଼ପ୍ରତିଜ୍ଞ ଯୁବକ ଭଗୀରଥ—ତାଙ୍କ ପଛେ ପଛେ ଗଙ୍ଗା ଆସୁଥାନ୍ତି । ବାଟରେ ପାହାଡ଼, ପର୍ବତ, ଘନଜଙ୍ଗଲ ଓ କଙ୍କରିତ ଉପତ୍ୟକା ପ୍ରଭୃତି ଅତିକ୍ରମ କରି ଗଙ୍ଗା କପିଳମୁନିଙ୍କର ଆଶ୍ରମରେ ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ଥିବା ଭଗୀରଥଙ୍କ ପୂର୍ବପୁରୁଷଙ୍କୁ ମୋକ୍ଷ କଲେ-। ଭଗୀରଥ ତପସ୍ୟାବଳରେ ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିଥିବାରୁ ଗଙ୍ଗାଙ୍କର ନାମ ହେଲା ଭାଗୀରଥୀ-। ଗଙ୍ଗାର ଜଳ ଅତ୍ୟନ୍ତ ପବିତ୍ର । ଅନ୍ୟ ନଦୀଜଳ କିଛି ଦିନ ରହିଲେ ତହିଁରେ ପୋକ ହୋଇଯାଏ, କିନ୍ତୁ ଗଙ୍ଗାଜଳକୁ ବର୍ଷ ବର୍ଷ ଧରି ରଖିଲେ ମଧ୍ୟ ଏଥିରେ ପୋକ ହୁଏ ନାହିଁ । ହରଦ୍ୱାର ଓ ଉତ୍ତରପ୍ରଦେଶର ଡାକ୍ତରମାନେ ଏହି ଜଳକୁ Distilled water ରୂପେ ବ୍ୟବହାର କରିଥାନ୍ତି-

 

ହରଦ୍ୱାରରେ ଗଙ୍ଗାର ଦୃଶ୍ୟ ଚମତ୍କାର । ଏଠାରେ ଗଙ୍ଗା ଭୈରବ ନାଦ କରି କ୍ଷିପ୍ରଗତିରେ ପ୍ରବହମାନ । ହରଦ୍ୱାରର ଅପରପାର୍ଶ୍ୱ ପର୍ବତପୂର୍ଣ୍ଣ । ସ୍ନାନ କରିବା ଲାଗି ହରଦ୍ୱାରରେ କେତେକ ଘାଟ ନଦୀକୂଳରୁ ବାହାରପଟକୁ ପ୍ରସ୍ତୁତ କରାଯାଇଛି । ଗଙ୍ଗାର ପ୍ରଖର ସ୍ରୋତରୁ ରକ୍ଷାପାଇବା ନିମିତ୍ତ ଏହି ଘାଟ ତିଆରି ହୋଇଛି । ତଥାପି କେହି ଭାସିଗଲେ ରକ୍ଷା କରିବାର ଅନ୍ୟ ଉପାୟ ନ ଥିବାରୁ ଅଦୂରରେ ଗଙ୍ଗାନଦୀର ଶତାବ୍ଦୀପୋଲ ଉପରୁ ତଳକୁ ଶହ ଶହ ଲୁହାର ଶିକୁଳି ପାଣିଭିତରେ ଝୁଲିଅଛି । କୌଣସି ବ୍ୟକ୍ତି ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ହୁଏତ ଏହାକୁ ଧରି ପ୍ରାଣରକ୍ଷା କରି ପାରିବ ।

 

ହରକୀପୈରୀ:–ଏଠାରେ ଦୁଇପାଖରେ ଦୁଇଟି ସୁନ୍ଦର ପୋଲ ନିର୍ମିତ । ଗଙ୍ଗାନଦୀ ଗତିପଥକୁ ଅନ୍ୟତ୍ର ବଦଳାଇ ଦିଆଯାଇଛି । ଏକ ବଡ଼ ଆନିକଟ ଭଳି ବନ୍ଧ ସାହାଯ୍ୟରେ ଏଠାରେ ସ୍ନାନଘାଟ ନିର୍ମିତ । ଘାଟକୂଳେ ଅସଂଖ୍ୟ ଦେବମନ୍ଦିର । ରାଜା ବିରଳାତୋରଣ ୪୦’ ଉଚ୍ଚ-। ଚାରିଆଡ଼େ ଚାରିଗୋଟି ବଡ଼ ଘଣ୍ଟା ମଦନମୋହନ ମାଲବୀୟଙ୍କର ମଲମଲ ପଥରର ପ୍ରତିମୂର୍ତ୍ତି ଏଠାରେ ଶୋଭିତ । ସ୍ନାନ ସାରି ଲୋକମାନେ ଏଠାରେ ଫୁଲ ଓ ଦୀପ ଭସାନ୍ତି । ଏହାର ୪୦-୫୦ ଗଜ ଆଗକୁ ଶତାବ୍ଦୀପୋଲ । ଏଠାରେ ଲଗାଲଗି ହୋଇ ଗଙ୍ଗାମାତାମନ୍ଦିର, ନବଗ୍ରହମନ୍ଦିର, ଗୀତାଗାୟତ୍ରୀ ମନ୍ଦିର, ରାମଲକ୍ଷ୍ମଣସୀତା ମନ୍ଦିର, ଗାୟତ୍ରୀଦେବୀ ମନ୍ଦିର, ଭଗୀରଥ ମନ୍ଦିର, ବଦ୍ରୀବିଶାଳ ପଞ୍ଚାୟତନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଗଙ୍ଗାଯମୁନା ଓ ସରସ୍ୱତୀ ମନ୍ଦିର, ପ୍ରାଚୀନ ବଦ୍ରୀନାରାୟଣ ମନ୍ଦିର, ସତ୍ୟନାରାୟଣ ମନ୍ଦିର, ଶାକେଶ୍ୱରମହାଦେବ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ବିଦ୍ୟମାନ । ଗଙ୍ଗାନଦୀ ମଧ୍ୟରେ ଗଙ୍ଗାନଦୀ ମନ୍ଦିର ଶୋଭିତ-। ସାୟଂକାଳୀନ ଆରତିବେଳେ ଏସବୁ ମନ୍ଦିରର ଘଣ୍ଟା ଓ ମାଦଳଧ୍ୱନିରେ ଦର୍ଶକହୃଦୟ ନାଚିଉଠେ-

 

ହରଦ୍ୱାର ରେଳଷ୍ଟେସନରୁ ପ୍ରଧାନ ଛକକୁ ଗଲାବେଳେ ଛକ ଉପରେ ମୃତ୍ୟୁଞ୍ଜୟମୂର୍ତ୍ତି ଦେଖିବାକୁ ମିଳେ । ପ୍ରସ୍ତରପୀଠ ଉପରେ ଏହି ସୁନ୍ଦର ମୂର୍ତ୍ତି ପ୍ରତିଷ୍ଠିତ । ତପସ୍ୟାରତ ଶିବ ଗୋଟିଏ ହାତରେ ପୋଥି ଓ ଅପର ହାତରେ ମାଳା ଧରି ଅଛନ୍ତି, ଅନ୍ୟ ଦୁଇହାତରେ ନିଜମସ୍ତକ ଉପରେ ଗଙ୍ଗାଜଳ ଢାଳୁଥିବାର ଏକ ମନୋରମ ଦୃଶ୍ୟ ଏହି ମୂର୍ତ୍ତିରେ ପ୍ରକାଶିତ ।

 

ବ୍ରହ୍ମକୁଣ୍ଡ:–ଏହା ହରଦ୍ୱାରର ପ୍ରଧାନ ତୀର୍ଥସ୍ଥଳ ଓ ଦର୍ଶନୀୟ ସ୍ଥାନ । ଏହାର ଅନ୍ୟନାମ “ହରକୀ ପୈରୀ” । ରାଜା ଭଗୀରଥ ଗଙ୍ଗାଦେବୀଙ୍କୁ ସ୍ୱର୍ଗରୁ ଆଣିଲା ପରେ ଶ୍ୱେତରାଜା ଏ ସ୍ଥାନରେ ବ୍ରହ୍ମାଙ୍କୁ ତପସ୍ୟା କଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତାଙ୍କୁ ବର ପ୍ରାର୍ଥନା କରିବାକୁ କହିଲେ । ଶ୍ୱେତରାଜା ଏହି ବର ମାଗିଲେ—ସେହି ସ୍ଥାନଟି ତାଙ୍କ ତପସ୍ୟାର ନିଦର୍ଶନ ସ୍ୱରୂପ ପ୍ରସିଦ୍ଧ ହେଉ ଓ ବ୍ରହ୍ମା ଶିବ ଏବଂ ବିଷ୍ଣୁଙ୍କ ସହିତ ଏଠାରେ ଅବସ୍ଥାନ କରନ୍ତୁ । ବ୍ରହ୍ମା ଏଥିରେ ସମ୍ମତ ହେଲେ । ସେହିଦିନୁ ଏହାର ନାମ ‘ବ୍ରହ୍ମକୁଣ୍ଡ’ ହେଲା । ଶେଠସୁରଜମଲ୍ଲ ଏହି ଘାଟକୁ ବଡ଼ ଧରଣର କରି ସେଥିରେ ମଲମଲ ପଥରର ପାହାଚ ଖଞ୍ଜିଛନ୍ତି । ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ଦୁଇଟି ଅଲଗା ଅଲଗା ବଡ଼ ଘରର ମଧ୍ୟଭାଗରେ ଘାଟ । ଗଙ୍ଗାର ପ୍ରଖର ସ୍ରୋତରୁ ଲୋକଙ୍କୁ ରକ୍ଷାକରିବା ଲାଗି ଏପରି ଘର ତିଆରି କରାଯାଇଛି । ଟିକିଏ ଆଗରେ ଶତାବ୍ଦୀ ପୋଲର ଦୃଶ୍ୟ ଅତୀବ ରମଣୀୟ । କୂଳେ କୂଳେ ଅସଂଖ୍ୟ ଦେବ ଦେବୀ ମନ୍ଦିର ଓ ସ୍ନାନଘାଟ । ଏଠାରେ ପ୍ରାତଃକାଳୀନ ଭଜନ ଓ ସ୍ତବରେ ଆକାଶ କମ୍ପିଯାଏ । ସନ୍ଧ୍ୟା ସମୟରେ ହଜାର ହଜାର ଦର୍ଶକ ଗଙ୍ଗାର ଏହି ଦୃଶ୍ୟ ଦେଖିବାକୁ ଆସନ୍ତି । ସେତେବେଳେ ସ୍ଥାନଟି ଜନାଜୀର୍ଣ୍ଣ ହୋଇ କୋଳାହଳରେ ମୁଖରିତ ହୋଇଉଠେ । ଭାରତର ପ୍ରସିଦ୍ଧ ଶେଠ ବିରଳା ଏଠାରେ ଗୋଟିଏ ବଡ଼ ଘଣ୍ଟାଘର ତିଆରି କରାଇଛନ୍ତି ।

 

ବ୍ରହ୍ମକୁଣ୍ଡର ପଛକୁ ମନସାଦେବୀ ମନ୍ଦିର ଏକ ପର୍ବତ ଶିଖ୍‍ରରେ ଅବସ୍ଥିତ । ଦେବୀଙ୍କର ୩ଟି ମୁଣ୍ଡ ଓ ପାଞ୍ଚଟି ହାତ । ଏହାଙ୍କ ପାଖକୁ ଭୈରବ ଓ ଅଷ୍ଟଭୁଜାମନ୍ଦିର । ସୂର୍ଯ୍ୟକୁଣ୍ଡକୁ ଏହି ବାଟେ ଯାତ୍ରୀମାନେ ଯାଆନ୍ତି । ହରଦ୍ୱାରଯୁବକସଂଘର ଆନୁକୂଲ୍ୟରେ ସୁଭାଷ–ଘାଟ ନିର୍ମିତ । ମଲମଲ ପଥରପୀଠ ଉପରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ୭ ଫୁଟ ଉଚ୍ଚ ମାର୍ବଲ ପଥରର ନିଖୁଣ ପ୍ରତିମୂର୍ତ୍ତି । ସୁଭାଷଘାଟପାଖରେ ‘ଗୌଘାଟ’ ଏଠାରେ ସ୍ନାନ କଲେ ଗୋହତ୍ୟାପାତକରୁ ମୁକ୍ତି ମିଳେ ବୋଲି କଥିତ ଅଛି । ଗୌଘାଟର ଦକ୍ଷିଣକୁ କୁଶାବର୍ତ୍ତଘାଟ । ଏଠାରେ ଦତ୍ତାତ୍ରେୟ ଋଷି ଏକପଦରେ ଠିଆ ହୋଇ ତପସ୍ୟା କରିଥିଲେ ବୋଲି ପ୍ରବାଦ ଅଛି । ମହାବିଷୁବସଂକ୍ରାନ୍ତି ଦିନ ଏଠାରେ ବଡ଼ ମେଳା ବସେ । ସେ ଦିନ ଯାତ୍ରୀମାନେ ପିଣ୍ଡଦାନ କରନ୍ତି ।

 

ଭୋଲାଗିରିମନ୍ଦିର ଲାଲ ପଥରରେ ତିଆରି । ଏହି ବିଶାଳ ମନ୍ଦିରଟି ଗଙ୍ଗାକୂଳରେ ଅବସ୍ଥିତ । ସନ୍ନ୍ୟାସୀ ଭୋଲାଗିରିଙ୍କର ଏହା ପୂର୍ବେ ଆଶ୍ରମ ଥିଲା । ବଙ୍ଗାଳୀ ଯାତ୍ରୀ ବହୁପରିମାଣରେ ଏଠାରେ ଆଶ୍ରୟ ନିଅନ୍ତି । ରାତିଦିନ ଏହି ମନ୍ଦିରରେ ଭାଗବତ ଚର୍ଚ୍ଚା ହୁଏ । ମଣ୍ଡଳେଶ୍ୱର ସ୍ୱାମୀ ଓ ମହାଦେବାନନ୍ଦ ସ୍ୱାମୀ ଏହାର ନିର୍ମାତା । ମନ୍ଦିରରେ ଶଙ୍କରାଚାର୍ଯ୍ୟ ଓ ମହାବୀର ପ୍ରଭୃତିଙ୍କର ମୂର୍ତ୍ତି ପ୍ରତିଷ୍ଠିତ ।

 

ବିଲ୍ୱପର୍ବତମାଳା ଉପରେ ବିଲ୍ୱକେଶ୍ୱର ଶିବମନ୍ଦିର ଅବସ୍ଥିତ । ଏହି ପର୍ବତରେ ବେଲଗଛ ବହୁପରିମାଣରେ ଥିବାରୁ ଏହାର ନାମ ଏପରି ହୋଇଛି । ମନ୍ଦିରର ଚାରିପାଖରେ ବେଲବଣ । ମନ୍ଦିର ବାହାରେ ଓ ଭିତରେ ଶିବଙ୍କର ମୂର୍ତ୍ତି । ସାମନାରେ ଗୌରୀକୁଣ୍ଡ । ବାମପାର୍ଶ୍ୱରେ ଗୋଟିଏ ଗୁମ୍ପାରେ ଗୌରୀଙ୍କର ମୂର୍ତ୍ତି । ଗୁମ୍ପା ଓ ମନ୍ଦିର ମଝିରେ ଏକ କ୍ଷୁଦ୍ର ଝରଣା କଳକଳ ନାଦରେ ବହିଯାଉଛି । ଏହା ନାମ ପାର୍ବତୀଝରଣା ।

 

ଗୀତାଭବନ ହରଦ୍ୱାରର ଏକ ବିଖ୍ୟାତ ସ୍ଥାନ । ଏହା ଏକ ତ୍ରିତଳପ୍ରାସାଦ । ଭୋଲାଗିରିରୋଡ଼୍‌ରେ ଏହା ଅବସ୍ଥିତ । ଏଠାରେ ଅହରହ ଗୀତା ପାଠ ହୁଏ । ଗୀତାପ୍ରେମୀମାନେ ହଜାର ହଜାର ସଂଖ୍ୟାରେ ରୁଣ୍ଡ ହୁଅନ୍ତି । ମନ୍ଦିର ମଝିରେ ବିଷ୍ଣୁଙ୍କର କମନୀୟ ମୂର୍ତ୍ତି । ପଞ୍ଜାବର ସନାତନିଦଳର ପ୍ରତିନିଧି ଏଠାରେ ଯାତ୍ରୀମାନଙ୍କ ଲାଗି ବାସସ୍ଥାନ ତିଆରି କରିଛନ୍ତି । ବୁଦ୍ଧ ଓ ଶ୍ରୀକୃଷ୍ଣଙ୍କର କମନୀୟ ମୂର୍ତ୍ତି ମନ୍ଦିରର ଶୋଭାକୁ ବଢ଼ାଇଦେଇଛି । ଏହାର ସନ୍ଦର୍ଶନରେ ହୃଦୟରେ ଭଗବତପ୍ରେମର ସଂଚାର ହୁଏ ଏବଂ ଦର୍ଶକ ବିହ୍ୱଳ ହୁଏ ।

 

ହରିଦ୍ୱାରରୁ ୨ ମାଇଲ ଦୂରରେ କନଖଳତୀର୍ଥ । ଏଠାରେ ଦକ୍ଷପ୍ରଜାପତିଙ୍କ ମନ୍ଦିର । ଦକ୍ଷପ୍ରଜାପତି ଏଠାରେ ଯଜ୍ଞ ଅନୁଷ୍ଠାନ କରି ଶିବଙ୍କ ଅପମାନ ଦେଇଥିଲେ । ପତିଙ୍କର ଅପମାନ ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ପ୍ରାଣ ବିସର୍ଜ୍ଜନ କରିଥିଲେ । ଏବେ ସୁଦ୍ଧା ସତୀକୁଣ୍ଡ ବିଦ୍ୟମାନ । ଶିବରାତ୍ରି ମେଳା ଏଠାରେ ମହା ସମାରୋହରେ ଅନୁଷ୍ଠିତ ହୁଏ । ମେଳା ଦେଖିବାକୁ ହଜାର ହଜାର ଲୋକ ଆସନ୍ତି ।

 

ଗୁରୁକୁଳ ବିଶ୍ୱବିଦ୍ୟାଳୟଟି ମହାତ୍ମା ମୁନ୍‌ସୀରାମ ସ୍ଥାପନ କରିଥିଲେ । ତାଙ୍କର ଅନ୍ୟନାମ ଶ୍ରଦ୍ଧାନନ୍ଦ । ଏଠାରେ ବ୍ରହ୍ମଚାରୀମାନେ ବାଲ୍ୟକାଳରୁ ରହି ବିଦ୍ୟାଧ୍ୟୟନ କରନ୍ତି । ପ୍ରାଚୀନ ଭାରତଗୁରୁକୁଳର ଆଭାସ ଏଠାରେ କେତେକାଂଶରେ ମିଳେ । ଶିକ୍ଷାର୍ଥୀମାନେ ବେଦ, ବେଦାଙ୍ଗ, ଧର୍ମଶାସ୍ତ୍ର, କର୍ମକାଣ୍ଡ ଓ ସଂସ୍କୃତ ସାହିତ୍ୟର ଚର୍ଚ୍ଚା କରନ୍ତି । ବହୁ ଶିକ୍ଷାର୍ଥୀ ଏଠାରେ ବିଦ୍ୟାଧ୍ୟୟନ ଲାଗି ବ୍ୟାକୁଳ । ବିଦ୍ୟାର୍ଥୀମାନେ ଉଚ୍ଚମନୋଭାବ ନେଇ ସରଳ ତଥା ନିରାଡ଼ମ୍ବର ଜୀବନ ଯାପନ କରନ୍ତି । ‘Plain living and high thinking’ ଏମାନଙ୍କର ମୂଳନୀତି ।

 

କଶ୍ୟପ, ଭରଦ୍ୱାଜ, ଅତ୍ରି, ଗୌତମ, ଜମଦଗ୍ନି, ବିଶ୍ୱାମିତ୍ର ଓ ବଶିଷ୍ଠ ସପ୍ତସରୋବର ଆଶ୍ରମରେ ତପସ୍ୟା କରିଥିଲେ । ଏହାର ପ୍ରତୀକ ସ୍ୱରୂପ ଏଠାରେ ଗଙ୍ଗା ସପ୍ତଧାରାରେ ବହୁଛି । ସନାତନ ଧର୍ମ ପ୍ରତିନିଧିସଭା ସପ୍ତଋଷି ଆଶ୍ରମ, ସପ୍ତଋଷିମନ୍ଦିର ଓ ସପ୍ତସରୋବର ନିର୍ମାଣ କରି ଏହି ସ୍ଥାନର ମହତ୍ତ୍ୱକୁ ଅଧିକ ବଢ଼ାଇଛନ୍ତି । ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ରପ୍ରାସଦ ଏହି ଆଶ୍ରମଟିକୁ ଉଦ୍‌ଘାଟନ କରିଥିଲେ । ଏଠାରେ ଥିବା ୯ଟି ମନ୍ଦିର ମଧ୍ୟରେ ଶିବଙ୍କ ମନ୍ଦିରଟି ମୁଖ୍ୟ ।

 

ହରଦ୍ୱାର ଏକ ସ୍ୱାସ୍ଥ୍ୟକର ସ୍ଥାନ । ଦ୍ୱାରକା, ପୁରୀ ଓ ରାମେଶ୍ୱର ଅପେକ୍ଷା ଏହାର ପ୍ରାକୃତିକ ଦୃଶ୍ୟ ଅଧିକ ମନୋରମ । ତୁଷାରାବୃତ ଉତ୍ତଙ୍ଗ ହିମାଳୟ ପର୍ବତମାଳା, ନତଗ୍ରୀବ ଗଙ୍ଗାର ସମତଳ ପ୍ରଦେଶ-ସ୍ପର୍ଶଜନିତ ଚିତ୍ତାକର୍ଷକ ଦୃଶ୍ୟ, ନିଘଞ୍ଚ ବନ, ଶହ ଶହ ସାଧୁ ସନ୍ନ୍ୟାସୀଙ୍କ ମଠ ଓ କୁଟୀର ଏବଂ ଅସଂଖ୍ୟ ଦେବଦେବୀ ମନ୍ଦିର ଦର୍ଶକକୁ ସତେ ଯେପରି ଏକ ସ୍ୱର୍ଗରାଜ୍ୟରେ ପହଞ୍ଚାଇ ଦିଏ । ରାସ୍ତାଘାଟଗୁଡ଼ିକ ପରିଷ୍କୃତ ପରିଚ୍ଛନ୍ନ । ଅଧିବାସୀମାନେ ଧର୍ମ ପ୍ରାଣ ଏବଂ ସରଳ-

☆☆☆

 

ଋଷିକେଶ

 

ହରଦ୍ୱାରରୁ ଏହା ୧୪ ମାଇଲ । ହରଦ୍ୱାରର ଭୋଲାଗିରି ଧର୍ମଶାଳାରେ ଜିନିଷପତ୍ର ରଖି ବସ୍‌ଷ୍ଟାଣ୍ଡକୁ ଆସିଲି । ଭୋଲାଗିରି ଧର୍ମଶାଳାରୁ ବସ୍‌ଷ୍ଟାଣ୍ଡ ପ୍ରାୟ ୧ ଫରଲଙ୍ଗ ଦୂର । ହରଦ୍ୱାରକୁ ଏଠାରୁ ଟ୍ରେନ୍‌ ସୁବିଧା ଥିଲେ ସୁଦ୍ଧା ବହୁ ଯାତ୍ରୀ ମୋଟରରେ ଯାଆନ୍ତି । ଋଷିକେଶ ପୁଣ୍ୟତୋୟା କଳନାଦିନୀ ଗଙ୍ଗାକୂଳରେ ଅବସ୍ଥିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ସ୍ଥାନଟି ଭରପୂର । ଏଠାରେ ଶହ ଶହ ସାଧୁଙ୍କ ଆଶ୍ରମ ଏବଂ ଦେବଦେବୀମନ୍ଦିର ପ୍ରତିଷ୍ଠିତ । ପ୍ରତିବର୍ଷ ଖରାଦିନେ ଏଠାକୁ ହଜାର ହଜାର ଯାତ୍ରୀ ଆସନ୍ତି ଭାରତର ଏହା ଏକ ପବିତ୍ର ତପୋବନ । ହଜାର ହଜାର ସାଧୁସନ୍ନ୍ୟାସୀ ଏଠାରେ ତପସ୍ୟାରତ । କେତେକଙ୍କର କୁଟୀର ଓ ଆଶ୍ରମ ଅଛି । ଆଉ କେତେକ ବୃକ୍ଷମୂଳରେ ବାସ କରନ୍ତି । ଏ ସବୁ ଦୃଶ୍ୟ ଦେଖିଲେ ଯେ କୌଣସି ଲୋକମାନରେ ବୈରାଗ୍ୟ ଆସିବ । ଏଠାରେ ସନ୍ନ୍ୟାସୀମାନଙ୍କର ଆହାର ଚିନ୍ତା ନାହିଁ । ପାଖ ପର୍ବତର ବୃକ୍ଷଲତା ସାରାବର୍ଷ ପିଜୁଳି, ଆମ୍ବ, ବେଲ, ଜାମୁ, କେନ୍ଦୁ ଓ ଲିଚୁ ପ୍ରଭୃତି ଯୋଗାନ୍ତି । ପାଖରେ ପବିତ୍ର ଗଙ୍ଗାଜଳ ଢୋକେ ପିଇଲେ ଭୋକ ମେଣ୍ଟେ । ଇନ୍ଦ୍ରିୟଲାଲସାକୁ ପୁରୁଜ୍ଜୀବିତ କରିବା ଲାଗି କୌଣସି ସାଂସାରିକ ଉପାଦାନ ବା ଉପକରଣ ଏଠାରେ ନାହିଁ । ଚାରିଆଡ଼େ ନୀରବତା । ଗଙ୍ଗାର ଭୀମଭୈରବ ଗର୍ଜ୍ଜନ, ପକ୍ଷୀମାନଙ୍କ କଳକାକଳି ଏବଂ ବାୟୁସଂଚାଳିତ ବନାନୀର ମରମର ଶବ୍ଦ ନଗରବାସୀଙ୍କୁ ହଠାତ୍ ଚମକାଇଦିଏ । ଅନ୍ୟ ସହର ଓ ଋଷିକେଶ ମଧ୍ୟରେ ଢେର ପ୍ରଭେଦ । ଏକ ଦିଗରେ କୋଳାହଳ –ଅନ୍ୟ ଦିଗରେ ନିସ୍ତବଧ୍‌ତା । ଏକ ଦିଗରେ ଭବିଷ୍ୟତ୍ ପାଇଁ ଧନସଞ୍ଚୟ ଲାଗି ବାଳବତୀ ଲାଲସା–ଅନ୍ୟଦିଗରେ କେବଳ ବର୍ତ୍ତମାନ ପାଇଁ ପ୍ରକୃତିଦତ୍ତ ଫଳ, ମୂଳ, ଓ ଇନ୍ଧନଲାଭରେ ପରମତୃପ୍ତି । ଏକ ଦିଗରେ ଜଲ୍, ଜୁଆଚୋରୀ, ଲାଞ୍ଚ, ମିଛ, ଖୋସାମତି, ଓ ପେଞ୍ଚପାଞ୍ଚ ନୀତି-ଅନ୍ୟ ଦିଗରେ ସତ୍ୟନିଷ୍ଠା, ନିର୍ଲୋଭତା, ସ୍ପଷ୍ଟବାଦିତା ଓ ବାସ୍ତବତାର ଆଦର । ଏକ ଦିଗରେ ନିରୀହ ମାନବକୁ କୁଶିକ୍ଷା ଦେଇ ପଥଭ୍ରଷ୍ଟ କରିବାର ଅପଚେଷ୍ଟା ଅନ୍ୟ ଦିଗରେ ପଥଭ୍ରଷ୍ଟକୁ ସତ୍‌ଶିକ୍ଷା ଦାନ କରି ସତ୍‌ପଥକୁ ଆଣିବାର ପ୍ରଚେଷ୍ଟା ।

 

ଭରତମନ୍ଦିର ଆଗକୁ ଗଙ୍ଗାର ତ୍ରିବେଣୀଘାଟ । ହିମାଳୟରୁ ତିନୋଟି ଜଳଧାରା ନିର୍ଗତ ହୋଇ ଏଠାରେ ‘କୁବ୍‌ଜାଭ୍ରକ’ ନାମକ ଏକ ପକ୍କା କୁଣ୍ଡରେ ପଡ଼ିଛି । ଜଳଧାରା ବିଭିନ୍ନ ଦିଗରୁ ପ୍ରବାହିତ ହେଉଥିବାରୁ ଏହାକୁ ଗଙ୍ଗା, ଯମୁନା ଓ ସରସ୍ୱତୀ ବୋଲି ଆଖ୍ୟା ଦିଆଯାଇଛି । ଏହି ମିଳିତଧାରାର ଅନ୍ୟ ନାମ ତ୍ରିବେଣୀ । ଶହ ଶହ ଯାତ୍ରୀ ଏଠାରେ ସ୍ନାନ କରନ୍ତି ।

 

ସ୍ୱର୍ଗାଶ୍ରମରେ ବହୁତ ସାଧୁସନ୍ନ୍ୟାସୀ ବାସ କରନ୍ତି । ସ୍ୱାମୀ ଶିବାନନ୍ଦଙ୍କ ଆଶ୍ରମର ଠିକ୍ ଅପରପାର୍ଶ୍ୱରେ ଏହା ଅବସ୍ଥିତ । ଶିବାନନ୍ଦାଶ୍ରମ ପାଖରୁ ଡଙ୍ଗାରେ ଗଙ୍ଗା ପାରହୋଇ ଏଠାକୁ ଯିବାକୁ ହୁଏ । ଗଙ୍ଗାକୂଳରେ ଲିଆ ବିକ୍ରୀ ହୁଏ । ଏଥିରୁ ମୁଠାଏ ପାଣିକୁ ପକାଇଦେଲେ ଶହ ଶହ ବିରାଟ ରୋହୀ ଓ ଭାକୁଡ଼ା ମେଳା ମେଳା ହୋଇ ପାଖକୁ ଆସି ଲିଆ ଖାଆନ୍ତି ।

 

ଋଷିକେଶ ମୋଟରଷ୍ଟାଣ୍ଡର ଅନତିଦୂରରେ ଭରତମନ୍ଦିର । ଏଥିରେ ଭରତଙ୍କର ୫’ ଉଚ୍ଚ କଳାପଥରର ମୂର୍ତ୍ତି । ସ୍ୱର୍ଣ୍ଣାଭରଣରେ ମୂର୍ତ୍ତିରଶୋଭା ଦ୍ୱିଗୁଣିତ ହୋଇଉଠୁଛି । ମନ୍ଦିରର ନିମ୍ନଭାଗ ବକ୍ରାକୃତି । ଉପରିଭାଗରେ ପୌରାଣିକ ଚିତ୍ର ଅଙ୍କିତ । ଏହା ପାଖରେ ପଞ୍ଜାବ-ସିନ୍ଧୁକ୍ଷେତ୍ର, ବାବା କାଲୀକମଲୀ ଧର୍ମଶାଳା ଓ ତ୍ରିବେଣୀଘାଟ ଧର୍ମଶାଳା । ତ୍ରିବେଣୀଘାଟର ଶୋଭା ମର୍ମସ୍ପର୍ଶୀ । ଖଇ ବୁଣିଦେଲେ ଅଂସଖ୍ୟ ବଡ଼ ମାଛ ମେଳା ମେଳା ହୋଇ ଉଠନ୍ତି ।

 

ମନକାମନାସିଦ୍ଧ ହନୁମାନ୍ ମନ୍ଦିର:–ଓଡ଼ିଆ ମହନ୍ତ ବାବା ରାମଦାସ ଏହି ମନ୍ଦିରର ପ୍ରତିଷ୍ଠାତା । ସେ ଏଠାରେ ଜଣେ ଖ୍ୟାତାନାମା ଲୋକ । ତାଙ୍କ ମନ୍ଦିରକୁ ଗଲି । ଓଡ଼ିଆ ବୋଲି ସେ ମୋତେ ବେଶ୍ ଆଦର କଲେ ଓ ସେଦିନ ତାଙ୍କ ମଠରେ ରହିବା ପାଇଁ କହିଲେ, ମାତ୍ର ଏ ସ୍ଥାନଟି ମୋଟରଷ୍ଟାଣ୍ଡରୁ ୨ ଫରଲଙ୍ଗ ଦୂର ହୋଇଥିବାରୁ ମୋଟରଷ୍ଟାଣ୍ଡ ପାଖରେ ଥିବା ମନଭରୀବାଈ ଧର୍ମଶାଳାରେ ରହିଲି । ମୋ ଜିନିଷପତ୍ର ଉକ୍ତ ଧର୍ମଶାଳାରେ ଥିଲା । ବାବା ରାମଦାସଙ୍କ ମଠ ଠିକ୍ ଗଙ୍ଗାକୂଳରେ । ଆମ୍ବ ଓ ପିଜୁଳି ପ୍ରଭୃତି ବୃକ୍ଷମାଳାରେ ମଠ ପୂର୍ଣ୍ଣ । ହନୁମାନଜୀ ମନ୍ଦିରରେ ହନୁମାନଙ୍କର ୮ ଫୁଟ ଉଚ୍ଚ ବିଶାଳ ମୂର୍ତ୍ତି । ତାଙ୍କ ସାମନାକୁ ଅନ୍ୟ ମନ୍ଦିରରେ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କର ଧଳା ମଲମଲପଥରର ମୂର୍ତ୍ତି । ରାଧାକୃଷ୍ଣଙ୍କର ପଥରମୂର୍ତ୍ତି ମଧ୍ୟ ଏହି ମନ୍ଦିରରେ ପ୍ରତିଷ୍ଠିତ । ଏହି ରାମଚନ୍ଦ୍ରଙ୍କର ନାମ ବିଜୟରାଘବ । ସାରା ଭାରତରୁ ସମାଗତ ସାଧୁସନ୍ଥମାନଙ୍କୁ ଏହି ମଠରେ ଅନ୍ନପ୍ରାସାଦ ଦିଆଯାଏ ।

 

ଋଷିକେଶ ଏକ କୋଳାହଳମୟ ସହର । ଏଠାରୁ ସମସ୍ତ ଯାତ୍ରୀ ବସଯୋଗେ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରୀନାଥ ଯାଆନ୍ତି । ଗଲାବେଳେ ଓ ଫେରିଲାବେଳେ ଏଠାରେ ଦିନେ ଦୁଇଦିନ ବିଶ୍ରାମ କରନ୍ତି । ବଦ୍ରିନାଥ ଯିବାଲାଗି ସମସ୍ତ ଆବଶ୍ୟକ ସରଞ୍ଜାମ, ଲୁହାଗୋବଦିଆ ଲାଠି, କନାଯୋତା, ମୋଜା, କମ୍ବଳ, ପାଣିବୋତଲ, ଖଜୁରୀ, କିସମିସ, ମିଶ୍ରୀ ଓ ବର୍ଷାତୀ ଆଦି ବହୁତ ପରିମାଣରେ ଏଠାରେ ମିଳେ । ହୋଟେଲ, ଧର୍ମଶାଳା ଓ ମନ୍ଦିରରେ ସ୍ଥାନଟି ପୂର୍ଣ୍ଣ ।

 

ସ୍ୱାମୀ ଶିବାନନ୍ଦାଶ୍ରମ ଗଙ୍ଗାକୂଳରେ ଅବସ୍ଥିତ । ଏହି ଆଶ୍ରମରେ ଗୋଟିଏ ସୁନ୍ଦର ଛାପାଖାନା ଅଛି । ଏଠାରୁ ସ୍ୱାମୀ ଶିବାନନ୍ଦଙ୍କର ପୁସ୍ତକାବଳି ବିଭିନ୍ନ ଭାଷାରେ ମୁଦ୍ରିତ ହୋଇ ଭାରତ ଓ ଭାରତ ବାହାରେ ବିକ୍ରୀତ ହୁଏ । ପୁସ୍ତକଗୁଡ଼ିକ ବେଶ୍ ଉପାଦେୟ । ଶିବାନନ୍ଦଜୀ ତପସ୍ୟା ଉଦ୍ଦେଶ୍ୟରେ ପ୍ରତ୍ୟହ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହିମାଳୟରେ ଅବସ୍ଥାନ କରନ୍ତି । ତେଣୁ ତାଙ୍କ ସହିତ ସାକ୍ଷାତ କରିବାର ସୌଭାଗ୍ୟ କରନ୍ତି । ତେଣୁ ତାଙ୍କ ସହିତ ସାକ୍ଷାତ କରିବାର ସୌଭାଗ୍ୟ ମୋର ଘଟିଲା ନାହିଁ ।

☆☆☆

 

ଲକ୍ଷ୍ମଣଝୁଲା

 

ଲକ୍ଷ୍ମଣଝୁଲା ଋଷିକେଶଠାରୁ ୩ ମାଇଲ ଦୂରରେ । ମୋଟର ଋଷିକେଶଠାରେ ରହିଲା-। ପଦଯାତ୍ରାରେ ଏଠାକୁ ଯିବାକୁ ହେଲା । ଏଠାରେ ଲକ୍ଷ୍ମଣଙ୍କ ଏକ କ୍ଷୁଦ୍ର ମନ୍ଦିର । ଇନ୍ଦ୍ରଜିତକୁ ହତ୍ୟାକରିବା ଫଳରେ ଲକ୍ଷ୍ମଣଙ୍କର ବ୍ରହ୍ମହତ୍ୟା ଦୋଷଲାଗିଲା । ସେଥିରୁ ସେ ମୁକ୍ତ ହେବାଲାଗି ଏଠାରେ ତପସ୍ୟା କରିଥିଲେ । ଏହା ପୂର୍ବେ ଦଉଡ଼ିରେ ତିଆରି ହୋଇଥିଲା । ଯାତ୍ରୀମାନେ କେବଳ ଏହି ବାଟ ଦେଇ ଗଙ୍ଗା ପାର ହୋଇ ବଦ୍ରିନାଥ ଯାଉଥିଲେ । ଖ୍ରୀ: ୧୯୨୪ରୁ ଏଠାରେ ସୁନ୍ଦର ପୋଲଟିଏ ତିଆରି ହୋଇଛି । ପୋଲଟି ଠିକ୍ ହାବଡ଼ାପୋଲ ନକ୍‌ସାରେ ତିଆରି । ନଈମଝିରେ କୌଣସି ସ୍ତମ୍ଭ ବା ପୋଲ ନ କରି କେବଳ ଦୁଇ ପାଖରେ ଏହି ଶୂନ୍ୟପୋଲର ଭାର ରଖାଯାଇଛି । ଏହା ୪୫୦ ଫୁଟ ଲମ୍ବ ଓ ନଦୀଶଯ୍ୟାରୁ ଏହାର ଉଚ୍ଚତା ୭୦ ଫୁଟ । ଲକ୍ଷ୍ମଣମନ୍ଦିର ଲକ୍ଷ୍ମଣଝୁଲାକୁ ଯିବା ପୂର୍ବରୁ ପଡ଼େ । ଏଥିରେ ଲକ୍ଷ୍ମଣଙ୍କର କମନୀୟ ମୂର୍ତ୍ତି । ଏହି ମନ୍ଦିର ଜଗମୋହନ ବିରଳାଙ୍କ ମାତା ଯୋଗେଶ୍ୱରୀ ଦେବୀ ତିଆରି କରାଇଛନ୍ତି ।

 

ରାମ-ଲକ୍ଷ୍ମଣ-ଜାନକୀ-ମନ୍ଦିରରେ ୩’ ଉଚ୍ଚତା ବିଶିଷ୍ଟ ରାମ, ଲକ୍ଷ୍ମଣ ଓ ଜାନକୀଙ୍କର ମଲମଲପଥର-ମୂର୍ତ୍ତି ପ୍ରତିଷ୍ଠିତ । ପାଖ ମନ୍ଦିରରେ ନୃସିଂହ, ଗରୁଡ଼ ଓ ରାଧାକୃଷ୍ଣଙ୍କର କମନୀୟ ମୂର୍ତ୍ତି । ମଲମଲକାନ୍ଥରେ ବହୁ ପୌରାଣିକ ଚିତ୍ର ଟଙ୍ଗା ହୋଇଛି । ଲକ୍ଷ୍ମୀ-ନାରାୟଣମନ୍ଦିର ଦେଇ ଗୀତା ଭବନ ଆଡ଼େ ଗଲି । ଏଠାରେ କାଲୀ-କମଲୀ ବାବାଙ୍କର ସମାଧି । ଋଷିକେଶର ଅପରପାର୍ଶ୍ୱରେ ଗଙ୍ଗାନଦୀ କୂଳରେ ଗୀତାଭବନ ଅବସ୍ଥିତ । ଏହି ବିରାଟ ଭବନରେ ହଜାର ହଜାର ଲୋକ ସମବେତ ହୁଅନ୍ତି । ଏଠାରେ ଲକ୍ଷ୍ମୀନାରାୟଣଙ୍କର ୪’ ଉଚ୍ଚ କମନୀୟ ମୂର୍ତ୍ତି ପୂଜିତ-। ଉଭୟପାଖରେ ରାମସୀତା ଓ ରାଧାକୃଷ୍ଣଙ୍କର ୩’ ଉଚ୍ଚ ମଲମଲ ପଥରରମୂର୍ତ୍ତି । କାନ୍ଥରେ ନୀତି ଶିକ୍ଷାମାନ ଖୋଦିତ । ଜଗମୋହନଟି ପୌରାଣିକ ଚିତ୍ରମୟ । ହରଦ୍ୱାର, ଋିଷିକେଶ ଓ ଲକ୍ଷ୍ମଣଝୁଲା ଭ୍ରମଣପରେ ମୁଁ ବସ୍ ଯୋଗେ ରୁର୍‌କୀ ଦେଇ ଦିଲ୍ଲୀ ଆସିଲି । ଦିଲ୍ଲୀରେ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ବାସଭବନରେ ୨ ।୩ ଦିନ ବିଶ୍ରାମ ନେଇ ପୁଣି ଜୟପୁର ଯାତ୍ରା କଲି ।

☆☆☆

 

ଜୟପୁର

 

ଦିଲ୍ଲୀରୁ ସନ୍ଧ୍ୟା ୬ଟାରେ ଜୟପୁର ଯାତ୍ରା । ପୁରୁଣା ଦିଲ୍ଲୀ ଷ୍ଟେସନରୁ ଏଠାକୁ ପାତିରେଳରେ ଯିବାକୁ ହୁଏ । ଏହାର ଦୂରତା ଦିଲ୍ଲୀଠାରୁ ୧୯୨ ମାଇଲ । ପରଦିନ ସକାଳେ ଜୟପୁରରେ ପହଞ୍ଚିଲି । ଜୟପୁର ରେଳଷ୍ଟେସନଟି ଖୁବ୍ ବଡ଼ଧରଣର । ସହରରେ ରହିବା ପାଇଁ ବହୁତ ହୋଟେଲ ଓ ଧର୍ମଶାଳା ଅଛି । ରାଜସ୍ଥାନର ରାଜଧାନୀ ହେତୁ ଏହାର ପ୍ରାଧାନ୍ୟ ଖୁବ୍ ବେଶୀ । ଅତୀତ ରାଜପୁତ ବୀରଙ୍କ ଗୌରବଗାଥା ଓ ପର୍ବତ ଶିଖ୍‍ରସ୍ଥିତ ପ୍ରାସାଦମାଳା ପାଇଁ ଜୟପୁର ଗୌରବାନ୍ୱିତ । ରାଜସ୍ଥାନର କଳାସ୍ଥାପତ୍ୟର ପରାକାଷ୍ଠା ଫୁଟିଉଠିଛି ଜୟପୁରର “ହାଇବାଇମହଲ” ରେ । ନଗରର ଦୋକାନଗୁଡ଼ିକ ସାଜସଜାପୂର୍ଣ୍ଣ । କାଠଖୋଳାଇ କାମ, କଂସାବାସନ, ପିତଳକାମ, ହାତୀଦାନ୍ତର ସୂକ୍ଷ୍ମକାରୁକାର୍ଯ୍ୟ ତଥା ମୃତ୍ତିକାର ସୂକ୍ଷ୍ମକଳା ପାଇଁ ଜୟପୁର ବିଖ୍ୟାତ । ଏଠାରେ ପ୍ରାୟ ସମସ୍ତ ରାଜପୁତ ଶିରସ୍ତ୍ରାଣ (ପଗଡ଼ି) ପିନ୍ଧିଥାନ୍ତି । ସ୍ତ୍ରୀମାନେ ଘାଘରା, ଚୋଲି ଓ ଓଢ଼ଣି ବ୍ୟବହାର କରନ୍ତି ଏବଂ ବଳା, ନଥ, କାଚ, ମଥାମଣି ଓ ଚୂଡ଼ି ପିନ୍ଧିଥାନ୍ତି । ଅଧିକାଂଶ ରାଜପୁତ ଦୀର୍ଘଖଡ଼୍‌ଗ ଧରି ଯା ଆସ କରନ୍ତି । ଏଠାରକ ଦୁର୍ଗ ପାହାଡ଼ ଉପରେ । ରାଜସ୍ଥାନରେ କୋଇଲାର ଅଭାବ ହେତୁ ଇଟାତିଆରି ଦୁର୍ଗ ବା ପ୍ରାଚୀର ପରିଲକ୍ଷିତ ହୁଏ ନାହିଁ । ମଲମଲ ପଥର, ମୁଗୁନିପଥର ଓ ଲାଲ ପଥରରେ ସାଧାରଣ ଅନୁଷ୍ଠାନମାନ ମଧ୍ୟ ତିଆରି ।

 

ଏହି ନଗରଟି ଏକ ପର୍ବତର ପାଦଦେଶରେ ଅବସ୍ଥିତ । ଅମ୍ବରର ମହାରାଜା ସବାଇସିଂହ ତାଙ୍କ ଦୁର୍ଗକୁ ଏଠାକୁ ଉଠାଇ ଏହାର ଶ୍ରୀ ବଢ଼ାଇଥିଲେ । ଦୁର୍ଗର ଉତ୍ତର, ପଶ୍ଚିମ ଓ ପୂର୍ବ ତିନି ପାଖରେ ପାହାଡ଼ମାଳା ଏହାକୁ ଘେରି ରହିଛି ।

 

ହାୱାଇମହଲ (ରାଜବାଟୀ) ନଗରର ମଧ୍ୟ ଭାଗରେ ଅବସ୍ଥିତ । କାରୁକାର୍ଯ୍ୟ ଯୋଗୁଁ ଏହା କେବଳ ରାଜସ୍ଥାନ କାହିଁକି ସାରା ଭାରତବିଖ୍ୟାତ । ଏହି ରାଜବାଟୀ ଏକ ନବତଳପ୍ରସାଦ । ପ୍ରତ୍ୟେକ ସ୍ଥାନରେ ପଥରର ସୂକ୍ଷ୍ମ କାରୁକାର୍ଯ୍ୟ ଅତୀବ ପ୍ରଶଂସନୀୟ । ପ୍ରାଚୀନ ଶିଳ୍ପଶାସ୍ତ୍ର ନିୟମକୁ ନିଖୁଣଭାବେ ପାଳନ କରି ଏହା ନିର୍ମିତ ହୋଇଛି । ଭାରତର ସମସ୍ତ ଦୁର୍ଗ ଓ ରାଜପ୍ରସାଦ ମଧ୍ୟରେ ଏହା ଉଚ୍ଚତମ । ମାଣିକଚୌକ ବଜାର ଜୟପୁରନଗରର ଜନାଜୀର୍ଣ୍ଣ ସ୍ଥାନ । ମଧ୍ୟଭାଗରେ ଏକ ସୁନ୍ଦର ପୁଷ୍କରିଣୀ । ଲୋକମାନଙ୍କର କୋଳାହଳରେ ସ୍ଥାନଟି ପୂର୍ଣ୍ଣ । ଏଠାରେ ସାନ୍ଧ୍ୟଦୃଶ୍ୟ ଅତୀବ ମନୋହର । ସୁନା, ରୂପା, ଲୁଗାପଟା ଓ ମନୋହରୀ ଦୋକାନରେ ସ୍ଥାନଟି ପୂର୍ଣ୍ଣ ।

 

ତ୍ରିପୋଲିଆବଜାର ଜୟପୁରର ବଡ଼ ଛକ । ଏଠାରେ ମଧ୍ୟ ବଡ଼ ବଡ଼ ଦୋକାନ ଅଛି । ଏଠାରେ ସ୍ୱର୍ଗଶୂଳୀ ନାମକ ଏକ ଉଚ୍ଚ ସ୍ତମ୍ଭ । ସ୍ତମ୍ଭର ସାମନକୁ ଅନ୍ୟ ଏକ ରାଜାପ୍ରାସାଦ ।

 

ଯାଦୁଘର ସହରରୁ ଏକ ମାଇଲ ଦୂର । ରାମନିବାସ ଉଦ୍ୟାନରେ ଏହା ଅବସ୍ଥିତ । ଏଠାରେ ପ୍ରାଚୀନ ରାଜସ୍ଥାନର ମୁକୁଟ, ବର୍ଚ୍ଛା, ଧନୁ, ତୀର, ତୋପ, କମାଣ, ବାରୁଦ, ଛୁରା ଓ ଖଡ଼୍‌ଗ ପ୍ରଭୃତି ସୁରକ୍ଷିତ । ଅନ୍ୟ ବିଭାଗରେ ପିତଳ ଓ କଂସାବାସନ ଏବଂ ସୁନାରୂପାର ତାରସିକାମ ଦେଖାଯାଏ । ଯାଦୁଘରଟି ମଲମଲ ପଥରରେ ତିଆରି । ସାମନାରେ ଦେବନାଗରୀ ଅକ୍ଷରରେ “ଯତୋଧର୍ମସ୍ତତୋଜୟଃ” ଖୋଦିତ । ତାର ନିକଟକୁ ବୀଣାପାଣି ଦେବୀଙ୍କ କମନୀୟ ମୂର୍ତ୍ତି । ମୂର୍ତ୍ତିତଳେ ଦେବନାଗରୀ ଲିପିରେ ଖୋଦିତ—

 

“ଯା ଦେବୀ ସର୍ବଭୂତେଷୁ କଳାରୂପେଣ ସଂସ୍ଥିତା,

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ” ।

 

ଭିତରପଟ କାନ୍ଥମାନ ମଲମଲ ପଥରର ଲତା ଓ ଫୁଲର ଚିତ୍ରରେ ପୂର୍ଣ୍ଣ । ପୃଥ୍ୱୀରାଜ ଓ ରାମସିଂହ ପ୍ରଭୃତି ବୀରମାନଙ୍କର ପ୍ରତିମୂର୍ତ୍ତି ଏଠାରେ ସ୍ଥାପିତ । ରାବଣ କୈଳାସପର୍ବତକୁ ନେଇ ଯାଉଥିବା ଚିତ୍ର, ମହିଷାସୁରମର୍ଦ୍ଦିନୀ ଓ ବିଭିନ୍ନ ନୀତିବାକ୍ୟ ମଲମଲ ପଥରରେ ଅଙ୍କତିତ ହୋଇ କାନ୍ଥସାରା ଚିତ୍ରିତ ହୋଇଅଛି । ନେପାଳରୁ ଆନୀତ ଶିଷ୍ୟପରିବେଷ୍ଟିତ ୫ ଫୁଟ ଉଚ୍ଚରେ ବୁଦ୍ଧମୂର୍ତ୍ତି, ରାଜସ୍ଥାନର ସୁନାଦର୍ପଣ, ହଜାର ହଜାର ପ୍ରକାର ପ୍ରାଚୀନ ମୁଦ୍ରା, ମାର୍ବଲପଥରର ବିବିଧ ମୂର୍ତ୍ତି, ରୂପାର ପାତ୍ରାବଳି, ହାତୀଦାନ୍ତ ଓ ଶିଙ୍ଘର କାରୁକାର୍ଯ୍ୟ, ଚାଇନା ଓ ଜାପାନର ବିଭିନ୍ନ ପାତ୍ର, ହାତୀ ଦାନ୍ତର କ୍ଷୁଦ୍ର ଶଗଡ଼, ପାରସ୍ୟ ଓ ତୁର୍କୀର ପିତଳବାସନ, ବୀର ମାନଙ୍କର ଢାଲ ଏବଂ ସାଞ୍ଜୁ ଇତ୍ୟାଦିରେ ଯାଦୁଘର ପୂର୍ଣ୍ଣ ।

 

ଚନ୍ଦ୍ରମହଲ ଏକ ସପ୍ତତଳ ସୌଧ । ଉପରେ ଏକ ବିରାଟ ଉଚ୍ଚ ଗମ୍ବୁଜ । ରାଜା ଚନ୍ଦ୍ର ସିଂହ ଏହାର ନିର୍ମାତା । ପୀତମ୍ ନିବାସ, ସୁଖନିବାସ ଓ ରଙ୍ଗମନ୍ଦିର ପ୍ରଭୃତି ଏହା ଭିତରେ ଅଛି । ଜୟପୁରର ମହାରାଜା ଏଠାରେ ବର୍ତ୍ତମାନ ବାସ କରୁଛନ୍ତି । ଜୟପୁରର ଜନ୍ତରମନ୍ତର ବା ମାନମନ୍ଦିର ପୃଥିବୀପ୍ରସିଦ୍ଧ । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଏଠାରେ ବିଭିନ୍ନ ମାନଦଣ୍ଡରେ ଲିପିବଦ୍ଧ । ଭାରତର ପାଞ୍ଚଟି ମାନମନ୍ଦିର ମଧ୍ୟରେ ଏହା ସର୍ବୋତ୍ତମ ଓ ବୃହତ୍ତମ । ମହାରାଜା ଦ୍ୱିତୀୟ ଜୟସିଂହ ଏହାର ନିର୍ମାତା । ସେ ନିଜେ ଗବେଷକ ଓ ପ୍ରସିଦ୍ଧ ଜ୍ୟୋତିର୍ବିଦ୍ ଥିଲେ । ତାଙ୍କରି କଳ୍ପନା, ପର୍ଯ୍ୟବେକ୍ଷଣ ଓ ତତ୍ତ୍ୱାବଧାନଫଳରେ ଏଜି ଏହି ବିଖ୍ୟାତ ମାନମନ୍ଦିର ତିଆରି ହୋଇପାରିଛି ।

 

ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କର Discovery of India ରେ ଲିପିବଦ୍ଧ କରିଛନ୍ତି :–

 

“Learning from Portugeese missionaries of the progress of astronomy in Portugsl, he senr his own men, with one of the missionaries to the count of Portugeese king Emmanuel. Emmanuel sent his envoy, Xavier de silva, with De la Hires table of jai singh. On comparing these with his own table, jai singh came to conclusion that the Portugessse tables were less exact and had several errors.” ଅର୍ଥାତ୍, “ପର୍ତ୍ତୁଗୀଜ ଧର୍ମ ପ୍ରଚାରକମାନଙ୍କରଠାରୁ ସେଠାକାର ଜ୍ୟୋତିଷବିଜ୍ଞାନର ଉନ୍ନତି ଜାଣି ପାରି ରାଜା ଜୟସିଂହ ସେମାନଙ୍କ ମଧ୍ୟରୁ ଜନୈକପ୍ରଚାରକଙ୍କ ସହ ତାଙ୍କର କେତେକ ଲୋକଙ୍କୁ ପର୍ତ୍ତୁଗାଲର ତତ୍‌କାଳୀନ ରାଜା ଏମାନୁଏଲଙ୍କ ଦରବାରକୁ ପଠାଇଲେ । ରାଜା ଏମାନୁଏଲ ଡେଲାହାଏରଙ୍କ କର୍ମପଦ୍ଧତି ଦେଇ ତାଙ୍କର କୂଟନୀତିଜ୍ଞ ଜାଭୈର ଡ଼ି ସିଲ୍‌ଭାଙ୍କୁ ଜୟସିଂହଙ୍କ ଦରବାରକୁ ପଠାଇଲେ । ରାଜା ଜୟସିଂହ ତାଙ୍କ ନିଜର କର୍ମପଦ୍ଧତି ସହିତ ପର୍ତ୍ତୁଗୀଜ ଜ୍ୟୋତିଷ ପଦ୍ଧତିକୁ ମିଳାଇ ଶେଷକୁ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ପର୍ତ୍ତୁଗୀଜ ଗଣନା ପଦ୍ଧତିରେ ସାମାନ୍ୟ ଅସାମଞ୍ଜସ୍ୟ ଓ କେତେକ ତ୍ରୁଟି ପରିଲକ୍ଷିତ ।”

 

ଉପରଓଳି ଗୋବିନ୍ଦଜୀ ମନ୍ଦିର ଦର୍ଶନ କରିବା ପାଇଁ ଗଲି । ମନ୍ଦିରଟି ସୁବୃହତ୍ । ୫ଫୁଟ ଉଚ୍ଚ କଳା ମୁଗୁନି ପଥରର କୃଷ୍ଣମୂର୍ତ୍ତି ଓ ୪ଫୁଟ ଉଚ୍ଚ ପିତଳର ରାଧାମୂର୍ତ୍ତି ପୂଜିତ । ସକାଳ ଓ ସନ୍ଧ୍ୟାରେ ମୀରାବାଈଭଜନ ଏବଂ ସରଦାରଭଜନ ପ୍ରଭୃତି ଗୀତ ହୁଏ । ଶହ ଶହ ଧର୍ମପ୍ରାଣ ନରନାରୀ ଏଠାରେ ଭଜନ ଓ କୀର୍ତ୍ତନ କରନ୍ତି । ଏଠାରେ ପ୍ରସାଦ ବଣ୍ଟନ କରାଯାଏ । ସନ୍ଧ୍ୟାଆରତି ସମୟରେ ଏହି ମନ୍ଦିରଟି ଜରାକୀର୍ଣ୍ଣ ହୋଇଯାଏ ।

 

ମହାରାଜାହାଇସ୍କୁଲ ସହରର ସର୍ବବୃହତ୍ ଉଚ୍ଚବିଦ୍ୟାଳୟ । ଏହା ଲାଲ ପଥତରେ ତିଆରି । ବିଧାନସଭା ଦୃଶ୍ୟ ଅତୀବ ରମଣୀୟ । ରାଜସ୍ଥାନର ଏହା ରାଜଧାନୀ ହୋଇଥିବାରୁ ଏଠାରେ ପ୍ରଦେଶର ସମସ୍ତ କାର୍ଯ୍ୟାଳୟ ପ୍ରତିଷ୍ଠିତ । ଜୟପୁର ତଥା ରାଜସ୍ଥାନର ନଗରଗୁଡ଼ିକ ପ୍ରାୟ ପର୍ବତର ପାଦଦେଶରେ ଅବସ୍ଥିତ । ଚାରିଆଡ଼େ ମୟୂରପଲ ଦେଖାଯାନ୍ତି । ପର୍ବତର ପାଦଦେଶରେ ଅବସ୍ଥିତ । ଚାରିଆଡ଼େ ମୟୂରପଲ ଦେଖାଯାନ୍ତି । ପ୍ରତ୍ୟେକ ନଗର ଗ୍ରାମ, ପର୍ବତ, ଓ ପାହାଡ଼ରେ ମୟୂର ଦଳଦଳ ହୋଇ ବୁଲୁଥାନ୍ତି । ଏପରିକି ବସ୍‍ଷ୍ଟାଣ୍ଡ, ଦୋକାନଘର ଛାତ, ଆଖପାଖ ବୃକ୍ଷ ସବୁଠାରେ ପ୍ରାୟ ମୟୂର ଦେଖାଯାନ୍ତି । ଏହା ରାଜସ୍ଥାନର ଅନ୍ୟତମ ମନୋରମ ଦୃଶ୍ୟ । ଏଠିକାର ଚିଡ଼ିଆଖାନା ଏକ ସୁନ୍ଦର ଉଦ୍ୟାନ ମଧ୍ୟରେ ଅବସ୍ଥିତ ।

 

ଇତିହାସରେ ରାଜପୁତ ବୀର ଓ ବୀରାଙ୍ଗନାମାନଙ୍କର ଗୌରବଗାଥା ଓ ଜନ୍ମଭୂମି ନିମିତ୍ତ ଆତ୍ମବଳି ଭାରତ କାହିଁକି ପୃଥିବୀର ଇତିହାସବିତ୍‌ମାନଙ୍କୁ ଚମତ୍କୃତ କରେ । ଜାତି ପାଇଁ, ଦେଶ ପାଇଁ, ଜନ୍ମଭୂମି ପାଇଁ ନିଜର ଅମୂଲ୍ୟଜୀବନକୁ ଅକାତରରେ ବଳି ଦେବା ବିଷୟରେ ଭାରତରେ ରାଜପୁତଜାତି ପ୍ରଥମ । ରାଜପୁତରମଣୀମାନଙ୍କ ସତୀପ୍ରଥା ସ୍ମରଣ କଲା ମାତ୍ରେ ପୁରାଣଯୁଗର ସୀତା, ଦମୟନ୍ତୀ, ଓ ସାବିତ୍ରୀଙ୍କ କଥା ମନେ ପଡ଼ିଯାଏ । ରାଜସ୍ଥାନର ଧୂଳିକଣା, ପାହାଡ଼, ପର୍ବତ, ବନ, ଉପବନ, ବୃକ୍ଷ ଓ ଲତା ସମସ୍ତେ ଦର୍ଶକକୁ ତାର ଅଧିବାସୀମାନଙ୍କ ଶୌର୍ଯ୍ୟବୀର୍ଯ୍ୟର ଇତିହାସ, ନାରୀମାନଙ୍କର ସଚ୍ଚରିତ୍ରତା ଓ ପାତିବ୍ରତ୍ୟର ପରିଚୟ ଦେଲାପରି ଜଣାଯାଏ । ଏହି ଭୂମିକି ସ୍ପର୍ଶ କଲା ମାତ୍ରକେ ଭୀରୁ ତଥା ଦୁର୍ବଳର ଅନ୍ତରରେ ସାହସ ଓ ବଳ ଉଦ୍ଦୀପିତ ହୁଏ ଏବଂ ମସ୍ତକ ସ୍ୱତଃ ଅବନତ ହୁଏ ।

☆☆☆

 

ଅମ୍ବରଦୁର୍ଗ

 

ଜୟପୁରରୁ ପ୍ରାୟ ୧୨ ଟା ସମୟରେ ବସ୍ ଯୋଗେ ଅମ୍ବର ଗଲି । ଜୟପୁରରୁ ଏହାର ଦୂରତା ମାତ୍ର ୬ ମାଇଲ । ପ୍ରସିଦ୍ଧ ଶିବ ଅମ୍ବିକେଶ୍ୱରଙ୍କ ନାମାନୁସାରେ ଏହି ଦୁର୍ଗର ନାମକରଣ ହୋଇଛି । ଖ୍ରୀ: ୯୪୫ରେ ଏହା ନିର୍ମିତ ବୋଲି ସୂର୍ଯ୍ୟମନ୍ଦିରର ଏକ ସ୍ତମ୍ଭରୁ ଜଣାଯାଏ । ଏହି ସ୍ତମ୍ଭର ଶିଳାଲେଖରୁ ପ୍ରମାଣ ମିଳେ, ଅଯୋଧ୍ୟାର ପୁଣ୍ୟାତ୍ମା ରାଜା ଅମ୍ବରୀଷଙ୍କ ନାମାନୁସାରେ ଏହାର ନାମ ଅମ୍ବରଦୁର୍ଗ । ପର୍ବତମାଳା ଉପରେ ଏହି ଦୁର୍ଗ ଅବସ୍ଥିତ । ପାହାଡ଼ିଆ ସର୍ପିଳରାସ୍ତା ଦେଇ ମୋଟରରେ ଏଠାକୁ ଯିବାକୁ ହେଲା । ରାସ୍ତାଟି ବଡ଼ ବିପଜ୍ଜନକ । ଦୁର୍ଗକୁ ଯିବାକୁ ହେଲେ ପ୍ରାୟ ୧ ମାଇଲ ଉପରକୁ ଉଠିବାକୁ ପଡ଼େ । ଏହା ବଡ଼ କଷ୍ଟସାଧ୍ୟ । ବିଶାଳତା ଓ ସୌନ୍ଦର୍ଯ୍ୟ ଉଭୟର ସମ୍ମିଶ୍ରଣରେ ଦୁର୍ଗଟି ଦର୍ଶକର କ୍ଲାନ୍ତ ଅପନୋଦନ କରେ । ରାଜା ମାନସିଂହ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଏହାର ନିର୍ମାଣ ଆରମ୍ଭ କରିଥିଲେ ବୋଲି ଇତିହାସ କହେ । ତାଙ୍କ ପରେ ସବାଇ ଜୟସିଂହ ଅଷ୍ଟାଦଳ ଶତାବ୍ଦୀର ପ୍ରାରମ୍ଭରେ ଏହାକୁ ଶେଷ କଲେ । ଏହାର ମୁଖ୍ୟ ଦରଜା ଖୁବ୍ ବଡ଼ ଓ କାରୁକାର୍ଯ୍ୟପୂର୍ଣ୍ଣ । ଜୟସିଂହ ଏହାର ନିର୍ମାତା ବୋଲି ଏଥିରେ ଉଲ୍ଲେଖ ଅଛି । ସାଧାରଣ ପ୍ରକୋଷ୍ଠର ୪୦ଟି ଯାକ ସ୍ତମ୍ଭ କାରୁକାର୍ଯ୍ୟପୂର୍ଣ୍ଣ । ଏଗୁଡ଼ିକ ମଲମଲ ପଥରର । ଜୟମନ୍ଦିରର ନିର୍ମାଣକଳା ଓ କାରୁକାର୍ଯ୍ୟକୁ ହଜାର ହଜାର ଦର୍ଶକ ଦେଖିବାକୁ ଆସନ୍ତି । ଏହି ମନ୍ଦିରର ଖିଲିଣି ଓ ସ୍ତମ୍ଭମାନ ମଧ୍ୟ କାରୁକାର୍ଯ୍ୟପୂର୍ଣ୍ଣ । ରାଜସ୍ଥାନର କଳା ଓ ସୂକ୍ଷ୍ମକାରୁକାର୍ଯ୍ୟ ଏହାର ସ୍ତରେ ସ୍ତରେ ନିଖୁଣ ଭାବେ ପରିପ୍ରକାଶ ପାଇଛି ।

 

ଦୁର୍ଗର ମଧ୍ୟଭାଗରେ ଜଗତ୍ ଶିରୋମଣିମନ୍ଦିର । ମନ୍ଦିରଟି ଏକ କ୍ଷୁଦ୍ର ଉପବନ ଭିତରେ-। ତୃଣମୟ ଭୂମିଉପରେ ଅନେକ ଗୁଡ଼େଏ ଜଳଧାରା । ଯାତ୍ରୀ ଅଧାବାୟରେ ଏଠାରେ ଜଳପାନ କରି କିଛି ସମୟ ବିଶ୍ରାମ ନେଇ ପୁଣି ଆଗେଇ ଚାଲେ । ପ୍ରଖର ରୌଦ୍ରତାପଜନିତ କ୍ଲାନ୍ତି ଅପନୋଦନ ପାଇଁ ଏହା ପ୍ରକୃଷ୍ଟ କ୍ଷେତ୍ର । ଏଠାରେ କିଛି ସମୟ ମୁଁ ବିଶ୍ରାମ କଲି । ଏହି ହତା ଭିତରେ ବାନରମାନଙ୍କର ପ୍ରତାପ ଅତି ବେଶୀ । ଚାରିଆଡ଼େ ଘଞ୍ଚ ବୃକ୍ଷ ମୂଳରେ ପରିଦର୍ଶକଦଳ ଗ୍ରାମୋଫୋନ ବଜାଇବା ସଙ୍ଗେ ସଙ୍ଗେ ବଣଭୋଜି କରୁଥାନ୍ତି । ସ୍ଥାନଟି ବେଶ କୋଳାହଳପୂର୍ଣ୍ଣ ଓ ଦର୍ଶନୀୟ । ମନ୍ଦିରର ପ୍ରବେଶପଥ ଧଳା ମଲମଲ ପଥରରେ ତିଆରି । ମୀରାବାଈ ଏଠରେ ଉପାସନା କରିଥିଲେ ବୋଲି ଏହି ମନ୍ଦିରର ସୁଖ୍ୟାତି ଅଛି । ମଲମଲ ପଥରନିର୍ମିତ ରାଧାକୃଷ୍ଣଙ୍କ କମନୀୟ ମୂର୍ତ୍ତିରେ ମନ୍ଦିରଟି ନୟନଲୋଭନୀୟ ହୋଇଛି । ମନ୍ଦିର ଆଗରେ ଛୋଟ ପୋଖରୀଟିଏ-। ଜଳ ଦର୍ପଣ ପରି ସ୍ୱଚ୍ଛ ।

 

ଅମ୍ବରଦୁର୍ଗର ପ୍ରଧାନ ପୋଲର ନାମ ଗଣେଶପୋଲ । ଏହି ପୋଲର ମଣ୍ଡପ ଓ ଉପରିସ୍ଥ ଖିଲିଣିର ସୂକ୍ଷ୍ମକାରୁକାର୍ଯ୍ୟ ଅତୀବ ରମଣୀୟ । ଏହାର ଦରଜା ଓ ଝରକା ପ୍ରଭୃତିର ଖିଲିଣି ମଧ୍ୟ ରମଣୀୟ କାରୁକାର୍ଯ୍ୟପୂର୍ଣ୍ଣ । ରାଜସ୍ଥାନର ପ୍ରାଚୀନ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଏହା ଚୂଡ଼ାନ୍ତ ନିଦର୍ଶନ । ଦୁର୍ଗ ମଧ୍ୟଭାଗରେ କାଚ ମନ୍ଦିର । ମୋଜାଇକ ପଥରର ମେଜିଆ, କିନ୍ତୁ ଛାତ, କାନ୍ଥ, ଖିଲିଣି ଓ ସ୍ତମ୍ଭ ପ୍ରଭୃତି ସବୁ କାଚରେ ତିଆରି । ବୁଲିଲା ବେଳେ ମୁଁ ଚାରିଆଡ଼େ ମୋର ପ୍ରତିବିମ୍ବ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲି । ବିଭିନ୍ନ ରଙ୍ଗର କାଚରେ ପ୍ରକୋଷ୍ଠଟି ବିମଣ୍ଡିତ । ଦୁର୍ଗଟି ବିଶାଳ । ଚାରିଆଡ଼େ ସୁସଜ୍ଜିତ ପ୍ରକୋଷ୍ଠ । ପ୍ରାଚୀନ ରାଜପୁତାନାର କଳାରେ ପ୍ରକୋଷ୍ଠମାନ ଭରପୂର । ରାଜାମାନଙ୍କର ବୈଠକଖାନା, ଦରବାର ଓ ଅନ୍ତଃପୁର ପ୍ରଭୃତି ଏବେ ସୁଦ୍ଧା ଦର୍ଶକକୁ ସେକାଳର ରାଜସ୍ଥାନ ରାଜାମହାରାଜାଙ୍କର ଚାଲିଚଲଣର ଇଙ୍ଗିତ ଦିଏ । ଅନେକ ଅଂଶ ଏବେ ଭଗ୍ନ ଅବସ୍ଥାରେ । ଏହା ଉପରେ ଠିଆ ହେଲେ ଆଖପାଖ ଶହ ଶହ ଗ୍ରାମର ଶୋଭା ଦେଖି ହୁଏ । ବହୁ କଷ୍ଠରେ ଏହାର ଉପରକୁ ଗଲି । ମୁଁ ଏକୁଟିଆ ଥିବାରୁ ପଦଯାତ୍ରା ଟିକିଏ ନୀରସ ବୋଧ ହେଉଥାଏ । ମାର୍ଗ ସର୍ପିଳ ଓ ପାର୍ବତୀୟ ହୋଇଥିବାରୁ ଦୁର୍ଗରୁ ତଳକୁ ଓହ୍ଲାଇବା ମୋ ପକ୍ଷରେ ଟିକିଏ କଷ୍ଟସାଧ୍ୟ ହେଲା । ଦୁର୍ଗ ତଳେ ବହୁତ ଦୋକାନ । ରହିବା ଓ ଖାଇବା ଲାଗି ସମସ୍ତ ଆୟୋଜନ ଏଠାରେ ଅଛି । ଦୁର୍ଗର ଚାରିପଟେ କ୍ଷୁଦ୍ର କ୍ଷୁଦ୍ର ଗ୍ରାମ । ଏଠାରେ ଅଧିବାସୀମାନେ ସ୍ୱାସ୍ଥ୍ୟବାନ୍, ଦୀର୍ଘକାୟ, ବଳିଷ୍ଠ ଓ କଷ୍ଟସହିଷ୍ଣୁ । ଏମାନେ ଧର୍ମପ୍ରାଣ । ରାଜପୁତରମଣୀମାନେ ଶୁଦ୍ଧପୂତ ଜୀବନ ଯାପନ କରନ୍ତି ଓ ସତୀପ୍ରଥା ପସନ୍ଦ କରନ୍ତି ।

☆☆☆

 

ଆଜମିର

 

ଜୟପୁର ଓ ଅମ୍ବର ପରିଭ୍ରମଣ ପରେ ଆଜମିର ଯାତ୍ରା କଲି । ଜୟପୁରରୁ ଏହାର ଦୂରତା ୮୨ ମାଇଲ । ମୋଟରରେ ଏଠାକୁ ଯିବା ସୁବିଧାଜନକ । ମୋଟରରେ ମାତ୍ର ୪ ଘଣ୍ଟା ବାଟ । ସନ୍ଧ୍ୟାବେଳେ ଏଠାରେ ପହଞ୍ଚିଲି । ପୂର୍ବରୁ ସେଣ୍ଟ୍ରାଲ ରିଜର୍ଭ ପୋଲସ୍ ବିଭାଗର ଡେପୁଟି ଇନ୍‌ସପେକ୍ଟର ଜେନେରାଲ ଶ୍ରୀ ବ୍ରଜବିହାରୀ ମିଶ୍ର ଆଇ.ପି.ଙ୍କ ସହିତ ପତ୍ରାଳାପ କରଥିଲି । ସେ ମହାଶୟ ସାହିତ୍ୟରସିକ । ମୋତେ ଆଗରୁ ଏଠାକୁ ଆସିବା ଲାଗି ତାଙ୍କ ଠିକଣା ଦେଇଥାନ୍ତି । ମୋଟରଷ୍ଟାଣ୍ଡରୁ ରିକ୍‌ସାଟିଏ କରି ତାଙ୍କ ବାସଭବନକୁ ଗଲି । ୧୧୬ ସିଭିଲଲାଇନରେ ପହଞ୍ଚିଲି । ମୋତେ ଦେଖି ସେ ଆନନ୍ଦିତ ହେଲେ ଓ ମୋର ରହିବାର ଏବଂ ଭ୍ରମଣର ସୁବନ୍ଦୋବସ୍ତ କରିଦେଲେ । ତାଙ୍କର ସାହାଯ୍ୟରେ ମୁଁ ସୁବିଧାରେ ଆଜମିର ଓ ପୁଷ୍କର ବୁଲି ଆସିଲି ।

 

ଆଜମିର ଏକ ପାର୍ବତ୍ୟ ପ୍ରଦେଶ । ତାରାଗଡ଼ ପର୍ବତ ପାଦଦେଶରେ ଏହା ଅବସ୍ଥିତ । ଭାରତର ଶେଷସ୍ୱାଧୀନ ସମ୍ରାଟ୍ ପୃଥ୍ୱୀରାଜଙ୍କ ଦୁର୍ଗ ଏଠାରେ ବିଦ୍ୟମାନ । ଦୁର୍ଗର କେବଳ ଧ୍ୱଂସାବଶେଷ ଏଠାରେ ଏବେ ଦେଖିବାକୁ ମିଳେ । ବର୍ତ୍ତମାନ କେବଳ ଜୀର୍ଣ୍ଣଶୀର୍ଣ୍ଣ ଏବସ୍ଥାରେ ଧ୍ୱଂସସ୍ତୂପଗୁଡ଼ିକ ମାନବକୁ ପୂର୍ବ ଗୌରବର ପରିଚୟ ଦେଉଛନ୍ତି ମାତ୍ର । ଦିନେ ଯେଉଁ ଦୁର୍ଗରେ ଭରତର ବିଜୟଧ୍ୱଜା ଉଡ଼ୁଥିଲା ଓ ରାଜବାଦ୍ୟରେ ଯେଉଁ ଦୁର୍ଗ ପ୍ରକମ୍ପିତ ହେଉଥିଲା, ଆଜି ସେଠାରେ ଶୃଗାଳମାନଙ୍କର ହୃଦୟବିଦାରୀ ଚିତ୍କାର ଶୁଣାଯାଏ । ଯେଉଁଠାରେ ଦିନେ ଶହ ଶହ ରାଜପୁତବୀର ଅସ୍ତ୍ରଶସ୍ତ୍ର ଝଲକାଇ ଶତ୍ରୁଅନ୍ତରରେ କମ୍ପନ ସୃଷ୍ଟି କରୁଥିଲେ, କାଳର କୁଟିଳଗତିରେ ଆଜି ସେ ସ୍ଥାନ ଶୂନ୍ୟ, ନିସ୍ତବଧ୍‌ ତଥା ରୁକ୍ଷ । ଆଜମିରର ସମସ୍ତ ଦର୍ଶନୀୟ ସ୍ଥାନ ବୁଲିବା ଲାଗି ଶ୍ରୀ ବ୍ରଜବିହାରୀ ବାବୁ ତାଙ୍କର ଜନୈକ ପୋଲିସ ହାବିଲ୍‌ଦାରକୁ ମୋ ସାଙ୍ଗରେ ପଠାଇଲେ । ସେ ମୋତେ ଦର୍ଶନୀୟ ସ୍ଥାନ ବୁଲାଇ ଆଣିଲା । ମୋର ସର୍ବବିଧ ସୁବିଧା ସେ ମହାଶୟ କରି ଦେଇଥିଲେ, ଏଣୁ ମୁଁ ତାଙ୍କ ନିକଟରେ ଚିରଦିନ ପାଇଁ କୃତଜ୍ଞ ।

 

ଅଢ଼ାଇଦିନକୀ ଝୋଁପଡ଼ୀ ମସ୍‌ଜିଦ୍ ଖ୍ରୀ: ୧୨୩୫ରେ ନିର୍ମିତ । ଆକବର ଭାରତର ସମସ୍ତ ଦୁର୍ଗ ଅଧିକାର କଲା ପରେ ଏହି ତାରାଗଡ଼କୁ ନିଜରାଜ୍ୟରେ ମିଶାଇଲେ । ସେତେବେଳେ ଏଠାରେ ମୋଗଲ ଓ ମୁସଲମାନଙ୍କର ପ୍ରାର୍ଦୁଭାବ ବଢ଼ି ଉଠିଥିଲା । ଏହି ମସ୍‌ଜିଦର କାରୁକାର୍ଯ୍ୟ ଅତୀବ ପ୍ରଶଂସନୀୟ । ରାଜକୀୟ କାରୁକାର୍ଯ୍ୟରେ ଏହା ପୂର୍ଣ୍ଣ । କୋରାନର ଶହ ଶହ ପାଠ ଓ ଦୋହା ଉର୍ଦ୍ଦୁଭାଷାରେ ଏଥିରେ ଖୋଦିତ । ପ୍ରତିବର୍ଷ ସମ୍ରାଟ ଶାହାଜାହାନ ଏଠାରେ ଅଢ଼େଇ ଦିନ ବାସ କରୁଥିଲେ ବୋଲି ଏହାର ନାମ ଅଢ଼େଇଦିନକୀ ଝୋଁପଡ଼ୀ ।

 

ପୀରଖ୍ୱାଜାମୁଇଁଉଦ୍ଦୀନଙ୍କ ସମାଧି:—ମୁସଲମାନଧର୍ମର ବିଖ୍ୟାତ ଧର୍ମପ୍ରଚାରକ ଖ୍ୱାଜାମୁଇଁଉଦ୍ଦୀନ ଚିସ୍ତି ଖ୍ରୀ: ୧୨୩୫ରେ ଏଠାରେ ପ୍ରାଣତ୍ୟାଗ କରିଥିଲେ । ଏହା ମୁସଲମାନଙ୍କର ଏକ ପ୍ରସିଦ୍ଧ ତୀର୍ଥ । ଏହି ତୀର୍ଥର ପ୍ରାଧାନ୍ୟ ଏତେ ବେଶୀ ଯେ ଏବେ ପାକିସ୍ଥାନରୁ ଶହ ଶହ ମୁସଲମାନ ଏଠାକୁ ଆସନ୍ତି । ବିରାଟ କରେଇ ଓ ହଣ୍ଡାରେ ଅନ୍ନ ରନ୍ଧାହୋଇ ଏଠାରେ ମୁସଲମାନ ଯାତ୍ରୀମାନଙ୍କୁ ଦିଆଯାଏ । ଖ୍ୱାଜାମୁଇଁଉଦ୍ଦୀନ ଚିସ୍ତି ମହ୍‍ମଦଙ୍କର ପଟ୍ଟଶିଷ୍ୟ ଥିଲେ । ଏହି ସମାଧିର ଦରଜା ଚାନ୍ଦିରେ ତିଆରି । ହାଇଦରାବାଦର ନବାବ ଏହି ଚାନ୍ଦିଦରଜା ନିର୍ମାଣ କରାଇଥିଲେ । ମହମ୍ମଦ ଖ୍ୱାଜାଙ୍କର ସମାଧିର ଉପରିଭାଗରେ ନାନାପ୍ରକାର ଫୁଲ ଓ ଲତାର ଚିତ୍ର ଅତି ରମଣୀୟ । ନିକଟରେ ଏକ ବିରାଟ ମସଜିଦ । ଏଠାରେ ପୀର ଯାତ୍ରୀମାନଙ୍କୁ ନାମ ଓ ଧାମ ଆଦି ପଚାରି ପୁରୀପଣ୍ଡାଙ୍କ ପରି ଅର୍ଥ ଆଦାୟ କରନ୍ତି । ଚାରିଆଡ଼େ ଦଳ ଦଳ ମୁସଲମାନ । ମୋତେ ଏକୁଟିଆ ଯିବାକୁ ଟିକିଏ ଭୟ ଲାଗିଲା । ପୁଲିସ୍ ହାବିଲଦାର ମୋ ସଙ୍ଗରେ ଭିତରକୁ ନ ଯାଇ ଦ୍ୱାରଦେଶରେ ଥିଲା । ପୀର ମୋର ନାମ ଧାମ ପଚାରିବାରୁ ମୁଁ ହିନ୍ଦୁ ବୋଲି ପରିଚୟ ଦେଲି । ତାପରେ ସେ ଆଉ ମୋ ଉପରେ ବିଶେଷ କିଛି ଜୁଲମ କଲେ ନାହିଁ । ଏହି ସୁନ୍ଦର ମସ୍‌ଜିଦ୍‌ଟିକୁ ଆଓରଙ୍ଗଜେବ ନିର୍ମାଣ କରାଇଥିଲେ । ମସ୍‌ଜିଦ୍‌ଟି ଚିତ୍ରବିଚିତ୍ରପୂର୍ଣ୍ଣ । ପାକିସ୍ଥାନରୁ ଆସିଥିବା ମୁସଲମାନ ବହୁ ସଂଖ୍ୟାରେ ଏଠାରେ ରୁଣ୍ଡ ହୁଅନ୍ତି ।

 

ସହରର ଏକ ପାର୍ଶ୍ୱରେ ଅନ୍ନାସାଗର ହ୍ରଦ । ହ୍ରଦଟି ଖୁବ୍ ବଡ଼ ହେଲେ ହେଁ ଗଭୀର ନୁହେଁ । ଏହି ହ୍ରଦ ଦୃଶ୍ୟ ଅତୀବ ରମଣୀୟ । ଏହାର କୂଳରେ କୌଣସି ମନ୍ଦିର ବା ପ୍ରାସାଦ ନ ଥାଇ ୩ ଟି ମଲମଲ ପଥରର କାରୁକାର୍ଯ୍ୟପୂର୍ଣ୍ଣ ଦରବାଜା ( ପ୍ରବେଶପଥ) ଥିବାରୁ ଏହାକୁ ବେମତଲବ ଦରବାଜା କହନ୍ତି । ସହରଟି ଖୁବ୍ ବଡ଼ । ଏଠାରେ ବହୁତ ହୋଟେଲ, ଧର୍ମଶାଳା, ସାଧାରଣ ଅନୁଷ୍ଠାନ, ରାଜପୁତ୍ରକଲେଜ ଓ ସରକାରୀ କାର୍ଯ୍ୟାଳୟ ଅଛି । ସହରର ଜୈନମନ୍ଦିର ଲାଲ ପଥରର ଏକ ଦ୍ୱିତଳପ୍ରାସାଦ ଚିତ୍ରପୂର୍ଣ୍ଣ । ପର୍ବତର ଧାରରେ ଗୋଟିଏ ସୁନ୍ଦର ପାର୍କ । ବହୁ ଦର୍ଶକ ଏଠାରେ ସନ୍ଧ୍ୟା ସମୟରେ ରୁଣ୍ଡ ହୁଅନ୍ତି । ପାର୍କ ପାଖକୁ ପର୍ବତ ଓ ପର୍ବତ ଉପରକୁ ପାହାଚଗୁଡ଼ିଏ ପଡ଼ିଛି । ଏଥିରେ ପ୍ରାୟ ୧ ମାଇଲ ଗଲାପରେ ହନୁମାନ୍ ମନ୍ଦିରରେ ପହଞ୍ଚିଲି । ୧୪୫ଟି ପାହାଚ ଅତିକ୍ରମ କଲେ ଏହି ମନ୍ଦିର ପଡ଼େ । ମନ୍ଦିରର ଅପରପାଶ୍ୱରେ ସୁନ୍ଦର ପୁଷ୍କରିଣୀଟିଏ । ଦିନସାରା ବୁଲି ବୁଲି କ୍ଲାନ୍ତ ହୋଇ ଫେରି ରାତିଟି ଆରାମରେ କାଟିଲି । ପରଦିନ ଶ୍ରୀ ବ୍ରଜବିହାରୀବାବୁଙ୍କ ସହିତ ବିଭିନ୍ନ ବିଷୟରେ କିଛି ସମୟ ଆଲୋଚନା କରି ପୁଣି ସାଇକେଲଟିଏ ଧରି ସହର ବୁଲି ବାହାରିଲି । ଆଜମିରସହରର ବଜାର ଓ ସାଧାରଣ ଅନୁଷ୍ଠାନ ପ୍ରଭୃତି ବୁଲି ବହୁ ବିଳମ୍ବରେ ଫେରିଲି ।

☆☆☆

 

ପୁଷ୍କରତୀର୍ଥ

 

ଆଜମିରଠାରୁ ପୁଷ୍କରତୀର୍ଥର ଦୂରତା ମାତ୍ର ୭ ମାଇଲ । ଯିବାଲାଗି ବସ୍‌ର ସୁବନ୍ଦୋବସ୍ତ ଅଛି । ରାସ୍ତାର ଉଭୟପାର୍ଶ୍ୱରେ ଘଞ୍ଚ ବୃକ୍ଷ ଓ ପାହାଡ଼ମାଳା । ରାଜାମହାରାଜାମାନେ ଏହି ତୀର୍ଥରେ ୫୨ଟି ଘାଟ ତିଆରି କରିଛନ୍ତି । ଏହି ଘାଟମାନଙ୍କ ମଧ୍ୟରେ ‘ବ୍ରହ୍ମାଘାଟ’ ଶ୍ରେଷ୍ଠ । ଏହି ଘାଟରେ ପାତିମାଙ୍କଡ଼ମାନଙ୍କର ଉତ୍ପାତ ଅସହ୍ୟ । ଏଠାକୁ ପଞ୍ଜାବର ଶିଖ୍‍ଗୁରୁ ଗୋବିନ୍ଦସିଂହ ଆସି ଏଠାରେ ମରହଟ୍ଟାଛତ୍ରୀରେ ଶିଖ୍‍ଧର୍ମପୁସ୍ତକ ଗ୍ରନ୍ଥସାହେବ ପାଠ କରିଥିଲେ । ସମ୍ରାଟ ପଞ୍ଚମଜଜଙ୍କ ପତ୍ନୀ ମେରୀ ଏଠାରେ ସ୍ତ୍ରୀମାନଙ୍କ ସ୍ନାନ ନିମିତ୍ତ ଏକ ସୁନ୍ଦର ଘାଟ ନିର୍ମାଣ କରାଇଛନ୍ତି । ମହାତ୍ମାଗାନ୍ଧୀଙ୍କ ମୃତ୍ୟୁପରେ ତାଙ୍କ ଅସ୍ଥିକୁ ଏଠାରେ ବିସର୍ଜନ କରାଯାଇଥିଲା । ଏହି ଘାଟର ନାମ ଗାନ୍ଧୀଘାଟ । ହ୍ରଦର ଏକ ପାର୍ଶ୍ୱରେ ପୁଷ୍କରଗ୍ରାମ, ଅନ୍ୟ ପାଖରେ ବୃକ୍ଷଲତାପୂର୍ଣ୍ଣ ପର୍ବତମାଳା । ଭୁବନେଶ୍ୱରର ବିନ୍ଦୁସାଗରପୋଖରୀ ପରି ଏହି ହ୍ରଦଟି ଦେଖାଯାଏ । ଏହାର ଦୃଶ୍ୟ ଅତୀବ ମନୋରମ । ଯାତ୍ରୀମାନଙ୍କଠାରୁ ଲିଆ ଖାଇବା ଲାଗି ବଡ଼ ବଡ଼ ମାଛ ଦଳ ଦଳ ହୋଇ ଘେରିଯାନ୍ତି । ସ୍ନାନ କଲାବେଳେ ପଣ୍ଡା ମନ୍ତ୍ରପାଠ କରି ଲାଲ ବସ୍ତ୍ର ଗୁଡ଼ାହୋଇଥିବା ଦଣ୍ଡଟିଏ ଦିଏ । ସେହି ଦଣ୍ଡକୁ ଧରି ସ୍ନାନ କରିବାକୁ ପଡ଼େ । ଏହି ଘାଟରେ ଅହୋରାତ୍ର ଅଖଣ୍ଡ ରାମଧୁନ୍ ହୁଏ । ଘାଟରେ ସ୍ନାନ ସାରି ମନ୍ଦିରକୁ ଗଲି । ପୁଷ୍କରହ୍ରଦ କୂଳରେ ଓ ବ୍ରହ୍ମାଘାଟ ପାଖରେ ମଲମଲ ପଥରର ସୁନ୍ଦର ଛୋଟ ମନ୍ଦିର । ପୁଷ୍କରର ଏ ହେଉଛି ମୁଖ୍ୟ ମନ୍ଦିର । ଏଠାରେ ସାନବଡ଼ ପ୍ରାୟ ୫୦୦ଟି ମନ୍ଦିର ଅଛି । ସେମାନଙ୍କ ମଧ୍ୟରେ ୪ ଗୋଟି ମୁଖ୍ୟ । ୧-ବ୍ରହ୍ମାମନ୍ଦିର, ୨–ବରାହମନ୍ଦିର, ୩–ରଙ୍ଗନାଥଜୀମନ୍ଦିର ଓ ୪–ଅଷ୍ଟପଟେଶ୍ୱମନ୍ଦିର । ବ୍ରହ୍ମମନ୍ଦିରରେ ବ୍ରହ୍ମାଙ୍କର ପ୍ରସ୍ତମୂର୍ତ୍ତି ସ୍ଥାପିତ । ପୀଠ ଉପରେ ମେଢ଼ରେ ବ୍ରହ୍ମାଙ୍କ ମୂର୍ତ୍ତି ରଖାଯାଇଛି । ସତ୍ୟଯୁଗରେ ବ୍ରହ୍ମାଜୀ ଏଠାରେ ଯଜ୍ଞରଚନା କରଥିଲେ ବୋଲି ପୁରାଣରୁ ପ୍ରମାଣ ମିଳେ । ପୁରାଣରେ ଉଲ୍ଲେଖ ଅଛି ଯେ, ବ୍ରହ୍ମା ମର୍ତ୍ତ୍ୟଲୋକରେ ଯଜ୍ଞ ଅନୁଷ୍ଠାନ କରିବା ପାଇଁ ଉପଯୁକ୍ତ ସ୍ଥାନ ନିରୁପଣ ଲାଗି ସ୍ୱର୍ଗରୁ ୩ଟି କମଳ ପକାଇଲେ । ଏହିଠାରେ ୩ଟି ଯାକ ପଦ୍ମ ପଡ଼ିଲା । ଏଣୁ ଏହାର ନାମ ପୁଷ୍କର (ପଦ୍ମ) ତୀର୍ଥ । ୩ଟି କମଳ ଏଠାରେ ପଡ଼ିଥିବା ଯୋଗୁଁ ଏହି ସ୍ଥାନର ନାମ ହେଲା ଜ୍ୟେଷ୍ଠପୁଷ୍କର, ମଧ୍ୟମ ପୁଷ୍କର, ଓ କନିଷ୍ଠପୁଷ୍କର । ପୁଷ୍ପକର (ବ୍ରହ୍ମା) ଏଠାରେ ପୁଷ୍କର (ପଦ୍ମ) ପକାଇଥିବାରୁ ଏହାର ନାମ ପୁଷ୍ପକର ଓ ପୁଷ୍କର ରହିଲା । କାଳକ୍ରମେ ପୁଷ୍ପକର ଶବ୍ଦର ‘ଷ୍ପ’ ରୁ ‘ପ’ ଲୋପ ପାଇ ‘ପୁଷ୍କର ରହିଲା । କଳିଯୁଗରେ ବ୍ରହ୍ମା ଏହି ତୀର୍ଥ ବ୍ୟତୀତ ଅନ୍ୟ କେଉଁଠି ପୂଜା ପାଆନ୍ତି ନାହିଁ । କୁବେର, ଇନ୍ଦ୍ର, ପଞ୍ଚମୁଖୀ ଶିବ, ବ୍ରହ୍ମା ଓ ଗାୟତ୍ରୀ ଦେବୀ ମନ୍ଦିରରେ ପୂଜିତ । ବ୍ରହ୍ମାଙ୍କର ଚାରି ମସ୍ତକରେ ଓ ଗାୟତ୍ରୀ ଦେବୀଙ୍କ ମସ୍ତକରେ ସୁନାମୁକୁଟ । ମନ୍ଦିର ଆଗରେ ରୂପାର କଚ୍ଛପଟିଏ ରଖାଯାଇଛି । ଦିନରାତି ଘଣ୍ଟା ଓ ମାଦଳ ଧ୍ୱନି । ମନ୍ଦିରର ଉପର ଗମ୍ବୁଜ ସୁନାପତ୍ରରେ ଛାଉଣି । ମନ୍ଦିରର ଦକ୍ଷିଣକୁ ଶିବମନ୍ଦିର । ପୁରାଣର ଆଖ୍ୟାୟିକାରୁ ଜଣାଯାଏ, ବ୍ରହ୍ମା ଏ ସ୍ଥାନଟିକୁ ଯଜ୍ଞ କରିବା ନିମିତ୍ତ ପସନ୍ଦ କରି ଏଠାରେ ଯଜ୍ଞସାମଗ୍ରୀ ଆୟୋଜନ କଲେ ଓ ତାଙ୍କ ପୁଅ ନାରଦଙ୍କୁ ସ୍ୱର୍ଗରୁ ଗାୟତ୍ରୀଙ୍କୁ ଏଠାକୁ ଆଣିବା ପାଇଁ ଆଦେଶ ଦେଲେ । ନାରଦ ଗାୟତ୍ରୀଙ୍କୁ ଆଣିବା ଲାଗି ଗଲେ । ବ୍ରହ୍ମା ଏଣେ ଯଜ୍ଞସମୟ ଗଡ଼ିଯିବା ଭୟରେ ଅନ୍ୟ ଏକ ନାରୀକୁ ପତ୍ନୀରୂପେ ଗ୍ରହଣ କରି ଯଜ୍ଞ ଅନୁଷ୍ଠାନ କଲେ-। ଇତ୍ୟବସରେ ସ୍ୱର୍ଗରୁ ଗାୟତ୍ରୀ ଦେବୀ ଆସି ଏଠାରେ ପହଞ୍ଚିଲେ ଓ ବ୍ରହ୍ମାଙ୍କର ଏପରି ଆଚରଣ ଦେଖି ତାଙ୍କୁ ଅଭିଶାପ ଦେଲେ–ସେ ଏହି ପୁଷ୍କରତୀର୍ଥ ବ୍ୟତୀତ ମର୍ତ୍ତ୍ୟରେ ଅନ୍ୟ କୌଣସିଠାରେ ପୂଜା ପାଇବେ ନାହିଁ । ସାବିତ୍ରୀ ମନ୍ଦିରରେ ସାବିତ୍ରୀ ଦେବୀଙ୍କର କମନୀୟ ମୂର୍ତ୍ତି । ଏହି ମୂର୍ତ୍ତିଟି ଏକ ଚତୁଷ୍କୋଣବିଶିଷ୍ଟ ଖିଲିଣି ଉପରେ ପ୍ରତିଷ୍ଠିତ । ସାବିତ୍ରୀଙ୍କ ମଥା ଉପରେ ରୂପାଝରାର ଛତ୍ରୀ-। ପୁସ୍ତକ, ମାଳା, କମଣ୍ଡଳୁ ଓ ପଦ୍ମ ଚାରିଗୋଟି ହସ୍ତକେ ଧାରଣ କରି ସାବିତ୍ରୀ ଦେବୀ ମାନବସମାଜକୁ ବିଦ୍ୟା, ଧର୍ମ, ଖାଦ୍ୟ ଓ କୀର୍ତ୍ତି ଦାନ କରୁଛନ୍ତି ।

 

ବ୍ରହ୍ମାଙ୍କ ଯଜ୍ଞସମୟରେ ମହାଦେବ ଉପସ୍ଥିତ ଥିଲେ । ତାଙ୍କ ଭିକ୍ଷାପାତ୍ର କପାଳ (ମୁଣ୍ଡହାଡ଼ ଖୋଳପା) । ତାହା ଦେଖି ବ୍ରହ୍ମା ତାଙ୍କୁ ଥଟା କରନ୍ତେ, ସେ କୋପାବିଷ୍ଟ ହୋଇ ଯଜ୍ଞବେଦୀ ଛାଡ଼ି ପଳାଇବାକୁ ବସିଲେ । ଶିବଙ୍କ ଅନୁପସ୍ଥିତିରେ ଯଜ୍ଞକର୍ମ ଅସଫଳ ହେବା ଭୟରେ ବ୍ରହ୍ମା ଅନୁତାର କରି ତାଙ୍କୁ ଏଠାରେ ତପସ୍ୟା କଲେ । ତାର ପ୍ରତୀକ ସ୍ୱରୂପ ଅଷ୍ଟପଟେଶ୍ୱର ମନ୍ଦିର ପ୍ରତିଷ୍ଠିତ ।

 

ଦ୍ରାବିଡ଼ କାରୁକାର୍ଯ୍ୟସମ୍ପନ୍ନ ରାମବୈକୁଣ୍ଠନାଥ ମନ୍ଦିରଟିର କଳାପାଟବ ଅତୀବ ପ୍ରଶଂସନୀୟ । ପ୍ରାଚୀରରୁ ଆରମ୍ଭ କରି ଚୂଡ଼ା ଦେଶ ଯାଏ କାରୁକାର୍ଯ୍ୟପୂର୍ଣ୍ଣ । ମନ୍ଦିର ଆଗରେ ହାତ ମଧ୍ୟରେ ସୁନାପତ୍ରର ସ୍ତମ୍ଭ । ଦରଜାର ବଡ଼ କବାଟଟି ପିତଳ ଗୋବଦିଆ । ମଲମଲ ପଥରର ହାତୀ ଦ୍ୱାରଦେଶରେ ଦଣ୍ଡାୟମାନ । ମନ୍ଦିର ଭିତରେ ଜୟା ଓ ବିଜୟାଦେବୀଙ୍କ ମଝିରେ ବୈକୁଣ୍ଠନାଥଙ୍କର କମନୀୟ ମୂର୍ତ୍ତି । କାନ୍ଥମାନଙ୍କରେ ସର୍ପଯଜ୍ଞ, ଶ୍ରୀକୃଷ୍ଣଙ୍କ ବିରାଟରୂପ, ଋକ୍ମିଣୀହରଣ, ଗୋବର୍ଦ୍ଧନଧାରଣ, ଶ୍ରୀରାମପଞ୍ଚାୟତନ ଓ ଅର୍ଜ୍ଜୁନକୁ ଶ୍ରୀକୃଷ୍ଣ ଉପଦେଶ ପ୍ରଭୃତି ସୁନ୍ଦର ଭାବେ ଚିତ୍ରିତ । ରାମବୈକୁଣ୍ଠନାଥ ମନ୍ଦିରର ପାଖକୁ ମହାଲକ୍ଷ୍ମୀମନ୍ଦିର । ରଙ୍ଗୀନ ଓ ସୁଦୃଶ୍ୟ ଚିତ୍ରାବଳିରେ ମନ୍ଦିଟି ଭରପୂର । ଲକ୍ଷ୍ମୀଙ୍କର ମୂର୍ତ୍ତିଟି ଖୁବ୍ ମନୋରମ । ଏଠାରେ ସୀତାସ୍ୱୟମ୍ବର, ଶିବଙ୍କର ତାଣ୍ଡବ ନୃତ୍ୟ, ପୁଷ୍କର ଓ ବ୍ରହ୍ମା ପ୍ରଭୃତି ଚିତ୍ର ନିଖୁଣ ଭାବରେ ଚିତ୍ରିତ । ଏ ସବୁ ମନ୍ଦିର ବ୍ୟତୀତ ପୁଷ୍କରର ରାମାନୁଜସ୍ୱାମୀଙ୍କ ମନ୍ଦିର, ରାମସୀତା ଓ ଲକ୍ଷ୍ମଣଙ୍କ ସ୍ୱର୍ଣ୍ଣମୂର୍ତ୍ତିର ମନ୍ଦିର, ରଙ୍ଗନାଥଜୀମନ୍ଦିର ଓ ଚକ୍ରମନ୍ଦିର ପ୍ରଭୃତି ଏଠାରେ ଦର୍ଶନଯୋଗ୍ୟ ।

☆☆☆

 

ଚିତୋରଗଡ଼

 

ବୀରଭୂମି ଚିତୋରର ଐତିହାସିକ ଘଟଣାବଳୀ ଯେ କୌଣସି ଭାରତୀୟ ଯୁବକକୁ ଆହ୍ୱାନ କରିବ ଏଥିରେ ସନ୍ଦେହ ନାହିଁ । ଏହାର ରୋମାଞ୍ଚକାରୀ ସ୍ୱଦେଶପ୍ରୀତିପୂର୍ଣ୍ଣ ଆଖ୍ୟାନ ଶୁଣିଲା ମାତ୍ରେ ଇତିହାସବିତ୍‌ର ଲୋମହର୍ଷଣ ଜାତ ହୁଏ । ଚିତୋରର ରାଣୀ ପଦ୍ମିନୀ ଓ ମହାରାଣା ପ୍ରଚତାପ କେବଳ ଚିତୋର କାହିଁକି ଭାରତର ଦୁଇଗୋଟି ଉଜ୍ଜ୍ୱଳତମ ଦୀପ୍ତିସ୍ତମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ । ଏବେ ସୁଦ୍ଧା ଏମାନଙ୍କର ଉଜ୍ଜ୍ୱଳକୀର୍ତ୍ତିର ବିଜୟ ବୈଜୟନ୍ତୀ ଦିଗବିଦିଗରେ ଉଡ଼୍ଡ଼ୀୟମାନ । ଆଜମିରଦର୍ଶନ ପରେ ଚିତୋର ଯାତ୍ରା କଲି । ଆଜମିରରୁ ଏହାର ଦୂରତା ଟ୍ରେନ୍‌ଯୋଗେ ୧୮୬ ମାଇଲ । ସନ୍ଦ୍ୟାରେ ଆଜମିରରୁ ଗାଡ଼ି ଛାଡ଼ି ରାତି ୧ ଟାବେଳେ ଚିତୋର ଷ୍ଟେସନରେ ପହଞ୍ଚିଲା । ଦିଲ୍ଲୀରୁ ଜୟପୁର ଗଲାବେଳେ ଶ୍ରୀ ରାମକୃଷ୍ଣ ନାବାଡ଼ା (ଆଗ୍ରା ହୀନ୍ଦିଶିକ୍ଷା କେନ୍ଦ୍ରର ପ୍ରଧାନ ଅଧ୍ୟାପକ)ଙ୍କ ସହ ସାମାନ୍ୟ ପରିଚୟ ହୋଇଥିଲା । ତାଙ୍କ ସହ ଗୋଟିଏ ଡବାରେ ବସି ଜୟପୁର ଯାଇଥିଲି । ଜୟପୁରରେ ମୁଁ ଓହ୍ଲାଇଲି, ମାତ୍ର ସେ ରେଲଷ୍ଟେସନରେ ରହିଲେ । ଚିତୋର ଯିବା ଦିନ ପୁଣି ହଠାତ୍ ସେ ଭଦ୍ରଲୋକ ତାଙ୍କ ପରିବାର ସହ ମୋ ଡବାରେ ଉଠିଲେ । ଟିକିଏ ଦୋ ଦୋ ଚିହ୍ନା ପରେ ଦୁହେଁ ଦୁହିଁଙ୍କୁ ଚିହ୍ନିଲୁ ଓ ରାତିଟି ବେଶ ଆରାମରେ କଟିଲା । ଜୈନଧର୍ମଶାଳ ଷ୍ଟେସନରୁ ପ୍ରାୟ ୧ ଫରଲଙ୍ଗ ଦୂର । ଧର୍ମଶାଳା ନିକଟରେ ଅନେକ ଜଳଖିଆଦୋକାନ ଓ ରୁଚି ଅନୁକୂଳ ହୋଟେଲ । ତେଣୁ କିଛି ଅସୁବିଧା ହେଲା ନାହିଁ । ରାତିଟି ଆନନ୍ଦରେ କଟାଇ ସକାଳୁ ନିତ୍ୟକର୍ମ ସାରି ଟାଙ୍ଗା କରି ସମସ୍ତେ ଚିତୋରଗଡ଼ ବୁଲି ବାହାରିଲୁଁ । ଗୋଟିଏ ଟାଙ୍ଗରେ ୩ ଜଣରୁ ବେଶୀ ଯାଇପାରିବେ ନାହିଁ । ଧର୍ମଶାଳାଠାରୁ ଏହାର ଦୂରତା ୫ ମାଇଲ । କେବଳ ଗଡ଼ର ପ୍ରବେଶ ପଥଠାରୁ ଦୁର୍ଗର ଶେଷସୀମା ୩ ମାଇଲ । ଦୁର୍ଗଟି ଏକ ପର୍ବତଉପରେ ଅବସ୍ଥିତ ।

 

ଚିତୋର ଦୁର୍ଗ ପରି ବିଶାଳ ଦୁର୍ଗ ଭାରତରେ କାହିଁକି ପୃଥିବୀରେ ବିରଳ । ଏହାକୁ “ବୀରଭୂମି” “ରାଷ୍ଟ୍ରୀୟତୀର୍ଥ” ବୋଲି ମଧ୍ୟ କୁହାଯାଏ । ଏହି ଗଡ଼ର ଲମ୍ବ ୪ ମାଇଲ ଓ ପ୍ରସ୍ଥ ୨ ମାଇଲ । ଏହାର ଇତିହାସ ଉଜ୍ଜ୍ୱଳତମ । ସୂର୍ଯ୍ୟବଂଶର ମହାରାଣା ବାପ୍‌ପାରା ଓ ଏହ ବଂଶର ପ୍ରତିଷ୍ଠାତା । ଏହିଠାରେ ସତୀଶ୍ରେଷ୍ଠା ରାଣୀ ପଦ୍ମିନୀ ହସି ହସି ନିଜର ପ୍ରାଣ ବିସର୍ଜ୍ଜନ କରି ନିଜର ସତୀତ୍ୱ ରକ୍ଷା କରିଥିଲେ ଓ ମହାରାଣା କୁମ୍ଭ ନିଜ ରାଜତ୍ୱକାଳରେ ଶତ୍ରୁମାନଙ୍କୁ ଦମନ କରି ନିଜବଂଶର ପ୍ରତିଷ୍ଠା ବଢ଼ାଇଥିଲେ । ଏହି ଚିତୋରର ପ୍ରଭୁଭକ୍ତା ଧାଈପାନ୍ନା ରାଜବଂଶରକ୍ଷା କରିବା ଲାଗି ହସି ହସି ଅକାତରେର ନିଜର ପୁତ୍ରକୁ ହତ୍ୟା କରାଇବା ପାଇଁ ତିଳେ ହେଲେ କୁଣ୍ଠାବୋଧ କରି ନ ଥିଲେ । ଏଠାରେ କଳିଯୁଗର ରାଧା ମୀରାବାଈ କୃଷ୍ଣପ୍ରେମରେ ପାଗଳିନୀ ହୋଇ ଅମୂଲ୍ୟ ଦୋହାବଳି ରଚନା କରି ଭାରତର ହିନ୍ଦୀସାହିତ୍ୟରେ ପ୍ରେମ ଓ ଭକ୍ତି ରସର ଅନାବିଳ ଧାରା ଛୁଟାଇଥିଲେ । ଚିତୋରର ମହାରାଣା ପ୍ରତାପ ନିଜର ରାଜ୍ୟ ଫେରାଇ ଆଣିବା ଲାଗି ପ୍ରବଳ ପ୍ରତାପୀ ଆକବରଙ୍କ ସହିତ ମୁଷ୍ଟିମେୟ ସୈନ୍ୟ ସାହାଯ୍ୟରେ ଯୁଦ୍ଧ କରି ଶେଷକୁ ମୃତ୍ୟୁବରଣ କରିଥିଲେ । ତାଙ୍କର ଯଶ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି ।

 

ମାନସିଂହ ପ୍ରଭୃତି ହିନ୍ଦୁରାଜାମାନେ ଧନ, ମାନ, କ୍ଷମତା ଲୋଭରେ ଯବନସମ୍ରାଟର ପଦଲେହନ କରି ନିଜର ଭଗିନୀ ତଥା କନ୍ୟାକୁ ଯବନର ଅଙ୍କଶାୟିନୀ କରାଇ ନିଜକୁ ଗୌରବାନ୍ୱିତ ମନେ କରୁଥିଲାବେଳେ ଏହି ଚିତୋରର ମହାରାଣା ପ୍ରତାପ “ଦିଲ୍ଲୀଶ୍ୱରୋ ବା ଜଗଦୀଶ୍ୱରୋ ବା” ଆକବର ସହ ଆମରଣ ଯୁଦ୍ଧ କରି ପ୍ରାଣ ହରାଇଥିଲେ । ତାଙ୍କ ଆହ୍ୱାନରେ ଯେଉଁ କେତେକ ସୈନ୍ୟ ମାତୃଭୂମିର ଉଦ୍ଧାର ନିମନ୍ତେ ହସି ହସି ପ୍ରାଣ ବିସର୍ଜନ କଲେ, ସେମାନେ ଆଜି ଅମର । ମହାରାଣା ପ୍ରସ୍ତରଶଯ୍ୟାରେ ଶୋଇ ବନର ଫଳମୂଳ ଖାଇ ଦୁଃଖରେ କାଳାତିପାତ କରି ଶେଷକୁ ହଳଦୀଘାଟଠାରେ ମୃତ୍ୟୁବରଣ କଲେ ସତ, ମାତ୍ର ନୀଚ ମାନସିଂହଙ୍କ ପରି ନିଜର ବଂଶର ନାନୀମାନଙ୍କୁ ଯବନବଜାରରେ ପଣ୍ୟରୂପେ ବିକ୍ରୟ କରି ରାଜସମ୍ମାନର ଅଧିକାରୀ ହେବାକୁ ଇଚ୍ଛା କଲେ ନାହିଁ । ଏହା ହେଉଛି ଚିତୋରଦୁର୍ଗ ପକ୍ଷରେ ଗର୍ବର ବିଷୟ । ମହାରାଣୀ ପ୍ରତାପଙ୍କ ଯୁଦ୍ଧକାଳୀନ ନିମ୍ନଲିଖିତ ଓଜସ୍ୱିନୀ ବାଣୀ ଶ୍ରବଣ ମାତ୍ରେ ଯେ କୌଣସି ଦେଶପ୍ରେମୀର ଶରୀର ଲୋମାଞ୍ଚିତ ହୋଇଉଠିବ ।

 

“ଜୋ ହି ନ ଜନନୀ ଦୁଗ୍‍ଧକୋ ଦୂଷିତ କରୁଁ ଗା ମୈଂ କଭୀ ।

ତନୁ ପ୍ରାଣ ରହତେ ଶତ୍ରୁକୋ ବଢ଼ନେ ଦୂଁ ଗା ମୈଂ କଭୀ ।।

ଚିତୌଡ଼ କା ଉଦ୍ଧାର କର ବିଧ୍ୱଂଶ କର ୟବନ ଧ୍ୱଜା ।

ଶିଶୋଦିୟା କୁଲକେତୁ ଫହରାକର ନ ଦୂଁ ଡଂକା ବଜା ।।

ତବତକ ନ ଶୋୟା ଶୟନ ନୃପପ୍ରାସାଦବାସ କରୂଁ କଭୀ ।

ୟହ ପ୍ରଣ କିୟା ମୈନେ ସୁନୋ ସରଦାର ଶ୍ରୁତି ଦେ ସଭୀ ।।”

 

ଅର୍ଥାତ୍–

 

ଯା’ ହେବାର ହେଉ ଜନନୀ ଦୁଗ୍ଧେ ନ ଦେବି ଦୂଷିତ କରି,

ପ୍ରାଣ ଥିବା ଯାଏ ପିଣ୍ଡେ ମୋହର ଆଗେଇ ନ ଦେବି ଅରି ।

ଉଦ୍ଧାର କରି ଚିତୋର ଦୁର୍ଗେ, ଧ୍ୱଂସି ଯବନ ଧ୍ୱଜା,

ଶିଶୋଦିୟା କୁଳକେତନ ଉଡ଼ାଇ ନ ଦେଲେ ବଜାଇ ବାଜା ।

ସେତେଦିନ ଯାଏ ପ୍ରାସାଦେ ବସତି ନ କରିବି ଏ ମୋ ପଶ,

କଲି ଏ ଶପଥ ଶୁଣ କାନ ଡେରି ଆହେ ସରଦାରଗଣ ।।

 

ମହାରଣା କୁମ୍ଭଙ୍କର ଜୟସ୍ତମ୍ଭ ଆଜି ରାଜସ୍ଥାନର ଅନ୍ୟ ରାଜାମାନଙ୍କୁ ସତେ ଯେପରି ଅଟ୍ଟହାସ୍ୟ କରୁଛି । ଚିତୋରଗଡ଼ ବିଷୟରେ ହିନ୍ଦୀରେ ଗୋଟିଏ ଢଗ ଅଛି—

 

“ଗଢ଼ ତୋ ଚିତୋର ଗଢ଼ ଐର ସବ ଗଢ଼ୈୟାଁ ।

ରାନୀ ତୋ ପଦ୍ମାବତୀ ଔର ସବ ଗଧୈୟାଁ ।।”

 

ଗଡ଼ଭିତରକୁ ଘୋଡ଼ାଗାଡ଼ିରେ ଗଲାବେଳେ ଏକ ପାହାଡ଼ିଆ ନଈ ପଡ଼େ । ନଈଉପରେ ପୋଲଟିଏ ନିର୍ମିତ । ଏହି ପାର୍ବତ୍ୟ କ୍ଷୁଦ୍ର ନଦୀର ନାମ ଗମ୍ଭୀରା । ଚିତୋରବିଜୟ ପରେ ଆଲାଉଦ୍ଦିନ ଖଜର ଖାଁଙ୍କୁ ଏଠାରେ ସୁବାଦାର କଲେ । ସୁବାଦାର ଖଜରଖାଁ ଏହି ପୋଲକୁ ତିଆରି କରିଥିଲେ । ଗଡ଼ ଭିତରକୁ ଗଲାବେଳେ ୭ଟି ଦରଜା ପଡ଼େ । ପ୍ରଥମ ଦରଜାରେ ମହାରାଣା ପ୍ରତାକଙ୍କର ୧୦ ଫୁଟ ଲମ୍ବ ଏକ ବିଶାଳ ଓ ତୀକ୍ଷଣ ବର୍ଚ୍ଛା । ଏହି ବର୍ଚ୍ଛାକୁ ୪।୫ ଜଣ ତଳୁ ଉଠାଇବା କଷ୍ଟକର । ମହାରାଣା ପ୍ରତାପ ଅଶ୍ୱପୃଷ୍ଟରେ ବସି ଏହି ବର୍ଚ୍ଛାକୁ ଧରି ଯୁଦ୍ଧ କରୁଥିଲେ । ପ୍ରଥମ ଦରଜା ନାମ ପାଟନପୋଲ । ଏଠାରେ ଶିବଙ୍କର ମୂର୍ତ୍ତି ଅଛି । ଦ୍ୱିତୀୟ ଦରଜାର ନାମ ଭୈରୋଁପୋଲ । ଏହାର ଅନତିଦୂରରେ ଦକ୍ଷିଣଦିଗକୁ ଦୁଇଟି ସ୍ମୃତିମନ୍ଦିର । ଏହା ମଧ୍ୟରୁ ଗୋଟିଏ ହେଉଛି ବୀର କଲ୍ଲାଜୀଙ୍କ ସ୍ମୃତି ମନ୍ଦିର । ଏହା ୪ ଗୋଟି ସ୍ତମ୍ଭ ଉପରେ ନିର୍ମିତ । ଅନ୍ୟ ସ୍ମୃତିମନ୍ଦିରଟି ବୀର ଜୟମଲ୍ଲଜୀଙ୍କର । ଏହା ୬ଟି ସ୍ତମ୍ଭ ଉପରେ ନିର୍ମିତ । ତୃତୀୟ ଦରଜାର ନାମ ହନୁମାନ୍ ପୋଲ । ଏଠାରେ ହନୁମାନଙ୍କର ମନ୍ଦିର ଅଛି । ଚତୁର୍ଥ ପୋଲର ନାମ ଗଣେଶପୋଲ । ଏଠାରେ ଶ୍ରୀଗଣେଶଙ୍କର ମନ୍ଦିର । ପଞ୍ଚମ ଦରଜାର ନାମ ଲକ୍ଷ୍ମଣପୋଲ । ଏଠାରେ ଲକ୍ଷ୍ମଣମନ୍ଦିର । ଲକ୍ଷ୍ମଣଙ୍କର କମନୀୟ ମୂର୍ତ୍ତି ମନ୍ଦିରର ପ୍ରତିଷ୍ଠିତ । ଷଷ୍ଠ ପୋଲଟିର ନାମକରଣ କିଛି ନାହିଁ । ସପ୍ତମ ପୋଲର ନାମ ରାମପୋଲ । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ମନ୍ଦିର ଏଠାରେ ଅଛି । ଗଡ଼ର କ୍ଷେତ୍ରଫଳ ୮ ବର୍ଗ ମାଇଲ ଓ ଏହା ୫୦୮ ଫୁଟ ଉଚ୍ଚ ପର୍ବତ ଉପରେ । ଏଠାରେ ପହଞ୍ଚି ଶ୍ରୀ ରାମକୃଷ୍ଣ ନାବଡ଼ା ଆମ୍ଭମାନଙ୍କୁ ବୁଲାଇ ଗଡ଼ର ସମସ୍ତ ସ୍ଥାନ ଦେଖାଇବା ଲାଗି ଜଣେ ପ୍ରଦର୍ଶକ (Guide) ନିଯୁକ୍ତ କଲେ । ପ୍ରଦର୍ଶକଟି ସୁଶିକ୍ଷିତ ଓ ଭଦ୍ର । ସେ ଦୀର୍ଘ ୫ ।୬ ଘଣ୍ଟା ଆମ ସହିତ ରହି ଗଡ଼ର ସମସ୍ତ ସ୍ଥାନର ବିଶଦବିବରଣୀ ବୁଝାଇ ଆମ୍ଭମାନଙ୍କୁ ସବୁ ଦେଖାଇଲା ।

 

ନୌଲଖାଭଣ୍ଡାର ଗଡ଼ର ଏକ ବିଶିଷ୍ଟ ସ୍ଥାନ । ଅଦାୟ ହେଉଥିବା ରାଜସ୍ୱ ପୂର୍ବେ ଏଠାରେ ସଂଚିତ ହେଉଥିଲା । ସର୍ବ ସାଧାରଣଙ୍କ ଦୃଷ୍ଟିରୁ ଏହାକୁ ଲୁଚାଇ ରଖିବା ନିମିତ୍ତ ଏହା ଗୁପ୍ତରେ ନିର୍ମାଣ କରାଯାଇଥିଲା । ନଅଲକ୍ଷ ମୁଦ୍ରା ଏଠାରେ ଥିଲା ବୋଲି ଏହାର ନାମ “ନୌଲଖାଭଣ୍ଡାର” । ଏହାର ଆଖ ପାଖରେ ଶହ ଶହ ଭଗ୍ନମୂର୍ତ୍ତି ଇତସ୍ତତଃ ପଡ଼ିଥିବାର ଦେଖାଯାଏ । ଆଲାଉଦ୍ଦିନ ଖିଲିଜି ଚିତୋର ଆକ୍ରମଣ ପରେ କ୍ରୋଧରେ ଏଠାରେ ସମସ୍ତ ମୂର୍ତ୍ତି ଖଣ୍ଡବିଖଣ୍ଡ କରି ପକାଇଥିଲା ।

 

ଏଠାରେ ଥିବା ତୋପଖାନାରେ ପୂର୍ବେ ରାଜ୍ୟର ଅସ୍ତ୍ରଶସ୍ତ୍ର, ତୋପ, ବାରୁଦ, କମାଣ, ଗୁଳିଗୁଳା ଓ ଅନ୍ୟ ଯୁଦ୍ଧ ଉପକରଣ ରଖାଯାଉଥିଲା । ଏହା ନିକଟରେ ଚିତୋରର ମହାମନ୍ତ୍ରୀ ଭାମାଶାହଙ୍କ ପ୍ରାସାଦର ଭଗ୍ନାବଶେଷ ଦେଖାଯାଏ । ଏହି ତୋପଖାନା ରାଣା ସଂଗ୍ରାମସିଂହ (ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାତା ବାବରଙ୍କ ପ୍ରତିରୋଧ)ଙ୍କର ବୋଲି ପ୍ରଦର୍ଶକମାନେ କହନ୍ତି ।

 

ଶୃଙ୍ଗାରଚୌରୀ ଏକ ଜୈନମନ୍ଦିର । ମହାରଣା କୁମ୍ଭଙ୍କର କୋଷାଧ୍ୟକ୍ଷ ଏଠାରେ ଏହି ମନ୍ଦିରଟି ତିଆରି କରାଇ ଏଥିରେ ଶାନ୍ତିନାଥମୂର୍ତ୍ତି ସ୍ଥାପନ କରିଥିଲେ । ମୂର୍ତ୍ତିଟିକୁ କେହି ନେଇଯାଇ ଥିବାରୁ ଅନୁମାନ କରାଯାଏ । ମନ୍ଦିରର ପ୍ରସ୍ତର ଖୋଦିତ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ । ଏବେ ଏଠାରେ ଦୁଇଟି ଶୁକ୍ଳହସ୍ତୀ ମଧ୍ୟରେ ପରେଶନାଥଙ୍କର କମନୀୟ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି ।

 

ମହାରଣା କୁମ୍ଭମହଲ ଭିତରକୁ ଏକ ଗୁପ୍ତଦ୍ୱାର (ସୁଡ଼ଙ୍ଗ) ଅଛି । ଗୁପ୍ତପଥଟି କିଛି ଦୂରରେ ଥିବା ରାଜବାଟୀର ପୁଷ୍କରିଣୀ ପର୍ଯ୍ୟନ୍ତ ଯାଇଛି । ପ୍ରାସାଦର ଅସୂର୍ଯ୍ୟମ୍ପଶ୍ୟା ରାଣୀ ଓ ରାଜବାଟୀର ଅନ୍ୟ ମହିଳାମାନେ ଏହି ରାସ୍ତାଦେଇ ପୁଷ୍କରିଣୀକୁ ସ୍ନାନ ନିମିତ୍ତ ଯାଉଥିଲେ । ଏହି ମହଲ ବର୍ତ୍ତମାନ ଭଗ୍ନ ଅବସ୍ଥାରେ । ତଥାପି ଏହା ଦର୍ଶନୀୟ । ଏହି ମହଲ ସେତେବେଳେ ଚିତୋରର ସର୍ବଶ୍ରେଷ୍ଠ ମହଲରୂପେ ବିବେଚିତ ହେଉଥିଲା ।

 

କୁମ୍ଭଶ୍ୟାମମନ୍ଦିରର ନିର୍ମାତା ହେଉଛନ୍ତି ମହାରାଣା କୁମ୍ଭ । ଭଗବାନଙ୍କ ଦଶଅବତାର ଏଠାରେ ବିରାଜିତ । ମୂର୍ତ୍ତିଗୁଡ଼ିକର କମନୀୟତା ଓ କଳାପାଟବ ଧନ୍ୟବାଦାର୍ହ । ଏହାର ଦକ୍ଷିଣକୁ ପ୍ରସିଦ୍ଧ ମୀରାବାଈ ମନ୍ଦିର ।

 

ମୀରାବାଈ ମନ୍ଦିର ମୀରାବାଈଙ୍କର ଶ୍ୱଶୁର ରାଣା ସାଙ୍ଗା ନିର୍ମାଣ କରାଇଥିଲେ । ମୀରାବାଈ ପତିବିୟୋଗ ପରେ ଏଠାରେ ଦିନରାତି ଶ୍ରୀ କୃଷ୍ଣଙ୍କ ଉପାସନାରେ ନିଜକୁ ହଜାଇଦେଇ ମର୍ମସ୍ପର୍ଶୀ ଦୋହାମାନ ରଚନା କରିଥିଲେ । ଏହି ମନ୍ଦିରରେ ଶ୍ରୀକୃଷ୍ଣଙ୍କର କମନୀୟ ମୂର୍ତ୍ତି ପ୍ରତିଷ୍ଠିତ-। ଏଠାରେ ମୀରାବାଈ ବିଷପାନ କରିଥିଲେ ଓ ବିଷଧରସର୍ପକୁ ବଶ କରିଥିଲେ । ମୀରାବାଈଙ୍କର ଗୁରୁ ସନ୍ଥ ରୈଦାସଙ୍କର ସମାଧି ଏହି ମନ୍ଦିରର ସାମନାକୁ ଅବସ୍ଥିତ । ମନ୍ଦିରଟିର ଆକାର ମଧ୍ୟମ ଧରଣର ହେଲେ ହେଁ କେବଳ ଚିତୋରଦୁର୍ଗ ନୁହେଁ–ସମଗ୍ର ରାଜସ୍ଥାନରେ ଏହାର ପ୍ରାଧାନ୍ୟ ଅଛି ।

 

ବିଜୟସ୍ତମ୍ଭ ରାଣା କୁମ୍ଭଙ୍କର କୀର୍ତ୍ତି । ଖ୍ରୀ:୧୪୪୮ ରୁ ଖ୍ରୀ:୧୪୫୮ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଏହାର ନିର୍ମାଣ ସମ୍ଭବ ହୋଇପାରିଲା । ମାଳବର ବାଦଶାହ ମହମ୍ମଦଶାହ ଓ ଗୁଜୁରାଟର ବାଦଶାହ ଅହମ୍ମଦଶାହଙ୍କୁ ଯୁଦ୍ଧରେ ପରାଜୟ କରି ତାର ଚିହ୍ନସ୍ୱରୂପ ରାଣା କୁମ୍ଭ ଏହି ବିଜୟସ୍ତମ୍ଭ ନିର୍ମାଣ କଲେ । ଏହି ସମୁନ୍ନତ ସ୍ତମ୍ଭର ପ୍ରତ୍ୟେକ ପ୍ରସ୍ତର ସୂଚୀକାମରେ ପରିପୂର୍ଣ୍ଣ । କାନ୍ଥରେ ଶିବ ଓ ବିଷ୍ଣୁ ପ୍ରଭୃତିନାନା ଦେବଦେବୀଙ୍କର ପ୍ରତିମୂର୍ତ୍ତି ଖୋଦିତ । ଏହାର ଶୀର୍ଷଭାଗକୁ ଯିବା ଲାଗି ଭିତରେ ସୋପାନଶ୍ରେଣୀ ବିଦ୍ୟମାନ । ବହୁକଷ୍ଟ ସ୍ୱୀକାର କରି ଏହାର ଉପରକୁ ଗଲି ଓ ଉପରେ ଠିଆ ହୋଇ ଆଖପାଖ ଅଞ୍ଚଳର ଓ ସମସ୍ତ ଦୁର୍ଗର ଦୃଶ୍ୟ ଦେଖିବାର ସୁଯୋଗ ପାଇଲି । ସମୁଦାୟ ୧୫୦ ଟି ପାହାଚ ଉପରକୁ ପଡ଼ିଛି । ଏହା ନବତଳ-ବିଶିଷ୍ଟ ଓ ଏହାର ବ୍ୟାସ ନିମ୍ନଅଂଶରେ ୪୭ ଫୁଟ ଓ ଉପର ଅଂଶରେ ୩୦ ଫୁଟ ।

 

ମହାସତୀଭବନରେ ଚିତୋରର ରାଣୀମାନେ ବିଧବା ହେଲାପରେ ଅଗ୍ନିକୁଣ୍ଡରେ ଝାସ ଦେଉଥିଲେ । ଏ ସ୍ଥାନଟି ରାଜପୁତମାନଙ୍କର ପ୍ରଧାନ ତୀର୍ଥସ୍ଥଳୀ । ଗୋମୁଖକୁଣ୍ଡ ନିକଟରେ ଶ୍ୱେତାମ୍ବର ଜୈନ ସଂପ୍ରଦାୟର ଏକ କ୍ଷୁଦ୍ର ମନ୍ଦିର । ମନ୍ଦିରରେ ମହାବୀରଙ୍କର ମୂର୍ତ୍ତିଟି କମନୀୟ । ୧୯୪୩ ସମ୍ବତ୍‌ରେ ଏହି ମୂର୍ତ୍ତିର ପ୍ରତିଷ୍ଠା କରାଯାଇଛି ବୋଲି ଏକ ଶିଳାଲେଖରୁ ଅନୁମିତ ହୁଏ । ଏକାଦଶ ଶତୀବ୍ଦୀରେ ଏହାକୁ ସତ୍‌ବାଈଦେଓରୀ ନିର୍ମାଣ କରାଇଥିଲେ । ୨୪ଟି ଜୈନତୀର୍ଥଙ୍କର ମୂର୍ତ୍ତି ମଧ୍ୟ ଏହି ମନ୍ଦିରରେ ପ୍ରତିଷ୍ଠିତ ।

 

କାଳିକାଦେବୀମନ୍ଦିରଟି ୩ ଭାଗରେ ବିଭକ୍ତ । ମୁଖଶାଳା, ମଧ୍ୟଭାଗ ଓ ପ୍ରଧାନ ମନ୍ଦିର-। ମନ୍ଦିରଟିର କାରୁକାର୍ଯ୍ୟ ପ୍ରଶଂସନୀୟ । ସୂର୍ଯ୍ୟଙ୍କର ମୂର୍ତ୍ତି ମନ୍ଦିରରେ ପୂଜା ପାଆନ୍ତି । ସୂର୍ଯ୍ୟଙ୍କର ମୂର୍ତ୍ତି ଆଗରେ ସୂର୍ଯ୍ୟକୁଣ୍ଡ । ପ୍ରଥମ ମନ୍ଦିରରେ କାଳିଦେବୀ ଓ ଦ୍ୱିତୀୟ ମନ୍ଦିରରେ ଅମ୍ବାଜୀ ଦେବୀଙ୍କର ମୂର୍ତ୍ତି । ବୈଶାଖ ଶୁକ୍ଳଅଷ୍ଟମୀ ଦିନ ଏଠାରେ ଏକ ବଡ଼ ମେଳା ବସେ । ଏହା ଅଷ୍ଟାଦଶଶତାବ୍ଦୀର କୀର୍ତ୍ତି ବୋଲି ଐତିହାସିକମାନେ କହନ୍ତି ।

 

ପଦ୍ମିନୀମହଲର ସାଜସଜା ଚିତ୍ତାକର୍ଷକ । ଘରର ତାରି କାନ୍ଥରେ ଚାରୋଟି ବଡ଼ ଦର୍ପଣ ଖଞ୍ଜାଯାଇଛି । ଏହିଠାରେ ରୂପଲୋଲୁପ ଆଲାଉଦ୍ଦିନଖିଲିଜି ଏହି ଦର୍ପଣ ସାହାଯ୍ୟରେ ସୁନ୍ଦରୀ ପଦ୍ମିନୀଙ୍କ ପ୍ରତିବିମ୍ବ ଦେଖି ଚକିତ ହୋଇଥିଲା । ଦର୍ଶକର ପଛରେ ଥିବା ତଳଭାଗସ୍ଥିତ ପ୍ରକୋଷ୍ଠବରଣ୍ଡାରେ ପଦ୍ମିନୀ ଠିଆ ହୋଇଥିଲେ, କିନ୍ତୁ ଏହି ଦର୍ପଣ ଏପରି ଅଦ୍ଭୁତଭାବେ ଖଞ୍ଜା ଯେ, ତଳର ସମସ୍ତ ଦୃଶ୍ୟ ମଧ୍ୟ ଏଥିରେ ପ୍ରତିବିମ୍ବ ହୋଇଥାଏ । ଆଲାଉଦ୍ଦିନ ପଦ୍ମିନୀଙ୍କ ପ୍ରତିଚ୍ଛବି ଏହି ଉପାୟରେ ଦେଖିପାରିଥିଲା । ଏହି ଚାରିଗୋଟି ଦର୍ପଣ ଏବେ ମଧ୍ୟ ସେହି ପ୍ରକାରରେ କାନ୍ଥରେ ଖଞ୍ଜା ଯାଇଛି । ପଦ୍ମିନୀମହଲଠାରୁ ଭୂତଳ ରାସ୍ତା (under ground road) ରାଜବାଟୀ ସ୍ନାନ ପୁଷ୍କରିଣୀକୁ ପଡ଼ିଛି । ଅସୂର୍ଯ୍ୟମ୍ପଶ୍ୟା ସତୀ ମହାରୀଣୀ ପଦ୍ମନୀ ଏହି ସୁଡ଼ଙ୍ଗ ବାଟେ ସ୍ନାନାଦି ନିମିତ୍ତ ପୁଷ୍କରିଣୀକୁ ଯାଉଥିଲେ ।

 

ଧାଈ ପାନ୍ନା ନିଜର ଶିଶୁପୁତ୍ରକୁ ମଦାନ୍ଧ ପିଶାଚ ବନବୀର ହସ୍ତରେ ହତ୍ୟାକରାଇ ରାଜପୁତ୍ର ଶିଶୁ ଉଦୟସିଂହଙ୍କୁ ବଞ୍ଚାଇଥିଲେ । ରାଜବଂଶ ରକ୍ଷା ଓ ପ୍ରଭୁଭକ୍ତି ଚରମ ଦୃଷ୍ଟାନ୍ତ ଏହାଠାରୁ ବଳି ଜଣେ ନାରୀପକ୍ଷରେ ଆଉ କଅଣ ହୋଇପାରେ ? ପାନ୍ନା ଆଜି ରାଜପୁତଜାତିର ନମସ୍ୟା । ତାଙ୍କ ସ୍ମୃତି ନିମିତ୍ତ ଏଠାରେ ପାନ୍ନା ମହଲ ବିଦ୍ୟମାନ ।

 

ଗୋରାବାଦଲ ଗୁମୁଟିରେ ମହାରାଣୀ ପଦ୍ମିନୀଙ୍କର କକା ଗୋରା ଓ କକାପୁଅ ଭାଇ ବାଦଲ ରହୁଥିଲେ । ପଦ୍ମିନୀଙ୍କ ରକ୍ଷା ନିମିତ୍ତ ଏ ଦୁଇଜଣ ପ୍ରାଣ ବଳି ଦେଇ ଯବନସେନା ସହ ଯୁଦ୍ଧ କରିଥିଲେ । ଏହି ଗୁମୁଟି ପଦ୍ମିନୀମହଲର ନିକଟରେ ।

 

ଜହରକୁଣ୍ଡ ନିକଟରେ ଶିବମନ୍ଦିରଟିଏ ଅଛି । ରାଣୀପଦ୍ମିନୀ ତାଙ୍କ ସହଚରୀମାନଙ୍କ ସହିତ ଶିବଙ୍କୁ ପୂଜା କରି ଏଠାରେ ଅଗ୍ନି କୁଣ୍ଡରେ ଝାସ ଦେଇ ପବିତ୍ର ଜହରବ୍ରତ ପାଳନ କରିଥିଲେ-। ରାଜବାଟୀର ଶହ ଶହ ନାରୀ ସେମାନଙ୍କର କନ୍ୟାମାନଙ୍କୁ ପ୍ରଥମେ ଅଗ୍ନିରେ ପକାଇ ନିଜେ ଏଥିରେ ଝାସ ଦେଇ ଆତ୍ମତ୍ୟାଗ କଲେ । ସତୀତ୍ୱରକ୍ଷା ଲାଗି ସେମାନେ ଅକାତରରେ ଏହି ବିଭୀଷିକାମୟୀ ଲୀଳା ରଚନା କଲେ । ସାନଝିଅମାନେ ବୟଃପ୍ରାପ୍ତା ହେଲେ କାଳେ ଯବନର ଅଙ୍କଶାୟିନୀ ହେବେ ଏହି ଭୟରେ ସେମାନେ ପ୍ରଥମେ ସେମାନଙ୍କୁ ଅଗ୍ନିରେ ନିକ୍ଷେପ କଲେ । ନିଜର ବଂଶ ମର୍ଯ୍ୟାଦା, ମାନ, ମହତ ଓ ସତୀତ୍ୱରରକ୍ଷା ଉଦ୍ଦେଶ୍ୟରେ କୋମଳା ବାତ୍ସଲ୍ୟ ସ୍ନେହପ୍ରବଣା ଅବଳା ଯେ ଏପରି ଧ୍ୱଂସଲୀଳା ରଚନା କରିପାରେ ଏହା କେବଳ ପୃଥିବୀରେ ରାଜପୁତ ଇତିହାସରେ ସତ୍ୟତା ଲାଭ କରିଛି ।

 

ରାଣା ପ୍ରତାପସିଂହଙ୍କ ଯୁଦ୍ଧବ୍ୟୟ ନିମିତ୍ତ ତାଙ୍କର ଖାଞ୍ଜାଞ୍ଚି ଭୀମଶାହ ସେଠ ୨୫୦୦୦ ସୈନ୍ୟ ଲାଗି ଅର୍ଥ ସାହାଯ୍ୟ କରିଥିବାରୁ ତାଙ୍କ ନାମରେ ଭୀମଶାହମହଲ ପ୍ରତିଷ୍ଠିତ । ତାଙ୍କର ଅର୍ଥସାହାଯ୍ୟ ବଳରେ ରାଣା ପ୍ରତାପ ଆକବରଙ୍କ ସହ ବହୁ ଦିନ ଲଢ଼ିପାରିଥିଲେ ।

 

ନୀଳକଣ୍ଠମହାଦେବ ମନ୍ଦିରରରୁ କିଛି ଦୂର ଗଲେ କୀର୍ତ୍ତିସ୍ତମ୍ଭ । ଏହାର ଉଚ୍ଚତା ୮୦ ଫୁଟ । ଦିଗମ୍ବର ଜୈନସମ୍ପ୍ରଦାୟର ଜୀଜାନାମକ କୌଣସି ଜୈନଧର୍ମାବଲମ୍ବୀ ଏହାର ନିର୍ମାତା । ଏହାର ନିକଟରେ ମହାବୀରଙ୍କର ମନ୍ଦିର । ମୂର୍ତ୍ତିକୁ ମୁସଲମାନମାନେ ନଷ୍ଟ କରିଦେଇଛନ୍ତି । ଏହି ସ୍ତମ୍ଭର ଉପରକୁ ସାତଟି ବିଭାଗ ଅଛି ।

 

ଗଡ଼ଭିତରେ ପାତାଳେଶ୍ୱର ମହାଦେବଙ୍କ ମନ୍ଦିର । ମଲମଲ ପଥରର କୃଷ୍ଣ ଓ ଜୈନଙ୍କର ମୂର୍ତ୍ତି, ତୋପଖାନା, ନୌବତ୍ ଖାନା, ଭୂମିତଳରେ ଥିବା ଖାଦ୍ୟଭଣ୍ଡାର (୫୦ ଫୁଟ× ୫୦ ଫୁଟ ଆୟତନ ବିଶିଷ୍ଟ), ଗଡ଼ର ସୁଗଭୀର କୂପ, ପଦ୍ମାସନରେ ଉପବିଷ୍ଟ ରାଣା ଫତେସିଂହଙ୍କର ମୂର୍ତ୍ତି, ଜୈନଙ୍କର ୨୭ ମନ୍ଦିର, କାମ ଓ ରତିଙ୍କର କମନୀୟ ମୂର୍ତ୍ତି, ସମିଧେଶ୍ୱର ଶିବମନ୍ଦିରର ତ୍ରିମୂର୍ତ୍ତି, ଗୋମୁଖୀ ପୁଷ୍କରିଣୀ ଓ ଜଳମହଲ (ଗ୍ରୀଷ୍ମକାଳୀନ ପ୍ରମୋଦସ୍ଥଳ) ଇତ୍ୟାଦିର ସମାବେଶ ଦର୍ଶକମନକୁ ଏକ ଅପୂର୍ବ ସ୍ଥାନର ଆନନ୍ଦମୟ ରାଜ୍ୟକୁ ନେଇଯାଏ । କର୍ପୂର ଉଡ଼ିଯାଏ କେବଳ କନା ପଡ଼ିରହିଲା ପରି ଏଠାରେ ଆଜି ଆଉ ସେ ଦିନର ବୀର ନାହାନ୍ତି । ଏହା ବର୍ତ୍ତମାନ ଶୃଗାଳ ପ୍ରଭୃତି ବନ୍ୟପ୍ରାଣୀଙ୍କର ବାସସ୍ଥଳୀ ହୋଇଛି । ରାଜପୁତ ବୀର ଓ ବୀରଙ୍ଗନାମାନଙ୍କର ଅମର ଅତୁଳନୀୟ ବୀରତ୍ୱ ଏବଂ ସତୀତ୍ୱପୂର୍ଣ୍ଣ କୀର୍ତ୍ତିରାଜିର କେବଳ ମୂକସାକ୍ଷୀ ରୂପେ ରହିଛି ଏହି ଜୀର୍ଣ୍ଣ ସୌଧପ୍ରଭୃତି । ଚିତୋରଗଡ଼ର ବୀରଗାଥା ଶ୍ରବଣ ମାତ୍ରକେ ଯେ କୌଣସି ଭାରତୀୟର ଛାତି ଫୁଲି ଉଠେ ।

☆☆☆

 

ଉଦୟପୁର

 

ଉଦୟପୁର ରାଜସ୍ଥାନର ଅନ୍ୟତମ କୀର୍ତ୍ତିକଳାପ ପୀଠ । ଉଦୟପୁର ରାଜବଂଶୀୟ ବୀରମାନଙ୍କର କୀର୍ତ୍ତିଗାଥା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଚିତୋରଦୁର୍ଗ ଦେଖି ସାରି ଉଦୟପୁର ଯାତ୍ରା କଲି । ଟ୍ରେନରେ ଏହାର ଦୂରତା ୬୯ ମାଇଲ । ପରଦିନ ସକାଳେ ଉଦୟପୁର ଷ୍ଟେସନରେ ପହଞ୍ଚିଲି । ଷ୍ଟେସନରେ ନିତ୍ୟକର୍ମ ସମାପନ କରି ଟାଙ୍ଗାରେ ସହର ଅଭିମୁଖେ ଯାତ୍ରା କଲି । ସହରଟି ବେଶ୍ ଆଧୁନିକ । ବହୁତ କୋଠା, ଧର୍ମଶାଳା ଓ ହୋଟେଲରେ ଏହି ସହର ପୂର୍ଣ୍ଣ । ଚମ୍ପାଲାଲ ଧର୍ମଶାଳାରେ ବିଛଣାପତ୍ର ରଖି ଦୁର୍ଗ ଓ ସହର ଦେଖିବାକୁ ଗଲି । ଉଦୟପୁରର ପ୍ରାସାଦ ଓ ଦୁର୍ଗମାନ କାରୁକାର୍ଯ୍ୟବହୁଳ । ରାଜସ୍ଥାନର ସମସ୍ତ ଦୁର୍ଗ ଓ ପ୍ରାଚୀନକୀର୍ତ୍ତି ମଧ୍ୟରେ ଏହାର ଏ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ଏହାକୁ ବିଦେଶୀ ପରିଦର୍ଶକମାନେ “Venice of the East” ବୋଲି ଆଖ୍ୟା ଦେଇଛନ୍ତି । ଏହାର ଉନ୍ନତି ଦୁର୍ଗ ଓ ରାଜପ୍ରାସାଦ ସୁଦୂରରୁ ଦେଖାଯାଏ । ଦୁର୍ଗ ଏକ କ୍ଷୁଦ୍ର ପର୍ବତର ପାଦଦେଶରେ ଅବସ୍ଥିତ । ଚାରିପଟରେ ସର୍ପାକୃତି ପ୍ରାଚୀର ଘେରିରହିଛି । ସାମନାରେ ପ୍ରାକୃତିକ ଦୃଶ୍ୟବହୁଳ ‘ପିଚୋଲା’ ହ୍ରଦ-। ଏହି ଦୁର୍ଗର ୫ଟି ଦ୍ୱାର ଅଛି । ଏମାନଙ୍କ ମଧ୍ୟରେ ‘ସୂର୍ଯ୍ୟପୋଲ’ ପ୍ରଧାନ । ମହାରାଣାଙ୍କ ନଅରଟି ଶଙ୍ଖମଲମଲ ଓ ଗ୍ରାନାଇଟ୍ ପଥରରେ ତିଆରି । ରାଣା ଉଦୟସିଂହ ଶତ୍ରୁ ଆକ୍ରମଣରୁ ଦୁର୍ଗକୁ ରକ୍ଷା କରିବା ଲାଗି ପିଚୋଲା ହ୍ରଦର ଧାରେ ଧାରେ ସୁଦୃଢ଼ ବନ୍ଧ ବାନ୍ଧିଥିଲେ । ପିଚୋଲ ହ୍ରଦର ଲମ୍ବ ୨ ମାଇଲ ଓ ପ୍ରସ୍ଥ ଅଧମାଇଲ । ଦୁର୍ଗସ୍ଥିତ ପ୍ରାସାଦମାନଙ୍କର ପ୍ରତିଚ୍ଛବିରେ ହ୍ରଦବକ୍ଷ ଉଦ୍ଭାସିତ ହୋଇଉଠେ । ଏହାର ନୈଶଶୋଭା ଅନିର୍ବାଚନୀୟ । ଦୁର୍ଗଟି ନିଘଞ୍ଚ ବୃକ୍ଷରାଜିର ଅନ୍ତରାଳରେ ଦୁର୍ଗର ୮ଟି କାରୁକାର୍ଯ୍ୟ ସମ୍ବଳିତ ମଲମଲ ପଥରର ଖିଲିଣି ଓ ସ୍ୱର୍ଣ୍ଣପତ୍ରଖଚିତ ଗମ୍ବୁଜ, ମଲମଲ ପଥରର ଗୋଲାପଫୁଲ ଏବଂ ଭିତରର ହୋରୀକୁଣ୍ଡ ଏହାର ଶୋଭାକୁ ଅତୁଳନୀୟ କରିଛି । ଦୁର୍ଗର ସୁସଜ୍ଜିତ ଅସଂଖ୍ୟ ପ୍ରକୋଷ୍ଠ ସେ କାଳରେ ମୂକସାକ୍ଷୀରୂପେ ବିଦ୍ୟମାନ ।

 

ପ୍ରାଚୀନକାଳରେ ଅସ୍ତ୍ରଶସ୍ତ୍ର, କାରୁକାର୍ଯ୍ୟ, ପୋଷାକ, ହସ୍ତଶିଳ୍ପ, ପଥର ଓ ପିତଳର ବିଭିନ୍ନ ମୂର୍ତ୍ତି ଯାଦୁଘରେ ସୁରକ୍ଷିତ । ମହାଲକ୍ଷ୍ମୀ ରାଜା ଶମ୍ଭୁସିଂହଙ୍କର କାଚମହଲର କାଚଚଟାଣ, କାନ୍ଥ ଓ ଛାତ ଆଦିର ସାଜସଜା, ଉମାଶିବ ବିଗ୍ରହ, ସୂର୍ଯ୍ୟନାରାୟଣଙ୍କର ସୁନାମୂର୍ତ୍ତି ଓ ସୁନାଛତ୍ରୀ, କାଚର ମୟୂର ଏବଂ ମାଣିକମହଲର ଶୋଭା ଅନୁପମ । କାନ୍ଥର ବିଭିନ୍ନ କାଚରେ ଦର୍ଶକର ପ୍ରତିଚ୍ଛାୟା ପଡ଼ି ଶହ ଶହ ପ୍ରତିବିମ୍ବ ସୃଷ୍ଟି କରେ । ଦୁର୍ଗଠାରୁ ହ୍ରଦକୂଳକୁ ଯାଇ ନୌକାରେ ପାର ହେବାକୁ ପଡ଼ିଲା । କିଛି ଦୂରରେ ହ୍ରଦ ମଧ୍ୟରେ ଅବସ୍ଥିତ ହ୍ରଦପ୍ରାସାଦ ପାଖରେ ନୌକା ଲାଗିଲା । ହ୍ରଦପ୍ରସାଦ ଏକ କ୍ଷୁଦ୍ର ପଠାରେ ଅବସ୍ଥିତ । ବହୁ ଦର୍ଶକ ମୋର ସହଯାତ୍ରୀ ହୋଇଥାନ୍ତି । ସେଠାରେ ଜଣେ ପ୍ରଦର୍ଶକ ଆମ୍ଭମାନଙ୍କୁ ବହୁ ସମୟ ବୁଲାଇ ସମସ୍ତ ସ୍ଥାନ ତନ୍ନ ତନ୍ନ କରି ଦେଖାଇ ବୁଝାଇ ଦେଲେ । ହ୍ରଦମଧ୍ୟରେ ଦୁଇଟି ବିରାଟ ପ୍ରାସାଦ । ଗୋଟିଏ ଜଗନିବାସ ଅନ୍ୟଟି ଜଗମନ୍ଦିର । ଦୁଇଟି ଯାକ ପ୍ରାସାଦ ଚିତ୍ର ପୂର୍ଣ୍ଣ । ଧାରମାନ ମଲମଲ ପଥରରେ ତିଆରି । କାଚର କାନ୍ଥ ଓ ରୂପା ଏବଂ କାତର ସିଂହାସନ । ପ୍ରତ୍ୟେକ ପ୍ରକୋଷ୍ଠର ଚାରିଆଡ଼େ ଦର୍ପଣ ଖଚିତ । ମୂଲ୍ୟବାନ୍ କାଚର ଏକ ସୁନ୍ଦର ପାଲିଙ୍କି ମଧ୍ୟ ଏଠାରେ ସୁରକ୍ଷିତ । ଜଗନିବାସଟି ସାନ ସାନ କୋଠରୀରେ ପୂର୍ଣ୍ଣ । ଉଦୟପୁରର ପ୍ରାଚୀନ ରାଜାମାନଙ୍କର ପ୍ରତିକୃତି ଏଠାରେ ସୁରକ୍ଷିତ । ହସ୍ତଶିଳ୍ପର ନମୁନାସ୍ୱରୂପ ପ୍ରାକୃତିକ ଦୃଶ୍ୟାବଳିର ଛବି ମଧ୍ୟ କାନ୍ଥମାନଙ୍କରେ ଟଙ୍ଗା ଯାଇଛି । ଏଠାକାର ଖଣ୍ଡିଏ ଫ୍ରେମ୍‌ବନ୍ଧେଇ ଛବି ଦର୍ଶକମାନଙ୍କୁ ଗୋଲକଧନ୍ଦାରେ ପକାଏ । ଚିତ୍ରଟିକୁ ଡାହାଣ ଆଡ଼ୁ ଚାହିଁଲେ ସିଂହ, ସାମନାରୁ ଚାହିଁଲେ ଓଟ ଏବଂ ବାମଆଡ଼ୁ ଚାହିଁଲେ ବାଘ ପରି ଦେଖାଯାଏ । ୩ ଖଣ୍ଡ ବିଭିନ୍ନ କାଚ ଦେଇ ଏପରି ବନ୍ଧାଯାଇଛି ଯେ, ଯେ କୌଣସି ଦର୍ଶକ ଏଥିରେ ଅଭିଭୂତ ହୋଇପଡ଼ିବ ।

 

ଜଗମନ୍ଦିର ଏକ ତ୍ରିତଳ ପ୍ରାସାଦ । ସପ୍ତଦଶଶତାବ୍ଦୀର ଶେଷ ଭାଗରେ ଏହା ନିର୍ମିତ ହୋଇଥିଲା । ପ୍ରାଚୀର ଲାଲ ପଥର ଖଚିତ ମଲମଲ ପଥରରେ ତିଆରି । ଉପରେ ଏକ ଉଚ୍ଚ ଗମ୍ବୁଜ । ମେଜିଆ କାଳା ଓ ଧଳା ମଲମଲ ପଥରରେ ତିଆରି । ପ୍ରୀଚୀନ ରାଜାମାନଙ୍କ ପ୍ରତିକୃତି, ବିଭିନ୍ନ ଛବି, ରାଜବାଟୀ-ସାଜସଜାର ଉପକରଣ ଓ ଅନେକ ମୂଲ୍ୟବାନ୍ ଦୁଷ୍ପ୍ରାପ୍ୟ ପଦାର୍ଥ ଏଠାରେ ଦେଖିବାକୁ ମିଳେ । ଉଦୟପୁର ସହରଟି ବେଶ୍ ପରିଚ୍ଛନ୍ନ । ରାସ୍ତାଗୁଡ଼ିକ ପ୍ରଶସ୍ତ । ଏହା ଏକ ବ୍ୟବସାୟ କେନ୍ଦ୍ର । ଏ ଅଞ୍ଚଳରେ ବହୁ ପରିମାଣରେ ପଣ୍ୟଦ୍ରବ୍ୟ ଓଟପିଠିରେ ବୁହାଯାଏ । ମୋଟର, ବାସ୍, ଟାଙ୍ଗା ଏବଂ ରିକ୍‌ସା ପ୍ରଭୃତିର ସୁବିଧା ଏଠାରେ ଅଛି । ଏଠାକାର ଅଧୀବାସୀ ବୀର ରାଜପୁତ । ସ୍ତ୍ରୀମାନେ ସୁନ୍ଦରୀ ଓ ଅଳଙ୍କାରପ୍ରିୟା । ସମସ୍ତେ ଧର୍ମପ୍ରାଣ । ଏଠାରେ ବହୁପରିମାଣିରେ ମୟୂର ଦେଖାଯାନ୍ତି । ଏହାର ଆଖପାଖ ପାର୍ବତ୍ୟ ଅଞ୍ଚଳର ଦୃଶ୍ୟ ଅତୀବ ମନୋରମ । କବି, ଲେଖକ, ଦାର୍ଶନିକ ଓ ଭାବୁକମାନଙ୍କ ପାଇଁ ଏହା ଉପଭୋଗ୍ୟ ସ୍ଥାନ ।

☆☆☆

 

ଦ୍ୱାରକା

 

ଭାରତର ଚାରିଧାମ ମଧ୍ୟରେ ଦ୍ୱାରକା ଅନ୍ୟତମ । ଏହା ଭାରତର ପଶ୍ଚିମଭାଗରେ ଆରବ ସାଗରକୂଳରେ ଅବସ୍ଥିତ । ଉଦୟପୁରଠାରୁ ଗୁଜୁରାଟ ଓ ସୌରାଷ୍ଟ୍ର ପ୍ରଭୃତି ଦେଇ ଏଠାକୁ ଯିବାକୁ ହୁଏ । ଏହାର ଦୂରତା ଉଦୟପୁରଠାରୁ ୫୮୬ ମାଇଲ । ଗାଡ଼ି ଛୋଟ ଓ ଧୀରମନ୍ଥର ଗତିରେ ଚାଲେ । ୫୮୬ ମାଇଲ ରାସ୍ତା ଯିବା ପାଇଁ ୩ଦିନ ଲାଗିଲା । ରେଳଯାତ୍ରା ବଡ଼ କଷ୍ଟପ୍ରଦ ହେଲା ।

 

ଏଠାରେ ଯାତ୍ରୀମାନଙ୍କ ପାଇଁ ଏକାଧିକ ଧର୍ମଶାଳା ଅଛି । ସହରର ମଧ୍ୟସ୍ଥଳରେ ଓ ମନ୍ଦିର ନିକଟରେ ଥିବା ମହାଲକ୍ଷ୍ମୀ ଲଜ୍‌ରେ ରହିଲି । ଧର୍ମଶାଳାରେ ନିତ୍ୟକର୍ମ ସାରି ମନ୍ଦିର ଦେଖି ବାହାରିଲି । ମନ୍ଦିରଟି ଏଠାରୁ—ପ୍ରାୟ ୧ ଫରଲଙ୍ଗ ଦୂର । ଏହା ଆରବସାଗର ଉପକଣ୍ଠରେ ଅବସ୍ଥିତ । ନିକଟତମ ସମୁଦ୍ରକୂଳରେ ଗୋମତୀଘାଟ । ଗୋଟିଏ ପ୍ରଧାନ ମନ୍ଦିରଗାତ୍ରରେ ଅସଂଖ୍ୟ ମନ୍ଦିର ନିର୍ମିତ ହୋଇଥିବାରୁ ମନ୍ଦିରଟି ଚିତ୍ତାକର୍ଷକ । କୃଷ୍ଣଙ୍କର କମନୀୟମୂର୍ତ୍ତି ମନ୍ଦିରରେ ପୂଜିତ । ଖୋଦିତ କାରୁକାର୍ଯ୍ୟମାନ ମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇ ଅଛି । ରୂପାର ମେଢ଼ମଧ୍ୟରେ ଭଗବାନ୍ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ଚକ୍ ଚକ୍ ଦେଖାଯାଏ । ପ୍ରଧାନ ମନ୍ଦିରର ସାଜସଜା ଅପୂର୍ବ । ଏହା ନିକଟରେ ଅନ୍ୟ ଏକ ମନ୍ଦିରରେ ଶାରଦାପୀଠର ଜଗଦ୍‌ଗୁରୁ ସ୍ୱାମୀ ଶ୍ରୀ ଶଙ୍କରଚାର୍ଯ୍ୟଙ୍କର ପ୍ରତିକୃତି ପୂଜିତ । ଅନ୍ୟ ଏକ ମନ୍ଦିରରେ ଜାମ୍ବବତୀ, ଶ୍ରୀରାଧା, ଲକ୍ଷ୍ମୀନାରାୟଣ, ଲକ୍ଷ୍ମୀ ଏବଂ ସତ୍ୟଭାମା ପ୍ରଭୃତିଙ୍କର ମଲମଲ ପଥରର ସୁନ୍ଦର ମୂର୍ତ୍ତି ପୂଜିତ । ବେଢ଼ାମଧ୍ୟରେ ତ୍ରିବିକ୍ରମ, ବେଣୀମାଧବ, ପ୍ରଦ୍ୟୁମ୍ନ, ଗାୟତ୍ରୀ ଅମ୍ବିକା ଓ କାଶୀ ବିଶ୍ୱନାଥ ପ୍ରଭୃତିଙ୍କର ସାନ ସାନ ମନ୍ଦିର ପ୍ରତିଷ୍ଠିତ । ମନ୍ଦିରର ଆଖପାଖରେ ବହୁତ ଦୋକାନ । ରାସ୍ତାଗୁଡ଼ିକ ସଂକୀର୍ଣ୍ଣ । ସହରଟି କ୍ଷୁଦ୍ର ହେଲେ ହେଁ ଏକ ପ୍ରଧାନ ତୀର୍ଥସ୍ଥଳ ହେତୁ ପୁରୀ ପରି ବର୍ଷସାରା ଏଠାରେ ଜନଗହଳି ଲାଗିଥାଏ । ଏଠାକାର ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଯାତ୍ରୀମାନଙ୍କଠାରୁ ଚାରିଅଣା ଯାତ୍ରିକର ବାଧ୍ୟ କରି ଆଦାୟ କରନ୍ତି । କର ନ ଦେଲେ ସହର ଭିତରକୁ ପ୍ରବେଶ ନିଷେଧ । ସ୍ନାନ କରିବା ଲାଗି ଗୋମତୀଘାଟରେ ଖୁବ୍ ଭିଡ଼ ହୁଏ । ଏଠାରେ ଯାତ୍ରୀମାନେ ବହୁ ସଂଖ୍ୟାରେ ଆସି ସ୍ନାନ ତର୍ପଣାଦି କରନ୍ତି ।

☆☆☆

 

ଦ୍ୱାରକାଦ୍ୱୀପ

 

ଦ୍ୱାପରଯୁଗର ପ୍ରକୃତ ଦ୍ୱାରକା ଆଜି ଜଳମଗ୍ନ । ତାର କେତେକାଂଶ ଆରବସାଗର ମଧ୍ୟରେ ଏକ କ୍ଷୁଦ୍ର ଭୂଭାଗରୂପେ ଅବସ୍ଥିତ । ଏଠାକୁ ଯିବାକୁ ହେଲେ ୨ ମାଇଲ ସମୁଦ୍ରଭିତରକୁ ଯିବାକୁ ପଡ଼େ ।

 

ଦ୍ୱାରକାର ମହାଲକ୍ଷ୍ମୀ ପାଖରେ ବସ୍‌ଷ୍ଟାଣ୍ଡ । ସେଠାରୁ ୨୦ ମାଇଲ ବସ୍‌ରେ ଗଲାପରେ ଦ୍ୱାରକାଦ୍ୱୀପ ପାଖ ସମୁଦ୍ରକୂଳରେ ପହଞ୍ଚିଲି । ବାସ୍‌ରେ ଆଉ ୨୦ ।୨୫ ଜଣ ଯାତ୍ରୀ ଥାଆନ୍ତି । ରାସ୍ତାଟି ପକ୍କା । ମୋଟରରେ ଗଲାବେଳେ ରାସ୍ତାକଡ଼ର ଦୃଶ୍ୟ ଦର୍ଶକକୁ ଆନନ୍ଦ ଦିଏ । ଏଠାରେ ଓହ୍ଲାଇ ପାଲଟଣା ଜାହାଜର ବସିଲି । ଏଥିରେ ୫୦ ।୬୦ ଜଣ ବସି ଯାଆନ୍ତି । କୂଳରୁ ଜାହାଜ ଛାଡ଼ିଲା । ପବନରେ ଜାହାଜଟି ଏପଟ ସେପଟ ଦୋହଲୁଥାଏ । ପ୍ରତି ମୁହୂର୍ତ୍ତରେ ବିପଦ ମାଡ଼ିଆସିଲା ପରି ଜଣା ପଡ଼ୁଥାଏ । ଅଧଘଣ୍ଟା ପରେ ଦ୍ୱାରକାଦ୍ୱୀପରେ ଜାହାଜ ଲାଗିଲା । ସବୁ ଯାତ୍ରୀ ଏକ ସଙ୍ଗରେ ମନ୍ଦିର ଅଭିମୁଖେ ଯାତ୍ରା କଲୁଁ । ସେତେବେଳକୁ ୧ଟା ବାଜିଥାଏ । ଏଣୁ ମନ୍ଦିର ବନ୍ଦ । ମନ୍ଦିରପାଖରେ ଗୋଟିଏ ଦୋକାନରେ ଜଳଯୋଗ କରି ଖରାବେଳଟି ସେହିଠାରେ କଟାଇଲି । ଦ୍ୱୀପଟି ଛୋଟ । ଏଥିରେ ପ୍ରାୟ ୧୦୦ ପର୍ଯ୍ୟନ୍ତ ବାସଗୃହ ଅଛି । ଅଧିକାଂଶ ଦୋକାନଘର । ରାସ୍ତାଗୁଡ଼ିକ ପକ୍କା ଓ ପରିଷ୍କୃତ । ଏହି ଦ୍ୱୀପଟିର କ୍ଷେତ୍ରଫଳ ୨୪ ବର୍ଗମାଇଲ । ଅଧିକାଂଶ ସ୍ଥାନ ଖାଲି ପଡ଼ିଥାଏ । ମନ୍ଦିରଟି ଖୁବ୍ ବଡ଼ ହେଲେ ମଧ୍ୟ ସାଧାରଣ ଧରଣର । କାରୁକାର୍ଯ୍ୟ ଏଥିରେ ନାହିଁ । ମୁଖ୍ୟମନ୍ଦିରଟି ଦ୍ୱାରକାଧୀଶଙ୍କ ମନ୍ଦିର । ଏଥିରେ ଶ୍ରୀକୃଷ୍ଣଙ୍କର କମନୀୟ ମୂର୍ତ୍ତି । ମନ୍ଦିରଭିତରେ ଶ୍ରୀକୃଷ୍ଣ ମୂର୍ତ୍ତି ପାଖରେ ସୁନାଖିଲିଣି । ତା’ ପାଖକୁ ଶ୍ରୀରାଧାଙ୍କ ମନ୍ଦିର ଓ ଗରୁଡ଼, ମାଧବ, ଦେବକୀମାତା, ପୁରୁଷୋତ୍ତମ, ଗୋବର୍ଦ୍ଧନନାଥଜୀ, ସତ୍ୟନାରାୟଣ ଏବଂ ଶେଷଅବତାର ପ୍ରଭୃତିଙ୍କର ଛୋଟ ଛୋଟ ମନ୍ଦିର ଅବସ୍ଥିତ । ମୂର୍ତ୍ତିଗୁଡ଼ିକ ଛୋଟ ଦେଲେ ହେଁ କମନୀୟ । କେତେକ ମନ୍ଦିରରେ କାଠର କାରୁକାର୍ଯ୍ୟ ଦେଖାଯାଏ । ଏଠାରେ ମିଶ୍ରି ଓ ନବାତ ପ୍ରଭୃତି ଭୋଗ କାରଯାଏ । ଯାତ୍ରୀମାନେ ଏଠାରେ ଖୁବ୍‌ ଭିଡ଼ କରନ୍ତି । ବେଢ଼ାମଧ୍ୟସ୍ଥ ଅନ୍ୟ ସବୁ ମନ୍ଦିର ଓ ମୁଖ୍ୟମନ୍ଦିର ଦର୍ଶନ କତରି ପ୍ରାୟ ୨ ଘଣ୍ଟାରେ ଫେରିଲି । ମନ୍ଦିରଠାରୁ ସମୁଦ୍ରକୂଳ ପ୍ରାୟ ୨ ଫରଲଙ୍ଗ । ୧୫ ମିନିଟ୍ ପରେ କୂଳରେ ପହଞ୍ଚିଲି । ଗୁଡ଼ିଏ ପାଲଟଣା ଜାହାଜ କୂଳରେ ଥାଏ । ସକାଳେ ଆସିଲାବେଳେ କୂଳରେ ଯେଉଁଯାଏ ପାଣି ଥିଲା, ଉପରଓଳି ଭଟ୍ଟା ପଡ଼ିବାରୁ ପ୍ରାୟ ୩ ।୪ ଫୁଟ ତଳେ ପାଣି ଥାଏ । ପବନ ସାଇଁ ସାଇଁ ବହୁଥାଏ । ପାଲଟଣାଜାହାଜ ଏ ପାଖ ସେ ପାଖ ଦୋହଲି ଯାତ୍ରୀମାନଙ୍କୁ ଭୟଭୀତ କରୁଥାଏ । ସମସ୍ତେ “ଦ୍ୱାରକାଧୀଶକୀ ଜୟ” କହି ପାଲଟଣା ଡଙ୍ଗାରେ ବସିଲୁଁ । ପ୍ରାୟ ଅଧଘଣ୍ଟା ପରେ କୂଳରେ କିସ୍ତି ଲାଗିଲା । ଆମ୍ଭେମାନେ ନିରାପଦରେ ଓହ୍ଲାଇଲୁଁ । କୂଳରେ ଅନେକଗୁଡ଼ିଏ ଲୁହାର ସ୍ତମ୍ଭ ପୋତାହୋଇ ନୂତନ କୃତ୍ରିମ ବନ୍ଦର ତିଆରି କାମ ଚାଲିଥାଏ । କୂଳର କିଛି ସଦୂର ଗଲେ ମୋଟର ଷ୍ଟାଣ୍ଡ । ବସ୍‌ଯୋଗେ ସନ୍ଧ୍ୟାବେଳକୁ ପୁଣି ଦ୍ୱାରକାସହରକୁ ଫେରି ଆସିଲି ।

☆☆☆

 

Unknown

ଉଜ୍ଜୟିନୀ

 

ଦ୍ୱାରକାଦର୍ଶନ ପରେ ଗୁଜୁରାଟ ଦେଇ ଉଜ୍ଜୟିନୀ ଯାତ୍ରା କଲି । ବାଟରେ ଭାରତର ପ୍ରସିଦ୍ଧ ଶିଳ୍ପକେନ୍ଦ୍ର ଅହମଦାବାଦ ପଡ଼ିଲା । ଏହା ଏକ ବଡ଼ ସହର । ଏଠାରେ ଶହ ଶହ ଲୁଗାକଳ-। ସବୁବେଳେ କଳକାରଖାନାର ଚିମିନି ଧୂଆଁରେ ସହରର ବାୟୁମଣ୍ଡଳ ମେଘାଚ୍ଛନ୍ନ ପରି ଧୂମ୍ରବର୍ଣ୍ଣ ଦେଖାଯାଏ । ଲୁଗାକଳ ପାଇଁ ଅହମଦାବାଦକୁ ଭାରତର “ମାଞ୍ଚେଷ୍ଟର” କହନ୍ତି । ଦ୍ୱାରକାରୁ ଉଜ୍ଜୟିନୀର ଦୂରତା ୫୬୦ ମାଇଲ । ମହାକବି କାଳିଦାସଙ୍କ ଜୀବନର ଅର୍ଦ୍ଧାଧିକ ଭାଗ ଯେଉଁ ପୁଣ୍ୟକ୍ଷେତ୍ରରେ ଅତିବାହିତ ହୋଇଛି, ଯାର ଦର୍ଶନରେ ଭାବୁକ, କବି ତଥା ଦାର୍ଶନିକର ମନରେ କାଳିଦାସଙ୍କ ଜୀବନୀ ଆପେ ଆପେ ଗୁଞ୍ଜରି ଉଠେ, ଅବନ୍ତିକାର ରାଜଧାନୀ ଓ ବିଖ୍ୟାତ ମହାକାଳମନ୍ଦିର ହୋଇଛି ଯାହାର ଗୌରବୋଜ୍ଜ୍ୱଳ ମହିମା, ସେହି ଉଜ୍ଜୟିନୀନଗରୀ ଆଜି ଆଧୁନିକ ମଧ୍ୟପ୍ରଦେଶ ଏକ ବିଖ୍ୟାତ ନଗରୀ । ଶିପ୍ରାନଦୀକୂଳରେ ଏହା ଅବସ୍ଥିତ । ଭାରତର ସପ୍ତମୋକ୍ଷଦାୟୀ ତୀର୍ଥମାନଙ୍କ ମଧ୍ୟରେ ଏହା ଅନ୍ୟତମ ।

 

“ଅଯୋଧ୍ୟା, ମଥୁରା, ମାୟା, କାଶୀ, କାଞ୍ଚିରବନ୍ତିକା ।

ପୁରୀ, ଦ୍ୱାରାବତୀ ଚୈବ, ସପ୍ତୈତା ମୋକ୍ଷଦାୟିକାଃ ।।”

 

ଉଜ୍ଜୟିନୀର ପ୍ରାଚୀନ ନାମ ଅବନ୍ତିକା । ଆଧୁନିକ ପ୍ରାସାଦମାଳା, ଧର୍ମଶାଳା ଓ ମନ୍ଦିର ପ୍ରଭୃତିରେ ନଗରୀଟି ପରିପୂର୍ଣ୍ଣ । ପୁରାଣରେ ବର୍ଣ୍ଣିତ, ଏହି ନଗରୀ ପୃଥିବୀର ନାଭିଦେଶରେ ଅବସ୍ଥିତ । ଏହାର ପ୍ରସିଦ୍ଧିମୂଳରେ ଅଛି—ବିଦ୍ୱାନ ମହାରାଜା ବିକ୍ରମାଦିତ୍ୟଙ୍କ ରାଜଧାନୀ, ନବରତ୍ନମଣ୍ଡଳୀର ଚର୍ଚ୍ଚାକ୍ଷେତ୍ର, ମହାକବି କାଳିଦାସଙ୍କ ଅମରକାବ୍ୟ ରଚନାସ୍ଥଳ, ପୁଣ୍ୟତୋୟା ଶିପ୍ରା ଏବଂ ମହାକାଳେଶ୍ୱର ମନ୍ଦିର । ବାମନପୁରାଣରେ ଉଲ୍ଲେଖ ଅଛି, ପ୍ରହ୍ଲାଦ ଶିପ୍ରାରେ ସ୍ନାନ କରି ପୂତ ହୋଇ ବିଷ୍ଣୁ ଓ ଶିବଙ୍କର ଦର୍ଶନ ପାଇଥିଲେ । ମହାଭାରତ ଉଦ୍ୟୋଗପର୍ବରେ ବର୍ଣ୍ଣିତ, ଏହି ରାଜବଂଶର ରାଜା ବିନ୍ଦୁ ଓ ଅନବିନ୍ଦୁ ମହାଭାରତଯୁଦ୍ଧରେ କୌରବମାନଙ୍କ ପକ୍ଷରେ ଯୁଦ୍ଧ କରିଥିଲେ । ବୌଦ୍ଧଗ୍ରନ୍ଥ ବର୍ଣ୍ଣିତ, ପାଲିଭାଷାର ଜନ୍ମସ୍ଥାନ ହେଉଛି ଏହି ଅବନ୍ତିକା । ଭାରତ ବିଖ୍ୟାତ ରାଜା ପ୍ରଦ୍ୟୋତ ଓ ଉଦୟନ ଏଠାରେ ରାଜୁତି କରୁଥିଲେ । ବୌଦ୍ଧଧର୍ମର ପ୍ରଚାର ନିମିତ୍ତ ଅଶୋକଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଙ୍ଘମିତ୍ରା ଏଠାକୁ ଆସିଥିଲେ ବୋଲି ଇତିହାସ କହେ । ରାଜର୍ଷିଭର୍ତ୍ତୃହରି ଏଠାରେ ରାଜ୍ୟଶାସନ କରୁଥିଲେ । ଏହାର ଉତ୍ତରକୁ ୬ ମାଇଲ ଦୂରରେ ଏବେ ସୁଦ୍ଧା ଭର୍ତ୍ତୃହରିଗୁମ୍ପା ଏହାର ମୂକସାକ୍ଷୀ ରୂପେ ରହିଛି । ଶ୍ରୀମଦ୍ଭାଗବତ ବର୍ଣ୍ଣିତ, ଏହି ଅବନ୍ତିକାର ସନ୍ଦୀପନୀ ଆଶ୍ରମକୁ ବିଦ୍ୟାଧ୍ୟୟନ ନିମିତ୍ତ ଶ୍ରୀକୃଷ୍ଣ ଓ ବଳରାମ ବାଲ୍ୟକାଳରେ ଆସିଥିଲେ । ଦୁର୍ଦ୍ଧର୍ଷଶକମାନଙ୍କୁ ଭାରତରୁ ବିତାଡ଼ିତ କରି ବିକ୍ରମାଦିତ୍ୟ ଶକାବ୍ଦ ଚଳାଇଥିଲେ । ମହାକବି କାଳିଦାସ ତାଙ୍କର ଅମର କାବ୍ୟ ମେଘଦୂତରେ ଉଜ୍ଜୟିନୀ ନଗରୀର ବର୍ଣ୍ଣନା ଚମତ୍କାରଭାବେ କରିଛନ୍ତି—

 

“ବକ୍ରଃ ପନ୍ଥା ଯଦପି ଭବତଃ ପ୍ରସ୍ଥିତସ୍ୟୋତ୍ତରାଶାଂ

ସୌଧୋତ୍ସଙ୍ଗପ୍ରଣସବିମୁଖୋ ମା ସ୍ମ ଭୂରୁଜ୍ଜୟିନ୍ୟାଃ ।

ବିଦ୍ୟୁଦ୍ଦାମସ୍ଫୁରିତଚକିତୈସ୍ତତ୍ର ପୌରାଙ୍ଗନାନାଂ

ଲୋଳାପାଙ୍ଗୈର୍ଯଦି ନ ରମସେ ଲୋଚନୈର୍ବଞ୍ଚିତୋଽସି ।”

“ପ୍ରାପ୍ୟାବନ୍ତୀନୁଦୟନକଥାକୋବିଦଗ୍ରାମବୃଦ୍ଧାନ୍

ପୂର୍ବୋଦ୍ଦିଷ୍ଟାମନୁସର ପୁରୀଂ ଶ୍ରୀବିଶାଳାଂ ବିଶାଳାମ୍ ।

ସ୍ୱଳ୍ପୀଭୂତେ ସୁଚରିତଫଳେ ସ୍ୱର୍ଗିଣାଂ ଗାଂ ଗତାନାଂ

ଶେଷୈଃ ପୁଣ୍ୟୈର୍ହୃତମିବ ଦିବଃ କାନ୍ତିମତ୍‌ଖଣ୍ଡମେକମ୍ ।”

“ହାରାଂସ୍ତାରାଂସ୍ତରଳଘୁଟିକାନ୍ କୋଟିଶଃ ଶଙ୍ଖଶୁକ୍ତୀଃ ।

ଶଷ୍ପଶ୍ୟାମାନ୍ ମରକତମଣୀନୁନ୍‌ମୟୁ ଖପ୍ରରୋହାନ୍ ।

ଦୃଷ୍ଟ୍ୱା ଯସ୍ୟାଂ ବିପଣିରଚିତାନ୍ ବିଦ୍ରୁମାଣାଞ୍ଚଭଙ୍ଗାନ୍

ସଂଲକ୍ଷ୍ୟନ୍ତେ ସଲିଳନିଧୟସ୍ତୋୟମାତ୍ରାବଶେଷାଃ ।”

“ଦୀର୍ଘାକୁର୍ବନ୍ ପଟୁମଦକଳଂ କୂଜିତଂ ସାରସାନାଂ

ପ୍ରତ୍ୟୂଷେଷୁ ସ୍ଫୁଟିତକମଳାମୋଦମୈତ୍ରୀକଷାୟଃ ।

ଯତ୍ର ସ୍ତ୍ରୀଣାଂ ହରିତ ସୁରଚଗ୍ଲାନିମଙ୍ଗାନୁକୂଳଃ

ଶିପ୍ରାବାତଃ ପ୍ରିୟତମ ଇବ ପ୍ରାର୍ଥନାଚାଟୁକାରଃ ।”

 

ନଗରୀର ଦକ୍ଷିଣଭାଗରେ ପୁଣ୍ୟତୋୟା ଶିପ୍ରାନଦୀ । ଏହାର ଗତି କ୍ଷିପ୍ରଥିବାରୁ ଏହାର ନାମ ଥିଲା “କ୍ଷିପ୍ରା” । ଏହା କାଳକ୍ରମେ “ଶିପ୍ରା” ନାମରେ କଥିତ ହେଲା । ଏହାର ପ୍ରସ୍ଥ ପ୍ରାୟ ୪୦ ଫୁଟ ହେଲେ ସୁଦ୍ଧା ଏହା ଭାରତ ବିଖ୍ୟାତ । ଉତ୍କଳର ମହାନଦୀ ଆଜି ଅଜ୍ଞାତ ମାତ୍ର ଶିପ୍ରା ଭାରତ ବିଖ୍ୟାତ । ଏହା ଉତ୍କଳପକ୍ଷରେ ଦୁର୍ଭାଗ୍ୟର ବିଷୟ ନୁହେଁ ତ ଆଉ କଅଣ ? ଶିପ୍ରା କଟକର ତାଳଦଣ୍ଡାକେନାଲ ପରି । ତେଣୁ କବିବର ରାଧାନାଥ ଖେଦ ପ୍ରକାଶ କରି କହିଛନ୍ତି:–

 

“କ୍ଷୁଦ୍ର ଶିପ୍ରାନଦୀ ବିଦିତ ଜଗତେ ।

ମହାନଦୀ ନାମ ରହିଲା ଗୁପତେ ।।

ସ୍ୱରୂପା ଅଂଶୁପା ଲୋକେ ଅଗୋଚର ।

ପୂଜାସ୍ପଦ ହେଲା ଗୋସ୍ପଦ ପୁଷ୍କର ।।”

 

ଏହାର ତ୍ରିବେଣୀଘାଟ ଜନାକୀର୍ଣ୍ଣ । ଯାତ୍ରୀମାନେ ଏଠାରେ ସ୍ନାନ କରି ତର୍ପଣ ପ୍ରଭୃତି କରନ୍ତି । ବିକ୍ରମାଦିତ୍ୟଙ୍କ ପରେ ଏହାର ପ୍ରସିଦ୍ଧି ମ୍ଲାନ ହେଲା । ଆଧୁନିକ ଉଜ୍ଜୟିନୀ ନଗରୀ ଷ୍ଟେସନର ଖୁବ୍ ନିକଟରେ । ଏଠାରେ ବହୁତ ଧର୍ମଶାଳା ଅଛି । ପ୍ରାଚୀନ ନଗରୀର ପରିଚାୟକରୂପେ କେବଳ କେତେ ସ୍ତୂପ, ଭଗ୍ନମନ୍ଦିର ଓ ଧ୍ୱଂସାବଶେଷ ରହିଛି ।

 

ମହାକାଳମନ୍ଦିର ଦ୍ୱାଦଶ ଜ୍ୟୋତିଲିଙ୍ଗ ମଧ୍ୟରେ ତଥା ଏକାବନଟି ଶକ୍ତିପୀଠ ମଧ୍ୟରେ ଅନ୍ୟତମ । ଦକ୍ଷଯଜ୍ଞ ପରେ ମହାଦେବ ରୁଷ୍ଟ ହୋଇ ସତୀଙ୍କର ମୃତଦେହକୁ କାନ୍ଧରେ ରଖି ତାଣ୍ଡବନୃତ୍ୟ କରି ଯାଉଥିଲାବେଳେ ସୁଦର୍ଶନଚକ୍ରର ଆଘାତ ଫଳରେ ସତୀଙ୍କର ଦକ୍ଷିଣକହୁଣୀ ଏଠାରେ ପଡ଼ିଥିଲା । ରୁଦ୍ରସାଗର ପୁଷ୍କରିଣୀତଟରେ ଥିବା ହରସିଦ୍ଧି ଦେବୀମନ୍ଦିରରେ ସତୀଙ୍କର କହୁଣୀ ଏବେ ସୁଦ୍ଧା ତାର ପ୍ରତୀକ ସ୍ୱରୂପ ପୂଜିତ । ଏହା ମର୍ତ୍ତ୍ୟଲୋକର ସର୍ବଶ୍ରେଷ୍ଠ ଲିଙ୍ଗପୀଠ ବୋଲି କଥିତ । ପୁରାଣରେ ବର୍ଣ୍ଣିତ :–

 

“ଆକାଶେ ତାରକଲିଙ୍ଗଃ ପାତାଳେ ହଟକେଶ୍ୱରଃ

ମୃତ୍ୟୁଲୋକେ ମହାକାଳଃ ଲିଙ୍ଗକ୍ରୟଂ ନମୋଽସ୍ତୁତେ ।।”

 

ମହାକାଳଲିଙ୍ଗଙ୍କର ଆବିର୍ଭାବ ବିଷୟରେ ଏକ ସୁନ୍ଦର ଆଖ୍ୟାୟିକା ଶୁଣାଯାଏ । ରତ୍ନାମାଳାଗିରି ଉପରେ ଦୂଷଣନାମକ ରାକ୍ଷସ ବ୍ରାହ୍ମଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ବର ପାଇଲା ପରେ ଶିବଭକ୍ତମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲା । ଉଜ୍ଜୟିନୀ ଶୈବପୀଠ ହୋଇଥିବାରୁ ଏଠାରେ ତାର ଅତ୍ୟାଚାର ଅତି ମାତ୍ରାରେ ବଢ଼ିଗଲା । ଏହି ନଗରୀ ଧୂଳିସାତ୍ ହେଲା । ପ୍ରଜାମାନେ ପ୍ରାଣଭୟରେ ଏଣେ ତେଣେ ପଳାଇଗଲେ । ଜଣେ ଶିବଭକ୍ତ ବ୍ରାହ୍ମଣ ଶିବଙ୍କ ଉପାସନାରେ ଥିବାବେଳେ ରାକ୍ଷସ ତାଙ୍କୁ ଆକ୍ରମଣ କଲା । ତେଣୁ ଶିବ କୋପାବିଷ୍ଟ ହୋଇ ମହାକାଳରୂପ ଧାରଣ କରି ଦୂଷଣକୁ ହତ୍ୟା କଲେ । ସେହିଦିନୁ ଶିବ ମହାକାଳରୂପେ ଏହି ମନ୍ଦିରରେ ପୂଜିତ । ମନ୍ଦିରଟି ଉଚ୍ଚ, ମାତ୍ର ସାଧାରଣଧରଣର । ଲିଙ୍ଗ ଖୁବ୍ ଉଚ୍ଚ, ସେଥିରେ ଶିବଙ୍କର ମୁଖ ପରିସ୍ଫୁଟ । ହତାଭିତର ସେତେ ପରିଷ୍କୃତ ନୁହେଁ । ଏଠାରେ ଦିନକୁ ୩ଥର ପୂଜାପାଠ ହୁଏ । ଭୋର ୪ଟା ସମୟରେ ଚିତାଭସ୍ମ ପୂଜା ହୁଏ । ଶହ ଶହ ଶୈବଧର୍ମୀବଲମ୍ବୀ ଆରତି ସମୟରେ ଏଠାକୁ ଆସି ମନ୍ଦିରକୁ ଶିବ ସ୍ତୋତ୍ର ଗାନରେ ମୁଖରିତ କରନ୍ତି । ପ୍ରତିବର୍ଷ ଏଠାରେ ଶିବରାତ୍ରି ମେଳା ଦର୍ଶନଯୋଗ୍ୟ । ଆଖପାଖ ଅଞ୍ଚଳରୁ ହଜାର ହଜାର ହିନ୍ଦୁଯାତ୍ରୀ ଏଠାରେ ମିଳିତ ହୁଅନ୍ତି । ବିଜୟାଦଶମୀ ଦିନ ଏଠାରେ ଏକ ଉତ୍ସବ ପାଳିତ ହୁଏ । ସେ ଦିନ ମହାକାଳେଶ୍ୱର ନଗରୀ ପରିକ୍ରମା କରନ୍ତି । ବହୁତ ତୋପ ଓ ବାଣ ଫୁଟେ । ମହାକାଳେଶ୍ୱର ଲିଙ୍ଗ ଉପରେ “ଓଁ” ଲେଖା ଅଛି । ରୂପାପାତ୍ରରୁ ଅହରହ ଜଳଧାରା ନିର୍ଗତ ହୋଇ ମହାକାଳେଶ୍ୱରଲିଙ୍ଗ ଉପରେ ପଡ଼ୁଥାଏ । ପାର୍ବତୀ, ଗଣେଶ ଓ କାର୍ତ୍ତିକେୟ ପ୍ରଭୃତିଙ୍କର ମନୋରମ ମୂର୍ତ୍ତି ମଧ୍ୟ ଏଠାରେ ପୂଜା ପାଆନ୍ତି । ମହାକାଳେଶ୍ୱର–ସଭାମଣ୍ଡପରେ ଶ୍ରୀରାମମନ୍ଦିର ବିଦ୍ୟମାନ । ଅପରପାର୍ଶ୍ୱରେ ଅବନ୍ତୀନଗରୀର “ପୁରଦେବୀ”ଙ୍କ ମନ୍ଦିର । ମନ୍ଦିରର ଏକ ପାର୍ଶ୍ୱରେ ହରଗୌରୀଙ୍କ ପାଣିଗ୍ରହଣ–ମୂର୍ତ୍ତି ବେଶ୍ କମନୀୟ । ଏତେ ତେଣେ ବହୁ ଶିବଲିଙ୍ଗ ଦେଖାଯାନ୍ତି । ସାମନାରେ ଛୋଟ ପୋଖରୀଟିଏ ।

 

ମହାକାଳମନ୍ଦିରଠାରୁ ଘୋଡ଼ାଗାଡ଼ି କରି ନଗର ପରିକ୍ରମାରେ ବାହାରିଲି । କିଛି ଦୂରରେ “ବଡ଼େ ଗଣେଶଜୀମନ୍ଦିର” । ବିନାୟକ ପ୍ରତିମାର ଉଚ୍ଚତା ୨୦ ଫୁଟ ଓ ପ୍ରସ୍ଥ ୧୦ ଫୁଟ । ମନ୍ଦିରର ମଧ୍ୟ ଭାଗରେ ସପ୍ତଧାତୁ ନିର୍ମିତ ହନୁମାନଙ୍କର ପଞ୍ଚମୁଖୀ ପ୍ରତିମା । ମନ୍ଦିର କ୍ଷୁଦ୍ର ହେଲେ ହେଁ ବିନାୟକଙ୍କ ମୂର୍ତ୍ତି ଓ ସାଜସଜା ସୁନ୍ଦର । ଗଣେଶଙ୍କର ଏପରି ବିଶାଳ ମୂର୍ତ୍ତି ଭାରତର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ ।

 

ହରିସିଦ୍ଧି ମନ୍ଦିର ରୁଦ୍ରସାଗର-ପୁଷ୍କରିଣୀକୂଳରେ ଅବସ୍ଥିତ । ମନ୍ଦିରଟି ଛୋଟ । ବିକ୍ରମାଦିତ୍ୟଙ୍କ ଆରାଧ୍ୟ ଦେବୀ “ହରସିଦ୍ଧି” ଏଠାରେ ପ୍ରତିଷ୍ଠିତା । ମନ୍ଦିରର ଦ୍ୱାରଦେଶରେ ଦୁଇଟି ଦୀପସ୍ତମ୍ଭ ଅଛି । ପ୍ରବାଦ ଅଛି, ଚଣ୍ଡ ପ୍ରଚଣ୍ଡ ନାମକ ଅସୁରଙ୍କୁ ଦୁର୍ଗାଦେବୀ ଏଠାରେ ବିନାଶ କରିଥିଲେ ।

 

ମହାରାଜା ବିକ୍ରମାଦିତ୍ୟଙ୍କ କମନୀୟ ତଥା ବିରାଟ ପ୍ରତିମୂର୍ତ୍ତି ବିକ୍ରମମନ୍ଦିରରେ ପୂଜିତ । ବିକ୍ରମାଦିତ୍ୟଙ୍କ ମହନୀୟତା, ତ୍ୟାଗ, ରାଜ୍ୟଜୟ ଓ ବିଦ୍‌ବତ୍ତା ତାଙ୍କୁ ଏପରି ମହାନ୍ କରାଇପାରିଛି । ଭାରତର ଅନ୍ୟକୌଣସି ରାଜା ମନ୍ଦିର ମଧ୍ୟରେ ରହି ଦେବତାଙ୍କ ପରି ପୂଜା ପାଆନ୍ତି ନାହିଁ । ରାଜପୋଷାକ ଓ ଅସ୍ତ୍ରରେ ମୂର୍ତ୍ତିଟି ସୁସଜ୍ଜିତ ।

 

ପୁଣ୍ୟତୋୟା ଶିପ୍ରା କଳକଳନାଦରେ ଉଜ୍ଜୟିନୀର ଯଶ ଗାନ କରି ପ୍ରବହମାନା । ଏହାର କୂଳରେ ବହୁତ ଦେବଦେବୀ ମନ୍ଦିର ଓ ସ୍ନାନଘାଟ । ଘାଟକୂଳରେ ଅସଂଖ୍ୟ ଦୋକାନ । ଚନ୍ଦନ, ସିନ୍ଦୂର, ମାଳା ଓ ତିଳକପ୍ରଭୃତି ଏଠାରେ ବହୁ ପରିମାଣରେ ବିକ୍ରିତ ହୁଏ । ପୁରାଣରେ ବର୍ଣ୍ଣିତ, ଏହା ବିଷ୍ଣୁଙ୍କ ଅଙ୍ଗରୁ ନିର୍ଗତ । ସକାଳ ଓ ସଂନ୍ଧ୍ୟାରସମୟରେ ଏହାର ଦୃଶ୍ୟ ଅତୀବ ରମଣୀୟ । ଶଙ୍କରଜୀ ଓ ଗଙ୍ଗାଜୀ ପ୍ରଭୃତିଙ୍କ ମନ୍ଦିର ଏହା କୂଳରେ ଅବସ୍ଥିତ । ବହୁ ସାଧୁସନ୍ଥ ଏହାର କୂଳରେ ମଠବାଡ଼ି କରି ବାସ କରନ୍ତି । କୂଳେ କୂଳେ ଅସଂଖ୍ୟ ଶିବମନ୍ଦିର । ତ୍ରିବେଣୀଘାଟରେ ଏକ ମଲମଲ ପଥର ମନ୍ଦିରରେ ଗୌରୀମୂର୍ତ୍ତି ଓ ଶିବଲିଙ୍ଗ । ଏହି ଘାଟର ଠିକ୍ ଉପରକୁ ଗୁରୁଦତ୍ତାତ୍ରେୟ ଆଖଡ଼ା । ଏଠାରେ ବହୁ ସାଧୁସନ୍ନ୍ୟାସୀ ବାସ କରନ୍ତି ।

 

ଗୋପାଳମନ୍ଦିରଟି ସହରର ମଧ୍ୟଭାଗରେ ଅବସ୍ଥିତ । ମନ୍ଦିରଟି ଶଙ୍ଖମଲମଲ ପଥରର-। କଳା ମୁଗୁନି ପଥରର କୃଷ୍ଣମୂର୍ତ୍ତ ଓ ଧଳା ମଲମଲ ପଥରର ରୁକ୍ମିଣୀ ମୂର୍ତ୍ତି ସମାବେଶ ଚିତ୍ତାକର୍ଷକ-। ମହାରାଜ ଦୌଲତରା ଓ ସିନ୍ଧିୟାଙ୍କ ମହାରୀଣୀ ଶ୍ରୀମତୀ ବାୟଜାବାଈ ଏହି ମନ୍ଦିରର ପ୍ରତିଷ୍ଠାତ୍ରୀ-। ଦେବତାଙ୍କ ପୂଜାବିଧି ଓ ବେଶ୍ ଶୃଙ୍ଖଳିତ ।

 

କାଳିଦାସ ଦୁର୍ଗାମନ୍ଦିରଟି ଛୋଟ, କିନ୍ତୁ ଏହାର ପ୍ରାଧାନ୍ୟ ଖୁବ୍ ବେଶୀ । ନଗରୀର ଏହା ଦ୍ୱିତୀୟ ପ୍ରଧାନ ମନ୍ଦିର । (ପ୍ରଥମ ମହାକାଳମନ୍ଦିର) ମହାକବି କାଳିଦାସ ଏଠାରେ ଦୁର୍ଗାଙ୍କୁ ପୂଜା କରୁଥିଲେ । “ସଖ୍ୟରାଜାଧର୍ମଶାଳା”ନଗରୀର ବଡ଼ ଧର୍ମଶାଳା । ଏଠାରେ ଯାତ୍ରୀମାନଙ୍କ ରହିବା ପାଇଁ ସୁବିଧା ଅଛି । ଏହାର ସାଧାରଣ ପାଠାଗାର ଖୁବ୍ ବଡ଼ । ସହରର କ୍ଷତ୍ରିପାର୍କରେ ମହାରାଜା ସିନ୍ଧିଆଙ୍କର ବିରାଟ ପ୍ରତିମୂର୍ତ୍ତି । ୱାଡ଼େବିଦ୍ୟାଳୟ ପ୍ରଭୃତି ବହୁତ ଉଚ୍ଚବିଦ୍ୟାଳୟ ଏଠାରେ ଅଛି । ବହୁ ଯାତ୍ରୀ ଏଠାକୁ ଆସୁଥିବାରୁ ସ୍ଥାନଟି ବେଶ୍ କୋଳାହଳପୂର୍ଣ୍ଣ । ଏଠାରୁ ୮ ମାଇଲ୍ ଦୂରରେ ଭର୍ତ୍ତୃହରି ଗୁମ୍ପା । ସମୟ ଓ ସୁବିଧା ଅଭାବରୁ ସେଠାକୁ ଯାଇପାରିଲି ନାହିଁ ।

☆☆☆

 

ଗୟା

 

ବାରଣାସୀ ଷ୍ଟେସନରୁ ଗୟା ୧୩୮ ମାଇଲ । ରାତି ୧୨ଟାରେ ବାରଣାସୀରୁ ଗାଡ଼ି ଚଢ଼ି ପରଦିନ ସକାଳ ୮ଟାରେ ଏଠାରେ ପହଞ୍ଚିଲି । ଷ୍ଟେସନଟି ଖୁବ୍ ବଡ଼ । ପ୍ରତିଦିନ ଶହ ଶହ ଯାତ୍ରୀ ଏଠାକୁ ଆସନ୍ତି । ଏଠାକାର ପ୍ରାଧାନ୍ୟ କେବଳ ବିଷ୍ଣୁ ପଦମନ୍ଦିର ଯୋଗୁଁ । ଗୟା ଏକ କ୍ଷୁଦ୍ର ସହର । ବହୁ ଚାଳଘର ଓ ସାଧାରଣ କୋଠା ଏଠାରେ ଦେଖାଯାଏ । ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ଓ ଅପରିଷ୍କୃତ । ଲୋକମାନେ ରୁକ୍ଷ । ଏଠାରେ ପଣ୍ଡାମାନଙ୍କର ଜୁଲମ କିଛି କମ୍ ନୁହେଁ । ଏଠାକାର ବାସିନ୍ଦାମାନେ ସାଧାରଣତଃ ଗରିବ । କେବଳ ତୀର୍ଥଯାତ୍ରୀମାନଙ୍କ ଧନରେ ଏମାନେ ବଞ୍ଚିଛନ୍ତି । ଗ୍ରୀଷ୍ମକାଳରେ ଏଠାରେ ଭୀଷଣ ଗରମ । ଗରମପବନ (ଲୁ)ରେ ବହୁ ଲୋକ ଏଠାରେ ମରିବାର ଦେଖାଯାଏ । ମୁଁ ଏଠାକୁ ଜୁନମାସରେ ଆସିଥିବାରୁ ବହୁତ କଷ୍ଟ ଅନୁଭବ କଲି । ରାସ୍ତାର ଧାରେ ଧାରେ ଗଛ ଲଗାଯାଇଛି ଓ କୂପମାନ ଖନନ କରାଯାଇଛି । ସହରର ଚାରିପାଖରେ ଚାଷଜମି ।

 

ଗୟାର ବିଷ୍ଣୁପଦ ମନ୍ଦିରଟି ଖୁବ୍ ବଡ଼ । ସହରରୁ ଅନ୍ୟ ଏକ ରାସ୍ତା ଦେଇ ଟିକିଏ ବୁଲି ଏଠାକୁ ଯିବାକୁ ହୁଏ । ରିକ୍‌ସାବାଲାଟି ଟିକିଏ ଖଣ୍ଟଧରଣର । ତେଣୁ ଜିନିଷପତ୍ର ସଙ୍ଗରେ ଧରି ମନ୍ଦିରକୁ ଗଲି । ବହୁତଗୁଡ଼ିଏ ପାହାଚ ଦେଇ ମନ୍ଦିରମଧ୍ୟକୁ ଯିବାକୁ ପଡ଼େ । ମନ୍ଦିରର ପ୍ରାଙ୍ଗଣରେ ବହୁ ଦେବଦେବୀ ପ୍ରତିମୂର୍ତ୍ତି । ମନ୍ଦିରମଧ୍ୟରେ ଭଗବାନଙ୍କର ପଦଚିହ୍ନ । ଏହି ତୀର୍ଥର ଅନ୍ୟ ନାମ ‘ପଦକ୍ଷେତ୍ର’ । ଅନ୍ୟ ମନ୍ଦିରରେ ଶିବଲିଙ୍ଗ ପୂଜିତ । ବିଷ୍ଣୁଙ୍କର ‘ପଦ’ ଉପରେ ଏକ ତାମ୍ରଛତ୍ରୀ । ଅନ୍ୟପାଖରେ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ମୁଗୁନି ପଥରର ମୂର୍ତ୍ତି । ମନ୍ଦିରର ଉପର ଗମ୍ଭୁଜଟି ସୁନାପତ୍ରଛାଉଣି । ପ୍ରତିବର୍ଷ ଆଶ୍ୱିନ କୃଷ୍ଣପକ୍ଷରେ ଏଠାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଲୋକ ଆସନ୍ତି । ଏଠାରେ ପିଣ୍ଡ ଦେଲେ ପିତୃପୁରୁଷମାନେ ମୋକ୍ଷ ପାଆନ୍ତି ବୋଲି ପୁରାଣରେ ଉଲ୍ଲେଖ ଅଛି ।

 

ବୁଦ୍ଧଗୟା ଗୟା ସହରରୁ ୬ ମାଇଲ ଦୂର । ରିକ୍‌ସାରେ ମାତ୍ର ୧ ଘଣ୍ଟା ଲାଗେ । ଯାତ୍ରୀମାନଙ୍କ ରହିବା ଲାଗି ଏଠାରେ ଧର୍ମଶାଳା ଅଛି । ଏହା ସହରର ଏକ ଅଂଶବିଶେଷ ପରି ମନେ ହୁଏ । ଦୋକାନ ଓ ହୋଟେଲରେ ସ୍ଥାନଟି ପୂର୍ଣ୍ଣ । ବୁଦ୍ଧଦେବ ଯେଉଁ ପବିତ୍ର ବଟବୃକ୍ଷମୂଳରେ ତପସ୍ୟା କରିଥିଲେ, ତାହା ଏଠାରେ ଅବସ୍ଥିତ । ଏହିଠାରେ ହିଁ ସେ ନିଜକୁ ‘ବୁଦ୍ଧ’ ବୋଲି ଘୋଷଣା କରିଥିଲେ । ଏହି ପବିତ୍ର ବଟବୃକ୍ଷକୁ ଦର୍ଶନ କରିବା ଲାଗି ନେପାଳ, ତିବ୍ଦତ, ମୋଙ୍ଗଲିଆ, ଲଙ୍କା, ଶ୍ୟାମ, ଜାପାନ, ଚୀନ, ବ୍ରହ୍ମଦେଶ, ଓ ଇଣ୍ଡୋନେସିଆ ପ୍ରଭୃତି ସ୍ଥାନରୁ ବୌଦ୍ଧଧର୍ମାବଲମ୍ବୀମାନେ ଏଠାକୁ ଆସନ୍ତି । ଏହି ପବିତ୍ର ବଟବୃକ୍ଷରେ ସେମାନେ ଶହ ଶହ ଚିରାଳ ବାନ୍ଧନ୍ତି । ଏହି ବଟବୃକ୍ଷର ଏକ ଶାଖାକୁ ନେଇ ସମ୍ରାଟ ଅଶୋକଙ୍କ ପୁତ୍ର ମହେନ୍ଦ୍ର ଲଙ୍କାର ଅନୁରାଧାପୁରରେ ରୋପଣ କରିଥିଲେ । ଏବେ ସେହି କ୍ଷୁଦ୍ର ଶାଖା ଏକ ବିଶାଳ ବଟବୃକ୍ଷ । ଏହି ମନ୍ଦିରର ସାଜସଜା ବିଚିତ୍ର । ମନ୍ଦିରଭିତରେ ୧୩ ଫୁଟ ଉଚ୍ଚ ବେଦୀ ଉପରେ ବୁଦ୍ଧଙ୍କର ଏକ କମନୀୟ ମୂର୍ତ୍ତି । ମୂର୍ତ୍ତିର ଉଚ୍ଚତା ୭ ଫୁଟ୍ ୪ ଇଞ୍ଚ ଓ ପ୍ରସ୍ଥ ୫ ଫୁଟ୍ । ସୁନେଲିରଂଗ ହେତୁ ଚକ୍ ଚକ୍ ଦେଖାଯାଏ । ମନ୍ଦିରର ପ୍ରାଙ୍ଗଣରେ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କର ପ୍ରତିମୂର୍ତ୍ତି । ପ୍ରଥମେ ଏହି ସ୍ଥାନଟି ଘଞ୍ଚଜଙ୍ଗଲ ଥିଲା । ଏହାର ନାମ ଥିଲା “ଉର୍ବିଳା” ବନ । ବୁଦ୍ଧ ଏଠାରେ ଜ୍ଞାନଲାଭ କଲା ପରେ ଏହାର ନାମ ହେଲା ବେଦ୍ଧଗୟା । ପରେ ଏହା ଅପଭ୍ରଷ୍ଟ ହୋଇ ବୁଦ୍ଧଗୟା ହେଲା । ଯେଉଁ ଅଶ୍ୱତ୍‌ଥ ବୃକ୍ଷମୂଳରେ ବୁଦ୍ଧ ତପସ୍ୟା କରି ଜ୍ଞାନ ଲାଭ କଲେ, ତାର ନାମ ହେଲା “ବୋଧିଦ୍ରୁମ” ।କେତେକ ଐତିହାସିକଙ୍କ ମତରେ ଏ ମନ୍ଦିରକୁ ଅଶୋକଙ୍କ ପୁତ୍ର କୁନାଳ ତିଆରି କରିଥିଲେ । ଜୟପୁରର ବିଖ୍ୟାତ ସ୍ଥାପତ୍ୟଶିଳ୍ପୀ ଅମରଦେବ ଶର୍ମା ଏହି ମନ୍ଦିରର ନିର୍ମାଣକାରୀ । ଏହାର ନିର୍ମାଣ ଲାଗି ୬ବର୍ଷ ସମୟ ଲାଗି ଥିଲା । ଏହି ମନ୍ଦିରପ୍ରାଣଙ୍ଗଣ କ୍ଷେତ୍ରଫଳ ୧୮୦୦ ବର୍ଗଫୁଟ । ମନ୍ଦିରଟିର ଉଚ୍ଚତା ୧୮୨ ଫୁଟ । ଚାରି କୋଣରେ ୪ଫୁଟ ୬ ଇଞ୍ଚର ଚୋରିଗୋଟି ସ୍ତୂପ । ଏହାର ବହୁତ ଅଂଶ ଆଗେ ବାଲିରେ ପୋତି ହୋଇପଡ଼ିଥିଲା । ବ୍ରିଟିଶ ସରକାର ତାକୁ ବାଲିରୁ ଉଦ୍ଧାର କରିଥିଲେ । ମନ୍ଦିର ଉପରିଭାଗରେ ପରିଧି ୩୨ ଫୁଟ । ମନ୍ଦିର ଭିତରକୁ ୨୬ଟି ପାହାଚ ଅଛି । ବୁଦ୍ଧଦେବଙ୍କ ଅଶ୍ୱପୃଷ୍ଠରେ ବସିଥିବା ମୂର୍ତ୍ତି ଦେଖିଲି । ବୁଦ୍ଧ ନଦୀପାର ହୋଇ ପ୍ରଥମ ଅଶ୍ୱପୃଷ୍ଠରେ ଘରୁ ବାହାରି ଆସିବାର ଏହା ନିଦର୍ଶନ । ଏହାର ପୂର୍ବକୁ ‘ଅନିମିତ’ ମନ୍ଦିର । ଏହା ଉପରେ ଅଶୋକ ୯୨ଟି ସ୍ତମ୍ଭ ନିର୍ମାଣ କରିଥିଲେ । ଶ୍ରୀଲକ୍ଷ୍ମୀଙ୍କର ମୂର୍ତ୍ତି ଏହି ମନ୍ଦିରରେ ସ୍ଥାପିତ ମନ୍ଦିର ପାଖରେ ଏକ ପୁଷ୍କରିଣୀ । ଗୋସ୍ୱାମୀ ବିଳପତ୍‌ଗିରି ଏହି ପୁଷ୍କରିଣୀକୁ ଜୀର୍ଣ୍ଣାବସ୍ଥାରୁ ଉଦ୍ଧାର କରିଥିଲେ । ପୁଷ୍କରିଣୀର କ୍ଷେତ୍ରଫଳ ୧୬୦୦ ବର୍ଗଫୁଟ । କୂଳରେ ଗୋଟିଏ ବେଦୀ ବା ସ୍ନାନଘାଟ । ସ୍ତୂପମାନଙ୍କରେ ବହୁ ମୂର୍ତ୍ତି ଦେଖିବାକୁ ମିଳେ । ମନ୍ଦିରର ଚାରି ପାଖରେ ପ୍ରାଚୀରରେ ଅସଂଖ୍ୟ ବୁଦ୍ଧମୂର୍ତ୍ତି । ଉପର ଅଂଶରେ ଖୋଦତ କାରୁକାର୍ଯ୍ୟ ଅତୀବ ପ୍ରଶଂସନୀୟ ।

 

ବୁଦ୍ଧମନ୍ଦିର । ଚୀନଦେଶର ବହୁ ବୌଦ୍ଧଧର୍ମାବଲମ୍ବୀ ଏଠାରେ ବାସ କରନ୍ତି । ସାରାଦିନ ଏଠାରେ ପୂଜା ଓ ଉପାସନା ଚାଲିଥାଏ । ଚୀନର ମହାବୋଧି-ସୋସାଇଟି ତରଫରୁ ଏହା ନିର୍ମିତ । ଏହାର ବର୍ତ୍ତମାନ ଧର୍ମଗୁରୁ ଓ ମନ୍ଦିର ପରିଚାଳକ ହେଉଛନ୍ତି ଚୀନର ଜନୈକ ବୌଦ୍ଧ । ଖ୍ରୀ:୧୯୪୫ ରେ ଚୀନଦେଶର ଧର୍ମଗୁରୁ ସିଟିଂ ଚେନ୍ ଏହି ମନ୍ଦିରକୁ ନିର୍ମାଣ କରାଇଥିଲେ । ମନ୍ଦିରରେ ବୁଦ୍ଧଦେବଙ୍କର ବିରାଟ ମୂର୍ତ୍ତି । ଚୀନାମନ୍ଦିର ଦେଖି ସାରି ପାଖରେ ଥିବା ତିବ୍ଦତ-ବୁଦ୍ଧମନ୍ଦିରକୁ ଗଲି । ସେତେବେଳେ ପ୍ରାୟ ୨୦।୨୫ ଜଣ ତିବ୍ଦତୀୟ ବୌଦ୍ଧ ସନ୍ନ୍ୟାସୀ ଦୋହାମାନ ଗାନ କରି ଉପାସନା କରୁଥିଲେ । ବୁଦ୍ଧଙ୍କର ବିରାଟ ମୂର୍ତ୍ତି ଏହି ମନ୍ଦିରରେ ପ୍ରତିଷ୍ଠିତ । ଘିଅ ଦୀପ ଦେଇ ଉଚ୍ଚସ୍ୱରରେ ସେମାନେ ପୂଜାପାଠ କରୁଥାନ୍ତି । ତିବ୍ଦତର ମହାଯାନ-ବୁଦ୍ଧ ସମିତି ତରଫରୁ ଏହି ମନ୍ଦିରଟି ନିର୍ମିତ । ତଳମହଲାରେ ସନ୍ନ୍ୟାସୀମାନେ ବାସ କରନ୍ତି । ଉପର ମହଲାରେ ମନ୍ଦିର । ବୁଦ୍ଧଙ୍କର କମନୀୟ ମୂର୍ତ୍ତିପାଖରେ ବହୁ ବୌଦ୍ଧଗ୍ରନ୍ଥ ରଖାଯାଇଛି । ସମସ୍ତେ ହଳଦିଆରଙ୍ଗର ଲୁଗା ପିନ୍ଧିଥାନ୍ତି ଓ ଚାଦର ପକାଇଥାନ୍ତି । ଏମାନେ ଲଣ୍ଡିତମସ୍ତକ ଓ ବଳିଷ୍ଠ । ଏମାନେ ପାହାଡ଼ିଆ ଲୋକ ପରି ଜଣାଯାନ୍ତି । ଏମାନଙ୍କୁ ଦେଖିଲେ ନୂଆଲୋକର ମନରେ ଭୟ ଆସିବାର କଥା, କିନ୍ତୁ ଏମାନେ ବଡ଼ ଉଦାର ଏବଂ ମିଷ୍ଟଭାଷୀ । ଏମାନେ ଯାତ୍ରୀମାନଙ୍କ ପ୍ରତି ଯଥୋଚିତ ଭଦ୍ରବ୍ୟବହାର କରନ୍ତି ।

☆☆☆

 

ପାଟନା

 

ଗୟା ଓ ବୁଦ୍ଧଗୟାରୁ ଘରକୁ ଫେରିଲାବେଳେ ପାଟନା କଥା ମନେ ପଡ଼ିଲା । ତେଣୁ କଲିକତା ନ ଆସି ପାଟନା ଗଲି । ଗୟାରୁ ଏହାର ଦୂରତା ୫୬ ମାଇଲ । ପ୍ରାୟ ୧୨ଟାବେଳେ ଏଠାରେ ପହଞ୍ଚିଲି । ବିହାରର ରାଜଧାନୀ ପାଟନା ଗଙ୍ଗାକୂଳରେ ଅବସ୍ଥିତ । ଏହା ଏକ ବଡ଼ ସହର-। ଏହାର ଅନ୍ୟ ନାମ ପାଟଳିପୁତ୍ର । ରିକ୍‌ସାଟିଏ କରି ଦର୍ଶନୀୟ ସ୍ଥାନମାନ ବୁଲି ବାହାରିଲି । ସହରଟି ବେଶ୍ କୋଳାହଳମୟ-। ଆଧୁନିକ ଅଟ୍ଟାଳିକା, ସୁନ୍ଦର ରାସ୍ତା, ପାର୍କ, ହାଇକୋର୍ଟ, ସେକ୍ରେଟରୀଏଟ୍, ବିଶ୍ୱବିଦ୍ୟାଳୟ ଏବଂ ବିରଳାମନ୍ଦିର ପ୍ରଭୃତି ଏହାର ଗୌରବ ବଢ଼ାଇଛନ୍ତି ।

 

ପାଟନାସହରର ମଧ୍ୟଭାଗରେ ଗୋଲାଘର ଅବସ୍ଥିତ । ଏଠାରେ ଖାଦ୍ୟଶସ୍ୟ ରଖାଯାଇଛି । ଏହା ଏବେ ଏକ କଣ୍ଟ୍ରୋଲ ଡିପୋଟ୍ । ଏହାର ଉପରକୁ ଯିବା ପାଇଁ ପାହାଚ ଅଛି । ତଳୁ ୧୪୧ ଟି ପାହାଚ ଉଠିଲେ ଏହାର ଶୀର୍ଷଭାଗରେ ପହଞ୍ଚିବାକୁ ହୁଏ । ଏହାର ଉପରେ ଠିଆହୋଇ ସମସ୍ତ ପାଟନାସହରର ଦୃଶ୍ୟ ଦେଖିବାକୁ ସୁଯୋଗ ପାଇଲି । ବିଶ୍ୱବିଦ୍ୟାଳୟଟି ଏକ ସାଧାରଣ ଅଟ୍ଟାଳିକା । ଏହାର ଅଫିସଟି ଏକ ସାଧାରଣ ପ୍ରକୋଷ୍ଠ । ସେକ୍ରେଟରୀଏଟ ଅଫିସଟି ଖୁବ୍ ବଡ଼ । ପ୍ରଧାନ ଫାଟକର ସାମନାକୁ ବ୍ରିଟିଶଗୁଳିରେ ନିହତ ସ୍ୱରାଜ ଆନ୍ଦୋଳନକାରୀମାନଙ୍କର ବ୍ରଞ୍ଜ ପ୍ରତିକୃତି ଅତ୍ୟନ୍ତ ମର୍ମସ୍ପର୍ଶୀ । ଏହା ବିହାରପ୍ରଦେଶର ସର୍ବବୃହତ୍ ସରକାରୀ କାର୍ଯ୍ୟାଳୟ । ହାର୍ଡ଼ିଞ୍ଜ ପାର୍କ ସହରର ସର୍ବବୃହତ୍ ପାର୍କ । ଏଠାରେ ବିବିଧ ମୂର୍ତ୍ତି ରଖାଯାଇଛି । ବିରଳାମନ୍ଦିରଟି ଖୁବ୍ ନେପାଳରେ ଫଳ ତଥା ପନିପରିବା ପ୍ରଚୁର ପରିମାଣରେ ମିଳେ । ୬୫,୮୪,୦୦୦ ଏକର ଜମିରେ ଧାନ ଚାଷ ହୁଏ । ନେପାଳର ଜଙ୍ଗଳମାନଙ୍କରେ ବାଘ, ଚିତାବାଘ, ଭାଲୁ, ବଳିଆକୁକୁର, କସ୍ତୁରୀମୃଗ, ହରିଣ, ସମ୍ବର, ବରାହ, ନୀଳଗାଈ, ଏବଂ ଗଣ୍ଡାର ପ୍ରଭୃତି ବନ୍ୟପ୍ରାଣୀ ଦେଖାଯାନ୍ତି । ଏଠାରେ ରାସ୍ତାଗୁଡ଼ିକ ପାହାଡ଼ିଆ, ଏଣୁ ଏଠାରେ ମାତ୍ର ୬୩ ମାଇଲ ରେଳରାସ୍ତା ଏବଂ ୩୦୨ ମାଇଲ ମୋଟର ଚଳାଚଳ ରାସ୍ତା । ପଶମଶିଳ୍ପ, ଲୁଗାକଳ, ଜରିକାରଖାନା, କମ୍ବଳବୁଣା କେନ୍ଦ୍ର ହାତୀଦାନ୍ତ ଓ ଧାତୁକାମ ପ୍ରଭୃତିର କାରଖାନା, କାଗଜକଳ ଏବଂ ସାବୁନ କାରଖାନା ପ୍ରଭୃତି ଏଠାରେ ଅଛି । ଏହା କ୍ଷୁଦ୍ର ରାଜ୍ୟ ହେଲେ ହେଁ ଧାତୁଦ୍ରବ୍ୟରେ ପୂର୍ଣ୍ଣ । କୋଇଲା, ଅଭ୍ର, ଲୁହା, ତମ୍ବା, ସୀସା, ରୂପା, ଦସ୍ତା, ନିକେଲ ଓ ମଲମଲ ପଥର ଏଠାରେ ମିଳେ । ଖ୍ରୀ:୧୯୫୮ ପରିସଂଖ୍ୟାନ ଅନୁଯାୟୀ ନେପାଳରେ ୧୦୨୧ଟି ପ୍ରାଥମିକ ବିଦ୍ୟାଳୟ, ୩୧୬ଟି ମାଧ୍ୟମିକ ବିଦ୍ୟାଳୟ, ୮୪ ଟି ଉଚ୍ଚବିଦ୍ୟାଳୟ, ୯ଟି ସଂସ୍କୃତ କଲେଜ, ଗୋଟିଏ ଶିକ୍ଷକତାଲିମ୍ କେନ୍ଦ୍ର ଓ ଗୋଟିଏ କଲେଜ ଅଛି । ଏହାର ଶିକ୍ଷିତ ଜନସଂଖ୍ୟା ଶତକରା ୬ । ଏଠାରେ ମୁଦ୍ରା ଦଶମିକ ଧାରାର । ୫୦,୨୫,,୨୦,୧୦,୩,୨ଓ୧ ପଇସାର ପ୍ରଚଳନ ଅଛି । ଏହାକୁ ନେପାଳରେ ମୋହର କହନ୍ତି ।

 

୨୧ ମେ, ୧୯୫୯ରେ ନେପାଳରେ ବିଖ୍ୟାତ ପଶୁପତିନାଥ ମହାଦେବଙ୍କ ଦର୍ଶନ ଓ ନେପାଳର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ଲାଗି ନେପାଳ ଯାତ୍ରା କଲି । ନେପାଳ ଭାରତର ବର୍ତ୍ତମାନ ଏକ ବନ୍ଧୁ ରାଷ୍ଟ୍ର । ତେଣୁ କେବଳ ଜିଲ୍ଲାମାଜିଷ୍ଟ୍ରେଟଙ୍କଠାରୁ ପ୍ରବେଶ ପତ୍ରଟିଏ ଦରକାର । ନୂଆଦିଲ୍ଲୀରେ ଥିବା ନେପାଳ ଦୂତାବାସରୁ ନେପାଳ ଭ୍ରମଣ ଲାଗି ଦରକାରୀ କାଗଜପତ୍ର ମଗାଇଥିଲି । ଯଥାସମୟରେ ନେପାଳ ଦୂତାବାସରୁ ନିୟମାବଳୀ ଓ ନେପାଳ ସମ୍ବନ୍ଧରେ କେତେକ ଜ୍ଞାତବ୍ୟ ବିଷୟରେ ପତ୍ର ଆସି ପହଞ୍ଚିଲି । ଜିଲ୍ଲାମାଜିଷ୍ଟ୍ରେଟଙ୍କଠାରୁ ‘ପ୍ରବେଶପତ୍ର’ ମିଳିଗଲା । ତା ୨୦ ।୫ ।୫୯ ଦିନ ସଂନ୍ଧ୍ୟାରେ ପୁରୀହାବଡ଼ା ଏକ୍ସପ୍ରେସ ଯୋଗେ ନେପାଳ ଅଭିମୁଖେ ବାହାରିଲି । ଭୁବନେଶ୍ୱରରେ ସେତେବେଳେ ଶ୍ରୀ ବୀର କିଶୋର ତ୍ରିପାଠୀ ତତ୍‌କାଳୀନ ଶିକ୍ଷାମନ୍ତ୍ରୀଙ୍କର P.A. ଥାଆନ୍ତି । ସେ ନେପାଳରେ ବହୁବର୍ଷ କଟାଇଥିଲେ । ସେ ମୋର ହିତାକାଙ୍‌କ୍ଷୀ ବନ୍ଧୁ । ସେତେବେଳେ ଶ୍ରୀ ବିଶ୍ୱେଶ୍ୱରପ୍ରସାଦ କୋଇରାଲା ନେପାଳର ପ୍ରଧାନମନ୍ତ୍ରୀ । ଶ୍ରୀ ତ୍ରିପାଠୀ କୋଇରଲାଙ୍କ ସହପାଠୀ । ତେଣୁ ସେ ମୋର ନେପାଳଭ୍ରମଣ ଲାଗି କୋଇରାଲାଙ୍କ ନିକଟକୁ ପତ୍ର ଲେଖିଥିଲେ । ଏଣୁ କୋଇରାଲା ମୋତେ ଯଥେଷ୍ଟ ସାହାଯ୍ୟ କରିଥିଲେ ।

 

ଖଡ଼ଗପୁର, ଆସନସୋଲ, ମୁକାମାଘାଟ ଓ ସମସ୍ତିପୁର ଦେଇ ଯିବାକୁ ପଡ଼େ । ୨୩ ।୫ ।୫୯ ସନ୍ଧ୍ୟାରେ ରକ୍‌ସୌଲ (ଭାରତ ରେଲପଥର ଶେଷଷ୍ଟେସନ)ରେ ପହଞ୍ଚିଲି । ଏଠାରୁ ମାତ୍ର ୫୦।୬୦ ଗଜ ଗଲେ ନେପାଳ ରେଲପଥ । ରକ୍‌ସୌଲ ଭାରତ ଓ ନେପାଳର ସୀମା । କଟକରୁ ରକ୍‌ସୌଲ ୬୩୨ ମାଇଲ ଦୂର । ଦରଭଙ୍ଗାଷ୍ଟେ ସନରେ ଶ୍ରୀ ଗୋବିନ୍ଦପରାସଦ ଉପାଧ୍ୟାୟ ନାମକ ଜଣେ ନେପାଳୀ ଭଦ୍ରଲୋକ ମୋର ସହଯାତ୍ରୀ ହେଲେ । ସେ ଜନକପୁର ମିଥିଳାରୁ ଫେରୁଥାନ୍ତି । ସେ କାଠମାଣ୍ଡୁ ଯିବେ ବୋଲି କହିଲେ । ଯାହାହେଉ ସାଥୀଟିଏ ପାଇ ଆଶ୍ୱସ୍ତ ହେଲି । ଦୁହେଁ ରକ୍‌ସୌଲ ଷ୍ଟେସନରୁ ୨୦।୨୫ ଗଜ ଯାଇ ଏକ ନେପାଳୀ ହୋଟେଲ୍‌ରେ ରାତିଟି କଟାଇଲୁ । ହୋଟେଲଟି ୨ ତାଲା କାଠଘର । ଗୋଟିଏ ଘରେ ୧୦।୧୨ ଟି ଖଟ ପଡ଼ିଥାଏ । ସେ ମଧ୍ୟରୁ ଗୋଟିକରେ ରହିଲି । ହୋଟେଲର ସମସ୍ତ ଲୋକ ନେପାଳୀ । ମୋତେ ବିଶେଷ ଭୟ ଲାଗୁଥାଏ । ରାତିରେ ପଇସାପତ୍ର ଚୋରୀ ହେବାର ଆଶଙ୍କା । ସାରାରାତି ଜାଗିବାକୁ ହେଲା । ନେପାଳୀ ଖ୍ୟାଦ୍ୟଗୁଡ଼ିକ ମଧ୍ୟ ରୁଚିକର ହୋଇ ନ ଥିବାରୁ ଭୋକ ହେଉଥାଏ । ଯାହାହେଉ ରାତିଟି କଟାଇ ପରଦିନ ସକାଳ ୬ଟାରେ ହୋଟେଲରୁ ନେପାଳ ସୀମାର ରକ୍‌ସୌଲ ଷ୍ଟେରସନକୁ ଗଲି । ସେଠାରୁ ଅମଲେଖ ପର୍ଯ୍ୟନ୍ତ(୩୦ ମାଇଲ) ରେଳରାସ୍ତା । ତା’ପରେ ୯୦ ମାଇଲ ମୋଟର ଯୋଗେ ଗଲେ କାଠମାଣ୍ଡୁ ସହର । ରେଳଗାଡ଼ିରେ ସକାଳ ୭ ଟାରୁ ବସି ଦିନ ୧୧ଟାରେ ୩୦ ଅମଲେଖ ଗଞ୍ଜରେ ପହଞ୍ଚିଲୁ । ଗାଡ଼ି ଖୁବ୍ ଛୋଟ । ୩୦ ମାଇଲ ଯିବାକୁ ୪ ଘଣ୍ଟା ସମୟ ଲାଗେ । ସାଇକଲରେ ଯାଇଥିଲେ ୧ ଘଣ୍ଟା ଆଗରୁ ପହଞ୍ଚି ଯାଇପାରିଥାନ୍ତୁ । ନେପାଳସ୍ଥିତ ରକ୍‌ସୌଲ ଷ୍ଟେସନରେ ଆମର ଜିନିଷପତ୍ର ତଦାରଖି ସରିଯାଇଥାଏ । ରକ୍‌ସୌଲରୁ କିଛି ଦୂର ଗଲାପରେ ‘ଚୁରିଆ’ ଗିରିପଥ ଦେଇ ଗାଡ଼ି ଗଲା । ଏହାର ଲମ୍ବ ୨ ଫରଲଙ୍ଗ । ଅମଲେଖ ଗଞ୍ଜରୁ ମୋଟର ମିଳିଗଲା । ୯୦ ମାଇଲ ରାସ୍ତାକୁ ୧୦ଟଙ୍କା ଭଡ଼ା । ଉପାୟ କଣ ବା ଅଛି ? ଅଗତ୍ୟା ଟିକେଟ କରି ଦିନ ୧୨ଟାରେ ବାହାରିଲୁ । ମୋଟରରେ ଗଲାବେଳେ ପୁଣି ଥାନକୋଟ୍‌ଠାରେ ଜିନିଷପତ୍ର ତଦାରଖି ହେଲା । ରାସ୍ତାଟି କଚା ଓ ଅସମାନ । ମୋଟର ସର୍ପିଳ ଗତିରେ ପାହାଡ଼ ପରେ ପାହାଡ଼ ଅତିକ୍ରମ କରି ଚାଲିଥାଏ । ଏହି ରାସ୍ତାଟି କାଶ୍ମୀର ରାସ୍ତାଠାରୁ ଅନୁନ୍ନତ ଓ ବିପଦପୂର୍ଣ୍ଣ । କାଠମାଣ୍ଡୁରେ ମୋଟର ସେଦିନ ସନ୍ଧ୍ୟାପୂର୍ବରୁ ପହଞ୍ଚି ପାରିଲା ନାହିଁ । ରାତିରେ ପାର୍ବତ୍ୟ ରାସ୍ତାରେ ମୋଟର ଚାଳନା ନିଷିଦ୍ଧ । ତେଣୁ ବାଟରେ ଚଟିଘରଟିଏ ଭଡ଼ା ନେଇ ରହିବାକୁ ହେଲା । ଗୋଟିଏ ମାତ୍ର କୋଠରୀରେ ୧୫।୨୦ ଜଣ ରହିଲୁ । ଘରଟି ଗୋଶାଳା ପରି-। ଚାରିଆଡ଼ ଅପରିଷ୍କୃତ ଓ ଧୂଳିପୂର୍ଣ୍ଣ । ନିରୁପାୟ ହୋଇ ରାତିଟି ସେଠାରେ କଟାଇଲୁ-। ପରଦିନ ସକାଳୁ ବସ୍ ଛାଡ଼ିଲା । ତା ୨୫-୫-୫୯, ଦିନ ୧୦ଟା ପୂର୍ବରୁ ଯାହାହେଉ କାଠମାଣ୍ଡୁରେ ପହଞ୍ଚିଲୁ-। କାଠମାଣ୍ଡୁରେ ରହିବା ପାଇଁ ମୁଁ ପୂର୍ବରୁ ବନ୍ଦୋବସ୍ତ କରିଥିଲି । ଭୁବନେଶ୍ୱର ସେଣ୍ଟ୍ରାଲ୍ ୱାଟର ପାୱାର କମିଶନଙ୍କ ଅଫିସର ଶ୍ରୀ ରାମବାଳକପ୍ରସାଦ ସିହ୍ନାଙ୍କ ସହ ମୋର ପରିଚୟ ଥିଲା-। କଥାପ୍ରସଙ୍ଗରେ ମୋର ନେପାଳ ଯିବା କଥା ଶୁଣି ସେ ମୋର ସହଯାତ୍ରୀ ହେବାକୁ କହିଲେ, କିନ୍ତୁ ଅଫିସରୁ ସେବିଷୟରେ କୌଣସି ଅନୁମତି ପାଇ ନ ପାରିବାରୁ ଦୁର୍ଭାଗ୍ୟକୁ ସେ ମୋର ଯିବା ସମୟକୁ ପ୍ରସ୍ତୁତ ହୋଇପାରିଲେ ନାହିଁ । ମୋର ସାହସ ଟିକିଏ କମିଗଲା, କିନ୍ତୁ ନେପାଳରେ ମୋର ସପ୍ତାହଟିଏ ରହିବା ପାଇଁ ସେ ବନ୍ଦୋବସ୍ତ କରିଦେବେ ବୋଲି କହି ତାଙ୍କ ବିଭାଗର ଏକ ସହକର୍ମୀଙ୍କ ପାଖକୁ ପତ୍ରଟିଏ ପଠାଇଲେ । ତାଙ୍କ ବନ୍ଧୁ ଶ୍ରୀ ବଳବୀରଚାନ୍ଦ ପ୍ରେମ ନେପାଳର ‘ତ୍ରିଶୂଳୀ ହାଇଡ୍ରୋଇଲେକ୍‌ଟ୍ରିସିଟି ପ୍ରୋଜେକ୍ଟ’ ରେ କାର୍ଯ୍ୟ କରୁଥାନ୍ତି । ପ୍ରେମଜୀ ପଞ୍ଜାବର ଲୋକ-। ହିନ୍ଦୀ ଓ ଉର୍ଦ୍ଦୁରେ ସେ ଜଣେ ଖ୍ୟାତନାମା ଲେଖକ । ବହୁତ ଚଳଚିତ୍ର-କଥାବସ୍ତୁ ମଧ୍ୟ ସେ ଲେଖିଛନ୍ତି । ଯାହାହେଉ କାଠମାଣ୍ଡୁରେ ଶ୍ରୀ ପ୍ରେମଜୀ ମୋର ରହିବାର ସୁବିଧା କରିଦେଇ ପାରିବେ ବୋଲି ଶ୍ରୀ ରାମବାଳକ ପ୍ରସାଦ ସିହ୍ନାଙ୍କ ପାଖକୁ ଶୀଘ୍ର ଲେଖିଥିଲେ । ଶ୍ରୀ ସିହ୍ନା ମୋତେ ତାଙ୍କ ଅଫିସ ଠିକଣା ଦେଇଥିଲେ । ସେହି ଠିକଣା ଅନୁସାରେ ମୁଁ ପ୍ରଥମେ କାଠମାଣ୍ଡୁ ବସ୍‌ଷ୍ଟାଣ୍ଡରୁ ୩ ମାଇଲ ଗାଲାପରେ ଭାରତୀୟ ଦୂତାବାସରେ ଶ୍ରୀ ପ୍ରେମଜୀଙ୍କ ଖୋଜିଲି-। ସେଠାର କର୍ମଚାରୀମାନେ ମୋତେ ‘ହରିଭବନ’ କୁ ଯିବାଲିଗି । କହିଲେ । ହରିଭବନରେ ଭାରତୀୟ ସାହାଯ୍ୟ ପରିଷଦ (Indian Aid mission)ର କାର୍ଯ୍ୟାଳୟ । ଏହା ଭାରତୀୟ ଦୂତାବାସରୁ ଦୁଇ ମାଇଲ ଦୂର । ଚାଲି ଚାଲି ସେଠାକୁ ଯାଇ ମୁଁ ଏକାବେଳକେ କ୍ଲାନ୍ତ ହୋଇପଡ଼ିଲି-। ସକାଳୁ ସ୍ନାନଭୋଜନାଦିର କୌଣସି ବ୍ୟବସ୍ଥା ନ ଥିଲା । ଦିନ ୧୨ ଟା ହେଲାଣି-। ଭୋକରେ ପେଟ ଜଳୁଥାଏ । ସେଠାରେ ତାଙ୍କୁ ଖୋଜିଲି । ପ୍ରେମଜୀ ଏଠାରୁ ପୁଣି ୩ ।୪ ମାଇଲ ଦୂରରେ ପଦ୍ମାଭବନରେ ରହୁଥାନ୍ତି । ଆଉ ଯିବାଲାଗି ମୋର ଶକ୍ତି ବା ସାହସ ହେଲା ନାହିଁ-। ଉକ୍ତ ବିଭାଗର ଜନୈକ ଭଦ୍ରଲୋକ ମୋତେ ଜିପରେ ନେଇ ଶ୍ରୀ ପ୍ରେମଜୀଙ୍କ ବାସସ୍ଥାନ ପଦ୍ମାଭବନରେ ଛାଡ଼ିଦେଲେ । ସେଠାରେ ପହଞ୍ଚିଲା କ୍ଷଣି ଶ୍ରୀ ପ୍ରେମଜୀ ଓ ତାଙ୍କ ପତ୍ନୀ ମୋତେ ଆଦରସହକାରେ ଘର ଭିତରକୁ ନେଇଗଲେ । ସ୍ନାନଭୋଜନାଦି ପରେ କିଛି ସମୟ ବାର୍ତ୍ତାଳାପ ହେଲା-। ତା’ପରେ ଶ୍ରୀ ପ୍ରେମଜୀ କାର୍ଯ୍ୟକ୍ଷେତ୍ରକୁ ଗଲେ ଓ ମୁଁ ତାଙ୍କ ଘରେ ବିଶ୍ରାମ ନେଲି । ସନ୍ଧ୍ୟାବେଳକୁ ଶ୍ରୀ ପ୍ରେମଜୀ ଅଫିସରୁ ଆସିଲେ । ସେ ଏବଂ ତାଙ୍କ ସ୍ତ୍ରୀ ଭଦ୍ରବ୍ୟବହାର ଓ ମିଷ୍ଟାଳାପରେ ମୋତେ ଏକାବେଳକେ ସେମାନଙ୍କର ଅତି ଆପଣାର କରିନେଲେ । ଶ୍ରୀମତୀ ପ୍ରକାଶ ପ୍ରେମ କାଠମାଣ୍ଡୁ ରେ ବି.ଏ.ପଢୁଥାନ୍ତି । ସକାଳୁଆ କଲେଜ । ଦିନଯାକ ଗୃହକର୍ମରେ ବ୍ୟସ୍ତ-। ସନ୍ଧ୍ୟାବେଳକୁ ବୈଠକଖାନାରେ ଶ୍ରୀ ଓ ଶ୍ରୀମତୀ ପ୍ରେମଙ୍କ ସହିତ ପ୍ରତିଦିନ ବିଭିନ୍ନ ବିଷୟରେ ଆଲୋଚନା ହୁଏ-। ତାଙ୍କ ପଡ଼ୋଶୀମାନେ ମଧ୍ୟ ଭାରତୀୟ । ସେମାନେ ନେପାଳରେ ଥିବା ଭାରତୀୟ ଦୂତାବାସ ବା ଭାରତୀୟ ସାହାଯ୍ୟ ପରିଷଦରେ କାର୍ଯ୍ୟ କରୁଥାନ୍ତି । ଏଠାରେ ୭।୮ ଦିନ ବେଶ୍ ଆରାମରେ କଟିଗଲା । କାଠମାଣ୍ଡୁ ସହର ଓ ଆଖପାଖ ଅଞ୍ଚଳରେ ବହୁତ ସ୍ଥାନ ଦର୍ଶନ କରିବା ଲାଗି ଶ୍ରୀ ପ୍ରେମଜୀ ମୋ ପାଇଁ ସାଇକେଲଟିଏ ଭଡ଼ାରେ ଯୋଗାଡ଼ କରିଦେଲେ । ଦିନକୁ ଟ ୨୧ ସାଇକେଲ ଭଡ଼ା ଦେବାକୁ ପଡ଼ିଲା । ପଶୁପତିନାଥ, ଗୁହ୍ୟେଶ୍ୱରୀ, ମହାକାଳୀ ମନ୍ଦିର, ଶ୍ରୀକୃଷ୍ଣମନ୍ଦିର, ସ୍ୱୟମ୍ଭୁନାଥମନ୍ଦିର, ବୁଦ୍ଧମନ୍ଦିର, ଯାଦୁଘର, ଚିଡ଼ିଆଖାନା, ରାଜପ୍ରାସାଦ, ସିଂହଦରବାର ଓ ହନୁମାନ୍ ଢୋକା ଦରବାର ପ୍ରଭୃତି ପ୍ରଧାନ ଦର୍ଶନୀୟସ୍ଥାନକୁ ଯିବାଲାଗି ଶ୍ରୀ ପ୍ରେମଜୀ ସୁବିଧା କରିଦେଲେ ।

 

ପହଞ୍ଚିବାର ପ୍ରଥମ ଦିନଟି ପୂର୍ଣ୍ଣ ବିଶ୍ରାମ ନେଲି । ପରଦିନ ସକାଳୁ ଶ୍ରୀ ପ୍ରେମଜୀଙ୍କ ସଙ୍ଗରେ ପଦ୍ମାଭବନରୁ ୨ ମାଇଲ ବିଲବଣ ଦେଇ ଗଲା ପରେ ପଶୁପତିନାଥ ମନ୍ଦିରରେ ପହଞ୍ଚିଲି-। ଭୀଷଣ ଶୀତ ହେଉଥାଏ । ମଝିରେ ମଝିରେ ଛୋଟ ଛୋଟ ଗ୍ରାମ ଓ ପଡ଼ା । ପ୍ରାୟ ୧ ଘଣ୍ଟା ପରେ ମନ୍ଦିରରେ ପହଞ୍ଚିଲୁ । ମନ୍ଦିରଟି ‘ଚୀନା’ ମନ୍ଦିର ନକ୍‌ସାରେ ତିଆରି । ସାମନାରେ ୧୫ ଫୁଟ ଲମ୍ବର ଓ ୮ ଫୁଟ ଚଉଡ଼ାର ବିଶାଳକାୟ ପିତଳଷଣ୍ଢ । ମନ୍ଦିରର ଉପରିଭାଗ ସ୍ୱର୍ଣ୍ଣପତ୍ର ଖଚିତ-। ଏହାର ଉଚ୍ଚତା ଖୁବ୍ ବେଶୀ ଓ ଦୂରକୁ ଏହା କାଠର ୩ ତାଲା ଘର ପରି ଦେଖାଯାଏ-। ତିବ୍ଦତ, ବ୍ରହ୍ମଦେଶ, ଚୀନ ଓ ଜାପାନର ମନ୍ଦିର ପରି ଏହା ଥାକ ଥାକ କାଠ ଘରପରି ତିଆରି । ଉପରକୁ ଗମ୍ବୁଜଟିଏ । ବାଗ୍‌ମତୀନଦୀର ଠିକ୍ ତଟଦେଶରେ ଏହା ଅବସ୍ଥିତ । ବାଗ୍‌ମତୀର ଏକପାର୍ଶ୍ୱରେ ପଶୁପତିନାଥ ମନ୍ଦିର ଅନ୍ୟ ପାର୍ଶ୍ୱରେ ପର୍ବତ । ମନ୍ଦିରର ତଳଭାଗର କାନ୍ଥଗୁଡ଼ିକରେ ରୂପାପତ୍ର ଖଞ୍ଜାଯାଇଛି । ମନ୍ଦିରର ଦ୍ୱାରବନ୍ଧ ଚାନ୍ଦିର ଓ ଏଥିରେ ସୁନ୍ଦର ନକ୍‌ସା ଅଙ୍କିତ । ଜୀବନ୍ତ ମୂର୍ତ୍ତି ପରି ପଶୁପତିନାଥଙ୍କ ଚାରିଦିଗକୁ ୪ ଟି ମୁଖ । ୪ଟି ମସ୍ତକ ଉପରେ ୪ଟି ରୂପାଛତ୍ର । ୨ ହାତ ଉଚ୍ଚ ଲିଙ୍ଗ ଉପରକୁ ହାତେ ଉଚ୍ଚରେ ୪ ଦିଗକୁ ୪ଟି ମସ୍ତକ ଓ ୮ଟି ହାତ । ପ୍ରତ୍ୟେକ ପାଖରେ ବାମହସ୍ତରେ କମଣ୍ଡଳୁ ଓ ଦକ୍ଷିଣହସ୍ତରେ ଜପମାଳା ।

 

ମହାପୁରୁଷ ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରର ପ୍ରତିଷ୍ଠାତା । ଏବେ ସୁଦ୍ଧା କେରଳୀୟ ଭଟ୍ଟବ୍ରାହ୍ମଣମାନେ ଏହି ମନ୍ଦିରର ପୂଜକ । ମନ୍ଦିରର ପ୍ରାଙ୍ଗଣରେ ବହୁତ ଦେବଦେବୀ ମନ୍ଦିର । ଏଠାରେ ମିଶ୍ରି ଭୋଗ ହୁଏ । ମୁଖ୍ୟ ମନ୍ଦିରଚାରିପାଖ କାନ୍ଥ ମଲମଲ ପଥରର । ଚାରିପାଖରେ ଚାରିଗୋଟି ବଡ଼ ଘଣ୍ଟା । ୨୦ ଫୁଟ ଲମ୍ବର ତ୍ରିଶୂଳ ଏବଂ ବଡ଼ ଡମରୁଟିଏ ଗୋଟିଏ ପାଖକୁ ରହିଛି । ଦକ୍ଷିଣକୁ ପିତଳର ଏକ ବଡ଼ ଫାର୍ସା । ଶହ ଶହ ପିତଳଦୀପ ୨ ଧାଡ଼ି ହୋଇ ଚାରିପାଖ ସଜା ହୋଇଥାଏ । ବାମ ପାଖରେ ଗଙ୍ଗାମାତା । ପାତିମାଙ୍କଡ଼ମାନଙ୍କ ଉପଦ୍ରବ ଏଠାରେ ଖୁବ୍ ବେଶୀ । ଦୋକାନରୁ ମିଶ୍ରିଆଦି ଭୋଗ ଘେନି ମନ୍ଦିରକୁ ଗଲାବେଳେ ହଠାତ୍ ବଡ଼ମାଙ୍କଡ଼ଟିଏ ଭଦ୍ରଲୋକପରି କୌଣସି ହିଂସାତ୍ମକକାଣ୍ଡ ନ ଘଟାଇ ମୋର ଡାହାଣହାତକୁ ଧରି ବାମହାତରୁ ଭୋଗଠୋଲାଟି ନେଇଗଲା । ମୁଁ ବିସ୍ମିତ ହୋଇ ଦଣ୍ଡେ ଠିଆହୋଇ ତାର ଗତିବିଧି ଲକ୍ଷ୍ୟ କରି ପୁଣି ସାବଧାନରେ ଆଉ ଥରେ ଭୋଗ ନେଇ ମନ୍ଦିରକୁ ଗଲି । ବାଗ୍‌ମତୀର ପବିତ୍ର ଜଳରେ ପଶୁପତିନାଥଙ୍କର ସ୍ନାନ ସମ୍ପାଦିତ ହୁଏ । ପ୍ରଥମସ୍ନାନକୁ ଆଦିକଳସ ସ୍ନାନ କହନ୍ତି । ତା’ପରେ ରୁଦ୍ରାଭିଷେକ ହେଲାପରେ ପୂଜକ ୨ୟ ବାର ପଞ୍ଚାମୃତସ୍ନାନ କରାନ୍ତି । ଚାନ୍ଦିମାଠିଆ ଜଳରେ ୩ୟ ଥର ପୂର୍ଣ୍ଣକଳସ ସ୍ନାନ ସରିଲାପରେ ଭୋଗ ପ୍ରଭୃତି ହୁଏ । ପଶୁପତିନାଥଙ୍କ ସ୍ନାନବିଧି ଦେଖିବା ଲାଗି ବହୁତ ଲୋକ ଜମା ହୁଅନ୍ତି । ଏହାର ପାଖକୁ ଅନ୍ୟ ଏକ ମନ୍ଦିରରେ ମଲମଲ ପଥରର ଶ୍ରୀରାମ, ଜାନକୀ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କର କମନୀୟ ମୂର୍ତ୍ତି । ଏଠାରେ ପଣ୍ଡାମାନେ ଭଦ୍ର ଓ ନିର୍ଲୋଭ ଯାତ୍ରୀମାନଙ୍କ ଉପରେ କୌଣସି ପ୍ରକାର ଜୁଲମ ନାହିଁ । ମନ୍ଦିରବେଢ଼ା ମଧ୍ୟରେ ପଣ୍ଡାମାନେ ବାସ କରନ୍ତି । ପ୍ରାଙ୍ଗଣର ଏକ କୋଣରେ ୫୬୪ଟି ଶିବଲିଙ୍ଗ । ଏମାନଙ୍କ ମଧ୍ୟରୁ ଗୋଟିଏ ଲିଙ୍ଗ ଦିନକୁ ଦିନ ପାଳାତଗାମୀ ହେଉଛନ୍ତି । ମନ୍ଦିରର ପୂର୍ବଦରଜାରେ ଗଣେଶ, ସମାନା ପର୍ବତରେ ମୃଗେଶ୍ୱରମହାଦେବ, ଦକ୍ଷିଣଦରବାଜାରେ କୀର୍ତ୍ତିମୁଖ ଭୈରବ, ପଶ୍ଚିମଦରବାଜରେ ନଦୀ, ଉତ୍ତରକୁ ଅନ୍ନପୂର୍ଣ୍ଣ ଓ ଉତ୍ତର ପୂର୍ବକୁ ବାସୁକି ।

 

ମନ୍ଦିର ମହାତ୍ମ୍ୟ—

 

ଜମ୍ବୁ-ଦ୍ୱୀପେ ପୁରୌ ଦ୍ୱେ ହି

ରୁଦ୍ରୋଣାଧିଷ୍ଠିତେଽନିଶମ୍ ।

କାଶୀ ପାଶୁପତୀ ଚୈବ

ତୟୋଃ ପାଶୁପତୀ ବରା ।।

—ହିମବତ୍‌ଖଣ୍ଡ, ୭୨ ଅଧ୍ୟାୟ—

 

“ଜମ୍ବୁଦ୍ୱୀପ (ଭାରତ) ରେ ଶିବଙ୍କର ବାସଭୂମି କାଶୀ ଓ ନେପାଳ ଶ୍ରେଷ୍ଠ (ଏହା ପୂର୍ଣ୍ଣ ଜ୍ୟୋତି ଲିଙ୍ଗ)” ।

 

ଶିବଗଙ୍ଗାଜଳସ୍ନାୟୀ ସଂସ୍ପୃଶ୍ୟ ପଶୁବିଗ୍ରହମ୍ ।

 

ପଶ୍ୟନ୍ ପଶୁପତିଂ ଭକ୍ତ୍ୟା ନିଷ୍ପାପଃ ଶଙ୍କରଂ ବ୍ରଜେତ୍ ।।

-ହିମବତ୍‌ଖଣ୍ଡ ୭୭ ଅଧ୍ୟାୟ-

 

“ବାଗ୍‌ବତୀରେ ସ୍ନାନ କରିବା ପରେ ବୃଷଭକୁ ସ୍ପର୍ଶକରି ଭକ୍ତି ସହକାରେ ପଶୁପତିନାଥଙ୍କୁ ଦର୍ଶନ କଲା ମାତ୍ରେ ପାପଶୂନ୍ୟ ହୋଇ (ଦର୍ଶକ) ଶିବଲୋକକୁ ଯାଏ” । ଏଠାରେ ବାଗ୍‌ମତୀଘାଟର ନାମ ଆର୍ଯ୍ୟଘାଟ । ସ୍ନାନ କରିବା ଲାଗି ଖୁବ୍ ଭିଡ଼ ହୁଏ । ଏହି ଘାଟର ପୌରାଣିକ ମହାତ୍ମ୍ୟ ଅଛି–

 

ଆର୍ଯ୍ୟତୀର୍ଥେ ମହାପୁଣ୍ୟେ ତ୍ରିବେଣୀ–ସଙ୍ଗମେ ଶୁଭେ

ପଶୁଯୋନିଜଳଂ ପୀତ୍ୱା ପଶୁଯୋନୌ ନ ଜାୟତେ ।

 

-ହିମବତ୍‌ଖଣ୍ଡ ୮୩ ଅଧ୍ୟାୟ-

 

“ଏହି ମହାପୁଣ୍ୟ ଆର୍ଯ୍ୟତୀର୍ଥ ଓ ମଙ୍ଗଳପ୍ରଦ ତ୍ରିବେଣୀ ସଙ୍ଗମର ଜଳପାନ କଲେ, ପଶୁଯୋନିରେ ଆଉ (ପରଜନ୍ମରେ) ଜନ୍ମ ଲାଭ ହୁଏନାହିଁ” ।

 

ନୟପାଳାଖ୍ୟପୁର୍ଯ୍ୟାଂ ତୁ ପ୍ରସିଦ୍ଧାୟାଂ ମହୀତଳେ

ଲିଙ୍ଗଃ ପଶୁମତୀଶାଖ୍ୟଃ ସର୍ବକାମଫଳପ୍ରଦଃ ।

 

-ଶିବ ମହାପୁରାଣ-

 

“ପୃଥିବୀପ୍ରସିଦ୍ଧ ନେପାଳ (ନୟପାଳ)ରେ ସର୍ବକାମ ଫଳ ପ୍ରଦ ପଶୁପତିନାଥ ନାମକ ଶିବଲିଙ୍ଗ ବିଦ୍ୟମାନ” । ବାରାମତୀନଦୀ ଅତି ପୂତସଲିଳା । ଏହା ସମ୍ବନ୍ଧରେ ବରାହପୁରାଣରୁ ପ୍ରମାଣ ମିଳେ—

ବାରାମତ୍ୟାଂ ଯତ୍ର କୁତ୍ରାପି ସ୍ନାତି ବୈମାନବଃ ଶୁଚିଃ ।

ତୀର୍ଯ୍ୟଗ୍ ଯୋନିଂ ନ ଗଚ୍ଛେତ୍ତୁ ସମୃଦ୍ଧେ ଜାୟତେ କୁଳେ ।।

 

“ବାଗ୍‌ମତୀନଦୀର ଯେ କୌଣସିଠାରେ ସ୍ନାନ କଲେ ମାନବ ପବିତ୍ର ହୋଇ ପଶୁପକ୍ଷି ଯୋନିରେ ଆଉ ଜନ୍ମ ନ ଲଭି ସମୃଦ୍ଧ ମାନବ କୁଳରେ ଜନ୍ମ ଲାଭ କରେ ।” ପଶୁପତିନାଥଙ୍କ ଶିବରାତ୍ରି ମେଳା ଭାରତ ବିଖ୍ୟାତ । ସମଗ୍ର ନେପାଳରୁ ଓ ଭାରତର ବହୁ ପ୍ରାନ୍ତରୁ ଯାତ୍ରୀମାନେ ଶିବରାତ୍ରି ମେଳା ସମୟରେ ଏଠାକୁ ଆସନ୍ତି ।

 

ଗୁହ୍ୟେଶ୍ୱରୀମନ୍ଦିର ପଶୁମତିନାଥମନ୍ଦିରଠାରୁ୨ଫରଲଙ୍ଗ ଦୂର । ଏହା ପାର୍ବତୀମନ୍ଦିର । ଦକ୍ଷଯଜ୍ଞସମୟରେ ସତୀଙ୍କର ଅଙ୍ଗବିଶେଷ (ଗୁହ୍ୟଦେଶ) ଏଠାରେ ପଡ଼ିଥିଲା । ଏହି ମନ୍ଦିରଟିର ଗଠନ ଏକ ଅଭିନବ ପ୍ରକାରର । ଚାରିପାଖରେ ସୁନାପାତି ଦିଆ ହୋଇଥିବା ପିତଳର ୪ଟି ସିଂହ ମୂର୍ତ୍ତି ।

 

ମନ୍ଦିରର ଶୀର୍ଷଦେଶର ଚାରି ପାଖରେ ଚାରିଗୋଟି ପିତଳର ସର୍ପ । ସାମନାକୁ ବଡ଼ ସିଂହମୂର୍ତ୍ତି । ମନ୍ଦିରଭିତରେ ଏକ ଗଭୀର ଜଳକୁଣ୍ଡ । ଏହି କୁଣ୍ଡର ପବିତ୍ରଜଳକୁ ସମସ୍ତେ ପାନ କରନ୍ତି । ମନ୍ଦିର ଉପରେ ଲୁହାଛଡ଼ ଦିଆହୋଇ ସାଜସଜା ହୋଇଛି ଓ ଏହାର ଆଲୋକସଜ୍ଜା ଚମତ୍କାର । କାଳିକା ପୁରାଣରେ ଉଲ୍ଲେଖ ଅଛି—

 

ଇଦଂ ଦେବ୍ୟାଃ ରହଃ ସ୍ଥାନଂ ପୁରାଣଂ ସର୍ବସିଦ୍ଧିଦମ୍ ।

ସତୀଗୁହ୍ୟନିପାତେନ ସତତଂ ଶ୍ରେଷ୍ଠତାଂ ଗତମ୍ ।।

 

“ଏହି ସର୍ବସିଦ୍ଧି ପ୍ରଦକ୍ଷେତ୍ର ସତୀଙ୍କର ଏକାନ୍ତ ଗୋପନୀୟ ସ୍ଥାନ । ଏଠାରେ ସତୀଙ୍କର ଗୁହ୍ୟଦେଶ ପତିତ ହୋଇଥିବାରୁ ଏହା ଶ୍ରେଷ୍ଠତ୍ୱ ଲାଭ କରିଛି ।”

 

ଗୃହ୍ୟକାଲ୍ୟାଃ ମହାସ୍ଥାନଂ ନେପାଳେ ଯତ୍ ପ୍ରତିଷ୍ଠିତମ୍ ।

-ଦେବୀଭାଗବତ ୩୮ ଅଧ୍ୟାୟ-

 

“ନେପାଳରେ ପ୍ରତିଷ୍ଠିତ ଗୁହ୍ୟକାଳୀଙ୍କର ସ୍ଥାନ ଏକ ପ୍ରସିଦ୍ଧ ସ୍ଥାନ ।” ମନ୍ଦିର ଭିତରେ ଯେଉଁ ଜଳକୁଣ୍ଡ ଅଛି, ତା ବିଷୟରେ କେତେକ ଐତିହାସିକ ତଥ୍ୟ ଅଛି ।

 

ସୂର୍ଯ୍ୟବଂଶର ରାଜା ଶ୍ରୀ ଶଙ୍କରଦେବଙ୍କ ରାଜତ୍ୱ କାଳରେ ଭକ୍ତ ଶ୍ରୀ ନୃସିଂହଠାକୁର ଏହି ଜଳକୁଣ୍ଡକୁ ଖୋଳାଇଥିଲେ । ଦକ୍ଷିଣ ଭାରତର ତାନ୍ତ୍ରିକ ଯୋଗୀ ଲମ୍ବକର୍ଣ୍ଣଭଟ୍ଟଙ୍କ ଆଜ୍ଞା ଅନୁସାରେ ରାଜା ପ୍ରତାପମଲ୍ଲ ଖ୍ରୀ: ୧୬୫୪ ବୈଶାଖ ଏକାଦଶୀ ଗୁରୁବାର ଦିନ ଗୁହ୍ୟେଶ୍ୱରୀକୁଣ୍ଡ ଚାରିପାଖରେ ଲୁହାବାଡ଼ ଖଞ୍ଜିଲେ ଓ କୁଣ୍ଡ ଉପରେ ଛାତ ତିଆରି କଲେ । ଜଳକୁଣ୍ଡ ଉପରକୁ ସୁବର୍ଣ୍ଣକଳସ । ଏହି ମନ୍ଦିରର ମହାତ୍ମ୍ୟବିଷୟରେ ବରାହପୁରାଣରେ ଉଲ୍ଲେଖ ଅଛି–

 

ଲୋକମାତା ଭଗବତୀ ଲୋକରକ୍ଷାର୍ଥମୁଦ୍ୟତା ।

ଗୁହ୍ୟେଶ୍ୱରୀ ଶିବା ଦେବୀ ଅତ୍ରାସ୍ତି ବରଦାୟିନୀ ।

 

“ସର୍ବଲୋକମାତା ସମସ୍ତଙ୍କ ରକ୍ଷାକାରିଣୀ ଅଭୀଷ୍ଟବରଦାତ୍ରୀ ମଙ୍ଗଳମୟୀ ଭଗବତୀ ଗୁହ୍ୟେଶ୍ୱରୀ ଏଠାରେ ରହନ୍ତି ।” ଗୁହ୍ୟେଶ୍ୱରୀଠାରୁ ପ୍ରାୟ ୧ ମାଇଲ ଗଲାପରେ ବୁଦ୍ଧମନ୍ଦିରରେ ପହଞ୍ଚିଲୁ । ପ୍ରେମଜୀଙ୍କ ସହ କଥାବାର୍ତ୍ତାରେ ସମୟ କଟି ଯାଉଥାଏ । ଯିବାକୁ ପାହାଡ଼ିଆ ରାସ୍ତା । ମନ୍ଦିର ଖୁବ୍‍ ଉଚ୍ଚ । ଉପରକୁ ଯିବା ଲାଗି ପାହାଚ ନିର୍ମିତ । ମନ୍ଦିର ଚାରିପାଖରେ କାଠତିଆରି ବୁଦ୍ଧମୂର୍ତ୍ତି ଖଚିତ । ସମ୍ରାଟ ଅଶୋକ ଏହି ବିରାଟ ବୁଦ୍ଧମନ୍ଦିରର ନିର୍ମାତା । ଏହାର ପାଖରେ ବୌଦ୍ଧଭିକ୍ଷୁମାନେ ବାସ କରନ୍ତି । ମନ୍ଦିରର ଶୀର୍ଷ ଦେଶରେ ବୁଦ୍ଧଙ୍କର ମୁଖ ଓ ବଡ଼ବଡ଼ ଚକ୍ଷୁ ଚାରିଦିଗକୁ ଅଛି । ବୁଦ୍ଧପୂର୍ଣ୍ଣିମା ଉପଲକ୍ଷେ ମନ୍ଦିରର ସାଜସଜା ଖୁବ୍ ସୁନ୍ଦର ହୋଇଥିଲା । ବୁଦ୍ଧମନ୍ଦିର ଦର୍ଶନ ପରେ ପ୍ରେମଜୀ ଓ ମୁଁ ତାଙ୍କ ବାସଭବନକୁ ଫେରି ଆସିଲୁ । ଭୋଜନାଦି ପରେ ୨ ।୩ ଘଣ୍ଟା ବିଶ୍ରମ ନେଇ ମୁଁ ପ୍ରେମଜୀଙ୍କଠାରୁ ଦର୍ଶନୀୟ ସ୍ଥାନମାନଙ୍କର ତାଲିକା ଓ ଅବସ୍ଥିତି ପ୍ରଭୃତି ବିଷୟ. ଲେଖି ନେଇ ଏକାକୀ ବୁଲି ବାହାରିଲି । ପ୍ରେମଜୀଙ୍କ ମାରଫତରେ ମୋତେ ସାଇକେଲଟିଏ ଭଡ଼ା ମିଳିଲା ।

 

ପ୍ରଥମେ ମହାକାଳୀମନ୍ଦିରକୁ ଗଲି । ଏହା କାଠମାଣ୍ଡୁର ମଧ୍ୟ ଭାଗରେ ଅବସ୍ଥିତ । ମନ୍ଦିରଟି ଖୁବ୍ ଛୋଟ । କାଳୀଙ୍କର ବିକଟାଳ ମୂର୍ତ୍ତି । ପ୍ରତିଦିନ ଏଠାରେ ଶହ ଶହ ଛେଳି ବଳି ପଡ଼ନ୍ତି । ମୂର୍ତ୍ତି ଛୋଟ ହେଲେ ହେଁ ଗଠନ ଖୁବ୍ ସୁନ୍ଦର । କାଠମାଣ୍ଡୁର ଏହା ପ୍ରସିଦ୍ଧ କାଳୀମନ୍ଦିର । ମହାକାଳୀମନ୍ଦିରର ଟିକିଏ ଆଗକୁ ନେପାଳ ସରକାରଙ୍କ ସେକ୍ରେଟେରୀଏଟ—ସିଂହଦରବାର । ନେପାଳ ମହାରାଜାଙ୍କ ପ୍ରାସାଦ ଅପେକ୍ଷା ଏହାର ଆକାର ଢେର ବଡ଼ ଓ ଏହିପରି ବିରାଟ ପ୍ରାସାଦ ନେପାଳରେ ଅନ୍ୟତ୍ର ଦେଖାଯାଏ ନାହିଁ । ଅଦୂରରେ ନେପାଳ ସାମରିକବାହିନୀ । ନେପାଳରସରକାରଙ୍କ ଦାୟିତ୍ୱପୂର୍ଣ୍ଣ ବିଭାଗମାନ ଏହା ମଧ୍ୟରେ ଅନୁଷ୍ଠିତ । ଏହାର ବିଶାଳତା ଓ ସୌନ୍ଦର୍ଯ୍ୟର ମହତ୍ତ୍ୱ ପ୍ରତିପାଦନ କରିବାକୁ ଯାଇ ଖ୍ରୀ:୧୯୫୧ ରେ ନେପାଳକୁ ଆସିଥିବା ଆମେରିକାର ପର୍ଯ୍ୟଟକ ମିଷ୍ଟର ସାନ୍ ଫୋର୍ଡ଼ ମତ ଦେଇଛନ୍ତି –The White House in Washington is just as a cottage, when compared with the singh Darbar ଅର୍ଥାତ୍– ଆମେରିକାର ହ୍ୱାଇଟ୍‌ହାଉସ ନେପାଳ ସିଂହଦରବାର ତୁଳନାରେ ଏକ କୁଟୀରବତ୍ ।” ଏହା ମଧ୍ୟରେ ୭ ଟି ରାଜପରିବାର ସ୍ୱଚ୍ଛନ୍ଦରେ ଚଳି ପାରିବେ । ଚାରିଆଡ଼େ ଘାସପଡ଼ିଆ ଓ ଫୁଲଗଛ । ଏହାର ଦୃଶ୍ୟ ଅତୀବ ରମଣୀୟ । ସିଂହଦରବାରରୁ ଫେରି ସନ୍ଧ୍ୟାବେଳେ ପଦ୍ମାଭବନକୁ ଆସିଲି । ଦିନଯାକ ୧୫ ।୨୦ ମାଇଲ ସାଇକଲରେ ଯିବା ଫଳରେ ଟିକିଏ କ୍ଲାନ୍ତ ହୋଇପଡ଼ିଥିଲି । ରାସ୍ତାଗୁଡ଼ିକ ଉଠାଣି ଗଡ଼ାଣି । ରାତିଟି ଆରାମରେ କଟାଇ ପରଦିନ ସକାଳୁ ଅନ୍ୟତ୍ର ଯିବାଲାଗି ସ୍ଥିର କଲି ।

 

ପରଦିନ ବାଲାଜୁ ମନ୍ଦିର ଦିର୍ଶନ ଲାଗି ବାହାରିଲି । ଏଠାରେ ଜଳାଶୟରେ ଶାୟିତ ନାରାୟଣଙ୍କର ଅନନ୍ତଶୟନ ପଥରମୂର୍ତ୍ତି । ଛୋଟ ଛୋଟ ପାହାଡ଼ିଆ ଗ୍ରାମ ଅତିକ୍ରମ କରି ଏଠାକୁ ଯିବାକୁ ହୁଏ । ଏହା କାଠମାଣ୍ଡୁ ସହରରୁ ୩।୪ ମାଇଲ ଦୂର । ଏକୁଟିଆ ଥିବାରୁ ବଣ ପାଖରେ ଭୟ ଲାଗୁଥାଏ । ଯାହାହେଉ ନିର୍ବିଘ୍ନରେ ବାଲାଜୁମନ୍ଦିରରେ ପହଞ୍ଚିଲି । ଏହି ମନ୍ଦିରଟି ଆକାରରେ ଛୋଟ । ପୁଷ୍କରିଣୀ ମଧ୍ୟରେ ନାରାୟଣଙ୍କର ମୂର୍ତ୍ତି । ନାରାୟଣଙ୍କର ମୂର୍ତ୍ତି ଉପରେ ୧୫ ଫୁଟ ଲମ୍ବ ଓ ୮ ଫୁଟ ଓସାର ପଥରର ବାସୁକି ୯ଟି ପ୍ରଶସ୍ତ ଫଣା କାଢ଼ିଥାଏ । ଏଠାରେ ଶୀତଳମାଈ ଓ ଗଣେଶଙ୍କର ମୂର୍ତ୍ତି । ଟିକିଏ ଆଗକୁ ୧୮ଟି ଜଳଧାରା ପାହାଡ଼ରୁ ବହିଆସୁଛି । ଏଠାରେ ଏକ କ୍ଷୁଦ୍ର ଗ୍ରାମ । ଲୋକମାନେ ରୁକ୍ଷ । ବାଲାଜୁରୁ ଏକ ପାର୍ବତ୍ୟ ରାସ୍ତା ଦେଇ ସ୍ୱୟମ୍ଭୁନାଥମନ୍ଦିରକୁ ଗଲି । ଅନ୍ୟରାସ୍ତାରେ ଗଲେ ବହୁତ ଦୂର ହେବ ବୋଲି ଏହି ରାସ୍ତାଟିକୁ ପସନ୍ଦ କଲି । ବାଲାଜୁ ଠାରୁ ଏହାର ଦୂରତା ୩ ମାଇଲ । ଦୁର୍ଗମ ପାର୍ବତ୍ୟରାସ୍ତା । ଠାଏ ଠାଏ ଏତେ ଠାଣି ଯେ, ସାଇକେଲରୁ ଓହ୍ଲାଇ ଚାଲି ଚାଲିଯିବାକୁ ପଡ଼ିଲା । ରାସ୍ତାର ଦୁଇ ପାଖରେ ପନିପରିବା ଚାଷଜମି । କାଁ ଭାଁ କେହି ଜେଣେ ଦୁଇଜଣ ଯା ଆସ କରୁଥାନ୍ତି । ଏଠାରେ କାହାକୁ ମାରି ପକାଇଲେ ମଧ୍ୟ ପତ୍ତା ମିଳିବ ନାହିଁ-। ଏକାକୀ ଆସି ବାଟରେ ବହୁତ ଅନୁତାପ କଲି । ପ୍ରାଣଭୟ ପ୍ରତିମୁହୂର୍ତ୍ତରେ ଥାଏ-। ବାଟରେ ଦଉଡ଼ିର ରାସ୍ତା (rope way) ଦେଖିବାକୁ ପାଇଲି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ତାର ଖୁଣ୍ଟରେ ଲୁହରେ ତାର ରାସ୍ତାକରି ଦିଆଯାଇଛି । ଗୋଟିଏ ପାଖରେ ଲୁହା ପାତ୍ରରେ ଜିନିଷ ଯାଏ । ଅନ୍ୟ ପାଖ ରାସ୍ତାରେ ସେହିପରି ଜିନିଷପତ୍ର ଆସେ । ସଦାବେଳେ ଘରଘର ଶବ୍ଦ । ଲୁହାପାତ୍ରଟି ଜିନିଷପତ୍ର ନେଇ ଯିବା ଆସିଲାବେଳେ ଲୁହାର ତାର ବଙ୍କା ହୋଇଯାଉଥାଏ । ଘଣ୍ଟାକ ପରେ ସ୍ୱୟମ୍ଭୁନାଥ ମନ୍ଦିରରେ ପହଞ୍ଚିଲି । ପ୍ରଥମେ ପାହାଚଗୁଡ଼ିକ ସେତେ ତୀଖ ପଡ଼େନା । ଶେଷକୁ କେବଳ ତୀଖ ପାହାଚ । ଚଢ଼ିବା ଖୁବ୍ କଷ୍ଟକର । ଲୁହାବାଡ଼ ଧରି ଧୀରେ ଧୀରେ ଉପରକୁ ଉଠିଲି । ପ୍ରାୟ ଘଣ୍ଟାଏ ପରେ ପାହାଡ଼ର ଶୀର୍ଷ ଦେଶରେ ପହଞ୍ଚିଲି-। ଶୀର୍ଷଦେଶରେ ସ୍ୱୟମ୍ଭୁନାଥମନ୍ଦିର । ଏଥିରେ ବୁଦ୍ଧଦେବଙ୍କର ମୂର୍ତ୍ତି ପୂଜିତ । ମନ୍ଦିରଟି ଛୋଟ-। ମନ୍ଦିରର ଚାରିଦିଗକୁ ଚାରିଗୋଟି ବୁଦ୍ଧଦେବଙ୍କର ମୁଖ-ଉପରେ ମନ୍ଦିର ମଧ୍ୟରେ ବୁଦ୍ଧଙ୍କର ବିରାଟ ମୂର୍ତ୍ତି । ବାଟରେ ପାହାଚ ପାଖରେ ଆସିଲାବେଳକୁ ୬ଟି ବୁଦ୍ଧମୂର୍ତ୍ତି ଦେଖି ଆସିଲି, କିନ୍ତୁ ସେଗୁଡ଼ିକ ଛୋଟ । ମୁଖ୍ୟମନ୍ଦିରର ପ୍ରାଙ୍ଗଣରେ ଅନ୍ୟକେତୋଟି ଛୋଟ ମନ୍ଦିର । ଏଠାର ଆରତୀମାତାମନ୍ଦିରରେ ଖୁବ୍ ଭିଡ଼ । ଆରତୀମାତା ମନ୍ଦିରର କାଠଖୋଳା କାମ ବେଶ ସୁନ୍ଦର । ପାଲିଭାଷାର ବୌଦ୍ଧଦୋହାବଳି ମୁଖ୍ୟ ମନ୍ଦିରରେ ଖୋଦିତ । ହଜାର ହଜାର ପିତଳଦୀପ ସଜା ହୋଇଥାଏ । ମନ୍ଦିରପ୍ରାଙ୍ଗଣରେ ବାନରମାନଙ୍କ ଅତ୍ୟାଚାର ଅସହନୀୟ । ଲୋକମାନଙ୍କର କୌମସି ଶାରୀରିତ କ୍ଷତି ନ କରି ଅତି ଆତ୍ମୀୟ ପରି ଖାଦ୍ୟପଦାର୍ଥଗୁଡ଼ିକ ହାତରୁ ଛଡ଼ାଇ ନେଇଯାଆନ୍ତି । ଏଠାର ମନ୍ଦିରଗୁଡ଼ିକ ଛୋଟ ହେଲେ ହେଁ ସୁନ୍ଦର । ଏହାର ପ୍ରାଙ୍ଗଣରେ ଠିଆ ହୋଇ ମୁଁ ସମଗ୍ର କାଠମାଣ୍ଡୁ ନଗର ଓ ଆଖପାଖ ଅଞ୍ଚଳର ବାୟବୀୟ ଦୃଶ୍ୟ ଦେଖିବାକୁ ପାଇଲି । ବୁଦ୍ଧଦେବ ଏଠାରେ ତପସ୍ୟା କରିଥିଲେ ବୋଲି ଏହି ମନ୍ଦିରର ପ୍ରାଧାନ୍ୟ ନେପାଳର ବୌଦ୍ଧମନ୍ଦିରମାନଙ୍କ ମଧ୍ୟରେ ସର୍ବାଧିକ ।

 

କାଠମାଣ୍ଡୁରେ ନେପାଳ ସରକାରଙ୍କ ଯାଦୁଘର । ଏହା ଏକ ତ୍ରିତଳପ୍ରସାଦ । ସ୍ୱୟମ୍ଭୁନାଥମନ୍ଦିରରୁ ପୋଲିସ କିଲା ଦେଇ ଏଠାକୁ ଗଲି । ଦୂରତା ମାତ୍ର ଦୁଇଫରଲଙ୍ଗ । ନେପାଳର ଯାଦୁ ଘର ପ୍ରାଚୀନ ପଦାର୍ଥମାନଙ୍କର ଏକ ବିଖ୍ୟାତ ସଂରକ୍ଷଣାଗାର । ବିଶେଷତଃ ପ୍ରାଚୀନ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ଲାଗି ଏହି ଯାଦୁଘର ପୃଥିବୀ ବିଖ୍ୟାତ । ଏଥିରେ ପ୍ରାଚୀନକାଳର ଧନୁ, ଶର, ବର୍ଚ୍ଛା, ନଳୀ, ବନ୍ଧୁକ, ତୋପ, ଛୁରୀ, କଟୁରୀ, ଭାଲା, ସାଞ୍ଜୁ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ରକ୍ଷିତ । ଦୁଇ ତିନୋଟି ସ୍ଥାନରେ ବୃତ୍ତାକାରରେ ବନ୍ଧୁକ ସଜା ଅତି ଚମତ୍କାର । ତାମ୍ରଫଳକ, ତାମ୍ରମୂର୍ତ୍ତି ଏବଂ ଅଭିନନ୍ଦନପତ୍ରାବଳି ଏଠାରେ ଏପର୍ଯ୍ୟନ୍ତ ସୁରକ୍ଷିତ । ଏ ସବୁ ଉପର ମହଲାରେ । ତଳ ମହଲାରେ କେବଳ ପଥରର ବିଭିନ୍ନ ମୂର୍ତ୍ତି, କାଠଖୋଳା କାମ, ୨୦ ଫୁଟ ଲମ୍ବ ତିମିହାଡ଼, ନେପାଳର ବଡ଼ହାତୀର ମୁଣ୍ଡହାଡ଼, ପିତଳଦୀପ, ଥାଳୀ, ବଟୁଲି, ପୂର୍ବକାଳର ନେପାଳୀ ମଶିଣା ଡାଲା ଓ ନେପାଳର ଚାଷ ଉପକରଣ ପ୍ରଭୃତି ସାଧାରଣ ପଦାର୍ଥ ଦେଖାଯାଏ । କଳାମୁଗୁନି ପଥରରେ ଶ୍ରୀକୃଷ୍ଣଙ୍କର ୯ ଇଞ୍ଚ ଉଚ୍ଚର ମନୋହର ମୂର୍ତ୍ତି, ନାଗରାଜ, ନାଗକନ୍ୟା, ମହାଲକ୍ଷ୍ମୀ, ଚାମୁଣ୍ଡା,ବୈଷ୍ଣବୀ, ରୁଦ୍ରାଣୀ ଓ ବ୍ରହ୍ମାଣୀ ପ୍ରଭୃତି ମୂର୍ତ୍ତି ମଧ୍ୟ ଏହାର ଅନ୍ୟତମ ସମ୍ପଦ । ଏତଦ୍ ବ୍ୟତୀତ କଳା ମୁଗୁନି ପଥରରେ ତିଆରି ସିଂହବାହିନୀ ଅଷ୍ଟଭୁଜା ଦୁର୍ଗାଙ୍କର କମନୀୟ ମୂର୍ତ୍ତିଟି ଚିତ୍ତାକର୍ଷକ । ୨ୟ ମହଲାରେ କେବଳ ଅସ୍ତ୍ରଶସ୍ତ୍ର । ୩ୟ ମହଲାରେ ୭ଟି ସ୍ଥାନରେ ୫୦ଟି ଲେଖାଁଏ ବୃତ୍ତାକାର ବନ୍ଧୁକ ସଜା । ସମ୍ବର ଏବଂ ମୃଗ ପ୍ରଭୃତିଙ୍କର ଚମଡ଼ା, ନେପାଳର ପୂର୍ବତନ ରାଣାମାନଙ୍କର ତୈଳଚିତ୍ର, ହାତୀ ଦାନ୍ତର ସୁନ୍ଦର କାରୁକାର୍ଯ୍ୟ, ନେପାଳର ପ୍ରାଚୀନ ଓ ନୂତନ ମୁଦ୍ରାର ନମୁନା, ସମରବିଜୟୀ ନେପାଳରାଣାମାନଙ୍କୁ ବ୍ରିଟିଶ ସରକାରଙ୍କ ପ୍ରଦତ୍ତ ତାମ୍ରପତ୍ରସନନ୍ଦ, ଭାରତ ସହିତ ନେପାଳର ସନ୍ଧିପତ୍ର ଲେଖାହୋଇଥିବାର ଝରକଲମଟି ଓ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଟଙ୍କପ୍ରାସଦ ଆଚାର୍ଯ୍ୟଙ୍କୁ ଦିଲ୍ଲୀବାସୀଙ୍କ ପ୍ରଦତ୍ତ ସୁନାର ତାରସୀକାମଯୁକ୍ତ ଅଭିନନ୍ଦନପତ୍ର ପ୍ରଭୃତି ଏହାର ବିଶେଷତ୍ୱ । ତା ଛଡ଼ା ଅନ୍ୟପାଖରେ ବିଭିନ୍ନ ପକ୍ଷୀଙ୍କର ମୃତଶରୀର ଓ ନେପାଳର ହଜାର ହଜାର ପ୍ରାଚୀନ ପୁସ୍ତକ ଦେଖିବାକୁ ମିଳେ । ଏହି ତ୍ରିତଳ ଯାଦୁଘରର ସାମନାକୁ ଆଉ ଗୋଟିଏ ହଲ୍ । ଏଥିରେ ନୋପାଳରାଣାମାନଙ୍କର ନିମନ୍ତ୍ରଣ (ପିତଳର), ରାଜା ଭୂପତି ଚନ୍ଦ୍ର ମଲ୍ଲଙ୍କର ପିତଳମୂର୍ତ୍ତି, ମହାରାଣୀ ଭିକ୍ଟୋରିଆ ଓ ପଞ୍ଚମ ଜର୍ଜଙ୍କର ୧୦ ଫୁଟ ଉଚ୍ଚର ତୈଳଚିତ୍ର, ପିଳତର ଏକ ଗରୁଡ଼, ପିତଳର ରାଧାକୃଷ୍ଣ ଓ ଶୁଦ୍ଧସମଶେରଙ୍କ ତୈଳଚିତ୍ର ପ୍ରଭୃତି ବିଶେଷ ଦର୍ଶନୀୟ ପଦାର୍ଥ ଏଠାରେ ଅଛି । ଯାଦୁଘରର ସାମନାକୁ ବିରାଟ ସିଂହମୂର୍ତ୍ତି । ଏଠାରୁ ୩ ମାଇଲ ଗଲାପରେ ପଦ୍ମ ଭବନରେ ଶ୍ରୀ ପ୍ରେମଜୀଙ୍କ ଘରେ ପହଞ୍ଚିଲି । ଦିନଟିଯାକର କ୍ଲାନ୍ତି ଅପନୋଦନ ଲାଗି ପୂର୍ଣ୍ଣ ବିଶ୍ରାମ ନେଇ ପରିଦିନ ଅନ୍ୟ ଦର୍ଶନୀୟ ସ୍ଥାନ ବୁଲି ଗଲି । ପଦ୍ମାଭବନରୁ କୃଷ୍ଣମନ୍ଦିରର ଦୂରତା ୬ ମାଇଲ । ଏହି ମନ୍ଦିରର ଚାରୁକଳା ନେପାଳର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ । ମନ୍ଦିରଟି ଆମୂଳଚୂଳ କାଷ୍ଠନିର୍ମିତ । ଚାରିପାଖ କେବଳ କାଷ୍ଠଖୋଦିତ ଦେବଦେବୀମୂର୍ତ୍ତିରେ ପରିପୂର୍ଣ୍ଣ । ଉପର ଗମ୍ଭୁଜ ଅଂଶଟିରେ ସୁନାପାତ ଦିଆଯାଇଛି । ମନ୍ଦିରସାମନାକୁ ପିତଳ ମୂର୍ତ୍ତି । କାନ୍ଥରେ ଦଶଅବତାରର ଚିତ୍ରାବଳୀ । ଚାରିପାଖ ଦରଜାରେ ଚାରିଗୋଟି ପଥରର ସିଂହମୂର୍ତ୍ତି । କାନ୍ଥମାନଙ୍କରେ ରାମାୟଣ ଓ ମହାଭାରତ ବିଭିନ୍ନ ଦୃଶ୍ୟାବଳି ଖୋଦିତ । ଶ୍ରୀକୃଷ୍ଣମନ୍ଦିରରୁ ପ୍ରାୟ ୧ ମାଇଲ ଦୂରରେ ଚିଡ଼ିଆଖାନା । କାଠମାଣ୍ଡୁର ଜଳବାୟୁ ଅତି ଶୀତଳ ହେତୁ ଅନ୍ୟଦେଶର ପ୍ରାଣୀ ଏଠାରେ ବେଶୀ ଦିନ ବଞ୍ଚି ପାରନ୍ତି ନାହିଁ । ଏଥିରେ ଏମୁ, ସମ୍ବର, ଚିତାବାଘ, ମହାବଳବାଘ, ହରିଣ, ଠେକୁଆ, କଙ୍ଗାରୁ, ଧଳା ଚିତାବାଘ,ଭାଲୁ, ହରିଣ, କଟାଶ, ଆଫ୍ରିକାର ସିଂହ ଓ ସିଂହୀ, ଗଣ୍ଡାର, ପାତିମାଙ୍କଡ଼, ଅଜଗର ସାପ, ମୟୂର, ଝିଙ୍କ, ବତକ, କୁକୁଡ଼ା, ଶୁଆ ଓ ଅନ୍ୟ କେତେକ ପଶୁପକ୍ଷୀ ରଖାଯାଇଛନ୍ତି । ଭିତରେ ଛୋଟ ପୋଖରୀଟିଏ । ପୋଖରୀ ପାଖରେ ରାଣୀଙ୍କର ପ୍ରତିମୂର୍ତ୍ତି । ନେପାଳରେ ହିନ୍ଦୁ, ବୌଦ୍ଧ ଓ ଶୈବମନ୍ଦିର ସଂଖ୍ୟା ବେଶୀ । ଚାରିଆଡ଼ ମନ୍ଦିରମୟ । ଜର୍ମାନୀର ପରିଦର୍ଶକ କର୍କ ପାଟ୍ରିକ୍ (Kirk Partik) ନେପାଳ ପରିଦର୍ଶନ ପରେ ମତବ୍ୟକ୍ତ କହିଛନ୍ତି—“The beautiful valley consists of as many temples as there are houses and as many idols as there are men” ଅର୍ଥାତ୍—“ଏହି ମନୋରମ ଉପତ୍ୟକାରେ ଯେତେ ଘର ତେତେ ମନ୍ଦିର ଓ ଯେତେ ଲୋକ ତେତିକି ମୂର୍ତ୍ତି” । ଲୋକମାନେ ଧର୍ମପ୍ରାଣ ଧର୍ମପ୍ରାଣ । ଆଇନ ଅନୁସାରେ ଗୋବଧ ଏଠାରେ ନିଷିଦ୍ଧ । ଏଭେରେଷ୍ଟଶୃଙ୍ଗ ଆରୋହଣ ଲାଗି ବିଦେଶରୁ ପ୍ରତିବର୍ଷ ବହୁ ଯାତ୍ରୀ ଏଠାକୁ ଆସନ୍ତି । କାଠମାଣ୍ଡୁ ଏକ ଅତ୍ୟାଧୁନିକ ନଗର । ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ଏହା ପରିପୂର୍ଣ୍ଣ । ବଡ଼ ବଡ଼ ବ୍ୟାଙ୍କ, ହୋଟେଲ, ଧର୍ମଶାଳା, ବିଭିନ୍ନ ଦେଶର ଦୂତାବାସ, ସାହାଯ୍ୟକେନ୍ଦ୍ର, ସରକାରୀକାର୍ଯ୍ୟାଳୟ କଳକାରଖାନା, ସ୍କୁଲ, କଲେଜ, ପାଠାଗାର ଓ ବାଚନାଳୟ, ଅଦାଲତ, କଚେରୀ, ରାଜପ୍ରାସାଦ, ଅତିଥିଭବନ ଓ ବ୍ୟବସାୟକେନ୍ଦ୍ରମାନ ଏହାର ପ୍ରାଧାନ୍ୟକୁ ଶତ ଗୁଣରେ ବଢ଼ାଇଦେଇଛନ୍ତି । ଏଠାରେ ଖାଣ୍ଟି କସ୍ତୁରୀ ମିଳେ । କାଠମାଣ୍ଡୁ ନଗରଟି ବେଶ୍ କୋଳାହଳମୟ । ରାସ୍ତାମାନ ପ୍ରଶସ୍ତ ଓ ପରିଚ୍ଛନ୍ନ । ବଡ଼ ଛକମାନଙ୍କରେ ନେପାଳ ରାଣାମାନଙ୍କର ବ୍ରଞ୍ଜପ୍ରତିକୃତି ଦେଖିବାକୁ ମିଳେ । ଏହା କଲିକତାର ଅଂଶବିଶେଷ ପରି ମନେ ହୁଏ ।

 

କାଠମାଣ୍ଡୁରେ ୭।୮ ଦିନ ଶ୍ରୀ ବଲବୀରଚାନ୍ଦ ପ୍ରେମଙ୍କ ବାସ ଭବନରେ ବେଶ୍ ଆରମରେ କଟାଇଲି । ଆସିଲାବେଳକୁ ମୋଟରରେ ବଡ଼କଷ୍ଟ ହୋଇଥିଲେ । ତେଣୁ ଉଡ଼ାଜାହାଜରେ ଫେରି ଯିବାଲାଗି ସ୍ଥିର କଲି । ମୟୂରଭଞ୍ଜ ମହାରାଜକୁମାର ନେପାଳ ମହାରାଜଙ୍କ ଭଗିନୀପତି ଓ ବର୍ତ୍ତମାନ ସେ ନେପାଳ ଏୟାରଲାଇନ୍‌ସ କର୍ପୋରେସନ୍‌ର ମ୍ୟାନେଜିଂ ଡାଇରେକ୍ଟର । ଟିକିଏ କିଣିବାକୁ ଗଲାବେଳେ ତାଙ୍କ ସହିତ ମୋର ସାକ୍ଷାତ ହେଲା । ମୁଁ ତାଙ୍କୁ ମୋର ପରିଚୟ ଦେଲି ଓ କେତେ ଖଣ୍ଡ ବହି ତାଙ୍କୁ ଉପହାର ଦେଲି । ମୋର ବହି ଦେଖି ସେ ଆନନ୍ଦିତ ହେଲେ ଓ ମୋତେ ସିମ୍ରା ପର୍ଯନ୍ତ ଉଡ଼ାଜାହାଜ ଟିକେଟ୍‌ଟିଏ ବିନାପଇସାରେ କରାଇଦେଲେ । ପରଦିନ ସକାଳ ୬ଟାରେ ପ୍ରେମଜୀ ଓ ତାଙ୍କ ପତ୍ନୀଙ୍କଠାରୁ ବିଦାୟ ନେଇ କାଠମାଣ୍ଡୁ ନଗରସ୍ଥିତ ନେପାଳ ଏୟାରଲାଇନ୍ସ କର୍ପୋରେସନ୍ କାର୍ଯ୍ୟାଳୟରେ ପହଞ୍ଚିଲି । ସେଠାରୁ କମ୍ପାନୀ ମୋଟରଯୋଗେ କାଠମାଣ୍ଡୁ ବିମାନଘାଟୀକୁ ଗଲି । ପ୍ରାୟ ଅଧଘଣ୍ଟା ପରେ କାଠମାଣ୍ଡୁରୁ ସିମ୍ରା ଉଡ଼ାଜାହାଜ ଛାଡ଼ିଲା । ୨୫ ମିନିଟ୍‌ରେ ଉଡ଼ାଜାହାଜସ ସିମ୍ରା (ନେପାଳର ଏକ ବିମାନଘାଟୀ) ରେ ପହଞ୍ଚିଲା । ସିମ୍ରା ବିମାନଘାଟୀର ଅନତିଦୂରରେ ସିମ୍ରା ରେଳଷ୍ଟେସନ୍ । ଏଠାରୁ ରକ୍ ସୌଲ ମାତ୍ର ୧୬ ମାଇଲ ଦୂର । ଘଣ୍ଟାକ ପରେ ଗାଡ଼ି ମିଳିଗଲା । ଦିନ ୧୧ଟା ପୂର୍ବରୁ ମୁଁ ରକ୍‌ସୌଲ ଷ୍ଟେସନରେ ପହଞ୍ଚି ଭାରତଭୂମି ସ୍ପର୍ଶ କଲି । ରକ୍‌ସୌଲରେ ସ୍ନାନଭୋଜନାଦି ସାରି ୨ ।୩ ଘଣ୍ଟା ବିଶ୍ରମା ନେଲି । ଦିନ ୪ଟାବେଳକୁ ସୀତାମଢ଼ି ଓ ଜୟନଗର ପ୍ରଭୃତି ଦେଇ ନେପାଳର ଅନ୍ୟତମ ପ୍ରାଚୀନ ତୀର୍ଥଭୂମି ଜନକପୁର ମିଥିଳା ଯାତ୍ରା କଲି ।

☆☆☆

 

ଜନକପୁର

 

ଜନକପୁରଷ୍ଟେସନ (ଭାରତ ଅଞ୍ଚଳ)ରୁ ୧ ଫରଲଙ୍ଗ ଗଲାପରେ ନେପାଳସ୍ଥିତ ଜୟନଗର ରେଳଷ୍ଟେସନ୍ । ଏଠାରୁ ଜନକପୁର ମାତ୍ର ୧୯ ମାଇଲ ଦୂର । ଷ୍ଟେସନରୁ ପାତିରେଲରେ ଯିବାକୁ ହୁଏ । ଦୁଇଘଣ୍ଟା ରେଳଯାତ୍ର ପରେ ଜନକପୁରଧାମରେ ଗାଡ଼ି ପହଞ୍ଚିଲା । ଜନକପୁରଷ୍ଟେସନରୁ ଗ୍ରାମ ମାତ୍ର ୧ ମାଇଲ ଦୂର । ଚାଲି ଚାଲି ଗଲି । ଏହା ଏକ କ୍ଷୁଦ୍ର ଗ୍ରାମ । ନୌଲଖାଭବନ ଓ ସୁନୟନା ଜନକମନ୍ଦିର ପ୍ରଭୃତି ଏହାର ଦର୍ଶନୀୟ ସ୍ଥାନ । ଯାତ୍ରୀମାନଙ୍କ ପାଇଁ ୨।୩ଟି ବଡ଼ ଧର୍ମଶାଳା ଅଛି । ଧର୍ମଶାଳା ପାଖକୁ ଦୁଇଟି ପୋଖରୀ ନୌଲଖାଭବନ ପାଇଁ ଜନକପୁର ମିଥିଳାର ପ୍ରାଧାନ୍ୟ ବଢ଼ିଅଛି । ଏହାର ଅନ୍ୟ ନାମ ଜାନକୀମନ୍ଦିର । ଏହା ଏକ ବିରାଟ ମନ୍ଦିର । ଏହାର ମଲମଲ ପଥରର ଦରଜା ଏବଂ ଗମ୍ଭୁଜାକାର ତୋରଣ ବେଶ୍ କମନୀୟ । ଏଠାରେ ଶ୍ରୀରାମ ଓ ଜାନକୀଙ୍କର ୩ଟି ମୂର୍ତ୍ତି । ତଳକୁ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ । ଏହା ଏକ ପଞ୍ଚତଳ ପ୍ରାସାଦ । ଟିକମଗଡ଼ର ରାଣୀ କାମନା କରି ପୁତ୍ର ଲାଭ କରିଥିବାରୁ ନଅଲକ୍ଷ ମୁଦ୍ରା ବ୍ୟୟ କରାଇ ଏହି ମନ୍ଦିରକୁ ନିର୍ମାଣ କରାଇଥିଲେ । ତେଣୁ ଏହାର ନାମ ନୌଲଖାଭବନ ।

 

ନୌଲଖାମନ୍ଦିରର ଟିକିଏ ଦୂରକୁ ଶ୍ରୀ ରାମମନ୍ଦିର ଅବସ୍ଥିତ । ଶ୍ରୀରାମଙ୍କ ପାଦୁକା ଏହି ମନ୍ଦିରରେ ପୂଜିତ । ପ୍ରଧାନ ଦରଜା ଅତିକ୍ରମ କଲାପରେ ଶିବମନ୍ଦିର ପଡ଼େ । ଏହାର ମଲମଲ ଚଉପାଢ଼ୀ ଦର୍ଶନୀୟ । ମନ୍ଦିରରେ ଶ୍ରୀମାରଙ୍କ ପାଦୁକା ବ୍ୟତୀତ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ପିତଳମୂର୍ତ୍ତି । ଉତ୍ତରକୁ ଅଷ୍ଟଲିଙ୍ଗ, ସାମନାକୁ ପଥରର ହନୁମାନମୂର୍ତ୍ତି । ଆଗରେ ଥିବା ପୋଖରୀ ଦୁଇଟିର ନାମ ଧନୁଷ୍କୁଣ୍ଡ ଓ ଗଙ୍ଗାସାଗର । ଏହାର ନିକଟରେ ସୁନୟନାଜନକମନ୍ଦିର । ରାଜର୍ଷି ଜନକ ଏବଂ ତାଙ୍କ ପତ୍ନୀ ସୁନୟନା ଓ କନ୍ୟା ଜାନକୀଙ୍କର ମୂର୍ତ୍ତି ଏହି ମନ୍ଦିରରେ ସ୍ଥାପିତ । ରାମନବମୀକୁ ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ ।

☆☆☆

 

ସୀତାମଢ଼ି

 

ବରୌନୀଜଙ୍କ୍‌ସନ୍‌ରୁ ନେପାଳ ଗଲାବେଳେ ବାଟରେ ‘ସୀତାମଢ଼ି’ ରେଳଷ୍ଟେସନ ପଡ଼େ । ହଳକର୍ଷଣ ବେଳେ ଭୂଗର୍ଭସ୍ଥିତ ମଞ୍ଜୁଷାରୁ ସୀତା ବାହାରିଥିଲେ ବୋଲି ଏହି ସ୍ଥାନର ନାମ ସୀତାମଢ଼ି ହୋଇଛି । ନେପାଳରୁ ଫେରି ଏଠାରେ ଏହ୍ଲାଇଲି । ଆସିଷ୍ଟାଣ୍ଟ ଷ୍ଟେସନମାଷ୍ଟରଙ୍କଠାରୁ ସହର ଓ ମନ୍ଦିରର ବିଶଦ ବିବରଣୀ ବୁଝି ତାଙ୍କ ଜିମା ମୋର ଜିନିଷପତ୍ର ରଖି ରିକ୍‌ସାଟିଏ କରି ବୁଲି ସନ୍ଧ୍ୟାବେଳେ ବାହାରିଲି । ସହରଟି କ୍ଷୁଦ୍ର ହେଲେ ହେଁ ତୀର୍ଥସ୍ଥାନ ହେତୁ କୋଠାବାଡ଼ି ବହୁପରିମାଣରେ ଦେଖାଯାଏ । ଦୋକାନ, ବଜାର, ହୋଟେଲ, ମନ୍ଦିର ଓ ଧର୍ମଶାଳାରେ ସହରଟି ପୂର୍ଣ୍ଣ । ‘ଲଖନଦେଈ’ ନଦୀଉପରେ ପୋଲଟିଏ ତିଆରି ହୋଇଛି । ୧୫ ।୨୦ ମିନିଟ୍ ପରେ ମନ୍ଦିରରେ ପହଞ୍ଚିଲି । ସାୟଂକାଳୀନ ଆରତି ବେଳେ ଧୂପ ଓ ଦୀପର ସୁବାସରେ ମନ୍ଦିରକକ୍ଷ ମହକି ଉଠୁଥାଏ ଏବଂ ଘଣ୍ଟା ଧ୍ୱନିରେ ମନ୍ଦିର କମ୍ପୁଥାଏ । ଶ୍ରୀରାମ, ସୀତା, ଓ ଲକ୍ଷ୍ମଣଙ୍କର କଳାମୁଗୁନି ପଥରର ୩ ଫୁଟ ଉଚ୍ଚର କମନୀୟ ମୂର୍ତ୍ତି । ସାମନାରେ ହନୁମାନମନ୍ଦିର ।

☆☆☆

 

ଗୌହାଟୀ

 

ନେପାଳ ଦର୍ଶନ ସାରି ଆସାମ ଯିବାଲାଗି ଦୃଢ଼ସଂକଳ୍ପ ହେଲି । ଜୟନଗରରୁ ବରୌନୀଜଙ୍କ୍‌ସନ୍ ପର୍ଯ୍ୟନ୍ତ ଟିକେଟ୍‌ଟିଏ କଲି । ବରୌନୀରୁ ସେତେବେଳକୁ ଗୌହାଟୀପାସେଞ୍ଜର ଛାଡ଼ି ଦେଇଥିଲା । ଅଗତ୍ୟା ୨ୟ ଶ୍ରେଣୀ ବିଶ୍ରମାଗାରରେ ସାରାଦିନ ସାରାରାତି ପଡ଼ି ରହିବାକୁ ହେଲା । ପରଦିନ ସକାଳ ୮ଟାରେ ଅମିନ୍‌ଗାଁଓ ଏକସ୍‌ପ୍ରେସ୍ ଯୋଗେ ଯାତ୍ରା କଲି । ପରଦିନ ଦିନ ୧୧ ଟା ବେଳେ ଗାଡ଼ି ଅମିନ୍ ଗାଁଓରେ ଲାଗିଲା । ସମ୍ମୁଖରେ ଦୁଷ୍ପାର ବ୍ରହ୍ମପୁତ୍ର ଭୀମଭୈରବ ଗର୍ଜ୍ଜନରେ ପ୍ରବାହିତ । ଅମିନ୍‌ଗାଁଓରେ ଓହ୍ଲାଇ ଷ୍ଟିମରରେ ନଦୀ ପାର ହୋଇ ନଦୀ ଆରପାଖ ପାଣ୍ଡୁରେଳଷ୍ଟେସନରୁ ଗାଡ଼ି ଧରିବାକୁ ହୁଏ । ଷ୍ଟିମର ଖୁବ ଭିଡ଼ ହୁଏ । ପାଣ୍ଡୁଠାରେ ଗୌହାଟୀ ୫ ମାଇଲ ଦୂର । ଗୌହାଟୀରେ ରହିବା ପାଇଁ ବନ୍ଦୋବସ୍ତ ଆଗରୁ କରିଥିଲି । ଏଠାରେ ଜନୈକ ଭଦ୍ରଲୋକ ଶ୍ରୀ ଅଚଳାକାନ୍ତ ଭୂୟାଁଙ୍କ ସହିତ ଆଗରୁ ପତ୍ରାଳାପ କରିଥିଲି । ସେ ମୋତେ ତାଙ୍କ ବାସଭବନର ପୂରା ଠିକଣା ଦେଇଥିଲେ । ଗୌହାଟୀର ଶ୍ରୀ ଅଚଳାକାନ୍ତ ଭୂୟାଁଙ୍କ ଘରେ ଦିନ ୧୨ଟା ବେଳେ ପହଞ୍ଚିଲି । ଖରାବେଳଟି ବିଶ୍ରାମ କରି ଉପରଓଳି ତାଙ୍କ ପୁଅ ଶ୍ରୀ ଯୋଗଦାନକାନ୍ତ ସହିତ ସହର ବୁଲିବାକୁ ଗଲି । ଗୌହାଟୀ, କାମାକ୍ଷା ଓ ଶିଲଙ୍ଗ ଭ୍ରମଣ ଲାଗି ସେ ମୋର ସମସ୍ତ ବନ୍ଦୋବସ୍ତ କରିଦେଲେ ।

 

ଗୌହାଟୀ ଆସାମର ପ୍ରଧାନ ବାଣିଜ୍ୟକେନ୍ଦ୍ର । ଏହା କେତେକାଂଶରେ କଟକ ସହର ପରି ଦେଖାଯାଏ । କାମରୂପ ଜିଲ୍ଲାର ଏହା ପ୍ରଧାନ ସହର । ଏଠାରେ ବଡ଼ ବଡ଼ ଦୋକାନ, ହାଇସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ମ୍ୟୁନିସିପାଲଟି, ହାଇକୋର୍ଟ, ବହୁ ଆଶ୍ରମ ଓ ମଠ ଅଛି । ବ୍ରହ୍ମପୁତ୍ରନଦୀର ସୂର୍ଯ୍ୟାସ୍ତଶୋଭା ଏକାନ୍ତ ରମଣୀୟ । ସହରର ବହୁ ଲୋକ ସନ୍ଧ୍ୟାସମୟରେ ନଦୀକୂଳକୁ ଭ୍ରମଣରେ ଆସନ୍ତି । ଏଠାକାର ରେଡ଼ିଓ ଷ୍ଟେସନ ଓ ଷ୍ଟାଡିଅମ୍ ପ୍ରଭୃତି ଠିକ୍ କଟକ ରେଡ଼ିଓ ଷ୍ଟେସନ ଓ ବାରବାଟୀଷ୍ଟାଡିଅମ୍ ପରି । ନବଗ୍ରହମୂର୍ତ୍ତି ସହରର ଏକ ପାର୍ଶ୍ୱରେ ଥିବା ‘ଚିତ୍ରାଚଳ’ ପର୍ବତର ଶିଖ୍‍ର ଦେଶରେ ଅବସ୍ଥିତ । ପର୍ବତ ଉପରକୁ ୧ ମାଇଲ ଯିବାକୁ ପଡ଼େ । ଉପରେ ଛୋଟ ମନ୍ଦିରଟିଏ । ଏଠାରେ ନବଗ୍ରହ ମୂର୍ତ୍ତି ପୂଜିତ । ଏଠାରୁ ପ୍ରଥମ କରି ଜ୍ୟୋତିଷିବିଦ୍ୟାର ପ୍ରଚାର ଓ ପ୍ରସାର ଭାରତରେ ହୋଇଥିଲା ବୋଲି ଗୌହାଟୀର ଅନ୍ୟନାମ “ପ୍ରାଗ ଜ୍ୟୋତିଷପୁର” । ନବଗ୍ରହମୂର୍ତ୍ତି ମଧ୍ୟରେ ସୂର୍ଯ୍ୟ ଓ ଚାରିପାଖରେ ଅନ୍ୟ ୮ ଗ୍ରହଙ୍କର ମୂର୍ତ୍ତି । ଏଠାରେ ବିଦେଶାଗତ ଯାତ୍ରୀମାନଙ୍କ ରହିବା ପାଇଁ ସୁବିଧା ଅଛି । ଏହି ଚିତ୍ରାଚଳ ପର୍ବତଟି ସତକୁ ସତ ଚିତ୍ରବହୁଳ । ଚାରିଆଡ଼ ନୀରବ ନିସ୍ତବ୍‌ଧ ଏବଂ ବଡ଼ ବଡ଼ ବୃକ୍ଷଲତାରେ ପୂର୍ଣ୍ଣ । ଏଥିରେ ହିଂସ୍ରଜନ୍ତୁ ଅଛନ୍ତି ବୋଲି କେହି କେହି କହନ୍ତି । ତଳକୁ ଓହ୍ଲାଇଲାବେଳେ ଆସାମର ଶହୀଦମାନଙ୍କର ସମାଧିପୀଠ ଦେଖାଯାଏ । ଶହ ଶହ ଜାତୀୟ ବୀର ଯୁଦ୍ଧକ୍ଷେତ୍ରରେ ମରିଗଲା ପରେ ସେମାନଙ୍କୁ ଏଠାରେ ସମାଧି ଦିଆଯାଇଛି । ପାହାଡ଼ ଆଖପାଖରେ କେତେକ ଜଙ୍ଗଳୀ ଜାତି ବାସ କରନ୍ତି ।

 

ଚିଡ଼ିଆଖାନାଟିଏ ଗୌହାଟୀରେ ଅଳ୍ପକାଳ ହେଲା ପ୍ରତିଷ୍ଠିତ ହୋଇଛି । ସହରରୁ ୩ ମାଇଲ ଦୂରରେ ଥିବା ଏକ ପର୍ବତର ଉପକଣ୍ଠରେ ଏହା ଅବସ୍ଥିତ । ବଘ, ଭାଲୁ, ମାଙ୍କଡ଼, ଆସାମର ଗଣ୍ଡାର, ବିଭିନ୍ନ ପ୍ରକାରର ସାପ, ଆଫ୍ରିକାମାଙ୍କଡ଼, ଉଡ଼ନ୍ତା ଗୁଣ୍ଡୁଚିମୂଷା, ଓଟପକ୍ଷୀ, ଆଫ୍ରିକାର ନୀଳଗାଈ, ନାନାପ୍ରକାର ଜଳଚର ପ୍ରାଣୀ ଓ ବହୁ ପ୍ରକାରର ପକ୍ଷୀ ଏଠାରେ ଦେଖିବାକୁ ମିଳେ । ମୋ ସଙ୍ଗରେ ଶ୍ରୀ ହରିକାନ୍ତ ଭୂୟାଁ ଯାଇଥିଲେ । ଦୁହେଁ ବୁଲି ସାରି ଘରକୁ ଫେରିଲୁ । ଆସାମର ବିଖ୍ୟାତ ଖବରକାଗଜ ଛପାଖାନା ‘ଆସାମଟ୍ରିବ୍ୟୁନ୍’ ଏହି ରାସ୍ତାରେ ପଡ଼େ । ପ୍ରଧାନ ସଡ଼କରୁ ପ୍ରାୟ ଦୁଇ ମାଇଲ କଚାସଡ଼କ ଦେଇ ଏଠାକୁ ଯିବାକୁ ହୁଏ ।

 

ବ୍ରହ୍ମପୁତ୍ରନଦୀର ଦୃଶ୍ୟ ଭୀମକାନ୍ତ । ଏହାର ପ୍ରଖରସ୍ରୋତ ଦର୍ଶକ ହୃଦୟରେ ଭୟ ସଂଚାର କରେ । ସାରାବର୍ଷ ଏଥିରେ ଷ୍ଟିମର ଚାଲେ । ଦୁଇପାଖରେ ସହରଥିବାରୁ ସନ୍ଧ୍ୟାସମୟରେ ନଗରର ଆଲୋକମାଳା ପ୍ରତିବିମ୍ବରେ ନଦୀଟି କମନୀୟ କାନ୍ତି ଧାରଣ କରେ । ହାଇକୋର୍ଟଟି ସହରର ମଧ୍ୟରେ ଅବସ୍ଥିତ । ଏହା ଲାଲ ପଥରର ଏକ ଗମ୍ବୁଜାକୃତି ସୌଧ । ସହରର ଜନାକୀର୍ଣ୍ଣ ସ୍ଥାନ ହେଉଛି ଫାନ୍‌ସୀବଜାର । ଏଠାରେ ମଧ୍ୟ ବହୁତ ସିନେମା ଓ ଥିଏଟର ଘର ଅଛି । ଲୋକମାନେ ଖୁବ୍ ସରଳ ଓ ଧର୍ମପ୍ରାଣ ।

☆☆☆

 

କାମାକ୍ଷାମନ୍ଦିର

 

ଶ୍ରୀ ଯୋଗଦାକାନ୍ତ ଭୂୟାଁଙ୍କ ସହିତ କାମାକ୍ଷାମନ୍ଦିର ଦର୍ଶନ ଲାଗି ପରଦିନ ସକାଳେ ବାହାରିଲି । ଗୌହାଟୀଠାରୁ ଏହାର ଦୂରତା ୫ ମାଇଲ । ନୀଳଚଳପର୍ବତର ଶିଖ୍‍ରପ୍ରଦେଶରେ ଏହି ମନ୍ଦିର ଅବସ୍ଥିତ । ଗୌହାଟୀରୁ ଏଠାକୁ ସବୁବେଳେ ବସ୍ ବନ୍ଦୋବସ୍ତ ଅଛି । ଦୁହେଁ ବସ୍‌ରେ ଆସି ପାହାଡ଼ପାଖରେ ୯ ଟା ବେଳେ ପହଞ୍ଚିଲୁ । ରାସ୍ତା ଖୁବ୍ ତୀଖଥିବାରୁ ଉପରକୁ ଉଠିବା ବଡ଼ କଷ୍ଟ ସାଧ୍ୟ । ପାଦଦେଶରୁ ଉପରକୁ ଯିବା ଲାଗି, ଏବେ ମୋଟରରାସ୍ତାଟିଏ ତିଆରି ହୋଇଛି । କିନ୍ତୁ ତାହା ସମୟ ସାପେକ୍ଷ ଓ ବ୍ୟୟସାପେକ୍ଷ । ତେଣୁ ଦୁହେଁ ପଦଯାତ୍ରା କରି ବହୁ କଷ୍ଟରେ ପ୍ରାୟ ୧୬ଘଣ୍ଟା ପରେ ଏଠାରେ ପହଞ୍ଚିଲୁ । ଯୋଗଦାବାବୁ ତାଙ୍କ ପଣ୍ଡାଙ୍କୁ ଦର୍ଶନ କରାଇବା ନିମିତ୍ତ ନିଯୁକ୍ତ କଲେ । ପଣ୍ଡାଟି ଶିକ୍ଷିତ ଓ ଭଦ୍ରା ଅନ୍ୟମାନଙ୍କ ପରି ପଇସା ଲାଗି ଜୁଲମ ନାହିଁ । ମନ୍ଦିର ଆଗରେ ଛୋଟ ପୁଷ୍କରିଣୀ । ସେଥିରେ ମୁଁହହାତ ଧୋଇ ଭୋଗ କିଣି ପଣ୍ଡାଙ୍କ ସହିତ ମନ୍ଦିର ଭିତରକୁ ଗଲୁ । ଏଠାରେ ସତୀଙ୍କର ‘କଟି ଓ ଯୋନି’ ଅଂଶ ପଡ଼ିଥିବାରୁ ଏହାର ଅନ୍ୟନାମ ‘ଯୋନିତୀର୍ଥ’ । ରଜସଂକ୍ରାନ୍ତିକୁ ତିନି ଦିନ ଧରି ଏହି ମନ୍ଦିର ବନ୍ଦ ରହେ । ଏହା ଏକ ଗମ୍ଭୁଜାକୃତି ମନ୍ଦିର । ପ୍ରବେଶ ଦ୍ୱାର ଅତ୍ୟନ୍ତ ସଂକୀର୍ଣ୍ଣ । ସକାଳ ଓ ସନ୍ଧ୍ୟାସମୟରେ ମନ୍ଦିର ଭିତରକୁ ଯିବାଲାଗି ଶହ ଶହ ଲୋକ ରୁଣ୍ଡ ହୁଅନ୍ତି । ଭିତରେ ଘନ ଅନ୍ଧକାର । ଭାରତର କୌଣସି ମନ୍ଦିର ଏତେ ସଂକୀର୍ଣ୍ଣ ନୁହେଁ । ଆଗେ ଆଗେ ପଣ୍ଡା ଚାଲିଥାଏ, ଯୋଗଦାବାବୁ ଓ ମୁଁ ପଛେ ପଛେ ଚାଲିଥାଉଁ । ଲୋକମାନଙ୍କ ଠେଲାପେଲା–ଅନ୍ଧାର ଆଗକୁ ପାହୁଣ୍ଡେ ଗଲେ ପଛକୁ ପାହୁଣ୍ଡେ, ଏପରି ହେଉଁ ହେଉଁ ମୁଁ ଏକାବେଳକେ ଅଣନିଶ୍ୱାସୀ ହୋଇଗଲି । ୧ଫୁଟ ଆକାର ସୁନାର ଓଢ଼ଣି ଭିତରେ ପାତାଳଭେଦୀ ଯୋନିକୃତିର ଏକ ଗର୍ତ୍ତ । ଏହି ଗର୍ତ୍ତଟିର ବ୍ୟାସ ପ୍ରାୟ ୧୬ ଫୁଟ ହେବ । ସବୁବେଳେ ଏଥିରେ ପାଣି ଝରୁଥାଏ । ଯାତ୍ରୀମାନେ ଭକ୍ତିସହକାରେ ଏ ପାଣିକୁ ପ୍ରସାଦରୂପେ ଗ୍ରହଣ କରନ୍ତି । ଦରଜା ପାଖରେ ଚଳନ୍ତି କାମାକ୍ଷାମୂର୍ତ୍ତି । ଏହା ପିତଳର ଦଶଭୁଜା ମୂର୍ତ୍ତି । ଉତ୍ତରକୁ ବୃଷଭାରୂଢ଼ ପଞ୍ଚମୁଖୀ ଶିବ । ଏହାକୁ କାମ୍ବେଶ୍ୱର ମହାଦେବ ବୋଲି କହନ୍ତି । ଦକ୍ଷିଣକୁ ସିଂହ, ପ୍ରେତ ଓ ପଦ୍ମ ଉପରେ ଷଡ଼ମୁଖା, ଦ୍ୱାଦଳ ଭୁଜା ଓ ଅଷ୍ଟାଦଶଲୋଚନା ଜଗନ୍ମୟୀ କାମେଶ୍ୱରୀମୂର୍ତ୍ତି-। ମନ୍ଦିର ସାମନାରେ ଥିବା କ୍ଷୁଦ୍ର ପୁଷ୍କରିଣୀର ନାମ ସୌଭାଗ୍ୟକୁଣ୍ଡ । ମନ୍ଦିର ମଧ୍ୟରେ ଲକ୍ଷ୍ମୀ, ସରସ୍ୱତୀ, ଅନ୍ନପୂର୍ଣ୍ଣ ଓ ଚାମୁଣ୍ଡା ପ୍ରଭୃତିଙ୍କ ମୂର୍ତ୍ତି ପୂଜିତ । ଲକ୍ଷ୍ମୀସରସ୍ୱତୀଙ୍କର ମୂର୍ତ୍ତି ରୂପାରେ ତିଆରି-। ବାହାରେ ପିତଳର ଅଷ୍ଟଭୁଜାମୂର୍ତ୍ତି । ମନ୍ଦିରର ଗତ୍ରରେ ଅଷ୍ଟାଦଶଭୈରବ ଓ ୬୪ ଯୋଗିନୀଙ୍କର ମୂର୍ତ୍ତି ଖୋଦିତ । ଅନ୍ୟ ଏକ ପାଖରେ ୩।୪ ଟି ଅର୍ଗଳି । ଏଠାରେ ବହୁତ ଛେଳି ଓ ମେଣ୍ଢା ବଳି ପଡ଼ନ୍ତି । ସମୟେ ସମୟେ ମହିଷ ବଳି ମଧ୍ୟ ଦିଆଯାଏ । ପୂର୍ବେ ଏଠାରେ ନରବଳି ଦିଆଯାଇଥିଲା ବୋଲି ଶୁଣାଯାଏ । ଏଠାରେ ସିଦ୍ଧପୀଠ, ରୁଦ୍ରପୀଠ, ବ୍ରହ୍ମପୀଠ, ଓ ଉପପୀଠ ଇତ୍ୟାଦି ୯ଟି ପୀଠ ଅଛି । କାଳୀ, ଛିନ୍ନମସ୍ତା, ଭୈରବୀ, ଧୁମା, ମାତଙ୍ଗୀ, କ୍ଳିନା, ଭଗଧାରା, ଓ ଜୟଦୁର୍ଗା ପ୍ରଭୃତି ବିଭିନ୍ନ ଦେବୀଙ୍କର ମୂର୍ତ୍ତି ଅଛି ।

 

ଚୀନପରିବ୍ରାଜକ ହୁଏନସାଂ ଖ୍ରୀ: ୬୪୩ରେ ଭାରତ ଭ୍ରମଣବେଳେ କାମରୂପକୁ ଆସି ତାଙ୍କର “ଭାରତଭ୍ରମଣ”ରେ ଲେଖିଛନ୍ତି “ଭାସ୍କରବର୍ମଣ ଏଠାରେ ପ୍ରବଳପରାକ୍ରମୀ ରାଜା ଥିଲେ । କାମରୂପର ପରିଧି ୧୬୬୭ ମାଇଲରୁ ଅଧିକ ଥିଲା । ପୁଣ୍ଡବର୍ଦ୍ଧନଠାରୁ ପୂର୍ବଦିଗକୁ ଦେଢ଼ମାଇଲ ଗଲେ ଏକ ବଡ଼ନଦୀ (ବ୍ରହ୍ମପୁତ୍ର) ଅତିକ୍ରମ କରି ଦର୍ଶକ କାମରୂପରେ ପହଞ୍ଚେ । କାମରୂପର ପୂର୍ବଦିଗରେ ଦକ୍ଷିଣପଶ୍ଚିମ ଚୀନର ସୀମାନ୍ତ ପର୍ଯ୍ୟନ୍ତ ଛୋଟ ବଡ଼ ପର୍ବତମାଳା ଛଡ଼ା ଆଉ କିଛି ନଗର ନ ଥିଲା” ।

 

ଯୋଗିନୀତନ୍ତ୍ରରେ ଏହି ଯୋନିତୀର୍ଥର ବିବରଣୀ ମିଳେ—

 

ବିତସ୍ତି ମାତ୍ର ବିସ୍ତୀର୍ଣ୍ଣା ଏକବିଂଶାଙ୍ଗୁଳିଯୁତା ।

କ୍ରମସୂକ୍ଷ୍ମବିନମ୍ରାସା ଭସ୍ମଶୈଳାନୁଗାମିନୀ ।।

 

ନୀଳାଚଳପର୍ବତର ଏକପାଖରେ କାମାକ୍ଷାମନ୍ଦିର ଓ ଅନ୍ୟପାଖରେ ଭୁବନେଶ୍ୱରୀମନ୍ଦିର-। କାମାକ୍ଷରୁ ଏଠାକୁ ପାହାଡ଼ିଆ ରାସ୍ତା ଦେଇ ଯୋଗଦାବାବୁ ଓ ମୁଁ ଗଲୁ । ଏହି ରାସ୍ତା ପ୍ରାୟ ଅଧମାଇଲ ଦୂର । ଏଠାରୁ ବ୍ରହ୍ମପୁତ୍ର ଗୌହାଟୀରୁ ଦୃଶ୍ୟ ଅତୀବ ରମଣୀୟ । ଭୁବନେଶ୍ୱରୀ ମନ୍ଦିରଟି ଛୋଟ । ସତୀଙ୍କର ଲଲାଟ ଅଂଶ ଏଠାରେ ପଡ଼ିଥିଲା । ନିକଟରେ କପାଳତୀର୍ଥ-ମହାଦେବମନ୍ଦିର । ଦିନ ୧୨ଟା ବେଳେ ଆସି ପଣ୍ଡାଙ୍କ ଘରେ ପହଞ୍ଚିଲୁ ପଣ୍ଡା ଆମ ପାଇଁ ଭୋଜନର ବନ୍ଦୋବସ୍ତ କରିଥିଲେ । ଏଠାରେ ଲୁହାକବଚ ପୂଜା ହୁଏ । ପଣ୍ଡା ଆମ ପାଇଁ ଭୋଗ ଓ ଲୁହାକବଚ ଆଣି ଦେଲେ । ଖାଇସାରି ତାଙ୍କ ଘରେ ଟିକିଏ ବିଶ୍ରାମ ନେଲୁ । ଉପରଓଳି ଦୁହେଁ ତାଙ୍କୁ ଦକ୍ଷିଣା ଦେଇ ବିଦାୟ ନେଇ ଗୌହାଟୀକୁ ଫେରି ଆସିଲୁ ।

☆☆☆

 

ଶିଲଙ୍ଗ

 

ଗୌହାଟୀରେ ଦିନେ ଦୁଇଦିନ ବିଶ୍ରାମ ନେଇ ଶିଲଙ୍ଗ ଯାତ୍ରା କଲି । ଅଚଳାକାନ୍ତବାବୁଙ୍କ ପୁତୁରା ଶିଲଙ୍ଗରେ ସମବାୟବିଭାଗର କର୍ମଚାରୀ । ତାଙ୍କ ସହିତ ଗଲେ ସେ ମୋତେ ସମସ୍ତ ଦର୍ଶନୀୟ ସ୍ଥାନ ସୁବିଧାରେ ବୁଲାଇ ଆଣିବେ ବୋଲି ଅଚଳାକାନ୍ତବାବୁ ମୋତେ ଆଉ ୨ ।୩ ଦିନ ଅପେକ୍ଷା କରିବାକୁ କହିଲେ । ତାଙ୍କ ପୁତୁରା ପ୍ରତି ରବିବାର ଗୌହାଟୀ ଆସନ୍ତି । ତେଣୁ ପର ରବିବାର ଦିନ ମୁଁ ତାଙ୍କ ସଙ୍ଗରେ ଶିଲଙ୍ଗ ଗଲି । ଗୌହାଟୀଠାରୁ ଏହା ୬୩ ମାଇଲ । ମୋଟରଯୋଗେ ଏଠାକୁ ଯିବାକୁ ହୁଏ । ଅଳ୍ପ କେତେକ ମାଇଲ ପରେ ରାସ୍ତାଟି ପର୍ବତର ଧାରେ ଧାରେ ସର୍ପିଳଗତିରେ ଯାଇଛି । ଦୁଇପାଖରେ ଉତ୍ତଙ୍ଗ ପର୍ବତମାଳା–ଘଞ୍ଚ ବନ–ପାର୍ବତ୍ୟଝରଣା –ପକ୍ଷୀମାନଙ୍କର କଳରବ ପ୍ରଭୃତି ଦର୍ଶକକୁ ଏକ ଅପୂର୍ବ ସ୍ଥାନର ସନ୍ଧାନ ଦିଏ । ସନ୍ଧ୍ୟାବେଳେ ପହଞ୍ଚି ତାଙ୍କ ଘରେ ରହିଲି ଓ ପରଦିନ ସହର ବୁଲିବାକୁ ଗଲି ।

 

ଶିଲଙ୍ଗ ଏକ ସ୍ୱାସ୍ଥ୍ୟନିବାସ । ୪୯୨୧ ଫୁଟ ଉପରେ ଏହି ପାର୍ବତ୍ୟନଗର ଅବସ୍ଥିତ ହେତୁ ଏଠାରେ ଗ୍ରୀଷ୍ମ ଋତୁରେ ମଧ୍ୟ ପ୍ରବଳ ଶୀତ । କମଳା ଓ ସପୁରୀ ଏଠାରେ ପ୍ରଚୁର ପରିମାଣରେ ମିଳେ । ବାଟରେ ନୌଗଙ୍ଗ ଗାଁ ପଡ଼େ । ଏହି ନୌଗଙ୍ଗ ସପୁରୀ ଲାଗି ବିଖ୍ୟାତ । ନାଗା, ଖାସି, ଓ ଅନ୍ୟାନ୍ୟ ପାହାଡ଼ିଆ ଲୋକମାନେ ଏଠାରେ ବହୁ ପରିମାଣରେ ବାସ କରନ୍ତି । ଏହା ଏକ ସ୍ୱାସ୍ଥ୍ୟକର ସ୍ଥାନ ହୋଇଥିବାରୁ ଏଠାରେ ଏବେ ମଧ୍ୟ ବହୁ ଇଉରୋପୀୟ ବାସ କରନ୍ତି । ଦୋକାନବଜାର ଖୁବ୍ ଗହଳି । ପ୍ରାୟ ସବୁଠାରେ ସ୍ତ୍ରୀମାନେ ବିକାକିଣା କରନ୍ତି । ଦଳଦଳ ହୋଇ ସ୍ତ୍ରୀମାନେ ସ୍ୱେଚ୍ଛାଚାରିଣୀ ପରି ଏଣେ ତେଣେ ବୁଲୁଥାନ୍ତି । ଶିଲଙ୍ଗର ମୌସୁମୀ ଜଳପ୍ରପାତ, ଘୋଡ଼ାଦୌଡ଼ପଡ଼ିଆ, ସନ୍ତରଣ-ପୁଷ୍କରିଣୀ, ସେକ୍ରେଟରୀଏଟ ପ୍ରଭୃତି ଦେଖି ଗୌହାଟୀ ଫେରିଆସିଲି । ଗୌହାଟୀରେ ଦୁଇତିନି ଦିନ ବିଶ୍ରାମ କରି କଲିକତା ଦେଇ ଘରକୁ ଫେରିଲି ।

☆☆☆

 

ଭୂବୈକୁଣ୍ଠ ବଦ୍ରୀନାଥ

 

ଭାରତର ଚାରିଧାମ ମଧ୍ୟରୁ ବଦ୍ରୀନାଥ ଅନ୍ୟତମ । ଭାରତର ଶୀର୍ଷଦେଶରେ ଓ ଦେବତାତ୍ମା ହିମାଳୟ-ପର୍ବତମାଳାରେ ୧୦,୨୪୦ ଫୁଟ ଉଚ୍ଚରେ ଏହା ଅବସ୍ଥିତ । ଗମନାଗମନର ଅସୁବିଧା ଓ ଅତ୍ୟଧିକ ଶୀତ ହେତୁ ବର୍ଷରେ ମାତ୍ର ୪ ମାସ (ଏପ୍ରିଲ-ଜୁଲାଇ) ଏଠାକୁ ଯାତ୍ରୀମାନେ ଆସନ୍ତି । ତା ୧୬ ।୫ ।୬୦ ରେ ବଦ୍ରୀନାଥ ଅଭିମୁଖେ ଯାତ୍ରାକଲି । କଲିକତାରୁ ପରଦିନ ସନ୍ଧ୍ୟାରେ ଡେରାଡ଼ୁନ ଏକସ୍‌ପ୍ରେସ୍ ଯୋଗେ ହରଦ୍ୱାର ପର୍ଯ୍ୟନ୍ତ ଗଲି । ସେଠାରେ ଦିନଟିଏ ବିଶ୍ରାମନେଇ ଯାତ୍ରା କଲି ଋଷିକେଶ । କଟକରୁ ହରଦ୍ୱାରର ଦୂରତା ୧୧୫୯ ମାଇଲ ଓ ହରଦ୍ୱାରରୁ ଋଷିକେଶ ୧୪ ମାଇଲ । ଋଷିକେଶକୁ ଭାରତର ବିଭିନ୍ନ ପ୍ରଦେଶର ଯାତ୍ରୀମାନେ ଆସିଥାନ୍ତି । ଯାତ୍ରୀମାନଙ୍କ ଭିଡ଼ ଯୋଗୁଁ ଏଠାରେ ଦିନେ ଦୁଇ ଦିନ ଅପେକ୍ଷା କରିବାକୁ ହୁଏ । ଋଷିକେଶରେ ମନଭରୀବାଈ ଧର୍ମଶାଳାରେ ଅବସ୍ଥାନ କରିବାର ସୁବିଧା ମିଳିଲା । ପୂର୍ବରୁ ଏଠାରେ ଜବଲପୁରର ଶ୍ରୀ ଶ୍ୟାମସୁନ୍ଦରଦାସଗୁପ୍ତ ତାଙ୍କ ପରିବାର ସହ ବଦ୍ରୀନାଥ ଯିବେ ବୋଲି ଅପେକ୍ଷା କରିଥାନ୍ତି ଓ ସେ ମୋଟରରେ ୫ ଜଣ ପାଇଁ ସ୍ଥାନ ରିଜର୍ଭ କରିଥାନ୍ତି । ତାଙ୍କ ସଙ୍ଗରେ ବାର୍ତ୍ତାଳାପ ପରେ ସେ ମୋ ପାଇଁ ଗୋଟିଏ ବସ୍ ଟିକେଟ୍ ଆଣିଦେଲେ । ଯାହା ହେଉ ଦିନକ ପରେ ଯୋଶୀମଠ ପର୍ଯ୍ୟନ୍ତ ଯିବାର ସୁବିଧା ମିଳିଗଲା । ଋଷିକେଶରୁ ଯୋଶୀମଠ ମୋଟରଯୋଗେ ୧୫୮ ମାଇଲ ଦୂର । ତା ୨୧ ।୫ ।୬୦ ସକାଳ ୬ଟାରେ ମୋଟର ଋଷିକେଶରୁ ଯୋଶୀମଠ ଅଭିମୁଖେ ଯାତ୍ରାକଲା । “ଜୟବଦ୍ରୀବିଶାଳ” ନାଦରେ ମୋଟର ଉଛୁଳି ଉଠୁଥାଏ । ବାଟରେ ବିସୂଚିକାଟୀକର ପ୍ରମାଣ ପତ୍ର ଯାଞ୍ଚ ହେବାପରେ ମୋୟର ପୂରାଗତିରେ ଚାଲିଲା । ୩ ।୪ ମାଇଲ ଗଲାପରେ ଆରମ୍ଭ ହେଲା ହିମାଳୟର ଚିରଶ୍ୟାମଳ ବନାନୀର ନୈସର୍ଗିକ ଶୋଭା । ଭଉୟ ପାର୍ଶ୍ୱସ୍ଥିତ କଳନାଦିନୀ ଝରଣାମାନଙ୍କର ସର୍ପାୟିତ ଗତି ଦର୍ଶକକୁ ଭାବବିହ୍ୱଳ କରି ପକାନ୍ତି । ବଦ୍ରୀନାଥ ଗଲାବେଳେ ବାଟରେ ଦେବାପ୍ରୟାଗ, କୀର୍ତ୍ତିନଗର, ଶ୍ରୀନଗର(କାଶ୍ମୀରରର ରାଜଧାନୀ ଶ୍ରୀନଗର ନୁହେଁ), ରୁଦ୍ରପ୍ରୟାଗ, କର୍ଣ୍ଣପ୍ରୟାଗ, ନନ୍ଦପ୍ରୟାଗ, ପିପ୍‌ପଲକୋଟୀ, ଯୋଶୀମଠ ବା ଜ୍ୟୋତିର୍ମଠ, ବିଷ୍ଣୁପ୍ରୟାଗ, ପାଣ୍ଡୁକେଶ୍ୱର ଓ ହନୁମାନ ଚଟ୍ଟୀ ପ୍ରଭୃତି ବିଶିଷ୍ଟ ସ୍ଥାନ ପଡ଼େ ।

 

ତା ୨୧ । ୫ । ୬୦ ଦିନ ୮ ଟାରେ ଦେବପ୍ରୟାଗରେ ପହଞ୍ଚିଲି । ଏହା ଏକ କ୍ଷୁଦ୍ର ସହର ପରି । ପିତୃତର୍ପଣ ଲାଗି ଏଠାରେ ଶହ ଶହ ଯାତ୍ରୀ ରହନ୍ତି । ଏହା ୧୭୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଅଳକନନ୍ଦା ଓ ଭାଗୀରଥୀର ସଂଗମସ୍ଥଳରେ ଏହା ଅବସ୍ଥିତ । ଏହି ନଦୀଦ୍ୱୟର ମିଳିତ ଜଳଧାରା ଗଙ୍ଗାନାମରେ ନାମିତ । ଏଠାରେ ଶ୍ରୀ ରଘୁନାଥଜୀଙ୍କର ମନ୍ଦିରକୁ ଶ୍ରୀ ଶଙ୍କରାଚାର୍ଯ୍ୟ ପ୍ରତିଷ୍ଠା କରିଥିଲେ । ଏକ ପାର୍ଶ୍ୱରେ ଦଶରଥ ପର୍ବତ । ଏଠାରେ ରାଜା ଦଶରଥ ତପସ୍ୟା କରିଥିଲେ । ସେହି ଦିନ ୧୦ ।୩୦ ରେ କୀର୍ତ୍ତି ନଗରରେ ପହଞ୍ଚିଲି । ଅଳକାନନ୍ଦା ଉପରେ ଏକ ଲୌହପୋଲ ନିର୍ମିତ । ଏଠାରେ ଯାତ୍ରୀମାନଙ୍କ ଲାଗି ବହୁ ଧର୍ମଶାଳା ଓ ହଟେଲ ଅଛି । ଚାରିଆଡ଼େ ହିମାଳୟପର୍ବତମାଳା । ପ୍ରାୟ ଦିନ ୧୨ଟାରେ ମୋଟର ଶ୍ରୀନଗରରେ ପହଞ୍ଚିଲା । ଏହା ୧୯୦୦ ଫୁଟ ଉଚ୍ଚ । ଗଢ଼ବାଲ ଜିଲ୍ଲାର ଏହା ପ୍ରଧାନ ସହର । ବୈକୁଣ୍ଠ ଚତୁର୍ଦ୍ଦଶୀକୁ ଏଠାରେ ଏକ ବିରାଟ ମେଳା ହୁଏ । ବହୁ ଦେବମନ୍ଦିର ଓ ଧର୍ମ ଶାଳାରେ ସ୍ଥାନଟି ଭରପୂର ।

 

ତା ୨୧ । ୫ ।୬୦ ଦିନ ୧।୪୫ ରେ ପହଞ୍ଚିଲି ରୁଦ୍ରପ୍ରୟାଗରେ । ଏହା ୨୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଶ୍ରୀନଗରଠାରୁ ଏଠାକୁ ଆସିଲାବେଳେ ବାଟରେ ୫ ମାଇଲ ପରେ ଶୁକରତା ଚଟ୍ଟୀ ପଡ଼ିଲା । ଏଠାରେ ଶୁକମୁନି ତପସ୍ୟା କରିଥିଲେ । ଅଳକନନ୍ଦା ଓ ମନ୍ଦାକିନୀର ସଙ୍ଗମସ୍ଥଳରେ ଏହା ଅବସ୍ଥିତ । ସଙ୍ଗମସ୍ଥଳର ସ୍ନାନଘାଟ ଉପରେ ରୁଦ୍ରେଶ୍ୱର ମହାଦେବମନ୍ଦିର । ଏଠାରେ କାଳୀକମଳୀ ବାଲା ଧର୍ମଶାଳା, ବିଦ୍ୟାଳୟ, ଡାକ୍ତରଖାନା ଓ ସଂସ୍କୃତପାଠଶାଳା ପ୍ରଭୃତି ଅଛି । ସେହି ଦିନ ୪ଟାରେ କର୍ଣ୍ଣ ପ୍ରୟାଗରେ ପହଞ୍ଚିଲି । ଅଳକାନନ୍ଦା ଓ କର୍ଣ୍ଣଗଙ୍ଗାର ଏହା ହେଉଛି ସଙ୍ଗମସ୍ଥଳ । କର୍ଣ୍ଣ ଏଠାରେ ତପସ୍ୟା କରିଥିଲେ । ଏହା ୨୬୦୦ ଫୁଟ ଉଚ୍ଚ । ଉତ୍ତରଖଣ୍ଡର ପଞ୍ଚ ପ୍ରୟାଗ ମଧ୍ୟରୁ ଏହା ୩ୟ (ଦେବପ୍ରୟାଗ, ରୁଦ୍ରପ୍ରୟାଗ, କର୍ଣ୍ଣପ୍ରୟାଗ,ନନ୍ଦପ୍ରୟାଗ ଓ ବିଷ୍ଣୁ ପ୍ରୟାଗ–୫ ପ୍ରୟାଗ ) । କର୍ଣ୍ଣଗଙ୍ଗା ନଦୀର ଦକ୍ଷିଣପାର୍ଶ୍ୱରେ କର୍ଣ୍ଣମନ୍ଦିର ଓ ଉମେଶ୍ୱର ମହାଦେବ ମନ୍ଦିର । ସଙ୍ଗମ ଘାଟ ଉପରେ କର୍ଣ୍ଣଶିଳା ଓ ଉମାଦେବୀମନ୍ଦିର ବିଦ୍ୟମାନ । ସ୍କନ୍ଦପୁରାଣର କେଦାର ଖଣ୍ଡ (୫୧ ଅଧ୍ୟାୟ) ରେ ବର୍ଣ୍ଣିତ ଯେ, ମହାରଥୀ କର୍ଣ୍ଣ ଏଠାରେ ସୂର୍ଯ୍ୟଙ୍କୁ ତପସ୍ୟା କରି ଅଜେୟଧନୁ ଓ ଅମୋଘ କବଚ ଲାଭ କରିଥିଲେ । ଏଠାରେ ଡାକଘର, ଧର୍ମଶାଳା, ଦୋକାନ, ହସପିଟାଲ ଓ ସମରସ୍ମାରକ ଉଚ୍ଚବିଦ୍ୟାଳୟ ପ୍ରଭୃତି ଅବସ୍ଥିତ । ଦିନ ୫-୧୫ ରେ ନନ୍ଦପ୍ରୟାଗରେ ପହଞ୍ଚିଲି । ଏହା ୩୦୦୦ ଫୁଟ ଉଚ୍ଚ । ଏଠାରେ ଅଳକାନନ୍ଦା ସହିତତ୍ରି ଶୂଳୀ ପର୍ବତନିଃସୃତା ମନ୍ଦାକିନୀର ସଂଗମ ହୋଇଛି । ଏଠାରେ ହିମାଳୟର ପ୍ରାକୃତିକ ଦୃଶ୍ୟ ଅତୀବ ରମଣୀୟ । ଲକ୍ଷ୍ମୀନାରାୟଣମନ୍ଦିର, ଚଣ୍ଡିକାମନ୍ଦିର ଓ ବଶିଷ୍ଠେଶ୍ୱକମହାଦେବମନ୍ଦିର ପ୍ରଭୃତି ଏଠାରେ ଦର୍ଶନୀୟ-। ସ୍କନ୍ଦ ପୁରାଣରେ ୫୭ ଅଧ୍ୟାୟରେ ବର୍ଣ୍ଣିତ ଅଛି, କଣ୍ୱମହର୍ଷି ଏଠାରେ ତପସ୍ୟା କରିଥିଲେ । ଏହି ସ୍ଥାନର ପ୍ରାଚୀନ ନାମ କଣ୍ୱାଶ୍ରମ । ରାଜା ଦୁଷ୍ମନ୍ତ ଏହି କଣ୍ୱାଶ୍ରମତପୋବନରେ ଶକୁନ୍ତଙ୍କ ସହ ପ୍ରଣୟ କରିଥିଲେ । ନନ୍ଦ ଏଠାରେ ବିରାଟ ଯଜ୍ଞ ଅନୁଷ୍ଠାନ କତରାଇ ଏହାର ପ୍ରାଧାନ୍ୟ ବଢ଼ାଇଥିବାରୁ ତାଙ୍କର ନାମାନୁସାରରେ ଏହି ସ୍ଥାନର ନାମ ନନ୍ଦପ୍ରୟାଗ ହେଲା । ନନ୍ଦପ୍ରୟାଗ ପରେ ଚାମୋଲୀଚଟ୍ଟୀ ଦେଇ ମୋଟର ସନ୍ଧ୍ୟା ୭ଟାରେ ପିପ୍‌ପଲକୋଟୀରେ ପହଞ୍ଚିଲା । ରାତିଟି ଏଠାରେ ଅବସ୍ଥାନ କରିବାକୁ ହେଲା । ଯାତ୍ରୀମାନଙ୍କ ସୁବିଧା ଲାଗି ଏଠାରେ ବହୁ ଧର୍ମଶାଳା, ଦୋକାନ, ଚଟ୍ଟୀଘର ଏକ ସରକାରୀ ଡାକବଙ୍ଗଳା ଅଛି । ଏହା ସମୁଦ୍ରପତନରୁ ୪୩୦୦ ଫୁଟ ଉଚ୍ଚ-। ରାତିଟି ମୋଟରଷ୍ଟାଣ୍ଡରେ କଟାଇ ପରଦିନ (୨୨-୫-୬୦) ସକାଳ ୫୬ରେ ବସ୍‌ରେ ବସିଲୁ-। ମୋଟର ସକାଳ ୭୬ ରେ ଯୋଶୀମଠରେ ପହଞ୍ଚିଲା । ଏହା ୬୧୫୦ ଫୁଟ ଉଚ୍ଚରେ ଅବସ୍ଥିତ-। ଏଠାରୁ ୧୯ ମାଇଲ ଦୂରରେ ବଦ୍ରୀନାଥ । ପ୍ରତ୍ୟେକ ଯାତ୍ରୀ ବଦ୍ରୀନାଥ ଗଲାବେଳେ ଓ ସେଠାରୁ ଫେରିଲା ବେଳେ କ୍ଲାନ୍ତି ଦୂର କରିବା ଲାଗି ଏଠାରେ ଦିନେ ଦୁଇଦିନ ବିଶ୍ରମା ନିଅନ୍ତି । ସ୍ଥାନଟି ଜନାକୀର୍ଣ୍ଣ । ଲକ୍ଷ୍ମୀନୃସିଂହମନ୍ଦିର ଧର୍ମଶାଳାରେ ରହିବା ପାଇଁ ସୁବିଧା ମିଳିଲା । ନୃସିଂହମନ୍ଦିରରେ ନୃସିଂହଙ୍କର କଳାମୁଗୁନି ପଥରର ମୂର୍ତ୍ତି, ଲକ୍ଷ୍ମୀଙ୍କର ପିତଳମୂର୍ତ୍ତି ଓ ଅଷ୍ଟଭୁଜ ବଦ୍ରୀନାରାୟଣଙ୍କର ମୂର୍ତ୍ତି ପୂଜିତ । ଶ୍ରୀରାମ, ଜାନକୀ, ଲକ୍ଷ୍ମଣ, କୁବେର, ଗରୁଡ଼, ଓ ଚଣ୍ଡିକା ମୂର୍ତ୍ତି ମଧ୍ୟ ମନ୍ଦିରରେ ପୂଜା ପାନ୍ତି ।

 

ମୋଟରଷ୍ଟାଣ୍ଡ ନିକଟସ୍ଥ ଏକ ପର୍ବତର ଶୀର୍ଷଦେଶରେ ୧୦୦୦ ଫୁଟ ଉଚ୍ଚରେ ଜ୍ୟୋତିର୍ମଠ ଅବସ୍ଥିତ । ଜଗଦ୍‌ଗୁରୁ ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରର ପ୍ରତିଷ୍ଠାତା । ଏଠାରେ ବଦ୍ରୀନାଥମନ୍ଦିର ମଧ୍ୟ ଅଛି । ଶୀତକାଳରେ ବଦ୍ରୀନାଥ ଅଗମ୍ୟ ହେତୁ ବଦ୍ରୀନାଥଙ୍କର ଚଳନ୍ତି ମୂର୍ତ୍ତି ଏଠାରେ ପୂଜା ପାଆନ୍ତି ଓ ତାଙ୍କର କାର୍ଯ୍ୟାଳୟ ଏଠାରେ ଅନୁଷ୍ଠିତ ହୁଏ । ଏଠାରେ ବଦ୍ରୀନାଥ ଯିବାଲାଗି ଘୋଡ଼ା, ଡାଣ୍ଡୀ (ପାଲିକିପରି), କାଣ୍ଡୀ (ବେତଟୁଲ) ର ବନ୍ଦୋବସ୍ତ ଅଛି । ସାଧାରଣତଃ ବଦ୍ରୀନାଥ ଯିବା ଓ ସେଠାରୁ ଫେରିବା ଲାଗି ଘୋଡ଼ା ଓ କାଣ୍ଡୀରେ ଟ୪୦-ଟ ୫୦ ଓ ଡାଣ୍ଡୀରେ ଟ୧୨୦ଙ୍କା–ଟ୧୫୦ଙ୍କା ପର୍ଯ୍ୟନ୍ତ ପଡ଼େ । ବହୁ ସଂଖ୍ୟକ ଯାତ୍ରୀ ପଦଯାତ୍ରୀକୁ ପସନ୍ଦ କରନ୍ତି । ଜିନିଷପତ୍ର ନେବାଲାଗି ଏଠାରୁ କୁଲି କରିବାକୁ ପଡ଼େ । ମହଣ ୨୫ ଟଙ୍କାରୁ ୩୦ଟଙ୍କା ପର୍ଯ୍ୟନ୍ତ କୁଲିକୁ ଦେବାକୁ ପଡ଼େ । ଜବଲପୁରର ଶ୍ରୀ ଶ୍ୟାମସୁନ୍ଦର ଦାସଗୁପ୍ତଙ୍କ ଜିନିଷପତ୍ର ସହ ମୋ ଜିନିଷପତ୍ର ମିଳାଇ ଗୋଟିଏ କୁଲି କଲୁ । ମୋ ଜିନିଷପତ୍ର ଲାଗି ମୋତେ ୧୦ ଟଙ୍କା ଦେବାକୁ ପଡ଼ିଲା । ଭୋଜନାଦି ପରେ ୨ ।୩ ଘଣ୍ଟା ବିଶ୍ରାମ ନେଇ ଦିନ ୨ଟାରେ ବଦ୍ରୀନାଥ ଅଭିମୁଖେ ପଦଯାତ୍ରା ଆରମ୍ଭ କଲୁ । ଶହ ଶହ ଯାତ୍ରୀ ଆମ ସଙ୍ଗରେ ଚାଲିଥାନ୍ତି । ‘ଜୟବଦ୍ରୀବିଶାଳ’ ଧ୍ୱନିରେ ଆକାଶ ଫାଟି ପଡ଼ୁଥାଏ । ଯୋଶୀମଠରୁ ଦୁଇମାଇଲ ଗଲାପରେ ବିଷ୍ଣୁ ପ୍ରୟାଗ ପଡ଼େ । ଏହା ପଞ୍ଚମ ଓ ଶେଷ ପ୍ରୟାଗ । ସମ୍ମୁଖରେ ନରନାରାୟଣ ପର୍ବତ । ଅଳକାନନ୍ଦା ଓ ଧବଳଗଙ୍ଗାର ସଙ୍ଗମସ୍ଥଳରେ ଏହା ଅବସ୍ଥିତ । ଏଠାରେ ଥିବା ବିଷ୍ଣୁମନ୍ଦିର ଅତି ପ୍ରାଚୀନ । ସନ୍ଧ୍ୟା ୬ଟାରେ ଗୁରୁଦ୍ୱାରଠାରେ ପହଞ୍ଚିଲୁ । ଏଠାରେ ଶିଖ୍‍ମାନଙ୍କର ମନ୍ଦିର ଅଛି । ହେମକୁଣ୍ଡ ଦେଇ ସନ୍ଧ୍ୟା ୭ଟାରେ ପାଣ୍ଡୁକେଶ୍ୱରରେ ପହଞ୍ଚିଲୁ । ଯୋଶୀମଠରୁ ପାଣ୍ଡୁକେଶ୍ୱରର ଦୂରତା ୮ ମାଇଲ । ରାତ୍ରି ଗମନାଗମନ ବନ୍ଦ ରାତିଟି ପାଣ୍ଡୁକେଶ୍ୱରରେ କଟାଇବାକୁ ହେଲା । ୨୩-୫-୬୦ ସକାଳ ୫ରୁ ପାଣ୍ଡୁକେଶ୍ୱରରୁ ଚାଲି ଚାଲି ବିନାୟକଚଟ୍ଟୀ ଦେଇ ଦିନ ୧୦ଟାରେ ହନୁମାନଚଟ୍ଟୀରେ ପହଞ୍ଚିଲୁ । ବାଟରେ ପାହାଡ଼ୀ ଗାଈ, ମହିଷି, ହେଟାବାଘ ପରି ବଡ଼ ବଡ଼ ଲୋମଶ କୁକୁର, ଭାରବାହୀ ଛେଳି ଓ ଘୋଡ଼ା ବହୁ ସଂଖ୍ୟାରେ ଯାତାୟାତ କରୁଥାନ୍ତି । ହନୁମାନଚଟ୍ଟୀ ୮୦୦୦ଫୁଟ ଉଚ୍ଚରେ ଅବସ୍ଥିତ-। ପାଣ୍ଡୁକେଶ୍ୱରଠାରୁ ଏହାର ଦୂରତା ୬ ମାଇଲ । ବାଟରେ ଚାମରୀଗାଈ ଦେଖାଯାନ୍ତି । ଚାରିଆଡ଼େ କେବଳ ତୁଷାରାଚ୍ଛାଦିତ ହିମାଳୟଶୃଙ୍ଗମାଳା । ଦେବଦାରୁ ଓ ପାଇନ୍‌ର ଚିରଶ୍ୟାମଳ ବନ । ଏଠାରେ ହନୁମାନମନ୍ଦିର । ନିକଟରେ ଅଳକନନ୍ଦା ନଦୀ । ଗାଧୋଇବା ତ ଦୂରର କଥା–ପାଣିକୁ ଛୁଇଁବା ମାତ୍ରେ ହାତ ଗୋଡ଼ ଥରି ଯାଏ । ଭୀଷଣ ଶୀତ । ସାମାନ୍ୟ ଟିକିଏ ପୋଛାପୋଛି ହୋଇ ଭୋଜନାଦି ସାରି ବିଶ୍ରାମ ନେଇ ଏଠାରୁ ବଦ୍ରୀନାଥ ଯାତ୍ରା କଲୁ । ମାତ୍ର ୫ ମାଇଲ ପରେ ବଦ୍ରୀନାଥଧାମ । ଏହି ଶେଷ ୫ ମାଇଲ ଭୀଷଣ କଷ୍ଟଦାୟକ । କେବଳ ତୀଖ ରାସ୍ତା । ୨।୩ ଘଣ୍ଟା ବିଶ୍ରାମ ନେବା ପରେ ଦିନ ୨ଟାରେ ପୁଣି ଚାଲିବା ଆରମ୍ଭ କଲୁ । ଖାଦ୍ୟ ପଦାର୍ଥମନ ଦୁର୍ମୂଲ୍ୟ । ଘୃତଗଙ୍ଗା ଏଠାରେ ଅଳକାନନ୍ଦା ସହ ମିଶିଛ । ଏଠାରୁ ଏକ ମାଇଲ ଦୂରରେ ବେନାକୁଲିଠଆରେ ଅନ୍ୟ ଏକ ପର୍ବତରୁ କ୍ଷୀରଗଙ୍ଗା ଆସି ଅଳକାନନ୍ଦା ସଙ୍ଗରେ ମିଶିଛି-। ହନୁମାନ ଚଟ୍ଟୀର ଅନ୍ୟନାମ ବୈଖାନସତୀର୍ଥ । ଏଠାରେ ବୈଖାନସମୁନି ତପସ୍ୟା କରିଥିଲେ-। ପୁରାଣରୁ ମିଳେ, ରାଜା ମରୁତ ଏଠାରେ ଯଜ୍ଞ ରଚନା କରି ଏତେ ପରିମାଣରେ ଘୃତାହୁତି ଦେଲେ ଯେ, ଘୃତପାନ କରି କରି ଅଗ୍ନିଦେବୀଙ୍କୁ ଅରୁଚି ଲାଗିଲା । ଏଠାରେ ଶ୍ରୀକୃଷ୍ଣ ଖାଣ୍ଡବବନ ଦହନ କରିଥିଲେ । ଯାତ୍ରୀମାନେ ଏବେ ମଧ୍ୟ ଏଠାରେ ଯଜ୍ଞ କରନ୍ତି । ଦୁଇ ମାଇଲ ଅଗ୍ରସର ହେଲେ କାଞ୍ଚନଗଙ୍ଗା ପଡ଼େ । ପୁଣି ୨ ମାଇଲ ପରେ ବିଘ୍ନ ବିନାଶକ ଶ୍ରୀ ଗଣେଶମନ୍ଦିର । ଏଠାରୁ ବଦ୍ରୀନାଥମନ୍ଦିର ମାତ୍ର ୧ ମାଇଲ । ଏଠାରୁ ବଦ୍ରୀନାଥଧାମ ଦେଖାଯାଏ ବୋଲି ଏହି ସ୍ଥାନର ଅନ୍ୟ ନାମ ଦେବଦର୍ଶନୀ । ଋଷିଗଙ୍ଗାପୋଲ ପାରି ହୋଇ ସନ୍ଧ୍ୟା ୬ଟାରେ ବଦ୍ରୀନାଥରେ ପହଞ୍ଚିଲୁ-। ଏହି ପୋଲପାଖରେ ଏକ ସରକାରୀ ଚେକ୍‌ପୋଷ୍ଟ । ପ୍ରତିବର୍ଷ ଯାତ୍ରୀ ସଂଖ୍ୟାର ହିସାବ ଏଠାରେ ରହେ । ଏଠାରେ ପହଞ୍ଚିଲା ବେଳକୁ ଏକାବେଳେକେ କ୍ଲାନ୍ତ । ୨ ଫରଲଙ୍ଗ ଦୂରରେ ମନ୍ଦିର । ଆଉ ପାଦେ ହେଲେ ଅଗ୍ରସର ହେବାକୁ ପାଦରେ ବଳ ନାହିଁ । ବିଷାଦ ଓ ଅବସନ୍ନତା ସଙ୍ଗରେ ଦର୍ଶନେଚ୍ଛା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଲବ୍‌ଧି ମଝିରେ ମଝିରେ ପ୍ରତିଦ୍ୱନ୍ଦିତା କରି ଚାଲିଥାନ୍ତି-। ଯାହା ହେଉ ମନ୍ଦିରଦର୍ଶନ ପରେ ସମସ୍ତ କ୍ଲାନ୍ତି ଆପେ ଆପେ ଉଭେଇ ଗଲା ।

ଭୂବୈକୁଣ୍ଠ ବଦ୍ରୀନାଥଧାମ ହିମାଳୟ ନାରାୟଣବର୍ପତ ମାଳାରେ ପାଦଦେଶରେ ଅବସ୍ଥିତ । ଏହା ସମୁଦ୍ରପତନରୁ ୧୦,୨୪୪ ଫୁଟ ଉଚ୍ଚ । ପୂର୍ବଦିଗକୁ କଳନାଦିନୀ ଖରସ୍ରୋତା କ୍ଷୀଣକାୟା ଅଳକନନ୍ଦା । ଏହିଠାରୁ ଉତ୍ତରକୁ ୯ ମାଇଲ ଦୂରରେ ଅବସ୍ଥିତ ଅଳକାପୁରୀ ତୁଷାରସ୍ରୋତରୁ ଅଳକାନନ୍ଦା ନିର୍ଗତ । ବଦ୍ରୀନାଥରେ ବାବା କାଳୀକମଳୀ ଧର୍ମଶାଳା, ପଞ୍ଜାବୀସିନ୍ଧୀ, ଧର୍ମଶାଳା, ଗୁଜୁରାଟଧର୍ମଶାଳୀ, ଆନ୍ଧ୍ରଧର୍ମଶାଳା, ଅହମଦାବାଦ ଧର୍ମଶାଳା, ନେପାଳମହାରାଣୀ ଧର୍ମଶାଳୀ, ସରକାରୀ ଡାକ୍ତରଖାନା, ଡାକତାରଘର, ପଣ୍ଡାବସତି ଓ ଦୋକାନ ପ୍ରଭୃତି ଅଛି । ଯାତ୍ରୀମାନେ ଏଠାରେ ୨।୩ ଦିନ ରହନ୍ତି । ଭୀଷଣ ଶୀତ ଓ ବର୍ଷା । ପୂର୍ବକୁ ଏକ ସମତଳ କ୍ଷେତ୍ର । ଏଠାରେ ଗୋଟିଏ ମାତ୍ର ରାସ୍ତା । ରାସ୍ତାର ଦୁଇପଟେ ପ୍ରାୟ ୪୦ ।୫୦ ଟି ଦୋକାନ ।

ରାତିଟି ଧର୍ମଶାଳାରେ ବିଶ୍ରାମ ନେଇ ପରଦିନ ପ୍ରଭାତରୁ ସ୍ନାନ କରିବା ଲାଗି ତପ୍ତକୁଣ୍ଡ ଗଲି । ଶ୍ରୀ ଶ୍ୟାମସୁନ୍ଦର ଦାସଗୁପ୍ତ ସପରିବାର ମୋ ସାଙ୍ଗରେ ଗଲେ । ତପ୍ତକୁଣ୍ଡ ଧର୍ମଶାଳାର ଖୁବ୍ ନିକଟରେ । ବଦ୍ରୀନାଥମନ୍ଦିରର ସାମନାକୁ ଏହା ଅବସ୍ଥିତ । ରାସ୍ତାରୁ ତଳକୁ ୬୫ଟି ପାହାଚ ଗଲେ ତପ୍ତକୁଣ୍ଡ ପଡ଼େ । ଏହା ୨୨ ଫୁଟ ଲମ୍ବ ଓ ୧୮ ଫୁଟ ପ୍ରସ୍ଥ । ଏହାର ଗଭୀରତା ୩୪ ଫୁଟ । ଏଠାରୁ ଅନବରତ ଗରମ ଜଳ ବାହାରେ । ଯାତ୍ରୀମାନେ ସ୍ତ୍ରୀପୁରୁଷ–ନିର୍ବିଶେଷରେ ଏହା ମଧ୍ୟରେ ସ୍ନାନ କରନ୍ତି । ଏହାର ପାଖକୁ ଆଉ ୩ଟି କ୍ଷୁଦ୍ର ତପ୍ତକୁଣ୍ଡ ଅଛି । ଏମାନଙ୍କର ନାମ ବ୍ରହ୍ମକୁଣ୍ଡ, ଗୌରୀକୁଣ୍ଡ, ଓ ସୂର୍ଯ୍ୟକୁଣ୍ଡ । ନିକଟରେ ନାରଦଶିଳା, ନୃସିଂହଶିଳା, ବରାହଶିଳା, ଗରୁଡ଼ଶିଳା ଓ କୁବେରଶିଳା ।

ତପ୍ତକୁଣ୍ଡରେ ସ୍ନାନ ସାରି ଉପରକୁ ଆସିଲେ ପ୍ରଧାନ ସଡ଼କ । ସଡ଼କର ଅପରପାର୍ଶ୍ୱରେ ବଦ୍ରୀନାଥସ୍ୱର୍ଣ୍ଣ-ମନ୍ଦିର । ଦରଜାର ଦକ୍ଷିଣକୁ ଆଦିକେଦାରେଶ୍ୱର-ମନ୍ଦିର ଓ ବାମପଟକୁ ଶଙ୍କରାଚାର୍ଯ୍ୟ ମନ୍ଦିର । ତା’ର ପାଖକୁ ନୌବତ୍‌ଖାନା । ଏଠାରେ ସର୍ବଦା ନାମ କୀର୍ତ୍ତନ ହେଉଥାଏ-। ଏଠାରୁ କିଛି ଦୂରଗଲେ ସିଂହଦ୍ୱାର । ପୂର୍ବଦିଗର ପ୍ରବେଶ ଦ୍ୱାର ୪୫ ଫୁଟ ଉଚ୍ଚ । ମନ୍ଦିରର ଉପରି ଭାଗ ଓ ଗମ୍ଭୁଜ ସୁନାପତ୍ରରେ ଛାଉଣି ହୋଇଛି । ରୂପା ଖିଲିଣିରେ ପତାକା ଫର ଫର ହୋଇ ଉଡ଼ୁଥାଏ । ପ୍ରବେଶଦ୍ୱାର କାଠରେ ତିଆରି । ଏଥିରେ ସିଂହ ଓ ମୟୂର ପ୍ରଭୃତିଙ୍କର ଚିତ୍ର ଅଙ୍କିତ । ଭିତରର ସିଂହଦରଜା ପାଖରେ ମନ୍ଦିରଟି ଖୁବ୍ ଉଚ୍ଚ ଦେଖାଯାଏ । ପ୍ରଥମ ଦରଜା ଅର୍ଦ୍ଧବୃତ୍ତାକର । ସେଥିରେ ୩ଟି ସୁନାତିଆରି ଗମ୍ଭୁଜ । ସିଂହଦରଜାକୁ ଗଲାବେଳେ ଗରୁଡ଼ମୂର୍ତ୍ତି ବାୟରେ ପଡ଼େ । ଜଗମୋହନ ଉପରେ ଥିବା ଗମ୍ଭୁଜର ଦୁଇପାଖରେ ସିଂହ ଓ ଗରୁଡ଼ମୂର୍ତ୍ତି-। ପ୍ରଧାନଦରଜାର ପଥରରେ ସୂଚିକାମ ପ୍ରଶଂସନୀୟ । ବେଢା ମଧ୍ୟରେ ଅନ୍ୟକେତେକ ଦେବଦେବୀମନ୍ଦିର । ଗରୁଡ଼ ମୂର୍ତ୍ତି ସାମନାକୁ ୨ଟି କାଠବାଡ଼ । ଗୋଟିକରେ ପୁରୁଷମାନେ ଓ ଅନ୍ୟଟିରେ ସ୍ତ୍ରୀମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି । ଜଗମୋହନରେ ରୁପାର ଦରଜା-। ଦୁଇପାଖରେ ରୂପାର ଜୟବିଜୟ ମୂର୍ତ୍ତି । ବହୁ ଠେଲାପେଲା ପରେ ପ୍ରାୟ ଅଧଘଣ୍ଟାରେ ଜଗମୋହନରେ ପ୍ରବେଶ କରିବାର ସୁବିଧା ମିଳିଲା । ଜଗମୋହନ ଭିତରେ ବହୁ ଘଣ୍ଟି-। ଯାତ୍ରୀମାନେ ଘଣ୍ଟି ବଜାଇ ‘ଜୟ ବଦ୍ରୀବିଶାଳ’ ଧ୍ୱନି କରନ୍ତି । ଚାରିପାଖ କାନ୍ଥରେ ଅସଂଖ୍ୟ ଚିତ୍ର-। ରୂପାର ସିଂହାସନ ଉପରେ ବଦ୍ରୀନାଥଜୀଙ୍କ ସ୍ପର୍ଶମଣି ପଥରର ମନୋରମ ମୂର୍ତ୍ତି । ବଦ୍ରିନାଥ ଧ୍ୟାନମଗ୍ନ ଅବସ୍ଥାରେ ସମାସୀନ । ଉପରେ ସ୍ୱର୍ଣ୍ଣଚ୍ଛତ୍ର । ଶ୍ରୀଅଙ୍କରେ ବହୁ ମୂଲ୍ୟବାନ୍ ଧାତୁର ଭୂଷଣ-। ଲଲାଟରେ ହୀରାଚିତା । ମୁକୁଟରେ ମୂଲ୍ୟବାନ୍ ଧାତୁର କାମ । ଦକ୍ଷିଣକୁ କୁବେର ଓ ଗଣେଶଙ୍କ ପ୍ରସ୍ତର ମୂର୍ତ୍ତି । ବାମପାର୍ଶ୍ୱକୁ ଲକ୍ଷ୍ମୀ ଓ ନରନାରାୟଣ । ନରନାରାୟଣ ମୂର୍ତ୍ତି ଦ୍ୱୟ ଗୋଟିଏ ପଥରରେ ତିଆରି । ତଳେ ଗରୁଡ଼, ଉଦ୍ଧବ ଓ ଧ୍ୟାନରତ ନାରଦ । ସମ୍ମୁଖରେ ବିରାଟ ଅଖଣ୍ଡ ଦୀପ । ମନ୍ଦିର ଶୀତକାଳରେ ୬ମାସ ବନ୍ଦ ହେଲେ ସୁଦ୍ଧା ଏହି ଅଖଣ୍ଡ ଦୀପ ଆପେ ଆପେ ସବୁବେଳେ ଜଳୁଥାଏ । ମୁଖ୍ୟ ମନ୍ଦିରର ଭିତରେ ଥିବା ମୂର୍ତ୍ତିମାନଙ୍କ ପାଖକୁ ଯିବା ନିଷିଦ୍ଧ । ଯାତ୍ରୀମାନେ ୧୦ ଫୁଟ ଦୂରରେ ରହି ଦର୍ଶନ କରନ୍ତି । ଭଗବାନଙ୍କର ଆସ୍ଥାନ ତଳକୁ ଟିକିଏ ଛାଡ଼ି ଦ୍ୱାରବନ୍ଧ ପାଖରେ ବସି ପୂଜା ଓ ଯଜ୍ଞ ଆଦି କଲେ ଟ ୧୦୧-୦୦ ଦେବାକୁ ପଡ଼େ । ଭଗବାନଙ୍କ ନିକଟରେ ପଞ୍ଚମେବା ଭୋଗ ଲାଗେ (ନଡ଼ିଆ, ଖଜୁରୀ, କିସମିସ, ପେସ୍ତାବାଦାମ ଓ ବୁଟ) । ଟ୫-୦୦ ଦିନକ ପୂର୍ବରୁ ଦେଲେ ଗରାଏ ଅନ୍ନ ଓ ଦହିକଡ଼ି ପ୍ରାସଦ ମିଳେ । ପ୍ରଧାନ ଦରଜାରେ ୩ଟି ଏବଂ ଜଗମୋହନରେ ଗୋଟିଏ ସ୍ୱର୍ଣ୍ଣଗମ୍ଭୁଜ ଓ ମୁଖ୍ୟମନ୍ଦିରରେ ସୁନାର ଦଧିନଉତି ତଥା ସ୍ୱର୍ଣ୍ଣଗମ୍ଭୁଜ । ମନ୍ଦିରର ଗଠନ ତିବ୍ଦତୀୟମନ୍ଦିର ପରି ତ୍ରିତଳବିଶିଷ୍ଟ-

 

ବଦ୍ରୀନାଥଙ୍କର ପ୍ରଣାମ ମନ୍ତ୍ର—

“ସଂସାରଚକ୍ରେ ଭ୍ରମତାଂ ନାରାଣାଂ

ଶିବପ୍ରଦଂ ଶାନ୍ତିସମାଧିନିଷ୍ଠମ୍ ।

ଦେବର୍ଷିଣା ପୂଜିତପାଦପଦ୍ମଂ

ବଦ୍ରୀବିଶାଳଂ ସତତଂ ନମାମି ।”

 

ଭଗବାନ୍ ବଦ୍ରୀନାଥଙ୍କର ନାଭିଦେଶରେ ଗୋଲାକାର ଚନ୍ଦନବିନ୍ଦୁ, ବିଶାଳ ବକ୍ଷଦେଶରେ ଶ୍ରୀବତ୍ସର ପଦଚିହ୍ନ ଓ ଗ୍ରୀବା ଦେଶରେ କମ୍ବୁରେଖା ସୁଶୋଭିତ । ପଦ୍ମାସନାସୀନ ତପୋରତ ବଦ୍ରୀନାଥଙ୍କର କମନୀୟ ମୂର୍ତ୍ତି ଦର୍ଶକର ହୃଦୟକୁ ଭକ୍ତିରସରେ ରସାଣିତ କରେ । ବୈଷ୍ଣବ, ଶାକ୍ତ ଓ ବୌଦ୍ଧ ପ୍ରଭୃତି ବିଭିନ୍ନ ଧର୍ମାବଲମ୍ବୀ ଏଠାକୁ ଦର୍ଶନ କରିବା ଲାଗି ଆସନ୍ତି । ବଦ୍ରୀନାଥଙ୍କ ବାମପାର୍ଶ୍ୱରେ ତଳକୁ ଦେବର୍ଷି ନାରଦ । ବୈଶାଖଠାରୁ ଶ୍ରାବଣ ପର୍ଯ୍ୟନ୍ତ ବଦ୍ରୀନାଥଙ୍କ ପୂଜା ପଣ୍ଡାମାନେ କରନ୍ତି । ତା’ପରେ ପ୍ରବଳ ବୃଷ୍ଟି ଓ ତୁଷାରପାତ ଫଳରେ ମନ୍ଦିର ବନ୍ଦ ହୋଇଯାଏ । ସେଚତେବେଳେ ନାରଦ ନିଜେ ଶ୍ରୀ ବଦ୍ରୀନାଥଙ୍କ ପୂଜା ଆଦି ସମ୍ପାଦନ କରନ୍ତି । ନାରଦପୁରାଣରେ ଉଲ୍ଲେଖ ଅଛି—

 

ଲଭନ୍ତେ ଦର୍ଶନଂ ପୁଣ୍ୟାଂ ପାପକର୍ମବିବର୍ଜିତାଃ ।

ଷଣ୍ମାସଂ ଦୈବତୈଃ ପୂଜ୍ୟଃ ଷଣ୍ମାସଂ ମାନବୈସ୍ତଥା ।

 

ଭଗବାନଙ୍କ ଦକ୍ଷିଣପାର୍ଶ୍ୱକୁ ନିମ୍ନଭାଗରେ ଆସୀନ ଭକ୍ତ ଉଦ୍ଧବ । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବଦ୍ରୀକାଶ୍ରମରେ ତପସ୍ୟା କରିବା ଲାଗି ଉଦ୍ଧବକୁ ନିଜର ସ୍ୱର୍ଣ୍ଣପାଦୁକା ଦେଇ ଏଠାକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭକ୍ତ ଜଗନ୍ନାଥଦାସ ଶ୍ରୀମଦ୍ଭାଗବତରେ ଲେଖିଅଛନ୍ତି–

 

“ଆଶ୍ରମନାମ ବଦରୀକା । ଉଦ୍ଧବ ଚଳ ତୁହି ଏକା ।”

 

ଉଦ୍ଧବ ବିଗ୍ରହର ଦକ୍ଷିଣକୁ ଗରୁଡ଼ବିଗ୍ରହ । ଯୋଡ଼ହସ୍ତରେ ଭକ୍ତ ଗରୁଡ଼ ସତେ ଯେପରି ବଦ୍ରୀନାଥଙ୍କ ଶ୍ରୀ ମୁଖଆଜ୍ଞାକୁ ଟାକି ରହିଛି । ଭଗବାନଙ୍କ ବାମପାର୍ଶ୍ୱରେ ଅବସ୍ଥିତ ମହାର୍ହବସନ–ପରିହିତା ଲୋକମାତା ଲକ୍ଷ୍ମୀଙ୍କର ମୂର୍ତ୍ତି । ଲକ୍ଷ୍ମୀବିଗ୍ରହର ଦକ୍ଷିଣକୁ ନରନାରୀୟଣବିଗ୍ରହ । ଶଙ୍କ, ଚକ୍ର, ଗଦା ଓ ପଦ୍ମ ଧାରଣପୂର୍ବକ ନାରାୟଣଙ୍କର ପଦ୍ମାସନାସୀନମୂର୍ତ୍ତି । ନାରାୟଣବିଗ୍ରହ ପାଖକୁ ନରବିଗ୍ରହ । ଏହି ନରବିଗ୍ରହ ଦ୍ୱାପରଯୁଗର ସୃଷ୍ଟି । ଭଗବାନଙ୍କ ଦକ୍ଷିଣକୁ କୁବେରବିଗ୍ରହ । ସ୍ୱର୍ଣ୍ଣମୁଖ ଓ ସ୍ୱର୍ଣ୍ଣକୁଣ୍ଡଳଯୁକ୍ତ କୁବେରଙ୍କ ମୂର୍ତ୍ତିର ଡାହାଣକୁ ଶ୍ରୀ ଗଣେଶବିଗ୍ରହ । ଏହିପରି ଶ୍ରୀ ବଦ୍ରୀନାଥଙ୍କ ଉଭୟପାର୍ଶ୍ୱରେ ଓ ନିମ୍ନଦେଶରେ ଆଠଗୋଟି ବିଗ୍ରହ ପୂଜା ପାଆନ୍ତି । ଏତଦ୍‌ବ୍ୟତୀତ ଭଗବାନଙ୍କର ଦକ୍ଷିଣପାର୍ଶ୍ୱରେ ଚାନ୍ଦୀପତ୍ରାଚ୍ଛାଦିତ ସୁଦର୍ଶନଚକ୍ର, ସିଂହାସନତଳକୁ ସ୍ୱର୍ଣ୍ଣପାଦୁକା, ବାମ ପାର୍ଶ୍ୱରେ ଅଖଣ୍ଡଦୀପ । ସକାଳ ଧୂପରେ କ୍ଷୀର ଓ ମଧ୍ୟାହ୍ନରେ ଅନ୍ନ ଏବଂ ଦହିକଡ଼ି ଭୋଗର ବ୍ୟବସ୍ଥା ଅଛି । ମନ୍ଦିରର ଦକ୍ଷିଣଦରଜା ପାଖକୁ ଲକ୍ଷ୍ମୀଦେବୀଙ୍କ ମନ୍ଦିର । ଲକ୍ଷ୍ମୀଙ୍କର ପ୍ରସ୍ତରବିଗ୍ରହ ଏହି ମନ୍ଦିରରେ ପ୍ରତିଷ୍ଠିତ ।

 

ମନ୍ଦିରର ଦକ୍ଷିଣ ପାଖରେ କାମଧେନୁ-ମୂର୍ତ୍ତି । ମନ୍ଦିରରୁ ପଶ୍ଚିମଦିଗକୁ ଟିକିଏ ଅଗ୍ରସର ହେଲେ ବଦ୍ରୀନାଥ କାର୍ଯ୍ୟାଳୟ ପଡ଼େ । ପଣ୍ଡାମାନେ ଏଠାରେ ଯାତ୍ରୀମାନଙ୍କଠାରୁ ଟଙ୍କା ନେଇ ଆଟିକା କରନ୍ତି । ସେମାନେ ଯାତ୍ରୀମାନଙ୍କଠାରୁ ଅଧିକା ଟଙ୍କା ନେବା ଉଦ୍ଦେଶ୍ୟରେ ବେଶ୍ ଚିକ୍‌କଣ ଉପଦେଶମାନ ଦିଅନ୍ତି । ନିକଟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଶଙ୍ଖମଲମଲ ମୂର୍ତ୍ତି । ଉତ୍ତରଦିଗକୁ ପାଦୁକନଳା । ଏଠାରେ ସମସ୍ତେ ଚରଣାମୃତ ପାନ କରନ୍ତି । ସନ୍ଧ୍ୟାବେଳେ ଉତ୍ତରଦିଗସ୍ଥ ବାରଣ୍ଡାରେ ନାମକୀର୍ତ୍ତନ ହୁଏ ଓ ଦର୍ଶକମାନ ଏଥିରେ ଭାଗ ନିଅନ୍ତି । ଏହାର ନାମ କଥାଭବନ । ଏହାର ନିକଟକୁ କ୍ଷେତ୍ରପାଳ ଘଣ୍ଟାକର୍ଣ୍ଣ ଓ ଭଣ୍ଡାରଘର । ମନ୍ଦିରସାମନାକୁ ବ୍ରହ୍ମକୁଣ୍ଡ । ଗରୁଡ଼ ମୂର୍ତ୍ତିପାଖକୁ ହନୁମାନ ଓ ଗଣେଶମୂର୍ତ୍ତି ଏବଂ ଲକ୍ଷ୍ମୀଦେବୀଙ୍କ ମନ୍ଦିରପାଖରେ ପାକଶାଳ ।

 

ବଦ୍ରୀନାଥମହାତ୍ମ୍ୟ-ସ୍କନ୍ଦପୁରାଣରେ ଉଲ୍ଲେଖ ଅଛି–

 

ବହୂନି ସନ୍ତି ତୀର୍ଥାନି ଦିବି ଭୂମୌ ରସାସୁ ଚ ।

ବଦରୀସଦୃଶଂ ତୀର୍ଥଂ ନ ଭୂତଂ ନ ଭବିଷ୍ୟତି ।।

 

ଅର୍ଥାତ୍—ସ୍ୱର୍ଗମର୍ତ୍ତ୍ୟପାତାଳରେ ବହୁତୀର୍ଥ ଅଛି, କିନ୍ତୁ ବଦ୍ରୀ-ଧାମ ପରି ତୀର୍ଥ ନ ଥିଲା ବା ହେବ ନାହିଁ ।

 

ପୁରାଣ ବର୍ଣ୍ଣନା ଅନୁସାରେ ବଦ୍ରୀନାଥ ସତ୍ୟଯୁଗକ୍ଷେତ୍ର । ସତ୍ୟ ଯୁଗରେ ଧର୍ମଦେବଙ୍କ ପତ୍ନୀ ମୂର୍ତ୍ତିଦେବୀଙ୍କ ଗର୍ଭରୁ ନରନାରାୟଣ ରୂପେ ଭଗବାନ୍ ଜନ୍ମ ଲଭି ଏଠାରେ ତପୋମଗ୍ନ ହେଲେ । ଶ୍ରୀରାମଚନ୍ଦ୍ର ଲଙ୍କା ବିଜୟ ଲାଗି ରାମେଶ୍ୱର ଶିବଲିଙ୍ଗ ସ୍ଥାପନ କରି ଥିବାରୁ ରାମେଶ୍ୱର ତ୍ରେତାଯୁଗକ୍ଷେତ୍ର । ଭଗବାନ୍ ଶ୍ରୀକୃଷ୍ଣ ଦ୍ୱାରକା ଚକ୍ରବର୍ତ୍ତୀ ଥିବାରୁ ଦ୍ୱାରକା ଦ୍ୱାପର ଯୁଗକ୍ଷେତ୍ର । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପୁରୀକ୍ଷେତ୍ର କଳିଯୁଗକ୍ଷେତ୍ର । କଳିଯୁଗରେ ଭଗବାନ୍ କାଷ୍ଠମୂର୍ତ୍ତି ହେବେ ବୋଲି ପୁରାଣରେ ବର୍ଣ୍ଣିତ । ପୌରାଣିକ ଆଖ୍ୟାୟିକା ଅନୁସାରେ କୌଣସି ଏକ ମୁନି ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ ଦେବା ସମୟରେ ଆକାଶମାର୍ଗରେ ଯାଉଥିବା ଚିତ୍ରରଥ ଗନ୍ଧର୍ବର ପାନପିକ ପଡ଼ି ତାଙ୍କ ଜଳାଞ୍ଜଳି ଅପବିତ୍ର ହେଲା । ସେ ଏ ବିଷୟରେ ଶ୍ରୀକୃଷ୍ଣଙ୍କ ଆଗରେ ନିବେଦନ କଲେ । ଚିତ୍ରରଥ ଗନ୍ଧର୍ବକୁ ମାରିବା ପାଇଁ ଶ୍ରୀକୃଷ୍ଣ ପଣ କଲେ । ତାକୁ ମାରି ନ ପାରିଲେ ସେ କାଷ୍ଠବିଗ୍ରହ ହେବେ ବୋଲି ମଧ୍ୟ ପ୍ରତିଜ୍ଞା କରିଥିଲେ । ଏହା ଜାଣି ଚିତ୍ରରଥ ସୁଭଦ୍ରା ଓ ଅର୍ଜ୍ଜୁନଙ୍କ ଶରଣାଗତ ହେଲେ । ତେଣୁ ସୁଭଦ୍ର ଓ ଅର୍ଜ୍ଜୁନଙ୍କ ସହ ଶ୍ରୀକୃଷ୍ଣଙ୍କର ଯୁଦ୍ଧ ହେଲା । ଭକ୍ତବତ୍ସଳ ପ୍ରଭୁ ଶ୍ରୀକୃଷ୍ଣ ନିଜର ପ୍ରିୟ ଅର୍ଜ୍ଜୁନକୁ ଯୁଦ୍ଧରେ ମାରି ନ ପାରି ହାରିଗଲେ ଏବଂ ନିଜର ପ୍ରାଣରକ୍ଷା କରିବା ଲାଗି କଳିଯୁଗରେ କାଷ୍ଠବିଗ୍ରହ ଧାରଣ କଲେ । ସ୍କନ୍ଦପୁରାଣର ବଦରୀଖଣ୍ଡରେ ଉଲ୍ଲେଖ ଅଛି—

 

“ପୁରା କୃତଯୁଗସ୍ୟାଦୌ ସର୍ବଭୂତହିତାୟ ଚ ।

ମୂର୍ତ୍ତିମାନ୍ ଭଗବାଂସ୍ତତ୍ର ତପୋଯୋଗସମାଶ୍ରିତଃ” ।

 

 

“ପୂର୍ବେ ସତ୍ୟଯୁଗରେ ଭଗବାନ୍ ମୂର୍ତ୍ତିମନ୍ତ ହୋଇ ପ୍ରାଣୀମାନଙ୍କର ମଙ୍ଗଳ ଲାଗି ସେଠାରେ (ବଦ୍ରୀଧାମରେ) ତପୋରତ ହେଲେ ।” ଭଗବାନ୍ ସତ୍ୟଯୁଗରେ ନିଜର ଆତ୍ମସ୍ୱରୂପକୁ ଚିନ୍ତା କରି ତପସ୍ୟା କରୁଥିବା ସମୟରେ ନାରଦ ଆସି ତାଙ୍କ ପାଖରେ ତପସ୍ୟା କଲେ । ତେଣୁ ଭଗବାନ୍ ବଦ୍ରୀନାଥଙ୍କର ପ୍ରଥମ ଓ ପ୍ରଧାନ ଅର୍ଚ୍ଚକ ହେଲେ ମହର୍ଷି ନାରଦ ।

 

ବଦ୍ରୀନାଥମୂର୍ତ୍ତି ସ୍ଥାପନ:—ସ୍କନ୍ଦପୁରାଣର ବଦରୀଖଣ୍ଡରେ ଉଲ୍ଲେଖ ଅଛି, ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ ନାରଦକୁଣ୍ଡରୁ ବଦ୍ରୀନାଥଙ୍କ ମୂର୍ତ୍ତିକୁ ଉଦ୍ଧାର କରି ଏହି ମନ୍ଦିର ସ୍ଥାପନ କରିଥିଲେ । ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ ଶିବଙ୍କର ଅବତାରରୂପେ ଜନ୍ମଲାଭ କରିଥିଲେ । ପ୍ରମାଣ ଅଛି—

 

ତତୋଽହଂ ଯତିରୂପେଣ ତୀର୍ଥାନ୍ନାରଦସଜ୍ଞକାତ୍ ।

ଉଦ୍ଧୃତ୍ୟ ସ୍ଥାପୟିଷ୍ୟାମି ହରିଂ ଲୋକହିତେଚ୍ଛୟା ।।

ଯସ୍ୟ ଦର୍ଶନମାତ୍ରେଣ ପାତକାନି ମହାନ୍ତ୍ୟପି ।

ବିଲୀୟନ୍ତେ କ୍ଷଣାଦେବ ସିଂହଂ ଦୃଷ୍ଟ୍ୱ। ମୃଗା ଇବ ।।

 

ଅର୍ଥାତ୍—ଭଗବାନ ଶିବ ନିଜପୁତ୍ର ସ୍କନ୍ଦକୁ କହୁଛନ୍ତି, “ମୁଁ (କଳି ଯୁଗରେ) ଯତି ରୂପଧାରଣପୂର୍ବକ ନାରଦକୁଣ୍ଡରୁ ବଦ୍ରୀନାଥଙ୍କୁ ଉଦ୍ଧାର କରି ଲୋକହିତ ଲାଗି ସ୍ଥାପନ କରିବି । ସିଂହକୁ ଦେଖିଲା ମାତ୍ରେ ମୃଗଯୁଥ ପଳାଇଲା ପରି ତାଙ୍କୁ ଦେଖିଲାମାତ୍ରେ ସବୁ ପାତକ ଦୂର ହେବ”-। ବଦ୍ରୀନାଥଙ୍କ ମନ୍ଦିରବେଢ଼ା ମଧ୍ୟରେ ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କର ମୂର୍ତ୍ତି । ଦକ୍ଷିଣଭାରତୀୟ କେରଳୀ ବ୍ରାହ୍ମଣମାନ ସନ୍ନ୍ୟାସଦୀକ୍ଷା ଗ୍ରହଣ କଲାପରେ ‘ନମ୍ବୁଦ୍ରୀ’ ବା ସ୍ୱାମୀନାମରେ ଅଭିହିତ ହୁଅନ୍ତି । ସ୍ୱାମୀ ଶ୍ରୀ ଶଙ୍କରାଚାର୍ଯ୍ୟ କେରଳୀୟ ‘ନମ୍ବୁଦ୍ରୀ’ ବ୍ରାହ୍ମଣ ଥିଲେ । ତେଣୁ ଏବେ ସୁଦ୍ଧା ବଦ୍ରୀନାଥପୂଜକମାନେ କେରଳୀୟ ନମ୍ବୁଦ୍ରୀବ୍ରାହ୍ମଣ ।

 

ବଦ୍ରୀନାଥଧାମର ଅନ୍ୟନାମ ଭୂବୈକୁଣ୍ଠ । ଭାରତର ପ୍ରତେକ ଭାଗରୁ ହିନ୍ଦୁମାନେ ଏଠାକୁ ଦର୍ଶନ ଉଦ୍ଦେଶ୍ୟରେ ଆସନ୍ତି । ଶୀତର ପ୍ରକୋପ ଖୁବ୍ ବେଶୀ । ମୁଁ ୨ ଖଣ୍ଡ କମ୍ବଳ, ଗରମପୋଷାକ ଓ ବର୍ଷାତି ପ୍ରଭୃତି ନେଇଥିଲି । ତଥାପି ଓଠ ଓ ପାଦ ଶୀତରେ ଫାଟିଗଲା । ସମସ୍ତ ଯାତ୍ରୀ ପାହାଡ଼ ଉପରକୁ ଉଠିବା ଲାଗି କନାଯୋତା ଖଣ୍ତେ ଖଣ୍ଡେ ଯଷ୍ଟି ଆଣିଥାନ୍ତି । ପୂର୍ବେ ଲୋକମାନେ କେବଳ ପଦଯାତ୍ରାରେ ଋଷିକେଶଠାରୁ ଏଠାକୁ ଆସୁଥିଲେ । ବର୍ତ୍ତମାନ ଯୋଶୀମଠ ପର୍ଯ୍ୟନ୍ତ ମୋଟର ଚାଲିବାରୁ ୨୦ ମାଇଲ ଚାଲିବାକୁ ହୁଏ । ବଦ୍ରୀନାଥଯାତ୍ରା କଷ୍ଟସାଧ୍ୟ ହେତୁ ପ୍ରବାଦ ଅଛି—

 

“ଯୋ ଜାୟ ବଦ୍ରୀ ବହ ନ ହୋୟ ଉଦ୍ରୀ”

 

ଅର୍ଥାତ୍ ଯେ ବଦ୍ରୀନାଥ ଯାଏ ସେ ଆଉ ଫେରେ ନାହିଁ ।

 

ବଦ୍ରୀନାଥଙ୍କ ବଡ଼ପଣ୍ଡା ପୃଥୁଳକାୟ, ବାଘନିଶପରି ହଳେ ନିଶ । ଉଦରଟି ନନ୍ଦିଆନିନ୍ଦୀ-। ତା’ ବିଷୟରେ ରଘୁନାଥପ୍ରସାଦଜୀ କେତେ ଧାଡ଼ି ହିନ୍ଦୀ କବିତା ରଚନା କଲେ—

 

“ହାଥୀକା ବଚ୍ଚା—ବଚନାକା କଚ୍ଚା ।

ଦେତେ ଉପଦେଶ—ଜହାଁ ଜଗଦୀଶ ।

ସେରସୀ ମୁଁଚ୍ଛ୍—ବୁଦ୍ଧିକା କୁଛ୍‍ ।

ଡାଁଟକର ଆଟକା ଚଢ଼ାବେ—ରୌଦ୍ରରୂପ ଅପନା ଦିଖଲାବେ ।”

 

ବଡ଼ପଣ୍ଡାଙ୍କ ବିଷୟରେ ତାଙ୍କର ଏ ଆଶୁ ରଚନା ଦେଖି ମୁଁ ଦେବୀପ୍ରସାଦ ବିଷୟରେ ହିନ୍ଦୀରେ ଆଶୁକବିତା ରଚନା କଲି—

 

“ଧନ୍ୟ, “ଦେବ” କୀ ଚାୟ ମହାରାନୀ ।

ନିକାଲତୀ ସରସେ ଠଂଡ଼ାପାନୀ ।

ଧନ୍ୟ “ଦେବୀ” କେ ସତ୍ତୁ ମହାରାଜା ।

ପଲମେଁ କର ଦେତା ହୈ ସବ୍‌ତାଜା ।।

ବୀଚ ବୀଚ ମେଁ ଚିଲମ ଉଡ଼ାତେ ।

ନଶେ ମେଁ ଥୋଡ଼ା ସର ମୁଡାତେ ।।”

 

ଯାହା ହେଉ ବଦ୍ରୀନାଥଧାମରେ ଦୁଇରାତି କଟାଇ ପୁଣି ପଦଯାତ୍ରାରେ ଯୋଶୀମଠ ଯାଏ ଆସିଲୁ । ସେଠାରୁ ମୋଟର ଯୋଗେ ଋଷିକେଶ ଫେରି ଆସିଲୁ ।

☆☆☆

 

ଡେରାଡୁନ୍

 

ବଦ୍ରୀନାଥରୁ ଫେରି ଋଷିକେଶରେ ଦୁଇଦିନ ବିଶ୍ରାମ ନେଲି । ତା’ପରେ ଋଷିକେଶରୁ ଯାତ୍ରା କଲି ଡେରାଡୁନ । ମନଭରୀବାଈ ଧର୍ମଶାଳାନିକଟରେ ଡେରାଡୁନ୍ ଯିବା ପାଇଁ ମୋଟରଷ୍ଟାଣ୍ଡ । ଋଷିକେଶରୁ ଏହାର ଦୂରତା ୨୬ ମାଇଲ । (ହାବଡ଼ାରୁ ରେଲ୍‌ ଯୋଗେ ଏହା ୯୪୮ମାଇଲ) । ସକାଳ ୮୬ରୁ ବାହାରି ରାଣୀପୋଖରୀ ଓ ଡୋଇବାଲା ଦେଇ ଏଠାରେ ଦିନ ୧୦ଟାରେ ପହଞ୍ଚିଲି । ଏଠାରେ ଭାରତୀୟ ମିଲିଟାରୀ ଏକାଡେମୀ, ଫରେଷ୍ଟ୍ ରିସର୍ଚ୍ଚ ଇନ୍‌ଷ୍ଟିଟିଉଟ୍, ରେସିଡେନ୍‌ସିଆଲସ୍କୁଲ, ଦୟାନନ୍ଦ ଆଙ୍ଗ୍ଲୋବୈଦିକ କଲେଜ, ମୃତ୍ତିକାସଂରକ୍ଷଣକେନ୍ଦ୍ର, ଭାରତୀୟ ସର୍ଭେୟର ଜେନେରାଲ କାର୍ଯ୍ୟାଳୟ ଓ ସିଲ୍‌କ୍‌କାରଖାନା ପ୍ରଭୃତି ଦର୍ଶନୀୟ । ଉତ୍ତରଭାରତର ଏହା ଏକ ବିଶିଷ୍ଟ ଶିକ୍ଷିତସହର । ଏଠାରେ ଶହ ଶହ ଲିଚୁ ଗଛ ଓ ୧୮ ଟି ଚା ବଗିଚା ଅଛି । ବାସମତୀ ସରୁଧାନ ଏହାର ପ୍ରଧାନ ଫସଲ । ଡେରାଡୁନ ଗୋଟିଏ ଗ୍ରୀଷ୍ମନିବାସ । ଭାରତର ଅନ୍ୟ ଗ୍ରୀଷ୍ମନିବାସ ପରି ଏହା ଏତେ ଥଣ୍ଡା ବା ପାର୍ବତ୍ୟ ସ୍ଥାନ ନୁହେଁ । ସିମଳା, କାଠମାଣ୍ଡୁ, ମସୌରୀ ଓ କାଶ୍ମୀର ପ୍ରଭୃତି ପରି ଏଠାରେ ଶୀତ ନାହିଁ । ଷ୍ଟେସନ ପାଖକୁ ଜୈନଧର୍ମଶାଳା । ରହିବା ଲାଗି ସୁବିଧା ଥିବାରୁ ଏଠାରେ ବହୁ ଯାତ୍ରୀ ହୁଅନ୍ତି । ସକାଳେ ଏଠାରେ ରହିବା ଲାଗି ସ୍ଥାନ ନ ପାଇ ଅନ୍ୟ ଏକ ଧର୍ମଶାଳାରେ ଜିନିଷପତ୍ର ରଖି ସହର ବୁଲି ଗଲି-। ସନ୍ଧ୍ୟାବେଳକୁ ସ୍ଥାନ ଖାଲି ହେବାରୁ ରାତିକି ଆସି ଏଠାରେ ଆରାମରେ ରହିଲି ।

 

ସହରରୁ ଟାଉନବସ୍ ଯୋଗେ ୩ ମାଇଲ ଗଲାପରେ ପ୍ରେମ ନଗରରେ ପହଞ୍ଚିଲି । ଏଠାରେ ମିଲିଟାରୀ ଏକାଡେମୀ ଅଫିସକୁ ଯାଇ ଓଡ଼ିଆଛାତ୍ରମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଚାହିଁଲି । ଅଫିସ୍‌ର କର୍ତ୍ତୁପକ୍ଷ ତାଙ୍କ ପିଅନକୁ ମୋ ସଙ୍ଗରେ ପଠାଇଲେ । ପ୍ରଭାତ ମହାପାତ୍ର ନାମକ କଟକର ଓଡ଼ିଆଛାତ୍ରଙ୍କ ସହିତ ମୋର ଦେଖା ହେଲା । ମୋତେ ମିଲିଟାରୀ କଲେଜର ପ୍ରତ୍ୟେକ ସ୍ଥାନ ସେ ବୁଲାଇ ଆଣିଥାନ୍ତେ, କିନ୍ତୁ ତାଙ୍କର ପ୍ୟାରେଡ଼୍ ଥିବାରୁ ସେ ମୋ ସହ ଆସିପାରିଲେ ନାହିଁ । ମୁଁ ଏକାକୀ କଲେଜର ବିଭିନ୍ନ ସ୍ଥାନ ବୁଲି ଶେଷରେ ନଉସାରା କଲୋନୀର ୨୦ନମ୍ବର କୋଠରୀରେ ରହୁଥିବା ଅନ୍ୟ ଏକ ଓଡ଼ିଆଛାତ୍ର ଶ୍ରୀ ହିଂମାଶୁଶେଖର ମହାପାତ୍ରଙ୍କୁ ଭେଟିଲି । ତାଙ୍କ ସଙ୍ଗରେ ଆଗରୁ ମୋର ପରିଚୟ ଥିଲା । ଏହି ଏକାଡେମୀ ଚେଟ୍ଉଡ୍‌ବିଲଡ଼ିଂରେ ଅନୁଷ୍ଠିତ ହେଇଛି । ବହୁତ ବିରାଟ କଲୋନୀ, ସୁରକ୍ଷିତ ଅସ୍ତ୍ରାଗାର, ଲଢ଼ୁଆ ଉଡ଼ାଜାହାଜ, ପ୍ରାଚୀନ ମିଲିଟାରୀ ବୀରମାନଙ୍କ ଫୋଟୋ, ଯାଦୁଘର, ପ୍ରାଚୀନ ଓ ଆଧୁନିକ ଯୁଦ୍ଧସରଂଜାମ ପ୍ରଭୃତି ଏଠାର ଏକାନ୍ତ ଦର୍ଶନୀୟ ବସ୍ତୁ । ଏଠାରେ ୭୦୦ ଜେଣ୍ଟଲମେନ୍ କ୍ୟାଡ଼େଟ୍ ଶିକ୍ଷା ଲାଭ କରନ୍ତି । ୬ଟି ବଡ଼ କଲୋନୀ । ୬ଟି ବଡ଼ ବ୍ଲକ । ମୋଟର, ବନ୍ଧୁକ, ରାଇଫଲ ଓ ମେସିନ୍ ଗନ ଚାଳନା, ଅଶ୍ୱାରୋହଣ ଏବଂ ସନ୍ତରଣ ପ୍ରଭୃତିର ଶିକ୍ଷା ଶିକ୍ଷାର୍ଥୀମାନଙ୍କର ବାଧ୍ୟତାମୂଳକ । ପୃଥିବୀର ସମସ୍ତ ମିଲିଟାରୀ କଲେଜର ସ୍ମାରକ (ignitia) ଏଠାରେ ଦେଖିବାକୁ ମିଳେ । କଲେଜ ଆରମ୍ଭରୁ ଏ ପର୍ଯ୍ୟନ୍ତ କୃତିଛାତ୍ରମାନଙ୍କ ଫଟୋ । ଏଠାରେ ସୁରକ୍ଷିତ । ଖ୍ରୀ;୧୯୨୨ ରେ ପ୍ରିନ୍‌ସ୍ ଅଫ୍ ଉଏଲ୍‌ସ୍ ଏହି କଲେଜକୁ ଉଦ୍‌ଘାଟନ କରଥିଲେ । ଭାରତର କମାଣ୍ଡର–ଇନ୍–ଚିଫ ଏହି କଲେଜର ନିର୍ଦ୍ଦେଶକ । ଏହି କଲେଜର ପ୍ରଥମ ଅଧ୍ୟକ୍ଷ ହେଉଛନ୍ତି ମି.ଜେ.ସି. ପ୍ରିଟ୍‌ଚାର୍ଡ଼ ।

 

ମିଲିଟାରୀକଲେଜର ଓଡ଼ିଆ ବନ୍ଧୁ ଶ୍ରୀ ହିମାଂଶୁଶେଖର ମହାପାତ୍ର ଏଠାରେ ଅଧ୍ୟୟନ କରୁଥିବା ୨ଜଣ ଓଡ଼ିଆଛାତ୍ରଙ୍କର ଠିକଣା ମୋତେ ଦେଲେ । ସେ ଦୁଇଜଣ ହେଉଛନ୍ତି ଅଚ୍ୟୁତା ନନ୍ଦ ନାଥ ଓ ଶ୍ରୀ ଜେ.ପାଢ଼ୀ । ସେ ଦୁହେଁ ଫରେଷ୍ଟ କଲେଜ ନୂଆ ଛାତ୍ରବାସରେ ରହୁଥାନ୍ତି । ଏହା ମିଲିଟାରୀ କଲେଜରୁ ପ୍ରାୟ ୩ଫରଲଙ୍ଗ ଦୂର । ଶ୍ରୀ ମହାପାତ୍ର ମୋତେ ସ୍ଥାନଟି ଦେଖାଇଦେଲେ । ମୁଁ ପ୍ରାୟ ଦୁଇଟାରେ ଏଠାରେ ଟିମ୍ବର୍ ଇଂଜିନିଅରିଂ, ବୋଟାନି ଓ ପୋଲନିର୍ମାଣ ପ୍ରଭୃତି ମଧ୍ୟ ଶିକ୍ଷା ଦିଆଯାଏ । ୨୦୦ ଛାତ୍ର ଏଠାରେ ଅଧ୍ୟୟନ କରନ୍ତି । କଲେଜଟି ୭ଟି ବ୍ଲକରେ ବିଭକ୍ତ । ଏହି ପୃଥିବୀବିଖ୍ୟାତ ବନମହାବିଦ୍ୟାଳୟ ଏସିଆ ମହାଦେଶରେ ଶ୍ରେଷ୍ଠ ସ୍ଥାନ ଲାଭ କରିଛି । ଏହା କେନ୍ଦ୍ରସରକାରଙ୍କ ଖାଦ୍ୟ ଓ କୃଷିଦପ୍ତର ଦ୍ୱାରା ପରିଚାଳିତ । ଖ୍ରୀ: ୧୯୫୧ ରେ ଏହା ଦକ୍ଷିଣପୂର୍ବ ଏସିଆର ଟେକ୍‌ନିକାଲ୍ ଶିକ୍ଷା କେନ୍ଦ୍ରରୂପେ ମିଳିଜାତିସଙ୍ଘର ଖାଦ୍ୟ ଓ କୃଷି ଅନୁଷ୍ଠାନ ତରଫରୁ ମଞ୍ଜୁରୀ ପାଇଲା । ଏଠାରେ ଉଦ୍ଭିଦ ବିଜ୍ଞାନ, ବନବିଜ୍ଞାନ, କୃଷିବିଜ୍ଞାନ ଏବଂ କାଷ୍ଠ ରକ୍ଷଣାବେକ୍ଷଣା ଶିକ୍ଷା ଦିଆଯାଏ । ନିଉଫରେଷ୍ଟ୍‌ ଇଷ୍ଟେଟ୍ ଏହାର ଅନ୍ତର୍ଗତ । ଏହାର କ୍ଷେତ୍ରଫଳ ୧୧୦୦ ଏକର ଏଠାରେ ପୃଥିବୀର ସବୁ ଦେଶର ପ୍ରାୟ ସମସ୍ତ ବୃକ୍ଷ ଦେଖିବାକୁ ମିଳେ । କଲେଜର ପ୍ରଧାନ ବ୍ଲକଟି ଦ୍ୱିତଳପ୍ରାସାଦ । ଏହା ୩୫୦ ଗଜ ଲମ୍ବ ଓ ଏଥିରେ ୭ଟି ବିଭିନ୍ନ ବ୍ଳକ୍‍ ଅଛି । ପ୍ରଥମ ବ୍ଲକ୍‌ରେ ବୋଟାନି ମ୍ୟୁଜିୟମ । ଏଥିରେ ପୃଥିବୀର ପ୍ରତ୍ୟେକ ପତ୍ର ଓ ଫୁଲର ଚିତ୍ର । ଶ୍ରୀ ପି.ଶର୍ମା ହେଉଛନ୍ତି ଏହି ସମସ୍ତ ଚିତ୍ର ଶିଳ୍ପୀ । ଏପରି ନିଖୁଣଭାବେ ପତ୍ର, ଫୁଲ ଓ ଫଳକୁ ସେ ଚିତ୍ର କରିଛନ୍ତି ଯେ, ସେଗୁଡ଼ିକ ପ୍ରାକୃତିକ ଦେଖାଯାନ୍ତି । ଓଡ଼ିଆ ବନ୍ଧୁ ଶ୍ରୀନାଥ ଓ ପାଢ଼ୀଙ୍କ ମାଧ୍ୟମରେ ଶ୍ରୀ ଶର୍ମାଙ୍କ ସହ ପରିଚୟ ଲାଭ ହେଲା । ଦ୍ୱିତୀୟ ବ୍ଲକରେ କେବଳ ଜଙ୍ଗଳର ଗଛ କାଟିବା ପ୍ରଣାଳୀ ବିଷୟରେ ଅସଂଖ୍ୟ ଚିତ୍ର । ୩ୟ ବ୍ଳକ୍‍ ହେଉଛି ଦୀକ୍ଷାନ୍ତ ସମାରୋହଭବନ । ଏହି ଘରର କାନ୍ଥ, ଛାତ ଓ ପାହାଚ ସବୁ ମୂଲ୍ୟବାନ୍ କାଠରେ ତିଆରି । କଲେଜ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅଧ୍ୟକ୍ଷମାନଙ୍କର ପ୍ରତିକୃତି ଏଠାରେ ସୁରକ୍ଷିତ । ୪ର୍ଥ ବ୍ଳକ୍‍ରେ ପ୍ରତ୍ୟେକ ଗଛର ଛବି ଓ ଭାରତର ସମସ୍ତ ବୃକ୍ଷଲତା ମିଳିବା ସ୍ଥାନର ଚିତ୍ର ଅଛି । କେଉଁ ଗଛ କିପରି ବଢ଼େ ଓ କିପରି ଜଳବାୟୁରେ ତାର ଜନ୍ମ, ସେ ସମସ୍ତ ଚିତ୍ରାବଳୀ ଜରିଆରେ ବୁଝାଇ ଦିଆଯାଇଛି । ଏଠାରେ ୭୦୪ ବର୍ଷର ଗୋଟିଏ ଦେବଦାରୁ-ଗଣ୍ଡି ସୁରକ୍ଷିତ । ଟେହରୀ ଜଙ୍ଗଳରୁ ଏହି ଗଣ୍ଡିଟି ଆନୀତ । ଏହାର ଉଚ୍ଚତା ୮ ଫୁଟ, ଚଉଡ଼ା ୮ ଫୁଟ ଓ ଗୋଲେଇ ୩୨ ଫୁଟ । ପଞ୍ଚମ ବ୍ଲକରେ ପାଠାଗାର । ବୃକ୍ଷଲତା ସମ୍ବନ୍ଧୀୟ ହଜାର ହଜାର ମୂଲ୍ୟବାନ୍ ପୁସ୍ତକ ଏଠାରେ ମିଳେ । ଷଷ୍ଠ ବ୍ଲକରେ କାଷ୍ଠକୁ କାର୍ଯ୍ୟକାରୀ କରିବା ପ୍ରଣାଳୀୟ ବିଭିନ୍ନ ଚିତ୍ର, ବିଭିନ୍ନ ସ୍ଥାନର ବାଉଁଶ, ଡେରାଡ଼ୁନର ୨୪ ଫୁଟ ଗୋଲେଇ ବିଶିଷ୍ଟ ବାଉଁଶ, ବିଭିନ୍ନ ରଙ୍ଗର କାଗଜଅଠା କାଷ୍ଠର ବିଭିନ୍ନ ମୂଲ୍ୟବାନ୍ ଖେଳନା, ଗୃହର କାଷ୍ଠୋପକରଣ, ଗଛ ଛେଲିର ଦଉଡ଼ି, ବିଭିନ୍ନ ପ୍ରକାର ଗଛର ଅଠା, ଚମଡ଼ା କଷେଇ ଛେଲି, ବିଛୁଆତୀ ସୂତାରୁ ତିଆରି ପଦାର୍ଥ ଏବଂ ଗଛକୁ ନଷ୍ଟ କରୁଥିବା ପୋକମାନଙ୍କର ଚିତ୍ର ପ୍ରଭୃତି ସୁରକ୍ଷିତ । ଆହୁରି ମଧ୍ୟ ପୃଥିବୀର ବିଭିନ୍ନ ଧରଣର ୧୬୦୦ ପ୍ରକାର କାଠର ନମୁନା ଏଠାରେ ଅଛି ।

 

ଫରେଷ୍ଟ କଲେଜ ଓ ନିଉଫରେଷ୍ଟ ବୁଲିବା ପରେ ଶ୍ରୀ ଅଚ୍ୟୁତାନନ୍ଦ ନାଥ ଓ ପାଢ଼ୀଙ୍କ ସଙ୍ଗରେ ସହର ବୁଲିଗଲି । ଏହାର ସାନ୍ଧ୍ୟଶୋଭା ଏକାନ୍ତ ମର୍ମସ୍ପର୍ଶୀ । ସହରଟି ଆଧୁନିକ ଧରଣର ସାଜସଜ୍ଜାରେ ପରିପୂର୍ଣ୍ଣ । ବଡ଼ ବଡ଼ ହୋଟେଲ, ଦୋକାନ, ସ୍କୁଲ, କଜେଲ ଓ ସରକାରୀ କାର୍ଯ୍ୟାଳୟ ଏଠାରେ ବହୁପରିମାଣରେ ଦେଖାଯାଏ । ବସ୍ ଷ୍ଟାଣ୍ଡ ପାଖରେ ଥିବା ଘଣ୍ଟାଘରର ଦୃଶ୍ୟ ରମଣୀୟ । ପ୍ରଧାନ ବଜାରର ଛକରେ ଏକ ବିରାଟ ସ୍ତମ୍ଭ ଉପରେ ୮ ଦିଗକୁ ୮ଟି ଘଣ୍ଟା । ସହରର ଚାରିଆଡ଼କୁ ବସ୍ ଯାଏ । ସହରରେ ଗାନ୍ଧୀପାର୍କ । ସାନ୍ଧ୍ୟ ଭ୍ରମଣଲାଗି ଅସଂଖ୍ୟ ନରନାରୀ ଏବଂ ବାଳକବାଳିକା ଏଠାକୁ ଆସନ୍ତି । ଏହି ପାର୍କରେ ଗାନ୍ଧୀଙ୍କର ମାର୍ବଲ ପ୍ରତିକୃତି । ଏହାର ଉଚ୍ଚତା ୫ ଫୁଟ । ଚାରିଆଡ଼େ ପାଣିଝରୀ ଓ ଫୁଲମନ୍ଦା । ବୁଲି ବୁଲି ରାତି ୮ଟାରେ ଜୈନଧର୍ମଶାଳାରେ ପହଞ୍ଚିଲୁ । ଏଠାରୁ ଫରେଷ୍ଟକଲେଜ ୬ ମାଇଲ ଦୂର । ଶ୍ରୀ ପାଢ଼ୀ ଓ ନାଥବାବୁ ମୋତେ ତାଙ୍କ ହଷ୍ଟେଲକୁ ଯିବାଲାଗି ଅନୁରୋଧ କଲେ ହେଁ ଦୂରତା ଦୃଷ୍ଟିରୁ ମୁଁ ତାହା ପ୍ରତ୍ୟାଖ୍ୟାନ କଲି । ପରଦିନ ସକାଳେ ମୋର ମସୌରୀ ଯିବାର ପ୍ରସ୍ତାବ । ମୋତେ ବିଦାୟ ଦେଇ ସେ ଦୁହେଁ ହଷ୍ଟେଲ ଗଲେ । ରାତିଟି ଧର୍ମଶାଳାରେ କଟାଇ ପରଦିନ ମସୌରୀ ଯିବାପାଇଁ ମନ କଲି ।

☆☆☆

 

ମସୌରୀ

 

୩୧-୫-୬୦ ସକାଳ ୭ଟାରେ ଡେରାଡୁନରୁ ମସୌରୀ ଯାତ୍ରା କଲି । ଏହାର ଦୂରତା ଡେରାଡୁନରୁ ମାତ୍ର ୨୨ ମାଇଲ । ଡେରାଡୁନ୍‌ରୁ ସହର ଅତିକ୍ରମ କଲାପରେ ହିମାଳୟ ମନୋରମ ଶୃଙ୍ଗମାଳା । ରାସ୍ତାଟି ବେଶ୍ ଅଙ୍କାବଙ୍କା ଓ ଉଠାଣୀ ପଡ଼ାଣୀ । ଯିବାବେଳକୁ ବେଶ୍ ଆରାମ ଲାଗୁଥାଏ । ହିମାଳୟର ପ୍ରାକୃତିକ ଦୃଶ୍ୟ ଚମତ୍କାର । ବାଟରେ କୋଲୁଖାତ ଚେକ୍‌ପୋଷ୍ଟ ନିକଟରେ ବାସ ରହିଲା । ଏଠାରେ ମସୌରୀର ମ୍ୟୁନିସିପାଲଟି ପ୍ରତ୍ୟେକ ଯାତ୍ରୀଙ୍କ ଠାରୁ ଟ୧-୫୦ ଲେଖାଁଏ ଯାତ୍ରୀକର ଆଦାୟ କରନ୍ତି । ସକାଳ ୮।୩୦ ରେ ମୋଟର ପିକ୍‍ଚରପାଲେସ୍ ବସ୍‍ଷ୍ଟାଣ୍ଡରେ ପହଞ୍ଚିଲା । ମସୌରୀ ଏକ ସୁନ୍ଦର ସହର । ଭାରତର ଗ୍ରୀଷ୍ମନିବାସମାନଙ୍କ ମଧ୍ୟରେ ଏହା କ୍ଷୁଦ୍ରତମ । ଖ୍ରୀ: ୧୮୧୧ ପର୍ଯ୍ୟନ୍ତ ଏହା ନେପାଳ ମହାରାଜାଙ୍କର ଦ୍ୱାରା ଶାସିତ ହେଉଥିଲା-। ଏଠାରେ ‘ମନ୍‌ସୁରୀ’ ଗଛ ପ୍ରଚୁର ପରିମାଣରେ ଦେଖାଯାଏ । ତେଣୁ ଏହାର ଅସଲ ନାମ ମଂସୁରୀ । ମସୌରୀ ଏହାର ଆଧୁନିକ ନାମ । ଏହାର ଲାଇବ୍ରେରୀବଜାର ଓ କୁଲରୀବଜାର ପ୍ରଧାନ । ମସୌରୀ ୮୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଖ୍ରୀ:୧୮୭୭ ରେ କ୍ୟାପ୍‌ଟେନ୍ ୟଙ୍ଗ ଏହି ସ୍ଥାନଟିକୁ ପସନ୍ଦ କରି ଏଥିରେ ସହରର ପରିକଳ୍ପନା କରିଥିଲେ । କେମ୍‌ଟି, ମସି ଓ ଭାଟା ଜଳପ୍ରପାତ, ମ୍ୟୁନିସିପାଲିଟି ପୁଷ୍ପୋଦ୍ୟାନ, ପାର୍କ, ଗାନ୍ଧିଚୌକ, ହିମାଳୟକ୍ଲବ, ଚାର୍ଲଭିଲ୍‌ ହୋଟେଲ, କିତାବଘର, ଘଣ୍ଟାଘର ଓ ହାମ୍‌ଟନ ଖେଳଉଦ୍ୟାନ ପ୍ରଭୃତି ଦର୍ଶନୀୟ । ଚାର୍ଲଭିଲ୍ ହୋଟେଲରେ ବର୍ତ୍ତମାନ I.A.S., I.P.S., I.F.A.S, I.A.A.S, ଓ I.R.S ଶିକ୍ଷାର୍ଥୀମାନେ ବାସ କରୁଛନ୍ତି । ଡେରାଡୁନ୍ ମିଲିଟାରୀ କଲେଜର ଛାତ୍ର ଶ୍ରୀ ହିମାଂଶୁଶେଖର ମହାପାତ୍ରଙ୍କ ବନ୍ଧୁ ଶ୍ରୀ ବିବେକାନନ୍ଦ ଜେନା ଏଠାରେ I.A.A.S ଟ୍ରେନିଂ ନେଉଥାନ୍ତି । ହିମାଂଶୁ ବାବୁ ମୋତେ ତାଙ୍କ ଭାଇଙ୍କର ଠିକଣା ଦେଇଥିଲେ । ତେଣୁ ମୁଁ ବସଷ୍ଟାଣ୍ଡରୁ ନିଶ୍ଚିନ୍ତରେ ଚାର୍ଲଭିଲ ହୋଟେଲ ଅଭିମୁଖେ ଚାଲିଲି । ପିକ୍‍ଚରପାଲେସ୍ ବସ୍‍ଷ୍ଟାଣ୍ଡରୁ ପ୍ରାୟ ୩ ମାଇଲ । ଦୁଇ ପାଖରେ ସୁନ୍ଦର ଘର-। ଦିନ ୧୦ଟାରେ ଚାଲି ଭିଲ୍ ହୋଟେଲରେ ପହଞ୍ଚିଲି । ସେତେବେଳକୁ ଶିକ୍ଷାର୍ଥୀମାନଙ୍କ ଅଧ୍ୟୟନ ଆରମ୍ଭ ହୋଇଥାଏ । ମୁଁ ପ୍ରଥମେ ଶ୍ରୀ ନିହାର ରଞ୍ଜନ ହୋତା I.A.S ଙ୍କୁ ଡକାଇ ପଠାଇଲି । ସେ କ୍ଲାସରେ ଥାଆନ୍ତି । କିଛି ସମୟପରେ କ୍ଲାସ୍ ଭାଙ୍ଗିଲା । ହଠାତ୍ ଦେଖିଲି ମୋର ପୂର୍ବପରିଚିତ ବନ୍ଧୁ ମହମ୍ମଦ ଫେଦା ରସୁଲଙ୍କୁ । ସେ ଖ୍ରୀଷ୍ଟକଲେଜର ଛାତ୍ରଥିଲେ । ସେ ଏଠାକୁ I.P.S ଟ୍ରେନିଂ ପାଇଁ ଆସିଛନ୍ତି-। ଅପ୍ରତ୍ୟାଶିତଭାବେ ତାଙ୍କୁ ଦେଖି ମୁଁ ବିସ୍ମିତ ହେଲି । ତାପରେ ସେ ଶ୍ରୀ ନିହାରରଞ୍ଜନ ହୋତା I.A.S.ଶ୍ରୀ ବିବେକାନନ୍ଦ ଜେନା, I.A.A.S. ଶ୍ରୀ ପ୍ରଫୁଲ୍ଲକୁମାର ମିଶ୍ର I.P.S. ଶ୍ରୀ ପ୍ରଫୁଲ୍ଲ କୁମାର କାନୁନ୍‌ଗୋ I.P.S. ଙ୍କ ସହିତ ମେର ପରିଚୟ କରାଇଦେଲେ । ସ୍ନାନାଦି ସାରି ୧୨ଟାରେ ମଧ୍ୟାହ୍ନ ଭୋଜନ ଲାଗି ଗଲୁଁ । ସେଠାରେ ଆମ ଟେବୁଲର ଅନ୍ୟ ଧାଡ଼ିରେ ଦେଖିଲି ମୋର ଅନ୍ୟ ଏକ ସୁପରିଚିତ ବନ୍ଧୁ ଶ୍ରୀ ଶୋଭନ କାନୁନ୍‌ଗୋ ବସିଛନ୍ତି । ଦିଲ୍ଲୀରହଣି ସମୟରେ ମୁଁ ତାଙ୍କ ଘରେ ରହିଥିଲି । I.A.S ଟ୍ରେନିଂ ସକାଶେ ମସୌରୀ ଆସିଛନ୍ତି । ଆନନ୍ଦରେ ସୀମା ରହିଲା ନାହିଁ-। ଶୋଭନ ବାବୁ ମୋତେ ଦେଖି କୁଶଳପ୍ରଶ୍ନପୂର୍କ ମୋର ଭ୍ରମଣ ବିଷୟରେ ପଚାରିଲେ-। ଖରାବେଳଟି ଟିକେ ବିଶ୍ରାମ ନେଇ ମସୌରୀର ଦର୍ଶନୀୟ ସ୍ଥାନମାନ ବୁଲି ବାହାରିଲି-। ହୋଟେଲରୁ କିତାବଘର ୧ ମାଇଲ । ଏଠାରୁ ମସି ଜଳପ୍ରପାତ ୩ ମାଇଲ ଦୂର । ଘୋଡ଼ାଟିଏ ଭଡ଼ା କରି ମସିଜଳପ୍ରପାତ ଦେଖିବାକୁ ଗଲି । ସହରର ଉପକଣ୍ଠରେ ଜଙ୍ଗଲ । ପର୍ବତ ଦୃଶ୍ୟ ଚମତ୍କାର । ସହରର ବିଭିନ୍ନ ସ୍ଥାନ ବୁଲି ବୁଲି ରାତି ୮ ଟାରେ ହୋଟେଲକୁ ଫେରି ଆସିଲି-। ଏହି ହୋଟେଲଟି ପୂର୍ବେ ସାହେବମାନଙ୍କ ପାଇଁ ଥିଲା । ହୋଟେଲ ଖୁବ୍ ବଡ଼ ଓ ସୁପରିଚାଳିତ । ଏଠାରେ ସବୁ ବ୍ୟବସ୍ଥା ବୀଲାତୀ କାଇଦାରେ । ରାତିଟି ଓଡ଼ିଆ ବନ୍ଧୁମାନଙ୍କ ଗହଣରେ ବେଶ ଫୁର୍ତ୍ତିରେ କଟିଲା । ଏଠାରୁ କିଛି ଦୂରରେ ମାଇଲ ମାଇଲଧରି ଦାବାଗ୍ନିର ଦୃଶ୍ୟ ଉପଭୋଗ୍ୟ-। ଏଠାରେ ଖରାଦିନ ରାତିରେ ସୁଦ୍ଧା ଭୀଷଣ ଶୀତ । ସ୍ଥାନଟି ସ୍ୱାସ୍ଥ୍ୟପ୍ରଦ ହେତୁ ଗ୍ରୀଷ୍ମକାଳରେ ଖୁବ୍ ଜନାକୀର୍ଣ୍ଣ । ଏଠାରେ ବହୁତ ସ୍କୁଲ ଓ କଲେଜ ଅଛି । କେତେଗୁଡ଼ିଏ ପତ୍ରପତ୍ରିକା ଏଠାରୁ ବାହାରେ-। ଭାଷାବିଦ୍ୟାଳୟ, ଘନାନନ୍ଦ ଇଣ୍ଟରକଲେଜ, ସରକାରୀ ବାଳିକା ବିଦ୍ୟାଳୟ ଓ କନ୍‌ଭେଣ୍ଟ ପ୍ରଭୃତି ଏଠାରେ ଅଛି । ଶାରଦୀୟ ଉତ୍ସବ ଏଠାରେ ବହୁ ଆଡ଼ମ୍ବରରେ ପାଳିତ ହୁଏ । ବହୁବାର ଏଠାରେ କବିଦରପବାର, ପ୍ରଦର୍ଶନୀ, ବଲ୍‌ନାଚ, ନୃତ୍ୟପ୍ରତିଯୋଗିତା ଓ ଭାରତୀୟ ଚଳଚିତ୍ରମେଳା ଅନୁଷ୍ଠିତ ହୋଇଛି । ଭାରତର ସମସ୍ତ ଗ୍ରୀଷ୍ମନିବାସମଧ୍ୟରେ ଏହା କ୍ଷୁଦ୍ରତମ ହେଲେ ହେଁ ସାଜସଜ୍ଜା, ପ୍ରାକୃତିକ ଶୋଭା ଓ ଆଧୁନିକ ଯାଗେ ଏହା ଭାରତର ପ୍ରଧାନ ଗ୍ରୀଷ୍ମନିବାସ । ଏହାର ଲମ୍ବ ମାତ୍ର ୩ ।୪ ମାଇଲ । ଗୋଟିଏ ମାତ୍ର ପ୍ରଧାନ ରାସ୍ତା । ଦୁଇ ଧାଡ଼ିରେ ଦୋକାନ । ଏହାର ପ୍ରାକୃତିକ ସମ୍ପଦ ଏହାକୁ “ପାହାଡ଼ରାଣୀ” “Queen of the Hills” ଉପାଧି ଦେଇଛି । ପରଦିନ ସକାଳୁ ନିତ୍ୟକର୍ମ କରି ପ୍ରାତଃ ଭୋଜନ ପରେ ବନ୍ଧୁମାନଙ୍କଠାରୁ ବିଦାୟ ନେଇ ଗୃହାଭିମୁଖେ ବାହାରିଲି-। ମସୌରୀରୁ ଡେରାଡୁନ୍ ଆସିବା ପରେ ସେଠାରୁ କଲିକତା ଅଭିମୁଖେ ଯାତ୍ରା କଲି ।

☆☆☆

 

ନବଦ୍ୱୀପଧାମ

 

ଡେରାଡୁନ୍‌ରୁ ଆସି କଲିକତାରେ ୨ ।୩ ଦିନ ବିଶ୍ରାମ ନେଲି । ବଦ୍ରୀନାଥଯାତ୍ରା ଯୋଗୁଁ ଦେହ ଭଲ ଲାଗୁ ନ ଥାଏ । ବନ୍ଧୁ ଶ୍ରୀ ପୀତାମ୍ବରମିଶ୍ରଙ୍କ ୫୪-ଟାଲିଗଞ୍ଜସରକୁଲାର ରୋଡ଼, କଲିକତା ୩୩, ବସାରେ ମୁଁ ଅବସ୍ଥାନ କରୁଥାଏ । ସେଠାରେ ଜନୈକ ବୈଷ୍ଣବଙ୍କଠାରୁ ନଦିଆ ନବଦ୍ୱୀପର କଥା ଶୁଣି ହଠାତ୍ ନବଦ୍ୱୀପ ଯିବାର ଇଚ୍ଛା ବଳବତୀ ହୋଇଉଠିଲା । ୬-୬-୬୦ ଦିନ ସକାଳ ୭ ।୪୦ ରେ ହାବଡ଼ାରୁ ନବଦ୍ୱୀପଧାମ ଟ୍ରେନଯୋଗେ ଯାତ୍ରା କଲି । ହାବାଡ଼ାରୁ ନବଦ୍ୱୀପଧାମ ଷ୍ଟେସନର ଦୂରତା ମାତ୍ର ୬୬ ମାଇଲ । ଦିନ ୧୦-୨୦ ରେ ଗାଡ଼ି ନବଦ୍ୱୀପଧାମ ଷ୍ଟେସନରେ ପହଞ୍ଚିଲା । ରିକ୍‌ସାଟିଏ କରି ସହର ଓ ମନ୍ଦିର ବୁଲି ବାହାରିଲି । ଷ୍ଟେସନରୁ ସହରଟି ୩ ।୪ ମାଇଲ । ଗଙ୍ଗାନଦୀକୂଳରେ ଏହି ଶ୍ରୀଧାମ ଅବସ୍ଥିତ । ଗଙ୍ଗାର ଅପରପାର୍ଶ୍ୱ ମାୟାପୁରୀ । ଶ୍ରୀ ଶ୍ରୀ ଚୈତନ୍ୟଦେବ ୧୪୦୭ ଶକାବ୍ଦ ଫାଲ୍‌ଗୁନ ପୂର୍ଣ୍ଣିମା ଦିନ ଏଠାରେ ଜନ୍ମଲାଭ କରିଥିଲେ ।

 

ଧାମମହାତ୍ମ୍ୟ;–ଭଗବାନ୍ ଶ୍ରୀକୃଷ୍ଣ ଏଠାରେ ଚୈତନ୍ୟ ରୂପରେ ଜନ୍ମଲାଭ କରି କଳିଯୁଗର ପାପତାପଗ୍ରସ୍ତ ମାନବସମାଜକୁ ଉଦ୍ଧାର କରିବେ ବୋଲି ନିଜେ ଶ୍ରୀମୁଖରେ କହିଥିଲେ-। ପଦ୍ମପୁରାଣରେ ଉଲ୍ଲେଖ ଅଛି—

 

କଳେଃ ପ୍ରଥମସନ୍ଧ୍ୟାୟାଂ ଗୌରାଙ୍ଗୋଽହଂ ମହୀତଳେ ।

ଭାଗୀରଥୀତଟେ ରମ୍ୟେ ଭବିଷ୍ୟାମି ଶଚୀସୁତଃ” ।।

 

ବାମନପୁରାଣରୁ ପ୍ରମାଣ ମିଳେ, ଶ୍ରୀକୃଷ୍ଣ ନିଜେ ନାରଦଙ୍କୁ କହୁଛନ୍ତି–

 

“କଳିଘୋରଚମଶ୍ଥାନ୍ନାନ୍ ସର୍ବାନାଚାରବର୍ଜିତାନ୍ ।

ଶଚୀଗର୍ଭେଚ ସମ୍ଭୁୟ ତାରୟିଷ୍ୟାମି ନାରଦ” ।।

 

ମାର୍କଣ୍ଡେୟପୁରାଣରେ ଏ ସମ୍ବନ୍ଧରେ ଉଲ୍ଲେଖ ଅଛି–

 

“ଗୋଲକଞ୍ଚ ପରିତ୍ୟଜ୍ୟ ଲୋକାନାଂ ତ୍ରାଣକାରଣାତ୍ ।

କଳୌ ଗୌରାଙ୍ଗରୂପେଣ ଲୀଳାଲାବଣ୍ୟବିଗ୍ରହଃ” ।

 

ବୃହତବାମନପୁରାଣରେ ଉଲ୍ଲେଖ ଅଛି—

 

“ସ୍ୱର୍ଣ୍ଣଦୀତୀରମାସ୍ଥାୟ ନବଦ୍ୱୀପେ ଜନାଳୟେ ।

ତତ୍ର ଦ୍ୱିଜକୁଳେ ପ୍ରାପ୍ତେ ଜନିଷ୍ୟାମି ନିଜାଳୟେ ।।

ଭକ୍ତିଯୋଗପ୍ରଦାନାୟ ଲୋକସ୍ୟାନୁଗ୍ରହାୟ ଚ ।

ସନ୍ନ୍ୟାସିରୁପମାଶ୍ରିତ୍ୟ କୃଷ୍ଣଚୈତନ୍ୟନାମଧୃକ୍” ।।

 

ବଙ୍ଗଳାରେ ପ୍ରଚଳିତଯେ—

 

“ନନ୍ଦସୁତ ବଲି ଯାରେ ଭାଗବତେ ଗାଇ ।

ସେଇକୃଷ୍ଣ ଅବତୀର୍ଣ୍ଣ ଚୈତନ୍ୟ ଗୋସାଇଁ ।।

 

ପ୍ରଥମେ ସୁନାରଗୌରାଙ୍ଗ ଦର୍ଶନ ପାଇଁ ଗଲି । ଏଠାରେ ଟ ୦/ ୩ ଭେଟି ଦେବାକୁ ହୁଏ । ଗୌରାଙ୍ଗଙ୍କର କମନୀୟ ସ୍ୱର୍ଣ୍ଣ ମୂର୍ତ୍ତି ୩ ଫୁଟ ଉଚ୍ଚ । ପାଖରେ ଅଷ୍ଟଧାତୁର ଶ୍ରୀରାଧା ଓ ମଦନ ମୋହନ । ନିତ୍ୟାନନ୍ଦମହାପ୍ରଭୁ, ଲକ୍ଷ୍ମୀପ୍ରିୟା ଓ ବିଷ୍ଣୁପ୍ରିୟାଙ୍କର ଦାରୁମୂର୍ତ୍ତି ମଧ୍ୟ ଏଠାରେ ପୂଜିତା । ପାଖକୁ ଚୈତନ୍ୟଙ୍କ ଶିଷ୍ୟ ଶ୍ରୀଧର ମଣ୍ଡିତ । ଏହି ମନ୍ଦିରଟି ମଲମଲପଥରର । ଫାନୁସ୍ ପ୍ରଭୃତିରେ ଘରଟି ସୁସଜ୍ଜିତ । ମନ୍ଦିରର ଦୁଇ ପାଖରେ ଗରୁଡ଼ମୂର୍ତ୍ତି । ଶ୍ରୀ ଚୈତନ୍ୟମହାପ୍ରଭୁଙ୍କ ଶିଷ୍ୟ ହରିଦାସ ଗୋସ୍ୱାମୀ ଏହି ମନ୍ଦିରର ନିର୍ମାତା । ଧାମେଶ୍ୱର ମହାପ୍ରଭୁ ମନ୍ଦିରରେ ମହାପ୍ରଭୁ ଶ୍ରୀଚୈତନ୍ୟ ଜନ୍ମନାଭ କରିଥିଲେ । ଏଠାରେ ଟ ୦/-୩ ଭେଟି ଦେବାକୁ ପଡ଼େ । ଏହି ହଲ୍‌ଟି ମଲମଲ ପଥରରରେ ତିଆରି । କାନ୍ଥରେ ବହୁତ ମୟୁରଚିତ୍ର । ଶ୍ରୀ ଚୈତନ୍ୟମହାପ୍ରଭୁଙ୍କ ୪ ଫୁଟ ଉଚ୍ଚ ଦାରୁମୂର୍ତ୍ତି ଏଠାରେ ପୂଜିତ । ସମ୍ମୁଖସ୍ଥ ତୋରଣରେ ଉଲ୍ଲେଖ ଅଛି—

 

“ଜୟ ଶଚୀନନ୍ଦନ ଜୟ ଗୌରହରି ।

ବିଷ୍ଣୁପ୍ରିୟାର ପ୍ରାଣନାଥ ନଦିୟାବିହାରୀ” ।।

 

ନିତ୍ୟାନନ୍ଦମନ୍ଦିରର ଦ୍ୱାରବନ୍ଧ ମଲମଲପଥରର । ଏଠାରେ ଟ ୦ । ଭେଟି ଦେବାକୁ ପଡ଼େ । ନିତ୍ୟାନନ୍ଦମହାପ୍ରଭୁଙ୍କ ୪ ଫୁଟ ଉଚ୍ଚ ଦାରୁମୂର୍ତ୍ତି । ଦକ୍ଷିଣପାର୍ଶ୍ୱରେ ଚତୁର୍ଭୁଜ ନାରାୟଣବିଗ୍ରହ । ସାମନାରେ ରାଧାକୃଷ୍ଣବିଗ୍ରହ । ବିଷ୍ଣୁପ୍ରିୟା ଓ ଗୌରାଙ୍ଗଙ୍କ ବିବାହ ମନ୍ଦିରରେ ମଧ୍ୟ ଭେଟି ଦେବାକୁ ପଡ଼େ ।

 

ଗୋବିନ୍ଦଜୀଉମନ୍ଦିର ନବଦ୍ୱୀପଧାମରେ ବୃହତ୍ତମ ଓ ଶ୍ରେଷ୍ଠ ମନ୍ଦିର । ଏଠାରେ ଅହୋରାତ୍ର ସଂକୀର୍ତ୍ତନ ହୁଏ । ରାଧାକୃଷ୍ଣଙ୍କର କମନୀୟ ବିଗ୍ରହ । ଶ୍ରୀକୃଷ୍ଣଙ୍କ ଦକ୍ଷିଣପାର୍ଶ୍ୱରେ ଚୈତନ୍ୟବିଗ୍ରହ । ତିନୋଟିଯାକ ବିଗ୍ରହ ଗୋଟିଏ ପୀଠ ଉପରେ । ମନ୍ଦିରର ଦେହଳୀ ମଲମଲପଥରର ଫୁଲରେ ଶୋଭିତ । ଦରବାରହଲଟି ବେଶ୍ ପ୍ରଶସ୍ତ । ଏଠାରେ ବହୁ ବୈଷ୍ଣବସାଧୁ ସମବେତ ହୋଇ ସଂକୀର୍ତ୍ତନ କରନ୍ତି । ବିଗ୍ରହମାନଙ୍କ ଗଠନ ସୁନ୍ଦର । ଉପରେ ଛତ୍ର-। ସାମନାରେ ଗରୁଡ଼ମୂର୍ତ୍ତି । ବିଗ୍ରହଗୁଡ଼ିକ ସ୍ୱର୍ଣ୍ଣଭୂଷଣ ଯୋଗୁଁ ଅଧିକ କମନୀୟ ଦେଖାଯାନ୍ତି-

 

ନବଦ୍ୱୀପଧାମ ଏକ କ୍ଷୁଦ୍ର ସହର । ଏହାର ଅପରପାର୍ଶ୍ୱରେ ଗଙ୍ଗାକୂଳରେ ମାୟାପୁରୀ । ଏହା ଶ୍ରୀ ଚୈତନ୍ୟଙ୍କ ପ୍ରକୃତ ଜନ୍ମପୀଠ ବୋଲି ପ୍ରମାଣିତ । ନଅଗୋଟି ଦ୍ୱୀପର ମିଶ୍ରଣରେ ନବଦ୍ୱୀପର ସୃଷ୍ଟି । ନବଦ୍ୱୀପଧାମରେ ଯାତ୍ରୀମାନଙ୍କ ରହିବା ଲାଗି ଧର୍ମଶାଳା ଓ ହୋଟେଲ ପ୍ରଭୃତିର ସୁବନ୍ଦୋବସ୍ତ ଅଛି । ଗୌଡ଼ୀୟ ବୈଷ୍ଣବମାନଙ୍କର ଏହା ପରମତୀର୍ଥ । ହଜାର ହଜାର ସଂଖ୍ୟାରେ ବୈଷ୍ଣବସାଧୁ ଦର୍ଶନ ଲାଗି ଏଠାକୁ ଆସନ୍ତି । ଦର୍ଶନସାରି ଅପରାହ୍‌ଣ ୪ଟାରେ ରେଳଯୋଗେ ପୁଣି କଲିକତା ଫେରି ଆସିଲି ।

☆☆☆

 

ଭୁବନେଶ୍ୱର

 

ମୋର କର୍ମକ୍ଷେତ୍ର ଭୁବନେଶ୍ୱର ଉତ୍କଳର “ମନ୍ଦିରମୟ ସହର” ରୂପେ ପ୍ରସିଦ୍ଧ । ସହରର ଚତୁର୍ଦ୍ଦିଗରେ ଶିବଲିଙ୍ଗ ପରି ଲକ୍ଷିତ । ବନ, କେଦାର ଓ ମାର୍ଗ ସର୍ବତ୍ର ଭଗ୍ନମନ୍ଦିର ଓ ଶିବଲିଙ୍ଗ । ଏଠାରେ ଶ୍ରୀ ଲିଙ୍ଗରାଜମନ୍ଦିର ପ୍ରାଧାନ୍ୟରେ ଭାରତ ବିଖ୍ୟାତ । ଏସବୁ ମନ୍ଦିର ଅଷ୍ଟମଶତାବ୍ଦୀରୁ ତ୍ରୟୋଦଶଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା ବୋଲି ଐତିହାସିକମାନଙ୍କ ମତ ।

 

ଲିଙ୍ଗରାଜମନ୍ଦିର ଖ୍ରୀ: ୧୦୫୦ରେ ନିର୍ମିତ ହୋଇଥିଲା । କେଶରୀବଂଶର ସ୍ୱନାମଧନ୍ୟ ନରପତି ଲଲାଟେନ୍ଦୁକେଶରୀ ଏହି ମନ୍ଦିରର ନିର୍ମାତା । ଭାରତର ସମସ୍ତ ଶିବଲିଙ୍ଗ ଆକୃତିରେ ବୃହତ୍ତମ । ମନ୍ଦିରର ଗାତ୍ର କାରୁକାର୍ଯ୍ୟପୂର୍ଣ୍ଣ । ମନ୍ଦିରର ଚାରିପାଖରେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କର ମନୋରମ ମୂର୍ତ୍ତି ଦୃଷ୍ଟିଗୋଚର ହୁଏ । ପୁରୀମନ୍ଦିର ଅପେକ୍ଷା ଏହି ମନ୍ଦିରର କାରୁକାର୍ଯ୍ୟ ଉତ୍କୃଷ୍ଟତର । ଲିଙ୍ଗରାଜମନ୍ଦିର ବ୍ୟତୀତ ରାଜାରାଣୀ, କେଦାରଗୌରୀ, ସିଦ୍ଧେଶ୍ୱର, ମୁକ୍ତେଶ୍ୱର ଏବଂ ଅନନ୍ତବାସୁଦେବ ପ୍ରଭୃତିଙ୍କ ମନ୍ଦିର ଏଠାରେ ଦର୍ଶନୀୟ ।

 

ଭୁବନେଶ୍ୱର ବର୍ତ୍ତମାନ ଓଡ଼ିଶାର ରାଜଧାନୀ । ନୂଆରାଜଧାନୀ ପୁରୁଣା ସହରଠାରୁ ୩ ମାଇଲଦୂର । ରାଜଧାନୀଟି ଆଧୁନିକ ଧରଣର ଅଟ୍ଟାଳିକାପୂର୍ଣ୍ଣ ।

 

ରାଜଭବନ, ମନ୍ତ୍ରୀମାନଙ୍କ ବାସଭବନ, ରବୀନ୍ଦ୍ରମଣ୍ଡପ, ବିଧାନସଭାଭବନ, ସଚ୍ଚିବାଳୟ, ଯାଦୁଘର, ଅତିଥିଭବନ, ରିଜିଓନାଲ୍ କଲେଜ, ବାଣୀବିହାର, ବହୁ ସ୍କୁଲକଲେଜ, ଡାକ୍ତରଖାନା, ସରକାରୀ କର୍ମଚାରୀମାନଙ୍କର ବାସଗୃହ ଓ ବିଭିନ୍ନ ବିଭାଗୀୟ ସରକାରୀ କାର୍ଯ୍ୟାଳୟରେ ନୂଆ ରାଜଧାନୀ ପୂର୍ଣ୍ଣ । ବିଗତ କଂଗ୍ରସ ଅଧିବେଶନ ସମୟରେ ଏହା ଏକ ଅପୂର୍ବଶୋଭା ଧାରଣ କରିଥିଲା । ସୁନ୍ଦର ସୁନ୍ଦର ପ୍ରଶସ୍ତ ରାସ୍ତା, ବାରଲାଇଟ୍, ଗୋଲେଇଛକ, ମାର୍କେଟ ବିଲଡିଙ୍ଗ୍, ସାପ୍ତହିକ ଓ ଦୈନିକ ହାଟ ପ୍ରଭୃତି ଯୋଗୁ ସହରଟି ସର୍ବଦା ସମୁଜ୍ଜ୍ୱଳ ତଥା ମୁଖରିତ ହୋଇଉଠେ ।

 

ନୂଆରାଜଧାନୀରୁ ପଶ୍ଚିମକୁ ୪ ମାଇଲ ଗଲେ ଐତିହାସିକ ଖଣ୍ଡଗିରି ଓ ଉଦୟଗିରି । ଏଠାରେ ଜୈନମୂର୍ତ୍ତିମାନ ନିଖୁଣଭାବେ ଖୋଦିତ । ରାଣୀଗୁମ୍ପା ଓ ବାଘଗୁମ୍ପା ପ୍ରଭୃତି ଏଠାରେ ଦର୍ଶୀନୀୟ ସ୍ଥାନ । ଏକ କ୍ଷୁଦ୍ର ପାହାଡ଼ର ଶୀର୍ଷଦେଶରେ ଦୁଇଟିଯାକ ଗୁମ୍ପା ଅବସ୍ଥିତ । ପୁରୁଣା ଭୁବନେଶ୍ୱରଠାରୁ ୫ ମାଇଲଦୂର ଯାତ୍ରା କଲେ ଦୟାନଦୀତୀରରେ କଳିଙ୍ଗବୀରଙ୍କ ଶୌର୍ଯ୍ୟସମ୍ପଦର ମୁକସାକ୍ଷୀ ଧଉଳିପାହାଡ଼ ବିଦ୍ୟମାନ । ଏଠାରେ ଅଶୋକଙ୍କ ଶିଳାଲିପି ପାଲି ଭାଷାରେ ଖୋଦିତ । ଧଉଳିର ପାଦଦେଶରେ ଦୟାନଦୀର ତୀରରେ ଥିବା ପୁରାତନ ମନ୍ଦିରରେ କମନୀୟ ଗଣନାଥମୂର୍ତ୍ତି ଦର୍ଶନୀୟ ।

☆☆☆

 

କୋଣାର୍କ

 

କଟକ, ପୁରୀ ଓ ଭୁବନେଶ୍ୱରରୁ ମୋଟରଯୋଗେ ଯାତ୍ରୀମାନେ କୋଣାର୍କ ଯାତ୍ରା କରନ୍ତି-। ଦୁଇଥର କୋଣାର୍କ ଯିବାର ସୁଯୋଗ ମୋର ଘଟିଛି । ଏହାର ଚାରୁକଳା ଓ ଶିଳ୍ପନୈପୁଣ୍ୟ ପୃଥିବୀବିଖ୍ୟାତ । ଉତ୍କଳୀୟ ସ୍ଥାପତ୍ୟବିଦ୍ୟାର ଚରମ ଉତ୍‍କର୍ଷ ଏହିଠାରେ ପ୍ରକଟିତ । ରାଜା ଲାଙ୍ଗୁଳାନରସିଂହଦେବ ରାଣୀ ମହାଦେବଙ୍କ ସୂର୍ଯ୍ୟପୂଜା ନିମିତ୍ତ ସମୁଦ୍ରତୀରସ୍ଥିତ ବାଲୁକାପ୍ରାନ୍ତରରେ ଏହି ବିଶ୍ୱବିମୋହନ ମନ୍ଦିର ନିର୍ମାଣ କରାଇଥିଲେ । ବାର ହଜାର ଶିଳ୍ପୀ, ବାଇଶ ବର୍ଷ କଠୋର ସାଧନା କରି ଏହି ମନ୍ଦିରକୁ ତିଆରି କରିଥିଲେ ଓ ଏଥିରେ ଓଡ଼ିଶାର ୧୬ ବର୍ଷର ରାଜସ୍ୱ ବ୍ୟୟିତ ହୋଇଥିଲା । କର୍ପୂର ଯାଇ କନା ପଡ଼ି ରହିଲା ପରି ମୁଖ୍ୟମନ୍ଦିର ଧୂଳିସାତ୍ ହୋଇ ବର୍ତ୍ତମାନ କେବଳ ମୁଖ୍ୟଶାଳା ବିଦ୍ୟମାନ । ତଥାପି ସେହି ଅବଶିଷ୍ଟ ଅଂଶର କାରୁକାର୍ଯ୍ୟ ଶତ ଶତ ପାଶ୍ଚାତ୍ୟଶିଳ୍ପୀ ଓ ବୈଜ୍ଞାନିକଙ୍କୁ ଚମତ୍କୃତ କରେ । ସୂକ୍ଷ୍ମ କାରୁକାର୍ଯ୍ୟସଂବଳିତ ରଥଚକ୍ର ଅଶ୍ୱାରୋହୀ, ଦଧିନଉତି, ଭଗ୍ନମନ୍ଦିରସ୍ଥିତ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ଏବଂ ନବଗ୍ରହମୂର୍ତ୍ତି ପ୍ରଭୃତି ପ୍ରାଣରେ ଅପାର ଆନନ୍ଦର ଢେଉ ଖେଳାଇ ଦିଏ ।

☆☆☆

 

ପୁରୀ

 

ପୁରୀଦର୍ଶନର ସୌଭାଗ୍ୟ ମୋର ବହୁବାର ଘଟିଛି । ଭାରତର ଚାରିଧାମ ମଧ୍ୟରୁ ଏହା ଅନ୍ୟତମ । ଏହା କଳିକ୍ଷେତ୍ର ରୂପେ ବିଦିତ । ଭାରତର ବିଭିନ୍ନ ପ୍ରଦେଶରୁ ତଥା ଭାରତବାହାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଯାତ୍ରୀ ଏଠାକୁ ଆସନ୍ତି । ହିନ୍ଦୁମାନଙ୍କର ଏହା ପବିତ୍ର ପୀଠ । ବଙ୍ଗୋପସାଗରର ବେଳାଭୂମି ଉପରେ ଏହା ଅବସ୍ଥିତ । ଏହି ଭାରତବିଖ୍ୟାତ ସହରକୁ ଭାରତର ସବୁଆଡ଼ୁ ବହୁ ରେଳଗାଡ଼ି ଆସେ । ଶ୍ରୀଗୁଣ୍ଡିଚାଯାତ୍ରା ପୁରୀର ପ୍ରଧାନ ପର୍ବ । ଲକ୍ଷ ଲକ୍ଷ ଯାତ୍ରୀ ଏହି ପବିତ୍ର ଉତ୍ସବରେ ଏଠାରେ ମିଳିତ ହୁଅନ୍ତି । ପୁରୀର ଅବସ୍ଥିତ ବିଷୟରେ ପୁରୁଷୋତ୍ତମ ମହାତ୍ମ୍ୟରେ ଉଲ୍ଲେଖ ଅଛି—

 

‘ସାଗରସ୍ୟୋତ୍ତରେ ତୀରେ ମହାନଦ୍ୟାସ୍ତୁ ଦକ୍ଷିଣେ ।

ସ ପ୍ରଦେଶଃ ପୃଥିବ୍ୟାଂ ହି ସର୍ବତୀର୍ଥଫଳପ୍ରଦଃ ।।

ତତ୍ର ଯେ ମନୁଜା ବ୍ରହ୍ମନ୍ ନିବସନ୍ତି ସୁବୁଦ୍ଧୟଃ ।

ଜନ୍ମାନ୍ତର–କୃତାନାଞ୍ଚ ପୁଣ୍ୟାନାଂ ଫଳଭୋଗିନଃ ।।

ସିନ୍ଧୁତୀରେ ତୁ ଯୋ ବ୍ରହ୍ମନ୍ ରାଜତେ ନୀଳପର୍ବତଃ ।

ପୃଥିବ୍ୟାଂ ଗୋପିତଂ ସ୍ଥାନଂ ତବ ଚାପି ସୁଦୁର୍ଲଭଂ ।।

ସୁରାସୁରାଣାଂ ଦୁର୍ଜ୍ଞେୟଂ ମାୟୟାଚ୍ଛାଦିତଂ ମମ ।

ସର୍ବସଙ୍ଗପରିତ୍ୟକ୍ତସ୍ତତ୍ର ତିଷ୍ଠାମି ଦେହଭୃତ୍ ।।’

 

—“ସମୁଦ୍ରର ଉତ୍ତରପ୍ରାନ୍ତରେ ତଥା ମହାନଦୀର ଦକ୍ଷିଣ ପ୍ରାନ୍ତରେ ସମସ୍ତ ତୀର୍ଥ ଫଳପ୍ରଦାୟକ ମୋର ବାସସ୍ଥାନ ଅବସ୍ଥିତ । ସେଠାରେ ଯେଉଁ ବିଜ୍ଞନରମାନେ ବସତି ସ୍ଥାପନ କରନ୍ତି, ସେମାନେ ସେମାନଙ୍କର ସୁକୃତ ଫଳ ଭୋଗ କରନ୍ତି । ସମୁଦ୍ରତୀରରେ ଅବସ୍ଥିତ ନୀଳପର୍ବତ ପୃଥିବୀର ସର୍ବଶ୍ରେଷ୍ଠ ପୁଣ୍ୟସ୍ଥଳରେ ବିଦିତ ଏକ ଦୁର୍ଲଭ କ୍ଷେତ୍ର । ମୋ ମାୟାଜାଲରେ ଆଚ୍ଛାଦିତ ହୋଇ ଏହି ପୁଣ୍ୟକ୍ଷେତ୍ର ଦେବତା ଓ ଅସୁର ସମସ୍ତଙ୍କ ପାଖରେ ଅଜ୍ଞାତରୂପେ ପ୍ରତୀୟମାନ ହୁଏ ।”

 

ଏହି ସହର ଆକାରରେ ଶଙ୍ଖ ପରି ହୋଇଥିବାରୁ ଏହାର ଅନ୍ୟ ନାମ ଶଙ୍ଖକ୍ଷେତ୍ର । ଏହାର ଉତ୍ତରରେ ଲୋକନାଥମନ୍ଦିର, ଦକ୍ଷିଣରେ ବିଲ୍ଲେଶ୍ୱର, ପୂର୍ବରେ ମାର୍କଣ୍ଡେୟପୁଷ୍କରିଣୀ ଓ ପଶ୍ଚିମରେ ବଙ୍ଗୋପସାଗରର ବେଳାଭୂମି । ଏଠାରେ ଚାରିଆଡ଼େ ବାସଗୃହ (Lodging house) ଓ ବହୁ ଧର୍ମଶାଳୀ ଅବସ୍ଥିତ । ଯାତ୍ରୀମାନଙ୍କର ରହିବା ଏଠାରେ ପଣ୍ଡାମାନେ ସୁବନ୍ଦୋବସ୍ତ କରିଥାନ୍ତି । ସହରର ମଧ୍ୟଭାଗସ୍ଥ ନୀଳପର୍ବତରେ ଶ୍ରୀ ଜଗନ୍ନାଥମନ୍ଦିର ବିଦ୍ୟମାନ । ଏହା ପୁରୀର ଠିକ୍ କେନ୍ଦ୍ରସ୍ଥଳ । ରାଜା ଅନଙ୍ଗଭୀମଦେବ ଏହି ନଭଶ୍ଚୁମ୍ବୀ ସୁବୃହତ୍ ମନ୍ଦିରର ନିର୍ମାଣ ଦ୍ୱାଦଶ ଶତାବ୍ଦୀରେ କରାଇଥଇଲେ । ମାଦଳାପାଞ୍ଜିରୁ ପ୍ରଣାମ ମିଳେ ଯେ, କେଶରୀବଂଶର ଶାକ୍ତ ରାଜାମାନଙ୍କ ଅଧୋଗତି ପରେ ପରେ ଗଙ୍ଗବଂଶର ବୈଷ୍ଣବଧର୍ମାବଲମ୍ବୀ ରାଜାମାନେ କ୍ଷମତାକୁ ଆସିଲେ । ଅନ୍ତନବର୍ମନ୍ ଚୋଳଗଙ୍ଗଦେବ ଗଙ୍ଗବଂଶର ସର୍ବ ପ୍ରଧାନ ନରପତି । ସେ ୧୦୪୨ ରୁ ୧୧୧୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ସମୟରେ ପୁରୀର ଯଥେଷ୍ଟ ଶ୍ରୀବୃଦ୍ଧି ସାଧିତ ହୋଇଥିଲା । ଅନନ୍ତବର୍ମନଙ୍କ ପରେ ଅନଙ୍ଗଭୀମଦେବ ପୁରୀର ସିଂହାସନ ଅଂଳକୃତ କଲେ (୧୧୮୯-୧୨୨୩) । ଏହି ମନ୍ଦିର ନିର୍ମାଣରେ ୧୫,୦୦,୦୦୦ (ପନ୍ଦରଲକ୍ଷ) ମାଢ଼ ସୁନା ବ୍ୟୟିତ ହୋଇଥିଲା । (ଏକ ମାଢ଼= ଅଧତୋଳା) । ନୀଳକଣ୍ଠ ରାଜଗୁରୁ ମହାପାତ୍ର ପରମହଂସ ବାଜପେୟୀ ଏହି ମନ୍ଦରନିର୍ମାଣର ତତ୍ତ୍ୱାବଧାରକ ରୂପେ ନିଯୁକ୍ତ ହୋଇଥିଲେ । ଅନଙ୍ଗଭୀମ ଏହି ମନ୍ଦିରକୁ ୧୧୮୯ରୁ ଆରମ୍ଭ କରି ୧୨୨୩ ଖ୍ରୀଷ୍ଟାବ୍ଦରେ ସମାପ୍ତ କରିଥିଲେ । ଏହି ମନ୍ଦିରର ପ୍ରାଙ୍ଗଣ, ଭୋଗମଣ୍ଡପ, ଜଗମୋହନ, ମୁଖଶାଳା, ଲକ୍ଷ୍ମୀମନ୍ଦିର, ମୁକ୍ତିମଣ୍ଡପ, ନୃସିଂହମନ୍ଦିର, ଜୟବିଜୟଦ୍ୱାର, ଅଗ୍ନିଲିଙ୍ଗ, ସତ୍ୟନାରାୟଣ, ଗଣେଶମନ୍ଦିର, ରୋହଣୀକୁଣ୍ଡ, କୋଇଲିବୈକୁଣ୍ଠ, ନିର୍ମାଲ୍ୟଖଳା, ଆନନ୍ଦବଜାର ଓ ସ୍ନାନମଣ୍ଡପ ପ୍ରଭୃତି ଦର୍ଶନୀୟ । ଚାରିଆଡ଼େ ମେଘନାଦପ୍ରାଚୀର । ଏହି ପ୍ରାଚୀରର ଉଚ୍ଚତା ୧୪ ଫୁଟରୁ ୨୦ ଫୁଟ ପର୍ଯ୍ୟନ୍ତ । ପ୍ରାଚୀର ଲମ୍ବ ୬୬୫ ଫୁଟ ଓ ପ୍ରସ୍ଥ ୬୪୪ ଫୁଟ । ପୂର୍ବରେ ସିଂହଦ୍ୱାର, ପଶ୍ଚିମରେ ବ୍ୟାଘ୍ରଦ୍ୱାର, ଉତ୍ତରରେ ହସ୍ତିଦ୍ୱାର ଓ ଦକ୍ଷିଣରେ ଅଶ୍ୱଦ୍ୱାର । ସମ୍ମୁଖରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଅରୁଣସ୍ତମ୍ଭ ।

 

ଭୋଗମଣ୍ଡପର ପଶ୍ଚିମକୁ ବଡ଼ ଦେଉଳ ଅବସ୍ଥିତ । ଉତ୍ତର ଓ ଦକ୍ଷିଣପାର୍ଶ୍ୱର ପାହାଚ ଦେଇ ବଡ଼ଦେଉଳ ମଧ୍ୟକୁ ଯିବାକୁ ହୁଏ । ମୁଖ୍ୟମନ୍ଦିରର ପାଖାପାଖି ମୁଖଶାଳା, ନାଟମନ୍ଦିର ଓ ଭୋଗମଣ୍ଡପ । ଭୋଗମଣ୍ଡପର ଏକ ସ୍ତମ୍ଭରେ ବିଷ୍ଣୁଦୂତ ଗରୁଡ଼ର ମୂର୍ତ୍ତି । ଯାତ୍ରୀମାନେ ଏଠାରେ ରହି ପୂରାମାତ୍ରାରେ ଦର୍ଶନ କରିପାରନ୍ତି । ଅଳ୍ପ ଆଗରେ ଚନ୍ଦନ ଅର୍ଗଳୀ ମୁଖ୍ୟମନ୍ଦିରର ରାସ୍ତା ଅବରୁଦ୍ଧ କରିଛି । ଏକ ସୁନ୍ଦର ଓ ଉଚ୍ଚ ସିଂହାସନ ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସମାସନ । ଏହି ସିଂହାସନ ରତ୍ନବେଦୀ ନାମରେ ପ୍ରସିଦ୍ଧ । ତ୍ରିମୂର୍ତ୍ତି ନିମ୍ବକାଷ୍ଠନିର୍ମିତ । ବଳଭଦ୍ରମୂର୍ତ୍ତି ୬ ଫୁଟ, ଜଗନ୍ନାଥଙ୍କମୂର୍ତ୍ତି ଉଚ୍ଚତା ୫ ଫୁଟ ଓ ସୁଭଦ୍ରଙ୍କ ଉଚ୍ଚତା ୪ ଫୁଟ । ବଳଭଦ୍ରଙ୍କର ବର୍ଣ୍ଣ ଗୌର, ଜଗନ୍ନାଥ ଘନକୃଷ୍ଣ ଓ ସୁଭଦ୍ରା ହରିଦ୍ରାଙ୍ଗୀ । ମହାର୍ହପଟ୍ଟବସନ ପରିହିତ ନାନାବିଧ ରତ୍ନାଳଙ୍କାରବିଭୂଷିତ ସୁବାସିତ ପୁଷ୍ପମାଳାପରିଶୋଭିତ ଏହି ତ୍ରିମୂର୍ତ୍ତିଙ୍କ ସଂଦର୍ଶନରେ ମାନବ ବିଶ୍ୱବିମୋହନଭାବରେ ଉଦ୍‌ବୁଦ୍ଧ ହୋଇ କ୍ଷଣକ ପାଇଁ ତାର ପାପତାପକ୍ଲିଷ୍ଟ ଜୀବନର ଜ୍ଜ୍ୱାଳାଯନ୍ତ୍ରଣାକୁ ପାଶୋରିପକାଏ । ରତ୍ନବେଦୀରେ ଲକ୍ଷ୍ମୀ, ସରସ୍ୱତୀ ଓ ସୁଦର୍ଶନ ଚକ୍ର ମଧ୍ୟ ବିରାଜିତ ।

 

ସର୍ବୋପରି ପୁରୀର ସମୁଦ୍ରକୂଳର ଶୀତଳ ବାୟୁସେବନ ଓ ଲହଡ଼ିଭଙ୍ଗା ଦର୍ଶକମନରେ ଏକ ଗଭୀର ଛାପ ଅଙ୍କନ କରିଥାଏ । ଏତଦ୍‌ବ୍ୟତୀତ ସୁନାରଗୌରାଙ୍ଗ, ରଘୁନନ୍ଦନଲାଇବ୍ରେରୀ, ସାମନ୍ତ ଚନ୍ଦ୍ରଶେଖର କଲେଜ, ସଦାଶିବ ସଂସ୍କୃତକଲେଜ ଓ ରାଜଭବନ ପ୍ରଭୃତି ପୁରୀର ଦର୍ଶନୀୟ ସ୍ଥାନ ।

Image